Unknown

 

 

 

 

 

 

 

 

 

୧୬୩ତମ ସଂଖ୍ୟା କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

୧୬୩ତମ ସଂଖ୍ୟା

(ବିନୋଦ କାନୁନ୍‍ଗୋଙ୍କ ବିଶେଷାଙ୍କ)

 

ଉପଦେଷ୍ଟା :

ଡକ୍ଟର ରାମଚନ୍ଦ୍ର ବେହେରା

 

ସମ୍ପାଦକ ମଣ୍ଡଳୀ :

ଶ୍ରୀ ଗିରି ଦଣ୍ଡସେନା

ଡକ୍ଟର ବିଜୟାନନ୍ଦ ସିଂହ

ଶ୍ରୀ ବିଜୟ କୁମାର ନାୟକ

 

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

ସୂଚୀ

ସମ୍ପାଦକୀୟ

୧.

ବିନୋଦବାବୁଙ୍କ ମୃତ୍ୟୁ କାହିଁ ?

 

ଅନ୍ନପୂର୍ଣ୍ଣା ମହାରଣା

୨.

ଜ୍ଞାନମଣ୍ଡଳର ବିନୟୀ ସୂର୍ଯ୍ୟ

 

ସୀତାକାନ୍ତ ମହାପାତ୍ର

୩.

ଜ୍ଞାନବିନୋଦୀ ବିନୋଦ କାନୁନ୍‍ଗୋ

 

ବ୍ରଜନାଥ ରଥ

୪.

ଜ୍ଞାନତପସ୍ଵୀ

 

ବିଭୂତି ପଟ୍ଟନାୟକ

୫.

ଜାତିର ଗର୍ବ ଓ ଗୌରବ

 

ସାତକଡ଼ି ହୋତା

୬.

ମାନବର ଇତିହାସେ ତୁମେ ଏକ ବିରଳ ବ୍ୟକ୍ତିତ୍ୱ

 

ନିତ୍ୟାନନ୍ଦ ସ୍ଵାଇଁ

୭.

ଅଜେୟ ବିନୋଦ କାନୁନ୍‌ଗୋ

 

ପଦ୍ମଚରଣ ନାୟକ

୮.

ଯୋଗଜନ୍ମା ବିନୋଦ କାନୁନ୍‌ଗୋ

 

ଗୋକୁଳାନନ୍ଦ ମହାପାତ୍ର

୯.

ଅନ୍ୟପଥ - ଅନନ୍ୟ ପଥିକ

 

ହେମନ୍ତ କୁମାର ଦାସ

୧୦.

ଇତିହାସର ବିସ୍ମୟ

 

ଗିରିଜାଭୂଷଣ ପଟ୍ଟନାୟକ

୧୧.

ବିନୋଦବାବୁଙ୍କ ଜ୍ଞାନମଣ୍ଡଳ ପରିକଳ୍ପନା

 

କୁଳମଣି ସାମଲ

୧୨.

ଓଡ଼ିଆ ଭାଷା ସାହିତ୍ୟରେ ବିଜ୍ଞାନ ଓ ବିନୋଦ କାନୁନ୍‌ଗୋ

 

ଅରବିନ୍ଦ ପଟ୍ଟନାୟକ

୧୩.

ବିଦ୍ୟାବିନୋଦୀ ବିନୋଦବାବୁ

 

ବାସୁଦେବ କର

୧୪.

ଅନୁପମ ଗଦ୍ୟବିନ୍ଧାଣି

 

ବିଭୂତି ଭୂଷଣ ମହାପାତ୍ର

୧ ୫.

ବିନୋଦ କାନୁନଗୋ : ଏକ ଅମ୍ଳାନ ପ୍ରତିଭା

 

ଧନେଶ୍ୱର ସାହୁ

୧୬.

ସଂଗ୍ରାମୀ ବିନୋଦ- ପ୍ରଜ୍ଞା ବିଶାରଦ

 

ରଘୁନାଥ ମିଶ୍ର

୧ ୭.

ବିନୋଦ କାନୁନ୍‌ଗୋଙ୍କ ଭାଷାଚିନ୍ତା

 

ପାବକ କାନୁନ୍‌ଗୋ

୧୮.

ସେ ସିନା ରଣ ପରିଶୋଧ କରିଦେଲେ, ଆମକୁ କିନ୍ତୁ ଋଣୀ କରି ଦେଇଗଲେ

 

ନଟବର ଖୁଣ୍ଟିଆ

୧୯.

ବିଜ୍ଞାନଭିତ୍ତିକ ଶିଶୁସାହିତ୍ୟର ସ୍ରଷ୍ଟା ବିନୋଦ କାନୁନ୍‌ଗୋ

 

ଜ୍ୟୋତିର୍ମୟୀ ମହାନ୍ତି

୨୦.

ବିନୋଦ କାନୁନଗୋଙ୍କ ଦ୍ୱାରା ସଙ୍କଳିତ ଅମୃତ ବଚନ-ଏକ ଅଧ୍ୟୟନ

 

ଶରତ ଚନ୍ଦ୍ର ରଥ

୨୧.

ଜ୍ଞାନତପସ୍ଵୀ ବିନୋଦ କାନୁନ୍‌ଗୋ

 

ପ୍ରେମାନନ୍ଦ ମହାପାତ୍ର

୨୨.

ବିଜ୍ଞାନବିନୋଦୀ ବିନୋଦ କାନୁନ୍‌ଗୋ

 

କୃତ୍ତିବାସ ନାୟକ

୨୩.

ଜ୍ଞାନଦାତା ବିନୋଦ କାନୁନ୍‌ଗୋ

 

ରବିରଞ୍ଜନ ସାହୁ

୨୪.

ପ୍ରଜ୍ଞାପୁରୁଷ ବିନୋଦ କାନୁନ୍‌ଗୋ

 

କାଞ୍ଚି ନାରାୟଣ ମହାନ୍ତି

୨୫.

ବିନୋଦ କାନୁନ୍‌ଗୋ : ଏକ ବହୁମୁଖୀ ପ୍ରତିଭା

 

ଦୀପକ କୁମାର ଦାଶ

୨୬,

ସଂଗ୍ରାମୀ ସାରସ୍ଵତ ସାଧକ ବିନୋଦ କାନୁନ୍‌ଗୋ

 

ବିଜୟ କୁମାର ରାଉତ

୨୭.

ଓଡ଼ିଆ ଭାଷା ଯଦି ସ୍ଥିର ରହିଯିବ

 

ବିନୋଦ କାନୁନ୍‌ଗୋ

୨୮.

ସାର୍ଥକ ସାଧକ

 

ମନମୋହନ ମିଶ୍ର

୨୯.

ବିନୋଦ କାନୁନ୍‍ଗୋଙ୍କ ଜୀବନ ପଞ୍ଜିକା

 

 

୩୦.

ବିନୋଦ କାନୁନ୍‍ଗୋଙ୍କ ଲିଖିତ ପୁସ୍ତକ

 

 

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ୱତ୍ୱ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/- (ତିରିଶ ଟଙ୍କା)

୬.

ପ୍ରକାଶକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଜଗଦୀଶ ପଣ୍ଡା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ-୨

୮.

ସମ୍ପାଦକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ-୨

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ବିଜୟ କୁମାର ନାୟକ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ ।

 

 

ଶ୍ରୀ ବିଜୟ କୁମାର ନାୟକ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ସମ୍ପାଦକୀୟ

ସଂଗ୍ରାମ ଓ ସାଧନାର ଶିଳ୍ପୀ ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋ (୧୯୧୨-୧୯୯୦) ଏକାଧାରରେ ଥିଲେ ସ୍ଵାଧୀନତା ସଂଗ୍ରାମୀ, ଭାଷା ଓ ସାହିତ୍ୟର ଗବେଷକ, ସାମ୍ବାଦିକ, ଜୀବନୀକାର, ଶିଶୁ ସାହିତ୍ୟିକ ତଥା ଓଡ଼ିଆ ବିଶ୍ୱକୋଷ ‘ଜ୍ଞାନମଣ୍ଡଳ’ର ସ୍ରଷ୍ଟା । ଛାତ୍ରାବସ୍ଥାରେ ସେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ଗାନ୍ଧିଜୀଙ୍କ ଡାକରାରେ ପାଠ ଛାଡ଼ି ଦେଶର ମୁକ୍ତି ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୩୦ ମସିହାରେ କିଶୋର ବିନୋଦ ଲବଣ ସତ୍ୟାଗ୍ରହରେ ଭାଗ ନେଇ ପ୍ରଥମ ଜେଲ ବରଣ କରିଥିଲେ । ସ୍ଵାଧୀନତା ସଂଗ୍ରାମ କାଳରେ ସେ ଜାତୀୟସ୍ତରର ବହୁ ସ୍ଵାଧୀନତା ସଂଗ୍ରାମୀଙ୍କ ସହ ଆମ ରାଜ୍ୟର ପ୍ରଖ୍ୟାତ ଜାତୀୟବାଦୀ ଦେଶସେବକ ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ ଓ ରମା ଦେବୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶ ଲାଭ କରି ସେମାନଙ୍କ ଆଦର୍ଶରେ ଉଦ୍‌ବୁଦ୍ଧ ହୋଇଥିଲେ । ଏହାପରେ ସେ ଗୋପବନ୍ଧୁ ଚୌଧୁରୀ ଓ ରମା ଦେବୀଙ୍କ ଯାଜପୁର ଜିଲ୍ଲାସ୍ଥ ବରୀ ଆଶ୍ରମରେ ଦୀର୍ଘ ଚାରି ବର୍ଷ ଅବସ୍ଥାନ କରି ସେଠାରେ ନାନା ପ୍ରକାର ସଙ୍ଗଠନ ସହ ଦେଶ ସେବାରେ ବ୍ରତୀ ରହିଥିଲେ । ଆଶ୍ରମ ରହଣୀ ସମୟରେ ସେ ପ୍ରତ୍ୟକ୍ଷ ଭାବେ ଚାଷୀ ମୂଲିଆ ଜୀବନଯାପନ କରିଥିଲେ । ଦୈନନ୍ଦିନ ଚାଷ କ୍ଷେତ୍ରରେ ହଳ କରିବା, ଧାନତଳି ଓପାଡ଼ିବା ଓ ତାକୁ ରୋଇବା, ଗୃହପାଳିତ ପଶୁଙ୍କୁ ବିଲରେ ଚରାଇବା ଭଳି କାମ କରି ସେ ନିଜର ଆତ୍ମବିଶ୍ୱାସକୁ ଦୃଢ଼ କରିପାରିଥିଲେ । ଆତ୍ମସାଧନାର ସେହି ଗ୍ରାମ୍ୟ ଜୀବନ ବିନୋଦଙ୍କୁ ପରବର୍ତ୍ତୀ କାଳରେ ଜୀବନ ସଂଗ୍ରାମରେ ଅସୀମ ଧୈର୍ଯ୍ୟ, ସହନଶୀଳତା ଓ ସାରସ୍ଵତ ସାଧନା ପାଇଁ ଅନୁପ୍ରାଣିତ କରିଥିଲା । ଅନୁଗୁଳଠାରୁ ପୁରୀ ଏବଂ ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଐତିହାସିକ ପଦଯାତ୍ରାରେ ସେ ବାପୁଙ୍କ ପାଖେ ପାଖେ ରହିବାର ସୌଭାଗ୍ୟ ଲାଭ କରିଥିଲେ । ବାପୁଙ୍କ ସାନ୍ନିଧ୍ୟ ଲାଭ କରି ବିନୋଦ କାନୁନଗୋ ନିଜକୁ ଜଣେ ସ୍ଥିତପ୍ରଜ୍ଞ ଓ ଦୃଢ଼ ଆତ୍ମବିଶ୍ଵାସୀ ତଥା ଅନନ୍ୟ ସତ୍ୟାଗ୍ରହୀ ଭାବେ ଗଢ଼ି ତୋଳିପାରିଥିଲେ । ତାଙ୍କର ଉଦାରବାଦୀ ଚିନ୍ତାଧାରା ଓ ମୂଲ୍ୟବୋଧ ଭିତ୍ତିକ ସଂଗ୍ରାମ ନିମନ୍ତେ ସେ ଦେଶର ସ୍ୱାଧୀନତା ସଂଗ୍ରାମରେ ଜଣେ ଉତ୍ସର୍ଗୀକୃତ ଦେଶ ସେବକ ଭାବରେ ଯଶସ୍ୱୀ ହୋଇପାରିଥି‌ଲେ ।

 

ସଂଗ୍ରାମୀ ବିନୋଦ କାନୁନ୍‌ଗୋଙ୍କ ଗଭୀର ଆତ୍ମପ୍ରତ୍ୟୟ ଦେଶ ସ୍ଵାଧୀନତା ଲାଭ କରିସାରିବା ପରେ ଆହୁରି ଦୃଢ଼ୀଭୂତ ହୋଇଥିଲା । ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ପରି ସେ ସକ୍ରିୟ ରାଜନୀତିରେ ଭାଗ ନେଇ ଦେଶର ପ୍ରଥମ ସାଧାରଣ ନିର୍ବାଚନ (୧୯୫୨)ରେ ଓଡ଼ିଶା ବିଧାନସଭା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ପରାଜିତ ହେବା ପରେ ଜୀବନର ଦ୍ଵିତୀୟ ପର୍ଯ୍ୟାୟରେ ‘ପାଠ ପଛେ ପଛେ ଅପାଠୁଆ’ ହେବା ପାଇଁ ନିଷ୍ପତି ଗ୍ରହଣ କରିଥିଲେ । ଜ୍ଞାନଯୋଗୀ ବିନୋଦ ମାତୃଭାଷାର ଉନ୍ନତି ପାଇଁ ସଦା ଚେଷ୍ଟିତ ଥିଲେ ଏବଂ ଜ୍ଞାନର ପ୍ରସାର ନିମନ୍ତେ ମାତୃଭାଷାକୁ ଏକ ବଳିଷ୍ଠ ମାଧ୍ୟମ ବୋଲି ମନେ କରି ଲେଖନୀ ଚାଳନାରେ ବ୍ରତୀ ହୋଇଥିଲେ । ଜ୍ଞାନବିଜ୍ଞାନର ଜଟିଳ ତଥ୍ୟ ଓ ତତ୍ତ୍ୱ ସମୂହକୁ ସେ ସରଳ ସାବଲୀଳ ଭାଷାରେ ନିଜସ୍ଵ ଶୈଳୀରେ ସମସ୍ତଙ୍କ ବୋଧଗମ୍ୟ ହେବା ଭଳି ଉପସ୍ଥାପନ କରିପାରିଥିଲେ । ଯଦିଓ ସେ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭବରେ ଲେଖନୀ ଚାଳନା କରି ସିଦ୍ଧି ପ୍ରାପ୍ତ ହୋଇଛନ୍ତି, ତଥାପି ଓଡ଼ିଆରେ ବିଶ୍ୱକୋଷ ଜ୍ଞାନମଣ୍ଡଳ ରଚନା କରି ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବା ସଙ୍ଗେ ସଙ୍ଗେ ପାଠକମହଲରେ ସବୁଠାରୁ ଶ୍ରଦ୍ଧାଶୀଳ ସ୍ରଷ୍ଟା ଭାବରେ ସୁଖ୍ୟାତି ଅର୍ଜନ କରିପାରିଛନ୍ତି । ବିନୋଦଙ୍କ ସାର୍ଥକ ସାରସ୍ଵତ ସାଧନା ତାଙ୍କର ପ୍ରଜ୍ଞାପୂର୍ଣ୍ଣପ୍ରତିଭା, ଜ୍ଞାନ ବିଜ୍ଞାନ ପିପାସା ସ୍ଵଭାବସିଦ୍ଧ ସୌଜନ୍ୟ ତାଙ୍କୁ ଏ କ୍ଷେତ୍ରରେ ଯେଉଁ ଯଶ ପ୍ରଦାନ କରିଛି, ତାହା ଖୁବ୍‌ କମ୍‌ ଲେଖକଙ୍କ ଭାଗ୍ୟରେ ଜୁଟିଛି ।

 

ସ୍ୱାଧୀନତା ଆନ୍ଦୋଳନ କାଳରେ ପ୍ରେରଣା ଲାଭ କରିଥିବା ଏହି ଗାନ୍ଧୀବାଦୀ ଲେଖକ ୧୯୫୨ ମସିହାରେ ଓଡ଼ିଆ ବିଶ୍ୱକୋଷ ଜ୍ଞାନମଣ୍ଡଳର ପରିକଳ୍ପନା କରିଥିଲେ । ପର୍ଯ୍ୟାୟକ୍ରମେ ପରବର୍ତ୍ତୀ କାଳରେ ‘ଅ’ଠାରୁ ‘ଜ’ ପର୍ଯ୍ୟନ୍ତ ୪୦ଟି ଖଣ୍ଡରେ ତାହା ପ୍ରକାଶିତ ହୋଇଥିଲା । ଜ୍ଞାନମଣ୍ଡଳ ପ୍ରକାଶ ପାଇବା ପରେ ପରେ ବିନୋଦ ଜ୍ଞାନତପସ୍ଵୀ ଭାବରେ ଓଡ଼ିଆ ସାହିତ୍ୟରେ ଏକ ସ୍ଵତନ୍ତ୍ର ଅଧ୍ୟାୟର ଅୟମାରମ୍ଭ କରିଥିଲେ । ଏଥିରେ ବିଜ୍ଞାନ, ସାମାଜିକ ବିଜ୍ଞାନ, ଜୀବିକା, ଭୂଗୋଳ ଆଦି ଅନେକ ବିଷୟରେ ବିସ୍ତୃତ ତଥ୍ୟ ସହ ଆବଶ୍ୟକସ୍ଥଳେ ଚିତ୍ର ମଧ୍ୟ ସଂଯୋଜିତ ହୋଇଥିଲା । ଜ୍ଞାନମଣ୍ଡଳରେ ବିଷୟବସ୍ତୁର ଉପସ୍ଥାପନା ଶୈଳୀ, ସାବଲୀଳା ଭାଷା ପ୍ରୟୋଗ, ଭାବର ସାନ୍ଧ୍ରତା ଓ ସୁନ୍ଦର ପରିପାଟୀ ପାଇଁ ଏହି ଗ୍ରନ୍ଥ ନିଜର ସ୍ୱତନ୍ତ୍ରତା ଦାବି କରେ । ଜ୍ଞାନର ପରିପ୍ରସାର ନିମନ୍ତେ ବିନୋଦ ଏତେ ଯତ୍ନଶୀଳ ଥିଲେ ଯେ ସାଧାରଣ ପାଠକଠାରୁ ଆରମ୍ଭ କରି ଅଧ୍ୟାପକମାନଙ୍କ ପର୍ଯ୍ୟନ୍ତ ତଥା ଗବେଷକମାନଙ୍କର ବୋଧଗମ୍ୟ ହେବାଭଳି ଅତି ଜଟିଳ ଶବ୍ଦକୁ ଖୁବ୍‌ ସରଳରେ ସେ ଉପସ୍ଥାପନା କରିପାରୁଥିଲେ । ଓଡ଼ିଆ ବିଶ୍ୱକୋଷ ଜ୍ଞାନମଣ୍ଡଳ ଓଡ଼ିଆ ଭାଷା ଓ ସାହିତ୍ୟର ଏକ ଅକ୍ଷୟକୃତି ଯାହା କାଳେ । କାଳେ ପ୍ରଜ୍ଞାପୁରୁଷ ବିନୋଦଙ୍କୁ ଅମର କରି ରଖିବା ସଙ୍ଗେ ସଙ୍ଗେ ଏହି ଗ୍ରନ୍ଥକୁ କାଳଜୟୀ କରିପାରିଛି । ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଓଡ଼ିଆ ଭାଷାକୋଷ ପରେ ବିନୋଦ କାନୁନଗୋଙ୍କ ଜ୍ଞାନମଣ୍ଡଳ ଓଡ଼ିଆ ସାହିତ୍ୟର ଅନ୍ୟ ଏକ ଜାଜୁଲ୍ୟମାନ କିର୍ତ୍ତୀସ୍ତମ୍ଭ ଯାହା କାଳେ କାଳେ ଆମ ସାହିତ୍ୟକୁ ଭାସ୍ଵର କରୁଥିବ ।

 

ଓଡ଼ିଆ ବିଶ୍ଵକୋଷ ଜ୍ଞାନମଣ୍ଡଳ ପରେ ବିନୋଦ କାନୁନ ଗୋଙ୍କୁ ଓଡ଼ିଆ ଶିଶୁ ସାହିତ୍ୟରେ ଜଣେ ପ୍ରଥିତଯଶା ସାଧକ ଭାବରେ ଗ୍ରହଣ କରାଯାଏ । ଶିଶୁମାନଙ୍କ ପାଇଁ ସରଳ ତରଳ ଭାଷାରେ ସେ ଅନେକ ମୌଳିକ ସାହିତ୍ୟ ସୃଷ୍ଟି କରି ଏ ଦିଗରେ ଦୃଷ୍ଟାନ୍ତ ହୋଇ ରହିଛନ୍ତି । ସେହି କ୍ରମରେ ଅକ୍ଷର ଚିହ୍ନି ପାରୁଥିବା ସାଧାରଣ ପାଠକଟିଏ ବୁଝିପାରିବା ଭଳି ଅତି ସରଳ ଭାଷାରେ ସେ ଲେଖନୀ ଚାଳନା ନିମନ୍ତେ ଦୃଢ଼ଅଟଳ ଥିଲେ । ଓଡ଼ିଆ ଶିଶୁ ସାହିତ୍ୟକୁ ଜ୍ଞାନବିଜ୍ଞାନରେ ସମୃଦ୍ଧ କରି ଆମ ଜାତିର ଭବିଷ୍ୟତ ଶିଶୁମାନଙ୍କ ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସେ ଶିଶୁ ସାହିତ୍ୟ ରଚନାରେ ଦୀର୍ଘକାଳ ଧରି ନିଜକୁ ଉତ୍ସର୍ଗ କରିଥିଲେ । ଓଡ଼ିଆ ଶିଶୁ ସାହିତ୍ୟକୁ ବିନୋଦ କାନୁନ୍‍ଗୋଙ୍କ ଅବଦାନ ଅତୁଳନୀୟ ଓ ତାଙ୍କ ଦ୍ୱାରା ରାଶି ରାଶି ଶିଶୁ ସାହିତ୍ୟ ସୃଷ୍ଟି ହୋଇ ଏହି ବିଭାଗକୁ ବହୁଳ ଭାବରେ ପରିପୃଷ୍ଟ କରିପାରିଛି ।

 

ଆଧୁନିକ ଓଡ଼ିଆ ସାହିତ୍ୟର ଏହି ପ୍ରଥିତଯଶା ଗାନ୍ଧୀବାଦୀ ସାରସ୍ୱତ ସାଧକଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀର ଅନ୍ୟାନ୍ୟ ସାରସ୍ଵତ କାର୍ଯ୍ୟକ୍ରମମାନଙ୍କ ସହିତ ତ୍ରୈମାସିକ ସାହିତ୍ୟପତ୍ର ‘କୋଣାର୍କ’ର ଏକ ସ୍ଵତନ୍ତ୍ର ସଂଖ୍ୟା ପ୍ରକାଶ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଯାହା ଓଡ଼ିଆ ପାଠକମାନଙ୍କୁ ବିନୋଦଙ୍କ ସମ୍ପର୍କରେ ଅନେକ ଅଜ୍ଞାତ ତଥ୍ୟ ପରିବେଷଣ କରିପାରିବ । ଇତ୍ୟବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପଦ୍ମଶ୍ରୀ ବିନୋଦ କାନୁନ୍‍ଗୋଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିବା ସଙ୍ଗେ ସଙ୍ଗେ ନିଜର ସାରସ୍ୱତ ଦାୟିତ୍ୱ ନିର୍ବାହ କରି ନିଜକୁ ଅତ୍ୟନ୍ତ ଗୌରବଶାଳୀ ମନେ କରୁଛି । ଓଡ଼ିଆ ଭାଷା ଓ ସାହିତ୍ୟ ଜଗତର ଯେଉଁ ପ୍ରତିଭାବାନ ଲେଖକ ପ୍ରଥିତଯଶା ଗବେଷକ ଓ ସୁନାମଧନ୍ୟ ବିଦ୍ୱାନ୍‌ମାନେ ସେମାନଙ୍କର ଆଲେଖ୍ୟ ଦ୍ୱାରା ଏହି ବିଶେଷ ସଂଖ୍ୟାଟିକୁ ସମୃଦ୍ଧ କରିଛନ୍ତି ସେମାନଙ୍କ ନିକଟରେ ଏକାଡେମୀ ଆନ୍ତରିକ କୃତଜ୍ଞତା ପ୍ରକାଶ କରୁଅଛି ।

 

ଗିରି ଦଣ୍ଡସେନା

ଉପସଭାପତି,

ଓଡ଼ିଶା ସାହିତ୍ୟ ଏକାଡେମୀ

 

ବିନୋଦବାବୁଙ୍କ ମୃତ୍ୟୁ କାହିଁ ?

ଅନ୍ନପୂର୍ଣ୍ଣା ମହାରଣା

 

୧୯୩୦ ମସିହାର ଲବଣ-ସତ୍ୟାଗ୍ରହ ଯୁଗ । କାଠଯୋଡ଼ି କୂଳ ଚୌଧୁରୀ କୋଠିରେ ସତ୍ୟାଗ୍ରହ ଶିବିର ହୋଇଥାଏ । ଓଡ଼ିଶାର ଚାରିଆଡ଼ୁ ସତ୍ୟାଗ୍ରହୀମାନେ ଆସି ରୁଣ୍ଡ ହେଉଥା’ନ୍ତି । ପାଠୁଆ, ଅପାଠୁଆ, ପିଲା ବୁଢ଼ା, ଶିକ୍ଷକ ଛାତ୍ରଙ୍କର ଗୋଟାଏ ମିଳିତ ଆଖଡ଼ା । ଉଣେଇଶ ଶହ ତିରିଶ ମସିହା ଅପ୍ରେଲ ଦଶ ତାରିଖ ଦିନ ରେଭେନ୍‌ସା କଲିଜିଏଟ୍‌ ସ୍କୁଲର ଜଣେ ଛାତ୍ର ସେହି ଆଖଡ଼ାକୁ ଆସିଲେ । ତାଙ୍କ ମାମୁଁ କଟକରେ ଜଣାଶୁଣା ଅଧ୍ୟାପକ । ଭଣଜା ଆଖଡ଼ାରେ ପଶିଛି ଶୁଣି ତାଙ୍କୁ ଧରି ନେଇ ଘରେ ଅଟକ କରି ରଖିଲେ । ଭଣଜା ନଛୋଡ଼ବନ୍ଦା । ଅନ୍ନଜଳ ନ ଛୁଇଁ ସେ ଏକାଜିଦ ଧରି ବସିଲେ-ଆଖଡ଼ାକୁ ଫେରିଯିବେ । ଆଖର ଭଣଜା ଜିତିଲେ ।

 

ରମାଦେବୀ ଥିଲେ ସେ ଆଖଡ଼ାର ଅନ୍ୟତମ ମୁରବୀ । ସେ ସେହି ଛାତ୍ରଙ୍କୁ ନିମଚଉଡ଼ି ଛକ ‘ସମାଜ’ ଆଖଡ଼ାକୁ ନେଇ ଯାଇ ପୂଜ୍ୟପାଦ ରାଧାନାଥବାବୁଙ୍କ ନିକଟରେ ପହଞ୍ଚାଇ ତାଙ୍କୁ କହିଲେ- ଏ ପିଲାଟି ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଭଣଜା ବିନୋଦ । ପାଠପଢ଼ା ଛାଡ଼ି ସତ୍ୟାଗ୍ରହରେ ଯୋଗ ଦେଇଛି । ୟା କଥା ଆପଣଙ୍କୁ ଲାଗିଲା । ଦୁଃଖିନୀ ମାଆର ଏକୋଇରବଳା ବିଶିକେଶନ ବିନୋଦ କାନୁନଗୋ ସତ୍ୟାଗ୍ରହ ଶିବିରରେ ରହିଲେ । ମାତ୍ର କଇଁଛ ଦୂରରେ ଥାଇ ତା ଅଣ୍ଡା ସାଉଁଟିଲା ପରି ପୂଜ୍ୟ ରାଧାନାଥବାବୁଙ୍କ ନଜର ତାଙ୍କ ଉପରେ ପଡ଼ିଲା ।

 

ସେଇଟା ସଭା ଶୋଭାଯାତ୍ରାର ମୌସମ୍‌ । ପ୍ରାୟ ପ୍ରତିଦିନ ନଈବାଲିରେ ସଭା ହେଉଥାଏ । ଆଜି ସରଳା ଦେବୀ ଗିରଫ ହେଲେ, ସଭା ହେବ । ଆଜି ସାର୍‌ ସାମୁଏଲ ହୋର୍‌ଙ୍କ ବକ୍ରୋକ୍ତିର ଜବାବ୍‌ ଦେବାକୁ ହେବ, ସଭା ହେବ । ଆଜି ‘ସ୍ୱଚ୍ଛଦର୍ପଣ’ରେ ଇଂରେଜ ସ୍ତୁତି ବାହାରିଛି, ତାକୁ କାଟିଦେବାକୁ ସଭା ହେବ । ଏହିପରି ସଭା ଶୋଭାଯାତ୍ରାର ମୌସମରେ ଲୋକଙ୍କ ମନକୁ ଛୁଇଁଲା ପରି ବକ୍ତୃତା ଲୋଡ଼ା । ପ୍ରଖ୍ୟାତ ବକ୍ତା ରାଜକୃଷ୍ଣ ବୋଷ, ଯଦୁମଣି ମଙ୍ଗରାଜ ପ୍ରମୁଖ ତ ବନ୍ଦୀଶାଳାରେ, ଉପାୟ ? ପୂଜ୍ୟ ରାଧାନାଥ ରଥ ବକ୍ତୃତାର ବିଷୟବସ୍ତୁ ଡାକିବେ, ବିନୋଦ କାନୁନ୍‍ଗୋ ଲେଖିବେ । ସଭାରେ ତାକୁ ବାଗେଇକରି ବକ୍ତୃତା ଦେବେ ବିନୋଦ କାନୁନ୍‍ଗୋ । ଗୋଟିଏ କିଶୋର ବାଳକ ମୁହଁରୁ ସେ ତଥ୍ୟପୂର୍ଣ୍ଣ ଯୁକ୍ତିଯୁକ୍ତ ବକ୍ତୃତା ଶୁଣି ଶ୍ରୋତା ଭାବବିହ୍ୱଳ ହୋଇ ଯାଇଥିଲେ । ଏହିପରି ଭାବରେ ଏ ପଟେ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି, ସେ ପଟେ ପୂଜ୍ୟ ରାଧାନାଥବାବୁ-ଦୁଇଟି ଇଞ୍ଜିନ୍‌ ସଂଯୋଗରେ ବିନୋଦବାବୁଙ୍କ ଭାଷାଜ୍ଞାନ ଦୋରସ୍ତ ହୋଇଗଲା । ପୁଣି ଆମ ଓଡ଼ିଆରେ ଯାହାକୁ କହନ୍ତି ‘ଖୁରୀ ଖାଇବା’ ସେହି ଖୁରୀଖିଆ, ନକଲିଆ ଗୁଣଟି ବିନୋଦବାବୁଙ୍କଠାରେ ଷୋଳଅଣା ଥିବାରୁ ଓଡ଼ିଆ ଭାଷାକୁ ସେ ତାଙ୍କ ନିଜସ୍ଵ ଶୈଳୀ ଦ୍ଵାରା ସମୃଦ୍ଧ କଲେ ।

 

୧୯୩୦ରେ ବିନୋଦବାବୁ ପାଟନା କ୍ୟାମ୍ପ ଜେଲରେ ରହିଲେ । ସେଠାରେ ବିଭିନ୍ନ ପ୍ରଦେଶର ବ୍ୟକ୍ତିତ୍ୱ ସମ୍ପନ୍ନ ବନ୍ଦୀଙ୍କ ସହିତ ଘନିଷ୍ଠ ସମ୍ପର୍କରେ ଆସିବା ଫଳରେ ବିନୋଦବାବୁ ନିଜର ସ୍ଵଧର୍ମକୁ କଳି ପାରିଲେ । ୧୯୩୦, ୩୨, ୪୨ ସେ ଯେତେଥର ବନ୍ଦୀ ହୋଇଛନ୍ତି, ଡାକ୍ତର, କବିରାଜ, ଅର୍ଥଶାସ୍ତ୍ରୀଙ୍କ ସାହଚର୍ଯ୍ୟରେ ପ୍ରଭୂତ ଜ୍ଞାନ ଅର୍ଜନ କରିଛନ୍ତି । ତାଙ୍କର ସହବନ୍ଦୀ ସଚ୍ଚିଦାନନ୍ଦ ମହାନ୍ତି, ନିତ୍ୟାନନ୍ଦ ମହାପାତ୍ର, ଶରତ ଚନ୍ଦ୍ର ମହାରଣା ପ୍ରମୁଖ ହେଉଛନ୍ତି ସେ ଜ୍ଞାନ-ସାଧନାର ପ୍ରତ୍ୟକ୍ଷଦର୍ଶୀ ।

 

୧୯୩୪ରେ ମହାତ୍ମା ଗାନ୍ଧୀ ପୁରୀଠାରୁ ଭଦ୍ରକ ପର୍ଯ୍ୟନ୍ତ ପଦଯାତ୍ରା କଲେ । ବିନୋଦ କାନୁନ୍‌ଗୋ ଓ ମନମୋହନ ଚୌଧୁରୀ ଯୋଡ଼ି ବଳଦ ପରି ସେ ପଦଯାତ୍ରାରେ ରହିଲେ । ବିନୋଦବାବୁ ହୋଇଥା’ନ୍ତି ‘ସମାଜ’ର ସମ୍ବାଦଦାତା, ମନମୋହନ ଚୌଧୁରୀ ଗାନ୍ଧିଜୀଙ୍କ ବକ୍ତୃତା ଟିପିବାକୁ ଷ୍ଟେନୋଗ୍ରାଫର ଓ ଫଟୋଗ୍ରାଫର । ପ୍ରତିଦିନ ପଦଯାତ୍ରାରେ ଘଟୁଥିବା ଘଟଣାର ସରସ ବର୍ଣ୍ଣନା ‘ସମାଜ’କୁ ପଠେଇ ପଠେଇ ବିନୋଦବାବୁ ଜଣେ ଦକ୍ଷ ସାମ୍ବାଦିକ ପାଲଟିଗଲେ ।

 

ପଦଯାତ୍ରା ସରିଲା । ସେତେବେଳକୁ ସ୍ଵାଧୀନତା-ଆନ୍ଦୋଳନ ଧିମେଇ ଆସିଥାଏ । ଆନ୍ଦୋଳନକାରୀଙ୍କ ମନରେ ନାନା ଚିନ୍ତା ଦେଖା ଦେଇଥାଏ । ଗାନ୍ଧିଜୀ ଭଦ୍ରକରେ ସେମାନଙ୍କୁ କହିଲେ- ତମେ ସବୁ ଗ୍ରାମାଞ୍ଚଳକୁ ଚାଲିଯାଅ । କେହି ଜଣେ ପଚାରିଲେ- ଗାଁରେ ଆମେ କ’ଣ କରିବୁ ? ଜବାବରେ ଗାନ୍ଧିଜୀ ଗୋଟିଏ କାହାଣୀ ଶୁଣେଇଲେ-

 

‘‘ବଣରେ ପଲେ ମେଣ୍ଢା ଥିଲେ । ସିଂହ ମଧ୍ୟ ଥିଲେ । ଦିନେ ଗୋଟିଏ ପୂର୍ଣ୍ଣଗର୍ଭା ସିଂହୀ ମେଣ୍ଢା ଶିକାର କରିବାକୁ ମେଣ୍ଢାପଲ ଉପରକୁ କୁଦା ମାରିଲାବେଳେ ଗୋଟିଏ ସନ୍ତାନ ପ୍ରସବ କରି ପକାଇଲା । ସିଂହୀ ତ ମେଣ୍ଟାଟିଏ ଧରି ନେଇଗଲା । ତା ଛୁଆଟି ମେଣ୍ଢାପଲରେ ରହିଗଲା । ମେଣ୍ଢାଙ୍କ ସାଙ୍ଗରେ ରହି ସେ ମେଣ୍ଢା-ଚଳଣି ଶିଖିଲା । ବିଲୁଆଟାଏ ହେଟାଟାଏ ଦେଖିଲେ ସେ ମେଣ୍ଢାଙ୍କ ପରି ଛାନିଆ ହେଲା । ଦିନେ ଆଉ ଗୋଟାଏ ସିଂହ ସେହି ମେଣ୍ଢାପଲକୁ ଆକ୍ରମଣ କଲାବେଳେ ଦେଖିଲା ଯେ ସିଂହଛୁଆଟାଏ ତାକୁ ଦେଖି ମେଣ୍ଢାପଲ ସାଙ୍ଗରେ ପଳଉଛି । ସେ ଆଶ୍ଚର୍ଯ୍ୟାନ୍ତିତ ହୋଇ ମେଣ୍ଢା ଶିକାର ଛାଡ଼ି ସେ ସିଂହଛୁଆର କାନକୁ କାମୁଡ଼ି ଧରି ତାକୁ ଗୋଟାଏ ଝରଣା ପାଖକୁ ନେଇଗଲା । ସେଠାରେ ସେ ପାଣିରେ ଦୁହିଁଙ୍କ ପ୍ରତିବିମ୍ବ ଦେଖାଇ କହିଲା- ଦେଖ-! ତୁ ଯେଉଁ ସିଂହ ମୁଁ ସେଇ ସିଂହ । ସିଂହ ଛୁଆଟି ମେଣ୍ଢାପଲକୁ ନ ଫେରି ସିଂହ ସାଙ୍ଗରେ ଚାଲିଗଲା । ଗପଟି କହିସାରି ଗାନ୍ଧିଜୀ କହିଲେ- ଭାରତବାସୀ ହେଉଛନ୍ତି ସିଂହ । ସେମାନେ ମେଣ୍ଢାପରି ଆଚରଣ କରୁଛନ୍ତି । ତୁମେ ତାଙ୍କ ମଧ୍ୟରେ ରହି ସିଂହ ପରି ଆଚରଣ କରି ତାଙ୍କ ଭିତରେ ଶୋଇ ପଡ଼ିଥିବା ସିଂହଙ୍କ ନିଦ ଭଙ୍ଗାଇବ ।

 

ଅନେକ କର୍ମୀ ଗ୍ରାମାଞ୍ଚଳକୁ ଚାଲିଗଲେ । ବିନୋଦବାବୁ ମଧ୍ୟ ପୁସ୍ତକରେ ଜ୍ଞାନାର୍ଜନର ମୋହ ଛାଡ଼ି ଅନୁଭବ ଲବ୍‍ଧ ଜ୍ଞାନ ହାସଲ କରିବାକୁ ବରୀ ଅଞ୍ଚଳକୁ ଗଲେ । ସେଠାରେ ସେ ସୁପ୍ତସିଂହଙ୍କ ନିଦ ଭଙ୍ଗେଇବାକୁ ତାଙ୍କ ସାଙ୍ଗରେ ମିଶି ବାଲିଆପାଳ ହାଟରୁ ପରିବା ଭାର କାନ୍ଧେଇ କରି ଆଣିଲେ, ଗାଁ ସଡ଼କ ଦୁଇପଟର ମଳମୂତ୍ର ସଫା କଲେ, କ୍ଷେତରା ବୋଉର ଧର୍ମପୁଅ ହୋଇ କ୍ଷେତ୍ରବାସୀ ଜେନା ଘରେ ଖିଆପିଆ କଲେ । ନୈଶ ବିଦ୍ୟାଳୟରେ ନିରକ୍ଷର ବିଲମୂଲିଆ ବୁଝି ପାରିବା ଭଳି ଭାଷାରେ ଅର୍ଥନୀତି, ରାଜନୀତି, ଗାନ୍ଧିନୀତିର ସରଳତମ ବ୍ୟାଖ୍ୟା କଲେ । ଫଳ ଫଳିଲା । କାଶୀ, ଅକୁର, ରାଧୁ, ବଛି, ବଇଁଶୀ-କେତେ ପିଲା ‘ଭାରତ ଛାଡ଼’ ଆନ୍ଦୋଳନରେ ଝାସ ଦେଲେ ।
 

୧୯୪୪ରେ କାରାମୁକ୍ତ ହେବା ପରେ ଗାନ୍ଧିଜୀ କର୍ମୀମାନଙ୍କୁ କହିଲେ ସ୍ଵରାଜ୍ୟ ଅତିଶୀଘ୍ର ଆସୁଛି, କିନ୍ତୁ ତାହା ମୋ ପରିକଳ୍ପିତ ସ୍ଵରାଜ୍ୟ ନୁହେଁ । ସେଥିପାଇଁ ସ୍ଵରାଜ୍ୟ ପରେ ଯେତେବେଳେ ଧନୀକ ଗୋଷ୍ଠୀ, ସୈନ୍ୟବଳ ଓ ଶାସକମାନେ ଏକଯୁଟ ହୋଇ ଜନସାଧାରଣଙ୍କୁ ପେଶିବେ ସେତେବେଳେ ତାହାର ମୁକାବିଲା କରିବା ପାଇଁ ଜନସାଧାରଣଙ୍କୁ ଅହିଂସାତ୍ମକ ଉପାୟରେ ପ୍ରସ୍ତୁତ କରାଇବା ନିମନ୍ତେ ମୋର ସାତଲକ୍ଷ ଗାଁରେ ସାତଲକ୍ଷ ଯୁବକ ଲୋଡ଼ା । ବିନୋଦବାବୁ ମଲ୍ଲୀପୁରରେ ରହି ଗ୍ରାମସଙ୍ଗଠନରେ ଲାଗିଲେ, ଗ୍ରାମସେବକ ପତ୍ରିକାର ସମ୍ପାଦକ ହେଲେ ।

 

‘ଗୀତା’ କହୁଛନ୍ତି-

‘ସର୍ବଂ’ କର୍ମାଖିଳଂ ପାର୍ଥ

ଜ୍ଞାନେ ପରିସମାପ୍ୟତେ’ ।

 

ତଦନୁସାରେ ଶେଷକୁ ସୃଷ୍ଟି ହେଲା ଜ୍ଞାନମଣ୍ଡଳ । ଜ୍ଞାନ କ’ଣ କି ? ଆତ୍ମା ଅମର ଏବଂ ସମସ୍ତଙ୍କ ମଧ୍ୟରେ ଏକ ଆତ୍ମା ରହିଛି ଏୟା ତ ! ସର୍ବଭୂତର କଲ୍ୟାଣ ପାଇଁ ବିନୋଦବାବୁ ‘ଜ୍ଞାନମଣ୍ଡଳ’ ରଚନା କଲେ । ଆତ୍ମା ତ ଅମର । ବିନୋଦବାବୁଙ୍କର ମୃତ୍ୟୁ କାହିଁ ? ଜ୍ଞାନମଣ୍ଡଳ ମାଧ୍ୟମରେ ସେ ଓଡ଼ିଶାବାସୀଙ୍କ ମଧ୍ୟରେ ସଞ୍ଜୀବିତ ।

 

‘‘ତତ୍ର କଃ ମୋହଃ କଃ ଶୋକଃ

ଏକତଂ ଅନୁପଶ୍ୟତଃ ।’’

 

ବଖରାବାଦ, କଟକ-୨

 

***

 

ଜ୍ଞାନମଣ୍ଡଳର ବିନୟୀ ସୂର୍ଯ୍ୟ

ସୀତାକାନ୍ତ ମହାପାତ୍ର

 

ଓଡ଼ିଶା ଏକ ମହାନ୍‌ ସୁପୁରୁଷଙ୍କ ଶତବାର୍ଷିକୀ ପାଳନ କରୁଛି ଏହା ଅତିଶୟ ଆନନ୍ଦର କଥା । ଏମିତି ନିଃସ୍ଵାର୍ଥପର, ଜ୍ଞାନପିପାସୁ, ଲୋକପ୍ରିୟ, ପରମ ଆଦରଣୀୟ ବ୍ୟକ୍ତି ଏବେ ଅତ୍ୟନ୍ତ ବିରଳ, ସେ ଯେଉଁ ପରମ୍ପରାର ଦାୟାଦ ଥିଲେ ସେ ପରମ୍ପରା ମଧ୍ୟ ଧୀରେ ଧୀରେ ମଉଳି ପଡ଼ୁଛି । ଉଚ୍ଚଶିକ୍ଷା, ଜ୍ଞାନ, ସାମାଜିକ ପ୍ରତିବଦ୍ଧତା ଏବେ ପ୍ରାୟ ମୂଲ୍ୟହୀନ ବୋଲି ବିବେଚିତ ହେବାକୁ ଲାଗିଲାଣି । ଶିକ୍ଷା ବିନା ଜାତି ଯେ ଗଢ଼ା ଯାଇପାରେନି ସେକଥା ସେ ଗାନ୍ଧିଜୀଙ୍କଠୁ ଶିକ୍ଷା କରିଥିଲେ ଏବଂ ସେଇ ଲକ୍ଷ୍ୟ ହାସଲ ପାଇଁ ସମଗ୍ର ଜୀବନ ସମର୍ପି ଦେଇଥିଲେ । ବାସ୍ତବରେ ‘ଋଣ ପରିଶୋଧ’ ପରି ଏତେ ମାର୍ମିକ ଜୀବନ ଗାଥା ମୁଁ କ୍ଵଚିତ ପଢ଼ିଛି । କାହାର ଋଣ ସେ ପରିଶୋଧ କରୁଥିଲେ ? ମାଆ ଉତ୍କଳ ଜନନୀଙ୍କର ସର୍ବାଙ୍ଗୀନ ସାମାଜିକ-ସାଂସ୍କୃତିକ ଉନ୍ନୟନ ପରିକଳ୍ପେ ସେ ଜୀବନରେ ଯାହା ଶିଖିଥିଲେ ତାହା ହିଁ ତାଙ୍କର ଋଣ । ଆର ବହିଟି ‘ପାଠ ପଛେ ପଛେ ଅପାଠୁଆ’ ଏତେ ସୁନ୍ଦର ଭାବରେ. ଆମର ତଥାକଥିତ ‘‘ପାଠୁଆ’’ ଓ ‘‘ଜ୍ଞାନୀ’’ଙ୍କ ବଡ଼ପଣିଆ ଓ ହାସ୍ୟାସ୍ପଦ ଗର୍ବ-ଗାରିମାକୁ ପାଠକଙ୍କ ପାଖରେ ଥୋଇଛନ୍ତି ଯେ ତା’ର ପଟାନ୍ତର ମୁଁ ଖୋଜି ପାଉନି । ତାଙ୍କ ସମର୍ପିତ ଜୀବନ, ବାସ୍ତବରେ ଓଡ଼ିଶାର ୭୦ ବର୍ଷର ବିରଳ ଇତିହାସ । ଏବେ ‘knownledge Society ଅର୍ଥାତ୍‌ ଜ୍ଞାନ-ଆଧାରିତ ସମାଜ କଥା କଥାକେ ତୁଣ୍ଡରେ ନିଆଯାଉଛି । କିନ୍ତୁ ସେ ଅଗାଧ ପରିଶ୍ରମ କରି, ଦିନରାତି ସେଇଥିରେ ବ୍ୟୟ କରିଥିଲେ । କୋଉ ଆଶାରେ ? ଯେ ଆଗାମୀ ପୀଢ଼ି, ଆସୁଥିବା ଭବିଷ୍ୟତରେ ଆମେ ପ୍ରକୃତରେ ଜ୍ଞାନ ଆହରଣ କରିବୁ । ଖାଲି ‘ବର୍ଣ୍ଣମାଳା’ ଶିଖି ଶିକ୍ଷିତ ହେବୁନି ।

 

ଏବେ ସ୍କୁଲ ଶିକ୍ଷାର ଅବକ୍ଷୟ କଥା ନ କହିଲେ ଭଲ । ୮ ବର୍ଷ କାଳ ମୁଁ ଶିକ୍ଷାବିଭାଗ ଦାୟିତ୍ୱରେ ଥିଲି (୧୯୮୧-୮୪) । ସେଥିପାଇଁ କିଛି ପରିମାଣରେ ଆପଣାକୁ ଦାୟୀ ମନେ କରୁଛି-। ଆଦିବାସୀ ଅଞ୍ଚଳରେ ଶିକ୍ଷାପ୍ରସାର ତ ସବୁଠୁ ହୁରୂହ କର୍ମ । ବ୍ୟକ୍ତିଗତ ଭାବେ ମୁଁ ବଣ୍ଡା, ଡଙ୍ଗରିଆ କନ୍ଧ ଓ ଜୁଆଙ୍ଗ ଏଇ ତିନିଟି ଆଦିବାସୀ ସମାଜର ତିନି ତିନୋଟି ଗାଁ ନେଇ ବହୁସମୟ ଦେଇ ଗବେଷଣା କରିଥିଲି । ଆଦିବାସୀ ପିଲେ କାହଁକି ସ୍କୁଲକୁ ଭଲ ପାଉନାହାଁନ୍ତି ଏବଂ ସ୍କୁଲକୁ ଗଲେ ବି ଖୁବ୍‌ ଶୀଘ୍ର ସ୍କୁଲ ଛାଡ଼ି ଦେଉଛନ୍ତି ଏ ବିଷୟ ଅନୁଧ୍ୟାନ କରିଥିଲି । ଅଧ୍ୟୟନ ପ୍ରସ୍ତୁତ ବହିଟିର ଶୀର୍ଷକ ହେଲା ‘‘Bringing Them to School-Primary Education among Tribal Children’’ । ବହିଟି ବେଶ୍‌ ଆଦୃତ ହୋଇଛି ସର୍ବଭାରତୀୟ ସ୍ତରରେ । ମୋର ଦୁଃଖ ବିନୋଦବାବୁ ଥାଆନ୍ତେ କି ସିଏ ଅନ୍ତତଃ ପଢ଼ି ଖୁସି ହୋଇଥାଆନ୍ତେ । ଯେଉଁ ମାର୍ଗର ସେ ପଥିକ ଥିଲେ ଆଉ ଜଣେ ତାଙ୍କ ପଛରେ ସେଇ ପଥରେ ପଥୁକି ଏତିକି ଜାଣିଛନ୍ତି ।

 

ଆଜି ମନେପଡୁଛି ତାଙ୍କ ଜ୍ଞାନମଣ୍ଡଳ କର୍ମଶାଳାରେ (ଅଫିସ୍‌ କହିବିନି) ମୋତେ ବୁଲେଇ ସବୁ କଥା କେମିତି ବ୍ୟକ୍ତିଗତ ଭାବେ ବୁଝେଇଥିଲେ; କେମିତି ୧୯୫୪ ଜାନୁୟାରୀରୁ ଓଡ଼ିଆ ଭାଷାରେ ସୁଖପାଠ୍ୟ ବିଶ୍ୱକୋଷ (ଏନ୍‌ସାଇକ୍ଳୋପିଡ଼ିଆ) ପାଇଁ ସବୁ ସମୟ ଦେଲେ । ମୁଁ ନିଜେ ୪ ପୀଢ଼ି ଶିକ୍ଷକତା କରିଥିବା ପରିବାରରୁ ଆସିଥିବାରୁ ଏଇ ଜ୍ଞାନପାଗଳ, ଶିକ୍ଷାପ୍ରେମୀ ‘‘ମାଟିବଂଶ ଅବଧାନ’’ଙ୍କର ପ୍ରତ୍ୟେକଟି ଯୋଜନା ମୋ ମନକୁ ଛୁଇଁଥିଲା । ମୁଁ ପ୍ରତିଶ୍ରୁତିବଦ୍ଧ ଥିଲି ମୋ ଦ୍ଵାରା ଯେତିକି ସମ୍ଭବ ନିଶ୍ଚୟ ସେତିକି କରିବି । ଜ୍ଞାନମଣ୍ଡଳରୁ ୪୦ ଖଣ୍ଡ ତିଆରି କରିଥିବା ଏହି ଆତ୍ମଜୀବନୀ ରଚୟିତାଙ୍କ ପାଇଁ ଏକାଡେମୀ ପୁରସ୍କାର, ପଦ୍ମଶ୍ରୀ କିଛି ନ ଥିଲା । ସେଇ ସମର୍ପିତ ଜୀବନ ଯେ କୌଣସି ଉପାଧି ଓ ପୁରସ୍କାରର ଉଦ୍ଧ୍ୱରେ ଥିଲା ଏବଂ କାଳକାଳକୁ ରହିବ ।

 

ଶ୍ରଦ୍ଧାସ୍ପଦ ପାବକ ପିତୃଋଣ ପରିଶୋଧ କରି ସେଇ କାମରେ ହିଁ ସବୁ ସମୟ ଦେଉଛନ୍ତି ଏତିକି ଜାଣି ମୁଁ ଆନନ୍ଦିତ । ‘‘ବାପମାଆଙ୍କ’’ କର୍ମରୁ ସନ୍ତାନମାନେ ସୁଖୀ ହୁଅନ୍ତି । ବିନୋଦବାବୁଙ୍କ ଶତବାର୍ଷିକୀ ପାଇଁ ମୋ ସକଳ ଶୁଭେଚ୍ଛା ସହ ପାବକଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି-

 

 

୨୧, ସତ୍ୟନଗର

ଭୁବନେଶ୍ୱର

 

***

 

ଜ୍ଞାନବିନୋଦୀ ବିନୋଦ କାନୁନ୍‌ଗୋ

ବ୍ରଜନାଥ ରଥ

 

ଆଜକୁ ପ୍ରାୟ ଅର୍ଦ୍ଧଶତାବ୍ଦୀ ବା ପାଞ୍ଚଟି ଦଶକ ତଳେ ମୁଁ ଯେଉଁ କର୍ମବୀର ଓ ଜ୍ଞାନବୀରଙ୍କୁ ପ୍ରଥମେ ଭେଟିଥିଲି ଏବଂ ତାଙ୍କ କଥାବାର୍ତ୍ତା, ଅମାୟିକ ଆଚରଣ ଓ ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ୱରେ ମୁଗ୍ଧ ହୋଇଥିଲି, ସେ ଏବେ ସଶରୀରେ ଜୀବିତ ଥିଲେ ‘ଶତାବ୍ଦୀ ପୁରୁଷ’ ବୋଲାଇଥାନ୍ତେ । କିନ୍ତୁ ଆଜି ତାଙ୍କ ଅବର୍ତ୍ତମାନରେ ବି ପାଳିତ ହେଉଛି ତାଙ୍କ ପୁଣ୍ୟ ସ୍ମୃତିରେ ଜନ୍ମଶତବାର୍ଷିକୀ ଉତ୍ସବ । ଆମ ସମାଜରେ ଅଧିକାଂଶ ଲୋକ ସେ ଯାହା ନୁହଁନ୍ତି ତାହା ଦେଖେଇ ହବାକୁ ଚାହାଁନ୍ତି । ଜ୍ଞାନୀ ନ ହୋଇ ବି ମହାଜ୍ଞାନୀ ବୋଲନ୍ତି । ପାଠ ନ ଥାଇବି ପାଠୁଆର ଅଭିନୟ କରନ୍ତି । କିନ୍ତୁ ଜଣେ ଲୋକ ନିଜକୁ ଅପାଠୁଆ ବୋଲି ଦମ୍ଭର ସହିତ କହିବାକୁ କେବେ କୁଣ୍ଢା ବା ଦ୍ୱିଧା କରି ନ ଥିଲା । ସେ ତଥାକଥିତ ଅପାଠୁଆ ହୋଇବି ଏ ଜାତିକୁ ପାଠୁଆ କରିବାକୁ ମନରେ ଆଶାବାନ୍ଧି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଦ୍ୟମ କରିଥିଲା । ଯାହାର ଫଳଶ୍ରୁତି ସ୍ଵରୂପ ଏ ଜାତି ପାଇପାରିଲା ‘ଜ୍ଞାନମଣ୍ଡଳ’ ପରି ଏନ୍‍ସାଇକ୍ଳୋପେଡ଼ିଆ ଓ ଜ୍ଞାନ-ବିଜ୍ଞାନର ଶତାଧିକ ପୁସ୍ତକ । ଯାହାଙ୍କ ବିଷୟରେ ମୁଁ କହିବାକୁ ଯାଉଛି, ସେ ହେଉଛନ୍ତି ‘ଅପାଠୁଆ’ - ପ୍ରଜ୍ଞାପୁରୁଷ, ଜ୍ଞାନ ଶିରୋମଣି ବିନୋଦ କାନୁନ୍‌ଗୋ ।

 

୧୯୫୯-୬୦ ମସିହାରେ ମୁଁ ପ୍ରଥମେ ଯେତେବେଳେ ତାଙ୍କୁ ଭେଟେ ସେତେବେଳେ ସେ ପ୍ରତ୍ୟକ୍ଷ ରାଜନୀତିରୁ ବିଦାୟ ନେଇ କଟକର ନିମଚୌଡ଼ି ଛକ ପାଖରେ ଏକ ପୁରୁଣା କୋଠାଘରେ ରହୁଥାନ୍ତି । ଦିନେ ମୁଁ କବିବନ୍ଧୁ ରବି ସିଂଙ୍କ ସହ ଯାଉଁ ଯାଉଁ ସେ ମୋତେ ଡାକିନେଇଗଲେ ତାଙ୍କ ପାଖକୁ ଏବଂ ପରିଚୟ କରାଇଦେଲେ । ଆଗରୁ ମୁଁ ତାଙ୍କ ନାମ ଶୁଣିଥିଲି, କିନ୍ତୁ ପରିଚୟ ନ ଥିଲା । ପ୍ରଥମ ପରିଚୟରେ ମୁଁ ତାଙ୍କର ନିରାଡ଼ମ୍ବର ବେଶଭୂଷା, ପ୍ରଜ୍ଞାଦୀପ୍ତ ଚେହେରା, ଆତ୍ମୀୟତାପୂର୍ଣ୍ଣ ଆଳାପ ଆଲୋଚନା ଏବଂ ସାଧୁଜନୋଚିତ ବ୍ୟକ୍ତିତ୍ୱରେ ମୁଗ୍ଧ ହୋଇଥିଲି । ସେତେବେଳକୁ ‘ଜ୍ଞାନମଣ୍ଡଳ’ର ପ୍ରଥମ ଖଣ୍ଡର କାମ ଚାଲିଥାଏ । ସେ ତାଙ୍କ ଯୋଜନା ସମ୍ପର୍କରେ ଆମକୁ କହିଲେ । ମୁଁ ବସି ଶୁଣୁଥାଏ । ହାତରେ ଅର୍ଥ ନାହିଁ, ଜନବଳ ବି ନାହିଁ- ଅଥଚ ଏକାକୀ ଏତେବଡ଼ ପରିଯୋଜନାକୁ ସେ କିପରି ସଫଳ କରିପାରିବେ ମୁଁ ତାହା ହିଁ ଭାବୁଥାଏ । ବିଶ୍ଵାସ କରି ପାରୁ ନ ଥାଏ, ଏ ଖର୍ବକାୟ ଲୋକଟି ଏଭଳି ଉତ୍ତୁଙ୍ଗ ଶିଖରକୁ ଲଙ୍ଘିବ କିପରି ? କିନ୍ତୁ ଲକ୍ଷ୍ୟ କରୁଥାଏ ତାଙ୍କ ମନରେ ଅସମ୍ଭବ ବଳ, ହୃଦରେ ଗଭୀର ଆତ୍ମବିଶ୍ୱାସ । ସେତେବେଳକୁ ‘‘ଓଡ଼ିଆ ଜ୍ଞାନକୋଷ’’ ସଂକଳନ ପାଇଁ କାମ ଆରମ୍ଭ ହୋଇଯାଇଥାଏ । ଉତ୍କଳ ବିଶ୍ଵବିଦ୍ୟାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ଅର୍ଥ ଅନୁଦାନରେ ଏହାର କେତୋଟି ଖଣ୍ଡ ପ୍ରକାଶ ପାଇଁ ବିଶେଷଜ୍ଞ କମିଟିମାନ ଗଢ଼ାଯାଇ ସଂପାଦନା କାମ ଚାଲିଥାଏ । ତା’ର ମୁଖ୍ୟ ସଂକଳକ ଥାନ୍ତି ଡକ୍ଟର ମାୟାଧର ମାନସିଂ । ଗୋଟିଏ ଦିଗରେ ସରକାରୀ ଅର୍ଥ ପରିପୁଷ୍ଟ ଓ ବିଦ୍ୱାନ ବ୍ୟକ୍ତିଙ୍କର ସମୂହ ପ୍ରଚେଷ୍ଟାରେ ‘ଜ୍ଞାନକୋଷ’ ଏବଂ ଅପର ଦିଗରେ ଅର୍ଥଶୂନ୍ୟ ଜଣେ ‘ଅପାଠୁଆ’ ବ୍ୟକ୍ତିର ଏକକ ଉଦ୍ୟମରେ ‘ଜ୍ଞାନମଣ୍ଡଳ’ ପ୍ରକାଶରେ ଯେଉଁ ପ୍ରତିଯୋଗିତା ସେହି ୧୯୫୮-୬୦ ମସିହାରେ ଚାଲିଥିଲା, ତାହା ମୋତେ କେବଳ ନୁହେଁ, ବହୁ ବ୍ୟକ୍ତିଙ୍କୁ ମଧ୍ୟ ଚକିତ କରିଥିଲା । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ମାତ୍ର ଚାରିଖଣ୍ଡରେ ‘ସଂକ୍ଷିପ୍ତ ଜ୍ଞାନକୋଷ’ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୯୬୫ ମସିହା ସୁଦ୍ଧା ପ୍ରକାଶ ପାଇ ଏହି ବିରାଟ ଯୋଜନାର ପରିସମାପ୍ତି ଘଟିଥିଲା । ସଂପୂର୍ଣ୍ଣ ଭାବରେ ‘ବୃହତ୍‍ ଜ୍ଞାନକୋଷ’ ପ୍ରକାଶ ପାଇପାରିଲା ନାହିଁ । ସେହି ବିରାଟ ଯୋଜନା ସେଇଠି ରହିଲା । ମାତ୍ର ଅପରପକ୍ଷରେ ବିନୋଦବାବୁ ମୃତ୍ୟୁ ଅବଧି ୧୯୮୭ ପର୍ଯ୍ୟନ୍ତ ଦୀର୍ଘ ପ୍ରାୟ ତିରିଶ ବର୍ଷ ଧରି ଅନଳସ ଚେଷ୍ଟା କରି ୪୦ ଖଣ୍ଡ ‘ଜ୍ଞାନମଣ୍ଡଳ’ (‘ଜ’ ପର୍ଯ୍ୟନ୍ତ) ଲେଖି ପ୍ରକାଶ କରିପାରିଥିଲେ । ଆହୁରି ପ୍ରାୟ ୩୦/୩୨ ଖଣ୍ଡ ପାଇଁ ତଥ୍ୟ ସଂଗ୍ରହ କରି ହଜାର ହଜାର ଫାଇଲରେ ରଖିଯାଇଛନ୍ତି । ଏହାହିଁ ବିନୋଦବାବୁଙ୍କ ଏକକ ଉଦ୍ୟମର ସଫଳ ଫଳଶ୍ରୁତି ।

 

‘‘ଆମେ ଓଡ଼ିଆ । ଆମର ଗୋଟିଏ ଉନ୍ନତ ଭାଷା ଅଛି । ଦୁନିଆର ଚାରିଆଡ଼େ ଏହିଭଳି ପୁସ୍ତକ ପ୍ରକାଶ ପାଉଥିଲାବେଳେ ଆମେ କ’ଣ ସେଭଳି କରିପାରିବା ନାହିଁ ? ଏହି ପ୍ରଶ୍ନ ଯେତେବେଳେ ମୋ ମନ ଭିତରେ ଉଠିଲା ମୁଁ ବ୍ୟଥିତ ହୋଇପଡ଼ିଛି । ବିଜ୍ଞାନର ଏ ଯୁଗରେ ଅସମ୍ଭବ କଅଣ ? ମନୁଷ୍ୟ ଯେତେବେଳେ ଯାଇ ଚନ୍ଦ୍ରରେ ପହଞ୍ଚିଯାଉଛି, ଆମ ଓଡ଼ିଶାରେ ସେହି ମନୁଷ୍ୟ ଏହି ‘ସାମାନ୍ୟ’ କାର୍ଯ୍ୟଟି କରିପାରିବ ନାହିଁ ?..... ନିଶ୍ଚୟ ପ୍ରକାଶ ପାଇବା ଉଚିତ ବୋଲି ବିଚାରି ଗୋଟିଏ ଯୋଜନା କଲି ଓ ଆଜିର ଏହି ପ୍ରଥମ ଖଣ୍ଡିକ ସେହି ଯୋଜନାର ଫଳ ।’’ ଏକଥା ବିନୋଦବାବୁ ଲେଖିଥିଲେ ‘ଜ୍ଞାନମଣ୍ଡଳ’ର ପ୍ରଥମ ଖଣ୍ଡର ଭୂମିକା- ‘ନିଜକଥା’ରେ । କେତେ ଆତ୍ମବିଶ୍ଵାସ ଓ ନିଷ୍ଠା ରହିଲେ ଜଣେ ଏହା ଲେଖିପାରେ, ତା’ର ଇଏ ଜ୍ୱଳନ୍ତ ଉଦାହରଣ । କବିବର ରାଧାନାଥ ରାୟ ଏକଦା ଲେଖିଥିଲେ- ‘‘ଅସାଧ୍ୟ ମଣେ ଯା’ ଅଳସ/କର୍ମବୀର ତା’ କରେ ବଶ ।’’ ବାସ୍ତବିକ ବିନୋଦବାବୁ ହେଉଛନ୍ତି ସେହି ‘କର୍ମବୀର’, ଯିଏ ଅନଳସ ଭାବରେ ଦିନ ପରେ ଦିନ କାର୍ଯ୍ୟ କରି ଅସାଧ୍ୟକୁ ସାଧ୍ୟ କରିଯାଇଛନ୍ତି ।

 

ମୁଁ ପ୍ରଥମଖଣ୍ଡରୁ ‘ଜ୍ଞାନମଣ୍ଡଳ’ର ଗ୍ରାହକ ଶ୍ରେଣୀଭୁକ୍ତ ହୋଇଗଲି । ଅଳ୍ପଦିନ ପରେ ନିମଚୌଡ଼ିରୁ ବାରବାଟୀ ଷ୍ଟାଡ଼ିୟମର ଏକ ପ୍ରଶସ୍ତ ଗୃହକୁ ଏହାର ଅଫିସ୍‌ ଉଠି ଆସିଲା । ସେତେବେଳେ ମୁଁ ବିଭିନ୍ନ କାମରେ କଟକ ଗଲେ ସେଠାକୁ ଯାଇ ବିନୋଦବାବୁଙ୍କୁ ଦେଖା କରୁଥିଲି-। ପହଞ୍ଚିଗଲେ ସେ ନିଜେ ଉଠିଯାଇ ଭିତରୁ ସରବତ ବା ଥଣ୍ଡା ପାଣି ଆଣି ପିଇବାକୁ ଦିଅନ୍ତି । ମୋଠାରୁ ସେ ବୟସରେ ଯଥେଷ୍ଟ ବଡ଼ ହେଲେ ମଧ୍ୟ ତାଙ୍କର ଜଣେ ଅନୁଜସ୍ଥାନୀୟ ବ୍ୟକ୍ତି ପ୍ରତି ସେ ଯେଉଁ ସୌଜନ୍ୟ ଦେଖାଉଥିଲେ ମୁଁ ତାହା ଜୀବନରେ ଭୁଲିପାରିବି ନାହିଁ । ଯେଉଁଦିନ ପ୍ରଥମ ଖଣ୍ଡର ମୂଲ୍ୟବାବଦ ମୁଁ ଦଶଟଙ୍କା ତାଙ୍କ ହାତକୁ ବଢ଼ାଇଦେଲି, ସେ ନିଜ ହାତରେ ରସିଦ ଲେଖି ସେହି କ୍ୟାଶମେମୋ ସହିତ ଦୁଇଟଙ୍କା ଫେରାଇଦେଲେ । ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଅନାଇବାରୁ ସେ କହିଲେ-‘‘ଆପଣ ଆମର ନିୟମିତ ଗ୍ରାହକ ହେଲେ । ଖାତାରେ ଆପଣଙ୍କ ନାମ ଚଢ଼ିଲା । ଏଣିକି ଆପଣ ରିହାତି ମୂଲ୍ୟରେ ବହି ପାଇବେ ।’’ ସେହିଦିନଠାରୁ ଶେଷ ପର୍ଯ୍ୟନ୍ତ ମୁଁ ସେହି ରିହାତି ପାଉଥିଲି । ପ୍ରଥମେ (୧୯୬୦) ଦଶ ଟଙ୍କାରୁ ଆରମ୍ଭ ହୋଇ ୧୯୮୭ ମସିହାରେ ୪୦ ଖଣ୍ତ ପ୍ରକାଶ ପାଇଲାବେଳକୁ ଏହାର ମୂଲ୍ୟ ପଚିଶଟଙ୍କା ମାତ୍ର ହୋଇଥଲା । ଦୀର୍ଘ ୨୭ ବର୍ଷ ଭିତରେ ପନ୍ଦରଟଙ୍କା ମାତ୍ର ମୂଲ୍ୟ ବଢ଼ିଥିଲା । ‘ଜ୍ଞାନମଣ୍ଡଳ’ର ଚାଳିଶଖଣ୍ଡ ଯାକ ସେ ନିଜ ହାତରେ ମୋତେ ଦେଇଛନ୍ତି । ପ୍ରତିଟି ଖଣ୍ଡରେ ରହିଛି ତାଙ୍କ ପୁଣ୍ୟ ହାତର ସ୍ପର୍ଶ, ଯାହା ଦୀର୍ଘବର୍ଷ ପରେ ବି ମୁଁ ଯେତେବେଳେ ସେସବୁର ପୃଷ୍ଠା ଓଲଟାଇଛି, ଅନୁଭବ କରିପାରୁଛି ଅତି ନିବିଡ଼ ଭାବରେ ।

 

୧୯୭୪ ମସିହାର କଥା । ମୁଁ ଆକାଶବାଣୀର ଏକ କାର୍ଯ୍ୟକ୍ରମରେ ମୋର ସ୍ଵରଚିତ କବିତା ଆବୃତ୍ତି ପାଇଁ କଟକ ଯାଇଥାଏ । ମୋ ସହିତ ମୋ ବଡ଼ପୁଅ ଯାଇଥାଏ ରେଡ଼ିଓ ଷ୍ଟେସନ ଦେଖିବା ପାଇଁ । ସେତେବେଳେ ତାର ଏଗାର/ବାର ବର୍ଷ ବୟସ । ମୁଁ ରେଡ଼ିଓ ଷ୍ଟେସନରେ ରେକଡ଼ିଂ ସାରି ତାକୁ ନେଇଗଲି ବାରବାଟୀ ଷ୍ଟେଡ଼ିୟମ୍‌ ବୁଲାଇ ଦେଖାଇବାକୁ । ସେଠି ‘ଜ୍ଞାନମଣ୍ଡଳ’ ଅଫିସ୍‌ । ବିନୋଦବାବୁଙ୍କ ସହ ଦେଖାହେଲା । ପୁଅକୁ ଦେଖି ଖୁସି ହେଲେ । ନୂଆ ପ୍ରକାଶ ପାଇଥିବା ‘୩୬୫ ଦିନ ସିରିଜ’ର ଷଷ୍ଠ ଖଣ୍ଡଟିରେ ତା’ ନାଁ ଲେଖି ଉପହାର ଦେଲେ । ଲେଖିଲେ- ‘‘ଆୟୁଷ୍ମାନ ବ୍ୟୋମନାଥକୁ ଆଶୀର୍ବାଦ-ବିନୋଦ କାନୁନ୍‌ଗୋ-୨୦-୯-୧୯୭୪ ।’’ ସେ ବହିଟିକୁ ମୁଁ ଆଜି ପର୍ଯ୍ୟନ୍ତ ସାଇତି ରଖିଛି । ପୁଅ ବଡ଼ ହୋଇ ତା’ ପିଲାମାନେ କଲେଜରେ ପଢ଼ିଲେଣି । କିନ୍ତୁ ବିନୋଦବାବୁଙ୍କ କଥା ମନେରହିଛି ।

 

‘ଜ୍ଞାନମଣ୍ଡଳ’ ସଂପାଦନା କରିବା ସହିତ ସେ ସେତେବେଳେ ଆଉ ଏକ କାମରେ ମଧ୍ୟ ହାତ ଦେଇଥିଲେ । ବର୍ଷର ୩୬୫ ଦିନ ପାଇଁ ପ୍ରତିଦିନ ପିଲାମାନଙ୍କୁ ନାନା ବିଷୟରେ ଖଣ୍ଡିଏ ଖଣ୍ଡିଏ ଛୋଟ ବହି (ଯାହାର ପୃଷ୍ଠା ସଂଖ୍ୟା ୪୦/୫୦ ମଧ୍ୟରେ ସୀମିତ) ପଢ଼ିବାକୁ ଦେବାକୁ ସ୍ଥିର କରି ଲେଖି ପ୍ରକାଶ କରୁଥିଲେ । ଏହି ଯୋଜନା ଅବଶ୍ୟ ତାଙ୍କର ପୂର୍ଣ୍ଣାଙ୍ଗ ରୂପ ନେଇପାରିଲା ନାହିଁ, କିନ୍ତୁ ଆମ ପିଲାମାନଙ୍କ ଜ୍ଞାନର ପରିସର ବୁଦ୍ଧି ସହ ସେମାନଙ୍କ ପଠନାଭ୍ୟାସକୁ ବଢ଼ାଇବା ପାଇଁ ତାଙ୍କ ଆନ୍ତରିକ ଉଦ୍ୟମର ଅନ୍ତ ନ ଥିଲା । ତଥାପି ଏହି ‘‘୩୬୫ ଦିନ’’ ସିରିଜରେ ସେ ଅନେକଗୁଡ଼ିଏ କିଶୋରମାନଙ୍କ ଉପଯୋଗୀ ଜ୍ଞାନଗର୍ଭକ ପୁସ୍ତକ ଅତି ସରଳ ଭାଷାରେ ଓ ଗଳ୍ପକଥନ ଛଳରେ ଲେଖି ପ୍ରକାଶ କରିଯାଇଛନ୍ତି । ମୋ ପୁଅକୁ ସେ ଯେଉଁ ବହିଟି ଉପହାର ଦେଇଥିଲେ ତା’ ନାଁ-ଚକ ବୁଲୁଥାଏ, ଚକ ବୁଲୁଥାଏ ।’ ଏ ବହିର ପୃଷ୍ଠାସଂଖ୍ୟା ଥିଲା ୪୦ ଏବଂ ଏହା ଥିଲା ‘ପାଣି ବିଷୟରେ କାହାଣୀ ।’ ଛୋଟ ବହିଟିଏ ହେଲେ କ’ଣ ହେବ, ଏହାର ଲିଖନ ଓ ପରିବେଷଣ ଶୈଳୀ ଏପରି ମନଛୁଆ ଯେ ପିଲାଟିଏ ପାଣି ବା ଜଳ ବିଷୟରେ ନାନା କଥା ଜାଣିଯିବ । ଥରେ ପଢ଼ିବାକୁ ଆରମ୍ଭ କଲେ ନ ସାରି ରହି ପାରିବ ନାହିଁ । ଶିଶୁ ଓ କିଶୋର ମନସ୍ତତ୍ତ୍ୱକୁ ଠିକ୍‌ ଭାବରେ ବୁଝି ଓ ଅନୁଧ୍ୟାନ କରି ସେମାନଙ୍କ ମନଲାଖି ଭାଷା ଓ ଶୈଳୀରେ ଲେଖିବା ଦିଗରେ ବିନୋଦବାବୁ ଥିଲେ ସିଦ୍ଧହସ୍ତ । ଜ୍ଞାନ-ବିଜ୍ଞାନର ନାନା ଜଟିଳ ବିଷୟକୁ ସେ ଏମିତି ସରଳ-ସରସ-ସହଜ ଓ ସୁନ୍ଦର ଭାବରେ ଲେଖି ଦେଉଥିଲେ ଯେ ଜଣେ ସାଧାରଣ ପାଠକ ସହଜରେ ବୁଝି ଯାଉଥିଲା । ଏହା ଥିଲା ତାଙ୍କର ସହଜାତ ଗୁଣ । ତଥାପି ମୋର ଯାହା ମନେହୁଏ ଏଭଳି ସହଜ ବୋଧଗମ୍ୟ ଭାଷା ଓ ଶୈଳୀ ସେ ତାଙ୍କ ରାଜନୀତିକ ଗୁରୁ ଗାନ୍ଧିଜୀଙ୍କ ପାଖରୁ ହାସଲ କରିଥିଲେ । କାରଣ ଗାନ୍ଧିଜୀ ବିଭିନ୍ନ ସାମାଜିକ, ରାଜନୀତିକ, ସାଂସ୍କୃତିକ, ଧାର୍ମିକ, ଶୈକ୍ଷିକ ବିଷୟକୁ ଏଭଳି ସରଳ ଭାବରେ ପ୍ରକାଶ କରିପାରୁଥିଲେ ଯେ ତାହା ସାଧାରଣ ଜନତାଙ୍କୁ ଛୁଇଁ ପାରୁଥିଲା । ଆମ ଓଡ଼ିଶାରେ ଡକ୍ଟର ହରେକୃଷ୍ଣ ମହତାବ ମଧ୍ୟ ଏଭଳି ସହଜ ସରଳ ଭାଷାରେ ଲୋକ-ମନଛୁଆଁ ଶୈଳୀରେ ଲେଖିପାରୁଥିଲେ, ଯାହାର ନମୁନା ‘ଗାଁ ମଜଲିସ୍‌’ ।

 

‘୩୬୫ ଦିନ ଗ୍ରନ୍ଥମାଳା’ର ଯେଉଁ କେତୋଟି ବହି ପ୍ରକାଶ ପାଇଥିଲା ସେସବୁର ନାମକରଣ ମଧ୍ୟ ଖୁବ୍‌ ଆକର୍ଷଣୀୟ ଓ ପ୍ରତୀକଧର୍ମୀ । ଭିତରର ବିଷୟବସ୍ତୁକୁ ଯିବା ପୂର୍ବରୁ ପାଠକ ସେହି ବହିର ନାମକୁ ଦେଖି ସ୍ଵତଃ ଆକର୍ଷିତ ହୋଇଯାଏ । ଯେପରି - ‘ତିନିଖଣ୍ଡି କାଉଁରୀ ହାଡ଼’, ‘ଚଳନ୍ତା ରାଇଜର ଅମୁହାଁ ନଈ’, ‘ଦୁଇଶହ ଗାଡ଼ିକୁ ଛ’ ଶହ ଇଞ୍ଜିନ’, ‘ଟଙ୍କାଟା କେଭେ ଟଙ୍କାଏ ନୁହେଁ’, ‘ମା’ ଭଳି ମେସିନିଟିଏ’ ବା ‘ନିକିତି ତଉଲ ସାନବଡ଼କୁ’ ଇତ୍ୟାଦି ଇତ୍ୟାଦି । ବିଷୟବସ୍ତୁ ଉପସ୍ଥାପନା ସହିତ ନାମକରଣର ବିଶେଷତ୍ତ୍ୱ ଓ ଚମତ୍କାରିତା ବିନୋଦବାବୁଙ୍କୁ ଜଣେ ଅନନ୍ୟ ଗଦ୍ୟଲେଖକର ମାନ୍ୟତା ଦେଇଛି ।

 

ସେ ‘ଶିଶୁ ସମ୍ପଦ’ ନାମରେ ଶିଶୁ ଓ କିଶୋରମାନଙ୍କ ଉପଯୋଗୀ ମାସିକ ପତ୍ରିକାଟିଏ ମଧ୍ୟ କିଛିବର୍ଷ ପ୍ରକାଶ କରିଥିଲେ । ଏହା ଅନ୍ୟାନ୍ୟ ଓଡ଼ିଆ ଶିଶୁ ପତ୍ରିକାମାନଙ୍କଠାରୁ କିଛିଟା ଭିନ୍ନ ଧରଣର ଥିଲା । ମୁଖ୍ୟତଃ ଏହା ଥିଲା ଜ୍ଞାନ-ବିଜ୍ଞାନ ଧର୍ମୀ । ଏହାର ଅଧିକାଂଶ ଲେଖା ନିଜେ ବିନୋଦବାବୁ ଲେଖୁଥିଲେ । କବି ରାଧାମୋହନ ଗଡ଼ନାୟକ, କବି ଅନନ୍ତ ପଟ୍ଟନାୟକଙ୍କ ଶିଶୁ-କବିତା ମଧ୍ୟପ୍ରକାଶ ପାଉଥିଲା । ‘ମାତୃଭୂମି’ ଓ ‘ସହକାର’ର ସୁଯୋଗ୍ୟ ସମ୍ପାଦକ ବାଳକୃଷ୍ଣ କର ‘ଶିଶୁଶଙ୍ଖାଳି’ ନାମରେ ଯେଉଁ ଦୁଇଖଣ୍ଡ ପୁସ୍ତକ ଶିଶୁମାନଙ୍କ ପାଇଁ ପ୍ରକାଶ କରିଥିଲେ, ବିନୋଦବାବୁ ସେଥିରେ ଅନୁପ୍ରାଣିତ ହୋଇଥିବାର ମନେହୁଏ ।

 

ବିନୋଦବାବୁ ପ୍ରଥମ ଜୀବନରେ ଗାନ୍ଧିଜୀଙ୍କ ଆଦର୍ଶରେ ଏବଂ ପରବର୍ତ୍ତୀ ଜୀବନରେ ଲୋକନାୟକ ଜୟପ୍ରକାଶଙ୍କ ଆଦର୍ଶରେ ବହୁ ପରିମାଣରେ ପ୍ରଭାବିତ । ଏ ଦୁଇ ମହାନ୍‌ ବିପ୍ଲବୀଙ୍କ ଆଦର୍ଶଗତ ଓ ରାଜନୀତିକ ପ୍ରଭାବ ତାଙ୍କୁ ନିର୍ଭିକ, ସତ୍ୟନିଷ୍ଠ ଓ ସମାଜମୁଖୀ କରାଇବାରେ ଯଥେଷ୍ଟ ସାହାଯ୍ୟ କରିଛି । ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଯେତେବେଳେ ଦେଶରେ ଭ୍ରଷ୍ଟାଚାରୀ ଶାସକ-ଶୋଷକଙ୍କ ବିରୋଧରେ ସମ୍ପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନ ଆରମ୍ଭ କଲେ ସେତେବେଳେ ବିନୋଦବାବୁ ‘ଜୟପ୍ରକାଶ’ ଶିରୋନାମାରେ ପୁସ୍ତକଟିଏ ଲେଖିଥିଲେ । ଏଥିରେ ସେ ଜୟପ୍ରକାଶଙ୍କ ଜୀବନୀ ସହ ତାଙ୍କ ଆନ୍ଦୋଳନ ବିଷୟରେ ଲେଖି ଓଡ଼ିଶାବାସୀଙ୍କୁ ଉପହାର ଦେଇଥିଲେ । ଏ ବହିରୁ ଖଣ୍ଡିଏ ମୋତେ ସେ ପଢ଼ିବା ପାଇଁ ମଧ୍ୟ ଦେଇଥିଲେ । ସେତେବେଳେ ଦେଶରେ ତଥା ଆମ ରାଜ୍ୟରେ କଂଗ୍ରେସୀ ଶାସନ । ଇନ୍ଦିରାଗାନ୍ଧୀ ପ୍ରଧାନମନ୍ତ୍ରୀ ଓ ନନ୍ଦିନୀ ଦେବୀ ମୁଖ୍ୟମନ୍ତ୍ରୀ । ସେ ନିର୍ଭୀକ ଭାବରେ ସେହି ବହିରେ ଲେଖିଥିଲେ ଯେଉଁ ଜାତୀୟ କଂଗ୍ରେସ ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ ଚଳାଇଥିଲା ଓ ଯେଉଁ ସଂଗ୍ରାମରେ ଜନସାଧାରଣଙ୍କ ଅଧିକାର ଉପରେ ଏତେ ଗୁରୁତ୍ୱ ଦିଆଯାଇଥିଲା, ସେହି କଂଗ୍ରେସ ଆଜି ଜନସାଧାରଣଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରିବାକୁ ଉଦ୍ୟମ କରିବାଠାରୁ ବଳି ଦୁର୍ଭାଗ୍ୟର କଥା ଆଉ କଣ ହୋଇପାରେ ?’’ (ଜୟପ୍ରକାଶ- ପୃ.୨୪-୨୫) ପୁଣି ଜୟପ୍ରକାଶଙ୍କ ସଂପର୍କରେ କହିଥିଲେ- ‘‘ମହାତ୍ମାଗାନ୍ଧୀଙ୍କ ପରେ ଏହି ହେଉଛନ୍ତି ଏକମାତ୍ର ସର୍ବଭାରତୀୟ ନେତା, ଯାହାଙ୍କ ଜୀବନରେ କିଛିହେଲେ ଗୋପନୀୟତା ନାହିଁ ।’’ (ପୃ୨୫) ଏଥିରୁ ଉଭୟ ମହାନ୍‍ ନେତାଙ୍କ ପ୍ରତି ତାଙ୍କର ଅନୁରକ୍ତି ଓ ମନୋଭାବ ସ୍ପଷ୍ଟ ହୁଏ ।

 

ସେ ଜୀବନରେ ଆଉ ଜଣେ ମହାନ୍‌ ସାରସ୍ୱତ ସାଧକଙ୍କୁ ସବୁଠୁ ବେଶି ଭଲ ପାଉଥିଲେ ଏବଂ ପ୍ରତିକ୍ଷେତ୍ରରେ ତାଙ୍କ କବିତାକୁ ଉଦ୍ଧାର କରୁଥିଲେ । ସେ ହେଉଛନ୍ତି ଜାତୀୟ କବି ବୀରକିଶୋର ଦାସ । ତାଙ୍କ ଦ୍ଵାରା ସେ ବହୁ ଭାବରେ ଉଦ୍‌ବୁଦ୍ଧ ହୋଇଥିଲେ । ତାଙ୍କ କବିତାର ସେ ଥିଲେ ବିମୁଗ୍ଧ ସ୍ତାବକ । କବି ବୀରକିଶୋରଙ୍କ ଦେହାନ୍ତର ଦୁଇବର୍ଷ ପରେ ସେ ତାଙ୍କ ଜୀବନୀ ଲେଖି ୧୯୭୫ରେ ପ୍ରକାଶ କରିଥିଲେ । ଏହା ଏକ ସାଧାରଣ ଜୀବନୀ ନୁହେଁ । ଦୀର୍ଘ ୪୫ ବର୍ଷକାଳ ତାଙ୍କ ସହ ଅତି ନିବିଡ଼ ଭାବରେ ମିଶି ସେ ବୀରକିଶୋରଙ୍କୁ ଅତି ନିକଟରୁ ଯେପରି ଭାବରେ ଦେଖିଥିଲେ ଓ ଜାଣିଥିଲେ ତାହାକୁ ଅତି ମର୍ମସ୍ପର୍ଶୀ ଭାବରେ ଓ ଭାଷାରେ ସେ ଏହି ବହିରେ ଲିପିବଦ୍ଧ କରିଛନ୍ତି । ନିଜେ ହାତରେ ଲେଖି ୨୪-୯-୧୯୭୮ରେ ସେ ଅତି ଶ୍ରଦ୍ଧାରେ ମୋତେ ଏ ବହିଟି (ଜାତୀୟକବି ବୀରକିଶୋର ) ଉପହାର ଦେଇଥିଲେ । ମୋ ଦ୍ୱାରା ପ୍ରତିଷ୍ଠିତ ‘ବିଶ୍ୱ-ତାରା ଓଡ଼ିଆ ଗବେଷଣା ଗ୍ରନ୍ଥାଗାର’ରେ ସେହି ବହିଟିକୁ ମୁଁ ସାଇତି ରଖିଛି । ମଝିରେ ମଝିରେ ସେ ବହିଟି ପଢ଼ିଲାବେଳେ କବି ବୀରକିଶୋରଙ୍କ ମୁହଁ ସହିତ ବିନୋଦବାବୁଙ୍କ ମୁହଁ ମୋ ସ୍ମୃତିରେ ଭାସି ଉଠେ । ଏହି ବହିଟିର ବିଶେଷତ୍ୱ ହେଉଛି, ଜୀବନର ଘଟଣାବଳୀର ଚିତ୍ରଣ ସହିତ କବିଙ୍କ କବିତାର ସ୍ଥାନୋପଯୋଗୀ ଉପସ୍ଥାପନା । ଏ ବହିଟି ପଢ଼ି ଦେଲେ ଜଣେ ଆଗ୍ରହୀ ପାଠକ ଜାତୀୟକବିଙ୍କ ଜୀବନ ସହିତ ତାଙ୍କ ରଚିତ କବିତାର କିଭଳି ଆତ୍ମିକ ସଂଯୋଗ ଥିଲା ତାହା ମର୍ମେ ମର୍ମେ ଉପଲବ୍ଧି କରିପାରିବ । ତାଙ୍କ ଜାତୀୟବାଦୀ ଜୀବନାଦର୍ଶ ସହ ବିନୋଦବାବୁଙ୍କ ଜୀବନାଦର୍ଶର ଯଥେଷ୍ଟ ମେଳ ଥିବାରୁ ସେ କବି ବୀରକିଶୋରଙ୍କ ଜୀବନୀକୁ ଏତେ ଜୀବନ୍ତ ଭାବରେ ରଚନା କରି ପାରିଛନ୍ତି । ‘୩୬୫ ଦିନ ଗ୍ରନ୍ଥମାଳା’ର ‘ବାନ୍ଧ ତୁମ ପୁଡ଼ାପୁଟୁଳା’ ବହିଟି, ଯାହା ସେ ମୋତେ ୧୮-୪-୧୯୮୪ରେ ଶ୍ରଦ୍ଧାରେ ଉପହାର ଦେଇଥିଲେ ତାକୁ ମୁଁ ଏବେ ପୁଣି ଥରେ ପଢ଼ୁଥିଲି । ୩୪ ପୃଷ୍ଠାରେ ଅଟକି ଗଲି, ଯେଉଁଠି ସେ କବି ବୀରକିଶୋରଙ୍କ ସମ୍ପର୍କରେ ଲେଖିଛନ୍ତି- ‘‘ଫାଶିର ଦଶବର୍ଷ ପରେ ଜାତୀୟ କବି ବିଚାରିଲେ- ଲକ୍ଷ୍ମଣନାୟକଙ୍କୁ ସବୁଦିନେ ଓଡ଼ିଆ ପିଲାଏ ଯେମିତି ମନେ ପକାଇବେ ସେଥିପାଇଁ ଗୋଟିଏ ଗୀତ ଲେଖି ଦିଆଯାଉ । ସେ ସେମିତିକା ଗୋଟିଏ ଲେଖିଦେଲେ । ସେହି ଗୀତକୁ ଓଡ଼ିଶାର ଚାରିଆଡ଼େ ବୋଲିଲାବେଳେ ବଡ଼ମାନଙ୍କ ଆଖିବି ଛଳଛଳ ହୋଇଯାଏ ।’’ ପ୍ରକୃତରେ ବିନୋଦବାବୁଙ୍କ କହିବା ଅନୁଯାୟୀ ମୁଁ କବି ବୀରକିଶୋରଙ୍କ ‘ଲକ୍ଷ୍ମଣ ନାୟକ’ କବିତାଟି ପଢ଼ିସାରିଲାବେଳକୁ ମୋ ଆଖି ଛଳଛଳ ହୋଇ ସ୍ୱତଃସ୍ଫୂର୍ତ୍ତ ଭାବରେ ଲୁହ ଝରି ପଡ଼ିଲା । ଏ ଅନୁଭବ ନିଶ୍ଚୟ ବିନୋଦବାବୁଙ୍କର ହୋଇଥିବ । ତା’ ନ ହୋଇଥିଲେ ସେ କେବେ ଏକଥା ଲେଖି ନ ଥାନ୍ତେ । ଏହା ଏକ ମର୍ମସ୍ପର୍ଶୀ ଅନବଦ୍ୟ କବିତା, ଯାହାର ତୁଳନା ନାହିଁ । ନିଜେ ଗୁଣୀ ନ ହେଲେ ଅନ୍ୟର ଗୁଣ ଚିହ୍ନିବା ଏତେ ସହଜ ହୁଏ ନାହିଁ । ବିନୋଦବାବୁ ସେହିପରି ଜଣେ ଗୁଣୀ, ଯିଏ ପ୍ରକୃତରେ ଅନ୍ୟର ଗୁଣକୁ ଚିହ୍ନି ତଉଲି ପାରୁଥିଲେ ଏବଂ ଅନ୍ୟମାନଙ୍କ ପାଖରେ ସେହି ଗୁଣକୁ ଓ ତା’ର ମହତ୍ଵକୁ ସୁନ୍ଦର ଭାବରେ ଉପସ୍ଥାପନ କରିପାରୁଥିଲେ ।

 

୧୯୮୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ ହେଲା । ସାତଟି ବିଭାଗରେ ସାତଟି ବହି ପାଇଁ ସାତଜଣ ଓଡ଼ିଆ ଲେଖକଙ୍କୁ ସେ ବର୍ଷର ପୁରସ୍କାର ଦେବା ପାଇଁ ଏକାଡେମୀ ସ୍ଥିର କରିଥିଲେ । ବିନୋଦବାବୁଙ୍କୁ ତାଙ୍କ ଆତ୍ମଜୀବନୀର ପ୍ରଥମ ଖଣ୍ଡ ‘ଋଣ ପରିଶୋଧ’ ପାଇଁ ପୁରସ୍କାର ଦେବାର ଘୋଷିତ ହୋଇଥାଏ । ସେହିବର୍ଷ କବିତା ବିଭାଗରେ ଯେଉଁ ବହିଟି ପୁରସ୍କୃତ ହେବା ପାଇଁ ଘୋଷିତ ହୋଇଥାଏ, ତା ହେଉଛି ମୋର ପଞ୍ଚମ କବିତା ଗ୍ରନ୍ଥ ‘ମନର ମାନଚିତ୍ର’ । ଏ ପାଇଁ ମୁଁ ଖୁସି ତ ହୋଇଥିଲି, କିନ୍ତୁ ସବୁଠୁ ବେଶି ଖୁସି ହୋଇଥିଲି ବିନୋଦବାବୁଙ୍କ ସହିତ ଏକା ମଞ୍ଚରେ ବସି ପୁରସ୍କାର ଗ୍ରହଣ କରିବି ବୋଲି । ଯା’ ହେଉ ଶେଷରେ ଯେଉଁଦିନ ଏକାଡେମୀର ତତ୍‌କାଳୀନ ସଭାପତି, ବିଶିଷ୍ଠ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ‘ଭଞ୍ଜକଳା ମଣ୍ଡପ’ରେ ଉତ୍ସବ ଅନୁଷ୍ଠିତ ହେଲା । ମଞ୍ଚରେ ମୋ ପାଖରେ ବସିଥିଲେ ମୋର ଅଗ୍ରଜସ୍ଥାନୀୟ ବିନୋଦବାବୁ । ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବା ପୂର୍ବରୁ ସେ ମୋତେ କୁଣ୍ଢାଇ ଶୁଭେଚ୍ଛା ଜଣାଇଥିଲେ । ସେଦିନର ସ୍ମୃତି ଆଜି ବି ଅଭୁଲା ହୋଇ ରହିଛି ।

 

ସେହିପରି ସେବର୍ଷ (୧୯୮୪) କବିବର ରାଧାନାଥ ରାୟଙ୍କ ପୁଣ୍ୟ ଜନ୍ମମାଟି ସୋରରେ ଏପ୍ରିଲ ମାସରେ ପାଳିତ ହେଲା ‘ରାଧାନାଥ ପାଠାଗାର’ର ରଜତ ଜୟନ୍ତୀ ଉତ୍ସବ । ସେତେବେଳେ ଏହାର ସଭାପତି ଥା’ନ୍ତି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶା ବିଧାନସଭାର ପ୍ରାକ୍ତନ ବାଚସ୍ପତି ନନ୍ଦକିଶୋର ଦାସ । ପ୍ରଥମ ଥର ପାଇଁ କବିବର ରାଧାନାଥଙ୍କ ପୁଣ୍ୟ ଶ୍ରାଦ୍ଧବାର୍ଷିକୀରେ ସେହିବର୍ଷଠାରୁ ପ୍ରତିବର୍ଷ ସାରସ୍ଵତ ସାଧକମାନଙ୍କୁ ସମ୍ବର୍ଦ୍ଧନା କରିବାର ପରମ୍ପରା ଆରମ୍ଭ କରାଗଲା । ରାଧାନାଥଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାପିତ ପାଠାଗାରର ରଜତଜୟନ୍ତୀ ସେବର୍ଷ ପାଳିତ ହେଉଥିବାରୁ ତିନିଜଣଙ୍କୁ ସେମାନେ ସମ୍ବର୍ଦ୍ଧିତ କରିଥିଲେ । ବିଶିଷ୍ଟ ସାହିତ୍ୟ ସାଧକ ନିତ୍ୟାନନ୍ଦ ମହାପାତ୍ର, ‘ଜ୍ଞାନମଣ୍ଡଳ’ର ସମର୍ଥ ସମ୍ପାଦକ ବିନୋଦ କାନୁନ୍‌ଗୋଙ୍କ ସହିତ ଏହି ଲେଖକକୁ ମଧ୍ୟ ସେମାନେ ଆମନ୍ତ୍ରଣ କରିଥିଲେ ସେଥିପାଇଁ । ନିତ୍ୟାନନ୍ଦବାବୁ ଓ ବିନୋଦବାବୁ ବୟସ, ପ୍ରତିଷ୍ଠା ଓ ଅବଦାନରେ ଥିଲେ ମୋଠାରୁ ଯଥେଷ୍ଠ ଉଚ୍ଚରେ ଏବଂ ମୋର ପୂଜ୍ୟ ଓ ଅଗ୍ରଜ ସ୍ଥାନୀୟ । ଉତ୍ସବର ମୁଖ୍ୟ ଅତିଥି-ଓଡ଼ିଶାର ତତ୍‌କାଳୀନ ରାଜ୍ୟପାଳ ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଓ ଐତିହାସିକ ଡ. ବିଶ୍ଵମ୍ଭରନାଥ ପାଣ୍ଡେ ଆମକୁ ରୌପ୍ୟ ଅଶୋକଚକ୍ର ଓ ଫଳକ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ । ମୁଁ ଏ ଦୁଇ ମହାନ ବ୍ୟକ୍ତିଙ୍କ ସହ ସମ୍ମାନିତ ହୋଇଥିବାରୁ ନିଜକୁ ପରମ ସୌଭାଗ୍ୟବାନ ମନେ କରିଥିଲି । ଖ୍ୟାତନାମା ମୁକ୍ତି ସଂଗ୍ରାମୀ ତଥା ପ୍ରାକ୍ତନ ବିଧାୟକ ନୀଳାମ୍ବର ଦାସଙ୍କ ଘରେ ଆମର ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା । ସେଠାରେ ନନ୍ଦବାବୁ, ନିତ୍ୟାନନ୍ଦବାବୁ ଓ ବିନୋଦବାବୁଙ୍କ ସହ ଏକତ୍ର ବସି ଖାଇବାର ଅପୂର୍ବ ଆନନ୍ଦ ଜୀବନରେ ଭୁଲିପାରିବି ନାହଁ । ଉଭୟ ନିତ୍ୟାନନ୍ଦବାବୁ ଓ ବିନୋଦବାବୁଙ୍କ ମଜାଳିଆ ଆଳାପର ଆମୋଦ ଆଜିବି ମୋତେ ମୋହିତ କରେ । ଚଳିତ ବର୍ଷ ସେ ଦୁଇଜଣଙ୍କର ଜନ୍ମ ଶତବାର୍ଷିକୀ ପାଳିତ ହେଉଥିଲାବେଳେ ସେଦିନର ଅବିସ୍ମରଣୀୟ ସ୍ମୃତି ଜୀବନ୍ତ ହୋଇ ରହିଛି ।

 

ଇମରସନ୍‌ କହିଥିଲେ- ‘‘ବହୁ ବାଧାବିଘ୍ନ ଅତିକ୍ରମ କରି ଓ କଠିନ ପରିଶ୍ରମ ପରେ ଅନ୍ୟମାନେ ଯେଉଁଠି ପହଞ୍ଚିପାରନ୍ତି, ସେହି ଚିନ୍ତା ରାଜ୍ୟରେ ଯିଏ ବାସ କରନ୍ତି, ତାଙ୍କୁ ହଁ ମୁଁ ବଡ଼ଲୋକ ବୋଲି ମଣେ ।’’ ଏହି ଦୃଷ୍ଟିରୁ ବିଚାର କଲେ ବିନୋଦ କାନୁନ୍‌ଗୋ ଭୌତିକ ସମ୍ପଦରେ ନ ହେଲେ ମଧ୍ୟ ଜ୍ଞାନ ସମ୍ପଦରେ ଧନୀ ହୋଇଥିବା ଜଣେ ‘ବଡ଼ଲୋକ’ । ଜୀବନରେ ସେ ଯେତେ ବାଧାବିଘ୍ନ ଅତିକ୍ରମ କରିଛନ୍ତି ଏବଂ କଠିନ ପରିଶ୍ରମ ପରେ ଯେଉଁ ଶୀର୍ଷରେ ପହଞ୍ଚନ୍ତି ତହିଁରୁ ସେ ଆମ ସମୟର ଓ ସମାଜର ଜଣେ ଅନନ୍ୟ ବ୍ୟକ୍ତିତ୍ୱ ବୋଲି ନିଃସନ୍ଦେହରେ କୁହାଯାଇପାରେ । ସେ ନିଜ ସମ୍ପର୍କରେ କହିଛନ୍ତି- ‘‘ମୁଁ ନିଜେ ଜଣେ ଡ୍ରପ୍‌ ଆଉଟ୍‌ ବା ଦଶମ ଶ୍ରେଣୀ ଆରମ୍ଭରୁ ପାଠ ଛାଡ଼ିଥିବା ଲୋକ । ଯେଉଁ ଦିନ ସ୍କୁଲ ଛାଡ଼ି ଗାନ୍ଧୀ ଆନ୍ଦୋଳନରେ ଯୋଗଦେଲି, ସେହି ଦିନ ହିଁ ଶପଥ ନେଇଥିଲି ଯେ ସ୍କୁଲ ଛାଡ଼ିଲି ସିନା ପାଠ ଛାଡ଼ିବି ନାହିଁ । ତେତିଶ ବର୍ଷ ପରେ ମୁଁ କହିପାରୁଛି ଜଣେ ଡ୍ରପଆଉଟ୍‌ ଇଚ୍ଛାକଲେ ମଧ୍ୟ ନିଜକୁ କିଛି ଦୂର ଶିକ୍ଷିତ କରିପାରିବ । ତେଣୁ ସେହି ଶ୍ରେଣୀର ଲୋକେ ଏହି ବହି ଖଣ୍ଡିକ ପଢ଼ିଦେଲେ ଆଉ କିଛି ହେଉ ବା ନ ହେଉ ଅନ୍ତତଃ ଏତିକି ଭରସା ରଖିବେ ଯେ ଯଦି ଚେଷ୍ଟା କରନ୍ତି, ସୁଯୋଗ ପାଆନ୍ତି, ତେବେ ସେମାନେ ଜଣେ ବିନୋଦ କାନୁନ୍‌ଗୋ ହୋଇ ପାରିବେ ।’’ (ପାଠ ପଛେ ପଛେ ଅପାଠୁଆ - ପୃ. ୭)

 

ଏ ଆତ୍ମବିଶ୍ଵାସ ଜଣେ ‘ଡ୍ରପ୍‌ ଆଉଟ୍‌’କୁ ‘ଜ୍ଞାନବିନୋଦୀ’ରେ ପରିଣତ କରିଛି । ଶେଷରେ ସେ ପୁଣି କହିଛନ୍ତି- ‘‘ମୁଁ ସୁଅ ବିରୁଦ୍ଧରେ, ସୁଅର ବିପରୀତ ଦିଗରେ ପହଁରୁଛି । ସେଭଳି ପହଁରିବାରେ ମଧ୍ୟ ଆନନ୍ଦ ଅଛି । ଅତି ଧୀରବେଗରେ ଉପର ଆଡ଼କୁ ଆଗେଇଲେ ମଧ୍ୟ ଆଗକୁ ତ ଯାଉଛି- ଏଇ ହେଲା ମୋର ସନ୍ତୋଷ ।’’ (ପାଠ ପଛେ ପଛେ ଅପାଠୁଆ ପୃ ୩୧୧)

 

ଏହି ସନ୍ତୋଷ ଓ ଆତ୍ମବିଶ୍ଵାସକୁ ପାଥେୟ କରି ଜୀବନରେ ‘ଦୀର୍ଘ- ଯାତ୍ରା’ (Long March) କରିଥିବା ଏହି ମହାନ୍‌ ମଣିଷଟି କଥା ଆଜି ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ହୁଏ । ଖଦଡ଼ ଧୋତି, ଫତେଇ ଓ ଚାଦର ପିନ୍ଧା ଅନାକର୍ଷଣୀୟ ଏ ବାଙ୍ଗର-ଗେଡ଼ା ଆତ୍ମଘୋଷିତ ‘ଅପାଠୁଆ’ ଭିତରେ ଯେ ଏତେ ଜ୍ଞାନ ଓ ମଣିଷପଣିଆ ଖୁନ୍ଦି ହୋଇ ରହିଥିଲା, ତାହା ତାଙ୍କ ସହ ନ ମିଝିଲେ ବା ନିବିଡ଼ ସମ୍ପର୍କରେ ନ ଆସିଲେ କେହି ହଠାତ୍‌ କଳନା କରିପାରିବେ ନାହିଁ । ସେ ପ୍ରମାଣ କରି ଯାଇଛନ୍ତି ବ୍ୟକ୍ତିତ୍ଵ କେବଳ ଦୈହିକ ଗଠନରେ ନ ଥାଏ, ଉଚ୍ଚଶିକ୍ଷାନୁଷ୍ଠାନର ପଠନ ବା ଡିଗ୍ରୀରେ ନ ଥାଏ, କିମ୍ବା ଅର୍ଥ-ଧନ ଓ ସମ୍ପଦର ତୁଙ୍ଗ ଶିଖରୀରୋହଣରେ ନ ଥାଏ, ଥାଏ ଜୀବନବ୍ୟାପୀ ସାଧନା ଦ୍ଵାରା ଅର୍ଜିତ ଜ୍ଞାନ ଆହରଣ ଓ ତା’ର ସୁବିନିଯୋଗ କରୁଥିବା ବ୍ୟକ୍ତିର ସୁମହାନ୍‌ ଜୀବନଚର୍ଯ୍ୟାରେ । ଆମ ସମୟରେ ଆତଯାତ ହୋଇଥିବା ବିନୋଦବାବୁ ଏହାର ଏକ ଜ୍ଵଳନ୍ତ ଉଦାହରଣ । ମୋର ସୌଭାଗ୍ୟ ଯେ ମୁଁ ତାଙ୍କ ସହ ଦୀର୍ଘକାଳ ମିଶିବାର ସୁଯୋଗ ଲାଭ କରିଛି ଏବଂ ତାଙ୍କ ସ୍ନେହ-ଶ୍ରଦ୍ଧାରୁ କିଞ୍ଚିତ୍‌ ପାଇ ଧନ୍ୟ ହୋଇଛି । ଆଜକୁ ବାରବର୍ଷତଳେ ୨୨-୬-୧୯୯୦ ମସିହାରେ ୭୮ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲେ ମଧ୍ୟ ମୋର ମନେ ହେଉଛି, ସେ ଆମକୁ ଯେଉଁ ଜ୍ଞାନଭଣ୍ଡାରର ଚାବିକାଠି ଦେଇଯାଇଛନ୍ତି, ତାରି ଭିତରେ ସେ ଜୀବିତ ଅଛନ୍ତି ଏବଂ ଜୀବିତ ରହିବେ ବହୁକାଳ ଧରି । ଆଜି ଏହି ଶତବାର୍ଷିକୀ ଅବସରରେ ମୁଁ ସେହି ‘ଜ୍ଞାନବିନୋଦୀ’ଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି ।

 

ସୁନହଟ, ବାଲେଶ୍ୱର

***

 

ଜ୍ଞାନ ତପସ୍ୱୀ

ବିଭୂତି ପଟ୍ଟନାୟକ

 

୧୯୫୨ ମସିହା ପ୍ରଥମ ସାଧାରଣ ନିର୍ବାଚନରେ ଆମ କିଶନନଗର ନିର୍ବାଚନମଣ୍ଡଳୀରୁ ସୋସଲିଷ୍ଟ ପାର୍ଟିର ପ୍ରାର୍ଥୀ ଥଲେ ବିନୋଦ କାନୁନ୍‍ଗୋ । କଂଗ୍ରେସ ତରଫରୁ ତାଙ୍କ ସହିତ ପ୍ରତିଦ୍ୱନ୍ଦିତା କରୁଥିଲେ ମନ୍ତ୍ରୀ ରାଜକୃଷ୍ଣ ବୋଷ । ଆମ ଗ୍ରାମ ପାଖ ପଳାଶୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୋଟ ଗ୍ରହଣ କେନ୍ଦ୍ର ହୋଇଥାଏ । ମୋ ବାପା ଥାଆନ୍ତି ସେଇ ସ୍କୁଲର ହେଡ୍‌ ପଣ୍ଡିତ । ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ସାଧାରଣ ନିର୍ବାଚନରେ ସ୍ଵାଭାବିକ ଭାବରେ କଂଗ୍ରେସ ସପକ୍ଷରେ ପବନ ବହୁଥାଏ । ମନ୍ତ୍ରୀ ରାଜକୃଷ୍ଣ ବୋଷ କଂଗ୍ରେସ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ବିପକ୍ଷରେ ଲଢ଼ୁଥିବା ସୋସଲିଷ୍ଟ ପାର୍ଟି ପ୍ରାର୍ଥୀ ବିନୋଦ କାନୁନଗୋଙ୍କ ପ୍ରଚାର ପାଇଁ ଲୋକ ବାହାରୁ ନ ଥାନ୍ତି କି ନିର୍ବାଚନ ଅଫିସ୍‌ ଖୋଲିବା ପାଇଁ ଭଡ଼ା ଘର ମିଳୁ ନଥାଏ । କଂଗ୍ରେସ ତରଫରୁ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥାଆନ୍ତି ବାଳେଶ୍ଵର ଜିଲ୍ଲାର କଂଗ୍ରେସ ନେତା ମୂରଲୀଧର ଜେନା ଏବଂ ସୋସଲିଷ୍ଟ ପାର୍ଟି ପ୍ରଚାର ଅଭିଯାନର ଅଗ୍ରଣୀ ଥାଆନ୍ତି ତିର୍ତ୍ତୋଲର ସୋସଲିଷ୍ଟ କର୍ମୀ ଯୁଧିଷ୍ଠିର ଦାଶ ।

 

ସେ ଦିନେ ସ୍କୁଲରେ ବାପାଙ୍କୁ ଭେଟି କହିଲେ- ଆପଣଙ୍କ ଘରେ ମୁଁ ଆଜି ଖାଇବି । ଖାଇବାର ସର୍ତ୍ତ ସ୍ଵରୂପ ଆପଣ ବିଭୂକୁ ପାର୍ଟି ପ୍ରଚାର ପାଇଁ ଅନୁମତି ଦେବେ ।

 

ମୁଁ ସେତେବେଳେ ଜଗତସିଂହପୁର ଶ୍ରୀକୃଷ୍ଣ ଏକାଡେମୀର ଦଶମ ଶ୍ରେଣୀର ଛାତ୍ର । ଜଗତସିଂହପୁରର ସୋସଲିଷ୍ଟ ନେତା, ବୟାଳିଶି ବିପ୍ଲବର ବନ୍ଦୀ-ପୁରୁଷ ପ୍ରିୟନାଥ ଦେଙ୍କ ଦ୍ଵାରା ସେଇ ଛାତ୍ରଜୀବନରୁ ସମାଜବାଦୀ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇଥାଏ ସତ୍ୟ, କିନ୍ତୁ ପାର୍ଟି ସପକ୍ଷରେ ଏବଂ କଂଗ୍ରେସ ବିପକ୍ଷରେ ନିର୍ବାଚନ ପ୍ରଚାର କଲାଭଳି ଜ୍ଞାନ ବା ଅଭିଜ୍ଞତା ମୋର ନ ଥିଲା । ମୁଣ୍ଡ ଉପରେ ମଧ୍ୟ ମ୍ୟାଟ୍ରିକ୍‌ ପରୀକ୍ଷା । ପାଠପଢ଼ା ଛାଡ଼ି ନିର୍ବାଚନ ପ୍ରଚାରରେ ପଠାଇବା ପାଇଁ ବାପା ସ୍ଵାଭାବିକ ଭାବରେ କୁଣ୍ଠିତ ଥିଲେ । କିନ୍ତୁ ବାପା ଯେତେବେଳେ କହିଲେ ସେ ଦଶମ ଶ୍ରେଣୀର ଛାତ୍ର । ତା’ କଥା ଶୁଣି ବିନୋଦବାବୁଙ୍କୁ କିଏ ଭୋଟ ଦେବ ?’’ ଯୁଧିଷ୍ଠିରବାବୁ ଉତ୍ତର ଦେଇଥିଲେ-ବିନୋଦ କାନୁନ୍‌ଗୋ ବି କଲିଜିଏଟ୍‌ ସ୍କୁଲରେ ଦଶମଶ୍ରେଣୀ ଛାତ୍ର ଥିବାବେଳେ ଗାନ୍ଧିଜୀଙ୍କ ଡାକରାରେ ପାଠ ପଢ଼ା ଛାଡ଼ିଥିଲେ । ସେ ଆଜି ଓଡ଼ିଶାର ଦଶଜଣ ବଡ଼ ଭଲ ମଣିଷଙ୍କ ମଧ୍ୟରେ ଜଣେ । ଆପଣ ବିଭୂତିକୁ ବିନୋଦବାବୁଙ୍କ ନିର୍ବାଚନ ପ୍ରଚାର ପାଇଁ ବାଟ ଛାଡ଼ନ୍ତୁ ।

 

ବାପା ନାହିଁ କରି ପାରି ନ ଥିଲେ । ମୁଁ ସୋସଲିଷ୍ଟ ପାର୍ଟି ପାଇଁ ନିର୍ବାଚନ ପ୍ରଚାରରେ ବାହାରିବା ପରେ ମୋ ଭଳି ଅନେକ ସ୍କୁଲ ଛାତ୍ର ଆମ ସହିତ ଯୋଗ ଦେଇଥିଲେ । ବିନୋଦ କାନୁନ୍‌ଗୋଙ୍କ କଥା ମୁଁ ଆଗରୁ ଶୁଣିଥିଲି । କିନ୍ତୁ କେବେ ଦେଖି ନ ଥିଲି । ଏଇ ନିର୍ବାଚନ ବେଳେ ତାଙ୍କ ସହିତ ପଳାଶୋଳଠାରେ ଆୟୋଜିତ ଏକ ପାର୍ଟିର କର୍ମୀ ସମ୍ମିଳନୀରେ ପ୍ରଥମ ଦେଖା ହେଲା ! ଶୁଭ୍ର ଖଦଡ଼ ବସ୍ତ୍ର ପରିହିତ ମଧ୍ୟମ ଉଚ୍ଚତାର ସେଇ ଉଜ୍ଜ୍ୱଳ-ପୁରୁଷ ଜଣେ ସମାଜବାଦୀ ବିପ୍ଲବୀ ନୁହଁନ୍ତି, ଜଣେ ଗାନ୍ଧିବାଦୀ ସନ୍ନ୍ୟାସୀ ଭଳି ମନେ ହୋଇଥିଲେ । ସୋସଲିଷ୍ଟ ପାର୍ଟି କର୍ମୀ ସମ୍ମିଳନୀରେ ଏତେ ସଂଖ୍ୟକ ଅଳ୍ପବୟସ୍କ କିଶୋର ଛାତ୍ରଙ୍କୁ ଦେଖି ସେ ଖୁବ୍‍ ଉଲ୍ଲସିତ ହୋଇଥିଲେ-। ତାଙ୍କ ଆସିବା ଆଗରୁ କଂଗ୍ରେସପ୍ରାର୍ଥୀ ମନ୍ତ୍ରୀ ରାଜକୃଷ୍ଣ ବୋଷ ପଳାଶୋଳଠାରେ ଏକ ନିର୍ବାଚନ ସଭାରେ ଛାତ୍ରମାନେ ପାଠପଢ଼ା ଛାଡ଼ି ରାଜନୀତିରେ ଯୋଗ ଦେବା ଉଚିତ ନୁହେଁ ବୋଲି କହିଥିଲେ । ସେଥିପାଇଁ ଆମ ଭିତରୁ ଅନେକଙ୍କ ଅଭିଭାବକ ସୋସଲିଷ୍ଟ ପାର୍ଟି ନିର୍ବାଚନ ପ୍ରଚାରରେ ନିଜ ପୁଅ, ଭାଇଙ୍କୁ ପଠାଇବା ପାଇଁ କୁଣ୍ଠା ପ୍ରକାଶ କରୁଥିଲେ । କଂଗ୍ରେସ ବିରୁଦ୍ଧରେ ପ୍ରଚାର କଲେ ଭବିଷ୍ୟତରେ ସରକାରୀ ଚାକିରି ମିଳିବାର ଭୟ ମଧ୍ୟ ଅନେକଙ୍କୁ ଶଙ୍କିତ କରିଥିଲା-। ଆମେ ଯେତେବେଳେ କର୍ମୀ ସମ୍ମିଳନୀରେ ସେ ପ୍ରସଙ୍ଗ ଉପସ୍ଥାପନ କଲୁ, ବିନୋଦବାବୁ ମୃଦୁହସି ଉତ୍ତର ଦେଇଥିଲେ ରାଜକୃଷ୍ଣବାବୁ ଅଧାରୁ ପାଠପଢ଼ା ଛାଡ଼ି ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ ବୋଲି ଆଜି ମନ୍ତ୍ରୀ ହେଇଛନ୍ତି । ଆଉ ତମକୁ କେହି ପାଠପଢ଼ା ଛାଡ଼ିବା ପାଇଁ କହୁ ନାହାନ୍ତି । କିନ୍ତୁ ଛାତ୍ର ଜୀବନରୁ ଦେଶର ରାଜନୀତିରେ କେବଳ ଭାଗ ନେବା ପାଇଁ ଆଶା କରୁଛୁ । ଆଉ ମୁଁ କହୁଛି-ତମ ପିଲାମାନେ ଯେଉଁମାନେ ସୋସଲିଷ୍ଟ ପାର୍ଟି ପାଇଁ ପ୍ରଚାର କରୁଛ, କଂଗ୍ରେସ ମନ୍ତ୍ରୀ କିମ୍ବା ସରକାରକୁ ଗାଳି ଦେବା ତମର କାମ ନ ହେଉ । ତମେ ସବୁ ପଢ଼ି ବୁଝି ପାରୁଥିବା ଭଳି ଭାଷାରେ ମୁଁ ଖଣ୍ଡେ ଛୋଟ ବହି ଲେଖୁଛି, ସେ ବହିର ନାଁ ‘‘ଭୋଟ କଥାଟା କ’ଣ ?’’ ଯେଉଁମାନେ ଲେଖି ପଢ଼ି ଜାଣି ନାହାଁନ୍ତି, ତମେ ସବୁ ସେମାନଙ୍କୁ ଏ ଭୋଟ କଥାର ମହତ୍ତ୍ୱ ବୁଝାଅ-। ନିର୍ବାଚନ ପରେ ବିଧାନ ସଭାରେ ସରକାରଙ୍କ ଜନବିରୋଧୀ କାର୍ଯ୍ୟରେ ଅଙ୍କୁଶ ଲଗାଇବା ପାଇଁ ଏକ ପ୍ରଗତିଶୀଳ ବିରୋଧୀ ଦଳର ଆବଶ୍ୟକତା ରହିଛି । ସୋସଲିଷ୍ଟ ପାର୍ଟି ସରକାର ଗଢ଼ିବା ପାଇଁ ନୁହେଁ, ଲୋକସ୍ଵାର୍ଥର ଜାଗ୍ରତ ପ୍ରହରୀ ଭାବରେ ବିଧାନ ସଭାରେ କାର୍ଯ୍ୟ କରିବା ପାଇଁ ନିର୍ବାଚନ ହେଉଛି । ଲୋକେ ଯାହାକୁ ଭୋଟ ଦିଅନ୍ତୁ ନା କାହିଁକି-ନିଶ୍ଚୟ ଭୋଟ ଦିଅନ୍ତୁ । ଟଙ୍କା ପଇସା ଭୋଜିଭାତରେ ନ ଭୁଲି ନିର୍ଭୟରେ ଭୋଟ ଦିଅନ୍ତୁ- ତମେ ସବୁ ଘର ଘର ବୁଲି ଲୋକଙ୍କୁ ଏଇ କଥା ବୁଝାଅ ।

 

ବିନୋଦବାବୁଙ୍କ ସେଇ ‘‘ଭୋଟ କଥାଟା କ’ଣ ?’’ ଆମ ନିର୍ବାଚନ ପ୍ରଚାରର ପ୍ରଧାନ ହତିଆର ହୋଇଥିଲା । ତାଙ୍କର ସେଇ ବାଣୀ ମନ୍ତ୍ରଭଳି କାମ କରିଥିଲା । ଆମ ପଳାଶୋଳ ବୁଥିରୁ ସେ କଂଗ୍ରେସ ପ୍ରାର୍ଥୀଙ୍କ ଅପେକ୍ଷା ଅଧିକ ଭୋଟ ପାଇଥିଲେ-ଯଦିଓ ଅନ୍ୟତ୍ର କଂଗ୍ରେସପ୍ରାର୍ଥୀ ଅଧିକ ଭୋଟ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

 

ନିର୍ବାଚନରେ ହାରିଗଲା ପରେ ବିନୋଦବାବୁ ସୋସଲିଷ୍ଟ ପାର୍ଟିର ସାପ୍ତାହିକ ମୁଖପତ୍ର ‘କୃଷକ’ର ସମ୍ପାଦକ ହୋଇଥିଲେ । ୧୯୫୩ ମସିହାରେ ମୁଁ ଯେତେବେଳେ କଲେଜରେ ପଢ଼ିବା ପାଇଁ କଟକ ଗଲି, ଓଡ଼ିଆ ବଜାର ପାର୍ଟି ଅଫିସ୍‌ରେ ଥରେ ତାଙ୍କ ସହ ଦେଖା ହେଲା । ଦେଖିଲାମାତ୍ରେ କହିଲେ- ବିଭୂତି ! ତମକୁ ମୁଁ ମନେ ମନେ ଖୋଜୁଥିଲି । ମୁଁ ‘କୃଷକ’ର ସମ୍ପାଦନା ଦାୟିତ୍ୱ ନେଇଛି । ଏଥିରେ ତମର ସହଯୋଗ ଚାହୁଁଛି । ‘କୃଷକ’ ପ୍ରେସ୍‌କୁ ଚାଲ ।

 

ପ୍ରିୟଦା ମତେ ପାର୍ଟି ଅଫିସ୍‌ ଚିହ୍ନାଇ ଦେଇ ଯାଇଥିଲେ । ବିନୋଦବାବୁ ମତେ ଗଙ୍ଗାମନ୍ଦିର ‘କୃଷକ’ ପ୍ରେସ୍‌ରେ ଗୋରାଚାନ୍ଦ ମିଶ୍ରଙ୍କ ସହ ଚିହ୍ନା ପରିଚୟ କରାଇ ଦେଲେ । କହିଲେ- ଗୋରା ! ଏଇ ହେଲେ ଉଦୀୟମାନ ଲେଖକ ବିଭୂତି ପଟ୍ଟନାୟକ । ତମେ ତାଙ୍କୁ ‘କୃଷକ’ରେ ଲେଖା ଲେଖି, ଛପାଛପି କାମରେ ଲଗାଅ ।

 

ବିନୋଦବାବୁ ‘କୃଷକ’ର ସମ୍ପାଦନା ଦାୟିତ୍ଵ ନେଲା ପରେ କାଗଜର ବିକ୍ରି ଦୁଇଗୁଣ ବଢ଼ି ଯାଇଥିଲା । ସେ କେବଳ ପ୍ରଥମ ପୃଷ୍ଠାର ପ୍ରଚ୍ଛଦ କାହାଣୀ ଓ ସମ୍ପାଦକୀୟ ଲେଖି ଦେଇ ଯାଉଥିଲେ । ବାକି ସବୁ କାମ ଗୋରାଚାନ୍ଦ ମିଶ୍ରଙ୍କୁ କରିବାକୁ ହେଉଥିଲା । ସମ୍ପାଦକଙ୍କ ପରାମର୍ଶ ଅନୁସାରେ ମତେ ପ୍ରଥମେ ଗୋରାଚାନ୍ଦବାବୁ ପ୍ରୁଫ୍‌ ରିଡ଼ିଂ ଏବଂ ନିଉଜ୍‌ ଏଡ଼ିଟିଂ କାମରେ ଲଗାଇଥିଲେ । ପରେ ଫିଚର ଲେଖା ଓ ଅନୁବାଦ ଦାୟିତ୍ଵ ମତେ ସମ୍ଭାଳିବାକୁ ହୋଇଥିଲା ।

 

ପ୍ରଥମ ସାଧାରଣ ନିର୍ବାଚନ ବେଳେ ତାଙ୍କ ସହିତ ପରିଚୟ ହୋଇଥଲା, ‘କୃଷକ’ରେ ତାଙ୍କ ସହିତ କାମ କଲାବେଳେ ଏକ ପ୍ରକାର ଆତ୍ମୀୟତା ଆସିଗଲା । ବିନୋଦବାବୁ ଜଣେ ସ୍ନେହୀ ମଣିଷ ଖୁବ୍‌ କମ୍‌ ସମୟ ମଧ୍ୟରେ ସେ ଅନ୍ୟକୁ ଆପଣାର କରିନେଇ ପାରୁଥିଲେ । ତାଙ୍କ ସାନିଧ୍ୟରେ ଯେତେ ଆସିଲି, ତାଙ୍କୁ ସେତେ ଘନିଷ୍ଠ ଭାବରେ ଚିହ୍ନିଲି । ସେ ମାର୍କ୍ସବାଦୀ ସୋସଲିଷ୍ଟ ନ ଥିଲେ, ଥିଲେ ଜଣେ ଗାନ୍ଧିବାଦୀ ସୋସଲିଷ୍ଟ । ସ୍ଵାଧୀନତା ପୂର୍ବରୁ ୧୯୩୩-୩୪ ମସିହାରେ ଓଡ଼ିଶାରେ କଂଗ୍ରେସ ମଧ୍ୟରେ ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ର ଦ୍ୱିବେଦୀ ଏବଂ ମାଳତୀ ଚୌଧୁରୀ ପ୍ରମୁଖ ଯେଉଁ ପ୍ରଥମେ ସାମ୍ୟବାଦୀ କର୍ମୀସଂଘ ଓ ପରେ ଯେଉଁ କଂଗ୍ରେସ ସୋସଲିଷ୍ଟ ପାର୍ଟି ସ୍ଥାପନ କରିଥିଲେ, ସେମାନଙ୍କ ସହିତ ବିନୋଦବାବୁଙ୍କର କୌଣସି ଯୋଗସୂତ୍ର ନ ଥିଲା । ସେ ଦଳୀୟ ରାଜନୀତିଠାରୁ ନିଜକୁ ଦୂରେଇ ରଖି ଗୋପବନ୍ଧୁ ଚୌଧୁରୀ-ରମାଦେବୀଙ୍କ ସହିତ ବରି ଆଶ୍ରମରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ ଗଠନମୂଳକ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଥିଲେ । ୧୯୪୨ ଅଗଷ୍ଟ ଆନ୍ଦୋଳନରେ ଭାଗ ନେଇ ସେ ବ୍ରହ୍ମପୁର ଜେଲରେ ଥିଲାବେଳେ ମାର୍କ୍ସବାଦୀ, ଜନନେତା, ଗଡ଼ଜାତ ଆନ୍ଦୋଳନରେ ଗାନ୍ଧି ସାରଙ୍ଗଧର ଦାସଙ୍କ ସହ ତାଙ୍କର ଘନଷ୍ଠ ସମ୍ପର୍କ ଥିଲା । ସେଇ ବ୍ରହ୍ମପୁର ଜେଲରେ ସାରଙ୍ଗଧରବାବୁଙ୍କ ଆତ୍ମଜୀବନୀ ‘ଦୁଇ ଗୋଲାର୍ଦ୍ଧ’ର ଦ୍ୱିତୀୟ ଭାଗ ସେ ତାଙ୍କ ମୁହଁରୁ ଶୁଣି ଖାତାରେ ଲେଖି ନେଇଥିଲେ । କିନ୍ତୁ ସାରଙ୍ଗଧର ଦାସଙ୍କ ରାଜନୈତିକ ଆଦର୍ଶ-ମାର୍କ୍ସବାଦ ପ୍ରତି ସେ ଆକୃଷ୍ଟ ହୋଇ ନ ଥିଲେ । ଜେଲ୍‌ ଭିତରେ ସାରଙ୍ଗଧର ଦାସ, ବିଶ୍ଵନାଥ ପଣ୍ଡିତ, କଣ୍ଡୁରିଚରଣ ମଲ୍ଲିକ ପ୍ରମୁଖ ସମାଜବାଦ- ମାର୍କ୍ସବାଦ ସାମ୍ୟବାଦ ସମ୍ପର୍କରେ ତାତ୍ତ୍ୱିକ ଆଲୋଚନା କଲାବେଳେ ସେ ଜାତୀୟ କବି ବୀରକିଶୋର ଦାସ, ରାଧାନାଥ ରଥ ପ୍ରମୁଖ କଂଗ୍ରେସ ନେତାଙ୍କ ସହ ଗାନ୍ଧିଜୀଙ୍କ ବିଚାରଧାରା ବିଷୟରେ ଚର୍ଚ୍ଚା କରୁଥିଲେ । ସ୍ଵାଧୀନତା ପରେ ସୋସଲିଷ୍ଟମାନେ କଂଗ୍ରେସ ଛାଡ଼ି ଅଲଗା ଦଳ ଗଢ଼ିଲାବେଳେ, ଗାନ୍ଧିଜୀଙ୍କ ତିରୋଧାନ ପରେ କ୍ଷମତା ରାଜନୀତିଠାରୁ ନିଜକୁ ଦୂରରେ ରଖି ଗଠନମୂଳକ କାର୍ଯ୍ୟ କରିବାକୁ ଚାହୁଁଥିବା ଗାନ୍ଧିଜୀଙ୍କ ଶିଷ୍ୟମାନେ ସର୍ବୋଦୟ ଆନ୍ଦୋଳନ ଗଢ଼ି ତୋଳିଥିଲେ । ବିନୋଦବାବୁ ଶାସକ କଂଗ୍ରେସ ଦଳ କିମ୍ବା କଂଗ୍ରେସ-ବିରୋଧୀ ସୋସଲିଷ୍ଟ ପାର୍ଟିରେ ଯୋଗ ଦେଇ ନ ଥିଲେ । ଗାନ୍ଧିଜୀଙ୍କ ପରାମର୍ଶ ଅନୁସାରେ ନିଜ ଗ୍ରାମରେ ରହି ଗ୍ରାମସଂଗଠନ କାର୍ଯ୍ୟରେ ଲିପ୍ତ ଥଲେ । କିନ୍ତୁ ଓଡ଼ିଶାର ସବୋଦୟ ନେତା ଗୋପବନ୍ଧୁ ଚୌଧୁରୀଙ୍କ ସହ ତାଙ୍କର ଯୋଗସୂତ୍ର ସଂରକ୍ଷିତ ଥିଲା । କିନ୍ତୁ ୧୯୫୧-୫୨ ମସିହାରେ ଯେତେବେଳେ ସାଧାରଣ ନିର୍ବାଚନ ହେବା କଥା ଜଣା ପଡ଼ିଲା, ସେତେବେଳେ କଂଗ୍ରେସ ଓ ସୋସଲିଷ୍ଟ ପାର୍ଟି ଉଭୟ ପକ୍ଷରୁ ବିଧାନସଭା ପାଇଁ ପ୍ରାର୍ଥୀ ହେବାକୁ ତାଙ୍କ ଉପରେ ଚାପ ପଡ଼ିଲା । ସେ ଚାହଁଥିଲେ ଶାସକ କଂଗ୍ରେସ ଦଳର ପ୍ରାର୍ଥୀ ହୋଇ ସହଜରେ ବିଧାନସଭାକୁ ନିର୍ବାଚିତ ହୋଇ ପାରିଥାଆନ୍ତେ । ରାଧାନାଥ ରଥଙ୍କ ପରି ମନ୍ତ୍ରୀ ହେବାରେ ମଧ୍ୟ ତାଙ୍କର କୌଣସି ଅସୁବିଧା ନ ଥିଲା । କିନ୍ତୁ ସୋସଲିଷ୍ଟ ପାର୍ଟି ଟିକଟରେ ଲଢ଼ି ଜିତିବା ଯେ ସହଜ ହେବ ନାହିଁ, ସେ କଥା ମଧ୍ୟ ତାଙ୍କୁ ଜଣା ଥିଲା । କିନ୍ତୁ ହାରିବା ପାଇଁ ସେ କିଶନନଗରରୁ ସୋସଲିଷ୍ଟ ପାର୍ଟି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ କାହିଁକି ?

 

ଏ ସମ୍ପର୍କରେ ତାଙ୍କ ଆତ୍ମଜୀବନୀରେ ସେ କିଛି ଉଲ୍ଲେଖ କରି ନାହାଁନ୍ତି । ଆମେ ପଚାରିଲେ, ସେ ଗୋଟିଏ ଉତ୍ତର ଦେଉଥିଲେ-ଦେଶ ସ୍ୱାଧୀନ ହେଲା ପରେ ଗାନ୍ଧିଜୀ ଯେଉଁ ପ୍ରକାର ଆତ୍ମନିର୍ଭରଶୀଳ ସାମ୍ୟ ସମାଜ ଗଠନର ସ୍ୱପ୍ନ ଦେଖୁଥିଲେ, ନେହେରୁ କଂଗ୍ରେସ ନିଜ କାର୍ଯ୍ୟକଳାପ ଦ୍ୱାରା ସେ ସ୍ୱପ୍ନକୁ ଚୁରମାର କରିଦେଲେ । ଓଡ଼ିଶାରେ ନବବାବୁ ମୁଖ୍ୟମନ୍ତ୍ରୀ ହେଲା ପରେ ଗାନ୍ଧିବାଦୀ ସ୍ଵାଧୀନତା ସଂଗ୍ରାମୀମାନଙ୍କ ପରାମର୍ଶ ଗ୍ରହଣ ନ କରି ବ୍ରିଟିଶ୍‌ ସରକାରଙ୍କ ଆଜ୍ଞାବହ ସରକାରୀ ଅଫିସରମାନଙ୍କ ଆଙ୍ଗୁଠି ନିର୍ଦ୍ଦେଶମାନି ଶାସନ ଚଳାଉଥିଲେ । ତେଣୁ ନବବାବୁ-ମହତାବବାବୁଙ୍କ କଂଗ୍ରେସରେ ମୋର ପ୍ରାର୍ଥୀ ହେବା ପ୍ରଶ୍ନ ନ ଥିଲା । ଓଡ଼ିଶାରେ ଦ୍ଵୀବେଦୀ-ସାରଙ୍ଗଧରବାବୁଙ୍କ ସୋସଲିଷ୍ଟ ପାର୍ଟି ଯେଉଁ ସମାଜବାଦୀ ସମାଜ ଗଠନ ପାଇଁ ଲଢ଼ୁଥିଲା, ସେହି ଶୋଷଣହୀନ ସମାଜବାଦୀ ସମାଜ ସହିତ ଗାନ୍ଧିଜୀଙ୍କ ଗ୍ରାମ-ସ୍ଵରାଜର ଅନେକ ମେଳ ଥିଲା । ତେଣୁ ଲଢ଼ିକି ଯଦି ହାରିବ ପଛେ ସୋସଲିଷ୍ଟ ପାର୍ଟି ପ୍ରାର୍ଥୀ ହେବି ବୋଲି ମନ ସ୍ଥିର କରିନେଲି । କିନ୍ତୁ କ୍ଷମତା ରାଜନୀତି ମୋ କପ୍‌ର ଚା ନୁହେଁ । ଗାନ୍ଧିଜୀଙ୍କ ଡାକରାରେ ଅଧାରୁ ପାଠ ଛାଡ଼ି ଦେଇଥିବା ମୁଁ ଜଣେ ଅଧା-ପାଠୁଆ ଲୋକ । ବାକି ଜୀବନତକ ପାଠପଢ଼ା, ବହିଲେଖାରେ ବିତାଇବି ବୋଲି ଠିକ୍‌ କରିଛି ।

 

ସତକୁ ସତ ୧୯୫୩, ମସିହା ଶେଷ ବେଳକୁ ‘କୃଷକ’ର ସମ୍ପାଦନା ଛାଡ଼ି ବିନୋଦବାବୁ ଓଡ଼ିଆ ଭାଷାରେ ବିଶ୍ଵକୋଷ ରଚନା କରିବା ଲାଗି ସଂକଳ୍ପ କରିଥିଲେ । ତାଙ୍କ ସାଙ୍ଗରେ ଦେଖା ହେଲେ କହୁଥି‌ଲେ- ବିଭୂତି ! ମୁଁ ଓଡ଼ିଆରେ ଯେଉଁ ‘ଜ୍ଞାନମଣ୍ଡଳ’ ଲେଖିଦେଇପାରିବି ବୋଲି ଭାବୁଛି, ସେ କଥା ‘ବର୍ତ୍ତମାନ ତମକୁ କହିଲେ ତମେ ବିଶ୍ୱାସ କରିବ ନାହଁ । ଜଣେ ବ୍ୟକ୍ତି ଯେତେ ଜ୍ଞାନୀ, ଗୁଣୀ ହେଉ- ଜଣକ ଚେଷ୍ଟାରେ କୌଣସି ଭାଷାରେ ଏ ପର୍ଯ୍ୟନ୍ତ ବିଶ୍ୱକୋଷ ବା ଏନ୍‌ସାଇକ୍ଲୋପେଡ଼ିଆ ରଚିତ ହୋଇ ନାହିଁ । କିନ୍ତୁ ଗାନ୍ଧିଜୀଙ୍କଠାରୁ ଶିଖିଛି- ସମାଜରେ ମଙ୍ଗଳ ପାଇଁ ଜଣେ ଲୋକ ଯାହା ଚାହିଁବ, ତାହା ନିଶ୍ଚୟ କରିପାରିବ । ଯେତେବେଳେ ମୁଁ ଏ କାମ ଆରମ୍ଭ କରିବି- ତମର ସାହାଯ୍ୟ ମଧ୍ୟ ଲୋଡ଼ିବି ।

 

କଲିଜିଏଟ୍‌ ସ୍କୁଲରୁ ଦଶମ ଶ୍ରେଣୀଠୁ ପାଠ ପଢ଼ା ଛାଡ଼ିଥିଲେ ୧୯୩୦ ମସିହାରେ । ୧୯୫୪ ମସିହାରେ ରେଭେନ୍‌ସା କଲେଜ ପରିଜା-ପାଠାଗାରରେ ନୂଆକରି ପାଠପଢ଼ା ଆରମ୍ଭ କରିଥିଲେ ବିନୋଦ କାନୁନ୍‍ଗୋ । କଳା, ବିଜ୍ଞାନ, ଇତିହାସ, ଭୂଗୋଳର ଜଟିଳ ତତ୍ତ୍ୱ ବିଷୟରେ ସବିଶେଷ ଜ୍ଞାନ ଅର୍ଜନ କରି ତାକୁ ନିଜର ଯାଦୁକରୀ ସରଳ ଭାଷାରେ ଲେଖି ପ୍ରକାଶ କରିବାର ସାଧନା ସେଇଦିନୁ ତାଙ୍କର ଆରମ୍ଭ ହୋଇଥିଲା ।

 

୧୯୬୦ ମସିହାରେ ମୁଁ ଇତିହାସ ଶାସ୍ତ୍ରରେ ରେଭେନ୍ସା କଲେଜରୁ ଏମ୍‌.ଏ. ପାସ୍‌ କରି ସାମାଜିକ ଶିକ୍ଷା ବିଭାଗରେ ଲେଖକ-ଅନୁବାଦକ ଭାବରେ ଯୋଗ ଦେଇଥାଏ । ବିନୋଦବାବୁଙ୍କ ଡି.ପି.ଆଇ ଅଫିସ୍‌ ପାଖ ଭାଷାକୋଷ ଲେନ୍‍ରେ ଜ୍ଞାନମଣ୍ଡଳ ଅଫିସ୍‌ । ସାମାଜିକ ଶିକ୍ଷା ବିଭାଗ ତରଫରୁ ନବସାକ୍ଷରମାନଙ୍କ ପାଇଁ କେତେଖଣ୍ଡ ବହି ଲେଖାଇ ନେବା ଲାଗି ମତେ ଜ୍ଞାନମଣ୍ଡଳ ଅଫିସ୍‌କୁ ଯିବାକୁ ପଡ଼େ । ସେତେବେଳେ ଜ୍ଞାନମଣ୍ଡଳ ପ୍ରଥମ ଖଣ୍ଡ ଛପାକାର୍ଯ୍ୟ ଚାଲିଥାଏ । ମୁଁ ପ୍ରଶ୍ନ କରେ- ଛଅ ବର୍ଷ ପରେ ‘ଜ୍ଞାନମଣ୍ଡଳ’ ପ୍ରଥମ ଖଣ୍ଡ ପ୍ରକାଶ ପାଇବାକୁ ଯାଉଛି, ଅବଶିଷ୍ଟ ଖଣ୍ଡମାନ କେବେ ବାହାରିବ ।

 

ବିନୋଦବାବୁ ହସିଦେଇ କହିଲେ- ଅନ୍ୟ ଖଣ୍ଡମାନଙ୍କର ଲେଖା କାମ ଅଧା ଅଧି ସରିଗଲାଣି । ଓଡ଼ିଆ ଭାଷାର ସବୁ ଅକ୍ଷର ପାଇଁ ଗୋଟିଏ ଗୋଟିଏ ଫାଇଲ ଖୋଲାଯାଇଛି । କେଉଁ କେଉଁ ଅକ୍ଷରରେ କେଉଁ କେଉଁ ବିଷୟରେ କେତୋଟି ଲେଖା ରହିବ- ପ୍ରତି ଫାଇଲରେ ତାର ତଥ୍ୟ ରହିଛି । ପ୍ରଥମ ଆଠଖଣ୍ଡର ପାଣ୍ଡୁଲିପି ପ୍ରସ୍ତୁତ ହୋଇଗଲାଣି । ଅବଶିଷ୍ଟ ଖଣ୍ଡର ପାଣ୍ଡୁଲିପି ଏଇ ତିନି, ଚାରିବର୍ଷ ମଧ୍ୟରେ ସରିଯିବ । ପ୍ରଥମଖଣ୍ଡ ପ୍ରକାଶିତ ହେଲା ପରେ ଲୋକଙ୍କ ମନରେ ପତିଆର ଆସିଯିବ । ସ୍କୁଲ, କଲେଜ, ଗ୍ରାମ୍ୟପାଠାଗାରମାନେ ‘ଜ୍ଞାନମଣ୍ଡଳ' ପାଇଁ ଗ୍ରାହକ ହୋଇଗଲେ, ଅନ୍ୟ ଖଣ୍ଡମାନଙ୍କର ପ୍ରକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । ତମେ ଜାଣ- ‘ଶିଶୁ ସମ୍ପଦ’ର ଗ୍ରାହକ ସଂଗ୍ରହ ପାଇଁ ମୁଁ ସାଇକେଲ ଧରି ଏକା କେତେ ସ୍କୁଲ ବୁଲିଛି ! ତମେ ସବୁ ସାହଯ୍ୟ କଲେ ଆସନ୍ତା ଦଶବର୍ଷ ମଧ୍ୟରେ ଜ୍ଞାନମଣ୍ଡଳ ପୂରାସେଟ୍‌ ପ୍ରତିଶିକ୍ଷିତ ଲୋକଙ୍କ ଘରେ ଘରେ ପହଞ୍ଚି ଯାଇପାରିବ ।

 

ଭାଷାକୋଷ ଲେନ୍‌ ‘ଜ୍ଞାନମଣ୍ଡଳ’ ଅଫିସ୍‌ରେ ଜ୍ଞାନ- ତପସ୍ଵୀ ବିନୋଦ କାନୁନ୍‌ଗୋଙ୍କ ସହ ସେହି କେଇଦିନ ବିଚାର- ବିମର୍ଷ ମଧ୍ୟରେ ମୁଁ ତାଙ୍କର ଭିନ୍ନ ଏକ ପରିଚୟ ପାଇ ଉଲ୍ଲସିତ ହୋଇଥିଲି । ସେ କେବଳ ଜଣେ ଗାନ୍ଧିବାଦୀ ଦେଶ- ସେବକ ନ ଥିଲେ, ଥିଲେ ଜଣେ ଅନଳସ ସାହିତ୍ୟ ସାଧକ । ଭାଷା ଓ ସାହିତ୍ୟ ସେବା ମାଧ୍ୟମରେ ଦେଶ-ସେବା କରିବା ଥିଲା, ତାଙ୍କ ଜୀବନର ଲକ୍ଷ୍ୟ । ଆର୍ଥିକ ଅସୁବିଧା ଏବଂ ଶାରୀରିକ ଅସୁସ୍ଥତା ତାଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିପାରି ନ ଥିଲା । ନିଜ ଜୀବନ କାଳ ମଧ୍ୟରେ ଓଡ଼ିଆ ବିଶ୍ଵକୋଷ ‘ଜ୍ଞାନମଣ୍ଡଳ’ ଚାଳିଶି ଖଣ୍ଡ ପ୍ରକାଶ କରି ସେ ଓଡ଼ିଆ ଜାତିକୁ ଋଣୀ କରି ଦେଇଗଲେ । ତାଙ୍କର ସେ ଋଣ ପରିଶୋଧ କରିବା ଆମ ପକ୍ଷରେ ବିଡମ୍ବନା ମାତ୍ର ।

 

 

୩-ଏଚ୍‌, ଲୁଇସ୍‌ରୋଡ଼

ଭୁବନେଶ୍ୱର

 

***

 

ଜାତିର ଗର୍ବ ଓ ଗୌରବ

ସାତକଡ଼ି ହୋତା

 

ସଭା ସମିତିରେ, କଥାରେ କଥାରେ ଦେଶ କାଳ ପାତ୍ର ବିବେଚନା ନ କରି ବକ୍ତାମାନେ ପ୍ରଗଳ୍‌ଭ ଚିତ୍ତରେ କହିଯାନ୍ତି, ଇଏ ଆମର ଗର୍ବ ଓ ଗୌରବ । ସେପରି କହିଲାବେଳେ ସେମାନଙ୍କର ମନେ ନ ଥାଏ ଯେ ସେମାନେ ଯାହାଙ୍କୁ ଜାତିର ଗର୍ବ ଓ ଗୌରବ କହୁଛନ୍ତି ସେ ସେପରି ଅସାମାନ୍ୟ ଯୋଗ୍ୟତାର ପାତ୍ର ନୁହନ୍ତି, କିନ୍ତୁ ଅସାଧାରଣ ବ୍ୟକ୍ତିତ୍ଵର ଅଧିକାରୀ ସ୍ରଷ୍ଟା ଓ ଲେଖକ ବିନୋଦ କାନୁନ୍‌ଗୋଙ୍କୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ କହିବା ଦ୍ଵାରା ସତ୍ୟର ଅପଳାପ ହେବ ନାହିଁ - ବରଂ ପ୍ରକୃତ ପ୍ରତିଭା ପୂଜା କରିବା ଦିଗରେ ଏହା ହେବ ସେହି ବିଚକ୍ଷଣ ବ୍ୟକ୍ତିତ୍ୱଙ୍କୁ ଆମର ଶ୍ରଦ୍ଧା ଓ ପୁଷ୍ପାଞ୍ଜଳି ।

 

ବିନୋଦ କାନୁନ୍‌ଗୋଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବାର ଗୌରବ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସରକାରଙ୍କ ଶିକ୍ଷା ଓ ସଂସ୍କୃତି ବିଭାଗ ମିଳିତ ଭାବରେ ନେଇପାରିଥାନ୍ତେ । ଜୀବଦ୍ଦଶାରେ ସେ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଯେତିକି କରିଛନ୍ତି ତାହା ତାଙ୍କୁ ଅମର କରି ରଖିବ । ଊନବିଂଶ ଶତାବ୍ଦୀରେ ଓଡ଼ିଆ ଭାଷା ଏକ ସ୍ଵତନ୍ତ୍ର ଭାଷା ନୁହେଁ ବୋଲି କାନ୍ତିଲାଲ ଭଟ୍ଟାଚାର୍ଯ୍ୟ ନାମକ ଜଣେ ଅର୍ବାଚିନ ପଦାଧିକାରୀ ମନ୍ତବ୍ୟ ଦେବା ପରେ ଓଡ଼ିଶାର ବୌଦ୍ଧିକ ସମାଜ ଚାଲେଞ୍ଜ ଗ୍ରହଣ କରିଥିଲା ଏହାର ପ୍ରତ୍ୟୁତ୍ତର ଦେବା ପାଇଁ । ସେଇ ଜାତୀୟ କାର୍ଯ୍ୟର ନେତୃତ୍ୱ ନେଇଥିଲେ ପ୍ରାତଃସ୍ମରଣୀୟ ଗଙ୍ଗାଧର ମେହେର, ଫକୀରମୋହନ ସେନାପତି, ରାଧାନାଥ ରାୟ, ମଧୁସୂଦନ ରାଓ ପ୍ରଭୃତି ଯୁଗଜନ୍ମା ପୁରୁଷମାନେ । ସେମାନଙ୍କର ନାମ ଉଚ୍ଚାରଣ କଲାବେଳେ ଆମ ତୁଣ୍ଡରୁ ଆପେ ଆପେ ଖସିପଡ଼େ ଯେ ସେମାନେ ଆମ ଜାତିର ଗର୍ବ ଓ ଗୌରବ । ସେହିପରି ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଆମେ ସ୍ଵତଃସ୍ପୂର୍ତ୍ତ ଭାବେ ଉଚ୍ଚ କଣ୍ଠରେ କହିପାରିବା ଯେ, ‘ପାଠ ପଛେ ପଛେ ଅପାଠୁଆ’ର ପ୍ରାତଃସ୍ମରଣୀୟ ପ୍ରଖ୍ୟାତ ସାଧକ ବିନୋଦ କାନୁନ୍‌ଗୋ ହେଉଛନ୍ତି ଆମ ଜାତିର ଗର୍ବ ଓ ଗୌରବ । କେତେକ ରାଜନେତା ଓ ବୁଦ୍ଧିଜୀବୀ କଥାରେ କଥାରେ ନିଜକୁ ଜାତିର ଗର୍ବ ଓ ଗୌରବ ଭାବୁଥିବା ଯୋଗୁ ଏହି ତିନୋଟି ଶବ୍ଦର ଅବମୂଲ୍ୟାୟାନ ହୋଇଛି ।

 

ମୁଁ ଦୀର୍ଘକାଳ ଓଡ଼ିଶା ବାହାରେ ଥିବାବେଳେ ବିନୋଦବାବୁଙ୍କ କର୍ମକୌଶଳ ଓ ସାଧନା ସମ୍ବନ୍ଧରେ ‘ସମାଜ’ ପୃଷ୍ଠାରୁ ପଢ଼ିବାର ସୁଯୋଗ ପାଉଥିଲି । ସେଇ ସୂଚନାରୁ ମୋର ହୃଦ୍‌ବୋଧ ହେଲା ଯେ ଫକୀରମୋହନ ଯୁଗରେ ଯେଉଁ କାର୍ଯ୍ୟ କରିବା ପାଇଁ ସମୟର ବା ସୁଯୋଗର ଅଭାବ ଥିଲା ତାହା ବିନୋଦବାବୁଙ୍କ ସମୟରେ ପୂର୍ଣ୍ଣ ହେବ । ଦିନେ ତାଙ୍କୁ ଦର୍ଶନ କରିବା ପାଇଁ ବାରବାଟୀ ଷ୍ଟେଡ଼ିୟମ୍‌ ଅଫିସ୍‌ରେ ଉପସ୍ଥିତ ହେଲି । ସେତେବେଳେ ସେ ବିଶ୍ୱକୋଷ ରଚନା କରୁଥାନ୍ତି । ମୋର ଆଗ୍ରହ ଦେଖି ସେ ପ୍ରାୟ ଘଣ୍ଟାଏ କାଳ ମୋତେ ବିଶ୍ୱକୋଷ ରଚନା କରିବା କାମ କାହିଁକି ହାତକୁ ନେଲେ ଏବଂ ସେ ଦିଗରେ ସେ ପର୍ଯ୍ୟନ୍ତ କଣ ସବୁ ହୋଇଥିଲା ତାହା ବୁଝାଇଲେ । ସେତେବେଳେ ମୁଁ ଜାଣିନଥିଲି ଯେ ଦଶମ ଶ୍ରେଣୀରୁ ପାଠ ଛାଡ଼ି ଗାନ୍ଧିଜୀଙ୍କ ଡାକରେ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ପରେ ତାଙ୍କ ରଚନା ‘ପାଠ ପଛେ ପଛେ ଅପାଠୁଆ’ ପୁସ୍ତକ ପଢ଼ି ଜାଣିଲି ଯେ ସେ ପାଠ ଛାଡ଼ି ଦେବା କାମରେ ଝାସ ଦେଲାବେଳେ ସଂକଳ୍ପ କରିଥିଲେ ‘ପାଠ ଛାଡ଼ିବେ ସିନା, ପଢ଼ା ଛାଡ଼ିବେ ନାହିଁ ।’ ସେହି ସଂକଳ୍ପରୂ ଆରମ୍ଭ କରିଥିଲେ ବିଶ୍ୱକୋଷ ରଚନା ଓ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ଅନନ୍ୟ ସାଧନା ।

 

ବିଶ୍ୱକୋଷ ରଚନା କଲାବେଳେ ସେ ଅନୁଭବ କରିଥିଲେ ଯେ ଆମ ଭାଷା ଶକ୍ତିଶାଳୀ ଏବଂ ଏହାର କ୍ଷମତା ଅଛି କଳା, ଦର୍ଶନ, ବିଜ୍ଞାନ, ପ୍ରଯୁକ୍ତି- ସବୁକୁ ଧାରଣ ଓ ପ୍ରସାରିତ କରିବା ପାଇଁ । ନିଜର ସାଧନାକୁ ଫଳପ୍ରସୂ କରିବା ନିମନ୍ତେ ସେ ଦିନେ ନୁହେଁ, କେତେ ଦିନ ଡାକ୍ତରମାନଙ୍କ ସହାୟତା ନେଇ ଅପରେସନ ଟେବୁଲରେ ରୋଗୀ ଥିଲାବେଳେ ବିଭିନ୍ନ କାର୍ଯ୍ୟ, ଯନ୍ତ୍ରପାତି ଏବଂ ଶରୀର ବିଜ୍ଞାନ ସମ୍ପର୍କରେ ଦୁର୍ଲଭ ତଥ୍ୟ ସଂଗ୍ରହ କରିଥିଲେ । ଏହାପରେ ଡାକ୍ତରମାନଙ୍କର ତୁଣ୍ଡରେ ବାରମ୍ବାର ଯେଉଁ ସବୁ ଇଂରାଜୀ ଶବ୍ଦ ଶୁଣିଥିଲେ ନିଜର ଅନ୍ୱେଷା ଓ ଜିଜ୍ଞାସା ବଳରେ ସେସବୁ ଇଂରାଜୀ ଶବ୍ଦର ଓଡ଼ିଆ ପ୍ରତିଶବ୍ଦ ବାହାର କଲେ । ଜ୍ଞାନାର୍ଜନ ପାଇଁ ଏପରି ଅନନ୍ୟ ସାଧନା କମ୍‌ ଲୋକଙ୍କର ଥାଏ । ଗାନ୍ଧିଜୀଙ୍କ ବ୍ୟକ୍ତିଗତ ସମ୍ବାଦଦାତା ଭାବେ କାର୍ଯ୍ୟକରି ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇ ଜେଲରେ ସମୟ କଟାଇଥିବା ଏଇ ସମର୍ଥ ନିଷ୍କପଟ ବିନୋଦବାବୁ ଉଚ୍ଚଶିକ୍ଷା ନ ପାଇ ମଧ୍ୟ ଉଚ୍ଚ ଶିକ୍ଷିତମାନଙ୍କ ଶିକ୍ଷକଙ୍କଠାରୁ ଅଧିକ ଜ୍ଞାନ ଓ ଯୋଗ୍ୟତା ଅର୍ଜନ କଲେ । ଏହା ତାଙ୍କ ଜୀବନଗାଥାରୁ ଜାଣିବା ସହଜ ହୁଏ । ତାଙ୍କ ମାମୁଁ ପ୍ରସିଦ୍ଧ ସାହିତ୍ୟିକ ଓ ଗବେଷକ ସ୍ଵର୍ଗତ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ବିଚକ୍ଷଣ ସାହିତ୍ୟ ସାଧନା ଓ ଭାଷାଜ୍ଞାନର ପ୍ରଭାବ ଯେ ଇଷ୍ଟ ହଷ୍ଟେଲରେ ମାମୁଁଙ୍କ ସହିତ ରହି ସ୍କୁଲରେ ପଢ଼ୁଥିବାବେଳେ ତାଙ୍କ ଉପରେ ପଡ଼ିଥିବ ଏହା ନିଶ୍ଚିତ । କିନ୍ତୁ ଦଶମ ଶ୍ରେଣୀ ସଂପୂର୍ଣ୍ଣ ନ କରି ବିଶ୍ୱକୋଷ ରଚନା କରିବା ଯେ ଏଭରେଷ୍ଟ ଆରୋହଣ ପରି ଏକ ଦୁଃସାଧ୍ୟ କାର୍ଯ୍ୟ ତାହା ସେ ଅନୁଭବ କରିଥିବେ ନିଶ୍ଚୟ । କିନ୍ତୁ ନେପୋଲିୟନଙ୍କ ପରି କୌଣସି ବିଷୟ ଯେ ‘ଅସମ୍ଭବ’, ଏହା ସେ ସ୍ଵୀକାର କରୁନଥିଲେ ଏବଂ ବିଶ୍ୱକୋଷ ରଚନା କରି ସେଇ ଅସମ୍ଭବ ଶବ୍ଦକୁ ନିରର୍ଥକ କରି ଦେଇଥିଲେ ।

 

ବିନୋଦବାବୁଙ୍କ ମୂଳଦୁଆ ପଡ଼ିଥିଲା ରାଣୀହାଟ ସ୍କୁଲରେ ପଢ଼ିବାବେଳେ । ସପ୍ତମ ଶ୍ରେଣୀରେ ପଢ଼ୁଥିବାବେଳେ ସେ ଲେଖିଥିବା ପ୍ରବନ୍ଧ କେମିଷ୍ଟ୍ରି ପ୍ରଫେସର ଗୁରୁଚରଣ ମହାନ୍ତି କଲେଜ ପିଲାଙ୍କୁ ଦେଖାଇ କହୁଥିଲେ, ଆମେ ଯେଉଁ ନୂଆ ରାଣୀହାଟ ଏମ୍‌.ଇ. ସ୍କୁଲ ବସାଇଲୁ ସେଥିରେ ପିଲା କିପରି ପ୍ରବନ୍ଧ ଲେଖିଛନ୍ତି ଦେଖ । ବିନୋଦବାବୁ କୈଶୋରରୁ କିପରି ନିଜୁକୁ ପ୍ରସ୍ତୁତ କରୁଥିଲେ ଏବଂ ଦେଖି, ଶିଖି, ଅନ୍ୱେଷଣ କରି, ପ୍ରଶ୍ନ ପଚାରି କିପରି ମୂଳ ପ୍ରସଙ୍ଗ ସମ୍ବନ୍ଧରେ ଜ୍ଞାନସଂଚୟ କରୁଥିଲେ ତାହା ତାଙ୍କ ଜୀବନଚର୍ଯ୍ୟାର ସଫଳ କାହାଣୀ । ଭଲ ଛାତ୍ର ପରି ଭଲ ସାମ୍ବାଦିକ ହେବା ପାଇଁ ସେ କିପରି ବରିଷ୍ଠମାନଙ୍କଠାରୁ ଶିଖିଥିଲେ ଏହାର ଅନେକ ଦୃଷ୍ଟାନ୍ତ ରହିଛି ‘ପାଠ ପଛେ ପଛେ ଅପାଠୁଆ’ ପୁସ୍ତକରେ । ୧୯୩୪ରୁ ୧୯୩୮ ଶେଷ ପର୍ଯ୍ୟନ୍ତ ସେ ବନ୍ୟା ପ୍ରପୀଡ଼ିତ ବରୀ ଅଞ୍ଚଳରେ ରହିଥିଲେ । ସେଇ ସମୟରେ ଗାନ୍ଧିଜୀ ‘ମୌଳିକ ଶିକ୍ଷା’ ପ୍ରବର୍ତ୍ତନ କରିବାର ବାଟ ଶିଖାଇଥିଲେ । ନିରକ୍ଷରମାନଙ୍କୁ ସାକ୍ଷର କରିବା ସକାଶେ ‘ପ୍ରୌଢ଼ଶିକ୍ଷା’ ଧାରା ମଧ୍ୟ ପ୍ରବର୍ତ୍ତନ କରାଗଲା । ‘ଅଳିଆରୁ ସୁନା’, ‘ଅଳିଆରୁ ସଂପଦ’ ସଂଗ୍ରହ କରିବା ଥିଲା ମୌଳିକ ଶିକ୍ଷାର ଉଦ୍ଦେଶ୍ୟ । ବରୀରେ ଥିଲାବେଳେ ହରିଜନମାନେ ରଖୁଥି‌ବା ଗାଈ କ୍ଷୀର ଉଚ୍ଚଜାତିର ଲୋକେ ବ୍ୟବହାର କରୁ ନ ଥିବା ଜାଣି ଅସ୍ପୃଶ୍ୟତା ବିରୋଧୀ ଆନ୍ଦୋଳନ ଆରମ୍ଭ କଲେ । ସେଥିରେ ସଫଳତା ମିଳିଲା । ସେହିପରି ପରବର୍ତ୍ତୀ କାଳରେ ନିଶା ନିବାରଣ ଆନ୍ଦୋଳନ କରି ସେଥିରେ ମଧ୍ୟ ସଫଳତା ଅର୍ଜନ କଲେ । ସେଠାରେ ଚାରିବର୍ଷ ରହିବା ସମୟର ସେ ବଙ୍ଗଳା ଲେଖିବା ମଧ୍ୟ ଶିଖିଥିଲେ । ବଙ୍ଗଳା ଏକ ଉନ୍ନତ ଭାଷା ହୋଇଥିବାରୁ ପରବର୍ତ୍ତୀ କାଳରେ ଜ୍ଞାନସଂଗ୍ରହ କାର୍ଯ୍ୟ ଆହୁରି ସହଜ ହେଲା । ଦେଖୁ ଦେଖୁ, ଶିଖୁ ଶିଖୁ ଖୋଲାମନରେ ସେ ଅନେକ କିଛି ସାଇତି ରଖିଥିଲେ । ଏଇ ‘ଜ୍ଞାନସଂଗ୍ରହ’ ଅଭ୍ୟାସରୁ ପରେ ‘ଜ୍ଞାନମଣ୍ଡଳ’ ପରି ଏକ ସଂଗଠନ ସୃଷ୍ଟି କରିବା ସହଜ ହୋଇଛି ।

 

ସାମ୍ବାଦିକ ଭାବରେ ସଫଳତା ଅର୍ଜନ କରି ସେଇଠି ଯାତ୍ରା ଓ ଅନ୍ୱେଷଣ ଶେଷ କଲେ ନାହିଁ । ସେ ଲେଖକ ହେବା ପାଇଁ ମନ ବଳାଇଲେ । ସାମ୍ବାଦିକ କାର୍ଯ୍ୟ କଲାବେଳେ ଦ୍ଵିତୀୟ ବିଶ୍ଵଯୁଦ୍ଧ ହୁଏ । ଯୁଦ୍ଧର ଟ୍ୟାଙ୍କ୍‌ ଅସ୍ତ୍ର ବ୍ୟବହାର କରି କିପରି ଫ୍ରାନ୍‌ସ ବିଜୟୀ ହୋଇଥିଲା ତାହାର ବର୍ଣ୍ଣନା ସହିତ ଟ୍ୟାଙ୍କ୍‌ ପରିଚାଳନା, ଏହାର କ୍ଷୟକ୍ଷତି ଓ କୌଶଳ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରି ବିନୋଦବାବୁ ‘ସମାଜ’ ପୃଷ୍ଠାରେ ଯାହା ସବୁ ଛାପିଲେ ସେଥିପାଇଁ ସମ୍ପାଦକ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କଠାରୁ ବାହାବା ପାଇଲେ । ଏହା ଲେଖକ ହେବା ଦିଗରେ ମୂଳଦୁଆ ସଦୃଶ କାର୍ଯ୍ୟ କଲା । କିନ୍ତୁ ସେ ଦଶମ ଶ୍ରେଣୀରୁ ପାଠଛାଡ଼ି ଯଦି ବିଶ୍ୱକୋଷ ରଚନା କରିପାରିଲେ ତେବେ ଲେଖକମାନେ କାହିଁକି ବିଜ୍ଞାନ, ପ୍ରଯୁକ୍ତି, ଅର୍ଥନୀତି, ସମାଜବିଜ୍ଞାନ, ନୃତତ୍ତ୍ୱ ସଂପର୍କରେ ସମର୍ଥ ଭାବରେ ଓଡ଼ିଆରେ ପୁସ୍ତକ ରଚନା କରିପାରିବେ ନାହିଁ ? ଏହା ହିଁ ଆଜିର ପ୍ରଶ୍ନ । ଏଇ ଅସାମର୍ଥ୍ୟ ହଟାଇବା ପାଇଁ ଆଦର୍ଶ ଖୋଜିବାକୁ ହେବ ନାହିଁ । ଆମ ଆଗରେ ରହିଛି ବିନୋଦ କାନୁନ୍‌ଗୋଙ୍କ ଆତ୍ମକଥା ।

 

ଅଗଷ୍ଟ ଆନ୍ଦୋଳନ ତାଙ୍କୁ ଅଧିକ ଜ୍ଞାନ ସଂଗ୍ରହ କରିବା ପାଇଁ ଆହୁରି ସୁଯୋଗ ଆଣିଦେଲା । ଜେଲରେ ଥିଲାବେଳେ ସେ କିପରି ଶରୀର ବିଦ୍ୟା ସମ୍ପର୍କରେ କିଛି ମୌଳିକ ଜ୍ଞାନ, ପଢ଼ାଛାଡ଼ି ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇଥିବା ସୁଧୀର ଘୋଷଙ୍କଠାରୁ ଶିଖିଥିଲେ ତାହା ବିନୋଦବାବୁଙ୍କ ଆତ୍ମକାହାଣୀରେ ରହିଛି । ହୃତ୍‌ପିଣ୍ଡ କିପରି କାମ କରେ ଏବଂ ଏହାର ବିବିଧ କାର୍ଯ୍ୟ ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ସେ ସେହି ସମୟରେ ସଂଗ୍ରହ କରିଥିଲେ । ୧୯୪୨ ସେପ୍ଟେମ୍ବରରୁ ୧୯୪୪ ଅଗଷ୍ଟ ପର୍ଯ୍ୟନ୍ତ ସେ ଡାକ୍ତରୀ ଓ କବିରାଜୀ ବିଦ୍ୟାର ବହି ସବୁକୁ ପଢ଼ି ଶରୀର ବିଦ୍ୟା ସମ୍ପର୍କରେ ମୌଳିକ ଜ୍ଞାନ ଅର୍ଜନ କରିଥିଲେ । ଜେଲ ଓ ସ୍ୱାଧୀନତା ସଂଗ୍ରାମ ତାଙ୍କ ଜୀବନକୁ ସଂଗଠିତ ଏବଂ ସମର୍ଥ କରିବାରେ କିପରି ସହାୟକ ହୋଇଥିଲା ‘ପାଠ ପଛେ ପଛେ ଅପାଠୁଆ’ ପୁସ୍ତକରେ ଏହାର ଚିତ୍ତାକର୍ଷକ ବର୍ଣ୍ଣନା ରହିଛି ।

 

ବିନୋଦ କାନୁନ୍‌ଗୋଙ୍କ ଅଲିଭା ସ୍ମୃତି କଥା ତାଙ୍କ ଆତ୍ମକଥାରୁ ପଢ଼ି ମୁଁ ବିହ୍ୱଳ ଓ ଚକିତ ହୋଇଛି । ବେଳେ ବେଳେ ମୋ ଆଖିପତା ଓଦା ହୋଇଯାଇଛି । ଜଣେ ସାଧାରଣ ମଣିଷ ନିଜର ସଂକଳ୍ପ, ସାଧନା, ନିଷ୍ଠା ଓ ତ୍ୟାଗ ବଳରେ ପରି ଅସାଧାରଣରେ ପରିଣତ ହୋଇପାରନ୍ତି ଏହାର ଅନେକ ନିଦର୍ଶନ ଅଛି ଏହି ପୁସ୍ତକରେ । ଲକ୍ଷ୍ମଣ ନାୟକଙ୍କୁ କିପରି ବ୍ରିଟିଶ ସରକାର ଫାଶୀଦେଲେ ଏବଂ ତାହା ପରେ କଂଗ୍ରେସ ପତାକାକୁ ସେ ବ୍ରହ୍ମପୁର ଜେଲ ଉପରେ ଉଡ଼ାଇବା ପାଇଁ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଚେଷ୍ଟା- ଏହି ଦୁଇଟି କଥା ମୋତେ ଅଭିଭୂତ କରିଛି । ଛାତ୍ରଜୀବନରେ ମୁଁ ଛାତ୍ର କଂଗ୍ରେସର ନେତା ଥିଲି । ଆଜି ମନରେ ଗର୍ବ ହୁଏ ଯେ ଏଇ ଲକ୍ଷ୍ମଣ ନାୟକ ଓଡ଼ିଆ ଜାତିର ଟେକ ରଖି ଅମର ହୋଇଛନ୍ତି ଏବଂ ବିନୋଦ କାନୁନ୍‌ଗୋ ଦେଶ ଓ ଦଶ ପାଇଁ ନିଜର ଶ୍ରମ, ସାଧନା ଓ ବୌଦ୍ଧିକ ଶକ୍ତି ବ୍ୟୟ କରି ମଧ୍ୟ ଅମର ହୋଇଛନ୍ତି । କିନ୍ତୁ ଲକ୍ଷ୍ମଣ ନାୟକ ଏବଂ ବିନୋଦ କାନୁନ୍‌ଗୋଙ୍କୁ ଓଡ଼ିଆ ଜାତି ଋଣ ପରିଶୋଧ । କରିବା ପାଇଁ ଏ ଦୁହିଙ୍କୁ ଗର୍ବ ଓ ଗୌରବର ଜ୍ଜ୍ୱଳନ୍ତ ଦୀପଶିଖା ଭାବି ସେମାନଙ୍କ ସ୍ମତି ଅମର କରିବା ସକାଶେ ସେପରି କିଛି କରି ନାହିଁ ।

 

ଦ୍ୱିତୀୟ ଥର ତାଙ୍କ ସହିତ ସାକ୍ଷାତ ହେଲାବେଳେ ସେ ତାଙ୍କର ଜୀବନ ସ୍ମୃତିର ଆଉ କେତେକ ଅଲିଭା କାହାଣୀ ଶୁଣାଇଲେ । ଓଡ଼ିଆ ଭାଷାକୁ ବଙ୍ଗ ଭାଷାର ଆକ୍ରମଣରୁ ରକ୍ଷା କରିବା ପାଇଁ ଫକୀରମୋହନଙ୍କ ପରେ ଇଂରାଜୀ ଭାଷାର ଔଦ୍ଧତ୍ୟରୁ ଓଡ଼ିଆ ଭାଷାକୁ ରକ୍ଷା କରିବା ସହିତ ଏହାକୁ ଯେ କୌଣସି ପ୍ରାଦେଶିକ ଓ ଆନ୍ତର୍ଜାତିକ ଭାଷାର ସମକକ୍ଷ ହେବା ପାଇଁ ବିନୋଦ କାନୁନ୍‌ଗୋ ଯେତିକି କରିଛନ୍ତି ତାହାର ପଟାନ୍ତର ନାହିଁ ।

 

ଜ୍ଞାନମଣ୍ଡଳ ଅଫିସ୍‌ରେ ତାଙ୍କର ଦୁଇ ଗୁରୁ ‘ବହି’ ଓ ‘ଫାଇଲ’ମାନଙ୍କୁ ସେ ମୋତେ ଚିହ୍ନାଇ ଦେଇଥିଲେ । ଏବେ ସେ ଆଉ ପାଖରେ ନାହାନ୍ତି, କିନ୍ତୁ ଓଡ଼ିଆ ଭାଷା ଓ ସାହିତ୍ୟର ଜଣେ ଅନ୍ୟତମ ବିନ୍ଧାଣୀକୁ ମୁଁ ନତମସ୍ତକ ହୋଇ ପ୍ରଣାମ କରୁଛି-। ପ୍ରକୃତରେ ସେ ଆମର ଗର୍ବ ଓ ଗୌରବ ।

୯, ଷ୍ଟେସନଛକ, ଭୁବନେଶ୍ୱର

***

 

ମାନବର ଇତିହାସେ ତୁମେ ଏକ ବିରଳ ବ୍ୟକ୍ତିତ୍ଵ

ନିତ୍ୟାନନ୍ଦ ସ୍ୱାଇଁ

 

ଲେଖକମାନଙ୍କ କ୍ଲେଶ :

ବିନୋଦ କାନୁନ୍‌ଗୋଙ୍କ ଅକାଳ ମୃତ୍ୟୁ ସମ୍ବାଦ ପାଇ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ତଥା କଳିଙ୍ଗର କିମ୍ବଦନ୍ତୀ ବ୍ୟକ୍ତିତ୍ଵ ବିଜୁବାବୁଙ୍କ ତୁଣ୍ଡରୁ ତତ୍‌କ୍ଷଣାତ୍‌ ବାହାରି ପଡ଼ିଥିଲା, ‘‘ଏଭଳି ଏକ ପୁଅକୁ ଜନ୍ମ ଦେବା ପାଇଁ ମୋ ଜନ୍ମମାଟିକୁ ବହୁବର୍ଷ ଲାଗିଯିବ ।” ହେଲେ ବିନୋଦ କାନୁନ୍‌ଗୋ କଅଣ ସତରେ ଥିଲେ ଓଡ଼ିଶା ମାଆର ଜଣେ ନିଆରା ପୁଅ ? ହଁ, ଥିଲେ ।

 

ସେ ଥିଲେ ଜଣେ ସଂଗ୍ରାମୀ, ପ୍ରଚଣ୍ଡ ସଂଗ୍ରାମୀ । ନିଜର ଦାରିଦ୍ର୍ୟ ବିରୋଧରେ ସେ ଆଜୀବନ ସଂଗ୍ରାମ କରି ଚାଲିଥିଲେ । ଜୀବନର ପ୍ରଥମ ଅର୍ଦ୍ଧେକ ସମୟ ତାଙ୍କର ସଂଗ୍ରାମ ଚାଲିଥିଲା ଦେଶର ସ୍ଵାଧୀନତା ନିମନ୍ତେ । ଅବଶିଷ୍ଟ ଅର୍ଦ୍ଧେକରେ ତାଙ୍କ ସଂଗ୍ରାମ ଅବ୍ୟାହତ ରହିଥିଲା ଜନସାଧାରଣଙ୍କ ଅଜ୍ଞତା ବିରୋଧରେ ତଥା ସାଦା କାଗଜ ବିରୋଧରେ । ପୂରାପୂରି ରାଜନୈତିକ ଜୀବନରୁ ପୂରାପୂରି ସାଂସ୍କୃତିକ ଜୀବନ- ବାସ୍ତବରେ ବଡ଼ ବିରଳ ଏ ଦୃଷ୍ଟାନ୍ତ । ସାଂସ୍କୃତିକ ଜୀବନରେ ମୃତ୍ୟୁ ଅବଧି ଚାଲୁ ରହିଥିଲା ତାଙ୍କର ଦୁର୍ଦ୍ଧର୍ଷ ସାରସ୍ଵତ ସମର ।

 

କିନ୍ତୁ ସାରସ୍ଵତ ସମର କ’ଣ ଏତେ ସହଜ ? ଇସାଡୋରା ଡନ୍‌କାନ୍‌ ଲେଖିଛନ୍ତି, “ଲେଖିବାର କଳା ଟିକକ ହାସଲ କରିବା ପାଇଁ ମୋତେ ବହୁବର୍ଷ ଧରି ସଂଘର୍ଷ କରିବାକୁ ପଡ଼ିଛି । ଶେଷରେ ମୋର ହୃଦ୍‌ବୋଧ ହୋଇଛି ଯେ କେବଳ ଗୋଟିଏ ମାତ୍ର ସରଳ ଓ ସୁନ୍ଦର ବାକ୍ୟ ଲେଖିବା ପାଇଁ ମଧ୍ୟ ଲୋଡ଼ା ପଡ଼େ ବର୍ଷ ବର୍ଷର ଏକାଗ୍ର ସାଧନା ଓ ପ୍ରୟାସ ।”

 

ସାହିତ୍ୟରେ ନୋବେଲ ବିଜେତା ରୁଡ଼୍‌ୟାଡ଼୍‌ କିପଲିଙ୍ଗ୍‌ ଥରେ ଏକ ବିଖ୍ୟାତ ଶିଶୁସାହିତ୍ୟ ପତ୍ରିକାର ସ୍ୱନାମଧନ୍ୟା ସଂପାଦିକାଙ୍କୁ ପଚାରିଥିଲେ, “ଆପଣଙ୍କ ପତ୍ରିକା ପାଇଁ ମୋ’ଠାରୁ ତ କେବେ ଲେଖାଟିଏ ନେଉନାହାଁନ୍ତି ?”

 

ସଂପାଦିକାଙ୍କ ରୋକଠୋକ ଉତ୍ତର- ‘‘ଆପଣ ପାରିବେନି !”

 

ସେହିପରି, ଆମ ଦେଶର ଏକ ବିଖ୍ୟାତ ଶିଶୁସାହିତ୍ୟ ପତ୍ରିକାର ସ୍ଵନାମଧନ୍ୟା ସଂପାଦିକା ପ୍ରଖ୍ୟାତନାମା ଲେଖକ ଖୁସ୍‌ବନ୍ତ ସିଂଙ୍କୁ ଅନୁରୋଧ କରି କହିଥିଲେ, “ଆମ ପତ୍ରିକା ପାଇଁ ଆପଣ ଲେଖାଟିଏ ଦିଅନ୍ତେନି ?”

 

ଖୁସ୍‌ବନ୍ତ ସିଂଙ୍କ ରୋକଠୋକ ଉତ୍ତର- “ମୁଁ ପାରିବିନି ।”

 

କିନ୍ତୁ ବିନୋଦବାବୁ ଥିଲେ ବ୍ୟତିକ୍ରମ । ସେ ପାରିଥିଲେ । ତାଙ୍କର ସମସ୍ତ ଲେଖା ଥିଲା ପିଲାଠାରୁ ବୁଢ଼ା, ଅପାଠୁଆରୁ ଅତି ପାଠୁଆ ସମସ୍ତଙ୍କ ମନଲାଖି ।

 

ଜଣେ ଖ୍ୟାତିସଂପନ୍ନା ସାହିତ୍ୟିକା ଥିଲେ ଲୁଇସା ଆଲ୍‌କର୍ଟ । ଲେଖାଲେଖି କରିବାର କଳାକୌଶଳ ବିଷୟରେ ଜାଣିବା ପାଇଁ ଦିନେ ଜଣେ ଯୁବକ ତାଙ୍କ ନିକଟରେ ପହଞ୍ଚିଲେ । ନିଃସଙ୍କୋଚରେ ପ୍ରକାଶ କଲେ ନିଜର ଅଭିପ୍ରାୟ । ଯୁବକଙ୍କଠାରୁ ସବୁ ଶୁଣି ଆଲ୍‌କଟ୍‌ ପଚାରିଲେ, “ଦେଖ ବାବୁ, ତୁମଦ୍ଵାରା କ’ଣ ସଂସାରର ଅନ୍ୟ କୌଣସି କାମଟିଏ ବି ହୋଇପାରିବନି ? ଏପରିକି ମୂଲ ଲାଗିବା ଭଳି ସାମାନ୍ୟ କାମଟି ମଧ୍ୟ ? ତୁମେ ଯଦି ଅନ୍ୟ କୌଣସି କାମ କରିବା ନିମନ୍ତେ ସଂପୂର୍ଣ୍ଣ ଅକ୍ଷମ, ତେବେ ଲେଖାଲେଖି କାମରେ ହାତ ଦେଇପାର ।’’

 

ବାସ୍ତବରେ ଲେଖକମାନେ ସର୍ବଦା ଏକ ମାନସିକ ଚାପର ସମ୍ମୁଖୀନ ହୋଇଥାନ୍ତି । କାରଣ ନୂତନ କିଛି ସୃଷ୍ଟି କରିବାର ଯେଉଁ ପ୍ରୟାସ, ତାହା ବହୁ ସମୟରେ ଖୁବ୍‌ କ୍ଳେଶଦାୟକ ।

 

ଲେଖକ ପ୍ରତିଦିନ ସକାଳୁ ଉଠେ । ଉଠି ସାରି ନିଜକୁ ପଚାରେ, ‘‘ମୁଁ ଏ ଲେଖାଲେଖି କସରତରେ କାହିଁକି ମାତିଛି ? କଅଣ ମିଳିବ ଏଥିରୁ ? ମୋ’ ମାନସିକତାକୁ ସବୁଦିନେ ହତ୍ୟା କରି ଚାଲିଛି କାହିଁକି ? କାହିଁକି ସନ୍ତୁଳି ହୋଇ ମରୁଛି ?

 

“ହଁ ଏବେ ମୋ’ ଲେଖାପଢ଼ା ଘରର କାନ୍ଥକୁ ଚାହିଁବି । ଝରକା ବାଟେ ଅନେଇ ରହିବି ବାହାରକୁ । କଲମ ଧରି ଭାବି ଚାଲିବି । କଅଣ ଟିକିଏ ଲେଖି ପକେଇ ଲେଖାକୁ ପଢ଼ିବି । ତଳର କମା ଚିହ୍ନକୁ ସେଠାରୁ ଉଠେଇ ନେଇ ଥୋଇବି ଉପରେ । ଉପରର କମା ଚିହ୍ନକୁ ଖସେଇ ଆଣିବି ତଳକୁ । ଶବ୍ଦଗୁଡ଼ିକୁ ଅଦଳବଦଳ କରିବି । ମନ ନ ମାନିଲେ ଲେଖି ସାରିଥିବା ବାକ୍ୟକୁ କାଟି ଯୋଡ଼ିବି ନୂଆ ବାକ୍ୟଟିଏ ।

 

“ଓଃ, କି ତୀବ୍ର ଯନ୍ତ୍ରଣା ! କିନ୍ତୁ ମୁ ତ ଫସିଯାଇଛି ଲେଖିବା ନିଶାର ପାଲରେ । ଲେଖିଲେ ମଲି, ନ ଲେଖିଲେ ବି ମଲି ।” ଲେଖାଲେଖି କରିବାଟା ସଂସାରର କଠିନତମ କାର୍ଯ୍ୟ ବୋଲି ପେଟେ ହାମିଲ ଯାହା କହିଥିଲେ ତାହା କେତେ ସତ ସତେ !’’

 

ଅପାଠୁଆଙ୍କ ଅପଥେଯାତ୍ରା :

ଏହା ଜାଣି ସୁଦ୍ଧା ବିନୋଦ କାନୁନ୍‌ଗୋ ନିଜ ଜୀବନକାଳର ଅର୍ଦ୍ଧାଧିକ ସମୟ ପଢ଼ାପଢ଼ି ଓ ଲେଖାଲେଖିରେ କଟେଇ ଦେଇଥିଲେ କାହିଁକି ? କେଉଁ ମହତ ଉଦ୍ଦେଶ୍ୟ ସାଧନ ପାଇଁ ? ଏକମାତ୍ର ଉଦ୍ଦେଶ୍ୟ- ବିଶେଷଜ୍ଞ କରି ନ ପାରନ୍ତୁ ପଛେ, ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେ କରିଯିବେ ଜ୍ଞାନ- ସ୍ଵାକ୍ଷର । ସଂକଳନ କରିବେ ଜ୍ଞାନର ଭଣ୍ଡାର ‘ଜ୍ଞାନ ମଣ୍ଡଳ’ । ବାଣ୍ଟି ଚାଲିବେ ବିଜ୍ଞାନ ଜ୍ଞାନ ।

 

ବିନୋଦବାବୁଙ୍କ ଶିକ୍ଷାଗତ ଯୋଗ୍ୟତା ନବମ ଶ୍ରେଣୀ ପାସ୍‌ । କିନ୍ତୁ ତାଙ୍କର ସାରସ୍ୱତ ଯୋଗ୍ୟତା ? ସେ ମା’ ରମାଦେବୀଙ୍କୁ କହିଥିଲେ, “ମାଆ, ସ୍କୁଲଛାଡ଼ିଛି ସିନା, ମାତ୍ର ପାଠପଢ଼ା ଛାଡ଼ିବିନି ।” ପ୍ରକୃତରେ ସେ ନିଜ କଥା ରଖିଥିଲେ । ପାଠପଢ଼ା ଛାଡ଼ି ନ ଥିଲେ ।

 

ସ୍ଵାଧୀନତା ଆନ୍ଦୋଳନରେ ସାମିଲ ହୋଇ ବନ୍ଦୀଶାଳାରେ ରହିଥିବା ସମୟରେ ସେହି ବନ୍ଦୀଶାଳାରୁ ହିଁ ଆରମ୍ଭ କରିଥିଲେ ନିଜର ଅଣପାରମ୍ପରିକ ପାଠପଢ଼ା । ଏହି ପାଠପଢ଼ାକୁ ସେ ଅବ୍ୟାହତ ରଖିଥିଲେ ମୃତ୍ୟୁର ଅବ୍ୟବହିତ ପୂର୍ବ ପର୍ଯ୍ୟନ୍ତ । ସେ ପଢ଼ିଲେ, ପଢ଼ିଲେ, ଆହୁରି ପଢ଼ିଲେ । ଏକମାତ୍ର ଲକ୍ଷ୍ୟ- ଯାହା ଜାଣିନି, ଜାଣିବି, ଯାହା ବୁଝିନି, ବୁଝିବି, ଯାହା ଶିଖିନି, ଶିଖିବି । କରିବି କିଛି ନୂଆ କଥା ।’’

 

କବି ରାଧାମୋହନ ଗଡ଼ନାୟକ ଲେଖିଛନ୍ତି-

“ଅପଥେ ଯିବି ମୁଁ ଅପଥେ ଯିବି, କର ମୋତେ ପଛେ ତିରସ୍କାର ।

ନେପଥ୍ୟେ ଅଛି ଯେତେ ଯାହା ସବୁ, କରିବି ମୁଁ ତାର ଆବିଷ୍କାର ।

ମଥାପାତି ନେବି ମାନ ଅପମାନ, ବୁକୁପାତିନେବି ଝଞ୍ଜା ପବନ,

ସମୟ ଆସିବ, ଯେଉଁଦିନ ତୁମେ ଯାଚିଦେବ ମୋତେ ପୁରସ୍କାର ।”

 

ସମାନ କଥା ବି କହିଥିଲେ ଟେଲିଫୋନ୍‌ର ଆବିଷ୍କର୍ତ୍ତା ଆଲେକ୍‌ଜାଣ୍ଡାର ଗ୍ରାହାମ୍‌ ବେଲ୍‌ । ସେ କହିଥିଲେ, “ରାଜରାସ୍ତାରେ ଚାଲିବା ଛାଡ଼ । ଯଦି ନୂଆ କିଛି କରିବା କି ଜାଣିବା ପାଇଁ ଚାହୁଁଛ, ତେବେ ରାଜରାସ୍ତା ଛାଡ଼ି ତଳକୁ ଗଡ଼ିପଡ଼ ଏବଂ ଭୟ ନ କରି ଆଗେଇ ଚାଲ ।’’

 

ବିନୋଦବାବୁ ‘ଅପଥ’ ରେ ଯାଇଥିଲେ । ରାଜରାସ୍ତା ଛାଡ଼ି, ତଳକୁ ଗଡ଼ିପଡ଼ି ଆଗେଇ ଚାଲିଥିଲେ ।

 

ମାତ୍ର ନବମ ଶ୍ରେଣୀ ପାସ୍‌ କଲେ ମଧ୍ୟ ଗଳ୍ପ, କବିତା, ନାଟକ, ଉପନ୍ୟାସ, ପ୍ରବନ୍ଧ ଆଦି ରଚନା କରିହେବ । କିନ୍ତୁ ସେହି ସାମାନ୍ୟ ଶିକ୍ଷାଗତ ଯୋଗ୍ୟତାକୁ ପୁଞ୍ଜିକରି କାଳଜୟୀ ବିଜ୍ଞାନ ଲେଖାମାନ ଲେଖବା କ’ଣ ସମ୍ଭବ ? ସମ୍ଭବ କ’ଣ ‘ଜ୍ଞାନମଣ୍ଡଳ’ ଭଳି ଏକ ବିଶ୍ଵକୋଷ ସଂକଳନ କରିବା- ପୁଣି ଖଣ୍ଡିଏ ଦୁଇଖଣ୍ଡ ତ ନୁହେଁ, ଚାଳିଶ ଖଣ୍ଡ ? ଶତାଧିକ ବିଜ୍ଞାନ ପୁସ୍ତକ ପ୍ରଣୟନ କରିବା ସମ୍ଭବ କି ?

 

ବିନୋଦବାବୁ କିନ୍ତୁ ପାରିଥିଲେ । ବରଂ କହିଥିଲେ, “ଭଗବାନ୍‌ ମୋତେ ଆଉ କିଛିଦିନ ବଞ୍ଚେଇ ରଖନ୍ତୁ । ଯାହା ଫଳରେ ମୁଁ ପୂରା ବିଜ୍ଞାନକୁ ଓଡ଼ିଆରେ ଲେଖି ସମସ୍ତଙ୍କ ନିକଟରେ ପହଞ୍ଚେଇଦେବି ।”

 

କିନ୍ତୁ ତଥାକଥିତ ଏହି ‘ଅପାଠୁଆ’ (ସେ ନିଜେ ନିଜ ପାଇଁ ଏହି ଶବ୍ଦଟିକୁ ବ୍ୟବହାର କରିଥିଲେ)ଙ୍କର ତ ‘ପାଠ’ ନ ଥିଲା । ସେ କିନ୍ତୁ ଏହି ଅସମ୍ଭବକୁ ସମ୍ଭବ କରି ଦେଇ ପାରିଲେ କିପରି ? କିପରି କରିପାରିଲେ ଏହି ଅସାଧ୍ୟ ସାଧନ?

 

ଶିକ୍ଷାନବିସ :

ସ୍ୱାଧୀନତା ଆନ୍ଦୋଳନବେଳେ ବିନୋଦବାବୁଙ୍କର ଅଧିକାଂଶ ସମୟ କଟିଥିଲା ଗାଁ ଗହଳରେ, ସେଠାକାର ଅପାଠୁଆ ଓ ଅଧାପାଠୁଆମାନଙ୍କ ଗହଣରେ । ସୂତାକଟା, ଲୁଗାବୁଣା, ଗାଁ ସଫେଇ, ମହୁମାଛି ପାଳନ, ଖଜୁରୀ ଓ ତାଳଗୁଡ଼ ତିଆରି, ବଗିଚାକାମ, ନିରକ୍ଷରତା ଦୂରୀକରଣ, ନିଶା ନିବାରଣ, ପ୍ରୌଢ଼ଶିକ୍ଷାଭଳି କାର୍ଯ୍ୟକ୍ରମର ସେ ଗ୍ରହଣ କରିଥିଲେ ସକ୍ରିୟ ଭୂମିକା । ଶିଖିଥିଲେ, ଶିଖେଇଥିଲେ । ହରିଜନ ଆନ୍ଦୋଳନ, ଭାଗଚାଷୀ ଆନ୍ଦୋଳନ, କୃଷକ ଆନ୍ଦୋଳନ, ଚାଷୀ ସଂଗଠନ ଆଦି କାର୍ଯ୍ୟକ୍ରମ ସହ ସେ ଘନିଷ୍ଠ ତଥା ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିଲେ । ଏହିସବୁ କାର୍ଯ୍ୟକ୍ରମ ସହ ସଂପୃକ୍ତ ରହିଆସିବା ଫଳରେ ତାଙ୍କଠାରେ ସ୍ଥାପିତ ହୋଇଗଲା ବ୍ୟାବହାରିକ ବିଜ୍ଞାନର ଭିତ୍ତିଭୂମି । ନିଜ ବିଜ୍ଞାନ ଲେଖାରେ ଅତି ସରଳ ଗାଉଁଲି ଭାଷା ବ୍ୟବହାର କରିବା ଓ କଥୋପକଥନ ଶୈଳୀରେ ଭାବ ବ୍ୟକ୍ତ କରିବା ତାଙ୍କ ପକ୍ଷେ ସୁଗମ ହୋଇଥିଲା । ନିୟମିତ ଭାବରେ ଗାଆଁକୁ ଯାଇ ସମାଜର ସବୁ ସ୍ତରର ଲୋକଙ୍କ ସହ ସଂପର୍କ ଯୋଡ଼ିବାରୁ ଅପାଠୁଆମାନଙ୍କ ସହ ଘଟିଲା ଆତ୍ମିକ ମିଳନ । ସେମାନଙ୍କ ଅଜ୍ଞତାର ଗଭୀରତା ସହ ପରିଚିତ ହେବାର ପର୍ଯ୍ୟାପ୍ତ ସୁଯୋଗ ମିଳିଗଲା ତାଙ୍କୁ ।

 

ତାହା ଛଡ଼ା, ‘କୃଷକ’ ପତ୍ରିକାର ସଂପାଦନା କରିବା ଏବଂ ‘ସମାଜ’ ଖବରକାଗଜର ସଂପାଦନା ବିଭାଗରେ ଯୋଗଦେବା ଫଳରେ ତାଙ୍କ ଲେଖନୀ ଭଲ ଭାବରେ ମଣ ହୋଇଗଲା । ତାହା ସାଙ୍ଗକୁ ସେ ପ୍ରକାଶ କଲେ ‘ଶିଶୁ ସମ୍ପଦ’ ନାମକ ପିଲାଙ୍କ ପତ୍ରିକା । ସୁତରାଂ ବିଜ୍ଞାନ ସମେତ ଯେକୌଣସି ଜଟିଳ ତତ୍ତ୍ୱକୁ ଅତି ସରଳ ଓ ସୁଖପାଠ୍ୟ ଭାଷାରେ ଲେଖିବା ବେଶ୍‌ ସହଜସାଧ୍ୟ ହୋଇଗଲା ତାଙ୍କ ପକ୍ଷେ । ଓଡ଼ିଶାର କାହିଁକି, ସାରା ଭାରତର ବି ଅନ୍ୟ କୌଣସି ଜନପ୍ରିୟ ବିଜ୍ଞାନ ଲେଖକ ଜଣେ ଶିକ୍ଷାନବିସ ଭାବରେ ବିନୋଦବାବୁଙ୍କ ଭଳି ଏତେ ବର୍ଷ ଧରି ତାଲିମ ପାଇଥିବେ ବୋଲି ବିଶ୍ୱାସ ହୁଏନା ।

 

୧୯୩୦ ଦଶନ୍ଧିରେ ବିନୋଦବାବୁଙ୍କ କ୍ଳାସରେ ବିଜ୍ଞାନ ପଢ଼ାଯାଉ ନ ଥିଲା । ଏପରିକି ‘ଜୀବାଣୁ’ କହିଲେ କଅଣ, ତାହା ଛାତ୍ରଛାତ୍ରୀମାନେ ଜାଣି ନ ଥିଲେ । ଏବେ ପଞ୍ଚମ ଶ୍ରେଣୀରେ ଯେତିକି ବିଜ୍ଞାନ ପଢ଼ାଯାଉଛି, ତାଙ୍କ ବେଳେ ଓଡ଼ିଆ କି ସଂସ୍କୃତରେ ଏମ୍‌.ଏ. ପଢ଼ିଲାବାଲାଙ୍କୁ ବି ତାହା ଥିଲା ଅଜଣା ।

 

ସ୍ଵାଧୀନତା ଆନ୍ଦୋଳନରେ ଭାଗନେଇ କାରାଦଣ୍ଡ ଭୋଗିବା ସମୟରେ ବିନୋଦବାବୁ ପଢ଼ିଲେ ହାଲିବଟନ୍‌ଙ୍କ ‘ଫିଜିଓଲୋଜି’ ବହି, ପଢ଼ିଲେ, ଗ୍ରେ’ଙ୍କ ଆନାଟୋମୀ ନାମକ ପୁସ୍ତକ । ଯେଉଁ ଅଣଡାକ୍ତରମାନେ ଚିକିତ୍ସା ବିଜ୍ଞାନ ସମ୍ବନ୍ଧୀୟ ଜନପ୍ରିୟ ଲେଖା ଲେଖୁଛନ୍ତି, ବହି ପ୍ରକାଶ କରୁଛନ୍ତି, ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଶରୀର ଅଭ୍ୟନ୍ତରସ୍ଥ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଅଛି ? କିନ୍ତୁ ବିନୋଦବାବୁଙ୍କର ଥିଲା । ମଣିଷର ଅଙ୍ଗପ୍ରତ୍ୟଙ୍ଗ ନ ହେଲେ ମଧ୍ୟ ଛେଳିର ହୃତପିଣ୍ଡ, ଫୁସ୍‌ଫୁସ୍‌, ଯକୁତ୍‌, ବୃକକ୍‌, ପାକସ୍ଥଳୀ, ଅନ୍ତ୍ରନଳୀ, ଅଗ୍ନ୍ୟାଶୟ ଇତ୍ୟାଦିକୁ ସେ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ । ଜେଲଖାନାରେ ଥିବାବେଳେ ଜେଲଖାନାର ଜେଲରଙ୍କ ସୌଜନ୍ୟରୁ ସେ ଲାଭ କରିଥିଲେ ଏହି ସୁଯୋଗ । ଥରେ ଦୁଇଥର ନୁହେଁ, ଆଠ ଦଶଥର ମୃତ ଛେଳିର ଶରୀର ଅଭ୍ୟନ୍ତରସ୍ଥ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଅନୁଧ୍ୟାନ କରିବାର ବିରଳ ସୁଯୋଗ ପାଇଥିଲେ ବିନୋଦବାବୁ । ଏହା ହିଁ ତ ଯଥାର୍ଥ ବିଜ୍ଞାନ ଶିକ୍ଷା, ବିଜ୍ଞାନ ଲେଖକ ହେବା ନିମନ୍ତେ ପ୍ରତ୍ୟକ୍ଷ ତାଲିମ ।

 

‘ଜ୍ଞାନମଣ୍ଡଳ’ ସଂକଳନର ପ୍ରାରମ୍ଭିକ କାଳରେ ସେ ଲେଖିଥିଲେ, “ଇତିହାସ, ଭୂଗୋଳ, ଅର୍ଥନୀତି, ରାଷ୍ଟ୍ରନୀତି, ଧର୍ମ, ଦର୍ଶନ, ବିଷୟରେ ବୁଝିବା ମୋତେ ବଳେଇବ ନାହିଁ । କିନ୍ତୁ ରସାୟନ ବିଦ୍ୟା, ପଦାର୍ଥ ବିଦ୍ୟା, ଜୀବବିଜ୍ଞାନ, ଚିକିତ୍ସା ବିଜ୍ଞାନ, ଇଞ୍ଜନିୟରିଂ ଇତ୍ୟାଦି ବିଜ୍ଞାନର ବହୁମୁଖୀ ତଥ୍ୟ ତଥା ତତ୍ତ୍ୱକୁ ବୁଝିବା ତ ମୋ ପାଇଁ ସହଜ ହେବ ନାହିଁ । ସେଥିପାଇଁ ଏସବୁ ବିଷୟରେ ମୋତେ ମୌଳିକ ଜ୍ଞାନ ହାସଲ କରିବାକୁ ହେବ । ତେଣୁ ବେଶୀ ପଢ଼ିବି, ଅଳପ ଲେଖିବି, ସରଳ ଭାଷାରେ ଲେଖିବି ।’’

 

ବାସ୍‌, ଆରମ୍ଭ ହେଲା ତାଙ୍କର ସାଧନା, ସାରସ୍ଵତ ସାଧନା । ସାଧନା ଜଣେ ଏକଲବ୍ୟର ! ରେଭେନ୍‌ସା କଲେଜର କନିକା ଲାଇବ୍ରେରୀ ପାଲଟି ଗଲା ତାଙ୍କର ସାଧନା କ୍ଷେତ୍ର । ସେଠାରେ ଥିବା ବିଭିନ୍ନ ଏନ୍‌ସାଇକ୍ଲୋପିଡ଼ିଆ ଏବଂ ଅଗଣିତ ପୁସ୍ତକ ପାଲଟିଗଲେ ତାଙ୍କର ଜ୍ଞାନଗୁରୁ ।

 

ନିଜ ସଂପର୍କରେ ସେ ଲେଖିଛନ୍ତି, ‘‘୧୯୪୨ ସେପ୍ଟେମ୍ବର ମାସରେ ମୁଁ ଯେତେବେଳେ ଡାକ୍ତରୀ ବହି ପଢ଼ିବାକୁ ଆରମ୍ଭ କଲି, ସେତେବେଳେ ମୋର ମଧ୍ୟ ବିଶ୍ଵାସ ନ ଥିଲା ଯେ ଚଉରାଳିଶ ବର୍ଷପରେ ଯେକୌଣସି ଡାକ୍ତରୀ ବହିସବୁକୁ ଚଉଦ ପଣିଆ, ପନ୍ଦର ପଣିଆ ବୁଝି ଯାଉଥିବି । କେତେଗୁଡ଼ିଏ ଡାକ୍ତରୀବହିକୁ ତ ମୁଁ ଉପନ୍ୟାସ ଭଳି ପଢ଼ିଯାଉଛି । ସେଥିରୁ ରସ ପାଇବାରେ ବି ମୁଁ କେବେହେଲେ ପଛେଇ ନାହିଁ । ପ୍ରତ୍ୟେକ ଉଚ୍ଚଶିକ୍ଷିତ ଲୋକଙ୍କର ସେଭଳି ହେଉ ବୋଲି ମୋର ଇଚ୍ଛା । ସେମିତି ବିଜ୍ଞାନର ଅନ୍ୟସବୁ ବିଭାଗ ଉପରେ ମୁଁ ଯେଉଁସବୁ ପ୍ରବନ୍ଧ ଚାଳିଶ ଖଣ୍ଡ ‘ଜ୍ଞାନମଣ୍ଡଳ’ରେ ଲେଖିଗଲିଣି, ସେଗୁଡ଼ିକ ପ୍ରମାଣ ଦେଉଛନ୍ତି ଯେ ବିଜ୍ଞାନ ବିଷୟରେ ମୋର ମୋଟାମୋଟି ଧାରଣା ରହିଛି ।’’

 

ବିନୋଦବାବୁ କହୁଥିଲେ ଯେ ତାଙ୍କର ଦୁଇଜଣ ଗୁରୁ । ଜଣଙ୍କର ନାଁ ‘ପୁସ୍ତକ’ ଏବଂ ଅନ୍ୟ ଜଣଙ୍କର ନାଁ ‘ଫାଇଲ’ । ବିଭିନ୍ନ ବିଷୟରେ ସେ ଯେଉଁ ତଥ୍ୟମାନ ସଂଗ୍ରହ କରୁଥିଲେ, ବର୍ଣ୍ଣିତ ବିଷୟବସ୍ତୁ ଆଧାରରେ ସେଗୁଡ଼ିକୁ ସାଇତି ରଖୁଥିଲେ ଅଲଗା ଅଲଗା ଫାଇଲରେ । ଲେଖିବାବେଳେ ତା’ର ସାହାଯ୍ୟ ନେଉଥିଲେ । ସୁତରାଂ ଦୀର୍ଘ ତିନି ଦଶନ୍ଧିରୁ ଅଧିକ କାଳ ଧରି ସେ ସାଇତି ଆସିଥିବା ବିଭିନ୍ନ ଫାଇଲ୍‌ଗୁଡ଼ିକ ଥିଲା ତଥ୍ୟର ଗନ୍ତାଘର ।

 

ବିଜ୍ଞାନର ସାମାଜିକୀକରଣ :

‘ବିଜ୍ଞାନ ସମସ୍ତଙ୍କର’, ‘ବିଜ୍ଞାନ ସମସ୍ତଙ୍କଦ୍ୱାରା’ ଏବଂ ‘ବିଜ୍ଞାନ ସମସ୍ତଙ୍କ ପାଇଁ’ - ଏହି ମନ୍ତ୍ରରେ ମନ୍ତ୍ରିତ ହୋଇଥିଲେ ବିନୋଦ କାନୁନ୍‌ଗୋ । ବିଜ୍ଞାନକୁ ସାର୍ବଜନୀନ କରାଇବା ପାଇଁ ଏବଂ ବିଜ୍ଞାନ-ଜ୍ଞାନର ସାମାଜିକୀକରଣ ପାଇଁ ସେ ସଂକଳ୍ପ କଲେ । ବିଜ୍ଞାନ ଜ୍ଞାନକୁ ସମସ୍ତଙ୍କ ଭିତରେ ‘ବାଳଭୋଗ’ ଭଳି ବାଣ୍ଟିଦେବା ନିମନ୍ତେ ନିଷ୍ପତି ନେଲେ । ତାଙ୍କର ଏହି ସଂକଳ୍ପକୁ ସାକାର କରିଦେଲେ ମଧ୍ୟ । ବିଜ୍ଞାନ ବିଷୟରେ ଜନପ୍ରିୟ ପୁସ୍ତକ ପ୍ରଣୟନ କରିବାରେ ସେ ହାସଲ କରିପାରିଲେ ବିସ୍ମୟକର ସଫଳତା ।

 

ଇଂରେଜ ରସାୟନବିତ୍‌ ଜଜ୍‌ ପୋର୍ଟର ପ୍ରଶ୍ନ କରିଥିଲେ, “ଯେଉଁମାନଙ୍କୁ ବିଜ୍ଞାନଟା ସୁଆଦିଆ ଲାଗୁନାହିଁ, ସେମାନଙ୍କୁ ବିଜ୍ଞାନ ଗିଳେଇ ଚାଲିବାଟା କଅଣ ଠିକ୍‌ ?’’ ସେ ନିଜେ ଏହାର ଉତ୍ତର ଦେଇ କହିଥିଲେ, “ହଁ, ସେମାନଙ୍କୁ ବିଜ୍ଞାନ ଗିଳେଇ ଚାଲିବାଟା ଠିକ୍‌ ।’’ ସେ ପୁନଶ୍ଚ ପ୍ରଶ୍ନ କରିଥିଲେ, ଯେଉଁମାନେ ବିଜ୍ଞାନର ନାଁ ଶୁଣିଲେ କନ୍ଦାକଟା କରି ପଳେଇଯିବା ନିମନ୍ତେ ଛାଟିପିଟି ହେଉଛନ୍ତି, ସେମାନଙ୍କୁ ଜୋରଜବରଦସ୍ତ ଏକବିଂଶ ଶତାବ୍ଦୀର ବିଜ୍ଞାନ ଭିତରକୁ ଘୋଷାରି ଘୋଷାରି ଆଣିବା ଠିକ୍‌ କି ?” ନିଜେ ମଧ୍ୟ ଏହାର ଉତ୍ତର ଦେଇ କହିଥିଲେ, “ହଁ, ସେପରି କରିବାଟା ପୂରାପୂରି ଠିକ୍‌ ।”

 

କିନ୍ତୁ ବିଜ୍ଞାନଟା ଜନସାଧାରଣଙ୍କୁ ସୁଆଦିଆ ଲାଗୁନାହିଁ କାହିଁକି ? ବିଜ୍ଞାନର ନାଆଁ ଶୁଣିଲେ ସେମାନେ କାହିଁକି ପଳେଇଯିବା ନିମନ୍ତେ ଛାଟିପିଟି ହେଉଛନ୍ତି ? ଏହାର ପ୍ରଧାନ କାରଣ ହେଲା- ସେମାନଙ୍କର ଧାରଣା ଯେ ବିଜ୍ଞାନ ବିଷୟଟାକୁ ବୁଝିବା ବଡ଼ କଷ୍ଟ, ତେଣୁ ଏହାକୁ ବୁଝିବା ନିମନ୍ତେ ବେଶୀ ବୁଦ୍ଧି ଏବଂ ଜ୍ଞାନ ଦରକାର ।

 

ହେଲେ, ବିଜ୍ଞାନ ଲେଖାଗୁଡ଼ିକୁ କ୍ଲିଷ୍ଟ ନ କରି ଯଦି ଖୁବ୍‌ ସହଜ ଏବଂ ସରଳ କରି ଦିଆଯିବ ? ଅପାଠୁଆ ଓ ଦରପାଠୁଆମାନେ ବୁଝିପାରିବା ଭଳି ଭାଷାରେ ଏବଂ ଶୈଳୀରେ ଯଦି ବିଜ୍ଞାନ ବିଷୟମାନ ଲେଖାଯିବ ? ତାହା ହେଲେ ବି କଅଣ ବିଜ୍ଞାନକୁ ଲୋକେ ହତାଦର କରିବେ-?

 

ବିନୋଦବାବୁ ସେଇଆ ହିଁ କରିଦେଲେ । ତାଙ୍କ ଲେଖାଗୁଡ଼ିକୁ ସେ କରିଦେଲେ ସହଜ, ସରଳ, ସ୍ଵଚ୍ଛ, ସୁଖପାଠ୍ୟ ଏବଂ ସୁଆଦିଆ ।

 

ବିଜ୍ଞାନକୁ ଜନପ୍ରିୟ କରିବା ନିମନ୍ତେ କି ତୀବ୍ର ବ୍ୟାକୁଳତା ! ବିଜ୍ଞାନ ବିଷୟଗୁଡ଼ିକୁ ସେ ଲେଖିଛନ୍ତି । ପଞ୍ଚତନ୍ତ୍ରର ଗପ ଭଳି । କଥାକୁହା ଭାଷା, କଥୋପକଥନ ଶୈଳୀ । ଯେତିକି ସରସ, ସେତିକି ଜୀବନ୍ତ । ପୂରାପୂରି ମନଛୁଆଁ ।

 

ଅର୍ନେଷ୍ଟ ହେମିଙ୍ଗ୍‌ଓ୍ୱେ କହିଥିଲେ, “ସଂସାରରେ ନୀରସ ବିଷୟ ବୋଲି କିଛି ନାହିଁ, ଅଛନ୍ତି କେବଳ ନୀରସ ଲେଖକ । ପୁଣି ଲେଖାଲେଖି କାରଖାନାରେ କେହି ଶିକ୍ଷକ ହୋଇ ପାରନ୍ତି ନାହିଁ, ସମସ୍ତେ ରହିଯାଆନ୍ତି ଶିକ୍ଷାନବିସ ସ୍ତରରେ ।” ବିନୋଦବାବୁ ଆଜୀବନ ନିଜକୁ ଜଣେ ଶିକ୍ଷାନବିସ ବୋଲି ଭାବି ଆସିଥିଲେ । ନିଜକୁ ‘ଅପାଠୁଆ’ ବୋଲି ବିଚାରି ଧାଇଁଥିଲେ ପାଠ ପଛେ ପଛେ । ନିଜ ଲେଖାକୁ କୌଣସି ପ୍ରକାରେ ନୀରସ ନ କରିବା ନିମନ୍ତେ ସର୍ବଦା ସତର୍କ ରହି ଆସିଥିଲେ ସେ-। ତାଙ୍କର ଚିନ୍ତା ଥିଲା ସରଳ ଓ ସ୍ଵଚ୍ଛ । ତେଣୁ ତାଙ୍କ ଲେଖାଗୁଡ଼ିକ ଯେ ସରଳ, ସ୍ଵଚ୍ଛ ଓ ମନମତାଣିଆ ହେବ, ଏହା ତ ସ୍ଵାଭାବିକ ।

 

ସେ ରଚନା କରିଯାଇଥିଲା ବିଜ୍ଞାନ ଆଧାରିତ ପୁସ୍ତକଗୁଡ଼ିକରେ ସନ୍ନିବିଷ୍ଟ ତଥ୍ୟରେ ସିନା ମୌଳିକତା ନାହିଁ, କିନ୍ତୁ ତାଙ୍କ ତଥ୍ୟ ଉପସ୍ଥାପନ ଶୈଳୀରେ ରହିବ ଅସାଧାରଣ ମୌଳିକତା । ବିଜ୍ଞାନ ସାହିତ୍ୟ ତାଙ୍କ ଲେଖନୀର ସ୍ପର୍ଶ ପାଇ ରୂପାନ୍ତରିତ ହୋଇଯାଇଛି ‘ବିନୋଦୀୟ ସାହିତ୍ୟ’ରେ-

 

ଡାଇବେଟିସ ରୋଗ ବିଷୟରେ ସେ ଲେଖିଛନ୍ତି, ‘‘ଡାଇବେଟିସ୍‌ (ଲୋକେ ସହଜରେ ବୁଝିପାରିବେ ବୋଲି ସେ ଡାଇବେଟିସ ରୋଗକୁ ‘ମଧୁମେହ’ ନ ଲେଖି ଡାଇବେଟିସ୍‌’ ବୋଲି ଲେଖୁଥିଲେ ରୋଗ ଥରେ ଆସିଲେ ଦେହ ଭିତରେ ରହିଲା । କିନ୍ତୁ ତାକୁ ଯଦି ନିୟନ୍ତ୍ରଣରେ ରଖାଯାଇପାରିବ, ତାହା ସହିତ ବନ୍ଧୁତା ସ୍ଥାପନ କରାଯାଇପାରିବ, ତୁମର ସେ ବିଶେଷ କିଛି କ୍ଷତି କରିପାରିବ ନାହିଁ । କିନ୍ତୁ ସେଇଟି ବଡ଼ ‘ଅଭିମାନୀ’ ରୋଗ । ତା’ ପ୍ରତି ଯଦି ଅବହେଳା କରିବ, ସେ ରାଗିଯିବ । ଥରେ ରାଗିଗଲେ ପୁଣି ତାକୁ ବାଟକୁ ଆଣିବା ପାଇଁ ସମୟ ଲାଗିବ । ମୋଟ ଉପରେ ତାକୁ ଥଟ୍ଟା କରିବ ନାହିଁ ।”

 

ବିଜ୍ଞାନ ବିଷୟକୁ ଏହିପରି ଭାଷାରେ ଓ ଶୈଳୀରେ ଲେଖିଲେ ତାହା କାହିଁକି ‘ସୁଆଦିଆ’ ଲାଗିବନି ? ଦୁର୍ବୋଧ୍ୟ ବିଜ୍ଞାନ ଭାଷାକୁ ବିନୋଦବାବୁ ଜନଭାଷା କରିଦେଲେ । କହି ବୁଲିଲେ ଯେ ବିଜ୍ଞାନ ଜ୍ଞାନରେ ସମସ୍ତଙ୍କର ସମାନ ଅଧିକାର ।

 

ଶରୀରରେ ରକ୍ତ ସଂଚାଳନ ସଂପର୍କରେ କହିବାକୁ ଯାଇ ‘ଚଳନ୍ତା ରାଇଜର ଅମୁହାଁ ନଈ’ ପୁସ୍ତକରେ ବିନୋଦବାବୁଙ୍କ ଲେଖନୀ ଲେଖିଛି- “ଗୋଟିଏ ରାଇଜ ଅଛି ଯେଉଁଟି ଗୋଟିଏ ସ୍ଥାନରେ ସ୍ଥିର ନ ରହି ଚାଲେ । ସେହି ରାଇଜରେ ଏଭଳି ଗୋଟିଏ ନଈ ଅଛି ଯାହାକି ପର୍ବତରୁ ବାହାରି ସମୁଦ୍ରରେ ନ ପଡ଼ି ପୁଣି ସେହି ପର୍ବତ ଗହ୍ୱରକୁ ଫେରିଯାଇଛି । ତାହାର ଗତିପଥରେ ସେଇଟି କୋଟି କୋଟି ମାଇଲ ଶାଖା ମେଲି ମେଲି ରାଜ୍ୟର ପ୍ରତି ଗଳିକନ୍ଦିକୁ ଯାଇଛି । ତାହାରି ଭିତରେ ଚାଲିଥିବା ଜଳରେ ଖାଦ୍ୟ ଓ ପବନ ଯାଇ ରାଇଜର ଶହ ଶହ କୋଟି ବାସିନ୍ଦାଙ୍କ ପାଖରେ ପହଞ୍ଚି ଯାଇଛି ।”

 

ବିଜ୍ଞାନ ବିଷୟରେ ଏହିପରି ଶୈଳୀ ଓ ଭାଷାରେ ଲେଖା ପଢ଼ିଲେ କି ଶୁଣିଲେ କିଏ କାହିଁକି ଅବା ଛାଟିପିଟି ହୋଇ ପଳେଇବା ପାଇଁ ପସନ୍ଦ କରିବ ?

 

ଆଇନ୍‌ଷ୍ଟାଇନ୍‌ଙ୍କ ବିଷୟରେ ବହିଟିଏ ଲେଖିଥିଲେ ଲିନ୍‌କଲନ୍‌ ବାରନେଟ୍‌ । ବହିଟିର ନାଁ - ‘The Universe and Dr. Einstein’ । ସେହି ପୁସ୍ତକଟିର ମୁଖବନ୍ଧ ଲେଖିଥିଲେ ନିଜେ ଆଇନ୍‌ଷ୍ଟାଇନ୍‌ ।

 

ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ବିଜ୍ଞାନର ଜଟିଳ ବିଷୟକୁ ସାଧାରଣ ଲୋକେ ବୁଝିପାରିବାଭଳି ଲେଖିବା ଖୁବ୍‌ କଷ୍ଟ । ସେଥିପାଇଁ ଅନେକ ଲେଖକ ପ୍ରକୃତ ତଥ୍ୟକୁ ବଡ଼ ଉପରଠାଉରିଆ ଭାବରେ ଲେଖି ଖସିଯାଆନ୍ତି । କିନ୍ତୁ ଏହା ହେଉଛି ପାଠକମାନଙ୍କ ପ୍ରତି ନିଚ୍ଛକ ଠକାମି । ସେହିପରି କେତେକ ଲେଖକଙ୍କ ବିଜ୍ଞାନ ଲେଖାର ଭାଷା ଓ ଶୈଳୀ ଏତେ କଠିନ ଯେ ପାଠକ ତା’ର ବିନ୍ଦୁବିସର୍ଗ ବୁଝି ନ ପାରି ସେଭଳି ଲେଖାକୁ ପ୍ରତ୍ୟାଖ୍ୟାନ କରିଦିଏ । ଫଳରେ ସହିଦ ହୋଇଯାଏ ବିଜ୍ଞାନ । ତାଙ୍କ ମତରେ ଜ୍ଞାନକୁ ଯଦି କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କ ଭିତର ସୀମିତ ରଖି ଦିଆଯାଏ, ତେବେ ବ୍ୟାହତ ହୋଇପଡ଼ିବ ଜନସାଧାରଣଙ୍କ ଦାର୍ଶନିକ ଚିନ୍ତାଧାରା । ସେମାନଙ୍କଠାରେ ପ୍ରସରିଯିବ ଚିନ୍ତା ଦାରିଦ୍ର୍ୟ ।

 

କେତେ ସତକଥା କହିଛନ୍ତି ଆଇନ୍‌ଷ୍ଟାଇନ୍‌ ! କିନ୍ତୁ ବିନୋଦବାବୁଙ୍କ ବିଜ୍ଞାନ ଲେଖାରୁ ପିଲାଠାରୁ ବୁଢ଼ା, କୌଣସି ପାଠକ ମୁହଁ ଫେରେଇ ନେବାର ସମ୍ଭାବନା ବି ସୃଷ୍ଟି ହୁଏ ନାହିଁ । ପୃଥିବୀର ପ୍ରଥିତଯଶା ଜ୍ୟୋତିଃ-ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍‌ ହକିଙ୍ଗ୍‌ଙ୍କୁ ତାଙ୍କ ପୁସ୍ତକର ପ୍ରକାଶକ ସତର୍କ କରିଦେଇ କହିଥିଲେ, “ଦେଖନ୍ତୁ ଆଜ୍ଞା, ଆପଣଙ୍କ ଲେଖାରେ ବେଶୀଗୁଡ଼ାଏ କ୍ଲିଷ୍ଟ ବୈଜ୍ଞାନିକ ଶବ୍ଦ ଥିଲେ ପ୍ରକାଶିତ ପୁସ୍ତକର ବିକ୍ରି ଅଧାଅଧି କମିଯିବ ବୋଲି ମନେ ଥାଏ ଯେପରି-!” କିନ୍ତୁ ବିନୋଦବାବୁଙ୍କ ବିଜ୍ଞାନ ଲେଖାରେ ଦୁର୍ବୋଧ୍ୟ ତଥା କ୍ଲିଷ୍ଟ ଶବ୍ଦର ନାମଗନ୍ଧ ମଧ୍ୟ ନ ଥାଏ । ବାସ୍ତବରେ ବିଜ୍ଞାନ ବିଷୟକୁ ଜନସାଧାରଣଙ୍କ ପାଇଁ କିପରି ଲେଖାଯିବା ଉଚିତ ନିଜ ଲେଖା ମାଧ୍ୟମରେ ସେ ବିଜ୍ଞାନ ଲେଖକମାନଙ୍କୁ ମାର୍ଗଦର୍ଶନ କରି ଯାଇଛନ୍ତି ।

 

ବିଜ୍ଞାନ ଲେଖାକୁ ସଂପୂର୍ଣ୍ଣ ନିର୍ଭୁଲ କରିବା ଓ ନିଜ ପ୍ରଣୀତ ବିଜ୍ଞାନ ପୁସ୍ତକଗୁଡ଼ିକର ଅତି ଆକର୍ଷଣୀୟ ନାମକରଣ କରିବା ହେଉଛି ବିନୋଦବାବୁଙ୍କର ବିଶେଷତ୍ୱ । ବିଜ୍ଞାନ ଲେଖାମାନ ନିର୍ଭୁଲ ହେଉ ନ ଥିଲେ ବିଜ୍ଞାନ ଲେଖକ ଓ ବିଜ୍ଞାନପାଠକମାନେ ତାଙ୍କୁ ବଦନାମ ନ କରି କ’ଣ ଛାଡ଼ି ଦେଇଥାନ୍ତେ ? ବିନୋଦବାବୁଙ୍କ ଲେଖାକୁ ଆହ୍ୱାନ ଜଣେଇବା ଧୃଷ୍ଟତାର ପରିଚାୟକ ।

 

      ଜଟିଳ ବିଜ୍ଞାନ ବିଷୟକୁ ଭଲ ଭାବରେ ପଢ଼ି ଓ ତାକୁ ଭଲ ଭାବରେ ବୁଝି ପାରି ନ ଥିଲେ କ’ଣ ଶରୀରର ହାଡ଼ ଓ ମାଂସପେଶୀଗୁଡ଼ିକର ପାରସ୍ପରିକ କ୍ରିୟା ସଂପର୍କିତ ନିଜ ରଚିତ ପୁସ୍ତକଟିକୁ ସେ ‘ଦୁଇଶହ ଗାଡ଼ିକୁ ଛଅଶହ ଇଂଜିନ୍‌’ (ଶରୀରରେ ଥାଏ ୨୦୬ ଖଣ୍ତ ହାଡ଼ ଓ ୬୦୦ ସରିକି ମାଂସପେଶୀ) ବୋଲି ନାଁ ଦେଇପାରିଥାନ୍ତେ ? ଶରୀରର ଯାବତୀୟ କାର୍ଯ୍ୟକୁ ନିୟନ୍ତ୍ରଣ କରୁଥିବା ମସ୍ତିଷ୍କ ଅଙ୍ଗଟି ବିଷୟରେ ଲେଖିଥିବା ବହିଟିର ନାମକରଣ କରିପାରିଥାନ୍ତେ ‘ସବୁତକ ଚାବି ଧରେଇ ଦେଲି’ ବୋଲି ? ରକ୍ତ ସଂଚାଳନ ବିଷୟଟି ବର୍ଣ୍ଣିତ ହୋଇଛି ତାଙ୍କ ‘ଚଳନ୍ତା ରାଇଜର ଅମୁହାଁ ନଈ’ ବହିରେ । ସୂର୍ଯ୍ୟ ସଂପର୍କରେ ଲିଖିତ ବହି ‘ସେ ଚୁଲି କେବେ ଲିଭିବ ନାହିଁ ।’ ‘ଚକ ବୁଲୁଥାଏ, ଚକ ବୁଲୁଥାଏ’ ପୁସ୍ତକର ରହିଛି ଜଳଚକ୍ରର ବର୍ଣ୍ଣନା । ଖାଦ୍ୟ ଓ ପରିପାକ ପ୍ରଣାଳୀ ବିଷୟରେ ପ୍ରଧାନ ପ୍ରଧାନ ତଥ୍ୟ ମିଳିଯାଏ ‘ଜୀବନ ତିଆରି କାରଖାନା’ ଓ ‘ମାଆଭଳି ମେସିନ୍‍ଟିଏ’ ପୁସ୍ତକଦ୍ୱୟରୁ ।

 

ବିଜ୍ଞାନ ବିଷୟକୁ ସେ ଏପରି ନିଜର କରି ଦେଇଥିଲେ ଯେ ବର୍ଷକର ୩୬୫ ଦିନରେ ୩୬୫ ଖଣ୍ଡ ବିଜ୍ଞାନ ପୁସ୍ତକ ଲେଖି ପକେଇବାର କାମ ଆରମ୍ଭ କରିଦେଇଥିଲେ । କିନ୍ତୁ ତାଙ୍କର ଅକାଳ ନିଧନ ଯୋଗୁଁ ଏହି ଯୋଜନା ଅଧା ରହିଗଲା ।

 

କୃଷି, ସ୍ଵାସ୍ଥ୍ୟ, ସାଧାରଣ ଜ୍ଞାନ, ମହୁଚାଷ, ମାଛଚାଷ, ଗୋପାଳନ, ସମବାୟ ଆଦି ଜନହିତକାରୀ ବିଷୟ ଆଧାରିତ ଏକ ପୁସ୍ତକ ରଚନା କରିଥିଲେ ବିନୋଦବାବୁ- ଓଡ଼ିଶା ସରକାରଙ୍କ ବରାଦରେ, ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମରେ ପ୍ରଚଳନ ପାଇଁ । କିନ୍ତୁ ସରକାର ଚାହିଁଥିବା ‘ପ୍ରୌଢ଼ଶିକ୍ଷା’ ନାମକରଣକୁ ନାପସନ୍ଦ କରି ବିନୋଦବାବୁ ପୁସ୍ତକଟିର ନାଁ ରଖିଥିଲେ ‘ଲୋକଶିକ୍ଷା’-

 

ପୁଣି ଡକ୍ଟର ମାୟାଧର ମାନସିଂହଙ୍କ ଅନୁରୋଧ ରକ୍ଷା କରି ଓଡ଼ିଶା ସରକାରଙ୍କ ପାଇଁ ସେ ଲେଖିଥିଲେ ଜାପାନର କୃଷି ଓ କୁଟୀର ଶିଳ୍ପ’’ ଏବଂ ‘ଗଣତନ୍ତ୍ରର ଆଦର୍ଶ ସୁଇଜରଲାଣ୍ଡ’ ନାମକ ଦୁଇଟି ପୁସ୍ତକ । ପୁସ୍ତକ ଦୁଇଟି ଇଂରାଜୀ ପୁସ୍ତକ ଦ୍ୱୟର ଛାୟାରେ ଲେଖା ହୋଇଥିଲେ ମଧ୍ୟ ସେଥିରେ ପରିସ୍ଫୁଟ ହୋଇଥିଲା ବିନୋଦବାବୁଙ୍କ ଉପସ୍ଥାପନ ଶୈଳୀର ସ୍ଵତନ୍ତ୍ରତା । ସରକାର ବହି ଦୁଇଟିକୁ ଛପେଇ ହଜାର ହଜାର ସଂଖ୍ୟାରେ ଓଡ଼ିଶା ସାରା ବାଣ୍ଟିଥିଲେ।

 

ବିନୋଦ କାନୁନ୍‌ଗୋଙ୍କ ସାହିତ୍ୟକୃତି ପରିପ୍ରେକ୍ଷୀରେ ଡକ୍ଟର ମାୟାଧର ମାନସିଂହଙ୍କ ଉକ୍ତି ପ୍ରଣିଧାନଯୋଗ୍ୟ । ଡକ୍ଟର ମାନସିଂହ ଦିନେ କହିଥିଲେ, “କାନୁନ୍‌ଗୋଙ୍କୁ ଯଦି ଏ ଜାତି, ଏ ସମାଜ, ଏ ସରକାର ସୁଯୋଗ ଦିଅନ୍ତା, କେତେ ହଜାର ଇଂରାଜୀ ବହିର ସାରକଥା ସେ ଲେଖିପକାନ୍ତେ ଓ ଓଡ଼ିଆ ଭାଷାଭାଷୀ ଲୋକେ ଅମୂଲ୍ୟ ଜ୍ଞାନ ସଂପଦର ଅଧିକାରୀ ହୋଇଯାଇପାରନ୍ତେ । କିନ୍ତୁ ତାହା କ’ଣ ଏ ଦେଶରେ ସମ୍ଭବ ? ବିଶେଷତଃ ଓଡ଼ିଶାରେ !’’

 

ତଥାପି ବିଜ୍ଞାନ-ଜ୍ଞାନ ବିତରଣ ମାଧ୍ୟମରେ ବିଂଶ ଶତାବ୍ଦୀର ଜନସାଧାରଣଙ୍କୁ ବିନୋଦବାବୁ ଏକବିଂଶ ଶତାବ୍ଦୀ ପାଇଁ ବିଜ୍ଞାନ ସାକ୍ଷର କରିଯାଇଛନ୍ତି । ବିଶିଷ୍ଟ ଗାନ୍ଧୀବାଦୀ ତଥା ଚିନ୍ତକ ପଣ୍ଡିତ ଆର୍‌, ଆର୍‌, ଦିବାକର ବିନୋଦବାବୁଙ୍କ କୃତିତ୍ୱ ସମ୍ବନ୍ଧରେ ମନ୍ତବ୍ୟ ଦେଇଥିଲେ, “ସେ ଯେଉଁ ଜ୍ଞାନ ଅର୍ଜନ କରୁଛନ୍ତି, ସେଥିରେ ତାଙ୍କ ଆଜିକାର ଭାଇମାନଙ୍କୁ ଓ ଏହାପରେ ଯେଉଁମାନେ ଆସିବେ ସେମାନଙ୍କୁ ଅଂଶୀଦାର କରିବାର ଯେଉଁ ବ୍ୟଗ୍ରତା ବା ଉତ୍ସୁକତା ତାଙ୍କ ଭିତରେ କାମ କରୁଛି, ତାହା ହିଁ ତାଙ୍କ ପାଇଁ ପ୍ରେରଣା ।’’

 

ବିଜ୍ଞାନକୁ ଲୋକପ୍ରିୟ କରାଇବାରେ ବୈଜ୍ଞାନିକମାନଙ୍କ ବୀତସ୍ଫୃହତାକୁ ଲକ୍ଷ୍ୟ କରି ଆମେରିକାର ସ୍ଥାପତ୍ୟ ବିଜ୍ଞାନୀ ଆଲେକ୍‌ଜାଣ୍ଡାର କ୍ୟାଲଡର କହିଥିଲେ, ‘‘ବୈଜ୍ଞାନିକମାନେ ସେମାନଙ୍କ ଆବିଷ୍କାରଗୁଡ଼ିକୁ ଅବୈଧ ସନ୍ତାନ ଭଳି ସମାଜର ବଡ଼ଦାଣ୍ଡରେ ଫୋପାଡ଼ି ଦେଇଆସୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ସେ ସେଗୁଡ଼ିକୁ ଲାଳନପାଳନ କରିବାର କଳା ପାଳକ ପିତାମାତାମାନଙ୍କୁ ମାଲୁମ ନାହିଁ ।” ମାତ୍ର ବିନୋଦ କାନୁନ୍‌ଗୋ ଥିଲେ ବିଜ୍ଞାନରୂପୀ ସନ୍ତାନଙ୍କ ଏଭଳି ଜଣେ ପାଳକପିତା ଯିଏ ସେମାନଙ୍କୁ ଅତି ଆଦରଯତ୍ନର ସହ ଆଜୀବନ ଲାଳନପାଳନ କରି ଚାଲିଥିଲେ ।

 

ବାସ୍ତବରେ ଦେଖିଲେ, ଜଣେ ଜନପ୍ରିୟ ବିଜ୍ଞାନ ଲେଖକ ଭାବରେ ବିନୋଦବାବୁ ଥିଲେ ଓଡ଼ିଶାର ଅଦ୍ୱିତୀୟ । ତାଙ୍କ ପ୍ରଗାଢ଼ ଉଦ୍ୟମ ବଳରେ ବିଜ୍ଞାନ-ଜ୍ଞାନ ଶିକ୍ଷିତ ସମାଜର ଏକଚାଟିଆ ଅଧିକାରଭୁକ୍ତ ନ ହୋଇ ଲାଭ କରିପାରିଛି ସାର୍ବଜନୀନତା । ସେଥିପାଇଁ ‘ସମାଜ’ ଖବରକାଗଜର ଦିବଂଗତ ସମ୍ପାଦକ ରାଧାନାଥ ରଥ ତାଙ୍କୁ ‘ବିଜ୍ଞାନ ବିନୋଦୀ’ ବୋଲି ଯାହା କହିଛନ୍ତି, ତାହା ସଂପୂର୍ଣ୍ଣ ଯଥାର୍ଥ ।

 

ସେଥିପାଇଁ ତ ବିନୋଦବାବୁଙ୍କ ଦ୍ଵାରା ସଂକଳିତ ‘ଜ୍ଞାନମଣ୍ଡଳ’କୁ ବିଜ୍ଞାନର ଛାତ୍ରମାନେ ମଧ୍ୟ ମନଦେଇ ପଢ଼ୁଥିଲେ ଏବଂ ପଢ଼ିସାରି କହୁଥିଲେ, ‘‘ଏଇଟିକୁ ପଢ଼ିଦେଲାପରେ ବିଜ୍ଞାନ ପାଠ୍ୟପୁସ୍ତକକୁ ଆମେ ବେଶ୍‌ ଭଲ ଭାବରେ ବୁଝିପାରୁଛୁ ।”

 

ବିଜ୍ଞାନ ମନସ୍କତା :

ଏହା ମଧ୍ୟ ଲକ୍ଷ୍ୟ କରିବାର କଥା ଯେ ବୈଜ୍ଞାନିକ ମନୋଭାବ ପୋଷଣ କରିବା ଥିଲା ବିନୋଦବାବୁଙ୍କର ଅସ୍ଥିମଜ୍ଜାଗତ । ସେ କହୁଥିଲେ, “ଯାହା ବିଜ୍ଞାନସମ୍ମତ ନୁହେଁ, ଯାହା ଉପରେ ବିଶେଷ ଗବେଷଣା ହୋଇ ନାହିଁ କି ବିଶ୍ଵାସଯୋଗ୍ୟ କିଛି ଜଣା ନାହିଁ, ସେଇ ଆଡ଼େ ମନ ଦେବା ନାହିଁ ।” ସେ ବହୁସଂଖ୍ୟକ ଡାକ୍ତରୀ ବହି ପଢ଼ିଥିଲେ । ବହୁ ପ୍ରସିଦ୍ଧ ଚିକିତ୍ସକଙ୍କ ଅନ୍ତରଙ୍ଗ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ସହ ଆଲୋଚନା କରୁଥିଲେ । କିନ୍ତୁ ଏଇ ଔଷଧଟିକୁ ଖାଅ ବୋଲି କାହାରିକୁ କହୁ ନ ଥିଲେ । କାରଣ ସେ ଜାଣିଥିଲେ ଯେ ଡାକ୍ତର ନ ହୋଇ ଏଭଳି ପରାମର୍ଶ ଦେବା ଅବୈଜ୍ଞାନିକ ଆଚରଣ ।

 

ବିନୋଦ କାନୁନ୍‌ଗୋଙ୍କ ବିଜ୍ଞାନ ମନସ୍କତା ସମ୍ବନ୍ଧରେ ତାଙ୍କ ଅନ୍ତରଙ୍ଗ ବନ୍ଧୁ ସ୍ଵାଧୀନତା ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମହାନ୍ତିଙ୍କ ଉକ୍ତି ଉଲ୍ଲେଖଯୋଗ୍ୟ । ଗୋବିନ୍ଦବାବୁଙ୍କ ଉକ୍ତି ଥିଲା, “ବୈଜ୍ଞାନିକ ଦୃଷ୍ଟିକୋଣ ସହ ବାସ୍ତବତା ଭିତ୍ତିରେ ବିନୋଦ କାନୁନ୍‌ଗୋଙ୍କ ରଚନାଗୁଡ଼ିକ ସମୃଦ୍ଧ । ସେ ନିଶ୍ଚିତ ଭାବରେ ଥିଲେ ଈଶ୍ଵର ବିଶ୍ଵାସୀ । ମାତ୍ର ତାଙ୍କର ବୈଜ୍ଞାନିକ ଅନୁଶୀଳନରେ ସେ କେବଳ ବିଜ୍ଞାନ ଓ ପ୍ରକୃତିକୁ ହିଁ ସମସ୍ତ ସୃଷ୍ଟିର ମୂଳ ଆଧାର ବୋଲି ଦର୍ଶାଇଛନ୍ତି ।”

 

ବିନୋଦବାବୁ ଥିଲେ ଗଭୀର ଆତ୍ମ-ବିଶ୍ୱାସୀ । ନୋହିଲେ ମାତ୍ର ନବମ ଶ୍ରେଣୀର ଶିକ୍ଷାଗତ ଯୋଗ୍ୟତା ଧରି ସେ ପଢ଼ିବା, ବୁଝିବା, ମନେ ରଖିବା ଓ ଲେଖିବା ଆଦି ସବୁକାମ ଏକା ଏକା କରି ନିଜ ଅନନ୍ୟ ସାଧାରଣ ପ୍ରତିଭାର ପରିଚୟ ଦେଇପାରି ନ ଥାନ୍ତେ ।

 

ପୁଣି ଓଡ଼ିଆ ସାହିତ୍ୟର ଗନ୍ତାଘରକୁ ଅସାଧାରଣ ଭାବରେ ସମୃଦ୍ଧ କରି ମଧ୍ୟ ସେ ସର୍ବଦା ନିଜକୁ 'ଅପାଠୁଆ' ବୋଲି କହି ଆସୁଥିଲେ । ପ୍ରଣୟନ କରିଥିଲେ ‘ପାଠ ପଛେ ପଛେ ଅପାଠୁଆ’ ଶୀର୍ଷକ ପୁସ୍ତକ । ନିଜର ବିସ୍ମୟକର ସାରସ୍ଵତ କୃତିର ଶ୍ରେୟ ଅନ୍ୟମାନଙ୍କୁ ଦେଇ ସେମାନଙ୍କ ନିକଟରେ ନିଜର । କୃତଜ୍ଞତାର ପ୍ରମାଣ ସ୍ଵରୂପ ଲେଖିଯାଇଛନ୍ତି ଭିନ୍ନ ସ୍ଵାଦର ଆତ୍ମକଥା- ‘ଋଣ ପରିଶୋଧ’ ।

 

ବିନୋଦବାବୁ ଜଣେଇ ଦେଇଗଲେ ଯେ-

(୧)

ଆନ୍ତରିକ ନିଷ୍ଠା ଓ ଅଦମ୍ୟ ଅଧ୍ୟବସାୟ ବଳରେ ଯେକୌଣସି ସାଧାରଣ ବ୍ୟକ୍ତିଟିଏ ମଧ୍ୟ ଅସାଧାରଣ ହୋଇପାରିବ ।

(୨)

ତଥାକଥିତ ଅପାଠୁଆମାନେ ଅତିପାଠୁଆ ହୋଇପାରିବେ ।

(୩)

ଜ୍ଞାନ ଅର୍ଜନରେ ଦାରିଦ୍ର୍ୟ ଏକ ପ୍ରତିବନ୍ଧକ ସତ, କିନ୍ତୁ ସେହି ପ୍ରତିବନ୍ଧକକୁ ପରାଜିତ କରିବା ସମ୍ଭବ ।

 

ପ୍ରତିଭାଧାରୀମାନଙ୍କ ଲକ୍ଷଣ କଅଣ ବୋଲି ପଚାରିବାରୁ ପ୍ରଖ୍ୟାତ ପଦାର୍ଥ ବିଜ୍ଞାନୀ ତଥା ନୋବେଲ ବିଜେତା ରିଚାର୍ଡ଼ ଫାଇନମ୍ୟାନ୍‌ ମତ ଦେଇଥିଲେ, “ଅନ୍ୟ ସମସ୍ତେ ଯେଉଁ ଧାରାରେ ଚିନ୍ତା କରିଥାନ୍ତି, ତାକୁ ଛାଡ଼ି ଏକ ଅଜଣା ଧାରାରେ ଚିନ୍ତା କରିବା ହେଉଛି ପ୍ରତିଭାଧାରୀମାନଙ୍କର ଲକ୍ଷଣ ।”

 

ଏହି ଉକ୍ତି ପରିପ୍ରେକ୍ଷୀରେ ଦେଖିଲେ, ବିନୋଦ କାନୁନ୍‌ଗୋ ନିଶ୍ଚିତ ଭାବରେ ଥିଲେ ଜଣେ ପ୍ରତିଭାଧାରୀ ।

 

ସୁତରାଂ ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ ତଥା ବିପ୍ଳବୀ କବି ସ୍ଵର୍ଗତ ମନମୋହନ ମିଶ୍ର ବିନୋଦ କାନୁନ୍‌ଗୋଙ୍କ ସମ୍ପର୍କରେ ଯଥାର୍ଥରେ କହିଛନ୍ତି- ‘‘ମାନବର ଇତିହାସେ ତୁମେ ଏକ ବିରଳ ବ୍ୟକ୍ତିତ୍ଵ ।’’

 

 

‘ଅଭୀପ୍‌ସା’

ସେକ୍ଟର- ୬, ପ୍ଲଟ୍‌ ନଂ. ୧୧୩୧

ଅଭିନବ ବିଡ଼ାନାସୀ

କଟକ

 

***

 

ଅଜେୟ ବିନୋଦ କାନୁନ୍‌ଗୋ

ପଦ୍ମଚରଣ ନାୟକ

 

ବିନୋଦବାବୁ ଗୋଟିଏ ସମୟରେ ଜନ୍ମଲାଭ କରିଥିଲେ ଯେଉଁ ସମୟରେ ଜଗନ୍ନାଥ ହିଁ ଥିଲେ ଓଡ଼ିଆର ପରିଚୟ ହୋଇ । ଓଡ଼ିଆର ଭାଷା ସ୍ୱୀକୃତି ଲାଭ କରିବାକୁ ଆହୁରି ଅନେକ ବର୍ଷ ଡେରିଥିଲା । ଉତ୍କଳ ସମ୍ମିଳନୀ ପ୍ରତିଷ୍ଠାର ନଅବର୍ଷପରେ ତାଙ୍କର ଜନ୍ମ ଏକ ନଦୀ ବେଷ୍ଟିତ ଅଞ୍ଚଳରେ ଯେଉଁଠି ନଥିଲା ବିଧିବଦ୍ଧ ବିଦ୍ୟାଳୟଟିଏ । କିଛିବର୍ଷ ମାମୁଁଘର ନାଗଣପୁର ଗାଁ ବିଦ୍ୟାଳୟରେ ପଢ଼ି ସେ କଟକ ଆସିବା ବେଳକୁ ଓଡ଼ିଆ ଜାତୀୟ ଆନ୍ଦୋଳନ ତାଙ୍କ ମାମୁଁ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସମେତ ବହୁ ଶିକ୍ଷିତ ଓ ସଂଭ୍ରାନ୍ତ ଓଡ଼ିଆକୁ ଉଦ୍‌ବୁଦ୍ଧ କରିଛି । ଓଡ଼ିଆ ଭଳି ପ୍ରାଚୀନ ଓ ସମୃଦ୍ଧ ଭାଷାକୁ ଭାରତୀୟ ଦରବାରରେ ପ୍ରତିଷ୍ଠା କରିବାଲାଗି ପ୍ରତ୍ୟେକ ଜାତିପ୍ରାଣ ଉଦ୍ୟମ କରିଛି । ବାହାରିଛନ୍ତି ଗୋପାଳଚନ୍ଦ୍ର ପ୍ରହରାଜ । ନାନା ପ୍ରତିବନ୍ଧକ ମଧ୍ୟରେ ସେ ଚଳାଇଛନ୍ତି ସାଧନା । ସେହି ସାଧକଙ୍କର ଯୁଗାଧିବ୍ୟାପୀ ତପସ୍ୟା ଫଳରେ ଓଡ଼ିଆ ଜାତି ପାଇଛି ଅତୁଳନୀୟ ଭାଷାକୋଷ । ପଡ଼ୋଶୀ ବଙ୍ଗୀୟମାନଙ୍କର ବଂକିମ ଚନ୍ଦ୍ର, ଶରତ ଚନ୍ଦ୍ର ଓ ରବୀନ୍ଦ୍ର ନାଥଙ୍କ ସାହିତ୍ୟ ଭାରତବର୍ଷ ସମେତ ଆନ୍ତର୍ଜାତୀୟ ସ୍ଵୀକୃତି ପାଇଥିଲାବେଳେ ଓଡ଼ିଶାର ଭୀମଭୋଇଙ୍କୁ ପ୍ରତିଷ୍ଠା କରିବା ଲାଗି ଶହେ ବର୍ଷ ଅପେକ୍ଷା କରିବାକୁ ହୋଇଥିଲା । ଏହିଭଳି ହୀନିମାନିଆ ବାତାବରଣ ମଧ୍ୟରେ ଆର୍ତ୍ତବାବୁ ପ୍ରାଚୀନ ଓଡ଼ିଆ ସାହିତ୍ୟର ପୁନରୁଦ୍ଧାର ଜରିଆରେ ନିଜର ବୁନିଆଦିକୁ ପୁନଃପ୍ରତିଷ୍ଠା କରିବାଲାଗି ଆଗଭର ହୋଇଛନ୍ତି । ତାଙ୍କରି ବସାଘରେ (ରେଭେନ୍ସା ମହାବିଦ୍ୟାଳୟର ପୂର୍ବ ଛାତ୍ରାବାସ) ବିନୋଦବାବୁ ଯେଉଁ ସମୟତକ ପଢ଼ିବାପାଇଁ ରହିଲେ ସେଇଥିରୁ ତାଙ୍କର ଓଡ଼ିଆ ଭାଷା ଶିକ୍ଷା ଓ ଭାଷା ପ୍ରତି ଶ୍ରଦ୍ଧା ବୃଦ୍ଧି ପାଇଛି । ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସଂପାଦନାରେ ଗଢ଼ିଉଠୁଥିବା ପ୍ରାଚୀ ସାହିତ୍ୟ ଆଖଡ଼ାର ବାସନା ବାଜିଛି ବିନୋଦ କାନୁନ୍‌ଗୋଙ୍କ ଠାରେ । ନବମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଦଶମ ଶ୍ରେଣୀରେ କେଇମାସ ପଢ଼ିଛନ୍ତି । ସେ ଗାନ୍ଧି ଓ ଗାନ୍ଧିଜନଙ୍କ ଆହ୍ୱାନ ଦ୍ୱାରା ପାଗଳ ହୋଇ ପଢ଼ା ଛାଡିଛନ୍ତି ୧୯୩୦ ଏପ୍ରିଲ ୧୦ ତାରିଖ ଦିନ । ମାମୁଁଙ୍କ ଠାରୁ ପିଟା ଖାଇଛନ୍ତି । ବନ୍ଧୁ ବାନ୍ଧବଙ୍କ ଗଞ୍ଜଣାକୁ ଭ୍ରୂକ୍ଷେପ ନ କରି ଚାରି ଦିନର ଉପବାସ ପେଟରେ ସତେଇଶି କିଲୋମିଟର ଚାଲି ଚାଲି କଟକରେ ପହଞ୍ଚି ରମାଦେବୀଙ୍କ ଆଦର ପାଇଛନ୍ତି ।

 

ଏହି ସଂଗ୍ରାମରେ ପ୍ରଥମେ ହାରିଛନ୍ତି ମାମୁଁ ଆର୍ତ୍ତବଲ୍ଲଭ ମହାନ୍ତି ଆଉ ବନ୍ଧୁ, କୁଟୁମ୍ବ ଏବଂ ଶେଷକୁ ସବୁଠାରୁ ଆପଣାର ବୋଉ । କେଉଁ ସ୍ୱପ୍ନ ସେହି ଅଠର ବର୍ଷର ଯୁବକକୁ କିଭଳି ପାଗଳ କରିଥିଲା ତାହାହିଁ ଏଇ ଘଟଣାରୁ କଳି ହେବ । ଏହିଭଳି ସ୍ୱପ୍ନ ଦେଖିବା ଓ ପାଗଳ ହେବା ଲୋକେ ହିଁ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରନ୍ତି, ନିରାଶା ଓ ହତାଶା ମଧ୍ୟରେ ଜାତିପ୍ରାଣରେ ନୂତନ ପ୍ରେରଣାର ନିର୍ଝର ବୁହାଇ ଦିଅନ୍ତି । ସ୍ଵାଧୀନତା ସଂଗ୍ରାମରେ ଯେଉଁମାନଙ୍କ ବିରୋଧରେ ବିନୋଦବାବୁ ଓ ତାଙ୍କ ସହକର୍ମୀମାନେ ଝାସ ଦେଇଥିଲେ ସେଥିରେ ସେମାନେ ଯଶସ୍ଵୀ ହେଲେ । ଏହାପରେ ଆରମ୍ଭ ହୋଇଛି ତାଙ୍କର ଦ୍ୱିତୀୟ ସଂଗ୍ରାମ ଯାହା ଥିଲା ଅନନ୍ୟ, ଯେଉଁଥିପାଇଁ ସେ ଓଡ଼ିଆଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିବେ ।

 

ସେଦିନ ଥିଲା ୧୯୫୪ ମସିହାର ଜାନୁଆରୀ ପହିଲା । ଜାନୁଆରୀ ପହିଲାରେ ଜଗନ୍ନାଥଙ୍କ କି ପରବ ଯେ ଯେଉଁଥିପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବଡ଼ ଦେଉଳରେ ଗହଳି କରନ୍ତି । ପଚାରିଲେ କେହି କହିପାରିବେ ନାହିଁ । କିନ୍ତୁ ସେ ଦିନଟି ଯେ ଓଡ଼ିଆ ଜାତି ଲାଗି ବେଶ ସ୍ମରଣୀୟ ଦିନ ତାହା ଅନେକ ଜାଣନ୍ତି ନାହିଁ ବା ସେହି ଉଦ୍ଦେଶ୍ୟରେ ଦିନଟିକୁ ପାଳନ୍ତି ନାହିଁ । ଜାନୁଆରୀ ପହିଲା ଦିନ ପ୍ରଥମ ଓଡ଼ିଆ ଦୈନିକ ପତ୍ରିକା “ଆଶା”ର ଜନ୍ମବାସର ଖାଲି ନୁହେଁ, ସେଇଟି ବି ତା’ର ପ୍ରତିଷ୍ଠାତା ଓ ଓଡ଼ିଆ ଆନ୍ଦୋଳନର ଅନ୍ୟତମ ସାରଥୀ ଶଶିଭୂଷଣ ରଥଙ୍କ ଜନ୍ମଦିନ । ଜାନୁଆରୀ ପହିଲା ଦିନ ଛବିଶଟି ଗଡ଼ଜାତ ଓଡ଼ିଶାରେ ମିଶିବା ଫଳରେ ହିଁ ପୂର୍ଣ୍ଣାଙ୍ଗ ନ ହେଲେ ବି ବୃହତ୍ତର ଓଡ଼ିଶା ଜନ୍ମଲାଭ କଲା । ଆଉ ସେହି ଜାନୁଆରୀ ପହିଲା ଦିନ ହିଁ ବିଖ୍ୟାତ ଜ୍ଞାନମଣ୍ଡଳ ଯଜ୍ଞର ଅଧିବାସ, ଯେଉଁଦିନ ଗୋଟିଏ ଟଙ୍କା ଘରୁ ଧରି ସିନ୍ଧୁ ଲଂଘିବା ପାଇଁ ବାହାରି ପଡ଼ିଥିଲେ ବିନୋଦ କାନୁନ୍‌ଗୋ ।

 

ସେ ବେଳର ନବମ ଶ୍ରେଣୀପାସ କରି ଦଶମ ଶ୍ରେଣୀରେ ତିନିମାସ ପଢ଼ାରୁ ବିଦ୍ୟାଳୟ ପାଠ ଶେଷ । ବିଶାଳ ଜ୍ଞାନ ସାଗରର ଦିଗଭାଗ ନ ପାଇଥିଲେ ହେଁ ସେଇଥିରେ ସେ ସନ୍ତରଣ କରିବେ ବୋଲି ସେଇଦିନୁ ହିଁ ସଂକଳ୍ପ ନେଇଛନ୍ତି । ସାଙ୍ଗରେ ଆଣିଛନ୍ତି ନେସଫିଲ୍ଡ ଗ୍ରାମାର ବହି । ଜାଣିଥିଲେ ଜ୍ଞାନର ସାଗରର ଭେଦ ସେଇ ଇଂରାଜୀ ଭାଷାରୁ ପାଇବେ । ବିଭିନ୍ନ ସମୟରେ କାରାବାସ କାଳରେ ବହୁ ପଣ୍ଡିତ ବ୍ୟକ୍ତିଙ୍କ ସହାୟତା ନେଇଛନ୍ତି । ବିଶେଷକରି ବ୍ରହ୍ମପୁର ଜେଲରେ ରହିବା ସମୟରେ ସେ ପୂରା ଜ୍ଞାନ-ସାଧନାରେ ଲାଗିଯାଇଛନ୍ତି । ୧୯୫୪ ରୁ ସେ ପୁଣି ବିଧିବଦ୍ଧ ଛାତ୍ରଙ୍କଠାରୁ ଆହୁରି କୁଛ୍ର ସାଧନାରେ ଲାଗିଯାଇଛନ୍ତି । କେଉଁ ପିଲା ପରୀକ୍ଷା ବେଳେ ବି ଦିନକୁ ଅଠର ଘଣ୍ଟା ଲେଖାପଢ଼ା କରେ ? ଏହି ସମୟକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆରେ ଏନ୍ସାକ୍ଲୋପେଡିଆ ବାହାର କରିବାଲାଗି କାମ ଆରମ୍ଭ କରିଛି । ସଂପାଦନା ମଣ୍ଡଳୀର ମୁଖ୍ୟ ଡକ୍ଟର ମାୟାଧର ମାନସିଂହ । ନାନା କାରଣରୁ ସେ ଏନ୍ସାକ୍ଲୋପେଡିଆ ବାହାରିବା ପୂର୍ବରୁ ଛଅବର୍ଷର ସାଧନା ଫଳରେ ଜ୍ଞାନମଣ୍ଡଳର ପ୍ରଥମଖଣ୍ଡ ଲୋକାର୍ପିତ ହୋଇପାରିଛି ।

 

ପ୍ରଥମ କେଇମାସ ନନା ହୋଟେଲରେ ଖାଇବାର ବ୍ୟବସ୍ଥା ହୋଇଗଲା । ମାସ ଶେଷରେ ଖାଇବା ଖର୍ଚ୍ଚ ଓ ଘରର ଭଡ଼ା ଦେଲେ ଚଳିବ । କିନ୍ତୁ ଏ ସୁଯୋଗ ଅଳ୍ପ କାଳ ପରେ ଶେଷ ହୋଇଗଲା । ଏହାପରେ ସେ ରହିଲେ ଦେଶପ୍ରେମୀ ବଲାଇ ପାଲିତଙ୍କ ଘରେ । ପୂର୍ବରୁ ଯେ ଛୋଟ ବହିମାନ ଲେଖୁଥିଲେ । ତାର ବିକ୍ରୀବାବଦ ରାଜଭାଗ ଓ ଶିଶୁ ସଂପଦ ପତ୍ରିକା ବିକ୍ରି ଲବ୍ଧରୁ ବା କେତେ ଟଙ୍କା ମିଳୁଥିବ । ୧୯୫୪ ରୁ ୧୯୬୦ ସାତବର୍ଷକାଳ ସେ କିଭଳି ଆର୍ଥିକ ଅନାଟନ ମଧ୍ୟରେ କଟାଇଲେ ତାର କୌଣସି ସୂଚନା କେଉଁଠୁ ମିଳେନା । ତାଙ୍କ ସ୍ମୃତିକଥା ବୋଲି କୁହାଯାଉଥିବା ଋଣ ପରିଶୋଧର ୪୦୪ ପୃଷ୍ଠାରେ ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଆତ୍ମଜୀବନୀ ବାହାରିଥିଲେ ତହିଁରୁ ସେ କଥାଟି ଜଣାପଡ଼ିଥାନ୍ତା । କିନ୍ତୁ ସଂପୂର୍ଣ୍ଣ ଜ୍ଞାନମଣ୍ଡଳ ବାହାରିବା ପୂର୍ବରୁ ଆତ୍ମଜୀବନୀ ଲେଖା ପ୍ରଶ୍ନ ନ ଥିଲା । ନିର୍ଦ୍ଦିଷ୍ଟ ଆୟ ନଥିବା ଲୋକପାଇଁ କଟକ ସହରରେ ଛଅସାତ ବର୍ଷ ଚଳିବା କେତେ କଷ୍ଟକର ତାହା ସେହିଭଳି ପରିସ୍ଥିତି ଭୋଗିଥିବା ଲୋକ କଳନା କରିପାରିବେ ।

 

କାବୁଲି ଠାରୁ ୧୨୫% ସୁଧରେ ଋଣ କରିଛନ୍ତି, କିନ୍ତୁ ଭାଙ୍ଗିପଡ଼ିନାହାଁନ୍ତି । ଗୋଟିଏ ବଖତ ହୋଟେଲରେ ଖାଇ ରାତିଟା ମୁଢ଼ି ଉଖୁଡ଼ାରେ ଦୀର୍ଘ ସାତ ବର୍ଷ କଟାଇଛନ୍ତି । ଏହି ସମୟରେ ଗାନ୍ଧିଜୀଙ୍କ ଦାରିଦ୍ର୍ୟ ମଧ୍ୟରେ ସୌନ୍ଦର୍ଯ୍ୟ କଥାକୁ ନିଜେ ଅନୁଭବ କରି ସବୁ ଅସୁବିଧାକୁ ଅବଲୀଳା କ୍ରମେ ଅତିକ୍ରମ କରିନେଇଛନ୍ତି । ପ୍ରଥମ ଖଣ୍ଡ ଲେଖା ସରିଲା ବେଳକୁ ଚିନ୍ତା ପଡ଼ିଲା ଛପା ହେବା କଥା । କାଗଜ ଓ ଛପା ଖର୍ଚ୍ଚ ପାଇଁ ଅଟକଳ ହେଲା ତିନିଶହ ଟଙ୍କା । ବାଉନ ବର୍ଷ ତଳେ ଟଙ୍କାଟି କେତେ ଦୁଷ୍ପ୍ରାପ୍ୟ ଥିଲା ତାହା ଏହି ପିଢ଼ିର ଲୋକେ କଳ୍ପନା କରିପାରିବେ ନାହିଁ । ବିନୋଦବାବୁ କଣ ଗୋଟିଏ ବଡ଼ କାମରେ ଲାଗିଛନ୍ତି ଏହା ତାଙ୍କର ବନ୍ଧୁମାନେ ଜାଣିଥିଲେ । ସୁଯୋଗକୁ ଦିନେ ପହଞ୍ଚିଥିଲେ ସ୍ଵାଧୀନତା ସଂଗ୍ରାମର ସହଯୋଦ୍ଧା ଚୌଦ୍ଵାରର ଶତୃଘ୍ନ ସାହୁ । ଯେଉଁ ଲୋକପାଇଁ ମାସକୁ ପଚାଶ ଟଙ୍କା ଯୋଗାଡ଼ କରିବା କଷ୍ଟକର ତାପକ୍ଷରେ ତିନିଶହ ଟଙ୍କା ଯୋଗାଡ଼ କରିବା ଅସମ୍ଭବ ପ୍ରାୟ ଥିଲା । ଏହିଭଳି ବହୁ ସଂକଟ ସମୟରେ ତାଙ୍କର କିଛି ବନ୍ଧୁ ଆସି ଠିଆ ହୋଇଯିବାକୁ ସୌଭାଗ୍ୟ ବୋଲି କୁହାଯିବ ।

 

ଆର୍ଥିକ ଦାରିଦ୍ର୍ୟଠାରୁ ତାଙ୍କ ପାଇଁ ବହି ଲେଖା ଆହୁରି ଦୁର୍ଲଙ୍ଘ୍ୟ ବୋଲି ଲାଗୁଥାଏ । ପ୍ରଥମେ ତ ଜଣେ ଲୋକ ଓଡ଼ିଆରେ ଏକ ଏନ୍ସାକ୍ଲୋପେଡ଼ିଆ ଲେଖିଦେବ- ଏହିକଥା ପ୍ରକାଶ ନ କରିବାକୁ ସେ ସ୍ଥିର କରିଥିଲେ । ଏହାର ଥିଲା ନାନା କାରଣ । ଏ ସଂପର୍କରେ ଯେଉଁ ଶୁଭାକାଂକ୍ଷୀମାନଙ୍କୁ ପ୍ରଥମେ କହିଲେ ସେମାନଙ୍କ ମନ୍ତବ୍ୟରୁ ତାଙ୍କ ଆଶଂକାର ଯଥାର୍ଥତା ପ୍ରମାଣିତ ହୋଇଥିଲା । ସେମାନେ ହେଲେ ରବି ଘୋଷ, ରାମକୃଷ୍ଣ ପତି, ବଟକୃଷ ପ୍ରହରାଜ, ରାଧାମୋହନ ଗଡ଼ନାୟକ ଓ ଗୋଦାବରୀଶ ମହାପାତ୍ର । ଏ ଦିଗରେ ବିନୋଦବାବୁଙ୍କର ଯାହା ଅସାମର୍ଥ୍ୟ ସେସବୁ ସେମାନେ ବୁଝାଇ କହିଲେ । କେବଳ ରାମକୃଷ୍ଣ ପତି କହିଥିଲେ “ଏହି ଯୋଜନାରୁ ଅଧେ କାର୍ଯ୍ୟକାରୀ ହେଲେ ବହୁତ ବଡ଼କଥା ହେବ । ତେବେ ଆମଭଳି ସୀମିତ ସମ୍ବଳର ଲୋକ ଏଥିରେ ହାତ ଦେଇ ଶେଷ ମୁଣ୍ଡରେ କଣ ପହଞ୍ଚି ପାରିବା ?’’

 

ନାନା ଜଟିଳ ବିଷୟ ଓଡ଼ିଆରେ ପୁଣି ଅତି ସାଧାରଣ ଲୋକ ବୁଝିପାରିଲା ଭାଷାରେ ଲେଖିପାରିବା ଏକ ସ୍ଵତନ୍ତ୍ର କଳା । ଲେଖା ଆରମ୍ଭ କରିବା ପରେ ଦିନେ ବନ୍ଧୁ ସୁବୋଧ ଚନ୍ଦ୍ର ଦାସଙ୍କୁ ପ୍ରଥମ ଖଣ୍ଡଟି ପଢ଼ାଇ ଶୁଣାଇଲେ । ସୁବୋଧବାବୁ ଖୁବ ସନ୍ତୋଷ ପ୍ରକାଶ କଲେ । ଏହା ପରେ ତାଙ୍କ ଆତ୍ମବିଶ୍ଵାସ ବଢ଼ିଯାଇଥିଲା ।

 

ପାଠ ପଛେ ପଛେ ଅପାଠୁଆ ବହିଟି ପଢ଼ିଲେ, ତାଙ୍କ ସାଧନାର କାହାଣୀ ପଢ଼ିଲେ ଜାଣିହୁଏ ଯେ ତାଙ୍କୁ କିଭଳି ପ୍ରତିବନ୍ଧକ ଅତିକ୍ରମ କରି ସଫଳ ହେବାକୁ ହୋଇଛି । ଜ୍ଞାନମଣ୍ଡଳର ପ୍ରଥମ ଖଣ୍ଡର ମୁଦ୍ରଣ କାହାଣୀ ବି ଅତ୍ୟନ୍ତ ହୃଦୟସ୍ପଶୀ । ନାନା ଅଭାବ ଓ ସମସ୍ୟା ମଧ୍ୟରେ ଚିତ୍ତଟିକୁ ସତେଜ ରଖିବା କମ୍‌ ବାହାଦୂରୀ ନୁହେଁ । ଜ୍ଞାନ ଆହରଣ ଓ ବିତରଣ କାମର ଚାପ ଭିତରେ ସେ କେତେ ବନ୍ଧୁଙ୍କ ସୁଖ ଦୁଃଖରେ ଯୋଗ ଦେବା ପାଇଁ କିଭଳି ସମୟ ବାହାର କରିଛନ୍ତି ତାହା ପଢ଼ିଲେ ବାସ୍ତବିକ ଆଶ୍ଚର୍ଯ୍ୟ ଲାଗେ । ଜଣେ ସାଧକଙ୍କ ଭଳି ସେ ଶୃଙ୍ଖଳିତ ଜୀବନ ଯାପନ କରୁଥିବାରୁ ଏଭଳି ଏଡ଼େ ବଡ଼ କାମ କରିପାରିଲେ । ଓଡ଼ିଆ ଭାଷାରେ ଏଭଳି ଗ୍ରନ୍ଥ ରଚନା କରିହେବ ନାହିଁ ଓ ରଚନା କଲେ ଛପା ହୋଇପାରିବ ନାହିଁ, ଛପା ହେଲେ ବି ବିକ୍ରୀ ହେବାରେ ସମସ୍ୟା ଦେଖାଦେବ, ସମସ୍ତଙ୍କର ଏସବୁ ସଂଶୟ ସତ୍ତ୍ୱେ ସେ ଖାଲି ଜ୍ଞାନମଣ୍ଡଳ ନୁହେଁ, ଓଡ଼ିଆ ଭାଷାରେ ବିଜ୍ଞାନ ଠାରୁ ଦର୍ଶନ ପର୍ଯ୍ୟନ୍ତ ସବୁ ପ୍ରକାର ସୁଖପାଠ୍ୟ ବହି ଲେଖାଯାଇପାରିବ, ତାହା ନିଜେ ଦେଖାଇ ଦେଇଗଲେ । ଆଉ ଦେଖାଇ ଦେଲେ ଯେ ଏକ ଦରପାଠୁଆ କିଭଳି ସାଧନା ବଳରେ ବିଦ୍ୟା ବାରିଧି ପାର, ହୋଇପାରେ । ସେ ଖାଲି ବିଦ୍ୟା ଆହରଣ କଲେ ନାହିଁ, ବିତରଣ ମଧ୍ୟ କଲେ । ସୁଅ ବିପରୀତ ଦିଗରେ ପହଁରିବା ସୌର୍ଯ୍ୟର ହିଁ ପରାକାଷ୍ଠା ଦେଖାଏ ।

 

ବାଙ୍ଗରା ଓ ମଧ୍ୟମ ଗଢ଼ଣର ମଣିଷଟିଏ ମଧ୍ୟରେ ଏଭଳି ଅମାପ ଶକ୍ତି ଥିଲା ତାହା ତାଙ୍କ ସାଧନାରୁ ପ୍ରମାଣିତ ହୋଇଛି । ନାନା ଅଭାବ ଓ ପ୍ରତିବନ୍ଧକକୁ ସେ ଯେଭଳି ଅତିକ୍ରମ କରି ଚାଲିଛନ୍ତି ଏବଂ ଓଡ଼ିଆ ଭାଷା ସାହିତ୍ୟ ଲାଗି ଯେଉଁ ଅମୂଲ୍ୟ ସଂପଦ ରଖିଦେଇଯାଇଛିନ୍ତି ତାହାର ତୁଳନା ଓଡ଼ିଶାରେ ତ ନାହିଁ, ଭାରତବର୍ଷର ଅନ୍ୟତ୍ର ଥିଲେ ଥିବ ।

 

ଗାନ୍ଧିଜୀଙ୍କୁ ଭଲ ଭାବରେ ବୁଝିଥିବା ଓ ସେହି ଆଦର୍ଶକୁ କାମରେ ଲଗାଇଥିବାରୁ ସମସ୍ତ ପ୍ରତିବନ୍ଧକ ଅତିକ୍ରମ କରି ଯଶସ୍ଵୀ ହୋଇପାରିଲେ ବୋଲି ସେ କହନ୍ତି । କିନ୍ତୁ ସେହି ସାଧନାରୁ ପରବର୍ତ୍ତୀ ପୀଢ଼ି ବିଶେଷ କିଛି ଶିଖିଲା ଭଳି ଦିଶୁନାହିଁ, ତାହାହିଁ ଆଜିର ଅବଶୋଷ ।

 

 

ଗୋପବନ୍ଧୁ ରମାଦେବୀ ଆଶ୍ରମ,

ବରୀ, ଯାଜପୁର

 

***

 

Unknown

ଯୋଗଜନ୍ମା ବିନୋଦ କାନୁନ୍‍ଗୋ

ଗୋକୁଳାନନ୍ଦ ମହାପାତ୍ର

 

ଊନବିଂଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ ଯେଉଁସବୁ ବଡ଼ ବଡ଼ ବୈଜ୍ଞାନିକ ନାନା ଉଚ୍ଚକୋଟୀର ଆବିଷ୍କାର ବା ଉଦ୍ଭାବନ କରି ସାରା ପୃଥିବୀକୁ ଚକିତ କରିଦେଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ବିଜ୍ଞାନ ଶିକ୍ଷାରେ କୌଣସି ଉଚ୍ଚ ଡିଗ୍ରୀ ନ ଥିଲା ବା ସେମାନେ କୌଣସି ସ୍କୁଲ କଲେଜରେ ଆଜିକାଲିକା ଭଳି ବିଜ୍ଞାନ ଶିକ୍ଷା ପାଇ ପାରି ନ ଥିଲେ । ସେମାନଙ୍କ ମଧ୍ୟରେ ଅନେକେ ଘରେ ଘରେ ପଢ଼ି ବଡ଼ ବଡ଼ ବୈଜ୍ଞାନିକ ହୋଇ ପାରିଥିଲେ । କାଁ ଭାଁ କେତେକେ ତଦାନୀନ୍ତନ ବଡ଼ ବଡ଼ ବୈଜ୍ଞାନିକଙ୍କ ପାଖରେ ସହକାରୀ, ଚପରାଶୀ ବା କିରାଣୀ ଭଳି ରହି ସେମାନଙ୍କଠାରୁ ବୈଜ୍ଞାନିକ ଶିକ୍ଷା ଓ ଗବେଷଣାରେ ଟ୍ରେନିଂ ପାଇଥିଲେ । ତେଣୁ ସେମାନଙ୍କଠାରେ ଥିଲା ଅଲୌକିକ ଦିବ୍ୟ ଦୃଷ୍ଟି, ଯାହା ବଳରେ ସେମାନେ ବଡ଼ ବଡ଼ ଆବିଷ୍କାର ଉଦ୍ଭାବନର ସନ୍ଧାନ ଦେଇପାରିଥିଲେ । ସେହିଭଳି ଯୋଗଜନ୍ମା ଯେ ବିଂଶ ଶତାବ୍ଦୀରେ ନ ଥିବେ ତା ନୁହେଁ । ଭାରତର ରାମାନୁଜନ, ଜର୍ମାନୀର ଆଇନ୍‌ଷ୍ଟାଇନ୍‌ କିରାଣୀ ଭାବରେ ଜୀବନଆରମ୍ଭ କରି ସ୍ଵ ସ୍ଵ କ୍ଷେତ୍ରରେ ପୃଥିବୀର ବଡ଼ ବଡ଼ ବୈଜ୍ଞାନିକଙ୍କ ଭିତରେ ଜଣେ ଜଣେ ହୋଇପାରିଥିଲେ । ସେମାନେ ନିଜେ ଯଥୋଚିତ ବିଜ୍ଞାନ ଶିକ୍ଷା ନ ପାଇ ସାରା ବିଶ୍ୱ ପାଇଁ ବିଜ୍ଞାନର ଆଲୋକ ବର୍ତ୍ତିକା ଜାଳି ଦେଇ ଗଲେ, ଯାହା ଯୁଗ ଯୁଗ ଧରି ସାରା ମାନବ ଜାତିକୁ ଆଲୋକ ଦେଖାଉଥିବ ।

 

ସେହିଭଳି ଏକ ଯୋଗଜନ୍ମା ହେଲେ ବିନୋଦ କାନୁନ୍‌ଗୋ । ସେ ତାଙ୍କ ଜୀବନରେ ଉଚ୍ଚ ଶିକ୍ଷା ପାଇନାହାଁନ୍ତି, ହେଲେ ଓଡ଼ିଆ ଜାତି ପାଇଁ ‘ଜ୍ଞାନମଣ୍ତଳ’ ଭଳି ଯେଉଁ ଆଲୋକ ବର୍ତ୍ତିକା ଜାଳି ଦେଇ ଗଲେ ତାହା ଯୁଗ ଯୁଗ ଧରି ଓଡ଼ିଆ ଜାତିକୁ ଜ୍ଞାନାଲୋକ ବିତରଣ କରୁଥିବ । ପୃଥିବୀରେ କେଉଁଠି ବୃହତ ବୃହତ୍‌ ଜ୍ଞାନକୋଷ ଜଣେ ଜଣେ ଲୋକ ଦ୍ଵାରା ପ୍ରଣୀତ ହୋଇନି । ଜ୍ଞାନକୋଷ ପ୍ରଣୟନ ପାଇଁ ହଜାର ହଜାର ବିଶେଷଜ୍ଞ ଦିନ ରାତି ପରିଶ୍ରମ କରି ଗୋଟିଏ ଗୋଟିଏ ସେଟ୍‌ ରଚନା କରିଛନ୍ତି । କିନ୍ତୁ ବିନୋଦବାବୁଙ୍କ ‘ଜ୍ଞାନମଣ୍ଡଳ’ ପାଇଁ ତାହା ଥିଲା ଏକ ବ୍ୟତିକ୍ରମ । ସେ ଏକାକୀ ଓଡ଼ିଆ ଜାତି ପାଇଁ ଏକ ଜ୍ଞାନକୋଷ ପ୍ରଣୟନ ପାଇଁ ଅଣ୍ଟାଭିଡ଼ି ବାହାରିଥିଲେ । ଏହି ଜ୍ଞାନକୋଷ ପ୍ରଣୟନ ପାଇଁ ଯେଉଁ ବିରାଟ ଅର୍ଥର ପ୍ରୟୋଜନ, ତାହାର ଏକ ସହସ୍ରାଂଶ ମଧ୍ୟ ତାଙ୍କଠାରେ ନ ଥିଲା । ଏକ ଅପୂର୍ବ ରୀତିରେ ସେ ଆରମ୍ଭ କଲେ । ଜ୍ଞାନକୋଷ ନିଜେ ପ୍ରଣୟନ କରିବେ, ନିଜେ ଛାପିବେ, ନିଜେ ବିକିବେ । ଓଡ଼ିଶାରେ ଏମିତି ସାହସୀ ଲେଖକ ବିରଳ । ଓଡ଼ିଶାରେ ବହୁ ଲେଖକ ଅଛନ୍ତି । ସେମାନେ ନିଜ ଲେଖନ୍ତି ଓ ନିଜେ ଛାପନ୍ତି । କିନ୍ତୁ ନିଜେ ବିକନ୍ତି ନାହିଁ । ସେମାନେ ପୁସ୍ତକ ବ୍ୟବସାୟୀଙ୍କ ଜରିଆରେ ବିକ୍ରୟ କରନ୍ତି । କିନ୍ତୁ ବିନୋଦବାବୁ ତାଙ୍କ ଜ୍ଞାନମଣ୍ଡଳ ବିକିବା ପାଇଁ କୌଣସି ପୁସ୍ତକ ବ୍ୟବସାୟୀର ସାହାଯ୍ୟ ନେଇ ନାହାଁନ୍ତି । ଏଇଟା ଆମ ଓଡ଼ିଶାରେ କାହିଁକି ସାରା ଭାରତ ପାଇଁ ଏକ ନୂଆ କଥା । ବିନୋଦବାବୁ ଏମିତି ନୂଆ ନୂଆ କଥା ସାହିତ୍ୟ କ୍ଷେତ୍ରରେ କରିପାରିଛନ୍ତି ଯାହାକୁ ଆମ ଭବିଷ୍ୟତ ବଂଶଧରମାନେ ଅନୁକରଣ କରିବା ଉଚିତ ।

 

ଉଚ୍ଚକୋଟୀର ଦିବ୍ୟଦୃଷ୍ଟି ନ ଥିଲେ ଜଣେ ଏକାକୀ ଜ୍ଞାନକୋଷ ପ୍ରଣୟନ କରିପାରିବ ନାହିଁ । ଏଥିପାଇଁ ଯେଉଁ ବିରାଟ ପରିଶ୍ରମ ଲୋଡ଼ା, ତାହା ଅନେକଙ୍କ ପକ୍ଷରେ ସମ୍ଭବପର ନୁହେଁ । ଜ୍ଞାନକୋଷରେ ସବୁ ପ୍ରକାର ଜ୍ଞାନର ବର୍ଣ୍ଣନା ଓ ଆଲୋଚନା କରାଯାଇଥାଏ । ବିଜ୍ଞାନ, କଳା, ନୃତ୍ୟ, ସ୍ଥାପତ୍ୟଠାରୁ ଆରମ୍ଭ କରି ସଙ୍ଗୀତ, ଖେଳ, କ୍ରୀଡ଼ା ପର୍ଯ୍ୟନ୍ତ ସବୁ ଜ୍ଞାତବ୍ୟ ବିଷୟ ଉପରେ ଆଧାର କରି ଲେଖାମାନ ଲେଖାଯାଇଥାଏ । ଯେଉଁ ଲୋକ ଯେଉଁ ବିଷୟରେ କିଛି ଜାଣିବାକୁ ଚାହିଁବ, ଏଥିରୁ ସେ କିଛି ଜ୍ଞାନ ପାଇପାରିବ । ତେଣୁ ଜଣେ ଲୋକ ପକ୍ଷରେ ଏଭଳି ଜ୍ଞାନକୋଷ ରଚନା ଅତୀବ କଷ୍ଟକର ବ୍ୟାପାର । ସବୁ ଜ୍ଞାନକୋଷ ପ୍ରଣୟନରେ ବିଭିନ୍ନ ବିଷୟରେ ବହୁ ବିଶେଷଜ୍ଞ ଥା’ନ୍ତି । ସେମାନେ ନିଜେ ପାରଦର୍ଶିତା ଅର୍ଜନ କରିଥିବା ବିଷୟ ଉପରେ ଲେଖନ୍ତି । କିନ୍ତୁ ‘ଜ୍ଞାନମଣ୍ଡଳ’ରେ ତାହା ହୋଇନି । ବିନୋଦବାବୁ ସବୁ ବିଷୟ ନିଜେ ନିଜେ ରଚନା କରିଛନ୍ତି । ସେ ତ କୌଣସିଥିରେ ବିଶେଷ ଜ୍ଞାନ ଅର୍ଜନ କରି ନ ଥିଲେ । ତେଣୁ ଏହା କେତେ କଷ୍ଟକର, ସମସ୍ତେ ଉପଲବଧି କରିପାରୁଥିବେ । ତେଣୁ ବିନୋଦବାବୁଙ୍କ ପାଖରେ ସେଭଳି କିଛି ଅଲୌକିକ ପ୍ରତିଭା ନ ଥିଲେ ସେ କଦାପି ଏଭଳି କାମ କରି ପାରି ନ ଥା’ନ୍ତେ । ବିନୋଦବାବୁ ଯାହା କରିଗଲେ ତାହା ପ୍ରକୃତରେ ଅନନ୍ୟ ସାଧାରଣ । ପ୍ରାୟ ୩୦-୪୦ ବର୍ଷ ଧରି ଯେଉଁ ଲୋକ ଏକ ଲୟରେ ନିଜ ଲକ୍ଷ୍ୟ ସାଧନ ଦିଗରେ ଆଗେଇ ଯାଉଛନ୍ତି, ଯେଉଁ ଲକ୍ଷ୍ୟ ତାଙ୍କର ଏକା ନୁହେଁ ସାରା ଓଡ଼ିଆ ଜାତିର ଲକ୍ଷ୍ୟ, ଓଡ଼ିଆ ଜାତିର ଆଶା ଆକାଂକ୍ଷା, ତାକୁ ସେ ଏକାକୀ କରି ସାରା ଜାତିକୁ ନିଜଠାରେ ରଣୀ କରିଦେଇଗଲେ । ଯେଉଁ ଲୋକ ନିଜ ସ୍ଵାସ୍ଥ୍ୟ, ନିଜ ଶରୀର, ନିଜ ପରିବାର ପ୍ରତି ଦୃଷ୍ଟି ନ ଦେଇ ଦେଶପାଇଁ ଏଭଳି ଏକ ମହାନ କାର୍ଯ୍ୟ କରିଗଲେ, ଓଡ଼ିଆ ଜାତି ତାଙ୍କୁ କି ସମ୍ମାନ ଦେଇଛି ? ଜ୍ଞାନମଣ୍ଡଳ ପ୍ରକାଶ ପାଇଁ ଯେଉଁ ଅଜସ୍ର ଅର୍ଥ ଦରକାର, ତା’ର କାଣିଚାଏ ବି ଏ ଜାତି ଦେଇନି । ଜ୍ଞାନମଣ୍ଡଳ ପ୍ରକାଶ ପାଇଁ ସେ ଚଢ଼ା ସୁଧରେ କାବୁଲିୱାଲାଠାରୁ ଅର୍ଥ ଗ୍ରହଣ କରିବାକୁ ପଛେଇ ନାହାଁନ୍ତି । ଅନେକ ଖଣ୍ଡ ଜ୍ଞାନମଣ୍ଡଳ ପ୍ରକାଶ ପାଇବା ପରେ ଓଡ଼ିଶା ସରକାର ଯାହା ସାହାଯ୍ୟ କରିଛନ୍ତି ତାହା ଏତେବଡ଼ ଯୋଜନା ସପକ୍ଷରେ ସମୁଦ୍ରକୁ ଶଙ୍ଖେ ପଣା ଭଳି । ତାଙ୍କର ଏତେବଡ଼ ଯୋଜନା ଏ ପର୍ଯ୍ୟନ୍ତ ପୂରଣ ହୋଇନି । ଆହୁରି ବହୁ ଖଣ୍ଡ ପ୍ରକାଶ ପାଇଁ ରହିଛି । ଯଦିଚ ସେ ପୂରା ଜ୍ଞାନମଣ୍ଡଳ ରଚନା ଶେଷ କରିଯାଇଛନ୍ତି ସେଗୁଡ଼ିକୁ ଛାପି ବାହାର କରିବା କିଛି କମ୍‌ କଥା ନୁହେଁ । ଏ ଦିଗରେ ଆମ ଓଡ଼ିଶା ସରକାର ଆଗେଇ ଆସି ବାକି ଖଣ୍ଡଗୁଡ଼ିକୁ ପ୍ରକାଶ କରିବାରେ ସାହାଯ୍ୟ କରି ତାଙ୍କ ସ୍ଵପ୍ନକୁ ସାର୍ଥକ କରିବା ଉଚିତ ।

 

ଏହା ସତ ଯେ ତାଙ୍କ ରଚନା ଖୁବ୍‌ ଲୋକପ୍ରିୟ । ପ୍ରକାଶ ପାଇବା କ୍ଷଣି ବିକ୍ରୟ ହୋଇଯାଏ । ବିକ୍ରୟଲବ୍‌ଧ ଧନ ପର ପର ଖଣ୍ଡର ପ୍ରକାଶନରେ ସାହାଯ୍ୟ କରେ । କିନ୍ତୁ ଏହା ସମୟ ସାପେକ୍ଷ । ପୂରା ବହି ଏକ ସଙ୍ଗେ ବିକ୍ରି ହୋଇଯାଏନି । ତେଣୁ ଅର୍ଥ ଆସୁ ଆସୁ ବିଳମ୍ବ ହୋଇଯାଏ । ପର ପର ଖଣ୍ଡ ଠିକ୍‌ ସମୟରେ ପ୍ରକାଶ ପାଇପାରେନି । ଏଥିଯୋଗୁଁ ବିନୋଦବାବୁ ତାଙ୍କ ଜୀବଦ୍ଦଶାରେ ପୂରା ସେଟ୍‌ଟି ପ୍ରକାଶିତ ହେବାର ଦେଖିପାରିଲେନି । ବିନୋଦବାବୁଙ୍କ ପ୍ରତି ଏହା ଯଥୋଚିତ ସମ୍ମାନ ହେବ, ଯଦି ଓଡ଼ିଶା ସରକାର ତାଙ୍କର ଅପ୍ରକାଶିତ ଅନ୍ୟ ଖଣ୍ଡଗୁଡ଼ିକୁ ଏକାଥରେ ପ୍ରକାଶ ପାଇଁ ଅର୍ଥ ଯୋଗାଇଦେବାକୁ ଆଗେଇ ଆସନ୍ତି । ଏହା ତାଙ୍କର ଅମର ଆତ୍ମା ପ୍ରତି ଉଚିତ ସମ୍ମାନ ହୁଅନ୍ତା ।

 

ବିନୋଦବାବୁ ବୈଜ୍ଞାନିକ ନ ଥିଲେ ବା ବିଜ୍ଞାନରେ ଉଚ୍ଚ ଶିକ୍ଷା ପାଇ ନ ଥିଲେ । ହେଲେ ସେ ଲୋକପ୍ରିୟ ବିଜ୍ଞାନ ସାହିତ୍ୟ ସୃଷ୍ଟିରେ ଯେଉଁ ଅପୂର୍ବ ପରାକାଷ୍ଠା ଦେଖାଇ ଯାଇଛନ୍ତି, ତାହା ଖାଲି ଓଡ଼ିଶାରେ ନୁହେଁ, ସାରା ପୃଥିବୀରେ ବିରଳ । ସେ ବିଜ୍ଞାନର ଜଟିଳ ତଥ୍ୟକୁ ପିଲାମାନେ ବୁଝିପାରିବା ଭଳି ଭାଷା ଓ ଢଙ୍ଗରେ ପରିବେଷଣ କରିପାରନ୍ତି, ଯାହା ଅନ୍ୟ କାହାରି ପକ୍ଷରେ ସମ୍ଭବପର ନୁହେଁ । ତାଙ୍କ ଲେଖାର ଶୈଳୀ ଅନନ୍ୟ ସାଧାରଣ । ଆମ ଓଡ଼ିଆ ଭାଷାରେ ଭାବ ପ୍ରକାଶରେ ସେ ବହୁ ବୈଜ୍ଞାନିକଙ୍କଠାରୁ ଢେର୍‌ ଆଗରେ । ଦୂରଦର୍ଶନରେ ସେ ବିଭିନ୍ନ ବିଷୟକୁ ଛୋଟ ଛୋଟ ପିଲାଙ୍କୁ ଯେମିତି ବୁଝାଇପାରନ୍ତି, । ତାହା ଅନେକଙ୍କୁ ବିସ୍ମିତ କରିଦିଏ । ସେଥିପାଇଁ ତାଙ୍କୁ ଯୋଗଜନ୍ମା ବୋଲି କହିଲେ ଅତ୍ୟୁକ୍ତି ହେବନି । ତାଙ୍କ ଭଳି ଲେଖକ ଆଉ ଓଡ଼ିଶା ପାଇବା କଷ୍ଟକର ହୋଇପଡ଼ିବ । ସେ ସାରା ଜାତିର ନମସ୍ୟ । ସେ ଆଜି ସାରା ଓଡ଼ିଆ ଜାତି ପାଇଁ ଯେଉଁ ଜ୍ଞାନର ଆଲୋକ ବର୍ତ୍ତିକା ଜାଳିଦେଇ ଗଲେ, ଏହା ଉଜ୍ଜ୍ୱଳ ହୋଇ ସବୁଦିନ ପାଇଁ ଥାଉ, ଏତିକିମାତ୍ର ଭଗବାନଙ୍କଠାରେ ପ୍ରାର୍ଥନା । ଏହାହିଁ ତାଙ୍କର ଅମର ଆତ୍ମାକୁ ସନ୍ତୋଷ ଦେଇପାରିବ ବୋଲି ଆଶା ।

 

ଦୋଳମୁଣ୍ଡାଇ, କଟକ- ୧

 

***

 

ଅନ୍ୟପଥ - ଅନନ୍ୟ ପଥିକ

ହେମନ୍ତ କୁମାର ଦାସ

 

ଆଜିକୁ ଷାଠିଏ ବର୍ଷ ତଳର କଥା । ୧୯୫୦ ମସିହା ହେବ ପରା । ମୁଁ ସେତେବେଳକୁ ତେଲଦିଆ ମାଇନର ସ୍କୁଲର ଛାତ୍ର । କଟକ ପାରାଦ୍ଵୀପ ରାସ୍ତାରେ କଟକଠୁଁ ସତର କିଲୋମିଟର ଗଲେ ପଡ଼ିବ ସୋମପୁର । ସେଇଠୁ କେନାଲ ପାରିହେଲେ ସେ କାଳର ପାଇକା ନଈ । ବର୍ଷା ଦିନରେ ଭୟଙ୍କରୀ । ଅନ୍ୟଦିନମାନଙ୍କରେ ଶାନ୍ତ ସରଳ ନିରୀହ ଶିଶୁଟି ପରି ବାଲି ଭିତରେ ମୁହିଁ ଲୁଚାଇ ପଡ଼ିଥାଏ । ଅତଡ଼ା ଉପରକୁ ଉଠିଲେ ଆମ୍ବ ତୋଟା । ଠିକ୍‌ ବନ୍ଧତଳକୁ ସ୍କୁଲର ବାଉଁଶ ଫାଟକ । ସେଇଠି ସେଇ ସ୍କୁଲର ପୁରସ୍କାର ବିତରଣୀ ସଭାରେ ମୁଁ ତାଙ୍କୁ ପ୍ରଥମେ ଦେଖିଲି । ବାଙ୍ଗରା ହୋଇ କଳା ଲୋକଟିଏ । ପହରଣରେ ସଫା ଧୋତି ଖଣ୍ଡିଏ, ଉପରକୁ ଧୋବଫରଫର ଚାଦର । ସେ ଦିନ ସେଇ ବୟସରେ ତାଙ୍କଠି କ’ଣ ଦେଖିଥିଲି କେଜାଣି, ତାଙ୍କର ସେ ସ୍ନେହକୋମଳ ଚାହାଣି ଭିତରେ ପତିଆରାର କେଉଁ ଆକାଶ ଦେଖିଥିଲି କେଜାଣି- ସେ ଥିବା ପର୍ଯ୍ୟନ୍ତ ଏକ ଦୃଷ୍ଟିରେ ତାଙ୍କ ଆଡ଼କୁ ଅନାଇ ରହିଥିଲି । ସେଦିନ ସଭାର ମୁଖ୍ୟ ଅତିଥି ଥିଲେ ସ୍ୱର୍ଗତଃ ନୀଳମଣି ସେନାପତି । ସେ ସେତେବେଳେ କଟକର କଲେକ୍ଟର ହେବେ କି କ’ଣ । ସେ କ’ଣ କହିଲେ, ଆଜି ଏତେ ବର୍ଷ ପରେ କିଛି ମନେ ନାହିଁ । ପରେ ପରିଣତ ବୟସରେ ସ୍ଵର୍ଗତ ସେନାପତିଙ୍କୁ ପାଖରୁ ଦେଖି ସେ ଯେ ସେଦିନର ସେଇ ସଭାପତି, ଯାହାଙ୍କ ହାତରୁ ମୁଁ ପୁରସ୍କାର ଗ୍ରହଣ କରିଥିଲି, ତାହା ମୋଟେ ମନେ ପଡ଼ିଲା ନାହିଁ । ଏତେବର୍ଷର ବ୍ୟବଧାନରେ କିନ୍ତୁ ସେଇ ଛଳଛଳ ଆଖିଦୁଇଟିର ସ୍ମୃତି ଆଦୌ ଭୁଲି ପାରି ନାହିଁ । ଆହୁରି ଭୁଲି ପାରି ନାହିଁ, ତାଙ୍କର ସେଇ ଆବେଗଭରା ନିବେଦନ - ‘‘ପିଲାମାନେ, ଅନେକ ଦିନ ପରେ ଆଜି ଆମେ ସ୍ଵାଧୀନ ହୋଇଛେ । ପରାଧୀନତାର ଦୁଃଖ ତମେମାନେ ବୁଝିପାରିବ ନାହିଁ । ତେବେ ତମେମାନେ ହିଁ ହେଉଛ ଦେଶର ଭବିଷ୍ୟତ । ଦେଶକୁ ଗଢ଼ିବାର ଦାୟିତ୍ଵ ତମମାନଙ୍କର । ଆଜିଠୁ ତମେମାନେ ସେଥିପାଇଁ ନିଜକୁ ଗଢ଼ିବାକୁ ଚେଷ୍ଟା କର।’’

 

ତା’ପରେ ତ ଅନେକ ଦିନ ବିତିଗଲା । ଜୀବନର ଯାତ୍ରା ପଥରେ ଅନେକ ଚଢ଼ା ଉତରା ପାର ହୋଇ ଆସି ଭାବୁଛି, ଦେଶ ଗଢ଼ିବାର ଯେଉଁ ପବିତ୍ର ଦାୟିତ୍ୱ ସେ ସେଦିନର ପିଲାମାନଙ୍କ ହାତରେ ଦେଇ ଆସିଥିଲେ, ଆମେ କେତେଦୂର ତାଙ୍କର ସେହି ପ୍ରତ୍ୟାଶାକୁ ପୂରଣ କରିପାରିଛୁ ।

 

ସଭା ଭାଙ୍ଗିଗଲା । ଯେ ଯୁଆଡ଼େ ଚାଲିଗଲେ । ଖବର ନେଇ ଜାଣିଲି ଯେ ସେଇ ଖଦଡ଼ ପିନ୍ଧା ଭଦ୍ରବ୍ୟକ୍ତିଙ୍କ ନାମ ବିନୋଦ କାନୁନ୍‌ଗୋ । ସେ କିଛି ବାହାରର ଲୋକ ନୁହିଁନ୍ତି । ମୋ ଗାଁ ବୋଧପୁରର ନଈ ବନ୍ଧରେ ଠିଆ ହୋଇ ଉତ୍ତର ଆଡ଼କୁ ଅନାଇଲେ ଗହୀର ଆରପଟେ ଦୂର ତୋଟାମାଳ ଭିତରେ ଧୂଆଁଳିଆ ହୋଇ ଯେଉଁ ଟିକି ଗାଁଟି ଦେଖାଯାଏ, ସେଇ ମଲୀପୁରେ ତାଙ୍କର ଘର । ପିଲାଦିନୁ ଗାନ୍ଧୀ ଗୋଳରେ ଯୋଗଦେଇ ଜେଲ ଯାଇଛନ୍ତି । ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇଥିବା ଆମ ଅଞ୍ଚଳର ଆଉ ଦୁଇଜଣ ବରପୁତ୍ରଙ୍କ ନାମ ମୁଁ ସେତେବେଳେ ଶୁଣିଥାଏ । ଜଣେ ହେଉଛନ୍ତି ସ୍ଵର୍ଗତଃ ସୁରେନ୍ଦ୍ରନାଥ ପଟ୍ଟନାୟକ । ଆମ ଗାଁର ଜୋଇଁ । ସମ୍ପର୍କରେ ଆମର ବନ୍ଧୁବାନ୍ଧବ ହେବେ ! ତାଙ୍କର ବେଶ୍‌ ଚଳପକ୍ଷ । ତଥାପି ଶଗଡ଼ ଗୁଳୀର ବାଟଚାଲିବା ତାଙ୍କୁ ଭଲ ଲାଗିଲା ନାହିଁ । ଘରଦ୍ୱାର ଛାଡ଼ି ଜେଲ୍‌ରେ ପଶିବାଟା ଯେ କୋଉ ବଡ଼କାମ ସେତେବେଳେ ସେ ବୟସରେ ବୁଝିପାରି ନଥିଲି । ବାହାରେ ଥିଲାବେଳେ ସେ ବେଳେବେଳେ ଆମ ଗାଁକୁ ଆସନ୍ତି । ସାଧାରଣ କୂଅପାଣି ସେ ପିଅନ୍ତି ନାହିଁ । ଗାଁ ସେମୁଣ୍ଡରେ ଥାଏ ଗୋଟିଏ ନଳକୂଅ । ସେଇଠୁ ତାଙ୍କ ପାଇଁ ପାଣି ଅଣାଯାଏ । ଇଏ ମଧ୍ୟ ମୋ ପାଇଁ ଆଉ ଏକ ପ୍ରହେଳିକା । ତଥାପି ତା’ରି ଭିତରୁ ସମ୍ଭ୍ରମବୋଧ ମୁଣ୍ଡ ଟେକେ । ନାଃ-ସେତ ସାଧାରଣ ଲୋକ ନୁହନ୍ତି । ଆମ କୂଅ ପାଣି ପିଅନ୍ତେ କେମିତି ? ୟା ସହିତ ମିଶିଯାଏ ତାଙ୍କର ଗମ୍ଭୀର ଚାହାଣୀ । ମୋଟା ତୋରାଣି ଛଣା ନିଶ । ଥରେ ଅଧେ ତାଙ୍କ ପାଖରେ ବୁଲାବୁଲି କରି ମଧ୍ୟ ସେଠୁ କୌଣସି ପ୍ରଶ୍ରୟ ମିଳେ ନାହିଁ ।

 

ବିନୋଦବାବୁ କିନ୍ତୁ ଏହାର ଠିକ୍‌ ଓଲଟା । ତାଙ୍କର ସେ ଭୀତିପ୍ରଦ ନିଶ ନ ଥାଏ କି ଗାମ୍ଭୀର୍ଯ୍ୟର ଘଟା ଟୋପ ଭିତରେ ସେ ନିଜର ବ୍ୟକ୍ତିତ୍ୱକୁ ଢାକି ରଖି ନ ଥାନ୍ତି । ତାଙ୍କର ସେଇ ଦୂରର ମଣିଷକୁ ପାଖକୁ ଟାଣି ନେବାର, ପିଠିରେ ହାତମାରି ପେଟର କଥାକୁ ମୁହଁବାଟେ ବାହାର କରି ଦେବାର ଯାଦୁକରୀ ଶକ୍ତି ହିଁ ବୋଧହୁଏ ମୋ ମନ ଉପରେ ଗୋଟିଏ ସ୍ଥାୟୀ ଛାପ ଛାଡ଼ି ଦେଇଥିଲା । ତାକୁ ହିଁ ବୋଧହୁଏ ଚୁମ୍ବକୀୟ ବ୍ୟକ୍ତିତ୍ଵ କୁହନ୍ତି । ପଟ୍ଟନାୟକଙ୍କୁ ତାପରେ ଆହୁରି ପାଖରୁ ଦେଖିବାର ସୁଯୋଗ ମିଳିଲା । ବ୍ୟକ୍ତିତ୍ୱର ମାପକାଠିରେ ସେ ବି କୌଣସି ଗୁଣରେ କମ୍‌ ଥିଲେ ବୋଲି କହି ହେବ ନାହିଁ । ସାଧାରଣ ଲୋକଙ୍କୁ ସ୍ନେହ ସହାନୁଭୂତି ବାଣ୍ଟିବାରେ ସେ ମଧ୍ୟ ପଛେଇ ଯାଉ ନ ଥିଲେ । ତେବେ ଦୂରତ୍ୱ ଗୋଟାଏ ରହିଯାଉଥିଲା ।

 

ବେଳେବେଳେ ବସି ମୁଁ ଏମାନଙ୍କ କଥା ଭାବୁଥିଲି । ସାଧାରଣ ଜୀବନର ଛାୟା ଶୀତଳ ପରିଚିତ ରାସ୍ତା ଛାଡ଼ି ଏମାନେ କେଉଁ ଆକର୍ଷଣରେ ସଂଘର୍ଷମୟ ଜୀବନକୁ ବରଣ କରି ନେଇଥିଲେ । ଦୁଃଖ କଷ୍ଟ ଯନ୍ତ୍ରଣା ଆଉ ଅପମାନକୁ ହସି ହସି ସହି ଯାଉଥିଲେ ? ତାହା କ’ଣ ଖାଲି ଗୋଟାଏ ଶୁଷ୍କ ଆବେଗ ଥିଲା ? ନା ତା’ବାହାରେ ଆହୁରି କିଛି ?

 

ପରେ ଯେତେବେଳେ କାନୁନ୍‌ଗୋ ବିନୋଦବାବୁରୁ ମୋର ମଉସା ହେଲେ, ସେତେବେଳେ ମୁଁ ତାଙ୍କଠାରୁ ଶୁଣିଛି, ସେତେବେଳର ନାଉଁଆ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ତତ୍ତ୍ୱାବଧାନରେ ରହି ସେ ପାଠ ପଢ଼ୁଥିଲେ । ଆର୍ତ୍ତବାବୁ (ଯେ କି ପରବର୍ତ୍ତୀ କାଳରେ ମୋର ଶିକ୍ଷକ ହେଲେ) ଥରେ କଥା ପ୍ରସଙ୍ଗରେ ମୋତେ କହୁଥିଲେ - ‘‘ସ୍କୁଲର ହେଡ଼୍‌ମାଷ୍ଟର ଯେତେବେଳେ ବିନାକୁ ବାହାର କରି ଦେବା ନିମନ୍ତେ ନୋଟିସ୍‌ ଝୁଲାଇ ଦେଲେ, ସେତେବେଳେ ମୁଁ ତାଙ୍କୁ କ୍ଷମା ମାଗି ପୁଣି ସ୍କୁଲରେ ପଢ଼ିବା ପାଇଁ କହିଥିଲି । ହେଲେ ତା’ଠୁ ମନା ଶୁଣିବା ପରେ ମୁଁ ତାକୁ ଗୋଟାଏ ଚାପୁଡ଼ା ପକାଇ ଥିଲି ! ଆଜି ଭାବୁଛି, ମୁଁ ସେତେବେଳେ ଭୁଲ୍‌ କରିଥିଲି ।’’

 

ବିନୋଦ ମଉସା କହୁଥାଆନ୍ତି- ମାମୁଁ (ଆର୍ତ୍ତବଲ୍ଲଭ ମହାନ୍ତି ହେଉଛି କାନୁନ୍‍ଗୋଙ୍କର ନିଘନ ମାମୁଁ )ଙ୍କ କଥା ନମାନି ମୋତେ କଣ କମ୍‌ ଦୁଃଖ ହୋଇଛି ? ହେଲେ ସେତେବେଳେ ତ ମୁଣ୍ଡରେ ଗୋଟିଏ ଚିନ୍ତା । ଦେଶକୁ ସ୍ଵାଧୀନ କରିବାକୁ ହେବ । ମହାତ୍ମା ଗାନ୍ଧୀଙ୍କ ବାଟରେ ଚାଲିବାକୁ ହେବ । ଗୋରା ସରକାରର ସ୍କୁଲ କଲେଜ ସବୁ ଛାଡ଼ିବାକୁ ହେବ । ସେଇଥିପାଇଁ ମୁଁ କାହାରି ମୁହିଁକୁ ଅନାଇ ନାହିଁ ।

 

ମଉସାଙ୍କ ସାଙ୍ଗରେ ଦ୍ୱିତୀୟ ଯୋଗାଯୋଗ ହେଲା, ୧୯୬୦ ମସିହା ପରେ । ସେତେବେଳେ ତାଙ୍କର ସଂଘର୍ଷର ସମୟ । ‘ଜ୍ଞାନମଣ୍ଡଳ’ ପ୍ରଥମ ଖଣ୍ଡର ପ୍ରସ୍ତୁତି ଚାଲିଥାଏ । ମୁଁ ରେଭେନ୍ସା କଲେଜର ସାନ୍ଧ୍ୟ ବିଭାଗରେ ଅଧ୍ୟାପକ । ଦିନସାରା ସେମିତି କିଛି କାମ ନ ଥାଏ । ତେଣୁ କନିକା ଲାଇବ୍ରେରୀରେ ଯାଇ ବସେ । ବହିପତ୍ର ଓଲଟାଏ । ଯେତେ ସଅଳ ଯାଇଁ ପହଞ୍ଚିଲେ ବି ଦେଖେ ସେଇ ଧୋତିଚାଦର ପିନ୍ଧା ମୂର୍ତ୍ତି । ଯାବତୀୟ ପୁରୁଣା ବହିକୁ ଥାକରୁ କାଢ଼ି, ସେଥିରୁ ଧୂଳି ଝାଡ଼ି ମନ ଲଗାଇ ପଢ଼ୁଥିବେ ବା ଲେଖିଥିବେ । ଗଦାଗଦା ବହିର ପାହାଡ଼ ଭିତରେ ସେଇ ମୌନୀ ଧ୍ୟାନଗମ୍ଭୀର ମୂର୍ତ୍ତିର ସ୍ମୃତି ଏବେ ମଧ୍ୟ ମୋଭଳି ଅନେକଙ୍କ ମନରେ ଜୀବନ୍ତ ଥିବ ।

 

କ୍ରମେ ସେଇଠି ପରିଚୟ ହେଲା । ‘ଜ୍ଞାନମଣ୍ଡଳ’ର ଯୋଜନା କଥା ସେଇଠି ବସି ମୁଁ ପ୍ରଥମେ ଶୁଣିଲି । ଷାଠିଏ ଭାଗରେ ଏହାର ପରିକଳ୍ପନା କଥା ମୋତେ ଯେତେବେଳେ ସେ ବୁଝାଇ ବସିଲେ, ସେତେବେଳେ ପ୍ରଥମେ ମୁଁ ତାଙ୍କର ବୟସ ଠଉରେଇବା ପାଇଁ ଚେଷ୍ଟା କରିଥିଲି । ଏ କଥାରୁ ସେ କଥା ହେଉ ହେଉ ଯେତେବେଳେ ସେ ମୋର ଗାଁ ଆଉ ପରିବାର କଥା ଜାଣିଲେ, ସେତେବେଳେ ଭାରି ଖୁସିହୋଇ କହି ପକାଇଲେ, ଆରେ, ତୁ ଆମ ସୁଧାନିଧିବାବୁଙ୍କ ପୁଅ ! ବାସ୍‌, ଭଦ୍ରତାର ସମସ୍ତ ଉପଚାର ସେଇ ମୁହୂର୍ତ୍ତରେ ଶେଷ ହୋଇଗଲା । ଆନ୍ତରିକତାର ପ୍ରବଳ ତୋଫାନରେ ବିନୋଦବାବୁ କାହିଁ କୁଆଡ଼େ ଉଡ଼ିଗଲେ । ଜନ୍ମନେଲେ ‘ବିନୋଦ ମଉସା’ ଯେଉଁ ଡାକର ଶେଷ ହେଲା ୧୯୯୦ ଜୁନ ୨୨ ତାରିଖ ଦିନ ।

 

ଲକ୍ଷ୍ୟ କରିଛି, ଏଇ ହେଉଛି ତାଙ୍କର ସ୍ଵଭାବ । ଦୂରତ୍ୱର ସମସ୍ତ ବନ୍ଧନକୁ ଛିଡ଼ାଇ ପାଖକୁ ଟାଣିନେବା ନିମନ୍ତେ ସେ ଯେମିତି ସତତ ଉନ୍ମୁଖ ହୋଇଥାଆନ୍ତି । ଭଦ୍ରତାର ଆପାତ କୃତ୍ରିମ ମୁଖା ତଳେ, ଯେଉଁ ସନାତନ ସଭାଟି ଆତ୍ମପ୍ରକାଶ କରିବାକୁ ସବୁବେଳେ ଚହଳ ପକାଉଥାଏ, ସେଇଟି ହେଉଛି, ଗ୍ରାମ ଓଡ଼ିଶାର ଆଦି ଅକୃତ୍ରିମ ସ୍ନେହପ୍ରବଣ ଅଭିଭାବକଟିଏର । ଔପଚାରିକତାର ଆଡ଼ମ୍ବର ଭିତରେ ଘରୁଆ ପରିବେଶଟିଏ ସୃଷ୍ଟି କରିବା ପାଇଁ ସେଇଟି ସଦା ପ୍ରସ୍ତୁତ । ଗାଁ ଗହଳୀରେ ଏବେ ଖୋଜିଲେ ବି ଜଣେ ଅଧେ ଏମିତି ମହାଶୟ ମିଳିଯିବେ, ଚଉପାଢ଼ିର ମଧ୍ୟ ମଣି ହୋଇ ବସି ବୈଠକୀ ଗଳ୍ପରେ ନିଜ ଶ୍ରୋତାମାନଙ୍କ ମନକୁ ଟାଣି ରଖିବାରେ ଯେଉଁମାନେ ଭାରି କୁଶଳ । ମଉସାଙ୍କୁ ଦେଖିଲେହିଁ ମୋର ସେଇମାନେ ମନେ ପଡ଼ିଯାଆନ୍ତି । ସେ ପରିସ୍ଥିତି ଦ୍ଵାରା କଦାପି ନିୟନ୍ତ୍ରିତ ହୁଅନ୍ତି ନାହିଁ, ବରଂ ନିଜେ ଦୃଢ଼ ହାତରେ ପରିସ୍ଥିତିର ମଙ୍ଗକୁ ଧରି ବସିଥାଆନ୍ତି । ସେ ସଭା ସମିତି ହେଉ, ଖୁସି ଗପର ଆସର ହେଉ ଅବା ରାଷ୍ଟ୍ରପତିଙ୍କ ସହ ସାକ୍ଷାତ୍‌କାର ହେଉ । ମଲୀପୁର ଉପକଣ୍ଠରେ କୁଳୁକୁଳୁ ନାଦରେ ବହିଯାଉଥିବା ମହାନଦୀର ବେଣାବୁଦା କାଶତଣ୍ଡୀ ସଲସଲ ପଠାରେ ମୁଣ୍ଡରେ ଗାମୁଛା, ହାତରେ ପାଞ୍ଚଣ ଧରି ଗୋରୁ ଚରାଇବାଠାରୁ ଦିଲ୍ଲୀର ରାଷ୍ଟ୍ରପତି ଭବନର ଆଟ୍‌ହୋମ୍‌ ପାର୍ଟି ପର୍ଯ୍ୟନ୍ତ ପହଞ୍ଚିବାକୁ ତାଙ୍କୁ ଲାଗିଥିଲା ସର୍ବମୋଟ ପଚିଶ ଛବିଶ ବର୍ଷ ସମୟ । ଏ ଏମିତି କିଛି ବଡ଼ କଥା ବୋଲି ଅନେକଙ୍କୁ ମନେ ନ ହୋଇପାରେ । ତେବେ ବଡ଼କଥା ହେଉଛି ଯେ, ଅନ୍ୟ ଅନେକଙ୍କ ଭଳି, ମଉସା କିନ୍ତୁ ପରିବର୍ତ୍ତିତ ହୋଇ ନ ଥିଲେ-। ମୂଳରୁ ଯେଉଁଭଳି ଥିଲେ, ଶେଷ ପର୍ଯ୍ୟନ୍ତ ସେଇଭଳି ରହିଲେ ।

 

ନିଜ ଗାଁ ମଲ୍ଲୀପୁର ପ୍ରତି ତାଙ୍କର ଯେଉଁ ମମତା ଥିଲା, ତାହା ତାଙ୍କର ପରିଚିତ ସମସ୍ତେ ଜାଣନ୍ତି । ଅବସର ଟିକିଏ ମିଳିଲେ ସେ ଗାଁରେ ହାଜର ହୋଇଯାଉଥିଲେ । ହୁଏତ ଏହି କାରଣରୁ ହିଁ ସେ ସହରରେ ଘର ନ କରି ଗାଁରେ ଘର କରିଛନ୍ତି । ବଗିଚାଟିଏ କରିଛନ୍ତି । ତାଙ୍କ ନିଜ ହାତ ଗଢ଼ା ବଗିଚା କଥା ଗପି ଗଲାବେଳେ ଶ୍ରୋତା ହୁଏତ କ୍ଳାନ୍ତ ହୋଇ ପଡ଼ୁଥିବେ । ମାତ୍ର ମଉସା ସେଇଭଳି ଅକ୍ଲାନ୍ତ ଭାବରେ କହି ଚାଲିଥିବେ । ଗଛର କଥା, ଫଳର କଥା । ମୋ ଜାଣିବାରେ ଜୀବନ କାଳ ଭିତରେ ନିଜ ଗାଁରେ ସେ ବେଶୀଦିନ ରହିବାର ସୁଯୋଗ ପାଇ ନାହାନ୍ତି । ତା’ରି ଭିତରେ ତାଙ୍କ ହୃଦୟରେ ଏତେ ମମତା ଯେ କେଉଁଠୁ ଆସିଲା, ତା’ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଭାରତର ପ୍ରକୃତ ଆତ୍ମା ତାର ଗ୍ରାମାଞ୍ଚଳରେ ବୋଲି ମହାତ୍ମା ଗାନ୍ଧୀ ଯେଉଁ ଆହ୍ୱାନ ଦେଇଥିଲେ ଏବଂ କର୍ମୀମାନଙ୍କୁ ଗ୍ରାମଆଡ଼କୁ ଫେରିଯିବା ନିମନ୍ତେ ଯେଉଁ ନିବେଦନ କରିଥିଲେ, ଜଣେ ସଚ୍ଚା ଗାନ୍ଧୀବାଦୀ ରୂପରେ ମଉସା ଶେଷ ପର୍ଯ୍ୟନ୍ତ ତାହାକୁ ଆନ୍ତରିକ ଭାବରେ ପାଳନ କରିଥିଲେ ।

 

ଗାନ୍ଧୀବାଦ ପ୍ରତି ତାଙ୍କର ଅତୁଟ ବିଶ୍ଵାସର ଅନ୍ୟ ଏକ ପ୍ରମାଣ ହେଉଛି, ଜୀବନ ସାରା ସମସ୍ତ ପ୍ରକାର ପଦପଦବୀଠାରୁ ନିଜକୁ ଦୂରରେ ରଖିବା । ଦେଶ ପାଇଁ ତାଙ୍କର ଯାହା ଅବଦାନ, ସେଥିରେ ସେ ସାମାନ୍ୟ ଇଚ୍ଛା କରିଥିଲେ, ଯେ କୌଣସି ଏକ ପଦବୀ ମଣ୍ଡନ କରିପାରିଥାଆନ୍ତେ । ଯେତେବେଳେ କ୍ଷମତାର ଭାଗ ବଣ୍ଟରା ହେଉଥିଲା, ସେତେବେଳେ ସେ ବରୀ ଆଶ୍ରମରେ ମହୁଚାଷ କରୁଥିଲେ ଅବା ଟ୍ରେଞ୍ଚ ପାଇଖାନା ବ୍ୟବହାର କରିବା ନିମନ୍ତେ ଲୋକଙ୍କୁ ଶିଖାଉଥିଲେ । ଆଜି ମନେ ହେଉଛି, ମଉସା ଯାହା କରୁଥିଲେ ବା ବିଶ୍ୱାସ କରୁଥିଲେ, ସେ କାଳର ନେତାମାନେ ଯଦି ତାହା ହିଁ କରିଥାଆନ୍ତେ, ତେବେ ଏବେ ଶାସନର ଯେଉଁ ଦୁର୍ଗତି ହୋଇଛି, ତାହା ହୋଇ ନ ଥାନ୍ତା । ମଉସା ଭାବୁଥିଲେ, ଦେଶ ପାଇଁ ସେ ଯାହା କରିଛନ୍ତି, ତାହା ଦେଶ ପ୍ରତି ନିଜର କର୍ତ୍ତବ୍ୟ ଭାବି କରିଛନ୍ତି । କୌଣସି ପ୍ରତିଦାନର କାମନାରେ କିଛି କରିନାହାଁନ୍ତି । ଜଣେ କର୍ମୀ କେବେ ପଦପଦବୀରେ ମୋହରେ ପଡ଼େ ନାହିଁ । କର୍ମ ହେଉଛି ଏକ ତପସ୍ୟା-ଏକ ପବିତ୍ର ବ୍ରତ । ମହାତ୍ମା ଗାନ୍ଧୀ ତ ଏଇ କଥା କହୁଥି‌ଲେ । ଆଖିରୁ ଲୁହ ଗଡ଼ାଇ ଆଉ ଛାତିରୁ ରକତ ଝରାଇ ଏଇ ଗୋଟିଏ ଆଦର୍ଶର ପ୍ରଚାର କହୁଥିଲେ । ସ୍ଵାଧୀନତା ପରେ କଂଗ୍ରେସକୁ ଭାଙ୍ଗିଦେବା ପାଇଁ କହୁଥିଲେ । ମାତ୍ର ହାୟ, ମୁଠାଏ ଲୁଣ ପାଇଁ ଯେଉଁ ଲୋକ ପ୍ରବଳ ପରାକ୍ରାନ୍ତ ଗୋଟାଏ ସାମ୍ରାଜ୍ୟକୁ ଦୋହଲାଇ ଦେଇ ପାରିଲା, ତା’ର ବ୍ୟାକୁଳ ନିବେଦନ କାହାରି କାନରେ ପଡ଼ିଲା ନାହିଁ । କ୍ଷମତାର ଏମିତି ମୋହ !

 

ରବୀନ୍ଦ୍ରନାଥ ଲେଖିଥିଲେ, ‘‘ଯଦି ତୋର ଡାକ ଶୁନେ କେଉ ନା ଆସେ ତେବେ ଏକଲା ଚଲୋରେ’’- ନିଜ ଆଦର୍ଶରେ ଅଟଳ ରହି, ନିଜ ମତରେ ଦୃଢ଼ ରହି ସାବରମତୀର ସନ ଏକୁଟିଆ ହାତରେ ବାଡ଼ି ଖଣ୍ଡିଏ ଧରି ନିଜ ବାଟରେ ଚାଲିଲେ ଆଉ ସେଇଥିପାଇଁ ଜୀବନ ମଧ୍ୟ ଦେଇଦେଲେ । ହୁଏତ ଭାରତର ଅନ୍ୟ ପ୍ରାନ୍ତରେ ମଧ୍ୟ ଏଇ ଆଦର୍ଶକୁ ବ୍ରତ ରୂପରେ ଗ୍ରହଣ କରି ନେଇଥିବା କର୍ମୀ କିଛି ବାହାରିବେ । ତେବେ ଓଡ଼ିଶାରେ ମୋର ପରିଚିତ ପରିବେଶରେ ଏଭଳି ବ୍ୟକ୍ତି କହିଲେ ମୋ ଆଗରେ କେବଳ ମଉସାଙ୍କ ଛବି ଭାସିଉଠେ । ଆଜୀବନ ନିଜର ପତାକା ନିଜେ ହିଁ ବହନ କରି ଚାଲି ଚାଲି ନିଜର ଲକ୍ଷ୍ୟ ପଥରେ ଆଗେଇ ଯାଇଛନ୍ତି । ନୈରାଶ୍ୟର ସାଂସାରିକ ଦୁଃଖ ଯନ୍ତ୍ରଣାର ଘନ ଘୋର ବାଦଲ ଯେତେବେଳେ ତାଙ୍କର ଜୀବନ ଆକାଶକୁ ଚାରିଆଡ଼ୁ ଘେରି ଆସିଛି, ସେତେବେଳେ ସୁଦ୍ଧା ନିଃସଙ୍ଗ ଏକ ବିହଙ୍ଗ ଭଳି ସେ ପକ୍ଷଚାଳନା କରି ଭାସିଯାଇଛନ୍ତି । ଏତିକି ହେଉଛି ତାଙ୍କର ବିଶେଷତ୍ୱ ।

 

ଷାଠିଏ ଦଶକରେ ଯେଉଁ ଯୋଗାଯୋଗ ଆରମ୍ଭ ହୋଇଥିଲା, ତାହାତ ଶେଷପର୍ଯ୍ୟନ୍ତ ବଜାୟ ରହିଲା । ଏଭଳିକି ମୋ ପରିବାରର ସମସ୍ତ ସାମାଜିକ କ୍ରିୟା କର୍ମରେ ଉପସ୍ଥିତ ରହିବାକୁ ମଉସା ନିଜର ଦାୟିତ୍ୱ ବୋଲି ଧରି ନେଇଥିଲେ । ଘର କଥା, ପରିବାରର କଥା ନିଃସଙ୍କୋଚରେ ତାଙ୍କ ଆଗରେ କରି ହୋଇଯାଉଥିଲା । ମୁଁ ଭାବିପାରେ ନାହିଁ, ଦିନରାତି ଏଡ଼େ ବିରାଟ ବିରାଟ ବହି, ଖବର କାଗଜ, ପତ୍ରପତ୍ରିକା ଘାଣ୍ଟି ସାରିଲା ପରେ, ଏସବୁ ଅନ୍ତରଙ୍ଗ ଆଳାପ ନିମନ୍ତେ ସେ ଶକ୍ତି କେଉଁଠୁ ସଂଗ୍ରହ କରି ପାରୁଥିଲେ ।

 

‘ଜ୍ଞାନମଣ୍ଡଳ’ର ପ୍ରାଥମିକ ଯୋଜନାଟିକୁ ସେ ଇତି ମଧ୍ୟରେ ବଦଳାଇ ଦେଇଥିଲେ । ତା’ର କାରଣ ମଧ୍ୟ ସେ ପାଠକମାନଙ୍କୁ ଜଣାଇ ଦେଇଛନ୍ତି । ରୋଗଗ୍ରସ୍ତ ହୋଇ ମଧ୍ୟ ସେ ‘ଜ୍ଞାନମଣ୍ଡଳ’ ପାଇଁ ନିୟମିତ କାର୍ଯ୍ୟ କରି ଚାଲିଥିଲେ । ୪୨ ଖଣ୍ଡ ‘ଜ୍ଞାନମଣ୍ଡଳ’ ତ ବାହାରି ସାରିଛି-। ବାକିତକ ପାଇଁ ଉପାଦାନ ସଂଗ୍ରହ କରି ମଧ୍ୟ ସାଇତି ଯାଇଛନ୍ତି । ଏବେ କହୁଥିଲେ ‘ଜ୍ଞାନମଣ୍ଡଳ’ ପାଇଁ ଆଉ ମୋର ଚିନ୍ତା ନାହିଁ । ମୁଁ ଥାଏଁ ନ ଥାଏଁ, ବାକିଥିବା ଭାଗଗୁଡ଼ିକ ତା’ର ବାହାରିଯିବ । କାମ ଯାହା ରହିଲା, ତମେମାନେ ସବୁ ତାକୁ ତୁଲାଇ ନେବ । ‘ଜ୍ଞାନମଣ୍ଡଳ’ ତ ଏବେ ଆତ୍ମନିର୍ଭର, ନିଜ ଗୋଡ଼ରେ ନିଜେ ଠିଆ ହେବାର ଯୋଗ୍ୟତା ଅର୍ଜନ କରି ସାରିଛି । ତେଣୁ ଏହାର ପ୍ରକାଶନ ପାଇଁ ଆଉ ବିଶେଷ କୌଣସି ଅସୁବିଧା ହେବ ବୋଲି ମୁଁ ଭାବୁନାହିଁ ।

 

ନୂଆ ନୂଆ ଯୋଜନା କରିବା ଏବଂ ତାକୁ ପୁଣି ରୂପ ଦେବାରେ ମଉସାଙ୍କ ଭଳି ଏଭଳି ଦକ୍ଷ ଲୋକ ମୁଁ ଖୁବ୍‌ କମ୍‌ ଦେଖିଛି । ପିଲାଙ୍କ ପାଇଁ ୩୬୫ ଦିନରେ ୩୬୫ଟି ବହି ଲେଖି ଏକ ଦଶ ପଇସିଆ ଯୋଜନା ମାଧ୍ୟମରେ ତାକୁ ଓଡ଼ିଶାର ପୁରପଲ୍ଲୀରେ ପହଞ୍ଚାଇ ଦେବା, ପୁଣି ମାତ୍ର ମାସ ଚାରି ପାଞ୍ଚଟାରେ ଦୁଇ ଭାଗରେ ପିଲାଙ୍କ ପାଇଁ ଏକ ଜ୍ଞାନକୋଷର ରଚନା କରିଦେବା ଭଳି ଅସମ୍ଭବ କାମଗୁଡ଼ିକୁ ମଧ୍ୟ ସେ ସମ୍ଭବ କରି ଯାଇଛନ୍ତି । ତାଙ୍କର ଛୋଟ ଛୋଟ ବହିଗୁଡ଼ିକର ତ ଏକାଧିକ ସଂସ୍କରଣ ହୋଇଛି, ଆଉ ଏଥିରୁ କିଛି ହିନ୍ଦୀ ଭାଷାରେ ମଧ୍ୟ ଅନୁବାଦିତ ହୋଇଯାଇଛି ।

 

ମୁଁ ଦେଖି ଶୁଣି ବେଶ୍‌ ଆନନ୍ଦିତ ହୋଇଛି ଯେ, ବିଳମ୍ବରେ ହେଲେ ମଧ୍ୟ ଦେଶ ଆଉ ଜାତି ପକ୍ଷରୁ ତାଙ୍କର ଅନନ୍ୟ ସାଧନାକୁ ସ୍ଵୀକୃତି ଦିଆଯାଇଛି । ତେବେ ଏ ସବୁଥିରେ ତାଙ୍କର ବିଶେଷ ପ୍ରତିକ୍ରିୟା ପ୍ରକାଶ ପାଇବାର ଜାଣେ ନାହିଁ । ଏଠି ମଧ୍ୟ ସେଇ ନିର୍ବିକାର ଦୃଷ୍ଟିକୋଣ । ଆମେ କାମ ତ କରିବା- । ତା’ ଆମର କରିବା କଥା-ସ୍ୱୀକୃତି ଆସୁ ବା ନ ଆସୁ, ସେଥିପାଇଁ ଚିନ୍ତା କାହିଁକି ?

 

ବେଶ୍‌ କିଛି ଦିନ ପୂର୍ବେ ମଉସା ମୋତେ ଡକାଇ ପଠାଇଥଲେ । ‘ଜ୍ଞାନମଣ୍ଡଳ’ ସମ୍ପର୍କରେ ମୋର ମତାମତ ପଚାରି ଥିଲେ । ମୁଁ ସେତେବେଳେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଅନାଇ ରହିଥିଲି । କାରଣ କ’ଣ ମୁଁ ଜାଣେ ନାହିଁ । ତେଣୁ ନୀରବ ରହିଥିଲି । ସେ ମୋତେ ଏକ ପ୍ରବନ୍ଧ ଲେଖିବା ନିମନ୍ତେ ଆଦେଶ ଦେଇଥିଲେ । ଆବଶ୍ୟକୀୟ ତଥ୍ୟ ମଧ୍ୟ ଯୋଗାଇ ଦେଇଥିଲେ । ମୁଁ ପ୍ରତିବାଦ କରି ନ ଥିଲି । ମାତ୍ର ସେ ଦାୟିତ୍ୱଟି ପାଳନ କରି ମଧ୍ୟ ପାରି ନ ଥିଲି । ହୁଏତ ସେ ମନେମନେ ଅସନ୍ତୁଷ୍ଟ ହୋଇଥିବେ । କ୍ଷମା ମାଗିବାର ସୁଯୋଗ ମଧ୍ୟ ନ ଦେଇ, ସେ ଚାଲିଗଲେ ଏତେ ଶୀଘ୍ର । ତାଙ୍କ ପାଇଁ ଏମିତି ଏକ ପ୍ରବନ୍ଧ ଲେଖିବାକୁ ପଡ଼ିବ, ଏହା ମୋର କଳ୍ପନାର ବାହାରେ ଥିଲା । ଓଡ଼ିଶାର ସାମାଜିକ ଜୀବନ, ଓଡ଼ିଆ ସାହିତ୍ୟ-ଏସବୁ କ୍ଷେତ୍ରରେ କାନୁନଗୋଙ୍କ ଭୂମିକା କ’ଣ, ଏହା ଉପରେ ଲେଖିବା ପାଇଁ, ଏ ଦେଶରେ ପଣ୍ଡିତଙ୍କର, ଗବେଷକଙ୍କର ଅଭାବ ହେବ ନାହିଁ । ମୁଁ କିନ୍ତୁ ତାଙ୍କୁ ଯେମିତି ଜାଣିଛି, ସେମିତି ସୁଯୋଗ ହୁଏତ ଖୁବ କମ୍‌ ଲୋକ ପାଇଥିବେ । ତେଣୁ ମୋ କଥା ମୁଁ ଏଇଠି କହିଦେବା ପାଇଁ ମନେ ମନେ ସ୍ଥିର କଲି । ମଉସା କ’ଣ ଜାଣିବେ ନାହିଁ ଯେ, ସଂସାରରେ ତୁ’ ଶବ୍ଦଟିଏ ଶୁଣିବା-କେଡ଼େ ଭାଗ୍ୟର କଥା । ତାଙ୍କର ତିରୋଧାନରେ ମୁଁ ସେଇ ସୌଭାଗ୍ୟରୁ ବଞ୍ଚିତ ହେଲି । ମୋତେ ‘ତୁ’ ବୋଲି କହି ପାଖରୁ ଡାକିନେବା ଲୋକରୁ ଜଣେ କମିଗଲେ । ଦୁଃଖୀ ସଂସାରରେ ଏ ଯେ କେଡ଼େବଡ଼ ଯନ୍ତ୍ରଣା ଏ କଥା ମୁଁ କେମିତି କାହାକୁ ବୁଝାଇବି ।

 

ଦେଉଳସାହୀ, କଟକ-୮

 

***

 

ଇତିହାସର ବିସ୍ମୟ

ଗିରିଜାଭୂଷଣ ପଟ୍ଟନାୟକ

 

ପୃଥିବୀରେ ଗୋଟିଏ ବହି ଅଛି । ବହିଟିର ନାମ ବୁକ୍‌ ଅଫ ଗିନେସ୍‌ । ପୃଥିବୀର ସବୁ ଆଶ୍ଚର୍ଯ୍ୟଜନକ କଥା ଏଇଥିରେ ଲିପିବଦ୍ଧ ହୁଏ । ଭବିଷ୍ୟତର ବଂଶଧର ସେଇଥିରୁ ପ୍ରେରଣା ପାଆନ୍ତି । ବିନୋଦ କାନୁନ୍‌ଗୋଙ୍କ ନାମ ସେଠାକୁ ପଠାଯାଇଛି କି ନା ମୁଁ ଜାଣେ ନାହିଁ । କିନ୍ତୁ ପଠାଯିବା ଉଚିତ । କାରଣ ସମୟ ଯେତିକି ଅତିକ୍ରାନ୍ତ ହେବ, ମହାକାଳ ଯେତିକି ସ୍ତୁତି ପୋଛିବାକୁ ଆରମ୍ଭ କରିବ, ‘ଭବିଷ୍ୟତର ବଂଶଧରମାନେ ସେତିକି ବିଶ୍ଵାସ କରିବେ ନାହିଁ ଯେ ଦିନେ ଏଇ ମାଟିରେ ବିନୋଦ କାନୁନ୍‌ଗୋ ନାମରେ ଜଣେ ଅପାଠୁଆ ଲୋକ ଜନମି ଥିଲା, ଯେ ଏକାକୀ ଗୋଟାଏ ଏନ୍‌ସାଇକ୍ନୋପେଡ଼ିଆ ଲେଖିଯାଇ ପାରିଥିଲା । ସତରେ କ’ଣ ଏଇଟା ସମ୍ଭବ ? ସେମାନେ ବିଶ୍ଵାସ କରିପାରିବେ ନାହିଁ । କାରଣ ଇମିତି ଗୋଟାଏ ପୁଅକୁ ଜନ୍ମଦେବା ପାଇଁ ମୋର ଜନ୍ମମାଟିକୁ ବହୁଯୁଗ ଲାଗିଯିବ । ଆଉ ସେତିକି ବିସ୍ମୟରେ । ପରିଣତ ହୋଇଯିବେ ବିନୋଦ କାନୁନ୍‍ଗୋ ।

 

ଅଷ୍ଟମ କି ନବମ ଶ୍ରେଣୀରେ ସେ ପାଠ ଛାଡ଼ିଥିଲେ ରେଭେନ୍‌ସା କଲେଜିଏଟରୁ । ସ୍କୁଲ ପାଠରେ ଡୋରି ବନ୍ଧା ହେଲା । ଜାତିର ମୁକ୍ତି ପାଇଁ ଯେଉଁ ଦୁର୍ବାର ଆହ୍ଵାନ ଆସିଥିଲା ସେଇଥିରେ ସେ ଝାସ ଦେଇଥିଲେ । ଆଉ ପଛକୁ ଫେରିନାହାଁନ୍ତି । ବୃତ୍ତି ପାଉଥିଲେ । ଆସିଥିଲେ ଏକ ମଧ୍ୟବିତ୍ତ ପରିବାରରୁ । ସେତେ ଲୋକଙ୍କର କେତେ ଆଶା ଥିଲା । କିଏ ଆଶା କରିଥିଲା ସିଏ ଦିପୋଟି ହେବେ । ହୁଏତ ମାମୁଁ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ଆଶା କରିଥିଲେ ଯେ ସେ ଅଧ୍ୟାପକ ହେବେ ତାଙ୍କରି ଭଳି । କୁଳ ଉଜ୍ଜଳ ହେବ । ଦାରିଦ୍ର୍ୟ କଟିଯିବ । କିନ୍ତୁ ସବୁ ଆଶା ବୃଥା ହେଲା । ଜୀବନର ଗୋଟାଏ ଅଧ୍ୟାୟ ସରି ଆଉ ଗୋଟାଏ ଅଧ୍ୟାୟର ଆରମ୍ଭ ହେଲା ।

 

କିନ୍ତୁ ମୁକ୍ତିର ପ୍ରକୃତ ଅର୍ଥ କଣ ? କଣ ଖାଲି ଶାସନଗାଦୀରେ ଗୋରାଲୋକ ଯାଇ କଳାଲୋକ ବସିଗଲେ ସେଇଟା ହେବ ପ୍ରକୃତରେ ମୁକ୍ତି ? ମତଭେଦ ଆରମ୍ଭ ହେଲା । ଏହା ଦାନା ବାନ୍ଧିଥି‌ଲା ସ୍ଵାଧୀନତା ସଂଗ୍ରାମ ବେଳରୁ । ଏଇ ମତଭେଦରୁ ହିଁ ଜନ୍ମ ହୁଏ କଂଗ୍ରେସ ସୋସଲିଷ୍ଟ ପାର୍ଟି (ପରେ ସୋସଲିଷ୍ଟ ପାର୍ଟି) ଓ କମ୍ୟୁନିଷ୍ଟ ପାର୍ଟି । ବିନୋଦ କାନୁନ୍‌ଗୋ ତେଣୁ ଯେ ସୋସଲିଷ୍ଟ ପାଲଟିଲେ, ପରେ ଏକ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେଲେ ବା କୃଷକ କାଗଜର ସମ୍ପାଦକ ହେଲେ ଏଥିରେ ବିସ୍ମିତ ହେବାର କିଛି ନ ଥିଲା । ଏହା ଥଲା ତାଙ୍କ ଜୀବନର ଦ୍ଵିତୀୟ ଅଧ୍ୟାୟ । ଶାସନ ବଦଳିଯିବ । ବଦଳିଗଲା ମଧ୍ୟ । କିନ୍ତୁ ତାହା ଯଥେଷ୍ଟ ନୁହେଁ, କୁଳିନ ମଧ୍ୟ ନୁହେଁ । କିନ୍ତୁ ଏହା ତ ସ୍ଵରାଜ୍ୟ ନୁହେଁ ? ଗାନ୍ଧିଜୀଙ୍କ ପରିକଳ୍ପିତ ଗ୍ରାମ ସ୍ଵରାଜ୍ୟ ତ ବହୁ ଦୂରରେ ।

 

ବିନୋଦ କାନୁନ୍‍ଗୋ ଛାଡ଼ିଲେ ଜାତୀୟ କଂଗ୍ରେସକୁ । କ୍ଷମତା ପଛରେ ଗୋଡ଼ାଇବା ସମ୍ଭବ ହେଲାନାହିଁ ତାଙ୍କ ପକ୍ଷରେ । ହିଂସ୍ର ପ୍ରତିଯୋଗିତାରୁ ସେ ଓହରିଗଲେ ।

 

ତା’ ହେଲେ ? କି ପନ୍ଥା ! ବିନୋଦ କାନୁନ୍‌ଗୋଙ୍କୁ କିନ୍ତୁ ଗୋଟାଏ ସ୍ଵପ୍ନ ଘାରିଥିଲା ବନ୍ଦୀଶାଳାରୁ । ସ୍ଵାଧୀନତା ଆସିବ । କିନ୍ତୁ ଶିକ୍ଷା ବିନା ସ୍ଵାଧୀନତାରେ ମୂଲ୍ୟ କଣ ? ସେଇଠି ସେ ସ୍ଵପ୍ନ ଦେଖିଥିଲେ ଜ୍ଞାନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ ଏବଂ ସେଇ ସ୍ୱପ୍ନ ବର୍ତ୍ତମାନ ତାଙ୍କୁ ଘାରିଲା । ସାଧାରଣ ମଣିଷ ପାଖରେ ଜ୍ଞାନ ପହଞ୍ଚି ପାରିଲେ ସମାଜକୁ ବଦଳାଇବାର ଆୟୁଧ ଶାଣିତ ହୋଇଯିବ । ଆଉ ସେଇ ଆୟୁଧ ଶାଣିତ ହେଲେ ସମାଜ ବଦଳିଯିବା ପାଇଁ ବାଧ୍ୟ-! ଅଜ୍ଞତା ହେଉଛି ଶୋଷଣର ବାହକ ।

 

ଏବଂ ସେଇ ସ୍ୱପ୍ନ ଦେଖି ଦେଖି ସେ ଆଖି ବୁଜିଦେଲେ ସେଦିନ । ଆଉ କିଛି ତାଙ୍କୁ ଦେଖାଯାଇ ନାହିଁ । କିଛି ଶୁଭିନାହିଁ । ବିନୋଦ କାନୁନ୍‌ଗୋ ପାଲଟିଗଲେ, ଜ୍ଞାନମଣ୍ଡଳ କାନୁନଗୋ-। ତାଙ୍କର ରୂପାନ୍ତର ହୋଇଗଲା । କାରାଗାର ସମୟରେ ସେ ଆପଣାର ପରିକଳ୍ପନାକୁ ଟିପିଥିଲେ ବନ୍ଦୀମାନଙ୍କ ପାଇଁ ଉଦ୍ଦିଷ୍ଟ ଗାରିଗାରିଆ କାଗଜରେ । ସେଇ କାଗଜ ହେଲା ତାଙ୍କର ପ୍ରଥମ ପାଣ୍ଡୁଲିପି ।

 

କିନ୍ତୁ ସମ୍ବଳ ? ଆଉ ନିଜର ପାଠ ବି କେତେ ? ଗୋଟାଏ ହାତରେ ବହି, ଆର ହାତରେ କଲମ । ସେ ନିଜେ ଲେଖିଯିବେ ଏକ ଜ୍ଞାନମଣ୍ଡଳ । ଓଡ଼ିଆରେ ବିଶ୍ୱକୋଷ । ଏହାର ପଟାନ୍ତର ନାହିଁ ସାରା ପୃଥିବୀରେ । ପୃଥିବୀର ବିଭିନ୍ନ ଭାଷାରେ ବିଶ୍ଵକୋଷ ରଚନା ହୋଇଛି । କୋଟି କୋଟି ଟଙ୍କାର ପ୍ରୋଜେକ୍ଟ । ଶହ ଶହ ଗବେଷକ । ପ୍ରତ୍ୟେକ ବିଷୟ ପାଇଁ, ପ୍ରତ୍ୟେକ ଅକ୍ଷର ପାଇଁ । ବିନୋଦ କାନୁନ୍‌ଗୋଙ୍କ ପାଖରେ ସମ୍ବଳ ହେଉଛି ବଲାଇ ପାଲିତଙ୍କର ଭଡ଼ାଘର । ଅର୍ଥଶୂନ୍ୟ । କିନ୍ତୁ ସେଥିପାଇଁ ଭ୍ରୂକ୍ଷେପ ନାହିଁ । ପଇସା ପାଇଁ ହାତ ପାତିନାହାଁନ୍ତି । ଆଉ ଆଜି ହାତ ପାତିବେ ? କାହିଁକି ? କାବୁଲିବାଲା । ତ ତଥାପି ଅଛନ୍ତି । ସେମାନଙ୍କଠାରୁ ସୁଧରେ ଟଙ୍କା ଆଣିବାରେ ତ କୌଣସି ବାଧା ନାହିଁ । କାବୁଲିବାଲାର ଟଙ୍କା ହେଲା ତାଙ୍କର ପାଣ୍ଠି, ପ୍ରଥମ ପାଣ୍ଠି ।

 

ଦୁରାରୋଧ୍ୟ ପରିକଳ୍ପନା । ନିଜେ ଅପାଠୁଆ, ଏକାକୀ, ଅର୍ଥଶୂନ୍ୟ ଆଉ ଲେଖିବେ କଣ ନାଁ ଜ୍ଞାନମଣ୍ଡଳ, ବିଶ୍ୱକୋଷ । ପ୍ରତିଦିନ ସକାଳୁ ସେ ଚାଲନ୍ତି, ପ୍ରାତଃ ଭ୍ରମଣରେ । ଚପଲ, ଧୋତି, ଫତେଇ, ଚଦର । ବେଶ୍‌ ସେତିକି । ଖରା ବର୍ଷା ଶୀତ । ସେଇ ବେଶରେ ସେ ବାହାରିଥିଲେ ସେଦିନ ଜ୍ଞାନମଣ୍ଡଳ ଲେଖିବା ପାଇଁ । ଆଉ ସେଦିନ ମଧ୍ୟ ଆଖି ବୁଜିଦେଲେ ସେଇ ବେଶରେ । ପ୍ରତିଷ୍ଠା ବଢ଼ିଛି, ଦାରିଦ୍ର୍ୟ ଘୁଞ୍ଚିଛି, କିନ୍ତୁ ବେଶ ସେଇପରି ।

 

ଛପାହେବ ପ୍ରଥମ ଖଣ୍ଡ । ସେ ଲେଖିଛନ୍ତି ସବୁ ନିଜ ହାତରେ । ଚାଲନ୍ତି ଯେମିତି ଦ୍ରୁତ ଗତିରେ, ଲେଖନ୍ତି ବି ସେଇପରି ଦ୍ରୁତ ଗତିରେ । ତାଙ୍କୁ ମୁଁ ଦିନେ ଦିନେ ପଚାଶ ପୃଷ୍ଠା ଲେଖିବାର ଦେଖିଛି । ନିଜର ପାଠ ନାହିଁ- କିନ୍ତୁ ସେ ଲେଖିଯିବେ ଇମିତି ବହି ଯାହା ପାଠୁଆଙ୍କୁ ପାଠ ପଢ଼େଇବ ।

 

ସମ୍ବଳ ଯେମିତି, ପ୍ରେସ୍‌ ବି ମିଳିଲା ସେମିତି ଛାପିବା ପାଇଁ । ବୁଢ଼ା ମିସ୍ତ୍ରୀ ଆସି ମୁଣ୍ଡ କୁଣ୍ଡାଇ ଠିଆ ହୋଇଛି । ଦିନକର କଥା । ଆଜ୍ଞା, ଦୀର୍ଘ ‘ଇ’ ଅକ୍ଷର ଆଉ ନାହିଁ । ତେଣୁ ଇମିତି ଲେଖିବେ ଯେ ଯେଉଁଥିରେ ଦୀର୍ଘ ‘ଇ’ ନ ଥିବ । ନଚେତ କମ୍ପୋଜ ହୋଇପାରିବ ନାହିଁ । ବିନୋଦବାବୁଙ୍କ ମୁହଁରେ ହସର ଏକ ସ୍ମିତରେଖା ଉକୁଟି ଲିଭିଗଲା । କି ବିଚିତ୍ର ବରାଦ । ଆଜ୍ଞା ଆଜି ତାଲବ୍ୟ ‘ଶ’ ସରିଯାଇଛି । ବିନୋଦବାବୁ ଶୁଣିଲେ । କଲମ ଚାଲିଲା । ଇମିତି ଶବ୍ଦ ଲେଖିବାକୁ ହେବ ଯେଉଁଥିରେ ତାଲବ୍ୟ ‘ଶ’ ନ ଥିବ । ସେ ଲେଖିବେ ଅ, ଅକ୍ଷର, ଆକାଶ ସବୁ । ପୁଣି ପ୍ରେସର ବରାଦ ମାନିବାକୁ ପଡ଼ିବ । କଲମ ପୋଷା ମାନିଥିଲା । ସେଥିଯୋଗୁଁ ସେ ଲେଖି ଚାଲିଲେ । ଆସିଲେ ସାହାଯ୍ୟ କରିବା ପାଇଁ ଲୋକ । ରିକ୍‌ସାବାଲା, ଖବର କାଗଜ ହକର । ବିନୋଦ କାନୁନ୍‌ଗୋ ସେଇମାନଙ୍କ ଭିତରୁ ରିକ୍ରୂଟ୍‌ କଲେ ଆପଣାର ସହଯୋଗୀ, କମ୍ରେଡ଼୍‌ । ପୁଣି ବିଚିତ୍ର ଯୋଗାଯୋଗ । ଲେଖାସରିଲା । ସେତିକିବେଳକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଏକ ଜ୍ଞାନକୋଷର ପ୍ରଣୟନ ହେଉଥାଏ ।

 

ଗୁଡ଼୍‌ର ଏନିମି ହେଉଛି ବେଟର । ମହତାବବାବୁ ଜ୍ଞାନମଣ୍ଡଳର ପ୍ରଥମ ଖଣ୍ଡ ଉନ୍ମୋଚନ କରି ଏଇ ବାକ୍ୟଟି କହିଥିଲେ । ପାଇଓନିଅର ହେବାର ଗୌରବ ଏକ ସ୍ଵତନ୍ତ୍ର ଗୌରବ । ଭବିଷ୍ୟତରେ ନୂଆ ଲୋକ ଆସିବେ, ସଂଶୋଧନ ହେବ । ପରିବର୍ତ୍ତନ ହେବ, ବିକାଶ ଲାଭ କରିବ-। କିନ୍ତୁ ସେଇଥିପାଇଁ ଆଜିର କାମ ବନ୍ଦ ହୋଇଯିବ କାହିଁକି ? ଆଜିର କାମ ସରୁ । କାଲିର ବ୍ୟକ୍ତିମାନେ ତାକୁ ଆଗେଇ ନେବେ । ସେଥିପାଇଁ ବ୍ୟସ୍ତ ହେବାର କ’ଣ ଅଛି ? ପ୍ରଥମ ଖଣ୍ଡ ବାହାରିଗଲା । ବିନୋଦ କାନୁନଗୋ ଧରିଲେ ସାଇକେଲ । ନିଜେ ଲେଖକ, ନିଜେ ପ୍ରକାଶକ, ପୁଣି ନିଜେ ହିଁ ବିକ୍ରେତା । ସାଇକେଲ ଚାଲିଲା ସ୍କୁଲରୁ ସ୍କୁଲ, ଅନୁଷ୍ଠାନରୁ ଅନୁଷ୍ଠାନ, ବ୍ୟକ୍ତିରୁ ବ୍ୟକ୍ତି-। ସ୍କୁଲରେ ସଭା କରନ୍ତି । ପିଲାଙ୍କୁ, ଶିକ୍ଷକଙ୍କୁ ବୁଝାନ୍ତି ଜ୍ଞାନ ବିଜ୍ଞାନ କଥା । ଆଉ ବହିରୁ ଖଣ୍ଡିଏ ବିକ୍ରୀ କରନ୍ତି । ବୋଧହୁଏ ଦାମ ଥିଲା ଦଶଟଙ୍କା, ଯାହା ମନେ ପଡ଼ୁଛି ।

 

ବଲାଇ ପାଳିତଙ୍କ ଘରୁ ବାରବାଟୀ ଷ୍ଟାଡ଼ିୟମ, ଦୀର୍ଘ ପଥ । ବହି ଖଣ୍ଡିଏ କିଣିଲେ ସେଟ୍‌ଟିର ବିକ୍ରୀ ହେବାର ଆଶା । କିନ୍ତୁ ଏଣେ ଯେ ଖବର କାଗଜର କଟିଙ୍ଗ ଗଦା ଦେବାକୁ ଲାଗିଚି ସ୍ତୁପକାରରେ । ବାଧ୍ୟ ହୋଇ ଦିନେ ବିନୋଦ କାନୁନ୍‌ଗୋ ଜାଳି ଦିଅନ୍ତି ସେଇ ସବୁ କଟିଙ୍ଗରୁ କେତେକକୁ । ପ୍ରତି ଅକ୍ଷର ପାଇଁ ଗୋଟାଏ ଫାଇଲ । ସେତେବେଳକୁ ଷୋହଳ ହଜାର ଫାଇଲ ହେଲାଣି । ପୁଣି ବହି ଉପରେ ବହି । ଚିଠି ଉପରେ ଚିଠି । ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ହୁଅନ୍ତି ଏତିକିବେଳେ । ବିନୋଦ କାନୁନ୍‌ଗୋ କହନ୍ତି ଯେ ଗ୍ରାଣ୍ଟର ଆବଶ୍ୟକତା ନାହିଁ । ସ୍ଵାଧୀନତା ସଂଗ୍ରାମୀର ଭତ୍ତାପାଇଁ ତ ଦରଖାସ୍ତ କରିନାହାଁନ୍ତି । ଆଉ ଗ୍ରାଣ୍ଟ୍‌ର ଆବଶ୍ୟକତା କ’ଣ ? କିନ୍ତୁ ଗୋଟିଏ ଖଣ୍ଡ ପ୍ରକାଶ ପାଇଲା ପରେ ସେଥିରୁ ଦୁଇ ହଜାର ଖଣ୍ଡ କିଣିନେବା ପାଇଁ ସରକାର ପ୍ରତିଶ୍ରୁତି ଦିଅନ୍ତୁ । ସରକାର ପ୍ରତିଶ୍ରୁତି ଦେଲେ । ମାନଚିତ୍ର ବଦଳିବାକୁ ଆରମ୍ଭ କଲା । ବିନୋଦବାବୁଙ୍କୁ ପୁଣି ନିଶା ଘାରିଲା । ଜ୍ଞାନମଣ୍ଡଳ ସିନା ଗୋଟାଏ ଗ୍ରନ୍ଥ । କିନ୍ତୁ ସମସ୍ତେ ତ ତାକୁ କିଣି ପଢ଼ିପାରିବେ ନାହିଁ । ସାଧାରଣ ମଣିଷ ହାତରେ ତ ବହି ଖଣ୍ଡିଏ ଦେବା ଦରକାର । ଆରମ୍ଭ ହେଲା ଟଙ୍କିକିଆ ବହି । ମୋର ଯାହା ମନେ ପଡ଼ୁଛି ‘‘ଚଳନ୍ତା ରାଇଜର ଅମୁହା ନଈ’’ ବୋଧହୁଏ ପ୍ରଥମ ବହି । ଆଉ ସେଇ ନଈ ବୋହି ଚାଲିଲା ସାରା ଦେଶକୁ । ବିନୋଦ କାନୁନ୍‌ଗୋ ରହିଗଲେ ଅମର ହୋଇ ।

 

ବିନୋଦ କାନୁନ୍‌ଗୋ ହେଉଛନ୍ତି best at his worst । କଠୋର ସଂଗ୍ରାମ ଭିତରେ ତାଙ୍କର ପ୍ରତିଭା ଯେପରି ବିକଶିତ ହେଉଥିଲା ତାହା ମଣିଷକୁ ସ୍ତମ୍ଭୀଭୂତ କରିଦେବ । ପୁଣି ନିଶା । ଲେଖିବେ ଇତିହାସର ଡାଏରୀ । ମୋ ଭଳି ଅନେକ ଲୋକ ତାଙ୍କ ପାଖରେ ଅଭିଯୋଗ କରିଛନ୍ତି-। ଏ ସବୁତ, କିନ୍ତୁ ଜ୍ଞାନମଣ୍ଡଳ ? ସେ ତ ରହିଯିବ ଅଧାରେ ।

 

ବହୁମୂତ୍ର ଗ୍ରାସ କରିଛି ଦେହକୁ । ଦେହ କ୍ଷୟ ହୋଇ ଆସୁଛି । ବିନୋଦ କାନୁନ୍‌ଗୋ ଏକ ଆଶ୍ରମ ତିଆରି କଲେ ଗାଁରେ । ଆଉ ସେଇ ଆଶ୍ରମ ତାଙ୍କୁ ପୁଣି ପାଗଳ କରିଦେଲା । ସେ ଗାଁକୁ ଚାଲିଲେ ବାରମ୍ବାର । କାହାର କଥା ମାନିଲେ ନାହିଁ । ଇନ୍‌ସୁଲିନ ନେବାରେ ବ୍ୟତିକ୍ରମ ହେଲା । ରକ୍ତରେ ଶର୍କରା ହଠାତ୍‌ ବଢ଼ିବାକୁ ଏବଂ ହଠାତ କମିବାକୁ ଆରମ୍ଭ କଲା । ଶୁଭ ଲକ୍ଷଣ ନୁହେଁ । କିନ୍ତୁ ସେ ଯେମିତି ଅମାନିଆଁ ପିଲାଦିନେ ଥିଲେ ସେମିତି ଅମାନିଆଁ ହେବାକୁ ଲାଗିଲେ । ପଚାରିଲେ କହନ୍ତି ମୁଁ ଆଉ କେତେ ଦିନ ବଞ୍ଚିବି କି ? ସବୁ ଲେଖିଯାଇଛି । ତମେମାନେ ସବୁ ପ୍ରକାଶ କରିଦେବ ନାହିଁ । ଡିସ୍‌ଆର୍ମିଙ୍ଗ ହସ, ଡିସ୍‌ଆର୍ମିଙ୍ଗ ଭାଷା ।

 

ଗାଡ଼ି ହୋଇଛି, ନିଦ ଶୋଇବା ଘରେ ପୁଅମାନେ ବାପାଙ୍କ ପାଇଁ ଶୀତତାପ ନିୟନ୍ତ୍ରଣ କରିଦେଇଛନ୍ତି, ଆର୍ଥିକ ଅନାଟନ କଟିଯାଇଛି । ଜ୍ଞାନମଣ୍ଡଳ ଫାଉଣ୍ଡେସନ ଗଢ଼ାହୋଇଛି, ଭୁବନେଶ୍ଵରରେ ସେଥିପାଇଁ ଜମି ନିଆଯାଇଛି, ଘରର ନକ୍‌ସା ତିଆରି ହୋଇଛି । ଅନେକ ସ୍ଵପ୍ନ ବାକିଅଛି । ଅନେକ ପଥ ।

 

ବିନୋଦ କାନୁନ୍‌ଗୋ କିନ୍ତୁ ଅମାନିଆଁ ହୋଇଛନ୍ତି ବେଶୀ । ଗାଁକୁ ଯିବେ । ଔଷଧ ଖାଇବେ ନାହିଁ । ଇନ୍‌ସୁଲିନ ନେବେ ନାହିଁ ଠିକ୍‌ ସମୟରେ ।

 

ଆଉ ସେ ଦିନ ସେଇ ଅଶୁଭ ମୁହୂର୍ତ୍ତ ଆସିଗଲା । ହଠାତ ଅଚାନକ । ସ୍କାନିଂ ମେସିନ୍‍ଟା ଚାଲୁଥିଲେ କଣ ହୋଇଥାନ୍ତା କହି ହେବ ନାହିଁ । କିନ୍ତୁ ଦୁର୍ଘଟଣା ତ ଆମ ଦେଶର ବହୁ ବ୍ୟକ୍ତିଙ୍କୁ ତାର ଶିକାର କରିଛି । ଆଉ ବିନୋଦ କାନୁନ୍‌ଗୋ ସେଇ ତାଲିକାର ଅନ୍ତର୍ଭୁକ୍ତ ହୋଇଗଲେ ସେ ଦିନ ।

 

ଆଉ ସେ ଦିନ ଇତିହାସର ଏଇ ବିସ୍ମୟ ଚାଲିଗଲେ ଇତିହାସ ପୃଷ୍ଠାକୁ ।

 

ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏ ଜାତିର ବେଦନାକୁ ରୂପଦେଲେ- ମୋ ଜନ୍ମମାଟିକୁ ବହୁବର୍ଷ ଲାଗିଯିବ ଏଭଳି ଏକ ପୁତ୍ରକୁ ଜନ୍ମ ଦେବା ପାଇଁ ।

 

‘ଦି ଇଉନିଭର୍ସ’, କଟକ-୧

 

***

 

ବିନୋଦବାବୁଙ୍କ ଜ୍ଞାନମଣ୍ଡଳ ପରକଳ୍ପନା

କୁଳମଣି ସାମଲ

 

‘ଜ୍ଞାନମଣ୍ଡଳ’ ଓଡ଼ିଆ ଭାଷାରେ ଲେଖା ହୋଇଥିବା ଏକ ସରଳ ଜ୍ଞାନକୋଷ । ଏହାର ପ୍ରତିଷ୍ଠାତା ଥିଲେ ସ୍ଵର୍ଗତ ପଦ୍ମଶୀ ବିନୋଦ କାନୁନ୍‌ଗୋ । ବିଶ୍ୱବିଦ୍ୟାଳୟ କି ମହାବିଦ୍ୟାଳୟର କୌଣସି ଡିଗ୍ରୀ ତାଙ୍କର ନଥିଲା । ସେ ସମୟର ମାଟ୍ରିକ ଦଶମ ଶ୍ରେଣୀ (ଆଜି କାଲିକା ନବମ ଶ୍ରେଣୀ)ରୁ ପାଠ ଛାଡ଼ିଥିଲେ । ସେତେବେଳେ ଇଂରାଜୀ ଓ ଓଡ଼ିଆ ଭାଷା ଶିକ୍ଷା ଉପରେ ଅଧିକ ଧ୍ୟାନ ଦିଆଯାଉଥିଲା । ବିନୋଦବାବୁ ଓଡ଼ିଆରେ ଶତକଡ଼ା ୮୦/୯୦ ରଖୁଥିଲେ । ହେଲେ ବି କେବଳ ଭାଷାଜ୍ଞାନ ବଳରେ ଜ୍ଞାନକୋଷ ଲେଖି ହେବନି । ଜ୍ଞାନକୋଷ ଲେଖିବାକୁ ହେଲେ ବିଭିନ୍ନ ବିଷୟରେ ବିଶେଷ ଜ୍ଞାନ ଥିବା ଦରକାର । ନିଜେ ବିନୋଦବାବୁ ତାଙ୍କ ଦ୍ୱିତୀୟ ଖଣ୍ଡ ଜ୍ଞାନମଣ୍ଡଳର ମୁଖବନ୍ଧରେ ଲେଖିଛନ୍ତି, ୧୯୫୯ରେ ପ୍ରକାଶିତ ବିରାଟ ଏନ୍ସାଇକ୍ଲୋପେଡ଼ିଆ ସଂପୂର୍ଣ୍ଣ କରିବାକୁ ପାଞ୍ଚ ହଜାର ଲେଖକ ଦଶ ବର୍ଷ ସମୟ ନେଇଥିଲେ । ଏକଥା ଜାଣି ମଧ୍ୟ ଏଭଳି ଏକ ଦୁଃସାଧ୍ୟ କାର୍ଯ୍ୟ କରିବାକୁ ସେ କିପରି ମନ ବଳାଇଲେ !

 

ଦୁଃସାଧ୍ୟ କାର୍ଯ୍ୟରେ ହାତ ଦେବାକୁ ହେଲେ ଗଭୀର ଆତ୍ମବିଶ୍ୱାସ ଥିବା ଦରକାର । ସେ ଜୀବନରେ ଯେଉଁ ଘୂରାଣିଆ ପଥ ଦେଇ ଏଭଳି ପରିସ୍ଥିତିରେ ପହଞ୍ଚିଲେ ସେଥିରୁ ମନେ ହୁଏ ନିଜ ଦକ୍ଷତା ଉପରେ ତାଙ୍କର ଅକାତ ଭରସା ଜନ୍ମିଥିଲା । କାଠଯୋଡ଼ୀ ନଈବାଲି ସଭାରେ ବାଗ୍ମୀ ରାଜକୃଷ୍ଣ ବୋଷ ଓ ଯଦୁମଣି ମଙ୍ଗରାଜଙ୍କ ଭଳି ବକ୍ତାଙ୍କ ଜ୍ଵାଳାମୟୀ ଭାଷଣ ଶୁଣି ଶୁଣି ସୁରେନ୍ଦ୍ର ଦ୍ୱିବେଦୀ ଓ ସୁରେନ୍ଦ୍ର ପଟ୍ଟନାୟକଙ୍କ ପରି ସାଥୀଙ୍କ ମେଳରେ ସ୍ଥିର କରି ନେଲେ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେବେ । ଯୋଗ ଦେଲେ, ସୁଯୋଗକୁ ବନ୍ଧା ହୋଇ ଥାନାକୁ ଗଲେ । ମାମୁଁ ଅଧ୍ୟାପକ ଆର୍ତ୍ତ ବଲ୍ଲଭ ମହାନ୍ତି, ଅନ୍ୟାନ୍ୟ ହିତୈଷୀ ଗୁରୁଜନ କେହି ତାଙ୍କୁ ଅଟକାଇ ପାରିଲେ ନାହିଁ । ଯୋଗକୁ ମା’ ରମାଦେବୀଙ୍କ ହାବୁଡ଼ରେ ପଡ଼ିଲେ । ସେ ତାଙ୍କୁ ସମାଜର ସ୍ଵନାମଧନ୍ୟ ସଂପାଦକ ରାଧାନାଥ ରଥଙ୍କୁ ସମର୍ପି ଦେଇ କହିଲେ, “ନିଅନ୍ତୁ, ୟେ ବିନୋଦ, ଅଧାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଭଣଜା, ଭଲ ପାଠ ପଢ଼ୁଆ ପିଲା, କହୁଛି ଆନ୍ଦୋଳନରେ ମିଶିବ, କିନ୍ତୁ ପାଠ ଛାଡ଼ିବନି । ୟାକୁ ନେଇ କ’ଣ କରିହେବ ବିଚାର କରନ୍ତୁ ।’’ ରାଧାନାଥବାବୁ ତାଙ୍କୁ ବରିଷ୍ଠ ନିଷ୍ଠାପର କର୍ମୀ ଫକୀର ଦାସଙ୍କ ଗହଣରେ ଭାଷଣର ସାରାଂଶ ସଂଗ୍ରହ କରି ସମ୍ବାଦ ସଜାଡ଼ିବାରେ ଲଗାଇ ଦେଲେ । ଏ ଦାୟିତ୍ଵ ସେ ସୁରୁଖୁରୁରେ ତୁଲାଇ ସମସ୍ତଙ୍କ ପ୍ରିୟପାତ୍ର ହୋଇପଡ଼ିଲେ ।

 

ଆଉ ଏକ ସୁଯୋଗ ଆସିଲା ଗାନ୍ଧିଜୀଙ୍କ ଭଦ୍ରକ ପଦଯାତ୍ରା ବେଳେ । ଗାନ୍ଧିଜୀଙ୍କ ପଦଯାତ୍ରାରେ ରହି ତାଙ୍କ କାର୍ଯ୍ୟକ୍ରମର ସଂବାଦ ପରିବେଷଣ କଲେ ‘ସମାଜ’କୁ । ଗାଁ ଗହଳି ଲୋକଙ୍କ ମନକୁ ଛୁଇଁଲା ଭଳି ସରଳ ଓ ସରସ ଭାଷାରେ ଭାଷଣ ଦେଉଥିଲେ ଗାନ୍ଧିଜୀ । ସଙ୍ଗେ ସଙ୍ଗେ ସହକର୍ମୀମାନଙ୍କୁ ମଧ୍ୟ ତାଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ନାନା ଉପଦେଶ ଦେଉଥିଲେ । ଏ ସବୁ ଶୁଣି ଶୁଣି ବିନୋଦବାବୁ ତାଙ୍କ ଭବିଷ୍ୟତ ପନ୍ଥାର ଚିତ୍ର ଆଙ୍କିବାରେ ଲାଗିଥିଲେ । ଥରେ ମହାତ୍ମା କହିଲେ, “ତମ ଜୀବନରେ ଯଦି ଅନେକ କାର୍ଯ୍ୟ କରିବାର ସୁଯୋଗ ଆସେ, ତାହା ହେଲେ ଏଭଳି ଏକ କାର୍ଯ୍ୟ ବାଛ ଯାହା କଲେ ନିର୍ଯ୍ୟାତିତ ଅବହେଳିତ ଓ ସୁବିଧା ସୁଯୋଗରୁ ବଞ୍ଚିତ ଲୋକଙ୍କର କିଛି ଉପକାର ହୋଇପାରିବ ।’’ ଏହି ଉପଦେଶ ତାଙ୍କୁ ଦୈବବାଣୀ କରି ମନେହେଲା । ବର୍ତ୍ତମାନ ଗାଁ ଗହଳର ଅବହେଳିତଙ୍କ ପାଇଁ ସେ କିଛି କରିବେ ବୋଲି ଚିନ୍ତା କଲେ ।

 

ମା’ ରମାଦେବୀଙ୍କ ସହିତ ତାଙ୍କର ଆତ୍ମୀୟତା ଯଥେଷ୍ଟ ବଢ଼ିଯାଇଥିଲା । ଗାନ୍ଧୀଙ୍କ ପୁରୀରୁ ଭଦ୍ରକ ପଦଯାତ୍ରା ସମୟରେ ୧୯୩୪ ରେ ସେ ତାଙ୍କର ନିକଟତର ହୋଇ ତାଙ୍କ କାର୍ଯ୍ୟକଳାପରେ ମୁଗ୍ଧ ହୋଇପଡ଼ିଲେ । ୧୯୩୪ରୁ ୧୯୩୮ ପର୍ଯ୍ୟନ୍ତ ରମାଦେବୀଙ୍କ ବରୀ ଆଶ୍ରମରେ ରହି ସେ ଗାଁଲୋକଙ୍କର । ସେବା ଯତ୍ନକୁ ଜୀବନରେ ଆଦରି ନେଲେ । ତା’ପରେ ୧୯୪୫ ରୁ ୧୯୫୩ ପର୍ଯ୍ୟନ୍ତ ନିଜ ଗାଁ ମଲ୍ଲୀପୁରରେ ରହିଲେ । ସେଠାରେ କୃଷି, ଗୋପାଳନ, ମହୁଚାଷ, ବଗିଚା କାମରେ ପାରଙ୍ଗମ ହୋଇଉଠିଲେ । ଏବେ ତାଙ୍କର ହୃଦ୍‌ବୋଧ ହେଲା ସେ ଜୀବନରେ ସବୁକାର୍ଯ୍ୟ କରିପାରିବେ । ରାଧାନାଥ ରଥଙ୍କ ସହ ବ୍ରହ୍ମପୁର ଜେଲରେ ଦୁଇବର୍ଷ ଥିଲା ବେଳେ ସେ ଦିନକୁ ପ୍ରାୟ ୧୫ ଘଣ୍ଟା ପଢ଼ୁଥିଲେ । ଏବେ ପୁଣି ପାଠକୁ ଆଦରି ନେଇ ଲୋକଙ୍କ ଶିକ୍ଷା ପାଇଁ କିଛି ନ କରିବେ କାହିଁକି ? ମନ ବଳିଲା ଲୋକଙ୍କ ମଧ୍ୟରେ ଜ୍ଞାନର ପ୍ରସାର ପାଇଁ କିଛି କରିବେ । ପ୍ରେମ ଓ ସୌନ୍ଦର୍ଯ୍ୟକୁ ନେଇ ଓଡ଼ିଆ ଭାଷାରେ ଅତି ଉତ୍କୃଷ୍ଟ ଧରଣର କାବ୍ୟ କବିତା ଓ ଉପନ୍ୟାସ ସୃଷ୍ଟି ହୋଇଛି । ପ୍ରକୃତି ବର୍ଣ୍ଣନା ମଧ୍ୟ ଉଚ୍ଚକୋଟିର, ସାମାଜିକ ସମସ୍ୟା ଆଧାରିତ ଗଳ୍ପ ଉପନ୍ୟାସର ଅଭାବ ନାହିଁ । କିନ୍ତୁ ଜ୍ଞାନ ବିଜ୍ଞାନର ପ୍ରସାର ପାଇଁ ଓଡ଼ିଆ ଭାଷାରେ ବିଶେଷ କିଛି ହୋଇନାହିଁ । ଇଂରାଜୀ ପଢ଼ୁଆ ଲୋକଙ୍କ ପାଇଁ ବିରାଟ ବିରାଟ ଜ୍ଞାନକୋଷ ରହିଛି । ହିନ୍ଦୀ, ବଙ୍ଗଳା, ତେଲଗୁ, ତାମିଲ ପ୍ରଭୃତି ଭାରତୀୟ ଭାଷାରେ ଜ୍ଞାନକୋଷ ରଚନା ହେଲା । ଓଡ଼ିଶାର ସାଧାରଣ ଲୋକଙ୍କ ପାଇଁ ଓଡ଼ିଆରେ ଜ୍ଞାନକୋଷ ଲେଖା ହୋଇନାହିଁ । ତାଙ୍କର ଅବଶିଷ୍ଟ ଜୀବନ ସେ ଏହି ମହତ୍‌ କାର୍ଯ୍ୟରେ ବିତେଇ ଦେବେ ।

 

ଅର୍ଦ୍ଧାଧିକ ଜୀବନର ଅନୁଭୂତିରୁ ତାଙ୍କର ଦୃଢ଼ ବିଶ୍ଵାସ ହୋଇଥିଲା ଯେ ଭଲ କାର୍ଯ୍ୟଟିଏ ଆରମ୍ଭ କଲେ ଭଲରେ ଶେଷ ହୁଏ । ୧୯୫୪ ମସିହା ଜାନୁଆରୀ ପହିଲା ଦିନ ସେ କଟକ ଆସିଲେ ଓଡ଼ିଆରେ ଜ୍ଞାନକୋଷ ରଚନା କରିବେ । ହାତରେ ଥିଲା ମାତ୍ର ଓଡ଼ିଶାର ବିଶିଷ୍ଟ ଗୁଣୀ ଜ୍ଞାନୀ ବ୍ୟକ୍ତିଙ୍କ ସହ ଘନିଷ୍ଠ ପରିଚିତି । ୧୯୫୪ରୁ ୧୯୬୦ ଯାଏ ଅଧିକାଂଶ ଦିନ ତତ୍‌କାଳୀନ ରେଭେନ୍ସା କଲେଜର କନିକା ଲାଇବ୍ରେରୀକୁ ଆସି ବଡ଼ ବଡ଼ ପୁସ୍ତକମାନ ଖେଳାଇ ଆବଶ୍ୟକ ତଥ୍ୟ ସଂଗ୍ରହ କରନ୍ତି । ସେତେବେଳେ ତାଙ୍କ ପିଲା ବେଳ କଥା ମନେପଡ଼େ । କଲେଜର ପୂର୍ବ ଛାତ୍ରାବାସରେ ମାମୁଁ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ବସାରେ ରହୁଥାନ୍ତି । କନିକା ଲାଇବ୍ରେରୀକୁ ଆସି ବଡ଼ ବଡ଼ ବହିକୁ ଅନେଇଲେ । ଲାଇବ୍ରେରୀଆନ ଦାମୋଦର ମିଶ୍ର ତାଙ୍କୁ କହିଥିଲେ, ‘‘ସେ ବହିକୁ ଉଠେଇଲ, ଟେକି ପାରିବ ?’’ ଆଜି ତାଙ୍କ ମନରେ ଗର୍ବ ଆସେ ସେ ସେହି ବହିଗୁଡ଼ିକ ଉଠାଇ ପଢ଼ୁଛନ୍ତି ଓ ସେହିଭଳି ବହି ଓଡ଼ିଆରେ ଲେଖିବେ । ଏମିତି ଏକ ସ୍ଵପ୍ନ ତାଙ୍କୁ ବ୍ୟସ୍ତ ରଖିଲା-। ୧୯୫୪ରୁ ୧୯୬୨ ଯାଏ ତାଙ୍କ ପିଲାଏ ରହିଲେ ମଲ୍ଲୀପୁର ଗାଁରେ । ସେ ଏକୁଟିଆ କଟକରେ ରହି ପତ୍ର ପତ୍ରିକା ପୁସ୍ତକ ପଢ଼ିଲେ, ଦିନକୁ ୧୫ ଘଣ୍ଟା, ଜଣେ ଦି’ଜଣ ସାହାଯ୍ୟକାରୀଙ୍କୁ ନେଇ ଜ୍ଞାନକୋଷ ପାଇଁ ଅକ୍ଷର ଅନୁସାରେ ଫାଇଲ ସଜାଡ଼ିଲେ । ବ୍ରହ୍ମପୁର ଜେଲରେ ବନ୍ଦୀ ଥିଲା ବେଳେ ଦିନକୁ ବହି ପଢ଼ୁଥିଲେ ୧୫ ଘଣ୍ଟା । ଏବେ ମୁକ୍ତ ହେଲେ ବି ନିଜେ ନିଜକୁ ବନ୍ଦୀ କଲେ ପାଠପଢ଼ାରେ ୧୯୫୪ରୁ ଜ୍ଞାନକୋଷ ପାଇଁ । ସେ ପାଠ ଛାଡ଼ିଥିଲେ, କିନ୍ତୁ ପାଠ ତାଙ୍କୁ ଛାଡ଼ିଲା ନାହିଁ । ସାରା ଜୀବନ ବନ୍ଦୀ କରି ରଖିଲା !

 

୧୯୬୦ ନଭେମ୍ବର ମାସ । କଟକ ରାଜଭବନ (ଏବେ ଶିଶୁଭବନ ଡାକ୍ତରଖାନା)ର ଏକ ଉତ୍ସବରେ ବିନୋଦବାବୁଙ୍କ ସହ ତତ୍‌କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର ଭେଟ ହୋଇଗଲା । ଡକ୍ଟର ମହତାବ ତାଙ୍କୁ ପଚାରିଲେ, ‘‘କି ହୋ ବିନୋଦ, ତମକୁ ତ କେବେ ଦିନେ ଦେଖିନାହିଁ । କଅଣ କରୁଛ ?’’ ବିନୋଦବାବୁ କହିଲେ ‘‘ଓଡ଼ିଆ ଭାଷାରେ ଗୋଟିଏ ସେଟ ଏନ୍ସସାଇକ୍ଲୋପିଡ଼ିଆ ଲେଖିବି ବୋଲି ଗଲା ସାତ ବର୍ଷ ହେଲା ଦିନକୁ ସତର ଅଠର ଘଣ୍ଟା ପରିଶ୍ରମ କରୁଛି ।’’ ସେ ଟିକିଏ ବିସ୍ମିତ ହୋଇ ପଚାରିଲେ । ‘‘କଅଣ କହିଲ ? ଏନ୍ସାଇକ୍ଲୋପେଡ଼ିଆ ଲେଖିବ ? ଆମେ ସବୁ ଲାଗି ଲାଗି ତ ବିଶ୍ୱବିଦ୍ୟାଳୟ ତରଫରୁ ଏ ପର୍ଯ୍ୟନ୍ତ ପ୍ରକାଶ କରିପାରିଲୁ ନାହିଁ । ତମେ ଏକା କଅଣ ଲେଖିଦେବ ?’’ ନମ୍ରତାର ସହ ବିନୋଦବାବୁ ଉତ୍ତର ଦେଲେ, ‘‘ପ୍ରଥମ ଖଣ୍ଡିକ ଛପା ସରିଲାଣି । ଷାଠିଏ ଖଣ୍ଡରେ ଏହା ସମାପ୍ତ ହେବ । ଆପଣ ସେ ଖଣ୍ଡକ ଉଦ୍‌ଘାଟନ କଲେ ମୁଁ କୃତଜ୍ଞ ହେବି ।’’ ସେ ଆହୁରି ବିସ୍ମିତ ହୋଇ କହିଲେ, ‘‘ଉଦ୍‌ଘାଟନ କଲେ ତ ମୁଁ ଭାରୀ ଖୁସୀ ହେବି ।’’ ୧୯୬୦ ଡିସେମ୍ବର ୨ ତାରିଖରେ ସେ ଆସି ପ୍ରଥମ ଖଣ୍ଡ ଉଦ୍‌ଘାଟନ କଲେ । ୧୯୮୩ ରେ ଆଉଥରେ ବାରବାଟୀ ଷ୍ଟେଡିୟମ ଜ୍ଞାନମଣ୍ଡଳ ଅଫିସକୁ ଆସି ସେଠାରେ ସଜା ହୋଇଥବା ଫାଇଲଗୁଡ଼ିକୁ ଦେଖି ଡକ୍ଟର ମହତାବ କହି ପକାଇଲେ, ‘‘ଏତ ଗୋଟିଏ ସଂଗ୍ରହାଳୟ, ପ୍ରତ୍ୟେକ ଫାଇଲ ଗୋଟିଏ ଗୋଟିଏ ବହି ହୋଇପାରେ’’ । ବିନୋଦବାବୁ ତାଙ୍କ ଆତ୍ମଜୀବନୀ ‘ୠଣ ପରିଶୋଧ’ର ପ୍ରଥମ ଖଣ୍ଡରେ ଏସବୁ ଲେଖିଛନ୍ତି ।

 

ଏବେ ବି ଭୁବନେଶ୍ୱରସ୍ଥ ଜ୍ଞାନମଣ୍ଡଳ ଫାଉଣ୍ଡେସନ ଅଫିସରେ ତାଙ୍କ ପ୍ରସ୍ତୁତ ଫାଇଲଗୁଡ଼ିକ ଅକ୍ଷର କ୍ରମରେ ସଜା ହୋଇ ରହିଛି । ତାଙ୍କ ଜୀବିତାବସ୍ଥାରେ ପ୍ରାୟ ଚାଳିଶ ଖଣ୍ଡ ଜ୍ଞାନମଣ୍ଡଳ ଛପା ହୋଇଛି । ତାଙ୍କର ପରିକଳ୍ପିତ ଷାଠିଏ ଖଣ୍ଡ ସଂପୂର୍ଣ୍ଣ ହୋଇ ପାରିନାହିଁ । ବୋଧହୁଏ ବିନୋଦବାବୁ ତାଙ୍କ ଜୀବଦ୍ଦଶାରେ ଏହାହିଁ ଆଶଙ୍କା କରି ୩୬୫ ଦିନ ପାଇଁ ଛୋଟ ଛୋଟ ଶିଶୁସାହିତ୍ୟ ବହି ଛପାଇବା ଆରମ୍ଭ କରି ଦେଇଥିଲେ । ଆକର୍ଷଣୀୟ ଶିରୋନାମାରେ ଲେଖିଥିବା ତିନି ଖଣ୍ଡ କାଉଁରୀ ହାଡ଼, ଚଳନ୍ତା ରାଇଜର ଅମୁହା ନଈ, ଜୀବନ ତିଆରି କାରଖାନା, ଏଣିକି ତୁ ଦୁନିଆ ଜିତିବୁ, ଏଣିକି ମୁଁ ମଣିଷ ଗଢ଼ିବି, ସେ ବୁଲି କେଭେଁ ଲିଭିବ ନାହିଁ, ମା ବୋଲ ସିଏ ମାନିଲା ନାହିଁ, ଅଳ୍ପକେ କଳି ତୁଟି ଗଲା ଇତ୍ୟାଦି ପୁସ୍ତକଗୁଡ଼ିକ ଶିଶୁ ସାହିତ୍ୟର ଅମୂଲ୍ୟ ସଂପଦ ହୋଇ ରହିବ । ତାଙ୍କ ଫାଇଲଗୁଡ଼ିକର ତଥ୍ୟଗୁଡ଼ିକୁ ଯଥା ସମ୍ଭବ ପରିମାର୍ଜିତ ଓ ସଂକ୍ଷିପ୍ତ କରି ତାଙ୍କର ସୁଯୋଗ୍ୟ ଦାୟାଦମାନେ ଆର୍ଥକ ଦୃଷ୍ଟିରୁ ଆଧୁନିକ ରୂପ ଦେଇ ବିଭିନ୍ନ ଶିରୋନାମାରେ ପ୍ରକାଶ କରିବାରେ ଲାଗିଛନ୍ତି ।

 

୧୯୯୦ ଜୁନ୍‌ ୨୨ ତାରିଖ ଦିନ କଟକର ସତୀଚଉରାଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜ୍ଞାନମଣ୍ଡଳ ପ୍ରତିଷ୍ଠାତା ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋଙ୍କୁ ଶେଷ ସମ୍ମାନ ଜଣାଇ ତାଙ୍କ ମରଶରୀରକୁ ଚିତାନଳରେ ଭସ୍ମୀଭୂତ କଲାବେଳେ ସମବେତ ଜନତା ଭାବବିହ୍ୱଳ ହୋଇ ଆକାଶ କମ୍ପାଇ ଦେଇଥିଲେ -‘‘ବିନୋଦ କାନୁନ୍‌ଗୋ ଅମର ରହେ, ଜ୍ଞାନମଣ୍ଡଳ ଅମର ରହେ ।’’ଆଜି ତାଙ୍କ ଜନୁ ଶତବାର୍ଷିକୀ ଉତ୍ସବ ପାଳନ ବେଳେ ପ୍ରଶ୍ନ ଉଠେ ସତେ କ’ଣ ଜ୍ଞାନମଣ୍ଡଳ ସଂପୂର୍ଣ୍ଣ ହୋଇ ଅମର ହେବ ? ଓଡ଼ିଆ ଭାଷାରେ ଏକ ସମୃଦ୍ଧ ଜ୍ଞାନକୋଷ ଆବଶ୍ୟକ । ଯେତେ ଇଣ୍ଟର୍ନେଟ ଥିଲେ ବି ଓଡ଼ିଆଭାଷୀ ସର୍ବସାଧାରଣଙ୍କର ଏହା ଆତ୍ମଗର୍ବର ସନ୍ତକ । ଉତ୍କଳ ବିଶ୍ଵବିଦ୍ୟାଳୟ ୧୯୪୯ରୁ ଚେଷ୍ଟା କରି ଚାରି ଖଣ୍ଡ ସଂକ୍ଷିପ୍ତ ଜ୍ଞାନକୋଷ ୧୯୬୫ ନଭେମ୍ବର ୧ ରେ ପ୍ରକାଶ କରିଥିଲା । ତାହା ଏବେ ଦୁଷ୍ପାପ୍ୟ । ଏବେ ଓଡ଼ିଆରେ ୧୦/୧୧ଟି ବିଶ୍ୱବିଦ୍ୟାଳୟ । ସାତ ପୁଅର ମାଆ କ'ଣ ସତେ ଗଙ୍ଗା ପାଇବ ?

 

ସାମଲ ନିବାସ, ଯୋବ୍ରା, କଟକ-୩

 

***

 

Unknown

ଓଡ଼ିଆ ଭାଷା ସାହିତ୍ୟରେ ବିଜ୍ଞାନ ଓ ବିନୋଦ କାନୁନ୍‌ଗୋ

ଅରବିନ୍ଦ ପଟ୍ଟନାୟକ

 

ବିନୋଦ କାନୁନଗୋ (୧୯୧୨-୧୯୯୦) ଲେଖିଥିଲେ - ‘‘ମାନସିକ, ସାମାଜିକ, ବୌଦ୍ଧିକ ସବୁ କ୍ଷେତ୍ରରେ ବିଜ୍ଞାନ ସୃଷ୍ଟି କରିଦେଉଛି ଗୋଟିଏ ସ୍ଵତନ୍ତ୍ର ଦୃଷ୍ଟିକୋଣ ।’’ ଏହି ବୈଜ୍ଞାନିକ ଦୃଷ୍ଟିକୋଣ କଣ ବୁଝାଇବାକୁ ଯାଇ ସେ ଗ୍ରୀକ୍‌ ବୈଦ୍ୟ ଗୋଲନଙ୍କର ଦୃଷ୍ଟାନ୍ତ ଦେଇଥିଲେ । ଦିନେ ଗୋଲନ ବୁଲିଯାଉଛନ୍ତି, ଦେଖିଲେ ଗୋଟିଏ ଗଛ ତଳେ ମଣିଷର ଶବଟିଏ ପଡ଼ିଛି । କାଉ, ଶାଗୁଣା, ତାର ଚର୍ବି ମାଂସ ଖାଇଦେଇ କଙ୍କାଳଟିକୁ ପରିଷ୍କାର କରି ଛାଡ଼ି ଦେଇ ଯାଇଛନ୍ତି । ସେହି ବାଟେ ଯେଉଁମାନେ ଯାଇଥିବେ ସେମାନେ ବି ଏହି କଙ୍କାଳଟିକୁ ଦେଖିଥିବେ । ଯେଉଁମାନଙ୍କ ଦୃଷ୍ଟିରେ ଶବଟି ଘୃଣ୍ୟ, ଅସୃଶ୍ୟ ତାହା ପୋଡ଼ା ଅବା ପୋତା ହେବା କଥା, ସେମାନେ ସମସ୍ତେ ବାଟ ଭାଙ୍ଗି ଚାଲି ଯାଇଛନ୍ତି । ଗୋଲନ କିନ୍ତୁ ସେପରି ଗଲେ ନାହିଁ । ସେ ସେହି କଙ୍କାଳ ପାଖରେ ଆସି ଦଣ୍ଡେ ଛିଡ଼ା ହେଲେ । ଲକ୍ଷ୍ୟ କଲେ ମଣିଷ ଦେହରେ ହାଡ଼ଗୁଡ଼ିକ କିପରି ଚମତ୍କାର ଭାବରେ ଖଞ୍ଜା ଯାଇଅଛି । ସେ ସେହି କଙ୍କାଳଟିକୁ ତାଙ୍କ ଘରକୁ ନେଲେ । ମାନବ ଶରୀରର ଗଠନ ବିଷୟରେ ଅନୁଧ୍ୟାନ କଲେ, ଟିକି ନିଖି ଜାଣିବାକୁ ଚେଷ୍ଟା କଲେ । ଏହି ହେଲା ବୈଜ୍ଞାନିକ ଦୃଷ୍ଟିକୋଣ । ମଣିଷର ଏହି ଦୃଷ୍ଟିକୋଣ, ତାର ସଭ୍ୟତା, ଅନ୍ୟ ଭାଷାରେ କହିଲେ ମାନବ ଜାତିର ଇତିହାସକୁ ଯେଉଁ ମୋଡ଼ ଦେଇଛି, ତା ସହିତ ପରିଚିତ ହେବା ଓ ସେଥିରେ ଅନ୍ୟମାନଙ୍କୁ ପରିଚିତ କରାଇ ଦେବାରେ ବୈଜ୍ଞାନିକ ସାହିତ୍ୟର ଭୂମିକା ପ୍ରଶଂସନୀୟ ।

 

ବୈଜ୍ଞାନିକ ଦୃଷ୍ଟିକୋଣ ବିଷୟରେ ପାଠକମାନଙ୍କ ମନରେ ସ୍ପଷ୍ଟ ଧାରଣା ସୃଷ୍ଟି କରିବା ଏବଂ ସେଥିପ୍ରତି ସଂଶୟ ଓ ଦ୍ୱନ୍ଦ୍ରକୁ ମୋଚନ କରିବାରେ ମଧ୍ୟ ତାର ଭୂମିକା ଥାଏ । ଯେପରିକି, ବିଜ୍ଞାନ ସହିତ ଧର୍ମ ବା ଆଧ୍ୟାମ୍ମିକତାର ସମ୍ପର୍କ କଣ ଓ କେତେ ତାହା ଜଣେ ବୁଝିଯିବ ଯେତେବେଳେ ସେ ଜାଣିବ ଯେ ଉଭୟଙ୍କର ଲକ୍ଷ୍ୟ ହେଲା ସତ୍ୟର ଅନୁସନ୍ଧାନ । ବିଜ୍ଞାନୀ ଯାହା ସବୁ ଦେଖେ ସେ ସବୁ କିପରି ସୃଷ୍ଟି ହୋଇଛି, କେଉଁ ଉପାଦାନରେ ସୃଷ୍ଟି ହୋଇଛି, କେଉଁ ଉଦ୍ଦେଶ୍ୟରେ ପ୍ରକୃତି ସେ ସବୁ ସୃଷ୍ଟି କରିଛି ତାହା ଜାଣିବା ପାଇଁ ତତ୍ପର ହୁଏ । ଏହି ଦିଗରେ ଅନୁସନ୍ଧାନ କରିବା, ଏହି ସମ୍ପର୍କରେ ଉଠୁଥିବା ପ୍ରଶ୍ନର ଉତ୍ତର ଖୋଜିବାରେ ସେ ମଗ୍ନ ରହେ । ଅକାଟ୍ୟ ପ୍ରମାଣ ନ ପାଇଲା ଯାଏ ସେ କୌଣସି ଉତ୍ତରକୁ ସତ୍ୟ ଭାବରେ ଗ୍ରହଣ କରିପାରେ ନାହିଁ । ଏହି ମନୋଭାବ ହିଁ ଆମକୁ ମାଟି ଓ ଉଦ୍ଭିଦ ଜଗତର ସଂପକ ବିଷୟରେ ଦେଇଛି କୃଷି- ବିଜ୍ଞାନ । ‘ସର୍ବେ ଭବନ୍ତୁ ସୁଖୀନଃ’ କାମନା କଲାବେଳେ ଏହି କାମନାର ପୂରଣରେ କୃଷି- ବିଜ୍ଞାନର ଅବଦାନ କେତେ ? ଏହି ପ୍ରଶ୍ନଟିର ଉତ୍ତର ସହିତ ଜଣେ ବିଜ୍ଞାନୀ ଲେଖକ ଜାଣିଥାଏ ସାଧାରଣ ପାଠକର ମୃତ୍ତିକା ବିଜ୍ଞାନ, କୃଷି ବିଜ୍ଞାନ ବିଷୟରେ ଅବହିତ ହେବାର ଆବଶ୍ୟକତା କେତେ । ପୁଣି ସେହି ଜ୍ଞାନକୁ କାହା ପାଇଁ କେତେ ପରିମାଣରେ କେଉଁ ମାଧ୍ୟମରେ କିପରି ଭାବରେ ଭାଷାରେ ପରିବେଷଣ କରିବାକୁ ହେବ ତାହା ମଧ୍ୟ ତାକୁ ଜଣାଥାଏ । ସେହିପରି ‘ସର୍ବେ ସନ୍ତୁ ନିରାମୟା’ କାମନା କଲାବେଳେ ଏ ଦିଗରେ ଚିକିତ୍ସା ବିଜ୍ଞାନର ଭୂମିକା କଣ, ସେ ବିଷୟରେ ଜ୍ଞାନ କେଉଁ ପାଠକ ପାଇଁ କେତେ ପରିମାଣରେ କିପରି ଭାବରେ ଉପସ୍ଥାପିତ କରିବାକୁ ହେବ, ତାହା ଏହି ବିଷୟରେ ଲେଖିଥିବା ବିଜ୍ଞାନ ଲେଖକ ସ୍ଥିର କରିଥାଏ । ଏପରି ଦୃଷ୍ଟାନ୍ତକୁ ବଢ଼ା ଯାଇପାରେ । କିନ୍ତୁ ଏଠାରେ ସୂଚନା ପାଇଁ ଏତିକି ହିଁ ଯଥେଷ୍ଟ ।

 

ଆଧୁନିକ ବିଜ୍ଞାନର ସମସ୍ତ ଅବଦାନ ମନୁଷ୍ୟ ସମାଜ ପାଇଁ । ଏହା ସମାଜର କଲ୍ୟାଣରେ ଯେପରି ଉପଯୋଗ ହେବ ତାହା ସଭ୍ୟତାର ସମସ୍ୟା । ଏହାର ନାନା ଦିଗ ପ୍ରତି ପାଠକ ସମାଜକୁ ଅବହିତ କରାଇବାରେ ବିଜ୍ଞାନ ବିଷୟରେ ଲେଖିଥିବା ଲେଖକଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

 

ଗୋଟିଏ ଭାଷାରେ ବିଜ୍ଞାନ ବିଷୟକ ଲେଖା ଲେଖିବା ପାଇଁ ଜଣେ ଲେଖକଙ୍କର ଜ୍ଞାନ, ବୁଦ୍ଧି, ବିଚାର ସହିତ ଭାଷା ଜ୍ଞାନ ଓ ଭାଷା ବ୍ୟବହାର ଦକ୍ଷତାଉ ପ୍ରୟୋଜନୀୟତା ବିଷୟରେ କହିବା ନିଷ୍ପୟୋଜନ । ଏହା ବ୍ୟତୀତ କ’ଣ ବିଜ୍ଞାନ ବିଷୟକ ଲେଖା ଓ ବୈଜ୍ଞାନିକ ସାହିତ୍ୟ ସୃଷ୍ଟି କରିହେବ ? ଏଠାରେ ବିଜ୍ଞାନ ବିଷୟକ ଲେଖା ଓ ବୈଜ୍ଞାନିକ ସାହିତ୍ୟ ଭିତରେ ପାର୍ଥକ୍ୟ ସଂପର୍କରେ ସୂଚନା ଦେବା ବୋଧହୁଏ ପ୍ରାସଙ୍ଗିକ ହେବ । ବିଜ୍ଞାନର କୌଣସି ବିଷୟକୁ ସ୍ପଷ୍ଟ, ପ୍ରାଞ୍ଜଳ ଭାବରେ ବୁଝାଇ ଲେଖିଦେଲେ ବା ସେ ସଂପର୍କରେ ତଥ୍ୟକୁ ବ୍ୟବସ୍ଥିତ ଢଙ୍ଗରେ ପରିବେଷଣ କରିଦେଲେ ତାହା ହେବ ବିଜ୍ଞାନ ବିଷୟକ ଲେଖା । ଏଠାରେ ଭାଷା ହେଲା ଜ୍ଞାନ, ତଥ୍ୟ ଇତ୍ୟାଦି ପ୍ରକାଶର ମାଧ୍ୟମ । କିନ୍ତୁ ସାହିତ୍ୟ ଗୋଟିଏ କଳା । ତେଣୁ ସାହିତ୍ୟ ଲେଖିଲାବେଳେ ଭାଷା ହୁଏ- କଳାର ମାଧ୍ୟମ । ମାନବ ଶରୀରର ଅସ୍ଥି ଓ ମାଂସପେଶୀର ସଂପର୍କ ଓ ତାକୁ ଘେନି ମାନବ ଶରୀରର ଚଳନ କ୍ଷମତା ବିଷୟରେ ସମସ୍ତ ତଥ୍ୟର ବର୍ଣ୍ଣନା ସମ୍ବଳିତ ଲେଖାକୁ କୁହାଯାଇପାରେ ବିଜ୍ଞାନ ବିଷୟକ ଲେଖା । ବିନୋଦ କାନୁନଗୋ ‘ଜ୍ଞାନମଣ୍ଡଳ’ରେ ଅସ୍ଥି ସମ୍ପର୍କରେ ଲେଖିଛନ୍ତି, ମାଂସପେଶୀ ସଂପର୍କରେ ଲେଖିଛନ୍ତି, ପୁଣି ଅସ୍ଥି ଓ ମାଂସପେଶୀ ସଂପର୍କରେ ମଧ୍ୟ ଲେଖିଛନ୍ତି । ଏଗୁଡ଼ିକ ତାଙ୍କର ବିଜ୍ଞାନ ସଂପର୍କୀୟ ଲେଖା । କିନ୍ତୁ ‘ଏଣିକି ମୁଁ ଦୁନିଆ ଜିତିବି’, ‘ଦୁଇ ଶହ ଗାଡ଼ିକୁ ଛ’ଶହ ଇଞ୍ଜନ’ ଇତ୍ୟାଦି ଯେଉଁ ବହି ଲେଖିଛନ୍ତି ସେଗୁଡ଼ିକ ହେଲା ପିଲାମାନଙ୍କ ପାଇଁ ବିଜ୍ଞାନଭିତ୍ତିକ ଶିଶୁ ସାହିତ୍ୟ । ଏହାର ଭାଷା ଓ ଶୈଳୀରେ ଅଛି କଥା କହିବାର କଳା । ସେହିପରି ଜ୍ଞାନମଣ୍ଡଳରେ ‘ରକ୍ତ’ ବିଷୟରେ ମଧ୍ୟ ଗୋଟିଏ ଦୀର୍ଘ ଓ ସ୍ଵତନ୍ତ୍ର ପ୍ରବନ୍ଧ ଲେଖିଛନ୍ତି । ତାହା ବିଜ୍ଞାନ ବିଷୟକ ଲେଖା । ପୁଣି ଶରୀରର ରକ୍ତ ସଂଚାଳନ ବିଷୟରେ ପିଲାମାନଙ୍କ ପାଇଁ ବହିଟିଏ ଲେଖିଛନ୍ତି- ‘ଚଳନ୍ତା ରାଇଜର ଅମୁହା ନଈ’ । ଏ ଖଣ୍ଡିକ ସାହିତ୍ୟ ଓ ଶିଶୁ ସାହିତ୍ୟ । ବିଜ୍ଞାନର ଗୋଟିଏ ଗୋଟିଏ ବିଷୟକୁ ବାଛି ବିଜ୍ଞାନ ବିଷୟକ ତଥ୍ୟ ସମୃଦ୍ଧ ଲେଖାମାନ ସ୍ପଷ୍ଟ, ପ୍ରାଞ୍ଜଳ ଓ ସାଧାରଣ ପାଠକଙ୍କ ପାଇଁ ବୋଧଗମ୍ୟ ଶୈଳୀରେ ଲେଖିବାରେ ସେ ଯେପରି ଦକ୍ଷ ଥିଲେ, ସେହିପରି ପିଲାଙ୍କ ଲାଗି ଶିଶୁ ମନମୁଗ୍ନକର ବୈଜ୍ଞାନିକ ସାହିତ୍ୟ ସୃଷ୍ଟିରେ ମଧ୍ୟ ସେତିକି ଦକ୍ଷ ଥିଲେ ।

 

ଓଡ଼ିଆ ଭାଷା ଗୋଟିଏ ଆଧୁନିକ ଭାରତୀୟ ଭାଷା । ପ୍ରାଚୀନ ବା ମଧ୍ୟଯୁଗୀୟ ଭାରତୀୟ ଭାଷାଠାରୁ ଆଧୁନିକ ଭାରତୀୟ ଭାଷାର ଭୂମିକା ସ୍ଵତନ୍ତ୍ର । ଏଥିରେ ଆଧୁନିକ ଯୁଗୋପଯୋଗୀ ବା ଯୁଗର ଆବଶ୍ୟକତା ବା ଜ୍ଞାନର ବିଷ୍ଫୋରଣକୁ ଚାହିଁ ମାନବ ଜ୍ଞାନର ପ୍ରକାଶ ମାଧ୍ୟମ ହେବା ବା ଏହି ଜ୍ଞାନଗୁଡ଼ିକୁ ବିଭିନ୍ନ ସ୍ତରର ପାଠକଙ୍କ ନିକଟରେ ଆବଶ୍ୟକତା ଅନୁସାରେ ପହଞ୍ଚାଇଦେବାରେ ଏହି ଭାଷା ସକଳର ଦାୟିତ୍ୱ ଯେତିକି ଗୁରୁତ୍ଵପୂର୍ଣ୍ଣ ସେତିକି ଅପରିହାର୍ଯ୍ୟ । ଏଥି‌ପାଇଁ ସ୍ଵାଧୀନତା ପୂର୍ବରୁ ଯେଉଁ ଭାରତୀୟ ଭାଷାଗୁଡ଼ିକୁ ବାବିଙ୍ଗଟନ ମ୍ୟାକଲେଙ୍କ ଶିକ୍ଷା ନୀତିରେ ଭର୍ନାକୁଲାର (Vermacutar) ଭାବରେ ପଢ଼ାଯିବାର ବ୍ୟବସ୍ଥା ଥିଲା, ତାକୁ ସ୍ଵାଧୀନତା ପ୍ରାପ୍ତି ପରେ ଆଧୁନିକ ଭାରତୀୟ ଭାଷା । (Modern Indian Language ସଂକ୍ଷେପରେ MIL) ଭାବରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି । ଏଥିରେ ପରିଭାଷା ପ୍ରସ୍ତୁତି, ନୂତନ ଓ ପୁରାତନ ଶବ୍ଦକୁ ଆଧୁନିକ ଅର୍ଥରେ ବ୍ୟବହାର କରିବା, ମାନବ ଜ୍ଞାନର ବିଭିନ୍ନ ବିଭାଗ ଉପରେ ପୁସ୍ତକ ରଚନା ଲାଗି ଉତ୍ସାହିତ କରାଯାଉଛି । ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ଦିଗରେ ବିନୋଦ କାନୁନ୍‌ଗୋଙ୍କର ଭୂମିକା ସଂପର୍କରେ ଓଡ଼ିଶାର ସଚେତନ ଭାଷାପ୍ରେମୀମାନେ ଅଳ୍ପ ବହୁତେ ଜାଣନ୍ତି । ତାଙ୍କର ଜ୍ଞାନମଣ୍ଡଳ ଗ୍ରନ୍ଥମାଳା ଓ ଶିଶୁ ଜ୍ଞାନମଣ୍ଡଳର ଛୋଟବଡ଼ ପ୍ରବନ୍ଧଗୁଡ଼ିକରୁ ଭାଷା ବ୍ୟବହାର ଓ ଭାଷାକୁ ସମୃଦ୍ଧ କରିବାରେ ତାଙ୍କର ଦକ୍ଷତା ଲକ୍ଷ୍ୟ କରାଯାଏ ।

 

ସେ ତାଙ୍କର ଜୀବନ କାଳରେ ଜ୍ଞାନମଣ୍ଡଳର ଚାଳିଶଟି ଭଲ୍ୟୁମ ଲେଖିଯାଇଛନ୍ତି । ଏଥିରୁ କେହି ଭାବିବା ଉଚିତ୍‌ ନୁହେଁ ଯେ ସେ ‘ଅ’ ଠାରୁ ‘କ୍ଷ’ ଯାଏ ଲେଖିନାହାଁନ୍ତି । ସେ ‘ଅ’ ରେ ଅଥର୍ବ ବେଦ, ଅସ୍ଥି, ଅକ୍ଷର ଅଗର ଅଗରଠାରୁ ରକ୍ତ, ହିମାଳୟ, ହୃତପିଣ୍ଡ ଇତ୍ୟାଦି ବିଷୟରେ ଲେଖିଛନ୍ତି-। ପିଲାଙ୍କ ପାଇଁ ଲେଖିଥିବା ଶିଶୁଜ୍ଞାନମଣ୍ଡଳରେ ସେ ଜୀବକୋଷ ବିଷୟରେ ଯାହା ଲେଖିଛନ୍ତି ସେଥିରୁ ଗୋଟିଏ ଉଦ୍ଧୃତି ଲକ୍ଷ୍ୟ କରନ୍ତୁ-

 

ମଣିଷ ଯେତେବେଳେ ଅଣୁବୀକ୍ଷଣ ଯନ୍ତ୍ର ବାହାର କରିଦେଲା, ସେତେବେଳେ ତା ପକ୍ଷରେ ଖାଲି ଆଖିକୁ ଦେଖା ଯାଉ ନଥିବା ପୃଥିବୀର ଅତି କ୍ଷୁଦ୍ର କ୍ଷୁଦ୍ର ଜିନିଷ ଦେଖିବା ସମ୍ଭବ ହୋଇ ପାରିଲା । ଏହି ଯନ୍ତ୍ର ସାହାଯ୍ୟରେ ସପ୍ତଦଶ ଶତାବ୍ଦୀରେ ରବର୍ଟ ହୁକ୍‌ ନାମକ ଜଣେ ଇଂରେଜ ବୈଜ୍ଞାନିକ ଗଛର ଛେଲିକୁ ପରୀକ୍ଷା କରି କହିଲେ ଯେ ଗଛର ଦେହ ଛୋଟ ଛୋଟ ସେଲ ବା କୋଠରୀ ଦ୍ଵାରା ଗଠିତ । ସେ ଏହାର ନାମ ଦେଲେ - ‘ଜୀବକୋଷ’ । ପୃଥିବୀରେ ଆମିବା ପରି ଏକକୋଷୀ ପ୍ରାଣୀଠାରୁ ଆରମ୍ଭ କରି ହାତୀ ପରି ବହୁକୋଷୀ ପ୍ରାଣୀ ଅଛନ୍ତି । ଏହି କୋଷଗୁଡ଼ିକୁ ଜୀବକୋଷ କହିବାର ଅର୍ଥ ହେଲା - ଏହାର ଜୀବନ ଅଛି । ଏହି ଜୀବକୋଷମାନଙ୍କଦ୍ୱାରା ସମସ୍ତ ପ୍ରାଣୀ ଏବଂ ଉଦ୍ଭିଦମାନଙ୍କର ଶରୀର ବୃଦ୍ଧି ବଂଶ ବୃଦ୍ଧି ଇତ୍ୟାଦି ହୋଇଥାଏ । ବିଭିନ୍ନ ପ୍ରକାରର ଜୀବନ୍ତ ପଦାର୍ଥରେ ଏହି କୋଷ ତିଆରି । ପ୍ରାଣୀମାନଙ୍କ ଦେହରେ ଅହରହ ଜୀବକୋଷର ବିଭାଜନ ଘଟୁଛି । କେତେକ ନଷ୍ଟ ହୋଇଯାଉଥିବା ବେଳେ ଅନ୍ୟ କେତେକ ନୂଆ କରି ସୃଷ୍ଟି ହେଉଛନ୍ତି ।’

 

ଏହି ଗୋଟିଏ ମାତ୍ର ଦୃଷ୍ଟାନ୍ତରୁ ଲକ୍ଷ୍ୟ କରନ୍ତୁ ସେ କିପରି ଜୀବକୋଷ ପରି ଜଟିଳ ବିଷୟକୁ ପିଲାମାନଙ୍କ ପାଇଁ ବୁଝାଇ ଲେଖିଛନ୍ତି । ସେହିପରି ଜ୍ଞାନମଣ୍ଡଳରେ ମଧ୍ୟ ବଡ଼ମାନଙ୍କ ପାଇଁ ମାନବ ଜ୍ଞାନର ବିଭିନ୍ନ ବିଷୟରେ ଲେଖିଛନ୍ତି । ଆମେ ଏଠାରେ ସେ ବିଷୟରେ ଆଲୋଚନା ନ କରି ଓଡ଼ିଆ ଭାଷାକୁ ଗୋଟିଏ ଆଧୁନିକ ଭାଷାରେ ସମୃଦ୍ଧ କରିବା ଲାଗି ତାଙ୍କର କିପରି ବୈଜ୍ଞାନିକ ଦୃଷ୍ଟି କୋଣ ଥିଲା ଏବଂ ତା ସହିତ ବ୍ୟାକୁଳତା ବି ଥିଲା ତାହା ଆଲୋଚନା କରିବା ।

 

ବୈଜ୍ଞାନିକ ଦୃଷ୍ଟିକୋଣଟି କ’ଣ ତାହା ଏହି ପ୍ରବନ୍ଧର ଆରମ୍ଭରେ କୁହାଯାଇଛି । ପୁଣି ବିଜ୍ଞାନ ବିଷୟକ ଓ ବିଜ୍ଞାନ ସାହିତ୍ୟର ଲେଖକମାନଙ୍କର ଆବଶ୍ୟକତା ଦକ୍ଷତା ସଂପର୍କରେ ମଧ୍ୟ ଉପରେ ଆଲୋଚନା କରାଯାଇଛି । ଏଠାରେ ଜଣେ ବିଜ୍ଞାନ ସାହିତ୍ୟ ଲେଖକଙ୍କର ନିଜର ମାତୃଭାଷାକୁ ଆଧୁନିକ ଭାରତୀୟ ଭାଷା ଦୃଷ୍ଟିରୁ ସମୃଦ୍ଧ କରିବା ଲାଗି କି ପ୍ରକାର ବ୍ୟାକୁଳତା ଓ ଉଦ୍ୟମ ଥଲା ତାହା ଲକ୍ଷ୍ୟ କରନ୍ତୁ ।

 

‘‘ଆମ ଓଡ଼ିଆ ଭାଷାରେ ଅମୂଲ୍ୟ ସଂପଦ ରହିଛି । ଏହା ଏକ ଅତି ଶକ୍ତିଶାଳୀ ଭାଷା-ଏହିଭଳି କହିଦେଲେ ଆମର ହୁଏତ ଆମ୍ମସନ୍ତୋଷ ହେବ । କିନ୍ତୁ ବାସ୍ତବତାଠାରୁ ତାହା ନିଶ୍ଚିତ ଭାବରେ ବହୁ ଦୂରରେ । ସେହି ଆତ୍ମସନ୍ତୋଷ ଆତ୍ମପ୍ରତାରଣାର ରୂପ ଅତି ବିପଜ୍ଜନକ ଭାବରେ ନିଏ । ଧର୍ମ, ପ୍ରେମ, ଉପରେ ଯେତେ ପ୍ରକାରେ ଯାହା ଲେଖିଲେ ମଧ୍ୟ ତାହା ମାନବଜ୍ଞାନର ମାତ୍ର ଗୋଟିଏ ଗୋଟିଏ ଦିଗ । ଦୁନିଆ ଆଗେଇ ଯାଉଛି, ନୂତନ ରୂପରେ ଜ୍ଞାନ ପ୍ରକାଶ ପାଉଛି, ପଚାଶ ବର୍ଷ ପୂର୍ବେ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିବା ଜଣେ ବିଦ୍ୱାନ ଆଜିର ଅର୍ଥନୀତି ପୁସ୍ତକଗୁଡ଼ିକୁ ଏଭଳି ନୂଆ ରୂପରେ ଦେଖିଛନ୍ତି ଯେ ବିଚାରୁଛନ୍ତି ସେମାନେ ସତେ ଯେପରି ଅଙ୍କ ଶାସ୍ତ୍ର ବା ବିଜ୍ଞାନର ବହି ପଢ଼ୁଛନ୍ତି । ଯେଉଁମାନେ ଭାଷା ବିଷୟରେ ଯଥେଷ୍ଟ ଜାଣିଛନ୍ତି ବୋଲି ବିଚାରୁଥିଲେ ସେମାନେ ଆଜିର ଭାଷାବିଜ୍ଞାନ ବା ଲିଙ୍ଗୁଇଷ୍ଟିକ ବହି ସବୁ ପଢ଼ିଲେ ନିଜର ଭାଷାଜ୍ଞାନର ସୀମା ବିଷୟରେ ସଚେତନ ହୋଇଉଠୁଛନ୍ତି । ପଦାର୍ଥ ବିଦ୍ୟା (ଫିଜିକସ୍‌) ଓ ଦର୍ଶନ (ଫିଲୋସଫି) ସତେ ଯେପରି କି ଏକା ଭାଷା ହିଁ କହୁଛନ୍ତି । ବହୁ ଉନ୍ନତ ଭାଷା ନିଜର ସାମର୍ଥ୍ୟ ବଢ଼ାଇବା ପାଇଁ ସତତ ଚେଷ୍ଠିତ । ସେମାନଙ୍କ ପକ୍ଷରେ ଯେଉଁଟା ଅପେକ୍ଷାକୃତ ସହଜ ସେଇଟା ଆମ ପକ୍ଷରେ କଷ୍ଟ । ତିନି ଦଶନ୍ଧି ପୂର୍ବେ ଏ ଦିଗରେ ମୋର ଯେଉଁ ଚିନ୍ତା ଥିଲା ଆଜି ମଧ୍ୟ ରହିଛି ୧୯୮୭ରେ । ଗଲା ତିନି ବର୍ଷ ଭିତରେ ମୋତେ ଯିଏ ଯେତେ ପ୍ରକାରେ ପଚାରୁଛନ୍ତି ମୁଁ ପ୍ରକୃତରେ କ’ଣ କରୁଛି ଜାଣିବା ପାଇଁ, ସେମାନଙ୍କୁ ଗୋଟିଏ ମାତ୍ର ଉତ୍ତର ଦେଉଛି - ଓଡ଼ିଆ ଭାଷା ଭିତରେ ସାମର୍ଥ୍ୟ ଭରିବା ପାଇଁ କ୍ଷୀଣ ଉଦ୍ୟମ କରୁଛି । ଅନ୍ୟମାନେ ଯେ ନ କରୁଛନ୍ତି ତାହା ନୁହେଁ-କିନ୍ତୁ ସେମାନଙ୍କର ଉଦ୍ୟମ ବିଖଣ୍ଡିତ ଭାବରେ ହେଉଥିବା ବେଳେ ମୋ ଉଦ୍ୟମ ଯେତେ କ୍ଷୀଣ ହେଉ ପଛକେ ସାମୂହିକ ଭାବରେ ହେଉଛି । ମୋ କଥାଟିକୁ ଆହୁରି ଟିକିଏ ଭଲ ଭାବରେ ବୁଝାଇ ଦେବାକୁ ଯାଇ କୁହେ-ଦେଖନ୍ତୁ ଜ୍ଞାନମଣ୍ଡଳରେ ହୃତପିଣ୍ଡ ଓ ରକ୍ତ ଉପରେ ଲେଖାଯାଇଛି ଅଠାଇଶ ହଜାର ଶବ୍ଦର ଦୁଇଟି ପ୍ରବନ୍ଧ । ସତୁରୀ ପୃଷ୍ଠାରେ ଏହି ପ୍ରବନ୍ଧ ଦୁଇଟିରେ ଗୋଟିଏ ହେଲେ ଭୁଲ ତଥ୍ୟ ନାହିଁ । ଡାକ୍ତରୀ ବହିରେ ଏ ବିଷୟରେ ଯେତେଯେତେ ବୈଜ୍ଞାନିକ ତଥ୍ୟ ରହିଛି ସେଥିରୁ କୌଣସିଟିକୁ ବାଦ ଦିଆଯାଇନାହିଁ । ଯେଉଁ ଶବ୍ଦଗୁଡ଼ିକ ଡାକ୍ତରଙ୍କ ପାଠ-ତେଣୁ ସାଧାରଣ ଲୋକ ବୁଝିପାରେବେ ନାହିଁ ବୋଲି କୁହାଯାଉଥିଲା ସେଇ ଶବ୍ଦଗୁଡ଼ିକର ଓଡ଼ିଆ ପ୍ରତିଶବ୍ଦ ଦିଆ ଯିବା ସଙ୍ଗେ ସଙ୍ଗେ ମୂଳଶବ୍ଦର ପ୍ରକୃତ ଅର୍ଥ କଣ ତାହା ମଧ୍ୟ ବୁଝାଇ ଦିଆଯାଇଅଛି । ଯେଉଁମାନେ କୌଣସି ଡାକ୍ତରୀ ବହି ପଢ଼ି ନ ଥିଲେ ସେମାନେ ଏହି ଦୁଇଟିକୁ ଭଲ ଭାବରେ ବୁଝିଯାଉଛନ୍ତି । କେତେକ ଉଚ୍ଚ ଶିକ୍ଷିତ ଆମ ବିଜ୍ଞାନୀ ପାଠକ ସ୍ପଷ୍ଟ ଭାଷାରେ କହୁଛନ୍ତି-ଆମେ ଓଡ଼ିଆରେ ଏତକ ପଢ଼ିଦେଲା ପରେ ଫିଜିଓଲୋଜି, ଆପ୍ଳାଏଡ୍‌ ଫିଜିଓଲୋଜି ଓ ପାଥୋଲୋଜି ପୁସ୍ତକଗୁଡ଼ିକୁ ଓଡ଼ିଆ ଭାଷାରେ ସହଜରେ ଲେଖିଦେଇ ହେବ ବା ଅନୁବାଦ କରିଦେଇ ହେବ । ମାତ୍ର ତିନି ହଜାର ଡାକ୍ତରୀ ଶବ୍ଦକୁ ବୁଝାଇ ଇଂରାଜୀ ଓଡ଼ିଆ ଅଭିଧାନ ପ୍ରଣୟନ କରିଦେଲେ ବହୁ ଲୋକ ଡାକ୍ତରୀ ବହିଗୁଡ଼ିକୁ ଓଡ଼ିଆ କରିଦେଇପାରିବେ । ଏହାରି ଅର୍ଥ ହେଲା ଓଡ଼ିଆ ଭାଷା ଭିତରେ କ୍ରମେ ସାମର୍ଥ୍ୟ ଭରିଯାଇଛି ।’’

 

ଏହି ଉଦ୍ଧୃତିଟି ଲେଖକ ବିନୋଦ କାନୁନଗୋଙ୍କ ଆତ୍ମଜୀବନୀ ‘ପାଠ ପଛେ ପଛେ ଅପାଠୁଆ’ ପୁସ୍ତକରୁ ନିଆଯାଇଛି । ପୁସ୍ତକଟିର ଏହି ଅଂଶ ଓ ଏହାର ପାଖାପାଖି ଅଂଶରେ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ତାଙ୍କର ଯୋଜନା ସଂପର୍କରେ ସେ ଯାହା ଯାହା ଲେଖିଛନ୍ତି ତାହା ପଢ଼ିଲେ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ କିପରି ବ୍ୟବସ୍ଥିତ ଢଙ୍ଗରେ ଚିନ୍ତା କରୁଥିଲେ ଓ ସେଥିପାଇଁ ତାଙ୍କର କେତେ ବ୍ୟାକୁଳତା ଥିଲା ଜଣେ ସହୃଦୟ ପାଠକ ଅନୁଭବ କରିପାରିବ । ଓଡ଼ିଆରେ ବିଜ୍ଞାନ ବିଷୟରେ ଲେଖା ଓ ପିଲାମାନଙ୍କ ପାଇଁ ବିଜ୍ଞାନଭିତ୍ତିକ ସାହିତ୍ୟ ଲେଖିବାରେ ତାଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଓ ଅନୁସରଣୀୟ ।

 

 

ଏ-୧୧, ଲର୍ଡ଼ ଗୁଂଜନ ଆପାର୍ଟମେଣ୍ଟ

ବମିଖାଲ, ଭୁବନେଶ୍ୱର

 

 

***

 

ବିଦ୍ୟାବିନୋଦୀ ବିନୋଦବାବୁ ...

ବାସୁଦେବ କର

 

ଓଡ଼ିଶା ମାଟିର ଜଣେ ଚିରସ୍ମରଣୀୟ ବରପୁତ୍ର ଦିବଂଗତ ବିନୋଦ କାନୁନ୍‌ଗୋଙ୍କର ଜନ୍ମ ଶତବାର୍ଷିକୀ ପୂର୍ତ୍ତି ୨୦୧୨ ମସିହାରେ ପାଳିତ ହେଉଛି । ଏ ଅବସରରେ ସାରା ରାଜ୍ୟରେ ଉଚ୍ଚଶିକ୍ଷିତ, ଅଳ୍ପଶିକ୍ଷିତ, ଅଶିକ୍ଷିତ ନିର୍ବିଶେଷରେ ସର୍ବସାଧାରଣ ଲୋକେ ନିଶ୍ଚିତ ଭାବେ ତାଙ୍କୁ ମନେ ପକାଇଥିବେ, କାରଣ ତାଙ୍କର ମାତୃଭାଷାପ୍ରେମ, ସମାଜପ୍ରେମ, ଦେଶପ୍ରେମ, ଜ୍ଞାନବିଜ୍ଞାନ ପ୍ରେମ ସର୍ବୋପରି ‘ଅପାଠୁଆ’ଙ୍କୁ କିଛି ପରିମାଣରେ ‘ପାଠୁଆ’ କରାଇବା ପାଇଁ ସେ ଯେପରି ନିରଳସ ଓ ନିୟତ ପ୍ରଚେଷ୍ଟା ଷାଠିଏ ବର୍ଷାବଧି ଚଳାଇ ରଖିଥିଲେ, ତା’ର ପଟାନ୍ତର ନାହିଁ । ତାଙ୍କ ଜୀବନୀ ଆଲେଖ୍ୟ ଆଧାରିତ ବହି ‘‘ପାଠ ପଛେ ପଛେ ଅପାଠୁଆ’’ ଓ ‘‘ୠଣ ପରିଶୋଧ’’ ପାଠ କଲାପରେ ଏ କଥା ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ । ଅନେକଙ୍କ ମତରେ ସାମୂହିକ ଭାବେ ଓଡ଼ିଆମାନଙ୍କ ‘ସ୍ଵାଭିମାନ ନେତ୍ର’ ଉନ୍ମୀଳନ ପାଇଁ ଉତ୍କଳ ଗୌରବ ମଧୁସୂଦନ ଓ ଉତ୍କଳମଣି ଗୋପବନ୍ଧୁ ଯେପରି ପ୍ରୟାସ କରିଥିଲେ ବିନୋଦ କାନୁନ୍‌ଗୋ ସେଇପରି ସେମାନଙ୍କ ‘ଜ୍ଞାନ-ନେତ୍ର’ର ଉନ୍ମୀଳନ ପାଇଁ ଯଥାସାଧ୍ୟ ଆଜୀବନ ପ୍ରୟାସ ଜାରି ରଖିଥିଲେ । ପଣ୍ଡିତ ଗୋପବନ୍ଧୁ ୧୯୧୮ ମସିହାରେ ତାଙ୍କ ସଂପାଦିତ ସତ୍ୟବାଦୀ ପତ୍ରିକାରେ ଲେଖିଥିଲେ - ‘‘ପ୍ରତିଭାର ବିକାଶ ସାଧାରଣତଃ ସବୁବେଳେ ସର୍ବତ୍ର ଘଟେ ନାହିଁ । ଅଧିକଭାଗ କାର୍ଯ୍ୟ ପୃଥିବୀର ସବୁକ୍ଷେତ୍ରରେ ଅଧ୍ୟବସାୟ, ସହଯୋଗିତା ଏବଂ ନୈଷ୍ଠିକତା ପ୍ରଭାବରେ ହୋଇଥାଏ । ଏହି ଉପାଦାନ ଓଡ଼ିଶାରେ ଏକାନ୍ତ ଅଭାବ । ଓଡ଼ିଶାର ଧନ ସଙ୍ଗେ ବିଦ୍ୟାର ଯୋଗନାହିଁ । ଏନ୍‌ସାଇକ୍ଲୋପିଡ଼ିଆ ପରି କାର୍ଯ୍ୟ ଭିନ୍ନ ଭିନ୍ନ ଦେଶରେ ସାହିତ୍ୟ ରାଜ୍ୟରେ ସଂପାଦିତ ହେଉଛି । ଆମମାନଙ୍କ ଆଖି ଆଗରେ ବଙ୍ଗ ଦେଶରେ ବିଶ୍ୱକୋଷ ସଂକଳିତ ହୋଇଅଛି, କିନ୍ତୁ ନିକଟ ଭବିଷ୍ୟତରେ ସେଭଳି ଗୋଟିଏ କାର୍ଯ୍ୟ ସ୍ୱପ୍ନରେ ମଧ୍ୟ ଓଡ଼ିଆଭାଷାରେ ଆଶା କରାଯାଇ ପାରେ କି ?’’ ୧୯୧୧ ମସିହାରେ ନଗେନ୍‌ ବସୁଙ୍କ ଦ୍ୱାରା ୨୪ ଖଣ୍ଡରେ ପ୍ରକାଶିତ ବଙ୍ଗଳା ବିଶ୍ୱକୋଷକୁ ଆଖିଆଗରେ ରଖି ପଣ୍ଡିତ ଗୋପବନ୍ଧୁ ହୁଏତ ଏପରି ମାନସିକ ଗ୍ଲାନି ପ୍ରକାଶ କରିଥାଇପାରନ୍ତି । ନିକଟ ଭବିଷ୍ୟତରେ ହୋଇପାରିନଥିଲେ ବି ଉତ୍କଳମଣିଙ୍କ ଅବର୍ତ୍ତମାନରେ ସେ ମାନସିକ ବ୍ୟଥା ଓ ଅନ୍ତର୍ଦାହ ଲାଘବ କରିବା ପାଇଁ ଯଥାର୍ଥ ପ୍ରଚେଷ୍ଟା କରିଥିଲେ ବିନୋଦ କାନୁନ୍‌ଗୋ ବହୁ ଖଣ୍ଡରେ ପ୍ରକାଶିତ ତାଙ୍କ ଜ୍ଞାନମଣ୍ଡଳ ଏବଂ ମନଛୁଆଁ ଭାଷା ଓ ଭାବ ସଂବଳିତ ତାଙ୍କର ଅନେକ ଛୋଟ ଛୋଟ, ଜ୍ଞାନଗର୍ଭକ ପୁସ୍ତିକା ମାଧ୍ୟମରେ । ସେଥିପାଇଁ ଓଡ଼ିଆ ସ୍ୱାଭିମାନର ପ୍ରବାଦ ପୁରୁଷ ଗୋପବନ୍ଧୁ ବିନୋଦଙ୍କ ପରି ଜ୍ଞାନପିପାସୁ ଦାୟାଦଟି ପାଇଁ ସ୍ଵର୍ଗଲୋକରେ ଥାଇ ହୁଏତ ଅଶେଷ ଆଶିଷ ବାରି ଢାଳିଥିବେ ତାଙ୍କ ଉପରେ । ବିଧିର ବିଧାନ କେଡ଼େ ବିଚିତ୍ର ସତେ ! ଓଡ଼ିଆମାନଙ୍କ ‘ମାନ’ ଓ ‘ଜ୍ଞାନ’ ଉନ୍ମୀଳକ ଗୋପବନ୍ଧୁ ଓ ବିନୋଦବାବୁ ଉଭୟ ଜଗତର ନାଥ ଜଗନ୍ନାଥଙ୍କ ନେତ୍ରୋତ୍ସବ ପରି ପୁଣ୍ୟ ତିଥିରେ ହିଁ ଏ ଧରାଧାମରୁ ବିଦାୟ ନେଇଥିଲେ ।

 

ବିନୋଦବାବୁଙ୍କ ଜୀବନର ୭୮ ବର୍ଷାବଧି ଜୀବନଚର୍ଯ୍ୟାକୁ ଆପାତତଃ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇ ପାରେ । ପ୍ରଥମ ପର୍ଯ୍ୟାୟ ୧୯୧୨ ରୁ ୧୯୩୦ ମସିହା କାଳଖଣ୍ଡରେ ପ୍ରଥମେ ‘ଏକୋଇର ବଳା ବିଶିକେଶନ’ ଭାବେ ପିତାମାତାଙ୍କ କୋଳ ମଣ୍ଡନ କରି ଭୂମିଷ୍ଠ ହେବା (୧୯୧୨), ଗ୍ରାମ୍ୟ ପରିବେଶର ପିତ୍ରାଳୟ ଓ ମାତୃଳାଳୟରେ ପ୍ରାଥମିକ ଶିକ୍ଷାଲାଭ, ଦଶବର୍ଷ ବୟସରେ ପିତାଙ୍କୁ ହରାଇବା (୧୯୨୨), କିଛିଦିନ ପରେ କଟକ ରେଭେନ୍‌ସା କଲେଜ ଇଷ୍ଟ ହଷ୍ଟେଲ୍‌ର ୱାଡ଼ନ୍‌ ମାତୁଳ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସରକାରୀ ବାସଗୃହକୁ ଆଗମନ ଓ ତାଙ୍କରି ପାଖରେ ରହି ରାଣୀହାଟ ସ୍କୁଲ୍‌ରୁ ବୃତ୍ତିଲାଭ ସହ ମାଇନର ପାସ୍‌ (୧୯୨୭), ତା ପରେ ରେଭେନ୍‌ସା କଲିଜିଏଟ୍‌ ସ୍କୁଲରେ ୮ମ ଓ ୯ମ ଶ୍ରେଣୀର ପାଠ ସାରି ୧୦ମ ଶ୍ରେଣୀରେ ମାତ୍ର ଦୁଇମାସ ପଢ଼ି ସ୍ଵାଧୀନତା ସଂଗ୍ରାମରେ ଯୋଗଦାନ, ସ୍କୁଲ୍‌ରୁ ବହିଷ୍କୃତ ଏବଂ କାରାଦଣ୍ଡ ବରଣ ଭଳି ଘଟଣା ପ୍ରବାହକୁ ନେଇ ବିତିଛି । ଏ ସବୁ ଅପ୍ରତ୍ୟାଶିତ ତଥା ଅନେକତଃ ଦୁଃଖଦ ଝଡ଼ଝଞ୍ଜା ଭିତରେ କଟିଛି ତାଙ୍କର ବାଲ୍ୟ, କୈଶୋର ତଥା ଆଦ୍ୟଯୌବନର ଅପାଶୋରା ଦିନଗୁଡ଼ିକ : ଜୀବନର. ପରବର୍ତ୍ତୀ ପର୍ଯ୍ୟାୟ (୧୯୩୦-୧୯୫୪)ରେ ସ୍ଵାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ, କାରାବାସ, କାରାଗାର ମଧ୍ୟରେ ଦୃଢ଼ନିଷ୍ଠା ଓ ଅଧ୍ୟବସାୟ ପୂର୍ବକ ବହୁବିଦ୍ୟା ଅଧ୍ୟୟନ କରି ନିଜର ଉଜୁଡ଼ା ଛାତ୍ରତ୍ଵକୁ ସମ୍ୟକ୍‌ ସଜାଡ଼ିବାର ଉଦ୍ୟମ ଓ ସେଥିରେ ସଫଳତା, କାରାମୁକ୍ତି ପରେ ଗାନ୍ଧିଜୀଙ୍କ ଆଦର୍ଶ ଓ ଦିଗ୍‌ଦର୍ଶନରେ ନିଜକୁ ସାମିଲ କରି ପୂର୍ଣ୍ଣପ୍ରାଣରେ ସାଂଗଠନିକ ତଥା ସାମାଜିକ କାର୍ଯ୍ୟକ୍ରମମାନଙ୍କରେ ଅଂଶଗ୍ରହଣ, ସମୟକ୍ରମେ ଗୋପବନ୍ଧୁ ଚୌଧୁରୀଙ୍କର ବରୀ ଆଶ୍ରମରେ ଯୋଗଦାନ, ‘ସମାଜ’ ସମ୍ବାଦପତ୍ରରେ ସାମ୍ବାଦିକତା ତଥା ତା’ର ସଂପାଦନା ବିଭାଗରେ ଆବଶ୍ୟକତାନୁଯାୟୀ ସହଯୋଗ, ଶେଷରେ ସ୍ଵାଧୀନତା ପରବର୍ତ୍ତୀ କାଳରେ ଅନ୍ୟ ଅନେକ ସ୍ଵାଧୀନତା ସଂଗ୍ରାମୀଙ୍କ ପରି ସକ୍ରିୟ ରାଜନୀତିର ଘଣ୍ଟାଚକଟାରେ ଭାଗନେଇ ପ୍ରଥମ ସାଧାରଣ ନିର୍ବାଚନ (୧୯୫୨) ରେ ବିଧାନସଭା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ପରାଜିତ ହେବା ପରେ ତାଙ୍କ ଜୀବନର ୨ୟ ପର୍ଯ୍ୟାୟ ଶେଷ ହୋଇଛି । ନିର୍ବାଚନ ପରବର୍ତ୍ତୀ ବର୍ଷେକାଳ ସେ କେବଳ ‘‘କ’ଣ କରିପାରିଥାନ୍ତେ ? .... କ’ଣ କଲେ’’ ବୋଲି ଚିନ୍ତିତ ହୋଇପଡ଼ିଛନ୍ତି । ଠିକ୍‌ ଭାବେ କହିଲେ ୧୯୫୪ ମସିହା ଜାନୁୟାରୀ ପହିଲାରୁ ତାଙ୍କ ଜୀବନର ସର୍ବତୋମୟ ଫଳପ୍ରସୂ ତଥା ୩ୟ ପର୍ଯ୍ୟାୟର ଅୟମାରମ୍ଭ ଘଟିଛି । ଯାହା କୁହାଯାଏ - ‘‘ସଂପତ୍ତେ ଚ ବିପତ୍ତେ ଚ ମହତାମେକରୂପତା’’କୁ ଧ୍ୟେୟକରି ସେଇ ଦିନଠାରୁ ଜୀବନ ଦୀପ ଲିଭିବା ଯାଏ ‘‘ପାଠ ପଛେ ପଛେ ଅପାଠୁଆ’’ ହୋଇ ସେ ଧାଇଁଛନ୍ତି ଜୀବନଯାକର ନାନାବିଧ ‘‘ୠଣ ପରିଶୋଧ’’ କରିବା ପାଇଁ .... । ୧୯୫୪ ମସିହା ପ୍ରାରମ୍ଭରୁ ୧୯୯୦ ମସିହାର ଅଧାଅଧି କାଳଖଣ୍ଡକୁ କୁହାଯାଇ ପାରେ ବିନୋଦବାବୁଙ୍କର ସାର୍ଥକ ତଥା ‘ଶାଶ୍ୱତ ସାରସ୍ଵତ ପର୍ଯ୍ୟାୟ । ଏହି ଅବଧି ହିଁ ତାଙ୍କ ପ୍ରଜ୍ଞାପୁଷ୍ଟ ପ୍ରତିଭା, ବିଭୋଳ ବିବିତ୍ସା, ଜ୍ଞାନ-ବିଜ୍ଞାନ ପିପାସା ଓ ସ୍ଵଭାବସିଦ୍ଧ ସୌଜନ୍ୟ ଆଦି ଗୁଣାବଳିକୁ ବହୁଗୁଣିତ କରିଛି, ପୁଣି ଅନ୍ୟଥା ନିଃସ୍ଵ ତାଙ୍କ ଜୀବନକୁ ମହିମାଣ୍ଡିତ କରିଛି । ନିରବଚ୍ଛିନ୍ନ ବ୍ୟବସ୍ଥା ଓ ନିୟତ ସ୍ଵାଧ୍ୟାୟ ବଳରେ ସେ ହୋଇପାରିଛନ୍ତି ବହୁବିଦ୍ୟ, ବିଜ୍ଞ ତଥା ଅକୁତୋଭୟ ସ୍ଵୟଂଭୁ ପଣ୍ଡିତ । ପାରଂପରିକ ଶିକ୍ଷା ଓ ପ୍ରଶିକ୍ଷଣ ମାଧ୍ୟମରେ ଉଚ୍ଚରୁ ଉଚ୍ଚତର ସୋପାନକୁ ଉନ୍ନୀତ ହେବା ପାଇଁ ପରିସ୍ଥିତି ଓ ପରିବେଶ ତାଙ୍କୁ ସୁଯୋଗ ଦେଇନାହିଁ, ତେଣୁ ସେ’ ଯଥାର୍ଥ ‘ଜ୍ଞାନକୋଷୀ’ ବା ନିର୍ଦ୍ଦିଷ୍ଟ କୌଣସି ଜ୍ଞାନ-ବିଭବରେ ବିଶେଷଜ୍ଞ ବା ସର୍ବୋଚ୍ଚ ବିଶେଷଜ୍ଞ ନ ହୋଇ ନିଜ ନିଷ୍ଠା, ସ୍ୱାଧ୍ୟାୟ ଓ ସଂକଳ୍ପକୁ ପାଥେୟ କରି ହୋଇପାରିଛନ୍ତି ଜଣେ ଶ୍ରେଷ୍ଠ ଜ୍ଞାନଭଣ୍ଡାରୀ ଅର୍ଥାତ୍‌ ଅପରସଂଗୃହୀତ ଅମାପ ଜ୍ଞାନଭଣ୍ଡାରର ଜଣେ ସଚ୍ଚା ସଂକଳକ ତଥା ଜଣେ ନୀତିନିଷ୍ଠ, ସଦାଜାଗ୍ରତ. ଭଣ୍ଡାରରକ୍ଷକ ।

 

ବିନୋଦବାବୁଙ୍କ ସାରସ୍ଵତ ତପସ୍ୟା ଓ ସର୍ଜନା

କାରାବାସ ଆରମ୍ଭ ବେଳରୁ ତାଙ୍କର ଜ୍ଞାନୋଦୟ ଘଟିଥିଲା ଯେ ସେ କଣ ଜୀବନସାରା ‘ସ୍କୁଲ୍‌ ଡ୍ରପ୍‌ଆଉଟ୍‌’ ଅପାଠୁଆ ହୋଇ ରହିଯିବେ ! ମଣିଷ ପରି ଶ୍ରେଷ୍ଠତମ ଜୀବଭାବେ ବଞ୍ଚିବାପାଇଁ ପ୍ରତ୍ୟେକ ବ୍ୟକ୍ତିକୁ ଆବଶ୍ୟକ ଜ୍ଞାନାର୍ଜନ କରିବାକୁ ପଡ଼ିଥାଏ । ସ୍କୁଲ୍‌ କଲେଜରୁ ସେ ସବୁ ଜ୍ଞାନ ଉପଲବ୍ଧ ହେବା ଯଦି ତାଙ୍କ ଭାଗ୍ୟରେ ନ ଜୁଟିଛି ତେବେ କାରାବାସ ରୂପକ ଅବସରରୁ ସେ’ ସୁଯୋଗ ସେ ସୃଷ୍ଟି ନ କରିବେ କାହିଁକି ? ୧୯୩୦ ମସିହାରେ ପାଟନା କ୍ୟାମ୍ପ୍‌ ଜେଲ୍‌ରେ ୯ ମାସ୍ଵ ଧରି ବନ୍ଦୀଜୀବନ କାଟୁଥିଲାବେଳେ ତାଙ୍କର ସହବନ୍ଦୀ ଥିଲେ ବିନୋଦାନନ୍ଦ ଝା (ପରବର୍ତ୍ତୀ ସମୟରେ ବିହାରର ମୁଖ୍ୟମନ୍ତ୍ରୀ), ରାମକୃଷ୍ଣ ବେଣିପୁରୀ, ଗଙ୍ଗାଶରଣ ସିଂହ ଏବଂ ଓଡ଼ିଶାରୁ ଗୋକୁଳାନନ୍ଦ ମହାନ୍ତି, ଜଗନ୍ନାଥ ରଥଙ୍କ ପରି ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ । ‘ହିତୋପଦେଶ’ ସୂକ୍ତି ‘‘କାଚଃ କାଞ୍ଚନସଂସର୍ଗାଦ୍ଧତ୍ତେ ମାରକତୀଂ ଦ୍ୟୁତିମ୍‌, ତଥା ସତ୍‌ -ସନ୍ନିଧାନେନ ମୂର୍ଖୋ ଯାତି ପ୍ରବୀଣତାମ୍‌’’କୁ ମନେ ପକାଇ ଏମାନଙ୍କୁ ଗୁରୁ ରୂପେ ଗ୍ରହଣ କରି ଏବଂ ଏମାନଙ୍କର ପରାମର୍ଶ ଅନୁସାରେ ପଢ଼ାପଢ଼ି କରି ନିଜର ଇଂରାଜୀ ଓ ହିନ୍ଦୀ ଜ୍ଞାନ ସେ ବଢ଼ାଇଥିଲେ । ସେଇପରି ୧୯୪୨ ମସିହା ଅଗଷ୍ଟ ବିପ୍ଳବରେ ଭାଗ ନେଇ ଦୁଇବର୍ଷାବଧି ବନ୍ଦୀଜୀବନ ପ୍ରଥମେ କଟକ ଓ ପରେ ବ୍ରହ୍ମପୁର ଜେଲ୍‌ରେ କଟାଉ ଥିଲାବେଳେ ତାଙ୍କ ସହବନ୍ଦୀ ଥିଲେ ଡାକ୍ତର ଘନଶ୍ୟାମ ମହାନ୍ତି, ଡାକ୍ତର ବ୍ରଜନାଥ ମିଶ୍ର ଏବଂ କଟକ ମେଡିକାଲ୍‌ ସ୍କୁଲ୍‌ରୁ ବିପ୍ଲବୀ ଛାତ୍ର ରୂପେ ଗିରଫ ହୋଇ ଜେଲ୍‌ ସଜା ଭୋଗୁଥିବା ମୋତିଲାଲ୍‌ ତ୍ରିପାଠୀ ଓ ରବିଘୋଷ (ପରେ ଉଭୟ ଡାକ୍ତର ହୋଇଥିଲେ)ଙ୍କ ପରି ଦେଶପ୍ରେମୀ ଡାକ୍ତରୀ ଛାତ୍ରମାନେ । ସେମାନଙ୍କ ସଂସ୍ପର୍ଶରେ ଆସି ବିନୋଦବାବୁ ଶରୀର ସଂରଚନା ଓ ଶରୀରତତ୍ତ୍ୱ ବିଷୟକ ବହୁ ବୈଜ୍ଞାନିକ ତଥ୍ୟ ତଥା ସେ ସବୁକୁ ବୁଝିବା ପାଇଁ ଆବଶ୍ୟକୀୟ ରସାୟନ ବିଦ୍ୟା ଓ ମୌଳିକ ପଦାର୍ଥ ବିଜ୍ଞାନ ସଂପର୍କିତ ଜ୍ଞାନ ହାସଲ କରିଥିଲେ । ଏଥିପାଇଁ ଆବଶ୍ୟକ ହେଉଥିବା ବିଶାଳକାୟ ଗ୍ରେଜ୍‌ ଆନାଟୋମି, ହାଲିବଟନ ଓ ସାମ୍‌ସନ୍‌ ରାଇଟ୍‌ଙ୍କ ଫିଜିଓଲଜି ପୁସ୍ତକ ତତ୍କାଳୀନ ଜେଲ ସୁପରିଟେଣ୍ଡେଣ୍ଟ୍‌ ତଥା ଗଞ୍ଜାମ ଜିଲା ସିଭିଲ୍‌ ସର୍ଜନ୍‌ ଡାକ୍ତର ଅନ୍ନଦାପ୍ରସାଦ ସିହ୍ନା ମହାଶୟ ତାଙ୍କୁ ଯୋଗାଇ ଦେଇଥିଲେ । ଆନାଟୋମି ବିଷୟରେ ସଠିକ୍‌ ଧାରଣା କରିବା ପାଇଁ ସାଧାରଣତଃ ଶବ ବ୍ୟବଚ୍ଛେଦ କରିବାକୁ ପଡ଼ିଥାଏ । ସେଥିପାଇଁ ବନ୍ଦୀଙ୍କ ପାଇଁ ଯୋଗାଣ ହେଉଥିବା ଖାସିକୁ ଜେଲ୍‌ ବାହାରେ ମାରି ଡାକ୍ତରୀ ବିଦ୍ୟାରେ ଆଗ୍ରହୀ ଏ ବନ୍ଦୀଙ୍କ ଦାୟିତ୍ୱରେ ଦିଆଯାଉଥିଲା, ଯଦ୍ଵାରା ଖାସି ଶବରେ ଏମାନେ ଆବଶ୍ୟକତାନୁଯାୟୀ ବ୍ୟବଚ୍ଛେଦ କଲାପରେ ମାଂସ ସଂଗ୍ରହ କରାଯାଉଥିଲା । ଏ’ ବ୍ୟବସ୍ଥାଟି ମଧ୍ୟ ସଦୟ ଜେଲ୍‌ ସୁପରିଣ୍ଡେଣ୍ଡେଣ୍ଟ୍‌ ଡାକ୍ତର ସିହ୍ନାଙ୍କ ଆନୁମମୋଦନରେ କରାଯାଉଥିଲା । ପାଟଣା ଓ ବ୍ରହ୍ମପୁର ଜେଲ୍‌ରେ ପାଖାପାଖି ୩ ବର୍ଷ ରହଣି ଏବଂ ‘ସମାଜ’ ସଂପାଦନା ବିଭାଗରେ ୧୯୪୦-୪୨ ବେଳର, ସମ୍ବାଦ ପରିବେଷଣକାରୀର ଦାୟିତ୍ୱ ବିନୋଦବାବୁଙ୍କୁ ବହୁବିଧ ତାତ୍ତ୍ୱିକ ଜ୍ଞାନ ଆହରଣ କରିବାରେ ଅପୂର୍ବ ସୁଯୋଗ ଯୋଗାଇଥିଲା । ପରବର୍ତ୍ତୀ କାଳରେ ବିନୋଦବାବୁ ସ୍ୱୀକାର କରିଛନ୍ତି - ତାଙ୍କର ପରମ ସୌଭାଗ୍ୟ ଯେ ମ୍ୟାଟ୍ରିକ୍‌ ପାଠ ପୂରା ନ ପଢ଼ି, କଲେଜ ଓ ବିଶ୍ୱବିଦ୍ୟାଳୟ ହତା ନ ମାଡ଼ି ସେ ସ୍ତରୀୟ କିଛିଟା ପାରଂପରିକ ଜ୍ଞାନ ସେ ଆହରଣ କରିପାରିଥିଲେ ପାଟଣା ଜେଲ୍‌, ବରି ସେବାଶ୍ରମ, ‘ସମାଜ’ ଅଫିସ୍‌ ଓ ବ୍ରହ୍ମପୁର ଜେଲ୍‌ରେ ଭିନ୍ନଭିନ୍ନ ସମୟରେ ତାଙ୍କର ରହଣି ଯୋଗୁ । ତେଣୁ ଏ ସବୁ ସ୍ଥାନ ତାଙ୍କପାଇଁ ଭିନ୍ନଭିନ୍ନ ସ୍ତରୀୟ ଜ୍ଞାନମନ୍ଦିର ହୋଇଥିଲା ।

 

ବିନୋଦବାବୁଙ୍କ ପ୍ରଥମ ସାରସ୍ଵତ କୃତି ଥିଲା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଧାରିତ ‘ସପ୍ତାସ୍ତ୍ର’ ଶୀର୍ଷକ ୧୦୪ ପୃଷ୍ଠା ସମ୍ବଳିତ ପାଞ୍ଚଅଣା ମୂଲ୍ୟର ଖଣ୍ଡିଏ ପୁସ୍ତକ । ଦ୍ୱିତୀୟ ବିଶ୍ଵଯୁଦ୍ଧରେ ନିୟୋଜିତ ଭିନ୍ନଭିନ୍ନ ଟ୍ୟାଙ୍କ ଟର୍‌ପେଡ଼ୋ, କ୍ରୁଇଜର୍‌, ଡେଷ୍ଟୟର୍‌, ମାଇନ୍‌, ଚୁମ୍ବ ମାଇନ୍‌, ଆଗ୍ନେୟବୋମା, ବାଷ୍ପଯୁଦ୍ଧ ସାମଗ୍ରୀ, ବୋମାବର୍ଷୀ ଉଡ଼ାଜାହାଜ ଆଦି ବିଭିନ୍ନ ସାଜ ସରଞ୍ଜାମ ବିଷୟରେ ସମ୍ୟକ ବର୍ଣ୍ଣନା ଥିଲା ଏ ବହିରେ । ‘ସମାଜ’ ସମ୍ବାଦପତ୍ରର ଭିନ୍ନଭିନ୍ନ ସଂଖ୍ୟାରେ ଧାରାବାହିକ ଭାବେ ବିନୋଦବାବୁଙ୍କର ଏ ଲେଖାସବୁ ପ୍ରକାଶ ପାଇଥିଲା । ସଂପାଦକ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କ ନିର୍ଦ୍ଦେଶରେ ତାଙ୍କ ‘‘ନେଉଳଭାଇ’’ (ପଣ୍ଡିତ ମିଶ୍ରଙ୍କ ବିଚାରରେ ବିନୋଦବାବୁ ବିଭିନ୍ନ ସମ୍ଭାବ୍ୟ ଉତ୍ସ ସ୍ଥଳରେ ଅତି ସହଜେ ଗଳି ପଶି ଦରକାରୀ ତଥ୍ୟ ସଂଗ୍ରହ କରିବାରେ ଧୁରନ୍ଧର ଥିଲେ, ସୁତରାଂ ‘ନେଉଳଭାଇ’ ଶ୍ରଦ୍ଧାନାମରେ ତାଙ୍କୁ ସମ୍ବୋଧିତ କରୁଥିଲେ ପଣ୍ଡିତେ) ବିଭିନ୍ନ ଉତ୍ସରୁ ଏ’ ସଂକ୍ରାନ୍ତୀୟ ନିର୍ଭୁଲ ତଥ୍ୟ ସଂଗ୍ରହ କରି ଲେଖାସବୁ ସହଜ ସରଳ ଭାଷାରେ ପ୍ରସ୍ତୁତ କରିଥିଲେ । ଲେଖାଗୁଡ଼ିକୁ ଏକତ୍ର କରି ପଣ୍ଡିତ ମିଶ୍ରଙ୍କ ନିର୍ଦେଶରେ ‘ଗୋପବନ୍ଧୁ ସାହିତ୍ୟ ମନ୍ଦିର’ ଦ୍ଵାରା ବହିଟିର ପ୍ରଥମ ପ୍ରକାଶନ ଘଟିଥିଲା ୧୯୪୦ ମସିହାରେ । ‘ସପ୍ତାସ୍ତ୍ର’ ବହିଟିର ନାମକରଣ କରିଥିଲେ ନିଜେ ପଣ୍ଡିତ ଲିଙ୍ଗରାଜ । ମଜାକଥା ହେଲା ଏ ପଣ୍ଡିତିଆ ନାଁଟିକୁ ବଦଳାଇ ଟିକେ ସରଳିଆ ନାଁ ବାଛିଲେ ଭଲ ହୁଅନ୍ତା ବୋଲି ବିନୋଦବାବୁ ପଣ୍ଡିତ ମିଶ୍ରଙ୍କ ପାଖରେ ଅଳି କଲାରୁ ସେ କହିଥିଲେ- ‘‘ବିନୋଦ ! ସବୁପ୍ରକାର ମାରଣାସ୍ତ୍ରଗୋଷ୍ଠୀକୁ ତ ଶାସ୍ତ୍ରରେ କୁହାଯାଇଛି ‘ସପ୍ତାସ୍ତ୍ର’ ଏହାଠୁଁ ଅଧି‌କତର ଭାବଦ୍ୟୋତକ ଶୀର୍ଷକ ଆଉ କ’ଣ ହୋଇପାରେ ?’’ ପଣ୍ଡିତିଆ ନାମଟିକୁ ସରଳିଆ କରିବା ପାଇଁ ବିନୋଦବାବୁ ଯେଉଁ ଅନୁନୟ-ବିନୟ କରୁଥିଲେ ପଣ୍ଡିତଜୀଙ୍କ ଠାରୁ ତତ୍‌ସମ ଶବ୍ଦସମ୍ଭାର ସମ୍ବଳିତ ଏବଂବିଧ ଉତ୍ତର ପାଇ ସେ ଅଗତ୍ୟା ଚୁପ୍‌ ହୋଇଥିଲେ । ଏ’ ବହିଟି ବିଶେଷ ଜନାଦୃତି ଲାଭ କରିଥିଲା, ଖୁବ୍‌ ବେଶୀ ବିକ୍ରି ହେଲା, ଫଳତଃ ଅଳ୍ପ ସମୟ ବ୍ୟବଧାନରେ ଏହାର ପୁନର୍ମୁଦ୍ରଣ ମଧ୍ୟ କରାଯାଇଥିଲା । ବିନୋଦବାବୁଙ୍କ ଲେଖାର ସରଳ, ସାବଲୀନ ଭାଷା ଓ ସ୍ଵଚ୍ଛନ୍ଦ ଶୈଳୀରେ ମୁଗ୍ଧ ହୋଇ ସଂପାଦକ ପଣ୍ଡିତ ମିଶ୍ର ବେଳେ ବେଳେ ‘ସମାଜ’ର ପୂରା ସଂପାଦକୀୟଟି ତାଙ୍କ ଦ୍ୱାରା ଲେଖାଇ ଛାପି ଦେଉଥିଲେ । ଥରେ ଏକ ନିର୍ଦ୍ଦିଷ୍ଟ ସଂପାଦକୀୟ ଲେଖାଅତି ଉଚ୍ଚକୋଟୀର ହୋଇଛି ବୋଲି ସେବେଳର ପ୍ରସିଦ୍ଧ ଏଡ୍‌ଭୋକେଟ୍‌ ଚିନ୍ତାମଣି ଆଚାର୍ଯ୍ୟ ପରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଏକ ଚିଠିରେ ସଂପାଦକ (ନେପଥ୍ୟଲେଖକ ଥଲେ ବିନୋଦବାବୁ)ଙ୍କୁ ପ୍ରଶଂସା କରି ପଣ୍ଡିତ ମିଶ୍ରଙ୍କ ଠିକଣାରେ ଚିଠିଟିଏ ଦେଲେ । ମିଶ୍ର ମହୋଦୟ ଚିଠିଟିକୁ ବିନୋଦବାବୁଙ୍କୁ ଦେଖାଇ ମଜାଳିଆ ହସ ହସି କହିଲେ- ‘‘ବିନୋଦ, ପ୍ରଶଂସାତକ ମୋ’ର - ଲେଖା ପଛେ ହୋଇଥାଉ ତୁମର । ଜ୍ଞାନୀ, ଗୁଣୀ ପଣ୍ଡିତ ମିଶ୍ରଙ୍କ ତୁଣ୍ଡରୁ ଏତକ ଶୁଣି ବିନୋଦବାବୁ ନିଜକୁ କୃତାର୍ଥ ମଣିଥିଲେ । ତା’ପରେ ତାଙ୍କର ଦ୍ୱିତୀୟ ପ୍ରକାଶିତ ପୁସ୍ତକ ଥିଲା - ‘ପବନ’ (୧୯୫୧) । ଏ’ ବହିଟି ମଧ୍ୟ ବିଜ୍ଞାନ ତତ୍ତ୍ଵଆଧାରୀ ଓ ସୁଖପାଠ୍ୟ । କିନ୍ତୁ ଯେଉଁ ବହିଖଣ୍ଡକ ତାଙ୍କୁ ‘ବିନୋଦ କାନୁନ୍‌ଗୋ ଲେଖା’ର ସ୍ଵତନ୍ତ୍ର ପରିଚିତି ଦେଇଥିଲା, ଯେଉଁଥିରେ ସେ ନିଜ କଲମ ଓ ଭାଷାକୁ ପୋଷା ମନାଇଥିଲେ’, କିନ୍ତୁ ଯେଉଁ ପୁସ୍ତିକା ପାଇଁ ସେ ସମପରିମାଣରେ ପ୍ରଶଂସିତ ତଥା ସମାଲୋଚିତ ହୋଇଥିଲେ, ସେଇଟି ଥିଲା ୧୯୫୪ ମସିହାରେ ସତ୍ୟବାଦୀ ପ୍ରେସ୍‌ରୁ ଛାପା ଯାଇଥିବା ୪୮ ପୃଷ୍ଠିଆ, ଦ୍ୱିରଙ୍ଗୀ ତ୍ରିରଙ୍ଗୀ ୨ଟି ଛବି ସମ୍ବଳିତ ଏକ ଛୋଟ ପୁସ୍ତିକା - “ଚଳନ୍ତା ରାଇଜର ଅମୁହାଁ ନଈ’’ ।

 

କହିବାକୁ ଗଲେ ଏକ ପ୍ରତିଯୋଗିତା ମେଳାରେ ଭାଗ ନେବା ଉଦ୍ଦେଶ୍ୟରେ ଏହା ତତ୍‌କାଳ ଲେଖାଯାଇଥିଲା । ୧୯୫୪ ମସିହାରେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ‘ଶିଶୁ ସାହିତ୍ୟ’ ବର୍ଗରେ ବିଭିନ୍ନ ପ୍ରାନ୍ତୀୟ ଭାଷାରେ ଶ୍ରେଷ୍ଠ ଲେଖା ପାଇଁ ପୁରସ୍କାର ଘୋଷଣା କରିଥିଲେ : ସେ ସଂକ୍ରାନ୍ତୀୟ ସରକାରୀ ବିଜ୍ଞାପନ ବହି ଦାଖଲ ହେବା ଶେଷ ତାରିଖର ୭୨ ଘଣ୍ଟା ପୂର୍ବରୁ ‘ସମାଜ’ କାଗଜରେ ବାହାରିଥିଲା । ରାତିକ ଭିତରେ ଲେଖାଯାଇ ଯଥାଶୀଘ୍ର ଛପାଇ ବହିଟି ପଠାଗଲା, କିନ୍ତୁ ତାହା ବଛା ହୋଇ ନ ଥିଲା । ସବୁଠାରୁ ଦୁଃଖର ବିଷୟ ହେଲା - ଜଣେ ଓଡ଼ିଆ ଭଦ୍ରବ୍ୟକ୍ତି ନିଜର ନାମୋଲ୍ଲେଖକରି ବହିଟିରେ କେତେକ ତଥ୍ୟଗତ ତ୍ରୁଟି ଥିବା ଏବଂ ବହିର ଅଂସଗତ ନାମକରଣ କରାଯାଇଥିବାର ଆକ୍ଷେପ କରି ସମାଜ କାଗଜରେ ନିଜର ପ୍ରତିକୂଳ ମନ୍ତବ୍ୟ ପ୍ରକାଶ କଲେ । ଏହାର ଉତ୍ତରରେ ବିନୋଦବାବୁ ‘ଏହି ବହିର ଇତିହାସ’ ଶିରୋନାମାରେ ନିଜର ବକ୍ତବ୍ୟ ରଖିଛନ୍ତି ଏବଂ ଓଡ଼ିଶାର କେତେଜଣ ଗଣ୍ୟମାନ୍ୟ ବ୍ୟକ୍ତି ଯଥା ଡକ୍ଟର ମହତାବ, ଡକ୍ଟର ପରିଜା, ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଲିଙ୍ଗରାଜ, ପ୍ରାକ୍ତନ ପାର୍ଲିଆମେଣ୍ଟ ସଭ୍ୟ ଶ୍ରୀଯୁକ୍ତ ସାରଙ୍ଗଧର ଦାସ, ଜାତୀୟ କବି ବୀରକିଶୋର ଦାସ, କବି ରାଧାମୋହନ ଗଡ଼ନାୟକ, ବିଶିଷ୍ଟ ସାହିତ୍ୟିକ ତଥା ଡଗର ସଂପାଦକ ନିତ୍ୟାନନ୍ଦ ମହାପାତ୍ର, ବିଶିଷ୍ଟ ଚିକିତ୍ସାବିଜ୍ଞାନୀ ଡାକ୍ତର ବନବିହାରୀ ପଟ୍ଟନାୟକଙ୍କ ଠାରୁ ବହିଟି ବିଷୟରେ ସେମାନଙ୍କ ସ୍ଵକୀୟ ମତାମତ ସଂଗ୍ରହ କରି ସେ ସବୁକୁ ୧୬ ପୃଷ୍ଠାର ଖଣ୍ଡିଏ ପୁସ୍ତିକା ରୂପେ ଛପାଇ ସର୍ବସାଧାରଣରେ ତାହା ବାଣ୍ଟିଥିଲେ । ଏ ପ୍ରବନ୍ଧ ଶେଷରେ ବିନୋଦବାବୁଙ୍କ ବକ୍ତବ୍ୟ ଏବଂ ସେ ମତାମତଗୁଡ଼ିକରୁ କେତୋଟିର ଅବିକଳ ଉଦ୍ଧୃତି ଦିଆଯାଇଛି ।

 

ବିନୋଦବାବୁଙ୍କ ଚିରଭାସ୍ଵର ସାରସ୍ଵତ କୃତି ଓ କୀର୍ତ୍ତି ବିଷୟରେ ଶିକ୍ଷିତ, ଅଳ୍ପଶିକ୍ଷିତ ନିର୍ବିଶେଷରେ ଆମେ ସମସ୍ତେ ଅଳ୍ପବହୁତେ ପରିଚିତ । ସାହିତ୍ୟ ଅନ୍ତର୍ଭୁକ୍ତ ପ୍ରତିଟି ବିଭାବ ଯଥା - ଜ୍ଞାନକୋଷ, ବିଜ୍ଞାନ ସାହିତ୍ୟ, ଶିଶୁ ଓ କିଶୋର ସାହିତ୍ୟ, ସମ୍ବାଦଭିତ୍ତିକ ସାହିତ୍ୟ, ବଡ଼ଲୋକଙ୍କ ଜୀବନୀ, ସ୍ଵାଧୀନତା ସଂଗ୍ରାମର ଇତିହାସ, ଗଠନମୂଳକ ସାମାଜିକ ସାହିତ୍ୟ, ଆତ୍ମଜୀବନୀ ଆଦି ପ୍ରତିଟି କ୍ଷେତ୍ରରେ ତାଙ୍କ ଲେଖନୀ ପୁଷ୍କଳ ତଥା ପ୍ରାଣବନ୍ତ ହୋଇପାରିଛି । ଜୀବଦ୍ଦଶାରେ ପ୍ରକାଶିତ ତାଙ୍କର ୪୦ ଖଣ୍ଡ ବିଶ୍ୱକୋଷ ବା ସୁଖପାଠ୍ୟ ‘‘ଜ୍ଞାନମଣ୍ଡଳ’’ ଆମ ଭାଷା ଓ ସଂସ୍କୃତିର ଅନନ୍ୟ ଦିଗବାରେଣୀ । ବିନୋଦବାବୁଙ୍କ ବିଚାରରେ ‘‘ଏନ୍ସାଇକ୍ଲୋପିଡ଼ିଆ ବା ‘ଜ୍ଞାନମଣ୍ଡଳ’ ହୋଇଥିବ ଏକ କ୍ରମବିବର୍ତ୍ତନପ୍ରବଣ ସାରସ୍ଵତ ସଂପଦ : ଏହାର ନିୟତ ଉତ୍ତରଣ ଓ ସଂକଳନ ଘଟୁଥିବ : ପୃଥିବୀର ବିଭିନ୍ନ ପ୍ରାନ୍ତର ଭାବୁକମାନେ ତାଙ୍କ ଜ୍ଞାନବାରି ସିଞ୍ଚି ଏହି ବର୍ଦ୍ଧିଷ୍ଣୁ ଜ୍ଞାନବୃକ୍ଷ ରୂପୀ ସଂପଦଟିକୁ ବଞ୍ଚାଇ ରଖୁଥିବେ । ପ୍ରତ୍ୟେକ ଉଚ୍ଚତମ ଜ୍ଞାନପୀଠ (ବିଶ୍ୱବିଦ୍ୟାଳୟ) ଓ ଗବେଷଣା ପ୍ରତିଷ୍ଠାନ ଏଥିପାଇଁ ଖୋରାକ୍‌ ଯୋଗାଉଥିବେ । ଫଳତଃ ଏଇଟି ହେବ ମାନବସଂସ୍କୃତିର ପ୍ରକୃଷ୍ଟ ପୂରାଣ : ଏହା ସାରା ପୃଥିବୀକୁ ଗୋଟିଏ ମାନସିକ ରଜ୍ଜୁରେ ବାନ୍ଧି ଦେଇଥିବ ।’’ ତାଙ୍କ କଳ୍ପିତ ଜ୍ଞାନମଣ୍ଡଳରୁ ଯାହା କିଛି ସେ ପ୍ରକାଶିତ କରିପାରି ନାହାଁନ୍ତି, ତତ୍‌ ସଂକ୍ରାନ୍ତୀୟ ତଥ୍ୟରାଜି ହଜାର ହଜାର ଫାଇଲ୍‌ ପୃଷ୍ଠାରେ ସେ ସାଇତି ରଖିଯାଇଛନ୍ତି, ଯାହାର ମୁଦ୍ରିତ ରୂପକୁ ସାକାର କରିବେ ଉତ୍ତର ପିଢ଼ିର ଓଡ଼ିଆ ଦାୟାଦଗଣ ନିଜର କରଣୀୟ କର୍ମ ଭାବେ ତାହା ବିଚାରକରି : ଏ ଗୁରୁଦାୟିତ୍ୱର ବୋଝ ହୁଏତ ଆମ ସବୁ ଓଡ଼ିଆଙ୍କ କାନ୍ଧରେ ... । ବିନୋଦବାବୁଙ୍କ ଜୀବନ ବାସ୍ତବତଃ ଥିଲା ‘ଅଧା ଆଦର୍ଶ ଓ ଅଧା ସ୍ଵପ୍ନ’ର ସମାହାର । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଏବଂ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଯତ୍‌ପରୋନାସ୍ତି ଚେଷ୍ଟିତ ରହିବା ଆମ ସମସ୍ତଙ୍କର ଧ୍ୟେୟ ଓ ଶ୍ରେୟ ହେବା ଉଚିତ ।

 

ଦିଂବଗତ ବିନୋଦବାବୁଙ୍କ ସ୍ମୃତି ପ୍ରକ୍ଷାଳନ କଲାବେଳେ ପ୍ରବାଦପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକ ତାଙ୍କ ବିଷୟରେ କହିଥିଲା ଏକ କଥା ସ୍ଵତଃ ମନକୁ ଆସିଥାଏ । ସେ କହିଛନ୍ତି - ‘‘ବିନୋଦ ପରି ଆଉ ଜଣେ ଓଡ଼ିଆ ପୁଅ ପାଇବା ପାଇଁ ଓଡ଼ିଶାକୁ ହୁଏତ ବହୁକାଳ ଯାଏ ଅପେକ୍ଷା କରିବାକୁ ପଡ଼ିବ ... । ପୁଣି ଅନ୍ୟଠି କହିଛନ୍ତି - ‘‘ବିନୋଦର ‘ଜ୍ଞାନମଣ୍ଡଳ’ ସାରା ଓଡ଼ିଶାରେ ‘ଜ୍ଞାନମନ୍ଦିର’ ହେଉ ।’’ ଅତ୍ୟନ୍ତ ସଂଭ୍ରମ ସହକାରେ ଆମେ ଏ ଉକ୍ତିରେ ଯୋଡ଼ିବାକୁ ଚାହୁଁ, ଏ ଜ୍ଞାନମନ୍ଦିର କେବଳ ସହର ବଜାରମାନଙ୍କରେ ଶୋଭାପାଇ ଏହାର ଗର୍ଭଗୃହରେ ଚିତାଚର୍ଚ୍ଚିତ ଶାଳଗ୍ରାମଟିଏ ଦେବତା ରୂପେ ପୂଜା ପାଇଲା ପରି ପୂଜିତ ନ ହେଉ, ଏ ଦେବତା ସହସ୍ରଶୀର୍ଷା, ସହସ୍ରପାତ୍‌, ସହସ୍ରାକ୍ଷ ରୂପ ନେଇ ଗାଁ ଗହଳିର ଭାଗବତଗାଦି ପରି ଘରେ ଘରେ ପୂଜାର୍ଘ୍ୟ ପାଉଥାଉ ।

 

ସଭାପତି, ଓଡ଼ିଶା ବିଜ୍ଞାନ ଏକାଡେମୀ, ଭୁବନେଶ୍ୱର

***

 

ଅନୁପମ ଗଦ୍ୟବିନ୍ଧାଣି

ବିଭୂତି ଭୂଷଣ ମହାପାତ୍ର

 

ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋ ଜଣେ ବହୁମୁଖୀ ପ୍ରତିଭା ଓ ମହିମାମୟ ବ୍ୟକ୍ତିତ୍ୱ । ଓଡ଼ିଆ ବିଶ୍ୱକୋଷ ‘‘ଜ୍ଞାନମଣ୍ଡଳ’’ର ପ୍ରଣେତା ଭାବରେ ତାଙ୍କର ଖ୍ୟାତି ସୁଦୂର ପ୍ରସାରୀ । ସେ ଥିଲେ ଏକ ଜୀବନ୍ତ ବିଶ୍ୱକୋଷ, ଏକ ଅନୁଷ୍ଠାନ । ସେ ପ୍ରମାଣିତ କରି ଦେଲେ ଯେ ଶିକ୍ଷାଲାଭ ତଥା ଜ୍ଞାନ ଅର୍ଜନ ପାଇଁ ବିଶ୍ଵବିଦ୍ୟାଳୟର ଡିଗ୍ରୀ, ଲୋଭନୀୟ ପଦପଦବୀ, ତଥା ଅତୁଳନୀୟ ସମ୍ପଦର କୌଣସି ଗୁରୁତ୍ଵ ନାହିଁ । ଜୀବନ ବିଦ୍ୟାଳୟର ସଦୁପଯୋଗ କରି କିପରି ଜ୍ଞାନ ଅର୍ଜନ ଓ ବିତରଣ ନିରବଚ୍ଛିନ୍ନ ଭାବରେ କରାଯାଇପାରେ ତାହା ତାଙ୍କ ଜୀବନୀ ଓ କୃତି ମଧ୍ୟରେ ଉର୍ଜୂସ୍ଵଳ । ‘ଜ୍ଞାନମଣ୍ଡଳ’ର ସଂକଳନ, ସଂପାଦକ ବା ପ୍ରଣେତା ଭାବରେ ତାଙ୍କ ପ୍ରଚଣ୍ଡ ପ୍ରତିଭା ସୀମାବଦ୍ଧ ହୋଇନାହିଁ । ଶିଶୁସାହିତ୍ୟ, ପ୍ରୌଢ଼ଶିକ୍ଷା କ୍ଷେତ୍ରରେ ନୂତନ ଦିଗ୍‌ଦର୍ଶନ ଦେବା ସହିତ ସାହିତ୍ୟ, ସଂସ୍କୃତି, ଧର୍ମ, କଳା, ବିଜ୍ଞାନ, ସଦାଚାର, ଜୀବନଜିଜ୍ଞାସା, ଦର୍ଶନ, ମନସ୍ତତ୍ତ୍ୱ, ସମାଜବିଜ୍ଞାନ- ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ଲେଖନୀ ଚଳଚଞ୍ଚଳ ହୋଇଉଠିଛି ଓ ସିଦ୍ଧିଲାଭ କରିଛି ।

 

ଜାତୀୟ ଆନ୍ଦୋଳନରେ, ଗାନ୍ଧିଜୀଙ୍କ ଆହ୍ୱାନରେ, ସ୍ଵାଧୀନତାର ମହାମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ଶିକ୍ଷାଳୟ ବର୍ଜନକରି ଅଧାପାଠୁଆ ରହିଯିବାର ଗ୍ଳାନି ତାଙ୍କର ପଥରୋଧ କରିପାରିନାହିଁ । ତାଙ୍କର ଜ୍ଞାନପିପାସା ଚରିତାର୍ଥ କରିବା ଉଦ୍ଦେଶ୍ୟରେ ସେ ସତତ ବ୍ୟଗ୍ର ଓ ଅସ୍ଥିର ହୋଇ ଉଠିଛନ୍ତି-। ବାରଂବାର କାରାବରଣ, ବିଚାରାଧୀନ ବନ୍ଦୀର ଜୀବନ, ଗାନ୍ଧୀଙ୍କ ଆଦର୍ଶରେ ଗ୍ରାମସଂଗଠନ ଓ ଚରଖାକେନ୍ଦ୍ର ସ୍ଥାପନ ସମାଜସେବା, ଶିଶୁପତ୍ରିକାର ସମ୍ପାଦକ ଓ ଦୈନିକ ସମାଜର ସହ ସମ୍ପାଦକ ଭାବରେ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ସେ ତାଙ୍କର କର୍ତ୍ତବ୍ୟ ସୁଚାରୁରୂପେ ସଂପାଦନ କରିଛନ୍ତି । ନିର୍ଭୀକତା ଓ ସ୍ଵାଧୀନମତ ପ୍ରକାଶ ତାଙ୍କ ଜୀବନର ପରମ ବ୍ରତ-। ସ୍ଵାଧୀନତା ଲାଭ ପରେ ଦେଶର ପ୍ରଥମ ସାଧାରଣ ନିର୍ବାଚନରେ ସମାଜବାଦୀ ଦଳ ଟିକେଟରେ ବିଧାନସଭା ପ୍ରାର୍ଥୀ ହୋଇ ବିଖ୍ୟାତ ସମାଜବାଦୀ ନେତା ଅଚ୍ୟୁତ ପଟବର୍ଦ୍ଧନ ଓ ଜୟପ୍ରକାଶ ନାରାୟଣଙ୍କ ନିର୍ବାଚନ ପ୍ରଚାର ସତ୍ତ୍ୱେ ବିଜୟ ଲାଭ କରିବା ସମ୍ଭବ ହୋଇ ନାହିଁ ଓ ସକ୍ରିୟ ରାଜନୀତିରୁ ସେ ନେଇଛନ୍ତି ଚିରବିଦାୟ । ନିର୍ବାଚନ ଲଢ଼ିବା ସେଇ ପ୍ରଥମ ଓ ଶେଷ । ସେ ଅନୁଭବ କରିଛନ୍ତି ତାଙ୍କର କର୍ମକ୍ଷେତ୍ର ହୁଏତ ଭିନ୍ନ ଓ ତାହା ତାଙ୍କର ପ୍ରତୀକ୍ଷା କରିରହିଛି । ତାର ଉତ୍ତରଳ ଆହ୍ଵାନ ତାଙ୍କୁ ନୀରବରେ ବସି ରହିବାକୁ ସୁଯୋଗ ଦେଇ ନାହିଁ । ନିଜ ଗ୍ରାମ ମଲ୍ଲିପୁରରେ ପତ୍ନୀ ଶଶିବାଳା ଓ ଦୁଇସନ୍ତାନଙ୍କୁ ରଖି ମାତ୍ର ଗୋଟିଏ ଟଙ୍କା ଓ ଗୋଟିଏ ସାଇକେଲ ସହ ସେ କର୍ମସଂସ୍ଥାନ ଉଦ୍ଦେଶ୍ୟରେ କଟକ ଆସିଛନ୍ତି ୧୯୫୪ ମସିହାରେ ଓ ଏହିଠାରୁ ହିଁ ତାଙ୍କର ନିରବଚ୍ଛିନ୍ନ ସାଧନାର ଅୟମାରମ୍ଭ । ପୂର୍ବରୁ ରାଜନୈତିକ ବନ୍ଦୀଭାବରେ ବ୍ରହ୍ମପୁର ଜେଲରେ ଅବସ୍ଥାନ କାଳରେ ଅସଂଖ୍ୟ ପୁସ୍ତକ ଅଧ୍ୟୟନ ଓ ସହସ୍ରାଧିକ ପୃଷ୍ଠାର ପାଣ୍ଡୁଲିପିରେ ତାଙ୍କ ବିକାଶୋନ୍ମୁଖୀ ପ୍ରତିଭାର ପରିପ୍ରକାଶ ହିଁ ତାଙ୍କର ଭବିଷ୍ୟତ ମାର୍ଗଦର୍ଶକ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥଲା, କହିଲେ ଅତ୍ୟୁକ୍ତି ହେବନାହିଁ ।

 

ସେ ଥିଲେ ଅଜସ୍ରପାଠୀ

ଗାନ୍ଧିଜୀଙ୍କ ଚିନ୍ତାଧାରା ଓ ଆଦର୍ଶବାଦ, ଜୀବନର ଅଜସ୍ର ଅନୁଭୂତି ଓ ଅଭିଜ୍ଞତା, ଜ୍ଞାନଅର୍ଜନର ପିପାସା ଓ ବିତରଣର ଅଭୀପ୍‌ସା ବିନୋଦଙ୍କ ଜୀବନକୁ ଏକ ନୂଆମୋଡ଼ରେ ଉପନୀତ କରାଇବାରେ ସକ୍ଷମ ହୋଇପାରିଛି । ସେ ଥିଲେ ଅଜସ୍ରପାଠୀ । ଯାହା ସେ ଅଧ୍ୟୟନ କରୁଥିଲେ ତାର ପୁଙ୍ଖାନୁପୁଙ୍ଖ ଅନୁଶୀଳନ ତାଙ୍କ ଜ୍ଞାନତୃଷ୍ଣାକୁ ପ୍ରଶମିତ ନକଲା ପର୍ଯ୍ୟନ୍ତ ସେ ଅତୃପ୍ତ ରହୁଥିଲେ । ସମସ୍ତ ବିଷୟ ତାଙ୍କର ପାଠ୍ୟ ଅନ୍ତର୍ଭୁକ୍ତ ଥିଲା । ଯାହା ଦୁରୁହ, ଅବୋଧ୍ୟ ବା ଦୁବୋଧ୍ୟ ମନେ ହେଉଥିଲା ତାକୁ ସମ୍ପୂର୍ଣ୍ଣ ଭାବରେ ଆୟତ୍ତାଧୀନ ନକଲା ପର୍ଯ୍ୟନ୍ତ ତାଙ୍କର ଉଦ୍ୟମ ଅବ୍ୟାହତ ରହୁଥିଲା । ସେଇ ଜଟିଳ ବିଷୟଗୁଡ଼ିକୁ ପରବର୍ତ୍ତୀକାଳରେ ସେ ସରଳ, ସ୍ଵଚ୍ଛନ୍ଦ ଓ ବୋଧଗମ୍ୟ ଭାବରେ ଉପସ୍ଥାପନ କରୁଥିଲେ । ଗାନ୍ଧିଜୀ ଏକଦା କହିଥିଲେ, କୌଣସି ଜାତି ଶିକ୍ଷାବିନା ଅଗ୍ରଗତି କରିପାରିବ ନାହିଁ । ଆଇନ୍‌ଷ୍ଟାଇନ୍‌ କହିଥିଲେ ନିଜ ମାତୃଭାଷାରେ ଯେ କୌଣସି ଭାବନା ତତ୍ତ୍ୱ ବା ତଥ୍ୟକୁ ପ୍ରକାଶ କରିବା ଭଳି ଶ୍ରେଷ୍ଠତମ ମାଧ୍ୟମ ଆଉକିଛି ନାହିଁ । ଲେଖକ ଶ୍ରୀ କାନୁନ୍‌ଗୋ ଏହାର ସତ୍ୟତା ଉପଲବ୍‌ଧି କରିଛନ୍ତି ଓ ମାତୃଭାଷାକୁ ଭାବପ୍ରକାଶର ଶ୍ରେଷ୍ଠତମ ମାଧ୍ୟମ ଭାବରେ ଗ୍ରହଣ କରିଛନ୍ତି ।

 

ଶ୍ରୀ କାନୁନ୍‌ଗୋଙ୍କ ଲେଖନୀ ଥିଲା ଅବାରିତ, ଅଜସ୍ରସ୍ରାବୀ । ଗଦ୍ୟରଚନାରେ ତାଙ୍କର କୃତିତ୍ୱ ପ୍ରମାଣିତ । ପ୍ରବନ୍ଧ, ରିପୋତାଜ୍‌, ଲଳିତ ନିବନ୍ଧ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ତାଙ୍କ ଲେଖନୀର ପାରଦର୍ଶିତା ଉପଲବ୍‌ଧି କରିହୁଏ । ଶିଶୁସାହିତ୍ୟ ଓ ପ୍ରୌଢ଼ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତାଙ୍କୁ ସର୍ବଭାରତୀୟ ସ୍ତରରେ ସମ୍ମାନିତ କରିଛି । ଅଧାରୁପାଠ ଛାଡ଼ି ଶିକ୍ଷାକ୍ଷେତ୍ରରୁ ପରିସ୍ଥିତିର ଚାପରେ ପଡ଼ି ବିଦାୟନେଇଥିବାର କ୍ଷତିକୁ ଭରଣା କରିବା ପାଇଁ ଜ୍ଞାନ ବିତରଣ ଦିଗରେ ସେ ଯେଉଁ ନିରବଚ୍ଛିନ୍ନ ସାଧନା ଓ ନିରଳସ ଉଦ୍ୟମ କରିଛନ୍ତି ତାହା ତାଙ୍କର ବ୍ୟକ୍ତିତ୍ୱକୁ କରିଛି ମହିମାମଣ୍ଡିତ । ପ୍ରତ୍ୟେକଙ୍କୁ ଜ୍ଞାନର ଦାରିଦ୍ର୍ୟରୁ ମୁକ୍ତ କରିବାର ଲକ୍ଷ୍ୟ ନେଇ ତାଙ୍କର ଲେଖନୀ ଗତିମୁଖର । ୪୦୩ଖଣ୍ଡ ବିଶିଷ୍ଟ ଜ୍ଞାନମଣ୍ଡଳ ତାଙ୍କର ଶ୍ରେଷ୍ଠ କୀର୍ତ୍ତିସ୍ତମ୍ଭର ମାନ୍ୟତା ପାଇଥିଲେହେଁ ତାଙ୍କର ୩୬୫ ଦିନିଆ ସିରିଜ, ବିଭିନ୍ନ ରଚନାବଳୀ, ଅନେକ କ୍ଷୁଦ୍ର ପୁସ୍ତିକା, ଗଦ୍ୟରଚନା, ଅନବଦ୍ୟଶୈଳୀ, ପ୍ରାଞ୍ଜଳ ଅଭିବ୍ୟକ୍ତିକୁ ତାଙ୍କ ପ୍ରଚଣ୍ଡ ପ୍ରତିଭାର ଯଥାର୍ଥ ପରିପ୍ରକାଶ ଭାବେ ଗ୍ରହଣ କରାଯାଇପାରେ ।

 

ତାଙ୍କର ଜିଜ୍ଞାସୁମନ, ବହୁପଠନ ଅଭ୍ୟାସ, ଯେ କୌଣସି ଜଟିଳ ତତ୍ତ୍ୱ ବା ତଥ୍ୟକୁ ସରଳ ଓ ସାବଲୀଳ ଭାବରେ ପ୍ରକାଶ କରିବା କୌଶଳ, ତାଙ୍କ ଲେଖନୀକୁ ସ୍ଵତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛି ।

 

ତାଙ୍କ ରଚିତ ପ୍ରବନ୍ଧ, ଲଳିତନିବନ୍ଧ ଓ ରମ୍ୟରଚନାଗୁଡ଼ିକର ଉପାଦେୟତା ସଂପର୍କରେ ଆଲୋକପାତ କରାଯାଇପାରେ । କିଭଳି ସରଳଭାବରେ ଗୋଟିଏ ନିର୍ଦ୍ଦିଷ୍ଟ ତଥ୍ୟ ବା ତତ୍ତ୍ୱକୁ ବିଶ୍ଲେଷଣ କରାଯାଇପାରେ ତାହା ତାଙ୍କ ରଚନାକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଉଠେ । ଧର୍ମ, ସମାଜ, ସାହିତ୍ୟ, ସଂସ୍କୃତି, ଇତିହାସ, ସମାଜତତ୍ତ୍ଵ, ରାଜନୀତି, ଅର୍ଥନୀତି, ବ୍ୟାବହାରିକ ବିଦ୍ୟା, ପଦାର୍ଥ ବିଦ୍ୟା, ଉଦ୍ଭିଦ ବିଜ୍ଞାନ, ଜୀବବିଦ୍ୟା, ଆୟୁର୍ବେଦ, ଭୂତତ୍ତ୍ଵ, ନୃତତ୍ତ୍ୱ, ଶରୀର ବିଜ୍ଞାନ, ଡାକ୍ତରୀବିଦ୍ୟା, ଜୋତିଷଶାସ୍ତ୍ର, ଆଷ୍ଟ୍ରୋଫିଜିକ୍ସ ନ୍ୟୁକ୍ଲିୟର ବିଜ୍ଞାନ, ଦର୍ଶନ, ମନସ୍ତତ୍ତ୍ୱ, ସମାଜବିଜ୍ଞାନ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ସେ ଲେଖନୀ ଚାଳନା କରିଛନ୍ତି । ଗଭୀର ଅଧ୍ୟୟନ ମଧ୍ୟରୁ ସେ ଯେଉଁ ଜ୍ଞାନ ଆହରଣ କରିଛନ୍ତି ତାହା ସର୍ବସାଧାରଣଙ୍କ ଅବବୋଧ ନିମିତ୍ତ ଅତି ସରଳ, ମାର୍ଜିତ ଓ ସାବଲୀଳ ଭାବରେ ଉପସ୍ଥାପନ କରିଛନ୍ତି । ଜ୍ଞାନମଣ୍ଡଳର ପ୍ରଣୟନ ପାଇଁ କେବଳ ତଥ୍ୟ ସଂଗ୍ରହରେ ବା ସମ୍ପାଦନାରେ ସନ୍ତୁଷ୍ଟ ନରହି ପ୍ରତ୍ୟେକ ବିଷୟକୁ ଗଭୀର ଭାବରେ ଅନୁଶୀଳନ କରିବାର ପ୍ରକ୍ରିୟା ମଧ୍ୟରୁ ଅନେକ ନୂତନତଥ୍ୟ ଓ ସତ୍ୟକୁ ଉଦ୍‌ଘାଟନ କରିବାର ଅବକାଶ ସୃଷ୍ଟି ହୋଇଛି । କେବଳ ଶବ୍ଦାର୍ଥ ବା ଅର୍ଥ ପ୍ରତୀତି ମଧ୍ୟରେ ସୀମିତ ନରହି ବିଷୟର ଗୁରୁତ୍ଵ ଓ ବ୍ୟାବହାରିକ ଉପଯୋଗିତା ସଂପର୍କରେ ତାଙ୍କର ଆଲେଖ୍ୟ ଉଲ୍ଲେଖନୀୟ ।

 

ସାଧାରଣ ଜୀବନରେ ଆଶା, ଆଳସ୍ୟ, ଉଦ୍‌ବେଗ, ଆନନ୍ଦ ଆପଦ୍ଧର୍ମ, ଆତ୍ମା, ଆତ୍ମବଂଚନା, ଆଚାର, ବ୍ୟବହାର, ଅଭ୍ୟାସ, ଅଭଦ୍ରତା, ଅପମାନ, ଇତ୍ୟାଦି ବିଷୟଗୁଡ଼ିକର ଗୁରୁତ୍ୱକୁ ଅସ୍ୱୀକାର କରାଯାଇ ପାରେନା, ଯାହା ସାଧାରଣ ନିକଟରେ ଗୌଣ, ତୁଚ୍ଛ ଓ ଅବହେଳିତ ତଥା ନଗଣ୍ୟ ଲେଖକଙ୍କ, ଲେଖନୀରେ ତାର ବ୍ୟାବହାରିକତା ଓ ଗୁରୁତ୍ଵ ସଂପର୍କରେ ସୂଚନା ମିଳିଥାଏ । ଅତିସରଳ ଭାଷାରେ ସେ ଏହାକୁ ପାଠକୀୟ ଅବଗତି ଓ ଲୋକଶିକ୍ଷା ନିମନ୍ତେ ଉପସ୍ଥାପନ କରିଛନ୍ତି ।

 

‘‘ଆଶା‘‘ ସଂପର୍କରେ ତାଙ୍କର ମତ ହେଲା, ଅଭିଧାନ ମଧ୍ୟରୁ ଏଇ ଶବ୍ଦଟିର ଉଚ୍ଛେଦ ହେଲେ ମନୁଷ୍ୟ ଆଉ ମନୁଷ୍ୟ ହୋଇ ରହିବ ନାହିଁ । ତାର ଚିନ୍ତାରାଜ୍ୟରେ ଘୋର ବିଭ୍ରାଟ ସୃଷ୍ଟି ହେବ । ଯେଉଁ ଲୋକ ହତଭାଗ୍ୟ ତା’ ପାଇଁ ଗୋଟିଏ ମାତ୍ର ଔଷଧ ହିଁ ଆଶା । ଆଶଙ୍କା ହିଁ ଆଶା ପଥର ପ୍ରତିବନ୍ଧକ । ‘‘ଆଶାହିଁ ପ୍ରେରଣା, ବନ୍ଦୀର ମୁକ୍ତି, ରୋଗୀର ସ୍ୱାସ୍ଥ୍ୟ, ପ୍ରେମିକର ବିଜୟ ଓ ଭିକ୍ଷୁକର ସମ୍ପଦ ।’’ କି ଚମତ୍କାର ବ୍ୟାଖ୍ୟା ! ସେହିପରି ଆଳସ୍ୟ ସଂପର୍କରେ ସେ ଲେଖିଛନ୍ତି, ‘‘ଥରେ ଆଳସ୍ୟ ଗୋଟିଏ ଜାତିକୁ ଗ୍ରାସିଗଲେ ଏତେ ଦିଗରୁ ତାର ଅଧଃପତନ ହୁଏ ଯେ ଶହ ଶହ ବର୍ଷ ପର୍ଯ୍ୟନ୍ତ ସେ ଆଉ ଉଠି ପାରେ ନାହଁ । ଦୁର୍ବଳମନା ଲୋକମାନଙ୍କର ଆଳସ୍ୟ ହେଉଛି ଏକମାତ୍ର ଆଶ୍ରା । ଅଳସୁଆହିଁ ସଇତାନର ଶିଷ୍ୟ ।’’ ଆଳସ୍ୟ ସମ୍ପର୍କରେ ଜନସାଧାରଣଙ୍କ ସଚେତନ କରାଇବା ପ୍ରୟାସ ଏଥିରେ ସ୍ପଷ୍ଟ । ‘ଆବେଗ’କୁ ଅସ୍ଵୀକାର କରିହେବ ନାହିଁ କାରଣ ଆବେଗ ହିଁ ମଣଷକୁ ନିୟନ୍ତ୍ରଣ କରିଥାଏ । ଲେଖକ ବୈଜ୍ଞାନିକ ଦୃଷ୍ଟିକୋଣରୁ ଓ ଶରୀର ଗଠନ ପ୍ରକ୍ରିୟାରୁ ଆବେଗ ସୃଷ୍ଟିର ରହସ୍ୟକୁ ଅତି ମନୋଜ୍ଞ ଭାବରେ ପ୍ରକାଶ କରିଛନ୍ତି । ଅନେକଗୁଡ଼ିଏ ଶବ୍ଦ ରହିଛି ଯାହାର ବ୍ୟାଖ୍ୟା କରିବା ସହଜସାଧ୍ୟନୁହେଁ । ଗୋଟିଏ ଶବ୍ଦକୁ ଭିନ୍ନ ଭିନ୍ନ ଭାବରେ ବିଶ୍ଲେଷଣ ବା ବ୍ୟାଖ୍ୟା କରାଯାଇପାରେ । ସେଗୁଡ଼ିକ ଦର୍ଶନ, ଭାବନା, ଚିନ୍ତା ବା ଭାବ ପ୍ରକାଶର ଶବ୍ଦ । ଏଇ ଭାବ ପ୍ରକାଶ କରିବାରେ ତାହା ଯେପରି ସମସ୍ତଙ୍କ ଦ୍ଵାରା ଗ୍ରହଣଯୋଗ୍ୟ ହୋଇପାରିବ ଏ ସଂପର୍କରେ ଲେଖକ ଯତ୍ପରୋନାସ୍ତି ଚେଷ୍ଟା କରିଛନ୍ତି ଓ ସଫଳ ହୋଇଛନ୍ତି । ନିହାତି ନଗଣ୍ୟ, ଅବାନ୍ତର ଓ ଅବହେଳିତ ମନେ ହେଉଥିବା ଓ ସହଜ ଅଥଚ ଭାବଗର୍ଭକ ହୋଇଥିବା ବିଷୟ ଗୁଡ଼ିକର ନିର୍ବାଚନ ଉପସ୍ଥାପନ କରିବାରେ ଶ୍ରୀ କାନୁନ୍‌ଗୋ ପାରଦର୍ଶିତା ଉଲ୍ଲେଖନୀୟ । ପ୍ରତ୍ୟେକଟି ଦିଗରୁ ବିଷୟଟିର ତର୍ଜମା କରିବା କୌଶଳ ଓ ସଫଳ ପ୍ରୟୋଗ ଲେଖକଙ୍କ ବୈଶିଷ୍ଟ୍ୟ-

 

‘ଆପଦ୍ଧର୍ମରେ ସେ କହିଛନ୍ତି ‘‘ନିଜର ଇଚ୍ଛାନଥିଲେ ମଧ ଅସମୟରେ ବା ବିପଦ ସମୟରେ କେତେକ କାମ କରିବାକୁ ଆମେ ବାଧ୍ୟ ହୋଇଥାଉ । ସେ କାର୍ଯ୍ୟ ନ କଲେ ଭଲ ହୁଅନ୍ତା ବୋଲି ମନ କହୁଥାଏ କିନ୍ତୁ ଅବସ୍ଥାଚକ୍ରରେ ପଡ଼ି ସେଭଳି କାର୍ଯ୍ୟ କରିବାକୁ ପଡ଼େ । ସାଧାରଣ ସମୟରେ, ସାଧାରଣ ପରିସ୍ଥିତିରେ ସେଭଳି କାମ ହୁଏତ ଆମେ କରନ୍ତୁ ନାହିଁ । ବିବେକ ବିରୋଧ ସତ୍ତ୍ୱେ ଆପଦ୍ଧର୍ମ ହିସାବରେ ସେ କାର୍ଯ୍ୟ କରିଯାଉଛୁ, ମାତ୍ର ଯେ କୌଣସି ଅନ୍ୟାୟ କାର୍ଯ୍ୟକୁ ଆପଦ୍ଧର୍ମ ବୋଲି କୁହାଯାଇ ନପାରେ’’ -ମଣିଷ ପରିସ୍ଥିତିର ଦାସ । ପରିସ୍ଥିତି ଓ ପରିବେଶକୁ ନେଇ ବିବେକ ବିରୋଧୀ କାର୍ଯ୍ୟ କରିବାକୁ ପଡ଼ିଥାଏ । ମାତ୍ର ଯାହା ଅନ୍ୟାୟ ଓ ଅସତ୍ୟ ତାହା ଅପରିବର୍ତ୍ତିତ ହୋଇ ରହିବ, ନ୍ୟାୟ ଓ ସତ୍ୟ ହୋଇପାରିବ ନାହିଁ । ‘ଆନନ୍ଦ’ ଆଲେଖ୍ୟରେ ଲେଖକଙ୍କ ମତ ହେଉଛି- ‘‘ମନୁଷ୍ୟ ପ୍ରକୃତ ଆନନ୍ଦ ତା ଭିତରେ ପାଇବ । ବାହାରେ ଖୋଜିଲେ ହତାଶ ହେବ । କାରଣ ଆନନ୍ଦ କହିଲେ ସେ କଅଣ ବୁଝିଛି କେବଳ ସେହି ହିଁ ଜାଣେ । କିଏ ଦାରିଦ୍ର୍ୟ ଭିତରେ ଆନନ୍ଦର ଅନୁସନ୍ଧାନ କଲାବେଳେ କିଏ ହୁଏତ ପ୍ରାଚୁର୍ଯ୍ୟ ମଧ୍ୟରେ ଆନନ୍ଦର ଆବିଷ୍କାର କରେ । ତେଣୁ ଆନନ୍ଦ ଏକ ଆପେକ୍ଷିକ ଶବ୍ଦ । ସେହିଭଳି ଆଧ୍ୟାତ୍ମିକତା ଧର୍ମନୁହେଁ, ଈଶ୍ୱର ଭକ୍ତି ନୁହେଁ - ଏହା ଏକ ଜୀବନ ନିର୍ବାହ ପଦ୍ଧତି । ଅନ୍ୟପ୍ରତି ସହାନୁଭୂତି, କରୁଣା, ସରଳ ଅଥଚ ପରିପୂର୍ଣ୍ଣ ଜୀବନହିଁ ଆଧ୍ୟାତ୍ମିକତା ବିକାଶର ମାପକାଠି ।’’ ଆଧ୍ୟାତ୍ମିକତା ସମ୍ପର୍କରେ ଏଭଳି ନିର୍ଭୁଲ ଓ ଯଥାର୍ଥ ସଂଜ୍ଞା ଅନ୍ୟତ୍ର ଅନୁପଲଭ୍ୟ ।

 

ଆଦର୍ଶ ସଂପର୍କରେ ଉଲ୍ଲେଖ କରାଯାଇଛି, ‘‘ନିଜକୁ ଗଠନ କରିବାପାଇଁ ଗୋଟାଏ ଆଦର୍ଶ ଆମ ଆଖି ଆଗରେ ରହିବା ନିତାନ୍ତ ଆବଶ୍ୟକ । ଗୋଟାଏ ସମାଜର ଜୀବନରେ ଦେଶର ଇତିହାସରେ ଏଭଳି ଗୋଟିଏ ସମୟ ଆମେ ଯେତେବେଳେ କି ଲୋକେ କାହାକୁ ଆଦର୍ଶ ବୋଲି ବିଚାରି ପାରନ୍ତି ନାହିଁ । ତାହା ହିଁ ଜାତିର, ଦେଶର, ସମାଜର ଚରମ ଦୁର୍ଦ୍ଦିନର ସମୟ । ଆଦର୍ଶ ଏକ ଆପେକ୍ଷିକ ଶବ୍ଦ ହୋଇଥିଲେ ହେଁ ତାର ଉପାଦେୟତା ସଂପର୍କରେ ଓ ଅସ୍ମିତା ସଂପର୍କରେ ଲେଖକଙ୍କ ମନ୍ତବ୍ୟ ପ୍ରଣିଧାନ ଯୋଗ୍ୟ । ଆତ୍ମବଂଚନା ନିକଟରେ ମଣିଷ ବହୁ ସମୟରେ ପରାଜୟ ସ୍ୱୀକାର କରେ । ଆମେ ଯାହା ନୋହୁଁ ବୋଲି ଖୁବ୍‌ ଭଲ ଭାବରେ ଜାଣୁ ଆଉ ଜଣେ ଆମକୁ କହିଦିଏ ଯେ ଆମେ ପ୍ରକୃତରେ ସେଇଆ - ସେତେବେଳେ ତା’କଥାରେ ବିଶ୍ୱାସ କରିଯାଉ । ମନୁଷ୍ୟର ଏହାଠାରୁ ବଳି ଦୁର୍ଭାଗ୍ୟ କଣ ହୋଇପାରେ ? ଏ ସମ୍ପର୍କରେ ଶେଷକଥା ହେଉଛି, ମଣିଷ ନିଜଦ୍ୱାରା ଯେତେ ଠକାମିରେ ପଡ଼ିଛି ଅନ୍ୟ କାହାଦ୍ୱାରା ସେତେ ଠକାମିରେ ପଡ଼ିନାହଁ । ଆମେ ପ୍ରଥମେ ନିଜକୁ ଠକାଇଥାଉ ତାପରେ ବିଚାରୁ ଅନ୍ୟମାନେ ଆମକୁ ଠକାଇଲେ । ଆତ୍ମପ୍ରବଞ୍ଚନାର ମୋହଜାଲ ଭିତରୁ ମନୁଷ୍ୟ ଯଦି ନିଜକୁ ମୁକ୍ତ କରି ଆଣିପାରିବ ତେବେ ନିଜର ବହୁ ବ୍ୟକ୍ତିଗତ ସମସ୍ୟାର ସମାଧାନ ଦିଗରେ କୌଣସି ପ୍ରତିବନ୍ଧକ ରହିବନାହିଁ ।

 

ଆଚାରର ବିଭିନ୍ନ ସ୍ଵରୂପ ସଂପର୍କରେ ଉଲ୍ଲେଖ କରି ଏହା କୁଳାଚାର, ଶିଷ୍ଟାଚାର, ମାନବାଚ୍ଚାର, ଭ୍ରଷ୍ଟାଚାର, କପଟାଚାର ଇତ୍ୟାଦି ବିଭିନ୍ନ ରୂପରେ କିଭଳି ସମାଜକୁ ଆଚ୍ଛନ୍ନ କରି ରଖିଥାଏ ତାହା ଦର୍ଶାଇଛନ୍ତି । ‘ଆଇନ’ ସମ୍ପର୍କରେ ଉଲ୍ଲେଖ କଲାବେଳେ ବିଧିନିଷେଧ, ପ୍ରଥାଗତ ନିୟମ, ଆଇନ ଓ ଶାସ୍ତି ସମ୍ପର୍କରେ ତର୍ଜମା ଏକାନ୍ତ ଉପାଦେୟ ମନେହୁଏ । ଗୋଟିଏ ରାଷ୍ଟ୍ରର ସୀମାଭିତରେ ପ୍ରଚଳିତ ବ୍ୟବସ୍ଥା ହିଁ ଆଇନ୍‌ ହେଲେ ହେଁ ଏହା ପଛରେ ଜନସାଧାରଣଙ୍କ ସମର୍ଥନ ନ ଥିଲେ ଏହା କାର୍ଯ୍ୟକାରୀ ହେବା ସହଜ ନୁହେଁ ବା ସମ୍ଭବ ନୁହେଁ । ଲୋକମାନଙ୍କୁ ଶୋଷଣ ଉଦ୍ଦେଶ୍ୟରେ ପ୍ରଣୋଦିତ ଆଇନ ବର୍ଜନୀୟ । ଆଇନର ସରଳତର୍ଜମା ଉଲ୍ଲେନୀୟ । ‘ଅନିଆ’ କହିଲେ ଯାହା ସ୍ଥାନ ଭ୍ରଷ୍ଟ ହେଲା ତାହା ଅଳିଆ । ପ୍ରତିମୁହୂର୍ତ୍ତରେ ଅଳିଆ ଜମିଚାଲିଛି ଓ ମଣିଷ ଆପ୍ରାଣ ଚେଷ୍ଟାକରି ଚାଲିଛି ସେଇ ଅଳିଆରୁ ନିଜକୁ ରକ୍ଷା କରିବା ପାଇଁ ବୋଲି ଲେଖକ କହିଛନ୍ତି-। ଆଜିର ମାଟି, ପାଣି, ପବନ ସବୁଗୁଡ଼ିକୁ ଅଳିଆମୁକ୍ତ କରିବା, ଅଳିଆକୁ ସମ୍ପଦରେ ପରିଣତ କରିବାର ପ୍ରେରଣା ପ୍ରକୃତିଠାରୁ ଆହରଣ କରିବା ତଥା ଅଳିଆ ପ୍ରତି ଘୃଣା ମନୋଭାବ ନ ଦେଖାଇ ଏହାର ପରିଷ୍କରଣ ଓ ପ୍ରକୃତ ବିନିଯୋଗ କରିବା ପାଇଁ ଚେଷ୍ଟାଶୀଳ ହେବା ସଭ୍ୟ ସମାଜର ଦାୟିତ୍ୱ ବୋଲି ଲେଖକ ଦର୍ଶାଇଛନ୍ତି ।

 

ସାହିତ୍ୟ, ସଂସ୍କୃତି, ଧର୍ମ ଇତ୍ୟାଦିକୁ ନେଇ ଲେଖକ କେତେଟି ଆଲେଖ୍ୟ ପ୍ରଦାନ କରିଛନ୍ତି । ଉପନ୍ୟାସ, ଔଚିତ୍ୟ, ଜଣାଣ, ଏଲିଟ ଇତ୍ୟାଦି ଏହି ଶ୍ରେଣୀୟ । ଉପନ୍ୟାସ ସଂପର୍କରେ ତାଙ୍କର ମତହେଲା ଲେଖକ ଯାହା ଭାବୁଛି, ଯାହା ଦେଖିଛି ତାକୁ ଗୋଟିଏ ନୂତନ ଭଙ୍ଗୀରେ ପ୍ରକାଶ କରିବାପାଇଁ ସେ ପ୍ରଥମେ କ୍ଷୁଦ୍ର କ୍ଷୁଦ୍ର ଗଳ୍ପ ଲେଖିଛି ଓ ଦୁଇ ତିନୋଟି ଚରିତ୍ର ଭିଡ଼ରେ ଏହା ସୀମିତ ରହିଛି । କୌଣସି ଲେଖକ ହୁଏତ ଅନୁଭବ କରିଛନ୍ତି ଯେ ବହୁ ସମସ୍ୟା ବିଷୟରେ ଭାବିବା ପାଇଁ ପାଠକକୁ ସୁଯୋଗ ଦିଅନ୍ତେ । ଏଇ ବ୍ୟାକୁଳତା ମଧ୍ୟରୁ ଉପନ୍ୟାସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଫଳ ଔପନ୍ୟାସିକର ଦୂରଦୃଷ୍ଟି ବ୍ୟାପକ ଦୃଷ୍ଟି ଓ କଳ୍ପନାର ବ୍ୟାପକତା ଉପରେ ଉପନ୍ୟାସର ମର୍ଯ୍ୟାଦା ତଥା ଉପଯୋଗିତା ନିର୍ଭରକରେ । ଉପନ୍ୟାସର ପାତ୍ର, ପରିଦେଶ, ବିଷୟବସ୍ତୁ, ସଫଳତା, ବିଫଳତା ଇତ୍ୟାଦି ପ୍ରତ୍ୟେକ ପ୍ରସଙ୍ଗରେ ଲେଖକଙ୍କ ଅନୁଶୀଳନ ଉଲ୍ଲେଖନୀୟ । ତାଙ୍କ ମତଭେଦ ଉପନ୍ୟାସର ମୋଟାମୋଟି ତିନି ଚାରି ଗୋଟି ଶ୍ରେଣୀରେ ବିଭକ୍ତ; ଶତକଡ଼ା ନବେ ଭପନ୍ୟାସ ହୃଦୟ ଆବେଗମୂଳକ ଉପନ୍ୟାସ, ଦ୍ୱିତୀୟ ପର୍ଯ୍ୟାୟ ହେଲା ଆଡଭେଞ୍ଚର ବା ରୋମାଞ୍ଚ ପ୍ରଧାନ ଉପନ୍ୟାସ ଓ ୩ୟଟି ଅଦ୍ଭୁତ ବା ଉଦ୍ଭଟରସ ପ୍ରଧାନ ଉପନ୍ୟାସ-। ଶେଷୋକ୍ତି ପର୍ଯ୍ୟାୟଟି ହେଲା ବିଜ୍ଞାନର ନୂତନ ଆବିଷ୍କାର, ସମାଜନୀତି, ଅର୍ଥନୀତି, ନୂତନଚିନ୍ତା ଓ ଭାବନା, ନୂତନ ମତବାଦକୁ ଭିତ୍ତିକରି ଗଢ଼ି ଉଠିଥିବା ଉପନ୍ୟାସ । ଅନନ୍ତ ପ୍ରସାର ସମ୍ଭାବନା ମଧ୍ୟରେ ହଁ ଉପନ୍ୟାସର ଜୀବନୀଶକ୍ତି ନିହିତ ରହିଛି ବୋଲି ଲେଖକ ପ୍ରକାଶ କରିଛନ୍ତି । ସାହିତ୍ୟ ଓ ଆଳଙ୍କାରିକ ତଥ୍ୟ ଭିତ୍ତିକ ନିବନ୍ଧ ଔଚିତ୍ୟର ପ୍ରାସଙ୍ଗିକତା ସଂପର୍କରେ ତାଙ୍କର ପ୍ରତିବେଦନ ପ୍ରମାଣ ନିର୍ଭର ହୋଇପାରିଛି । ‘ଜଣାଣ’ ଲେଖାଟିରେ ଓଡ଼ିଆଭାଷାରେ ଜଣାଣ, ସ୍ତୁତି, ସ୍ତବ ଇତ୍ୟାଦି ଏକାର୍ଥବାଚକ ହେଲେ ହେଁ ପ୍ରୟୋଗ କ୍ଷେତ୍ରରେ ଏହାର ବିବିଧତା ଦର୍ଶାଇ ଭକ୍ତ-ଭଗବାନ, ଜ୍ଞାନ-ସତ୍ୟ ଓ ଜଣାଣ ତଥା ପ୍ରାର୍ଥନାରେ ଆନ୍ତରିକତା ଓ ଭକ୍ତିଭାବନାର ଗୁରୁତ୍ଵ ଆଲୋଚନା ପରିସରଭୁକ୍ତ ହୋଇଛି।’’

 

ଲେଖକଙ୍କର ଅଧିକାଂଶ ରାଜନୈତିକ ନିବନ୍ଧ ମଧ୍ୟରୁ ଅଧିକାର, ଆଇନ୍‌, ଜନମତ, ଗଣତନ୍ତ୍ର, ଅନଶନ ଇତ୍ୟାଦିର ନାମ ଉଲ୍ଲେଖନୀୟ । ଏଗୁଡ଼ିକରେ ତାଙ୍କର ଗଭୀର ଅଧ୍ୟୟନ, ଅନୁଭୂତି, ଗବେଷଣାପ୍ରସୂତ ତଥ୍ୟ, ରାଜନୀତିକ ବିଚାରଧାରା, ଉଦ୍ଦେଶ୍ୟ କାର୍ଯ୍ୟକାରିତା ପ୍ରତି ଦୃଷ୍ଟିପାତ ପରିଲକ୍ଷିତ । ମଣିଷ ଯେତେବେଳେ ପ୍ରକୃତ ଅର୍ଥରେ ସାମାଜିକ ଜୀବନ ଥିଲା ସେତେବେଳେ ତାର ମୁକ୍ତଜୀବନ ମଧ୍ୟରେ ‘ଅଧିକାର’ର ସତ୍ତାନଥିଲା, ମାତ୍ର ବଞ୍ଚିବାର ଅଧିକାର ସେ ପ୍ରକୃତିଠାରୁ ହିଁ ହାସଲ କରିନେଇଥିଲା । ପରବର୍ତ୍ତୀ କାଳରେ ସାମାଜିକ ମଣିଷ ଅଧିକାର ଅପେକ୍ଷା କର୍ତ୍ତବ୍ୟ ସଚେତନ ହେଲା ଓ ଅଧିକାରର ଜନ୍ମ ଏଇ କର୍ତ୍ତବ୍ୟ ଭିତରୁ ହୋଇଛି ବୋଲି ଅନୁମିତ ହୁଏ । ପରେ ରାଜନୀତିକ ଅଧିକାର, ସାମାଜିକ ଅଧିକାର, ବଞ୍ଚିବାର ଅଧିକାର ଇତ୍ୟାଦିର ଅଭ୍ୟୁଦ୍ଦୟ ବୋଲି ଲେଖକ ଉଲ୍ଲେଖ କରିଛନ୍ତି । ଜନମତ ସଂପର୍କରେ ତାଙ୍କର ମନ୍ତବ୍ୟ ହେଲା- ୧୮ଶ ଶତାବ୍ଦୀର ଶେଷ ଭାଗରେ ପାଶ୍ଚାତ୍ୟ ଜଗତରେ ଜନମତ ପ୍ରାଧାନ୍ୟ ଲାଭ କରିଛି । ଯେତେବେଳେ ବହୁଲୋକଙ୍କ ଏକ ପ୍ରକାର ମତକୁ ଗୋଟିଏ ବିଧିବଦ୍ଧଗୋଷ୍ଠୀ ମିଳିତ ସ୍ଵରରେ ଭାଷାରେ ପ୍ରକାଶ କଲେ ତାକୁ ଜନମତ ବୋଲି କୁହାଗଲା । ଏଭଳି କହିବାବେଳେ ଧରିନିଆଯାଇଛି ଯେ ଗୋଟିଏ ନିର୍ଦ୍ଦିଷ୍ଟ ସମାଜ ବା ମାନବ ଗୋଷ୍ଠୀର ଅଧିକାଂଶ ଲୋକଙ୍କର ଯାହା ମତ ତାକୁ ଜନମତ କହିବାରେ ଦ୍ୱିଧାନାହିଁ । ବିଭିନ୍ନ ଦେଶରେ ଜନମତର ସ୍ଵରୂପ ସଂପର୍କରେ ଲେଖକ ଉଲ୍ଲେଖ କରିଛନ୍ତି ଓ ବିରୋଧାଭାସ ଭିତରେ ମଧ୍ୟ ଜନମତ ତାର ଜୈତ୍ରଯାତ୍ରା ଅବ୍ୟାହତ ରଖିପାରେ ବୋଲି ମନ୍ତବ୍ୟ ଦେଇଛନ୍ତି ।

 

‘ଗଣତନ୍ତ୍ର’ ଖ୍ରୀ: ପୂ ୫ମ ଶତାବ୍ଦୀରେ ଗ୍ରୀସରେ ସୃଷ୍ଟି ହୋଇଥିବା ଶତ ଡିମୋକ୍ରାଟିଆର ରୂପାନ୍ତର । ପରେ ଆମେରିକାରେ ପ୍ରଚଳିତ ସାମାଜିକ ଗଣତନ୍ତ୍ର, ମାର୍କ୍ସଙ୍କ ଅର୍ଥନୀତିକ ଗଣତନ୍ତ୍ର ଇତ୍ୟାଦିର ସୃଷ୍ଟି । ଏକନିର୍ଦ୍ଦିଷ୍ଟ ଆଦର୍ଶବାଦ ଉପରେ ଗଣତନ୍ତ୍ର ପ୍ରତିଷ୍ଠିତ ବୋଲି କହିହେବ ନାହିଁ । ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଏହାର ସଂଜ୍ଞା ପରିବର୍ତ୍ତିତ ହୋଇଛି ଓ ଏହା ବ୍ୟାପକ ହୋଇଛି ବୋଲି ଲେଖକ ସୂଚାଇଛନ୍ତି । ଗଣତନ୍ତ୍ର ହେଉଛି ଜୀବନର ଗୋଟିଏ ଧାରା । ଜନସାଧାରଣ ଯେତେବେଳେ ଶିକ୍ଷିତ ହେବେ, ଭଲମନ୍ଦ ସମ୍ପର୍କରେ ଅବହିତ ହେବେ ସେତେବେଳେ ହିଁ ଗଣତନ୍ତ୍ରର ମର୍ଯ୍ୟାଦା ବୃଦ୍ଧି ପାଇବ । ଦାରିଦ୍ର୍ୟ ଗଣତନ୍ତ୍ରର ବିକାଶରେ ବାଧକ । ରେଡ଼ିଓ ଟେଲିଭିଜନ ଇତ୍ୟାଦି ଗଣମାଧ୍ୟମଗୁଡ଼ିକ ସରକାରଙ୍କ ପୂର୍ଣ୍ଣ ନିୟନ୍ତ୍ରଣରେ ରହିଲେ ଗଣତନ୍ତ୍ରରେ ବିଭ୍ରାଟ ସୃଷ୍ଟି ହେବା ସ୍ଵାଭାବିକ । ନିର୍ବାଚନ ସମୟରେ କେତେ ମିନିଟ ପାଇଁ ନିଜ ମତ ପ୍ରକାଶ କରିବାକୁ ଯେଉଁ ଅଧିକାର ଦିଆଯାଏ ତାର କୌଣସି ମୂଲ୍ୟନାହିଁ । ଗଣତନ୍ତ୍ରକୁ ଜାଣିବା ପାଇଁ ସମସ୍ତଙ୍କୁ ସୁଯୋଗ ମିଳିବା ଆବଶ୍ୟକ । ବିଭିନ୍ନ ଗବେଷଣାଲବ୍ଧତଥ୍ୟ ଓ ସ୍ଵକୀୟ ଅନୁଭୂତିର ସମାବେଶରେ ‘ଗଣତନ୍ତ୍ର’ ସଂପର୍କିତ ନିବନ୍ଧଟି ମନୋଜ୍ଞ ହୋଇପାରିଛି ।

 

ସମାଜରେ ବ୍ୟାବହାରିକ ତଥା ଉପଯୋଗୀ ବିଷୟଗୁଡ଼ିକ ମଧ୍ୟରେ କେତେକ ସାଧାରଣ ଓ ତୁଚ୍ଛ ମନେହୁଏ । ଏଇ ତୁଚ୍ଛାତିତୁଚ୍ଛ ବିଷୟଗୁଡ଼ିକ ମଧ୍ୟ ଲେଖକଙ୍କ ପର୍ଯ୍ୟବେକ୍ଷଣରୁ ବାଦ୍‌ପଡ଼ିନାହଁ । ସେଗୁଡ଼ିକର ପ୍ରାସଙ୍ଗିକତା, ଭଲମନ୍ଦ ସଂପର୍କରେ ସେ ବିଭିନ୍ନ ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି । ସେଥିମଧ୍ୟରୁ କେତୋଟି ଲେଖା ମଧ୍ୟରେ ଅଭ୍ୟାସ, ଅଭଦ୍ରତା, ଅପମାନ, ଅନୁତାପ, ଈଷା ଈଜ୍ଜତ, ଖ୍ୟାତି କ୍ରୋଧ, କୃପଣତା, ଅକୃତଜ୍ଞତା, କୁସଂସ୍କାର, ଖୁସାମତ, ଉଦ୍‌ବେଗ, ଉଚ୍ଚାରଣ, ଅନୁଭୂତି, ଗାଳି, ଘୃଣା, ଗୋଳମାଳ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ସାଧାରଣ ଦୃଷ୍ଟିରେ ଯାହା ଗୁରୁତ୍ଵପୂର୍ଣ୍ଣ ନୁହେଁ ତାହା ଲେଖକଙ୍କ ଲେଖନୀରେ ଗୁରୁତ୍ୱ ବହନ କରିଛି ଓ ଜନଶିକ୍ଷାର ସାଧନ ହୋଇପାରିଛି ।

 

ଅଭ୍ୟାସ ସଂପର୍କିତ ଦୀର୍ଘ ଆଲେଖ୍ୟରେ ଅଭ୍ୟାସର ସ୍ଵରୂପ, ଉପାଦେୟତା, ଉପକାରିତା, ଅପକାରିତା ଇତ୍ୟାଦିର ସୂଚନା ଉପଲବ୍ଧ । ଜନ୍ମହେଲା ବେଳ ଯେଉଁ ଆଚରଣ ଆମେ ସାଙ୍ଗରେ ଆଣିନାହୁଁ, ପରେ ବାରଂବାର କରିବା ଦ୍ଵାରା ସେହି ଆଚରଣ ଆମର ନିଜର ହୋଇଯାଏ । ପାରିପାର୍ଶ୍ୱିକ ପରିସ୍ଥିତିର ପ୍ରଭାବରୁ କେହି ବାଦ୍‌ ଯାଇପାରେ ନାହିଁ ଓ ସେହି ପ୍ରଭାବ ଆମକୁ କେତେଗୁଡ଼ାଏ କାମକରାଏ । ବାରଂବାର ସେହି ଏକା କାମ କରିବାଦ୍ୱାରା ତାହା ଆମର ଅଭ୍ୟାସରେ ପରିଣିତ ହୋଇଯାଏ । ଅଭ୍ୟାସ ସୃଷ୍ଟି କରିବାର ପନ୍ଥାର ଅନ୍ୟନାମ ଶିକ୍ଷା ବୋଲି ଲେଖକ ଦର୍ଶାଇଛନ୍ତି । ମହାପୁରୁଷମାନଙ୍କ ମତରେ ସଦ୍‌ବିଚାର ଚିନ୍ତା ହିଁ ଅଭ୍ୟାସ । × × ମାନବ ପ୍ରକୃତିରେ ଅତି ଶକ୍ତିଶାଳୀ ନିୟମ ହେଉଛି ଅଭ୍ୟାସ । ×× ଊଣା ଅଧିକେ ଆମେ ସମସ୍ତେ କୌଣସି ନା କୌଣସି ଗୋଟାଏ ଅଭ୍ୟାସର ଦାସତ୍ଵ ସ୍ଵୀକାର କରିଛୁ । × × ଏ ଦୁନିଆଁର ସବୁଠୁ ବଡ଼ ବୈଚିତ୍ର୍ୟ ହେଉଛି ଯେଉଁ ଲୋକ ମାନବ ଜାତିକୁ ବନ୍ଧନମୁକ୍ତ କରିବା ନିମନ୍ତେ ଜୀବନ ପର୍ଯ୍ୟନ୍ତ ଉତ୍ସର୍ଗ କରିବା ପାଇଁ ସବୁବେଳେ ପ୍ରସ୍ତୁତ, ସେ ନିଜକୁ ଅଭ୍ୟାସର ବନ୍ଧନରୁ ମୁକ୍ତ କରିପାରୁନାହିଁ । ‘ଅଭ୍ୟାସ’ ସଂପର୍କରେ ଲେଖକଙ୍କ ଅନୁଭବ ଅନୁଶୀଳନର ପ୍ରାଞ୍ଜଳ ପରିପ୍ରକାଶ ଆଲେଖ୍ୟଟିକୁ ମନୋଜ୍ଞ କରିପାରିଛି । ‘ଅଭଦ୍ରତା’ରେ ଭଦ୍ରତାର ବିରୁଦ୍ଧାଚରଣ ହିଁ ଅଭଦ୍ରତା ବୋଲି ଲେଖକ ସୂଚାଇଛନ୍ତି । ସମସ୍ତଙ୍କ ସମ୍ମତିରେ ସମାଜରେ କେତେଗୁଡ଼ିଏ ନିୟମ ପ୍ରଣୟନ କରାଯାଇଛି ଓ ଏଇ ନିୟମଗୁଡ଼ିକ ପ୍ରତି ଯଥେଷ୍ଟ ସମ୍ମାନ ଦେଖାଇ ନିଜର ଚାଲିଚଳନକୁ ନିୟନ୍ତ୍ରିତ କରିବା ହେଲା ଭଦ୍ର ଆଚରଣ - ନିୟନ୍ତ୍ରଣ ନକରିବା ଅଭଦ୍ରତା । ଲେଖକଙ୍କ ମତରେ ଜଣକୁ ମାତ୍ରାଧିକ ଖୋସାମତ କରିବା ମଧ୍ୟ ଅଭଦ୍ରତା । ପରିବର୍ତ୍ତିତ ସମାଜରେ ଅଭଦ୍ରତାର ନୂତନ ପରିଭାଷା ସମ୍ପର୍କରେ ମଧ୍ୟ ଲେଖକ ସୂଚନା ଦେଇଛନ୍ତି । ‘ଅପମାନ’ ସଂପର୍କରେ ଲେଖକଙ୍କ ମତ ହେଉଛି ଅପମାନ ପ୍ରତ୍ୟକ୍ଷ ଓ ପରୋକ୍ଷ ଭେଦରେ ଦ୍ୱିବିଧ । ଜଣେ ଯେତେ ସାବଧାନ ହେଲେ ମଧ୍ୟ ଅପମାନର ଜ୍ଵାଳାରୁ ମୁକ୍ତ ନୁହେଁ । ତେଣୁ ମନଟାକୁ ଏପରି ତାଲିମ କରିନେବାକୁ ହେବ ଯେ ସେ ଯେପରି ଅପମାନ ଗ୍ରହଣ କରିବ ନାହିଁ । ଅପମାନ କାହିଁକି ଦିଆଯାଏ ଏ ସମ୍ପର୍କରେ ମନସ୍ତତ୍ତ୍ୱବିତମାନଙ୍କ ବିଶ୍ଳେଷଣ ଗୁଡ଼ିକୁ ମଧ୍ୟ ଲେଖକ ବର୍ଣ୍ଣନା କରିଛନ୍ତି । ଯାହାର ମାନ ନାହିଁ ତାର ଅପମାନର ଭୟ ନାହିଁ । ଅପମାନର ଶରବ୍ୟ ନହେବା ପାଇଁ ଯତ୍ପରୋନାସ୍ତି ଉଦ୍ୟମ କରିବା ବିଧେୟ ବୋଲି ଲେଖକ ଦର୍ଶାଇଛନ୍ତି । ‘ଅନୁତାପ’ ସଂପର୍କରେ ଲେଖକଙ୍କ ମନ୍ତବ୍ୟ ହେଉଛି, ଅନୁତାପ କରିବାପାଇଁ ସଦ୍‌ଗୁଣ ଲୋଡ଼ା କିନ୍ତୁ ପ୍ରାୟଶ୍ଚିତ୍ତ କରିବାପାଇଁ ଶକ୍ତି ଲୋଡ଼ା । ଅନୁତାପ ସେତେବେଳେ ଆସେ ଯେତେବେଳେ ମଣିଷ ନିଜକୃତ ଭୁଲକୁ ନେଇ ଭୟଭୀତ ହୁଏ । ଅନୁତାପ ଓ ମନୁଷ୍ୟକୁ ବିନୟୀ କରାଏ ବୋଲି ଲେଖକ ଦର୍ଶାଇଛନ୍ତି ।

 

‘ଈର୍ଷା’ର ସ୍ଵରୂପ ଉଦ୍‌ଘାଟନ କରି ଲେଖକ କହନ୍ତି ‘‘ତୁମର ଯାହା ଅଛି ଅନ୍ୟକୁ ନଦେବା ସ୍ୱାର୍ଥପରତା ହୋଇପାରେ । ଅନ୍ୟର କିଛି ଭଲ ଦେଖିଲେ ଦେହ ନସହିବାଟା ହେଉଛି ଈର୍ଷା । ଘୃଣାକୁ ମନରୁ ଦୂର କରିବା ହୁଏତ ସହଜ- ଈର୍ଷାକୁ ନୁହେଁ ।’’ ମନସ୍ତତ୍ଵବିତମାନେ କୁହନ୍ତି ହୀନମନ୍ୟତା ହିଁ ଈର୍ଷା ପାଇଁ ଉର୍ବର କ୍ଷେତ୍ର ଓ ଏହାର ଏକମାତ୍ର ଲକ୍ଷ୍ୟ ହେଉଛି, ଅନ୍ୟମାନଙ୍କୁ ସତ୍‌ ପଥରୁ ଆଣି ବିପଥଗାମୀ କରାଇବା । ଭଲକାମ ସହିତ ଈର୍ଷାର ଶତ୍ରୁତା ସହଜାତ । ଈର୍ଷା ଏପରି ଏକ ଲଜ୍ଜାଜନକ ଦୁର୍ବଳତା ଯେ କୌଣସି ଲୋକ ନିଜକୁ ଈର୍ଷାପରାୟଣ ବୋଲି ସ୍ଵୀକାର କରିବାକୁ ସାହସ କରେ ନାହିଁ, ବରଂ ଅସ୍ଵୀକାର କରିଥାଏ । ଲେଖକଙ୍କ ମତରେ ଏକଥା ଭୁଲିଗଲେ ଚଳିବ ନାହିଁ ଯେ ଅନ୍ୟର ଈର୍ଷା ତୁମ କାର୍ଯ୍ୟର ଅପ୍ରତ୍ୟକ୍ଷ ପ୍ରଶଂସା । ‘ଜଣେ ତୁମ ପ୍ରତି ଈର୍ଷାପରାୟଣ ହେଉଛି ବୋଲି ଜାଣିବା ପରେ ହୁଏତ ତୁମମନ ହେବ ତାକୁ ପରୋକ୍ଷରେ ଶାସ୍ତିଦେବା ପାଇଁ କିନ୍ତୁ ତା ପ୍ରତି ସବୁଠାରୁ ବଡ଼ ଶାସ୍ତି ହେବ ଯଦି ତୁମେ ସଫଳତା ପଥରେ ଆହୁରି ଦ୍ରୁତଗତିରେ ଆଗେଇଯିବ, କାରଣ ତା ମନ ଭିତରେ ଈର୍ଷାର ନିଆଁ ଜଳିଜଳି ତା ମନଟିକୁ ପୋଡ଼ିଦେବ ।- ଏଇ ସ୍ଵାଭାବିକ ତଥା ସାର୍ବଜନୀନ ସତ୍ୟଟି ଅତି ସୁନ୍ଦର ଓ ମାର୍ଜିତ ଭାବରେ ଲେଖକ ପ୍ରକାଶ କରିଛନ୍ତି ।

 

ଈଜ୍ଜତ, ଖ୍ୟାତି ଇତ୍ୟାଦି ରଚନାଗୁଡ଼ିକରେ ଚରିତ୍ରବତ୍ତା, କଠିନ ପରିଶ୍ରମ, ସତ୍‌କାର୍ଯ୍ୟ, କର୍ତ୍ତବ୍ୟନିଷ୍ଠା ଇତ୍ୟାଦି ଉପରେ ପ୍ରାଧାନ୍ୟ ଦିଆଯାଇଛି । ନିଜର କର୍ମକୁଶଳତା ମାଧ୍ୟମରେ ଈଜ୍ଜତ ଓ ଖ୍ୟାତି ଅର୍ଜନ କରାଯାଇପାରିବ, ମାତ୍ର ଅପରିଣାମଦର୍ଶିତା, ନିର୍ବୋଧତା ବାବଦୂକତା, ଅଜ୍ଞତା ଓ ଆତ୍ମଗର୍ବ ଏହା ପଥରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ ବୋଲି ଲେଖକ ଦର୍ଶାଇଛନ୍ତି ।

 

କ୍ରୋଧ, ଗାଳି, ଘୃଣା ଗୋଳମାଳ ଇତ୍ୟାଦି ରଚନାଗୁଡ଼ିକରେ ଏହାର ଭୟାବହତା ସଂପର୍କରେ ସମ୍ୟକ୍‌ ସୂଚନା ଦେଇ ସର୍ବଦା ସତର୍କତା ଅବଲମ୍ବନ କରିବା ପାଇଁ ଲେଖକ ପରାମର୍ଶ ଦେଇଛନ୍ତି । ଅନ୍ୟାୟ, ଦୁର୍ନୀତି, ବିରୋଧରୁ ଏଗୁଡ଼ିକର ଅଭ୍ୟୁଦୟ । ଅତ୍ୟାଚାରିତର କ୍ରୋଧ ଅତି ଭୀଷଣ, ଦୁର୍ବଳ ଲୋକର ଅନେକ ସମୟରେ ଗାଳି ହେଉଛି ଏକମାତ୍ର ଅସ୍ତ୍ର । ଅଶ୍ଳୀଳ ଓ କଟୁଭାଷା ପ୍ରୟୋଗ ନକରି ମଧ୍ୟ ଗାଳି ଦିଆଯାଇପାରେ । ମଣିଷର ଆବଶ୍ୟକତା ପୂରଣ ହେବା ପଥରେ ଜଣେ ଯଦି ପ୍ରତିବନ୍ଧକ ସୃଷ୍ଟିକରେ ସେ ଘୃଣାର ପାତ୍ରହୁଏ । × × ଘୃଣା ହେଉଛି ହୃଦୟର ପାଗଳାମି । ପ୍ରେମ ଯଦି ଘୃଣାରେ ପରିଣତ ହୁଏ ତାହା ବହୁତ କିଛି ଜାଳି ଦେଇ ପାରେ । ଗୋଳମାଳ ସମ୍ପର୍କରେ ମଧ୍ୟ ଲେଖକଙ୍କ ଅଲେଖ୍ୟ ତଥ୍ୟଭିତ୍ତିକ ଓ ସତ୍ୟାଶ୍ରୟୀ ।

 

ଭାଷା ଓ ଶବ୍ଦର ଯାଦୁକର :

ଗଦ୍ୟ ରଚନରେ ଶ୍ରୀ କାନୁନ୍‌ଗୋଙ୍କ ପାରଦର୍ଶିତା ପରିଲକ୍ଷିତ । ଗାମ୍ଭୀର୍ଯ୍ୟ ପୂର୍ଣ୍ଣ ଭାଷା ଆଳଙ୍କାରିକ ବିନ୍ୟାସ, ବାଗାଡ଼ମ୍ବର ତାଙ୍କ ଗଦ୍ୟରଚନାକୁ ଭାରାକ୍ରାନ୍ତ କରିନାହିଁ । ଅତିସରଳ ଓ ମାର୍ଜିତ ଭାଷାରେ ସେ ତାଙ୍କର ଭାବନାକୁ ବ୍ୟକ୍ତି କରିଛନ୍ତି । ସେ ଥିଲେ ଭାଷା ଓ ଶବ୍ଦର ଯାଦୁକର-। ଯଥାସମ୍ଭବ ସେ ନିଜ ରଚନାକୁ ସରଳ ଓ ସର୍ବଜନବୋଧ କରିଛନ୍ତି । ତାଙ୍କ ରଚନାଶୈଳୀ ଉଚ୍ଚକୋଟୀର । ପ୍ରଚଳିତ ଭାଷାକୁ ଅତି ସୁନ୍ଦର ଭାବରେ ସେ ପ୍ରୟୋଗ କରିଛନ୍ତି । ବୈଷୟିକ ବିଷୟ ସମ୍ପର୍କରେ ଲେଖନୀଚାଳନା ସମୟରେ ସେ ଯଥାସମ୍ଭବ ସରଳ ଭାଷା ପ୍ରୟାଗ କରିଛନ୍ତି । କେତେକ ନୂତନ ଶବ୍ଦର ପ୍ରୟୋଗ ମାଧ୍ୟମରେ ବୈଷୟିକ ସମ୍ବଳିତ ରଚନାକୁ ସର୍ବଜନବୋଧ୍ୟ କରିବାପାଇଁ ସେ ପ୍ରୟାସ କରିଛନ୍ତି ଓ ସଫଳ ହୋଇଛନ୍ତି । ମାର୍ଜିତ ପ୍ରକାଶଭଙ୍ଗୀ, ନାମକରଣର ବୈଚିତ୍ର୍ୟ । ବିଷୟର ଶିରୋନାମ ପ୍ରଦାନରେ ନାଟକୀୟତା ଇତ୍ୟାଦିରେ ତାଙ୍କର କୃତିତ୍ୱ ଅନାୟାସଲକ୍ଷ୍ୟ । ଜ୍ଞାନମଣ୍ଡଳ ଠାରୁ ଆରମ୍ଭ କରି ୩୬୫ ଦିନିଆ ସିରିଜ ବୁକ୍‌, କ୍ଷୁଦ୍ର ପୁସ୍ତିକା, ପ୍ରବନ୍ଧ, ଲଳିତ ନିବନ୍ଧ, ପ୍ରାପ୍ତବୟସ୍କଙ୍କ ସାହିତ୍ୟ, ଶିଶୁ ସାହିତ୍ୟ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ବହୁମୁଖୀ ପ୍ରତିଭା, ପ୍ରଜ୍ଞା, ଜିଜ୍ଞାସା ଓ ଗଭୀର ମମତ୍ୱବୋଧର ପରିଚୟ ପରିଦୃଷ୍ଟ । ତାଙ୍କର ପ୍ରଥମ ଓ ପ୍ରଧାନ ଉଦ୍ଦେଶ୍ୟ ହେଲା ଲୋକଶିକ୍ଷାର ବିସ୍ତାର । ଜ୍ଞାନ ଆହରଣ କରିବା ସହ ତାର ବିତରଣ ଓ ଉପଯୁକ୍ତ ବିନିଯୋଗ କରିବାର ଅଭୀପ୍‌ସା ଓ ନିଷ୍ଠା ତାଙ୍କୁ କରିଛି ସିଦ୍ଧିକାମୀ । ଜଣେ ଶିକ୍ଷକ, ସଂସ୍କାରକ, ସମାଜତତ୍ତ୍ୱବିତ୍‌, ଆଦର୍ଶବାଦୀ, ମନସ୍ତତ୍ତ୍ୱବିତ୍‌, ଦାର୍ଶନିକ ବା ବୈଜ୍ଞାନିକ ଭାବରେ ଅବତୀର୍ଣ୍ଣ ହେବାର ପ୍ରୟାସ ନକରି କେବଳ ଜାତୀୟ କାର୍ଯ୍ୟରେ ସେ ମନୋନିବେଶ କରିଛନ୍ତି ଓ ଜ୍ଞାନର ଆଲୋକରେ ସମସ୍ତଙ୍କୁ ଆଲୋକିତ କରିବାର ଶପଥ ନେଇ ସେ କର୍ମକ୍ଷେତ୍ରରେ ବ୍ୟାପୃତ ରହିଛନ୍ତି । ସେ ନିଜେ ହିଁ ଏକ ଅନୁଷ୍ଠାନ- ଚଳନ୍ତି ଜ୍ଞାନକୋଷ, ସଂଗ୍ରାହକ, ସଂସ୍ଥାପକ, ସମ୍ପାଦକ ଓ ଆଲୋକବର୍ତ୍ତିକା । ଜୀବନର ଲକ୍ଷ୍ୟ ସାଧନ ଦିଗରେ ସେ ତତ୍ପର ହୋଇ ଉଠିଛନ୍ତି ଓ କର୍ମ ହିଁ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଓ ସାଧନା । ପଦ୍ମଶୀ ସମ୍ମାନ ବ୍ୟତୀତ, ଦୁଇଥର ସାହିତ୍ୟ ଏକାଡେମୀ ପୁରସ୍କାର, ଫିଲ୍ମସ ଡିଭିଜନ ଇଣ୍ଡିଆଙ୍କ ଦ୍ଵାରା ପ୍ରସ୍ତୁତ ତାଙ୍କର ଜୀବନୀ, କୀର୍ତ୍ତି ଓ କୃତି ସମ୍ବଳିତ ଡକ୍ୟୁମେଣ୍ଟାରୀ ଜାତୀୟ ସମ୍ବାଦପତ୍ରଗୁଡ଼ିକରେ ଅଜସ୍ର ପ୍ରଶଂସା ଓ ଅଭିନନ୍ଦନ, ଗ୍ରେଟ ମାଷ୍ଟରସ ସିରିଜ୍‌ରେ ସ୍ଥାନ ପାଇବାର ଗୌରବ ଇତ୍ୟାଦିରୁ ତାଙ୍କ ପ୍ରତିଭା ଓ ବ୍ୟକ୍ତିତ୍ୱର ମହନୀୟତା ସଂପର୍କରେ ଆକଳନ କରାଯାଇପାରେ । ଜ୍ଞାନମଣ୍ଡଳ କେନ୍ଦ୍ରର ପରିଦର୍ଶକ ପୁସ୍ତିକା ପୃଷ୍ଠାରେ ତାଙ୍କ କୃତି ଓ କୀର୍ତ୍ତି ସଂପର୍କରେ ଦେଶ ବିଦେଶରେ ବିଭିନ୍ନ ପଦପଦବୀରେ ବା ବିଭିନ୍ନ କ୍ଷେତ୍ରରେ ପରାକାଷ୍ଠା ପ୍ରଦର୍ଶନ କରିଥିବା ସମ୍ମାନିତ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ମନ୍ତବ୍ୟଗୁଡ଼ିକୁ ଅନୁଧ୍ୟାନକଲେ ଶ୍ରୀକାନୁନ୍‌ଗୋଙ୍କ ପ୍ରଚଣ୍ଡ ବ୍ୟକ୍ତିତ୍ଵ, ଅସାଧାରଣ ପ୍ରତିଭା, ପ୍ରଜ୍ଞା ଓ ନିରବଚ୍ଛିନ୍ନ କାର୍ଯ୍ୟକୁଶଳତାର ପରିଚୟ ମିଳିଥାଏ ।

 

ଶ୍ରୀ କାନୁନ୍‌ଗୋଙ୍କ ସାଧନର କୀର୍ତ୍ତିସ୍ତମ୍ଭ ଜ୍ଞାନମଣ୍ଡଳର ୪୦ ଖଣ୍ତ ପ୍ରକାଶିତ ହୋଇଛି । କୋତୋଟିର ଖସଡ଼ା ସେ ପ୍ରସ୍ତୁତ କରି ଯାଇଛନ୍ତି । ଅନେକ ପାଣ୍ଠୁଲିପି ଏ ପର୍ଯ୍ୟନ୍ତ ଅପ୍ରକାଶିତ । ତାଙ୍କର ଲେଖନୀ ଶେଷ ପର୍ଯ୍ୟନ୍ତ ଥିଲା ଚଳଚଞ୍ଚଳ । ତାଙ୍କର ଅନେକ ରଚନା ମୁଦ୍ରଣ ଅପେକ୍ଷାରେ-। ତାଙ୍କର ଅବର୍ତ୍ତମାନରେ ତାଙ୍କର ସୁଯୋଗ୍ୟ ଦାୟାଦମାନେ ଏ ଦିଗରେ ସମୁଚ୍ଚିତ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ତାଙ୍କର ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ଦିଗରେ ପ୍ରୟାସ କରୁଛନ୍ତି :- ଏହା ଓଡ଼ିଆ ଜାତିପାଇଁ ଗୌରବର ବିଷୟ ।

 

 

ପ୍ରାଧ୍ୟାପକ (ଅବସରପ୍ରାପ୍ତ)

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

 

***

 

ବିନୋଦ କାନୁନ୍‌ଗୋ : ଏକ ଅମ୍ଳାନ ପ୍ରତିଭା

ଧନେଶ୍ୱର ସାହୁ

 

ଚଳିତ ବର୍ଷ ସ୍ଵାଧୀନତା ସଂଗ୍ରାମୀ ଓ ଜ୍ଞାନମଣ୍ଡଳ ପ୍ରଣେତା ବିନୋଦ କାନୁନ୍‌ଗୋଙ୍କର (୧୯୧୨-୧୯୯୦) ଜନ୍ମ ଶତବାର୍ଷିକୀ ପାଳିତ ହେଉଛି । ପଦ୍ମଶ୍ରୀ କାନୁନ୍‌ଗୋ ଏକ ବହୁମୁଖୀ ପ୍ରତିଭା । ତାଙ୍କ ବ୍ୟକ୍ତିତ୍ୱର ବହୁ ଦିଗନ୍ତ ରହିଛି । ଓଡ଼ିଶାର ସାଧାରଣ ଜୀବନରେ ସେ ବହୁ ସ୍ଵାକ୍ଷର ରଖି ଯାଇଛନ୍ତି । ସେ ଯେପରି ଥିଲେ ସ୍ୱାଧୀନତା ସଂଗ୍ରାମୀ, ରଚନାତ୍ମକ କର୍ମୀ ସେହିପରି ଥିଲେ ସମାଜ ସଂସ୍କାରକ ଓ ମାନବବାଦୀ ଆଦର୍ଶର ପ୍ରବକ୍ତା । ସ୍ଵାଧୀନ ଭାରତର ପ୍ରଥମ ନିର୍ବାଚନରେ ସେ ବି ଏକ ରାଜନୈତିକ ଦଳ ତରଫରୁ ପ୍ରତିଦ୍ୱନ୍ଦିତା କରି ହାରି ଯାଇଥିଲେ । ହୁଏତ ନିର୍ବାଚନରେ ଜିତିଥିଲେ ତାଙ୍କ ଜୀବନର ଗତିପଥ ଭିନ୍ନ ହୋଇଥାନ୍ତା । ନିର୍ବାଚନରେ ହାରିବା ଦ୍ଵାରା ଓ ଅନ୍ୟାନ୍ୟ କାରଣରୁ ସେ ସକ୍ରିୟ ରାଜନୀତିରେ ଆଗ୍ରହୀ ହେଲେ ନାହିଁ । ତେବେ ତାଙ୍କ ବ୍ୟକ୍ତିତ୍ଵର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ତାଙ୍କର ସ୍ରଷ୍ଟା-ଜୀବନ । ଜଣେ ସୃଜନଶୀଳ ଲେଖକ, ପ୍ରାବନ୍ଧିକ ଓ ଜ୍ଞାନମଣ୍ଡଳର ପ୍ରଣେତା ଭାବେ ତାଙ୍କ ସ୍ରଷ୍ଟା-ଜୀବନର ପରିଧି ଯେତିକି ବ୍ୟାପକ ସେତିକି ଗମ୍ଭୀର । ତାଙ୍କ ବ୍ୟକ୍ତିତ୍ୱର ପ୍ରତ୍ୟେକଟି ଦିଗନ୍ତ ଉପରେ ବିସ୍ତୃତ ଆଲୋଚନା କରାଯାଇପାରେ । ତେବେ ଶଂସିତ ପ୍ରବନ୍ଧଟିରେ ତାଙ୍କ ବ୍ୟକ୍ତିତ୍ଵର ଦୁଇଟି ଦିଗ ଉପରେ ସାମାନ୍ୟ ଆଲୋଚନା ଆମର ଲକ୍ଷ୍ୟ । ପ୍ରଥମ ଦିଗଟି ହେଉଛି ତାଙ୍କ ମାନବବାଦୀ ଦୃଷ୍ଟିଭଙ୍ଗୀ ବା ତାଙ୍କ ଭିତରେ ଥିବା ସଂସ୍କାରିତ ଚେତନା-। ଦ୍ୱିତୀୟ ଦିଗଟି ହେଉଛି ତାଙ୍କର ସ୍ରଷ୍ଟା ଜୀବନ ବା ଜ୍ଞାନମଣ୍ଡଳ ରଚନା ପାଇଁ ତାଙ୍କର ସାଧନା । ଏହି ପ୍ରତ୍ୟେକ ଦିଗଟିର ବିସ୍ତୃତ ବ୍ୟାପକ ଓ ସେ ବିଷୟରେ ଏକ ପୂର୍ଣ୍ଣାଙ୍ଗ ଚିତ୍ର ଏଠାରେ ପ୍ରଦାନ କରିବା ସମ୍ଭବ ନୁହେଁ । ତେବେ ତାଙ୍କ ଜୀବନର ଘଟଣାବଳୀରୁ କେଟୋଟି ଦୃଷ୍ଟାନ୍ତ ନେଇ ତାଙ୍କ ମାନବବାଦୀ ଜୀବନଦୃଷ୍ଟି ଓ ଜ୍ଞାନ ସାଧନା ପ୍ରତି ତାଙ୍କର ଉତ୍ସର୍ଗୀକୃତ ଜୀବନ ବିଷୟରେ କିଞ୍ଚିତ ସୂଚନା ଦେବାକୁ ଏଠାରେ ଲକ୍ଷ୍ୟ ରଖାଯାଇଛି ।

 

(୧)

ସେତେବେଳର ସାମାଜିକ ଦୃଶ୍ୟପଟ୍ଟରେ ଜାତୀୟ କଂଗ୍ରେସ ଓ ତାହାର ସର୍ବମାନ୍ୟ ନେତା ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିରେ ଦୁଇଟି ବଡ଼ ଆହ୍ୱାନ ଥିଲା । ନାନା ଜାତୀୟ ସମସ୍ୟା ଭିତରୁ ଦୁଇଟି ସମସ୍ୟା ଉପରେ ଗାନ୍ଧୀ ଓ କଂଗ୍ରେସ ଅଧିକ ପ୍ରାଧାନ୍ୟ ଦେଉଥିବା ମନେହୁଏ । ପ୍ରଥମଟି ହେଉଛି ଦେଶର ରାଜନୈତିକ ପରାଧୀନତା ଓ ଦ୍ୱିତୀୟଟି ହେଉଛି ଭାରତୀୟ ସମାଜର ଅସ୍ପୃଶ୍ୟତା-। ଦେଶରେ ଦାରିଦ୍ର୍ୟ, ନିରକ୍ଷରତା, ସାମନ୍ତବାଦୀ ଶୋଷଣ ଇତ୍ୟାଦି ସମସ୍ୟାର ନିରାକରଣ ପାଇଁ ରାଜନୈତିକ ସ୍ୱାଧୀନତାକୁ ପ୍ରାଧାନ୍ୟ ଦିଆଯାଉଥିଲା । ସେତେବେଳର ସ୍ଵପ୍ନ ଥିଲା ଯେ ସ୍ଵାଧୀନତା ମିଳିଲେ ଦେଶରୁ ଦାରିଦ୍ର୍ୟ, ନିରକ୍ଷରତା ଇତ୍ୟାଦି ଅଚିରେ ଦୂର ହୋଇପାରିବ । ସୁତରାଂ ଭାରତରୁ ବ୍ରିଟିଶ ସାମ୍ରାଜ୍ୟବାଦକୁ ହଟାଇବା ପାଇଁ ଗାନ୍ଧୀ ଯେଉଁ ଆହ୍ଵାନ ଓ କାର୍ଯ୍ୟକ୍ରମର ସୂତ୍ରପାତ କରିଥିଲେ ସେଥିରେ ପ୍ରଭାବିତ ହୋଇ ହଜାର ହଜାର ଯୁବକ, କିଶୋର ବ୍ୟକ୍ତିଗତ ଜୀବନର ଆଶା, ସ୍ୱପ୍ନକୁ ଏଡ଼ାଇ ଯାଇ ସ୍ଵାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ । ୧୯୩୦ ମସିହା ଥିଲା ଲବଣ ସତ୍ୟାଗ୍ରହର ବର୍ଷ । ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ସାରା ଦେଶରେ ଅପୂର୍ବ ଜାଗରଣ ସୃଷ୍ଟି କରିଥିଲା । ୧୯୩୦ ମସିହାରେ କଟକ ରେଭେନ୍‌ସା କଲିଜିଏଟ୍‌ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ବିନୋଦ କାନୁନ୍‍ଗୋ ନିଜର ସୁନିଶ୍ଚିତ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହିଠାରୁ ତାଙ୍କ ଜୀବନର ଗତିଧାରା ଏକ ଭିନ୍ନ ଦିଗ ନେଇଥିଲା । ଭାରତୀୟ ସମାଜର ଆଉ ଏକ ବଡ଼ ଦୁର୍ଗତି ବା କଳଙ୍କ ଥିଲା ହିନ୍ଦୁ ସମାଜର ଭେଦଭାବମୂଳକ ଜାତିପ୍ରଥା ଓ ତା ସହିତ ସମ୍ପୃକ୍ତ ଅସ୍ପୃଶ୍ୟତା । ତେବେ ଏହି ସମସ୍ୟାର ଜଟିଳତା ଓ ଗଭୀରତା ବହୁପରେ କଂଗ୍ରେସ ଓ ଗାନ୍ଧୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଲବଣ ସତ୍ୟାଗ୍ରହ ଶେଷ ପର୍ଯ୍ୟନ୍ତ ଅସ୍ପୃଶ୍ୟତା ଜନିତ ସମସ୍ୟାଟିକୁ ଗାନ୍ଧୀ ଗମ୍ଭୀରତାର ସହ ବିଚାର କରି ନ ଥିଲେ । ଏଠାରେ ଦୁଇଟି ଐତିହାସିକ ଘଟଣାର ଅବତାରଣା କରାଯାଇପାରେ । ଯାହା କଂଗ୍ରେସ ଓ ଗାନ୍ଧୀଙ୍କର ବିଚାରରେ ଆଲୋଡ଼ନ ଆଣିଥିଲା ।

 

କେରଳ ପ୍ରଦେଶରେ ଭାଇକମ ଥିଲା ଏକ ଦେଶୀୟ ରାଜ୍ୟ, ଯେଉଁଠି ଜଣେ ରାଜା ଶାସନ କରୁଥିଲେ । ସେତେବେଳର ସାମାଜିକ ପରମ୍ପରାରେ ଦଳିତମାନେ କେବଳ ଯେ ଅସ୍ପୃଶ୍ୟ ଥିଲେ ତାହା ନୁହେଁ, ସେମାନେ କେତେକ ଜାଗାରେ ସର୍ବସାଧାରଣ ରାସ୍ତାରେ ବି ଚାଲିବାର ସୁଯୋଗ ପାଉ ନ ଥିଲେ । ଭାଇକମ ଟାଉନର ସର୍ବସାଧାରଣ ମନ୍ଦିର ଥିବା ରାସ୍ତାରେ ଦଳିତମାନେ ଚାଲିବାର ଅଧିକାର ପାଇଁ ସ୍ଥାନୀୟ ଶିକ୍ଷିତ ଓ ପ୍ରଗତିଶୀଳ ଲୋକମାନେ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହା ଥିଲା ୧୯୨୪ ମସିହାର ଘଟଣା । ସେମାନେ ଗିରଫ ହୋଇଯିବା ପରେ ତାମିଲନାଡ଼ୁର ବିଶିଷ୍ଟ ସଂସ୍କାରକ ଓ ଆତ୍ମ-ମର୍ଯ୍ୟାଦା ଆନ୍ଦୋଳନର ପ୍ରବକ୍ତା ଇ.ଭି. ରାମସ୍ଵାମୀ ପେରିୟାର ଆନ୍ଦୋଳନର ନେତୃତ୍ୱ ନେଲେ । ଶହ ଶହ ଲୋକ ମାସ ମାସ ଧରି ଖରା, ବର୍ଷାକୁ ଭ୍ରୂକ୍ଷେପ ନ କରି ଏହି ସର୍ବନିମ୍ନ ମାନବିକ ଅଧିକାର ପାଇଁ ସତ୍ୟାଗ୍ରହ ଆରମ୍ଭ କଲେ । ପ୍ରତିଦିନ ସଭା, ଶୋଭାଯାତ୍ରା, ଧାରଣାଜନିତ ଆନ୍ଦୋଳନ କିଛି ମାସ ଧରି ଚାଲିବା ପରେ କେତେକ ବ୍ୟକ୍ତି ଏଥିରେ ମହାତ୍ମାଗାନ୍ଧୀଙ୍କର ସହଯୋଗ ବି ଚାହିଁଲେ । ତେବେ ପେରିୟାରଙ୍କର ବଳିଷ୍ଠ ନେତୃତ୍ୱ, ରାଜାଙ୍କର ମୃତ୍ୟୁ ଓ ଅନ୍ୟାନ୍ୟ ଘଟଣାର ସମ୍ମିଳିତ ପ୍ରବାହରୁ ଏହି ଆନ୍ଦୋଳନ ସଫଳ ହେଲା ଓ ଦଳିତମାନେ ମନ୍ଦିର ଥିବା ରାସ୍ତାରେ ଚାଲିବାର ସୁଯୋଗ ପାଇଲେ । ତେବେ ଆନ୍ଦୋଳନକାରୀମାନଙ୍କୁ ଏଥପାଇଁ ବହୁ କଷ୍ଟ ଓ ତ୍ୟାଗ ସ୍ଵୀକାର କରିବାକୁ ପଡ଼ିଥିଲା ।

 

ଦ୍ୱିତୀୟ ଘଟଣାଟି ହେଉଛି, ମହାରାଷ୍ଟ୍ରର କୋଲାବ ଜିଲ୍ଲାର ମାହାଡ଼ଠାରେ ଅନୁଷ୍ଠିତ ପ୍ରଥମ ଦଳିତ ସମ୍ମିଳନୀ । ଭାରତୀୟ ସମାଜ ସଂସ୍କାର ଇତିହାସରେ ୧୯, ୨୦ ମାର୍ଚ୍ଚ ୧୯୨୭ରେ ଅନୁସୂଚିତ ଜାତି ବା ଦଳିତ ସମାଜର ପ୍ରଥମ ସମ୍ମିଳନୀ ଏକ ଉଲ୍ଲେଖନୀୟ ଘଟଣା । ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ଵରେ ମହାରାଷ୍ଟ୍ରର ଦଶହଜାର ଦରିଦ୍ର, ଅର୍ଦ୍ଧଭୁକ୍ତ ଦଳିତ ଲୋକମାନଙ୍କର ଏକ ଦୁଇ ଦିନିଆ ସମ୍ମିଳନୀ ବହୁ କଷ୍ଟରେ ଆୟୋଜିତ ହୋଇଥିଲା । ଯୁଗ ଯୁଗ ଧରି ମାନବିକ ଅଧିକାରରୁ ବଞ୍ଚିତ ହୋଇ ଦୟନୀୟ ସ୍ଥିତିରେ ଓ ଉପମାନବୀୟ ସ୍ତରରେ ଜୀବନ ବଞ୍ଚୁଥିବା ଜନଗଣଙ୍କୁ ଆମ୍ବେଦକର ଶିକ୍ଷା ଲାଭ ପାଇଁ ନିଜର ମାନବିକ ଅଧିକାର ପାଇଁ ସଙ୍ଗଠିତ ହୋଇ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ । ସଭାରେ ନିଷ୍ପତ୍ତି ହେଲା ଯେ ସମ୍ମିଳନୀ ଶେଷଦିନରେ ସେମାନେ ହିନ୍ଦୁ ଜାତିପ୍ରଥା ଓ ଅସ୍ପୃଶ୍ୟତାକୁ ଲୋପ କରିବାକୁ ସ୍ଥାନୀୟ ସର୍ବସାଧାରଣ ପୁଷ୍କରିଣୀକୁ ଯାଇ ସେଠାରୁ ଜଳପାନ କରିବେ । ଫଳରେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରାରେ ଚୌଦ୍ୱାର ଜଳାଶୟକୁ ଆସି ସେଠାରେ ହାତର ଅଞ୍ଜୁଳାରେ ପାଣି ପିଉଥିଲେ । ଏହାପରେ ସେମାନେ ସମ୍ମିଳନୀ ସ୍ଥଳକୁ ଫେରି ଖାଦ୍ୟ ଖାଇ ନିଜ ଗ୍ରାମକୁ ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍‌ ଶହ ଶହ ଲୋକ ଠେଙ୍ଗା ବାଡ଼ି ଧରି ସେମାନଙ୍କୁ ଆକ୍ରମଣ କଲେ । କିଛି ଲୋକ ପ୍ରଚାର କରିଦେଲେ ଯେ ଦଳିତମାନେ ଜଳାଶୟରୁ ପାଣି ପିଇ ମନ୍ଦିର ଭିତରେ ପ୍ରବେଶ କରି ହିନ୍ଦୁଧର୍ମକୁ ନଷ୍ଟ କରିଦେବେ । ଏଥିରେ ତଥାକଥିତ ଉଚ୍ଚଜାତିର ଲୋକମାନେ ଉତ୍‌କ୍ଷିପ୍ତ ହୋଇ ଠେଙ୍ଗା ବାଡ଼ି ଧରି ଦଳିତମାନଙ୍କର ସମ୍ମିଳନୀକୁ ଆକ୍ରମଣ କଲେ । ଘଟଣାଟି କଣ ଦଳିତମାନେ ଜାଣିବା ପୂର୍ବରୁ ଆକ୍ରମଣକାରୀମାନେ ସେମାନଙ୍କ ସମ୍ମିଳନୀ ପେଣ୍ଡାଲକୁ ଭାଙ୍ଗିଦେଲେ, ସେମାନଙ୍କ ପାଇଁ ରନ୍ଧା ଯାଇଥିବା ଖାଦ୍ୟକୁ ନଷ୍ଟ କରିଦେଲେ ଓ ସମ୍ମିଳନୀକୁ ଆସିଥିବା ଅନେକ ଲୋକକୁ ମାଡ଼ ମାରି କ୍ଷତ ବିକ୍ଷତ କରିଦେଲେ । ପୁଲିସ ଘଟଣାସ୍ଥଳକୁ ଆସିବା ପୂର୍ବରୁ ଏସବୁ ଘଟି ଯାଇଥିଲା । ତେବେ ଘଟଣା ଏହିଠାରେ ସରିଲା ନାହିଁ । ଉଚ୍ଚ ଜାତିର ଲୋକମାନେ ସଙ୍ଗଠିତ ହୋଇ ଚୌଦ୍ଵାର ପୁଷ୍କରିଣୀ ଦଳିତଙ୍କ ଯୋଗୁଁ ଅପବିତ୍ର ହୋଇଥିବା ଯୋଗୁଁ ତାକୁ ପବିତ୍ରୀକରଣ କରିବାକୁ ଚାହିଁଲେ । ଫଳରେ ଶହେଟି କଳସୀରେ ଗୋମୂତ୍ର, ଗୋବର, କ୍ଷୀର, ଦହିର ମିଶ୍ରଣ ନେଇ ଏକ ଉତ୍ସବ କରି ମନ୍ତ୍ରପାଠ ଦ୍ଵାରା ଜଳାଶୟକୁ ପବିତ୍ର କରାଗଲା ଦଳିତମାନଙ୍କୁ ଧମକ ଦିଆଗଲା ଯେ ଯଦି ସେମାନେ ଭବିଷ୍ୟତରେ କେବେ ଏପରି କରିବାକୁ ସାହସ କରିବେ, ତେବେ ଭୟଙ୍କର ପରିଣତିର ସମ୍ମୁଖୀନ ହେବେ । କେଉଁଠି ଯଦି ଦଳିତମାନେ ବିକ୍ଷୋଭ ବା ପ୍ରତିବାଦ କଲେ ତାଙ୍କୁ ଉପଯୁକ୍ତ ଶିକ୍ଷା ଦେବାକୁ ଗାଁକୁ ଗାଁ ସମ୍ବାଦ ପଠାଗଲା । ଏହି ଘଟଣାକୁ ନେଇ ସେତେବେଳର ଦଳିତ ନେତାମାନେ ଓ ସମ୍ବାଦପତ୍ରମାନେ ମତ ଦେଇଥିଲେ ଯେ ଯେଉଁ ଦେଶର ଲୋକମାନେ ନିଜ ଦେଶର ଲୋକଙ୍କୁ ସର୍ବନିମ୍ନ ମାନବିକ ଅଧିକାରରୁ ବଞ୍ଚିତ କରୁଛନ୍ତି ସେମାନେ ସ୍ଵାଧୀନତା ଲାଭ କରିବାକୁ କେତେ ଦୂର ଯୋଗ୍ୟ ?

 

୧୯୨୪ରେ ଭାଇକମ ଆନ୍ଦୋଳନ ଓ ୧୯୨୭ର ଦଳିତ ସମ୍ମିଳନୀର ଘଟଣା ପରେ ଭାରତୀୟ ହିନ୍ଦୁ ସମାଜର ଜାତିଆଣ ମନୋଭାବ ଯେ ଏକ ଗମ୍ଭୀର ସମସ୍ୟା ଏହା ଗାନ୍ଧୀ ଓ କଂଗ୍ରେସର ଦୃଷ୍ଟି ଆକର୍ଷଣ କରିଥିଲା । ଏହି ସାମାଜିକ ପ୍ରଥାର ଗୁରୁତ୍ଵ ଓ ଗମ୍ଭୀରତାକୁ ଅନୁଭବ କରି ବର୍ଣ୍ଣବ୍ୟବସ୍ଥାକୁ ସମର୍ଥନ କରି ଆସିଥିବା ଗାନ୍ଧୀ ୧୯୩୩ରେ ଏହି ସମସ୍ୟା ପ୍ରତି ନିଜର ସମ୍ପୃକ୍ତି ପ୍ରକାଶ କଲେ । ପରିଣାମତଃ ସେ ‘‘ହରିଜନ ସେବକ ସଙ୍ଘ’’ ଗଠନ କରି ଅମୃତଲାଲ ଭି. ଠକ୍‌କରକୁ ଏହାର ଦାୟିତ୍ଵ ଦେଲେ । ଅସ୍ପୃଶ୍ୟତା ଦୂର କରିବାକୁ ସାମାଜିକ ଚେତନା ସୃଷ୍ଟି କରିବା ପାଇଁ ଗାନ୍ଧୀ କେତେକ ରାଜ୍ୟରେ ପଦଯାତ୍ରା କଲେ । ଏହି କାର୍ଯ୍ୟକ୍ରମରେ ୧୯୩୪ ମେ ମାସରେ ଗାନ୍ଧୀ ପୁରୀଠାରୁ ଭଦ୍ରକ ପର୍ଯ୍ୟନ୍ତ ଯେଉଁ ପଦଯାତ୍ରା କରିଥିଲେ ତାହାକୁ ‘ଓଡ଼ିଶାରେ ଗାନ୍ଧୀଙ୍କ ହରିଜନ ପଦଯାତ୍ରା’ କୁହାଯାଏ । ଅସ୍ପୃଶ୍ୟତା ଦୂରୀକରଣ ପାଇଁ ପଦଯାତ୍ରା ସମୟରେ ଗାନ୍ଧୀଙ୍କ ସ୍ତରର ବ୍ୟକ୍ତିଙ୍କୁ ବି ରକ୍ଷଣଶୀଳ ଲୋକମାନେ କେତେକ ସ୍ଥାନରେ କଳାପତାକା ଦେଖାଇଛନ୍ତି । କଟକ କାଠଯୋଡ଼ି ନଦୀକୂଳରେ ଗାନ୍ଧୀଙ୍କ ସଭାରେ ନିଜକୁ ସନାତନୀ ହିନ୍ଦୁ କହୁଥିବା ଶ୍ରୀ ଲାଲନାଥ ଓ ତାଙ୍କ ସହଯୋଗୀମାନେ କଳାପତାକା ଦେଖାଇଲେ । ଏକଥା ବିନୋଦ କାନୁନ୍‍ଗୋ ବି ତାଙ୍କ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି । (ଋଣ ପରିଶୋଧ, ପୃଷ୍ଠା ୧୪) ଲାଲନାଥ ଓ ତାଙ୍କ ଗୋଷ୍ଠୀର ଦାବି ଥିଲା ଯେ ଅସ୍ପୃଶ୍ୟତା ହିନ୍ଦୁ ଧର୍ମ - ସମ୍ମତ ଓ ଅସ୍ପୃଶ୍ୟତା ଦୂରହେବା ଏକ ଧର୍ମ ବିରୋଧୀ କାର୍ଯ୍ୟ ।

 

ବିନୋଦ କାନୁନ୍‌ଗୋଙ୍କ ବିଷୟରେ ଲେଖିବାକୁ ଯାଇ ଭାରତୀୟ ସମାଜର ଏକ ଅମାନବିକ ବ୍ୟବସ୍ଥାର ସୂଚନା ଦେବା ହୁଏତ ପାଠକମାନଙ୍କୁ କିଛିଟା ଅସଙ୍ଗତ ମନେ ହୋଇପାରେ-। ଏହା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି ଯେ ଏହି ସାମାଜିକ ପ୍ରଥା ବିରୁଦ୍ଧରେ କାନୁନଗୋ କିପରି ପ୍ରୟାସ କରିଛନ୍ତି ଓ ମାନବିକ ମର୍ଯ୍ୟାଦା ପ୍ରତି ତାଙ୍କର ପ୍ରତିବଦ୍ଧତା ବ୍ୟକ୍ତ କରି ଆସିଛନ୍ତି ସେହି ପୃଷ୍ଠଭୂମିକୁ ଦର୍ଶାଇବାକୁ ଯାଇ ଏହା ଏଠାରେ ଉଲ୍ଲେଖ କରିଛି । ଭାରତୀୟ ଜନଜୀବନର ଜାତିପ୍ରଥା, ସାମାଜିକ ଭେଦଭାବ, ଅସ୍ପୃଶ୍ୟତା ଓ ସାମନ୍ତବାଦୀ ମାନସିକତା କେତେ ଉତ୍କଟ ହୋଇ ରହିଥିଲା ତାହା ଯେ କୌଣସି ରାଜ୍ୟର ସାମାଜିକ ଇତିହାସକୁ ଅଧ୍ୟୟନ କଲେ ଜଣାଯାଏ । ବିଂଶ ଶତାବ୍ଦୀର ତିରିଶ/ଚାଳିଶ ଦଶକରେ ଓଡ଼ିଶାରେ ଅସ୍ପୃଶ୍ୟତା ବି ବେଶ୍‌ ଉତ୍କଟ ରହିଥିଲା । ଓଡ଼ିଶାର ଜନଜୀବନରେ ଅସ୍ପୃଶ୍ୟତା ଓ ଜାତିମାନସିକତା କିପରି ଥିଲା ତାହାର ଦୁଇଟି ଦୃଷ୍ଟାନ୍ତ ମଧ୍ୟ ଏଠାରେ ସଂକ୍ଷେପରେ ଉଲ୍ଲେଖ କରୁଛି । ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଦ୍ଧ ଗଙ୍ଗାଧର ରଥ ତାଙ୍କ ଆତ୍ମଜୀବନୀ ‘ଭୁଲି ନାହିଁ’ରେ ତାଙ୍କ ଛାତ୍ର ଜୀବନର ଏକ ଘଟଣା ଉଲ୍ଲେଖ କରିଛନ୍ତି । ଜଗତସିଂହପୁରଠାରେ ସେ ସ୍କୁଲ ଛାତ୍ର ଥିବାବେଳେ କେତେକ ଗାନ୍ଧୀବାଦୀ ସ୍ଵାଧୀନତା ସଂଗ୍ରାମୀ ଦଳିତ ପିଲାମାନଙ୍କୁ ଆଣି ସ୍କୁଲରେ ନାମ ଲେଖାଇ ପଢ଼ାଇବାକୁ ଉଦ୍ୟମ କଲେ । ଏହାକୁ ସ୍ଥାନୀୟ ଲୋକମାନେ ଆଦୌ ଗ୍ରହଣ କରିପାରିଲେ ନାହିଁ । ଯେତେବେଳେ ଉଚ୍ଚ ଜାତିର ଲୋକମାନେ ଦଳିତ ପିଲାମାନେ ସ୍କୁଲରେ ପଢ଼ିବା ନେଇ ଭୟଙ୍କର ବିରୋଧ କଲେ ସେତେବେଳେ ସ୍କୁଲ ବାହାରେ ଦଳିତମାନଙ୍କ ପାଇଁ ଗୋଟିଏ ସ୍ଵତନ୍ତ୍ର ଚାଳଘର ତିଆରି କରି ସେମାନଙ୍କୁ ପଢ଼ାଇବାକୁ ଉଦ୍ୟମ ହେଲା । ଦଳିତ ପିଲା ସ୍କୁଲକୁ ଆସିଲେ ଓ ସ୍ଵାଧୀନତା ସଂଗ୍ରାମୀ ସେମାନଙ୍କୁ ନିୟମିତ ପଢ଼ାଇଲେ । ମାତ୍ର ଖୁବ୍‌ ଅଳ୍ପଦିନ ଭିତରେ ଉଚ୍ଚଜାତିର ଲୋକମାନେ ସ୍କୁଲଟିକୁ ପୋଡ଼ିଦେଇ ପୂରା ନଷ୍ଟ କରିଦେଲେ । ଓଡ଼ିଶାର ଏକ ସଚେତନ ଅଞ୍ଚଳ ଜଗତସିଂହପୁରରେ ଏହି ଘଟଣା ସ୍ଵାଧୀନତା ପୂର୍ବରୁ ଚାଳିଶ ଦଶକରେ ଘଟିଥିଲା ।

 

ବିଶିଷ୍ଟ ଗାନ୍ଧିବାଦୀ ଭୂଦାନକର୍ମୀ ଶ୍ରୀ ନିଶାକର ଦାସ ତାଙ୍କ ଆତ୍ମଜୀବନୀ ‘‘ଖ୍ରସୁଆଁରୁ କୁଲାବିରା’’ରେ ଯାଜପୁର ଜିଲ୍ଲାର ତାଙ୍କ ଗ୍ରାମର ଏକ ଘଟଣା ଉଲ୍ଲେଖ କରିଛନ୍ତି । ତାଙ୍କ ଗ୍ରାମ ପାଖର ଜନୈକ ବ୍ୟକ୍ତି କଲିକତାରେ ଝୋଟକଳରେ ଶ୍ରମିକ ଭାବେ କାମ କରୁଥାନ୍ତି । ତାଙ୍କ ପୁଅ ମାଟ୍ରିକ ପରୀକ୍ଷା ଦେଇ ତାଙ୍କର ଜଣେ ବନ୍ଧୁ ଘରକୁ ଆସୁଥାନ୍ତି । ସେ ଖଣ୍ଡିଏ ପରିଷ୍କାର ଧୋତି ପିନ୍ଧି, ଚଦର ପକାଇ ଛତାଟିଏ ଧରି ଗାଁ ଦାଣ୍ଡରେ ଗଲାବେଳେ ଗାଁର ଜମିଦାରଙ୍କ ଦୃଷ୍ଟି ଆକର୍ଷଣ କଲେ । ଜଣେ ଅପରିଚିତ ଯୁବକକୁ ଗାଆଁ ଦାଣ୍ଡରେ ଦେଖି ଜମିଦାର ସେ କିଏ ବୋଲି ଜାଣିବାକୁ ଚାହିଁଲେ । ଜମିଦାରଙ୍କ ଲୋକମାନେ ଖବର ଦେଲେ ଯେ ସେ ନିକଟ ଗ୍ରାମର କଣ୍ଡରା ସାହିର ପିଲା । ଏହା ଜାଣିଲା ପରେ ଜମିଦାରଙ୍କ ରାଗର ସୀମା ରହିଲା ନାହିଁ । ଜଣେ କଣ୍ଡରା ଦଳିତ ଜାତିର ପିଲା ଜମିଦାରଙ୍କ ଦାଣ୍ଡରେ ପରିଷ୍କାର ଲୁଗା ପିନ୍ଧି ଛତା ଧରି ଯିବା ଜମିଦାରଙ୍କ ପ୍ରତି ଘୋର ଅପମାନ ବୋଲି ସେ ମନେକଲେ । ସେହି ଯୁବକର ଔଦ୍ଧତ୍ୟ ପାଇଁ ତାଙ୍କୁ ଡାକିଆଣି ଜମିଦାର ବାଡ଼େଇଲେ, ତାଙ୍କର ଲୁଗା ଚିରିଦେଲେ, ଛତା ଭାଙ୍ଗିଦେଲେ ଓ ଏକ ଛିଣ୍ଡା ମଇଳା ଲୁଗା ପିନ୍ଧି ଯିବାକୁ ବାଧ୍ୟ କଲେ । ନିରୀହ ଯୁବକଟି ମାଡ଼ ଓ ଅପମାନ ନେଇ ସେଠାରୁ ଗଲେ । ଜମିଦାରମାନଙ୍କର ଅନ୍ୟାୟ ଓ ଅତ୍ୟାଚାରର ପ୍ରତିବାଦ କରିବାର ସାମାନ୍ୟ ସାହସ ସେ ଯୁଗରେ ନ ଥିଲା । ଗଙ୍ଗାଧର ରଥ ଓ ନିଶାକର ଦାସ ସେମାନଙ୍କ ଆତ୍ମଜୀବନୀରେ ଯେଉଁ ଘଟଣା ଲେଖିଛନ୍ତି ତାହା କୌଣସି ବ୍ୟତିକ୍ରମଜନିତ ଏକକ ଘଟଣା ନୁହେଁ । ମୋଟାମୋଟି ଭାବେ ଦଳିତମାନଙ୍କ ପ୍ରତି ସାମାଜିକ ଦୃଷ୍ଟିଭଙ୍ଗୀ ଏହିପରି ଅମାନବିକ ସ୍ଥିତିରେ ସାରା ଦେଶରେ ରହିଥିଲା-

 

ଘଟଣାକ୍ରମେ ଜାତୀୟ ସ୍ତରରେ ବିଂଶ ଶତାବ୍ଦୀର ତିରିଶ ଦଶକରେ ହରିଜନ ସେବକ ସଂଘର ପ୍ରତିଷ୍ଠା ପରେ ଓଡ଼ିଶାରେ ତାହାର ଦାୟିତ୍ୱ ଆଚାର୍ଯ୍ୟ ହରିହରଙ୍କୁ ଦିଆଗଲା । ଆଚାର୍ଯ୍ୟ ହରିହର ହରିଜନ ସେବକ ସଂଘରେ ପୂରା ସମୟ କାମ କରିବା ପାଇଁ ଯେଉଁ ଦୁଇଜଣ କର୍ମୀଙ୍କୁ ବାଛିଥିଲେ ସେମାନେ ଥିଲେ ବିନୋଦ କାନୁନ୍‌ଗୋ ଓ ବାଞ୍ଛାନିଧି ପଟ୍ଟନାୟକ । ହରିଜନ ସେବକ ସଂଘର କର୍ମୀଭାବେ କାନୁନଗୋ ସମ୍ପୃକ୍ତ ହେବା ପୂର୍ବରୁ ସେ ଦଳିତ ଲୋକଙ୍କର ସମସ୍ୟା, ଦାରିଦ୍ର୍ୟ, ସେମାନଙ୍କ ପ୍ରତି ହୋଇ ଆସୁଥିବା ଅମାନବିକ ବ୍ୟବହାର ବିଷୟରେ ବେଶ୍‌ ସଚେତନ ଥିଲେ । ହରିଜନ ପଦଯାତ୍ରା ସମୟରେ ସେ ଗାନ୍ଧୀଙ୍କ ସହ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିଥିଲେ । ଗାନ୍ଧୀଙ୍କ ପ୍ରତ୍ୟେକ ଦିନର ଭାଷଣ, କର୍ମୀମାନଙ୍କ ସହ ଆଲୋଚନାକୁ ବିଭିନ୍ନ ପ୍ରଶ୍ନର ଉତ୍ତରକୁ ସେ ଲିପିବଦ୍ଧ କରି ତାହାର ବିବରଣୀ ସମାଜକୁ ପଠାଉଥିଲେ ତାହା ସମାଜ ତରଫରୁ ତାଙ୍କୁ ଯେହେତୁ ଏହି ଦାୟିତ୍ୱ ଦିଆଯାଇଥିଲା ସେ ଯେଉଁ ବିବରଣୀ ପଠାଉଥିଲେ ତାହା ସମାଜରେ ପ୍ରକାଶ ପାଉଥିଲା ଓ ପରେ ‘‘ବାପୁଜୀଙ୍କ ଉତ୍କଳରେ ପଦଯାତ୍ରା’’ ନାମରେ ପ୍ରକାଶିତ ହୋଇଥିଲା ।

 

ବିନୋଦବାବୁଙ୍କ ଭିତରେ ଏକ ସମ୍ବେଦନଶୀଳ ହୃଦୟ ରହିଥିଲା । ଅସ୍ପୃଶ୍ୟତା ଓ ଭେଦଭାବମୂଳକ ମାନସିକତାର ସେ ଘୋର ବିରୋଧୀ ଥିଲେ । ପ୍ରତ୍ୟେକ ବ୍ୟକ୍ତିର ଆତ୍ମସମ୍ମାନ ଓ ମାନବିକ ମର୍ଯ୍ୟାଦାକୁ ସେ ସର୍ବଦା ଗୁରୁତ୍ଵ ଦେଇ ଆସିଥିଲେ । ସେ ତାଙ୍କର ଅଭିନବ ଆତ୍ମଜୀବନୀମୂଳକ ପୁସ୍ତକ ‘ଋଣ ପରିଶୋଧ’ରେ ତିନିଜଣ ଦଳିତ ମହିଳାଙ୍କ ପ୍ରତି ତାଙ୍କ ଅନ୍ତରର ଯେଉଁ କୃତଜ୍ଞତା ପ୍ରକାଶ କରିଛନ୍ତି ତାହା ତାଙ୍କ ସଂସ୍କାରବାଦୀ ଓ ମାନବବାଦୀ ଦୃଷ୍ଟିଭଙ୍ଗୀର ଯଥେଷ୍ଟ ପରିଚୟ ଦିଏ । ଏଠାରେ ସେହି ଘଟଣାମାନଙ୍କର ସାମାନ୍ୟ ସୂଚନା ଦିଆଯାଇପାରେ ।

 

ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ଗାଁଗଣ୍ଡାରେ ରଚନାତ୍ମକ କାର୍ଯ୍ୟ କରିବାକୁ ବରୀରେ ରହୁଥାନ୍ତି । ବିନୋଦବାବୁ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଯାଇ ବରୀରେ ୧୯୩୪ରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରହି ବିଭିନ୍ନ କୁଟୀରଶିଳ୍ପ, ଶିକ୍ଷାର ପ୍ରସାର, ଅସ୍ପୃଶ୍ୟତାର ବିଲୋପ ଇତ୍ୟାଦି ରଚନାତ୍ମକ କାର୍ଯ୍ୟରେ ବ୍ରତୀ ହେଲେ । ଘଟଣାକ୍ରମେ ସେଠାରେ ଜଣେ ଦଳିତ ମହିଳା ଓ କ୍ଷେତ୍ରବାସୀ ମା’ଙ୍କ ସହିତ ତାଙ୍କର ସମ୍ପର୍କ ବେଶ୍‌ ନିବିଡ଼ ହୋଇଥିଲା । ଏକଦା ସେଠାରେ ଥିବା ଏକ ଜଳାଶୟରେ ସେ ଗାଧୋଉଥାନ୍ତି । ଅଳ୍ପ ଦୂରରେ ଅନ୍ୟ ଏକ ତୁଠରେ କ୍ଷେତ୍ରବାସୀ ମା’ ତାଙ୍କ ତିନିବର୍ଷର ନାତୁଣୀଙ୍କୁ ନେଇ ଗାଧୋଉଥାନ୍ତି । କୁନି ଝିଅଟି ପାଣିରେ ଖେଳୁଥାଏ ଓ ବିନୋଦବାବୁଙ୍କ ଆଡ଼କୁ ପାଣି ପକାଉଥାଏ । ଏହା ଦେଖୁ ତା’ର ଜେଜେମା ନାତୁଣୀକୁ ଚଟକଣାଟିଏ ମାରିଲେ । ବାବୁଙ୍କ ଉପରେ ଅସ୍ପୃଶ୍ୟ ଝିଅର ପାଣି ପଡ଼ିଲେ ସେ ଗାଳି ଶୁଣିବ ଭାବି ଏହା କରିଥିଲେ । ଏହାପରେ ବିନୋଦବାବୁ ଯାଇ ଟିକି ଝିଅଟିକୁ କାନ୍ଧରେ ବସାଇ ଧରିଲେ । ଏହି ଘଟଣାଟିରେ ବୁଢ଼ୀ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରଠୁ ତାଙ୍କର କ୍ଷେତ୍ରବାସୀ ମା’ଙ୍କ ସହ ସମ୍ପର୍କ ନିବିଡ଼ ହୋଇଗଲା । ପରେ ଅସ୍ପୃଶ୍ୟତା ନିବାରଣ ପାଇଁ ବିନୋଦବାବୁ ଦଳିତ ବସ୍ତିରେ ଯାଇ ରହିବାକୁ ସ୍ଥିର କଲେ । ସେ ତାଙ୍କ ସାହିରେ ଯାଇ ରହିବେ ଏହା ଶୁଣି କ୍ଷେତ୍ରବାସୀଙ୍କ ମା’ ତାଙ୍କ ପିଲାଙ୍କୁ ଲଗାଇ ତାଙ୍କ ପାଇଁ ପିଣ୍ଡା ଓ ବଖରାଟିଏ ଘର କରିଦେଲେ ଓ ବିନୋଦବାବୁ ଯାଇ ସେହି ଘରେ ରହିଲେ । କିଛିଦିନ ହାତରେ ରୋଷେଇ କରି ଖାଇବା ପରେ ସେ ନିଷ୍ପତ୍ତି କଲେ ଯେ ସେ କ୍ଷେତ୍ରବାସୀଙ୍କ ପରିବାରରେ ଖାଇବେ, ଫଳରେ ରୋଷେଇ କରିବାର ଝିଂଝଟ ରହିବ ନାହିଁ । ସେମାନଙ୍କର ବାରଣ ସତ୍ତ୍ୱେ ବିନୋଦବାବୁ ତାଙ୍କ ପରିବାରରେ ଖାଇବାକୁ ଜିଦ୍‌ ଧରିଲେ ଓ ତାହା ହିଁ ହେଲା । କ୍ଷେତ୍ରବାସୀ, ଯିଏ ବିନୋଦବାବୁଙ୍କଠାରୁ ସାମାନ୍ୟ ବଡ଼ ଥିଲେ, ତାଙ୍କ ମା’ ବିନୋଦବାବୁଙ୍କୁ ପୁଅ ଭଳି ସ୍ନେହ ଓ ଯତ୍ନ କଲେ । ବରୀରେ ତାଙ୍କରି ପରିବାରରେ ଚାରିବର୍ଷ ରହି ଖାଇ ସେ ନୀରବରେ ଏକ ସାମାଜିକ କ୍ରାନ୍ତି ଦିଗରେ ଅଗ୍ରଦୂତ ହୋଇଥିଲେ । ତାଙ୍କରି ପ୍ରେରଣାରେ ଦଳିତ ସାହିତ୍ୟର ଅନେକ ଯୁବକ ସ୍ଵାଧୀନତା ଆନ୍ଦୋଳନରେ ଅଂଶ ଗ୍ରହଣ କଲେ, ଖଦୀ ପିନ୍ଧିଲେ ଓ ଗାନ୍ଧୀଙ୍କ ମୂଲ୍ୟବୋଧ ପ୍ରତି ଉତ୍ସର୍ଗୀକୃତ ହୋଇଗଲେ । ବିନୋଦବାବୁଙ୍କ ନିଜ ଭାଷାରେ ‘‘ମୁଁ ବରୀରେ ଗୋଟିଏ ମା’ ପାଇ ଯାଇଥିଲି, ଯଦିଓ ସେ ମୋର ଜନ୍ମକଲା ମା’ ନୁହେଁ ।’’ (ରଣ ପରିଶୋଧ, ପୃଷ୍ଠା ୩୭୨)

 

ବିନୋଦ କାନୁନ୍ନଗୋ ମାମୁଁ ଘରେ ରହି ପ୍ରାଥମିକ ବିଦ୍ୟାଳୟରେ ପଢ଼ିବା ବେଳେ ତାଙ୍କ ପିଲାଦିନର ଏକ ସ୍ମୃତି ବ୍ୟକ୍ତ କରିଛନ୍ତି । ସେ କେତେକ ସାଥୀଙ୍କ ସହ କଣ୍ଡରା ସାହିକୁ ଯାଆନ୍ତି । ସେହି ସାହିରେ ପାଲୁଣୀ ମା’ଙ୍କ ଘର ଆଗରେ ଗୋଟିଏ କୋଳି ଗଛ ଥାଏ । ସେ କୋଳି ବହୁତ ସ୍ଵାଦ ଓ ବଡ଼ ବଡ଼ । ତେବେ ସମସ୍ୟା ହୁଏ ଯେ ସେ ଗଛ ଚଢ଼ି କୋଳି ଖାଇ ପାରନ୍ତି ନାହିଁ । ତଳେ ପଡ଼ିଥିବା କୋଳି ଖାଇବେ ନାହିଁ, କାରଣ କଣ୍ଡରା-ଛୁଆଁ ପାଣି ତଳେ ପଡ଼ିଥିବ ବା ଅଛୁଆଁ ଲୋକଙ୍କ ପାଦର ଧୂଳି ନିଶ୍ଚୟ ସେଠାରେ ଥିବ । ଯେ ଗଛରେ ଚଢ଼ି ପାରନ୍ତି ତାଙ୍କୁ କାକୁତି ବିନତି ହୋଇ ଅନୁନୟ ପରେ ସେ କେତୋଟି କୋଳି ଏମାନଙ୍କ କାନିକୁ ପକାନ୍ତି । ପିଲାଙ୍କର ଏହି ବିକଳ ଅବସ୍ଥା ଦେଖି ପାଲୁଣୀ ମା’ଙ୍କୁ କଷ୍ଟ ଲାଗିଲା । ତେଣୁ ପିଲାଏ ଆସିବା ପୂର୍ବରୁ କୋଳିଗଛ ତଳେ ଏକ ବଡ଼ ଜାଗାକୁ ସେ ଗୋବର ପକାଇ ଲିପିଦେବେ ଓ ସେହି ଲିପା ଜାଗାକୁ କେହି ନ ଯିବା ପାଇଁ କଣ୍ଡରା ପିଲାମାନଙ୍କୁ ବାରଣ କରିଥିବେ । ସେହି ଲିପା ସ୍ଥାନରେ କୋଳି ପଡ଼ିଲେ ବା ଝଡ଼ିଲେ ପିଲାମାନେ ଖାଇପାରିବେ । ଜଣେ ଗଛରେ ଚଢ଼ି କୋଳି ଗଛର ଡାଳକୁ ହଲାଇବେ, ଯେଉଁ କୋଳିଗୁଡ଼ିକ ଗୋବର ଲିପା ଜାଗାରେ ପଡ଼ିବ ତାକୁ ଗୋଟେଇ ପିଲାମାନେ ପାଚିଆଏ ଲେଖା କୋଳି ସଂଗ୍ରହ କରି ଫେରନ୍ତି । ଏଥିରେ ପାଲୁଣୀ ମା’ ବେଶ୍‌ ଆନନ୍ଦ ଅନୁଭବ କରନ୍ତି । ବିନୋଦବାବୁ ମାମୁଁଘର ଗ୍ରାମ ନାଗଣପୁର ଛାଡ଼ିବା ପରେ ସେଠାକୁ ଜୀବନରେ ଅନ୍ୟ କେତେଥର ଯାଇଛନ୍ତି । ଯେତେବେଳେ ସେଠାକୁ ଯାଇଛନ୍ତି ପାଲୁଣୀ ମା’ଙ୍କ ଘରଆଡ଼େ ଯାଆନ୍ତି, ଭାବନ୍ତି ତାହା ତାଙ୍କ ପାଇଁ ଏକ ତୀର୍ଥସ୍ଥାନ । ନାଗଣପୁରରେ ଅସ୍ପୃଶ୍ୟତାର ବିକଟ ରୂପକୁ ସେ ପିଲାବେଳେ ଯାହା ଦେଖୁଛନ୍ତି ତାହା ତାଙ୍କ ସ୍ମୃତିରେ ଅମଳିନ ଥାଏ । ଭାବନ୍ତି ଗୋଟିଏ ପଟେ ମନୁଷ୍ୟକୁ ମନୁଷ୍ୟର ସାମାଜିକ ଘୃଣା, ଅପମାନ ଓ ଲାଞ୍ଛନା । ଅନ୍ୟ ପକ୍ଷରେ ଯେଉଁମାନେ ଏଭଳି ଘୃଣା କରୁଛନ୍ତି ସେହିମାନଙ୍କ ପିଲାଙ୍କ ପାଇଁ ପାଲୁଣୀ ମା’ର ଅନ୍ତରରେ ଏତେ ସ୍ନେହ, ଦରଦ ଓ ଆଦର । ଏହି ଘଟଣାକୁ ମନେ ପକାଇ ସେ ପାଲୁଣୀ ମା’ର ଘରକୁ ଏକ ତୀର୍ଥସ୍ଥାନ ବୋଲି କହିଛନ୍ତି । (ଋଣ ପରିଶୋଧ, ପୃ-୬୧)

 

ବିନୋଦବାବୁ ତାଙ୍କ ନିଜ ଗ୍ରାମ ମଲ୍ଲୀପୁରର ଜଣେ ଦଳିତ ମହିଳା ‘‘‘ଶୋବି ବାଉରାଣୀ’’ଙ୍କ ପ୍ରତି ‘ଋଣ ପରିଶୋଧ’ରେ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ପିଲାଟି ବେଳୁ ପାଠ ପଢ଼ିବା ପାଇଁ ନିଜ ମାମୁଁ ଘରେ ରହିଥିଲେ । ମାମୁଁଙ୍କ ସାଥିରେ ପରେ ଆସି କଟକରେ ଷଷ୍ଠ ଶ୍ରେଣୀରେ ପଢ଼ିଲେ । ଘଟଣାକ୍ରମେ ଅଠାଇଶି ବର୍ଷପରେ ନିଜ ଗ୍ରାମ ମଲ୍ଲୀପୁରରେ ନିଜର ବିବାହ ପରେ ୧୯୪୫ରୁ ୧୯୫୩ ପର୍ଯ୍ୟନ୍ତ ରହିଲେ । ସେହି ସମୟରେ ବାଉରୀ ସାହିର ଶୋବି ବାଉରାଣୀ ତାଙ୍କର ଅତି ପ୍ରିୟ ହୋଇ ଉଠିଥିଲେ । ବିନୋଦବାବୁଙ୍କ ଜନ୍ମବେଳେ ସେ ତାଙ୍କର ନାହି କାଟିଥି‌ଲେ ଓ ତାଙ୍କ ମାଙ୍କର ଲୁଗାପଟା ଧୋଇଥିଲେ । ସେ ଏହି କାମ ଗାଁରେ କରନ୍ତି । ବିନୋଦବାବୁଙ୍କ ପିଲାମାନେ ଗାଁରେ ଜନ୍ମ ହେବାବେଳେ ଅନ୍ତୁଡ଼ି ଶାଳରେ ଶୋବି ରହି ସେବା ଦେଇଛନ୍ତି । ସେମାନଙ୍କର ଗଦା ଗଦା ମଇଳା ଲୁଗାର ଧୋଇଛନ୍ତି । ବିନୋଦବାବୁ ଗ୍ରାମରେ ରହୁଥିବାବେଳେ ତାଙ୍କ ସାଙ୍ଗରେ ବିଲରେ ସେ କାମ କରନ୍ତି ଓ ଶୋବି ବିନୋଦବାବୁଙ୍କୁ ‘‘ତୁ’’ କହନ୍ତି-। ଏପରିକି ତାଙ୍କର ପିଲାମାନେ ୧୯୬୨ ପର୍ଯ୍ୟନ୍ତ ଗାଁରେ ରହୁଥିବାବେଳେ ଶୋବି ତାଙ୍କ ପରିବାରର ସଭ୍ୟ ପାଲଟି ଯାଇଛନ୍ତି । ୧୯୭୦ରେ ବିନୋଦବାବୁ ଗ୍ରାମକୁ ଥରେ ଯିବାବେଳେ ଶୁଣିଲେ ଶୋବି ମୃତ୍ୟୁ ଶଯ୍ୟାରେ, ସେ ଆଉ ବିଛଣାରୁ ଉଠି ପାରୁନାହାଁନ୍ତି । ସେ ତାଙ୍କ ଘରକୁ ଗଲେ, ତାଙ୍କ ପାଦ ପାଖରେ ବସି ତାଙ୍କ ପାଦ ଆଉଁଶି ଦେଲେ । ବିନୋଦବାବୁଙ୍କୁ ନିଜ ପାଖରେ ପାଇ ସେ ତାଙ୍କ ହାତକୁ ଧରି ଆବେଗରେ ଆଖିରୁ ଲୁହ ଗଡ଼ାଇଲେ । ତାଙ୍କଠାରୁ ବିଦାୟ ନେଇ ଆସିବାବେଳେ ସେ ବାଉରୀ ସାହିରେ କହିଥିଲେ ଶୋବିଙ୍କର ଶେଷ ଅବସ୍ଥା ଦେଖିଲେ ତାଙ୍କୁ ଖବର ଦେବାକୁ, ଫଳରେ ସେ ତାଙ୍କୁ କାନ୍ଧରେ ଶ୍ମଶାନକୁ ନେବେ । କିନ୍ତୁ ସେ ସୁଯୋଗ ତାଙ୍କର ହେଲା ନାହିଁ । ଶୋବିଙ୍କ ମୃତ୍ୟୁ ଖବର କଟକକୁ ଆସିବା ବେଳକୁ ସେ କଟକରେ ନ ଥିଲେ । ଜଣେ ସ୍ନେହମୟୀ ଦଳିତ ମହିଳାଙ୍କ ବିଷୟରେ ଲେଖିଲାବେଳେ ବିନୋଦବାବୁଙ୍କ ଆଖିରୁ ଲୁହ ଝରିଛି । ତାଙ୍କ ପ୍ରାଣର ଆବେଗ ଜାଣିବା ପାଇଁ ତାଙ୍କ ବହିରୁ କେତୋଟି ଧାଡ଼ି ଉଦ୍ଧାର କରୁଛି-

 

‘‘ଶୋବି ବାଉରାଣୀ’ ଆମ ଗାଆଁରେ କେତେ ପିଲାଙ୍କର ନାହି କାଟିଛି, ଅନ୍ତୁଡ଼ିଶାଳର ଗଦା ଗଦା ଲୁଗା ନଈରେ ସଫା କରିଛି । ସେସବୁ କାମ ସେ କାହିଁକି କଲା ବୋଲି ବୋଧହୁଏ ମଲା ପର୍ଯ୍ୟନ୍ତ ଅଛୁଆଁ ହୋଇ ରହିଗଲା । ଗାନ୍ଧୀଙ୍କ ତପସ୍ୟା, ତାଙ୍କ ସାଧନା, ଆମମାନଙ୍କର ସବୁ ଉଦ୍ୟମ, ସବୁ ଯୁକ୍ତି ଶୋବି ବାଉରାଣୀକୁ କେବେ ହେଲେ ‘କେବଳ ଶୋବି’ କରିଦେଇପାରିଲା ନାହିଁ । ତେବେ ଏତିକି ସାନ୍ତ୍ୱନା ଯେ ତାହାର ନାତି, ଅଣନାତିମାନେ ଏବେ ଟିକିଏ ମୁଣ୍ଡଟେକି ଚାଲିଲେଣି । ସେଦିନ ସେହି ଶୋବିର ଅଣନାତି ସୁଦାମ କଟକର ପୁଲିସ ସାହେବ ଶ୍ରୀ ଅନାଦି ସାହୁଙ୍କ ଆଗରେ କେତେଜଣ କରଣଙ୍କର ହରିଜନଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଯେମିତି କହିଲା ସମସ୍ତେ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ପରେ ମୁଁ ଶୁଣିଲି । ବିଚାରିଲି ତାହା ହେଲେ ଶୋବି ବାଉରାଣୀ ମରିନାହିଁ । ଆମେ ସବୁ ମରିଛୁ । ଅସ୍ପୃଶ୍ୟତା ରୂପକ ରାକ୍ଷସୀକୁ ମାରିବା ପାଇଁ ଆମର ଆଉ ସାହସ ହେଉ ନାହିଁ ।’’ (ରଣ ପରିଶୋଧ, ପୃଷ୍ଠା-୪୧)

 

ଗୋଟିଏ ସାମାଜିକ ସମସ୍ୟା ପ୍ରତି ବିନୋଦବାବୁଙ୍କ ପ୍ରାଣର ବ୍ୟାକୁଳତା ଏଥିରୁ ଧରିହୁଏ-। ଅସ୍ପୃଶ୍ୟତା ରୂପୀ କଳଙ୍କ ଭାରତୀୟ ସମାଜରେ ଯୁଗ ଯୁଗ ଧରି ରହିବା ଏକ ଐତିହାସିକ ଘଟଣା-। ତେବେ ଯେଉଁମାନେ ଅସ୍ପୃଶ୍ୟତାରେ ବିଶ୍ଵାସ କରୁଥିଲେ ସେମାନେ ଯେ ମନ୍ଦଲୋକ ବା ସେମାନଙ୍କର ସାମାଜିକ ଚରିତ୍ର ଅନୈତିକ ଏହା କୁହାଯାଇପାରିବ ନାହିଁ । ବରଂ ସେମାନେ କେତେକ ଆଧାରହୀନ ବିଶ୍ୱାସକୁ ଗ୍ରହଣ କରିନେବା ହେତୁ ସେମାନେ ଏହି ପ୍ରଥାର ଅନିଷ୍ଟକର ଦିଗ ଉପରେ ଚିନ୍ତା କରିପାରନ୍ତି ନାହିଁ । ରକ୍ଷଣଶୀଳ ଜାତିବାଦୀ ଲୋକଙ୍କର ଧାରଣା ଯେ ଦଳିତମାନେ ଅପବିତ୍ର ଓ ସେମାନଙ୍କୁ ଭୂଇଁଲେ କାୟା ଅପବିତ୍ର ହୋଇଯିବ । ଏହି ବିଶ୍ୱାସ ଓ ଏହା ସହିତ ଯୁଗ ଯୁଗର ପରମ୍ପରା ଓ ରକ୍ଷଣଶୀଳ ଧାର୍ମିକ ମାନସିକତାର ସମ୍ମିଳିତ ପ୍ରଭାବରୁ ସମାଜର ଅନେକ ବ୍ୟକ୍ତି ଏହି ପ୍ରଥାକୁ ଗ୍ରହଣ କରିଆସିଛନ୍ତି । ଏହା ପଶ୍ଚାତର ଅମାନବିକ ଦିଗିଟି ବିଷୟରେ ସେମାନେ ଚିନ୍ତା ପ୍ରକଟ କରିପାରନ୍ତି ନାହିଁ । ବରଂ ବହୁ ସମୟରେ ଏକ ବିଚାରହୀନ ଆବେଗରେ ପରିଚାଳିତ ହୋଇ ଏକ ଅନ୍ୟାୟ ଓ ଅନୈତିକ ବ୍ୟବସ୍ଥାକୁ ସେମାନେ ବିଶ୍ୱାସ କରନ୍ତି । ବିନୋଦବାବୁ ନିଜ ବିଚାରରେ ଓ ବାସ୍ତବ ଜୀବନର ଆଚରଣରେ ଏହି ସାମାଜିକ ମନ୍ଦ ବ୍ୟବସ୍ଥା ବିରୁଦ୍ଧରେ ସର୍ବଦା ସ୍ଵର ଉତ୍ତୋଳନ କରି ଆସିଛନ୍ତି ।

 

ତିନିଜଣ ଦଳିତ ମହିଳାଙ୍କ ପ୍ରତି ସେ ତାଙ୍କ ହୃଦୟର ଯେଉଁ ଆବେଗଭରା କୃତଜ୍ଞତା ଜଣାଇଛନ୍ତି ସେଥିରୁ ତାଙ୍କର ମାନବିକ ଦୃଷ୍ଟି ଓ ସମ୍ବେଦନଶୀଳ ହୃଦୟର ବଡ଼ ପରିଚୟ ମିଳିଥାଏ । ଭାରତୀୟ ହିନ୍ଦୁ ସମାଜର ଯେଉଁ ବର୍ବର ପ୍ରଥା ଯୁଗ ଯୁଗ ଧରି ସାଧାରଣ ଜୀବନକୁ କଳଙ୍କିତ ଓ ଦୂଷିତ କରି ରଖୁଛି ତାହା ତାଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି । ଏକ ସମତା ଭିତ୍ତିକ ଓ ଭେଦଭାବ ରହିତ ସମାଜର ସ୍ୱପ୍ନ ଦେଖୁଥିବା ଜଣେ ବିଗଳିତ ବ୍ୟକ୍ତିଙ୍କର ପ୍ରାଣର ବେଦନା ତାଙ୍କ ବକ୍ତବ୍ୟରୁ ବେଶ୍‌ ଅନୁଭବ କରିହୁଏ । ନିଜର ସମସ୍ତ ସୁରକ୍ଷିତ ଭବିଷ୍ୟତକୁ ପାଦରେ ଠେଲି ଦେଇ କିଶୋର ବୟସରୁ ପାଠଛାଡ଼ି ସେମାନେ ଦେଶର ଆହ୍ୱାନରେ ସ୍ୱାଧୀନତା ଆନ୍ଦୋଳରେ ଝାସ ଦେଇଥିଲେ । ଭାବିଥିଲେ ବ୍ରିଟିଶ ସାମ୍ରାଜ୍ୟବାଦ ଭାରତରୁ ଅପସରି ଯିବା ସହ ସମାଜରୁ ଦାରିଦ୍ର୍ୟ ଭେଦଭାବ, ଜାତିଆଣ ଉଚ୍ଚନୀଚ ବ୍ୟବସ୍ଥା ମଧ୍ୟ ଦୂର ହୋଇଯିବ । ତେବେ ସ୍ଵାଧୀନ ଭାରତରେ ଯେତେବେଳେ ସେ ଭେଦଭାବ, ଅନ୍ୟାୟ, ଦୁର୍ନୀତି ଓ ଜାତିବାଦ ଦେଖନ୍ତି ତାହା ତାଙ୍କ ପ୍ରାଣକୁ ଗଭୀର ଆଲୋଡ଼ିତ କରେ । ବିନୋଦବାବୁଙ୍କ ସ୍ତରର ବ୍ୟକ୍ତି ସମାଜର ଅପାଠୁଆ, ଅନାମଧେୟ ଦଳିତ ମହିଳାଙ୍କ ପାଖରେ କୃତଜ୍ଞତା ପ୍ରକାଶ କରିବା ତାଙ୍କ ମହାନୁଭବତାର ପରିଚୟ ଦିଏ । ସମତାଭିତ୍ତିକ ସମାଜ ଓ ଜୀବନରେ ମହତ୍ତର ମୂଲ୍ୟବୋଧ ପ୍ରତି ତାଙ୍କ ପ୍ରାଣର ଅନୁରାଗକୁ ଯେ କୌଣସି ପାଠକ ତାଙ୍କ ଆତ୍ମଜୀବନୀ ‘ପାଠ ପଛେ ପଛେ ଅପାଠୁଆ’ ଓ ‘ରଣ ପରିଶୋଧ’ରୁ ଅନୁଭବ କରିପାରିବ ।

 

ବିନୋଦ କାନୁନ୍‌ଗୋଙ୍କର ସ୍ରଷ୍ଟା- ଜୀବନ ବିଷୟରେ ଏବେ କିଛି ଆଲୋଚନା କରିବା । ପୂର୍ବରୁ ସୂଚନା ଦିଆଯାଇଛି ଯେ ସେ ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ପାଠ ଛାଡ଼ି ସ୍ଵାଧୀନତା ଆନ୍ଦୋଳନରେ ବ୍ରତୀ ହୋଇଥିଲେ । ସେ ବିଦ୍ୟାଳୟ ଛାଡ଼ିଥିଲେ, କିନ୍ତୁ ପାଠ ଛାଡ଼ି ନଥିଲେ । ବରଂ ସାମ୍ବାଦିକତା ଭିତରେ, ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି, ଗାନ୍ଧୀଙ୍କ ସହ ପ୍ରତ୍ୟକ୍ଷ ଭାବେ ସଂଶ୍ଳିଷ୍ଟ ହୋଇ ଜେଲ ଜୀବନରେ ସେ ନିଜର ଚିନ୍ତାର ଦିଗ୍‌ବଳୟକୁ ବିସ୍ତାର କରିପାରିଥିଲେ । ଜୀବନର ବହୁ ବାସ୍ତବ ଅନୁଭୂତି, ଅନୁଶୀଳନ ଓ ଅନୁସନ୍ଧିତ୍ସା ଭିତରେ ତାଙ୍କ ଜୀବନ ହୋଇ ଉଠିଥିଲା ଏକ ବିଶ୍ୱବିଦ୍ୟାଳୟ । ବିଶିଷ୍ଟ ଋଷୀୟ ଲେଖକ ମାକସିମ ଗର୍କି (୧୮୬୮-୧୯୩୬) ତାଙ୍କ ଆତ୍ମ-ଜୀବନୀର ନାମ ରଖିଥିଲେ ‘ମୋ ବିଶ୍ଵବିଦ୍ୟାଳୟ’ । ମାକସିମ ଗର୍କି ଆଠବର୍ଷ ବୟସରେ ନିଜର ବାପା ମା’ଙ୍କୁ ହରାଇ ଦାରିଦ୍ର୍ୟ ଭିତରେ ପଢ଼ି ପାରି ନ ଥିଲେ । ତାଙ୍କର ଆନୁଷ୍ଠାନିକ ଶିକ୍ଷା ନ ଥିଲା । ତେବେ ତାଙ୍କର ପ୍ରୟାସ, ପ୍ରତିଭା ଓ ସାହିତ୍ୟିକ ସୃଜନଶୀଳତା ତାଙ୍କୁ ରୁଷୀୟ ସାହିତ୍ୟର ଜଣେ ମହାନ୍‌ ସ୍ରଷ୍ଟାର ସ୍ଵୀକୃତି ଆଣି ଦେଇଥିଲା । ବିନୋଦ କାନୁନଗୋ ଗର୍କିଙ୍କ ସହିତ ତୁଳନୀୟ । ଆନୁଷ୍ଠାନିକ ବା ବିଶ୍ଵବିଦ୍ୟାଳୟ ଶିକ୍ଷା ନ ଥିଲେ ବି ସେ ଥିଲେ ଜ୍ଞାନ-ତପସ୍ଵୀ । ମୁକ୍ତ ମନ, ଜ୍ଞାନ ପ୍ରତି ଉତ୍ସୁକତା ଓ ଅଧ୍ୟବସାୟ ପ୍ରତି ଏକାନ୍ତିକ ନିଷ୍ଠା ତାଙ୍କ ଜୀବନର ବୈଶିଷ୍ଟ୍ୟ । ବ୍ରହ୍ମପୁର ଜେଲ ଓ ପାଟଣା କ୍ୟାମ୍ପ ଜେଲରେ ଯେଉଁ ବର୍ଷଗୁଡ଼ିକ ସେ ବନ୍ଦୀ ହୋଇ ରହିଥିଲେ ସେଠାର ସେ ବହୁ ବିଷୟ ଅଧ୍ୟୟନ କରୁଥିଲେ, ଜ୍ଞାନୀ ସହବନ୍ଦୀଙ୍କ ସହ ନାନା ବିଷୟ ଆଲୋଚନା କରି ସନ୍ଦେହ ମୋଚନ କରୁଥିଲେ । ଜେଲ ଜୀବନ ପରେ ଗ୍ରାମରେ ରହି ରଚନାତ୍ମକ କାର୍ଯ୍ୟ ମାଧ୍ୟମରେ ସମାଜରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ପ୍ରୟାସ କରୁଥିବା ଭିତରେ ସେ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଲେ । ଏକଦା ୧୯୩୦ ରେ ସେ କିଶୋର ବୟସରେ ନିଷ୍ପତ୍ତି କଲେ ଯେ ପାଠଛାଡ଼ି ସ୍ଵାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିବେ । ତେଇଶ ବର୍ଷ ପରେ ପୁଣି ଏକ ନିଷ୍ପତ୍ତି କଲେ ସେ ଗାଁ ଛାଡ଼ି କଟକ ଆସିବେ ଓ ଓଡ଼ିଆ ଭାଷାରେ ଜ୍ଞାନମଣ୍ଡଳ ପ୍ରଣୟନ ପାଇଁ ପ୍ରୟାସ କରିବେ । ଏହିପରି ଏକ ବୌଦ୍ଧିକ ଦୁଃସାହସିକ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସେ କଟକ ୧୯୫୪ ଆରମ୍ଭରେ ଚାଲି ଆସିଲେ । ସେତେବେଳେ ରେଭେନ୍‌ସା କଲେଜର କନିକା ଲାଇବ୍ରେରୀ ଥିଲା ଓଡ଼ିଶାର ସର୍ବଶ୍ରେଷ୍ଠ ପୁସ୍ତକାଗାର । ସେଠାରେ ଯାଇ ପଢ଼ିବାର ସୁଯୋଗ ନେଲେ । ମାନବ ଜ୍ଞାନର ଯେତେ ଯେତେ ବିଭାଗ ରହିଛି ସବୁ ବିଷୟରେ କିଛି କିଛି ପଢ଼ିବାକୁ ଉଦ୍ୟମ କଲେ । ବର୍ଷ ବର୍ଷ ଧରି କନିକା ଲାଇବ୍ରେରୀର ରେଫରେନସ ବିଭାଗରେ ଧ୍ୟାନନିଷ୍ଠ ହୋଇ ପଢ଼ିବାର ପ୍ରୟାସ ଭିତରେ ତାଙ୍କର ଜ୍ଞାନର ପରିସର ଖୁବ୍‌ ପ୍ରସାରିତ ହୋଇ ଚାଲିଲା । ବିଶେଷ କରି ଇଂରାଜୀ ଭାଷାରେ ରହିଥିବା ନାନା ଏନସାଇକ୍ଳୋପେଡ଼ିଆକୁ ଗମ୍ଭୀରତାର ସହ ଅନୁଶୀଳନ କଲେ । ଏନସାଇକ୍ଳୋପେଡ଼ିଆ ଅଫ ବ୍ରିଟାନିକା, ଆମେରିକାନା, ସାଇନ୍‌ସ, ରିଲିଜିଅନ୍ ଏଣ୍ଡ ଏଥିକ୍‌ସ, ସୋସିଆଲ ସାଇନ୍‌ସ ଗ୍ରନ୍ଥଗୁଡ଼ିକର ପଠନ ଭିତରୁ ମଣିଷ ଜ୍ଞାନର ସକଳ ଦିଗ ବିଷୟରେ ଏକ ସାଧାରଣ ଧାରଣା ଆଣି ପାରିଲେ । ଏହା ସହିତ ୧୪ ଖଣ୍ଡରେ ସମ୍ପାଦିତ ଅକ୍ସଫୋର୍ଡ଼ ଶବ୍ଦକୋଷକୁ ମଧ୍ୟ ଅନୁଶୀଳନ କରିବାକୁ ଲାଗିଲେ । ବର୍ଷ ପରେ ବର୍ଷ ଅଭିଧାନଗୁଡ଼ିକୁ ପଢ଼ି ଶବ୍ଦମାନଙ୍କର ଇତିହାସ ଓ ସେମାନଙ୍କର ବିଭିନ୍ନ ପ୍ରୟୋଗଗୁଡ଼ିକ ଦେଖି ଚମତ୍କୃତ ହେଉଥିଲେ । ବିଭିନ୍ନ ଏନ୍‌ସାଇକ୍ଳୋପେଡ଼ିଆ, ଅଭିଧାନ ଓ ବହୁ ବିଶିଷ୍ଟ କୃତୀଗୁଡ଼ିକର ଅନୁଶୀଳନ ଭିତରେ ଜ୍ଞାନର ଯେତେ ଯେତେ ବିଭାଗ ରହିଛି ସବୁ ବିଭାଗ ବିଷୟରେ ସାଧାରଣ ଭାବେ ନିଜର ଧାରଣା କିଛି ଆଣିପାରିଲେ । ବର୍ଷ ବର୍ଷ ଧରି ଦିନକୁ ପନ୍ଦର, ଷୋହଳ ଘଣ୍ଟା ଲେଖାଏଁ ପଢ଼ି ଓଡ଼ିଆ ଭାଷାରେ ଜ୍ଞାନମଣ୍ଡଳ ଲେଖିବାକୁ ନିଜକୁ ପ୍ରସ୍ତୁତ କଲେ ।

 

ପୃଥିବୀର ଯେକୌଣସି ଉନ୍ନତ ଭାଷାରେ ଏନସାଇକ୍ଳୋପେଡ଼ିଆ ବା ଜ୍ଞାନମଣ୍ଡଳ ପାଇଁ ଉଦ୍ୟମ ହୋଇଛି । ଗୋଟିଏ ଭାଷାର ଅଭିଧାନ ଭିତରୁ ଯେପରି ସେହି ଭାଷାର ଶବ୍ଦଗୁଡ଼ିକର ଅର୍ଥ ଜାଣିହୁଏ, ସେହିପରି ଜ୍ଞାନମଣ୍ଡଳ ଭିତରୁ ଜ୍ଞାନର ଯେକୌଣସି ବିଭାଗର କୌଣସି ବିଷୟ ଉପରେ ସାଧାରଣ ଧାରଣା କରିହୁଏ । କୌଣସି ଶବ୍ଦର ଅର୍ଥ ଜାଣିବାକୁ ଯେପରି ଡିକ୍‌ସିନାରି ବା ଅଭିଧାନ ଦେଖବାକୁ ହୁଏ, ସେହିପରି କୌଣସି ବିଷୟରେ ସାଧାରଣ ଧାରଣା ଆଣିବାକୁ ଏନ୍‌ସାଇକ୍ଳୋପେଡ଼ିଆ ଦେଖବାକୁ ହୁଏ । ଯେଉଁ ଭାଷା ଯେତେ ଉନ୍ନତ ବା ଜ୍ଞାନ ବିଜ୍ଞାନର ପ୍ରସାର ପାଇଁ ଉପଯୁକ୍ତ ମାଧ୍ୟମ, ସେହି ଭାଷାରେ ବିଭିନ୍ନ ବିଷୟର ଏନ୍‌ସାଇକ୍ଲୋପେଡ଼ିଆ ଉପଲ୍‌ଧ । ଇଂରାଜୀ ଭାଷାର ଏନ୍‌ସାଇକ୍ଳୋପେଡ଼ିଆ ବ୍ରିଟାନିକା ୧୭୭୧ ମସିହାରେ ପ୍ରଥମେ ତିନି ଖଣ୍ଡରେ ପ୍ରକାଶ ପାଇଥିଲା । ସମ୍ଭବତଃ ଇଂରାଜୀ ଭାଷାର ଏନ୍‌ସାଇକ୍ଳୋପେଡ଼ିଆ ପୂର୍ବରୁ ଫରାସୀ ଭାଷାରେ ପ୍ରଥମେ ଏନ୍‌ସାଇକ୍ଳୋପେଡ଼ିଆ ପ୍ରକାଶ ପାଇଥିଲା । ଜ୍ଞାନର କ୍ରମବିକାଶ ଯେପରି ହୋଇଚାଲିଛି, ସେଥିରେ ଏକ ନିରନ୍ତର ପ୍ରକ୍ରିୟା ଭାବେ ଏନ୍‌ସାଇକ୍ଲୋପେଡ଼ିଆ ପ୍ରତ୍ୟେକଟି ନୂଆ ସଂସ୍କରଣରେ ନୂଆ ନୂଆ ବିଷୟ ସ୍ଥାନିତ ହେଉଛି । ଏବେ ଏନ୍‌ସାଇକ୍ଲୋପେଡ଼ିଆ ବ୍ରିଟାନିକାରେ ବିଭିନ୍ନ ବିଷୟର ପ୍ରବୀଣ ବ୍ୟକ୍ତିମାନେ ସଂଶ୍ଳିଷ୍ଟ ହୋଇ ତାହାକୁ ରୁଦ୍ଧିମନ୍ତ କରିଚାଲିଛନ୍ତି । ଇତିହାସ, ଭୂଗୋଳ ମନସ୍ତତ୍ତ୍ୱ, ଅର୍ଥନୀତି, ଦର୍ଶନ, ଚିକିତ୍ସା ବିଜ୍ଞାନ, ପଦାର୍ଥ ବିଜ୍ଞାନ ରସାୟନ ବିଜ୍ଞାନ, କୃଷି ବିଜ୍ଞାନ, ସ୍ଥାପତ୍ୟ, ସାହିତ୍ୟ, କଳା ଏହିପରି ଜ୍ଞାନର ପ୍ରତ୍ୟେକ ବିଭାଗର ଧୂରୀଣ ବ୍ୟକ୍ତିମାନେ ନିଜ ନିଜ ବିଷୟର ମୌଳିକ ଭାବନା, ପ୍ରତ୍ୟୟଗୁଡ଼ିକ ଉପରେ ନିର୍ଭରଯୋଗ୍ୟ ଧାରଣା ପାଠକମାନଙ୍କୁ ଦେବାକୁ ପ୍ରୟାସ କରି ଆସୁଛନ୍ତି । ବ୍ରିଟାନିକାରେ ସମ୍ଭବତଃ ପଚାଶ ହଜାର ବିଷୟ ଉପରେ ପ୍ରବୀଣ ବ୍ୟକ୍ତିମାନଙ୍କ ଦ୍ୱାରା ତଥ୍ୟଭିତ୍ତିକ ନିର୍ଭରଯୋଗ୍ୟ ଜ୍ଞାନର ବିବରଣୀ ରହିଛି । ଜ୍ଞାନ ବିଜ୍ଞାନର ବିକାଶ ସହିତ ପ୍ରତ୍ୟେକ ବୌଦ୍ଧିକ ବିଷୟ ଉପରେ ସ୍ୱତନ୍ତ୍ର ଏନ୍‌ସାଇକ୍ଲୋପେଡ଼ିଆମାନ ବି ଉପଲବ୍‌ଧ ହୋଇପାରୁଛି । ଦର୍ଶନ, ପଦାର୍ଥବିଜ୍ଞାନ, ଚିକିତ୍ସାବିଜ୍ଞାନ ଇତ୍ୟାଦି ଯେକୌଣସି ବିଷୟରେ ସ୍ୱତନ୍ତ୍ର ଏନ୍‌ସାଇକ୍ଲୋପେଡ଼ିଆମାନ ଏବେ ଇଂରାଜୀ ଭାଷାରେ ବା ପୃଥିବୀର ଉନ୍ନତ ଭାଷାମାନଙ୍କରେ ମିଳିପାରୁଛି । ମୋଟ ଉପରେ ଜ୍ଞାନର ଇତିହାସ ହିଁ ହେଉଛି ଏନ୍‌ସାଇକ୍ଲୋପେଡ଼ିଆ ବା ଜ୍ଞାନମଣ୍ଡଳ । ଏଥିପାଇଁ ବହୁ ବିଶେଷଜ୍ଞ ସମ୍ପୃକ୍ତ ହେଉଛନ୍ତି ଓ ପ୍ରାୟତଃ ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କର ସଙ୍ଗଠିତ ଉଦ୍ୟମରେ କୋଟି କୋଟି ଟଙ୍କା ବ୍ୟୟରେ ଜ୍ଞାନମଣ୍ଡଳ ସମ୍ପାଦିତ ହୋଇ ଆସୁଛି ।

 

ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଉଦ୍ୟମରେ ଜ୍ଞାନମଣ୍ଡଳ ଲେଖାଯିବା ଓ ସମ୍ପାଦିତ ହେବା ଏକ ଅଭିନବ ପ୍ରୟାସ । ତେବେ ଏହିଠାରେ ବିନୋଦ କାନୁନ୍‌ଗୋଙ୍କର ବୈଶିଷ୍ଟ୍ୟ ହେଉଛି ଯେ ସେ ବର୍ଷ ବର୍ଷ ଧରି ଏକନିଷ୍ଠ ସାଧନାଦ୍ୱାରା ଜ୍ଞାନ ବିଜ୍ଞାନର ପ୍ରତ୍ୟେକ ବିଭାଗରେ ଓଡ଼ିଶାର ଜଣେ ସାଧାରଣ ପାଠକକୁ ଯେ କୌଣସି ବିଷୟରେ ଅ, ଆ, କ, ଖ ଜଣାଇବାକୁ ପ୍ରୟାସ କରିଛନ୍ତି । ବିଭିନ୍ନ ବିଷୟର ଅନୁଶୀଳନ ସହ ବିଭିନ୍ନ ପତ୍ରପତ୍ରିକା ସମ୍ବାଦପତ୍ରରୁ ଉପାଦେୟ ଅଂଶମାନଙ୍କୁ ସଂଗ୍ରହ କରି ହଜାର ହଜାର ଫାଇଲରେ ତାହାକୁ ସଜାଡ଼ି ରଖୁଛନ୍ତି । କୌଣସି ବିଷୟରେ କିଛି ସାଧାରଣ ଧାରଣା ଜଣେ ପାଠକକୁ ଦେବାକୁ ପ୍ରୟାସ ଭିତରେ ଯେପରି କିଛି ତଥ୍ୟଗତ ତ୍ରୁଟି ବା ପ୍ରତ୍ୟୟଗତ ଭ୍ରମ ନ ରୁହେ ଏହା ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପ୍ରୟାସ କରିଛନ୍ତି । ବିଶେଷକରି ବିଜ୍ଞାନର ବିଷୟଗୁଡ଼ିକୁ ଲେଖିବା ବେଳେ ଯେପରି କୌଣସି ଭୁଲ୍‌ ନ ରହେ ସେଥିପାଇଁ ସେ ବେଶ୍‌ ଯତ୍ନଶୀଳ ହୋଇଛନ୍ତି ।

 

ଓଡ଼ିଆ ଭାଷାକୁ ଜ୍ଞାନ ବିଜ୍ଞାନର ଭାଷା କରିବାରେ ବିନୋଦବାବୁଙ୍କର ପ୍ରୟାସ ସମ୍ଭବତଃ ଯୁଗାନ୍ତକାରୀ । ସାହିତ୍ୟ ସୃଷ୍ଟି ପାଇଁ ବା ଭାବ ବିନିମୟ କରିବା ପାଇଁ ଗୋଟିଏ ଭାଷା ଉଦ୍ଦିଷ୍ଟ ହେବା ଯଥେଷ୍ଟ ନୁହେଁ । ଏହା ଯେ କୌଣସି ବୌଦ୍ଧିକ ବିଷୟକୁ ବୁଝାଇବାକୁ ମାଧ୍ୟମ ହେବା ପଛରେ ନାନା ଐତିହାସିକ କାରଣ ରହିଛି । ଇଂରେଜମାନେ ସାମ୍ରାଜ୍ୟବାଦ ବିସ୍ତାର କରିବାକୁ ଯାଇ ପୃଥିବୀର ବିଭିନ୍ନ ସ୍ଥାନର ଭାଷାମାନଙ୍କରୁ ବହୁ ଶବ୍ଦ ଆଣି ଇଂରାଜୀ ଭାଷାରେ ମିଶାଇଛନ୍ତି । ହଜାର ହଜାର ବିଦେଶୀ ଶବ୍ଦକୁ ଆଣି ଇଂରାଜୀ ଭାଷାରେ ଏପରି ମିଶାଇ ଦିଆଯାଇଛି ଯେ ସେଗୁଡ଼ିକ କାଳକ୍ରମେ ଇଂରାଜୀ ଭାଷାର ଅଂଶବିଶେଷ ହୋଇ ଯାଇଛନ୍ତି । ଜ୍ଞାନ ବିଜ୍ଞାନର ଯେତିକି ବିକାଶ ହେଉଛି, ବିଭିନ୍ନ କ୍ଷେତ୍ରରେ ନୂଆ ନୂଆ ଜ୍ଞାନ ପ୍ରକାଶ ପାଉଛି । ସେସବୁକୁ ବୁଝାଇବା ପାଇଁ ଭାଷା ସମର୍ଥ ହେବାକୁ ହେଲେ ନୂଆ ନୂଆ ଶବ୍ଦ ଭାଷାରେ ସୃଷ୍ଟି କରିବାକୁ ହେବ ବା ଅନ୍ୟ ଭାଷାରୁ ଗ୍ରହଣ କରିବାକୁ ହେବ । ଭାଷା ପ୍ରସାରଣଶୀଳ ଓ ନମନୀୟ ହେଲେ ଯାଇ ଏହାର ସାମର୍ଥ୍ୟ ବୃଦ୍ଧିପାଇବ ଓ ଏହା ଜ୍ଞାନର ଯେକୌଣସି କ୍ଷେତ୍ରକୁ ବୁଝାଇବା ପାଇଁ ବୈଷୟିକ ପରିଭାଷା ଓ ଶବ୍ଦ ସମ୍ଭାର ସୃଷ୍ଟି କରିପାରିବ । ଏହି ଦୃଷ୍ଟିରୁ ଦେଖିଲେ ବିନୋଦବାବୁ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ପ୍ରୟାସ କରିଛନ୍ତି । ପଦାର୍ଥ ବିଜ୍ଞାନର ଅଣୁ ପରମାଣୁକୁ ବୁଝାଇବା ପାଇଁ ବା ଚିକିତ୍ସା ବିଜ୍ଞାନର ବିଷୟ ରକ୍ତ, ହୃତ୍‌ପିଣ୍ଡକୁ ବୁଝାଇବା ପାଇଁ ସେ ଓଡ଼ିଆ ଭାଷାକୁ ମାଧ୍ୟମ କରି ସେସବୁକୁ ଅତି ସରଳ, ସାବଲୀଳ ଓ ସୁନ୍ଦର ବୋଧଗମ୍ୟ ଭାଷାରେ ବ୍ୟକ୍ତ କରି ପାରିଛନ୍ତି । ଭାଷା ସମୃଦ୍ଧ ହେବାକୁ ହେଲେ ଜ୍ଞାନର ସବୁ ବିଭାଗ ଉପରେ ପୁସ୍ତକ ଲେଖାଯିବା ଦରକାର ଓ ତା’ ସହିତ ବହୁ ଗୁଣାତ୍ମକ ପୁସ୍ତକ ବିଭିନ୍ନ ଭାଷାରେ ଅନୁବାଦିତ ହେବା ଆବଶ୍ୟକ । ତାଦ୍ୱାରା କାଳକ୍ରମେ ଭାଷା ଭିତରକୁ ନାନା ନୂଆ ନୂଆ ଶବ୍ଦ ଆସିପାରିବ । ଏହି ଦୃଷ୍ଟିରୁ ବିଚାର କଲେ ଜ୍ଞାନମଣ୍ଡଳ ରଚନା କରିବାକୁ ଯାଇ ସେ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ସହ ଏହା ଯେ ଜ୍ଞାନ ବିଜ୍ଞାନର ଭାଷା ହୋଇପାରିବ ସେଥିରେ ପଥ ପ୍ରଦର୍ଶକ ହୋଇପାରିଛନ୍ତି ।

 

୧୯୫୪ ଆରମ୍ଭରୁ ହିଁ ଜ୍ଞାନମଣ୍ଡଳ କାର୍ଯ୍ୟରେ ସେ ନିଜକୁ ନିୟୋଜିତ ରଖିଲେ । ପ୍ରଥମ ଜ୍ଞାନମଣ୍ଡଳ ଖଣ୍ଡଟି ୧୯୬୦ ଡିସେମ୍ବର ୨ ତାରିଖରେ ଡ. ହରେକୃଷ୍ଣ ମହତାବଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଲକ୍ଷ୍ୟ ରଖୁଥିଲେ ଓଡ଼ିଆରେ ୬୦ ଖଣ୍ଡରେ ଜ୍ଞାନମଣ୍ଡଳ କାର୍ଯ୍ୟ ସମାପ୍ତ କରିବେ । ତା ସହିତ ସୁଖପାଠ୍ୟ ୩୬୫ ଖଣ୍ଡ ବହି ଲେଖିବେ, ଯାହାକୁ ଯେକୌଣସି ସାକ୍ଷର ବ୍ୟକ୍ତି ପଢ଼ି ବୁଝିପାରିବ । ଏତଦବ୍ୟତୀତ ଚିଲ୍‌ଡ୍ରେନ୍‌ସ ଏନସାଇକ୍ଳୋପେଡ଼ିଆ ମଧ୍ୟ କିଶୋର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ କରିବେ । ଆଜିର ଜ୍ଞାନର ବିସ୍ଫୋରଣ ଯୁଗରେ ଜ୍ଞାନର ଯେ କୌଣସି କ୍ଷେତ୍ରରେ ଏତେ ବିଶେଷତା ବା ସ୍ପେସାଲାଇଜେସନ ହେଉଛି ଯେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ନିଜ ପରିସର ବାହାରେ ଜାଣିବାର ଅବକାଶ ରହୁ ନାହିଁ । ଚିକିତ୍ସା ବିଜ୍ଞାନର କୌଣସି କ୍ଷେତ୍ରରେ ବିଶେଷତା ଅର୍ଜନ କରିଥିବା ବ୍ୟକ୍ତି ଇତିହାସ, ଦର୍ଶନ, ନୁତୃତ୍ତ୍ୱ ବିଷୟରେ ଜାଣିବାର ଅବକାଶ ରହୁ ନାହିଁ । କିମ୍ବା ଦର୍ଶନ ପଢ଼ିଥିବା ଜଣେ ବ୍ୟକ୍ତି ଭୂଗୋଳ, ଅର୍ଥନୀତି, ପଦାର୍ଥ ବିଜ୍ଞାନ ବିଷୟରେ ଜାଣିବାକୁ ସମର୍ଥ ହେଉନାହିଁ । ସୁତରାଂ ଜ୍ଞାନର ଯେତେ ଯେତେ କ୍ଷେତ୍ର ବା ବିଭାଗ ରହିଛି ସେସବୁ ବିଷୟରେ ସାଧାରଣ ଧାରଣା ପାଇବା ପରି କିଛି ବହି ରହିଲେ ତାହା ସାଧାରଣ ପାଠକ ଓ ଏପରିକି ଉଚ୍ଚ ଶିକ୍ଷାପ୍ରାପ୍ତ ଲୋକମାନଙ୍କର ଆବଶ୍ୟକତାକୁ ପୂରଣ କରିପାରିବ । ବସ୍ତୁତଃ ଜ୍ଞାନର କିପରି ସାମାଜିକରଣ ହୋଇପାରିବ ସେପାଇଁ ସେ ଗମ୍ଭୀର ଭାବରେ ଚିନ୍ତା ପ୍ରକଟ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଯେପରି ସରଳ ଓ ସାବଲୀଳ ଭାଷାରେ ଜଟିଳ ଓ ବୈଷୟିକ ଭାବନାଗୁଡ଼ିକୁ ବହି ଆକାରରେ ଲେଖି ଯାଇଛନ୍ତି ତାହା ତାଙ୍କର ସୃଜନଶୀଳତାର ସ୍ଵାକ୍ଷର ବହନ କରେ । ଏହା ସହିତ ସେ ସେହି ବହିମାନଙ୍କର ନାମ ଏତେ ମନଛୁଆଁ ଭାଷାରେ ବ୍ୟକ୍ତ କରିଛନ୍ତି ଯାହା ଯେ କୌଣସି ଜଣେ ସାଧାରଣ ପାଠକର ଦୃଷ୍ଟି ଆକର୍ଷଣ କରିବ । ଉଦାହରଣ ସ୍ଵରୂପ ଶରୀରରେ ରକ୍ତ ସଞ୍ଚାଳନକୁ ବୁଝାଇବା ପାଇଁ ବହିର ନାମ ‘ଚଳନ୍ତା ରାଇଜର ଅମୁହାଁ ନଈ’, ମଣିଷର ଦାନ୍ତ ବିଷୟକୁ ବୁଝାଇବା ପାଇଁ ବହିର ନାମ ‘ଶରୀର ଦୁର୍ଗର ବତିଶ ପ୍ରହରୀ’, ଅଣୁ ପରମାଣୁକୁ ବୁଝାଇବା ପାଇଁ ବହିର ନାମ ‘ତିନିଖଣ୍ଡ କାଉଁରୀ ହାଡ଼’, ସୂର୍ଯ୍ୟ ବିଷୟର ବହିଟିର ନାମ ‘ସେ ଚୁଲି କେବେ ଲିଭିବ ନାହିଁ’, ମହୁଚାଷ ବିଷୟକ ବହିର ନାମ ‘ମିଠାଇ ଦେହରେ ଲାଗିଲା ଡେଣା’ ଇତ୍ୟାଦି ଇତ୍ୟାଦି । ସମସ୍ତ ଆବଶ୍ୟକୀୟ ତଥ୍ୟଗତ ବିବରଣୀ ସହ ଏହି ସଂକ୍ରାନ୍ତୀୟ ବହିଗୁଡ଼ିକ ଯେପରି ସୁଖପାଠ୍ୟ ସେହିପରି ଉତ୍ସାହଜନକ ଓ କୌତୁହଳପ୍ରଦ । ଏତଦ୍‌ବ୍ୟତୀତ ଓଡ଼ିଶାର ସ୍ଵାଧୀନତା ସଂଗ୍ରାମର ଇତିହାସ (ଯାହାର ନାମ-ମୁଠାଏ ଲୁଣ ଗୋଟାଏ ସାମ୍ରାଜ୍ୟ, ଏକ ଅଭିନବ ଆତ୍ମସମୀକ୍ଷାମୂଳକ ପୁସ୍ତକ ‘ରଣ ପରିଶୋଧ’ ପରି ବହୁ ଉପାଦେୟ ପୁସ୍ତକ ବି ଲେଖି ଯାଇଛନ୍ତି । ସେହିପରି ସେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଜୀବନୀ ମଧ୍ୟ ଲେଖୁଛନ୍ତି । ଓଡ଼ିଶାର ଓ ଭାରତର ବହୁ ଖ୍ୟାତି ସମ୍ପନ୍ନ ବ୍ୟକ୍ତିମାନଙ୍କର ଯେଉଁ ଜୀବନୀଗୁଡ଼ିକୁ ସେ ଲେଖି ଯାଇଛନ୍ତି, ତାହା ପଢ଼ିଲେ ଜଣେ ବ୍ୟକ୍ତିଙ୍କର ଜୀବନ, ସମାଜ ପ୍ରତି ଅବଦାନ, ସାଧନା ଓ ମହତ୍ତର ଭାବନା ବିଷୟରେ ଜଣେ ପାଠକ ସମ୍ୟକ ଧାରଣା ଲାଭ କରିପାରିବ । ତେବେ ତାଙ୍କ ପ୍ରସ୍ତାବିତ ୩୬୫ ଖଣ୍ଡ ପୁସ୍ତକ ମଧ୍ୟରୁ ପାଖାପାଖି ୧୦୦ ଖଣ୍ଡ ଲେଖିବାକୁ ସମର୍ଥ ହୋଇଛନ୍ତି । ଏହା ସହିତ ୬୦ ଖଣ୍ଡରେ ଜ୍ଞାନମଣ୍ଡଳକୁ ଲେଖିବାକୁ ଲକ୍ଷ୍ୟ ରଖିଥିଲେ ବି ୪୦ ଖଣ୍ଡ ସେ ସମାପ୍ତ କରିପାରିଛନ୍ତି । ତେବେ ଅବଶିଷ୍ଟ ବିଷୟ ପାଇଁ ସେ ଆବଶ୍ୟକୀୟ ତଥ୍ୟ, ସବିଶେଷ ବିବରଣୀ ହଜାର ହଜାର ଫାଇଲ କରି ସଂରକ୍ଷଣ କରି ଯାଇଛନ୍ତି । ଗୋଟିଏ ଫାଇଲରେ ଗୋଟିଏ ପ୍ରସଙ୍ଗ ଉପରେ ବହୁ ବ୍ୟକ୍ତିଙ୍କର ଉପାଦେୟ ଲେଖା, ଶହ ଶହ ରେଫରେନ୍‌ସକୁ ସୁସଂଯୋଜିତ କରି ସେ ସଜାଡ଼ି ରଖୁଛନ୍ତି । ସେହି ଫାଇଲମାନଙ୍କରେ ଏତିକି ତଥ୍ୟ ଓ ରେଫରେନ୍ସ ରହିଛି ଯେ କୌଣସି ପ୍ରସଙ୍ଗ ଯଥା ମହାକାଶ ଯାତ୍ରା, ହୃତପିଣ୍ଡ ରୋପଣ, ମଣିଷର ମସ୍ତିଷ୍କ, ମାଛ ଚାଷ ଇତ୍ୟାଦି ପ୍ରତ୍ୟେକ ବିଷୟରେ ଆବଶ୍ୟକୀୟ ଚିତ୍ର ସହ ଏକ ବଡ଼ ବହି ଲେଖାଯାଇପାରିବ । ବିଜ୍ଞାନ ସମ୍ମତ ଧାରାରେ ଜ୍ଞାନକୁ ଶୃଙ୍ଖଳିତ ଓ ସଂଗଠିତ କରି ରଖିବାକୁ ହଜାର ହଜାର ଫାଇଲ ଭିତରେ ତଥ୍ୟ ସମ୍ଭାରକୁ ସଜାଡ଼ି ରଖୁଛନ୍ତି । ଏହା ସହିତ ଜ୍ଞାନର କ୍ରମବର୍ଦ୍ଧିଷ୍ଣୁ ବିକାଶଧାରାରେ ନୂତନ ଆବିଷ୍କାର ଓ ତଥ୍ୟକୁ ଫାଇଲରେ ରଖୁଛନ୍ତି ଯେପରିକି ପରବର୍ତ୍ତୀ ପରିବର୍ଦ୍ଧିତ ସଂସ୍କରଣରେ ତାହାକୁ ସ୍ଥାନିତ କରିହେବ । ବିନୋଦ କାନୁନଗୋ ତାଙ୍କ ଆତ୍ମଜୀବନୀରେ ତାଙ୍କ ଦୁଇଗୁରୁଙ୍କ କଥା କହିଛନ୍ତି- ସେମାନେ ହେଲେ ‘ପୁସ୍ତକ’ ଓ ‘ଫାଇଲ’ । ସେ ନିଜେ ଲେଖିଛନ୍ତି ଯେ ୨୦ ହଜାର ବିଷୟ ଉପରେ ଲେଖିବାକୁ ସେ ସେତିକି ସଂଖ୍ୟକ ଫାଇଲ କରି ତଥ୍ୟ, ବିଭିନ୍ନ ବିବରଣୀ ଓ ଆବଶ୍ୟକୀୟ ଉପାଦାନ ରଖୁଛନ୍ତି । ତେବେ ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ବିଭିନ୍ନ ପ୍ରସଙ୍ଗ ଉପରେ ତାଙ୍କ ପାଖରେ ଯେତିକି ତଥ୍ୟ ଓ ଉପାଦାନ ରହିଛି ତାର କୋଡ଼ିଏ ଭାଗରୁ ଭାଗେ ମଧ୍ୟ ସେ ନିଜ ଜୀବନ କାଳ ଭିତରେ ବିନିଯୋଗ କରିପାରିବେ ନାହିଁ ।

 

ବିନୋଦବାବୁ ପ୍ରାୟ ୩୬ ବର୍ଷ ଧରି ଜ୍ଞାମମଣ୍ଡଳ ଓ ଅନ୍ୟାନ୍ୟ ପୁସ୍ତକ ରଚନାରେ ଜୀବନର ଶେଷ ପର୍ଯ୍ୟନ୍ତ କାମ କରିଛନ୍ତି । ସେ ଏହି କାମ ଆରମ୍ଭ କଲାବେଳେ ଏକ ପ୍ରକାର ନିଃସ୍ଵ ଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ । ଜ୍ଞାନମଣ୍ଡଳ ଛାପିବା, ବିକ୍ରି କରିବାରେ ବହୁ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହୋଇଛନ୍ତି । ତାଙ୍କର ପ୍ରଜ୍ଞା ଓ ପ୍ରତିଭାକୁ ଯଦି ପାଠ୍ୟପୁସ୍ତକ ପ୍ରଣୟନ ପାଇଁ ନିୟୋଜିତ କରିଥାନ୍ତେ, ତେବେ ହୁଏତ ସେ ବିପୁଳ ଅର୍ଥର ଅଧିକାରୀ ହୋଇଥାନ୍ତେ । କିନ୍ତୁ ଏସବୁ ପ୍ରଲୋଭନରୁ ମୁକ୍ତ ରହି ସେ ଓଡ଼ିଆ ଭାଷାକୁ ଜ୍ଞାନ ବିଜ୍ଞାନର ଭାଷା ଭାବେ ସମୃଦ୍ଧ କରିବାକୁ ଯେପରି ପ୍ରୟାସ କରିଛନ୍ତି ତାହା ଦ୍ୱାରା ଓଡ଼ିଆ ଜାତି ତାଙ୍କ ପାଖରେ ଋଣୀ ହୋଇଯାଇଛି । ତାଙ୍କ ‘ଋଣ ପରିଶୋଧ’ ବହିରେ ସେ ଜୀବନରେ ଯାହାଠାରୁ ଯତ୍‌କିଞ୍ଚିତ୍‌ ସାହାଯ୍ୟ ଓ ସହଯୋଗ ପାଇଛନ୍ତି ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । କିନ୍ତୁ ସେ ଯେଉଁଭଳି ଜ୍ଞାନର ସାମାଜିକରଣ କରି ସାମାନ୍ୟ ପାଠ ପଢ଼ିଥିବା ଅପାଠୁଆ ମଣିଷ ପାଖରେ ଜ୍ଞାନର ଦିଗନ୍ତକୁ ବିସ୍ତାର କରି ଦେଇଛନ୍ତି ସେଥିପାଇଁ ସେ ଏ ଜାତିକୁ ତାଙ୍କ ପାଖରେ ଋଣୀ କରିଛନ୍ତି । ସୁଖର କଥା ତାଙ୍କର କେତେକ ବହି ହିନ୍ଦୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାମାନଙ୍କରେ ଅନୁବାଦିତ ହୋଇଛି । ତାଙ୍କର ନିଷ୍ଠା, ସାଧନା ଓ ରଚନା ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛି ।

 

ଏକ ଜାତିର ବିକାଶର ଆଧାର କ’ଣ-ଏହି ପ୍ରଶ୍ନଟିକୁ ନାନା ଦିଗରୁ ବିଚାର କରାଯାଇପାରେ । ତେବେ ଗୋଟିଏ ମତ ହେଉଛି ଜ୍ଞାନ ଓ ମାନବିକ ଉତ୍କର୍ଷ ହିଁ ଜାତିର ବିକାଶର ମୌଳିକ ଆଧାର । ଯେତେବେଳେ ଜ୍ଞାନର ପ୍ରଶ୍ନ ଆସେ ସେତେବେଳେ ଗୋଟିଏ ଜାତିର ଭାଷା ଓ ସେହି ଭାଷାର ଜ୍ଞାନ ଭଣ୍ଡାରର ପ୍ରସଙ୍ଗ ଆସିଥାଏ । ଉନ୍ନତ ମାନର ପୁସ୍ତକ ହିଁ ଜ୍ଞାନ ବିକାଶର ଗୋଟିଏ ବଡ଼ ଉପାଦାନ । ଉଚ୍ଚମାନର ପୁସ୍ତକ ଓ ଜର୍ଣ୍ଣାଲମାନଙ୍କର ଗବେଷଣା ଲବ୍‌ଧ ଜ୍ଞାନ ହିଁ ଜ୍ଞାନ ବିକାଶର ମୂଳ ସ୍ରୋତ ବୋଲି ଗ୍ରହଣ କରାଯାଏ । ଉପାଦେୟ ପୁସ୍ତକ ଅଭାବରେ ଭଗବାନ ନୀରବ, ନ୍ୟାୟ ସୁପ୍ତ, ବିଜ୍ଞାନର ଗତିରୁଦ୍ଧ, ଦର୍ଶନ ପଙ୍ଗୁ, ବିଦ୍ୟା ମୂକ ଓ ଅନ୍ୟ ସବୁ କିଛି ଅନ୍ଧକାର ଗର୍ଭରେ ସମ୍ପୂର୍ଣ୍ଣ ଅସ୍ପଷ୍ଟ- ଏହି ବିଚାରବୋଧ ବି ବିନୋଦବାବୁଙ୍କ ସ୍ରଷ୍ଟା- ଜୀବନ ପାଇଁ ପ୍ରେରଣାର ଉତ୍ସ ହୋଇଛି ବୋଲି ସେ ସ୍ଵୀକାର କରିଛନ୍ତି । (ପାଠ ପଛେ ପଛେ ଅପାଠୁଆ- ପୃଷ୍ଠା- ୩୦୦) । ଗୋଟିଏ ପଟେ ଜ୍ଞାନ ପିପାସା ଓ ଅନ୍ୟପଟେ ମାନବବାଦୀ ଜୀବନଦୃଷ୍ଟି ବିନୋଦବାବୁଙ୍କ ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ । ସେ ଥିଲେ ଜ୍ଞାନ ତପସ୍ଵୀ ଓ ବ୍ୟକ୍ତିଗତ ଦୃଷ୍ଟିଭଙ୍ଗୀରେ ଜଣେ ମାନବ- ଦରବୀ ସମ୍ବେଦନଶୀଳ ମଣିଷ । ଜଣେ ଜଣେ ବ୍ୟକ୍ତିଙ୍କର ସାଧନା ଓ ନୀତିନିଷ୍ଠତା ସମାଜର ଗୁଣାତ୍ମକ ବିକାଶରେ ନିର୍ଣ୍ଣାୟକ ହୋଇଥାଏ । ବିନୋଦ କାନୁନ୍‌ଗୋ ଓଡ଼ିଆ ଭାଷା ସାହିତ୍ୟକୁ ଓ ସାଧାରଣ ଜୀବନ ପ୍ରବାହକୁ ଯେଉଁ ଅବଦାନ ଦେଇଛନ୍ତି ତାହା ସମୟର ବେଳାଭୂମିରେ ଯେ ବହୁଦିନ ଧରି ଅକ୍ଷୁର୍ଣ୍ଣ ରହିବ ଏହା ନିଃସନ୍ଦେହ ମନେହୁଏ ।

 

 

ଏ-୧୨, ଭାଗୀରଥ ବିହାର

ଢେଙ୍କାନାଳ- ୭୫୯୦୦୧

 

***

 

Unknown

ସଂଗ୍ରାମୀ ବିନୋଦ- ପ୍ରଜ୍ଞା ବିଶାରଦ

ରଘୁନାଥ ମିଶ୍ର

 

୧୯୬୫ ମସିହାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକରେ ବି.ଡ଼ି.ଓ ଥିବାବେଳେ ଡାକରେ ମୋ ନା’ରେ ଆସିଥାଏ ଗୋଟିଏ ପାର୍ଶଲ । ତା ମଧ୍ୟରେ ‘ଜ୍ଞାନମଣ୍ଡଳ’ ପ୍ରଥମ ଖଣ୍ଡର ଦଶଟି ପୁସ୍ତକ । ଆଉ ଖଣ୍ଡେ ସାଧା କାଗଜରେ ଅଲଗା ଭାବେ ବନ୍ଧା ଯାଇ ଉପରେ ମୋ ନା ସହିତ ‘ତୁମ ପାଇଁ ଖଣ୍ଡିଏ’ ଲେଖାଯାଇଥାଏ । ପାର୍ଶଲ ଭିତରେ ଅତି ସୁନ୍ଦର ହସ୍ତାକ୍ଷରରେ ଅନେକ ଶୁଭମନାସି ଲେଖା ହୋଇଥିବା ଛୋଟଚିଠି, ଯାହାକି ଏ ଅବଧି ଏକ ମଧୁର ସ୍ମୃତିକୁ ଉଜ୍ଜୀବିତ କରି ରଖୁଛି । ବିନୋଦବାବୁ ମତେ ଜାଣିବା ପାଇଁ ଅବକାଶ ନ ଥିଲା । ମୋ ସାଙ୍ଗରେ ଓ.ଏ.ଏସ୍‌ ପାଇଥିବା ମୋର ପରମବନ୍ଧୁ ବିନୋଦବାବୁଙ୍କ ଆତ୍ମୀୟ ସୁରେନ୍ଦ୍ର ନାୟକ (ଅକାଳରେ ଦିବଂଗତ) ହୁଏତ ମୋ ସଂକ୍ରାନ୍ତରେ ତାଙ୍କୁ କିଛି ସୂଚନା ଦେଇଥି‌ଲେ । ତାହା ହିଁ ସୃଷ୍ଟି କରିଥିଲା ମୋ ପାଇଁ ଏ ଚିଠି ପାଇବାର ଅପୂର୍ବ ସୁଯୋଗ ।

 

ବହି ସବୁ ତତ୍‌କ୍ଷଣାତ ବିକ୍ରି ହୋଇଗଲା । ଶିକ୍ଷକ, ଗ୍ରାମସେବକ ଓ କ୍ଷେତ୍ର କର୍ମଚାରୀମାନେ ଅଧିକ ସଂଖ୍ୟକ ବହି ପାଇବା ପାଇଁ ଠିକଣା ଟିପି ନେଲେ । ଶିକ୍ଷଣୀୟ ବିଷୟଗୁଡ଼ିକ ଆଲୋଡ଼ନ ସୃଷ୍ଟି କଲା ପାଠକ ମହଲରେ । ସାମାଜିକ ଶିକ୍ଷା ସଂଗଠକମାନେ ଗ୍ରାମ୍ୟ ନେତା ତାଲିମ ଶିବିର (Village leaders training camps) ‘‘ଅଗ୍ନିମାନ୍ଦ୍ୟ’’ ବିଷୟରେ ‘‘ଗାଈ ମୁହିଁରେ ଦୁଧ’’ - ପହ୍ନାରେ ନହେଁ’’, ଗାଛ ପେଟରେ ‘‘ହଜମ କାରଖାନା’’, ‘‘ରକ୍ତ କାରିଗର’’, ‘‘ଜଠର ଭିତରେ ଅଗ୍ନିଅଛି’’, ଆମୂଳଚୂଳ ଉପସ୍ଥାପନ କରି, ଚିତ୍ର ଦେଖାଇ ଓ ସମୟ ସୁଯୋଗ ଦେଖି ସ୍ଵ ସ୍ୱ ଶୈଳୀରେ ଆହୁରି ଅଧିକ ବନେଇ ଚୁନେଇ କହି ଗ୍ରାମବାସୀ ଓ ତାଲିମ ପ୍ରାର୍ଥୀଙ୍କୁ ବାନ୍ଧି ରଖିବାରେ ସଫଳ ହେଲେ । ସହଜ, ସରଳ, ସବୁ ଶ୍ରେଣୀର ଲୋକ ବୁଝିପାରିବା ଭାଷା ଓ ଅଭିନବ ଉପସ୍ଥାପନା ସମସ୍ତଙ୍କୁ ଆକୃଷ୍ଟ କଲା । ନୂଆକରି ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦେଇଥିବା ଯୁବ ଶିକ୍ଷକମାନେ ଅଙ୍କଶାସ୍ତ୍ରର ମୂଳସୂତ୍ର ‘‘ହର ଗୁଣ ଫେଡ଼ମିଶା, ଆଉ ସବୁ ପାଠ ଫସର ଫସା’’ ଘୋଷା କରିବା ସଙ୍ଗେ ସଙ୍ଗେ ମିଶାଣ, ଓଲଟା ମିଶାଣ (ଫେଡ଼ାଣ) ‘‘ଗୁଣନ’’ ଓଲଟ ‘‘ଗୁଣନ’’ (ହରଣ) ସମ୍ପର୍କିତ ନିଜର ସୀମିତ ଜ୍ଞାନକୁ ଶାଣିତ କରିବା ସୁଯୋଗ ପାଇ ଆମୋଦିତ ହେଲେ ।

 

ଏତେବର୍ଷ ପରେ ଏଇ ଛୋଟ ଘଟଣାଟିର ଅବତାରଣା କରିବା ସମୀଚୀନ ମନେକଲି ଏଇଥିପାଇଁ ଯେ ଏକକ ପ୍ରୟାସରେ ଅଟଳ ବିଶ୍ୱାସୀ ସଂକଳ୍ପ ଶୁଦ୍ଧ ଜ୍ଞାନତପସ୍ଵୀ ବିନୋଦବାବୁ ଓଡ଼ିଆ ଜ୍ଞାନକୋଷ ଜ୍ଞାନମଣ୍ଡଳ ପ୍ରକଳ୍ପର ପରିକଳ୍ପନା, ପ୍ରଣୟନ, ପ୍ରକାଶନ, ପ୍ରସାରଣ, ମୁଦ୍ରଣ, ପୁନଃମୁଦ୍ରଣ, ବିକ୍ରିବଟା ଓ ଆର୍ଥିକ ପରିଚାଳନା ପାଇଁ ଯେଉଁ କଠୋର ଓ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ତାହା କେବଳ ଆମରାଜ୍ୟ ବା ଭାରତବର୍ଷ କାହିଁକି ସମଗ୍ର ବିଶ୍ୱରେ ବିରଳ । ଏଥିରେ ଅଣୁମାତ୍ର ଅତିଶୟୋକ୍ତି ନାହିଁ । ଯେଉଁମାନେ ବାରବାଟୀ ଷ୍ଟାଡ଼ିୟମସ୍ଥିତ ଜ୍ଞାନମଣ୍ଡଳ ପ୍ରକାଶନୀ କାର୍ଯ୍ୟାଳୟର ପୁସ୍ତକ ପରିବେଷ୍ଟିତ ଅପ୍ରଶସ୍ତ କୋଠରୀରେ ତପସ୍ୟାରତ ବିନୋଦବାବୁଙ୍କୁ ଏବଂ ତାଙ୍କ ଦ୍ୱାରା ପ୍ରସ୍ତୁତ, ସଂରକ୍ଷିତ ଏବଂ ସହଜଲଭ୍ୟ ହେବା ପ୍ରଣାଳୀରେ ସୁସଜ୍ଜିତ ଫାଇଲ ଥାକ ସବୁ ଦେଖିଥିବେ, ସେମାନେ ଏହା ମର୍ମେ ମର୍ମେ ଅନୁଭବ କରିଥବେ ନିଶ୍ଚୟ । ପାଞ୍ଚଶ ସାତଶ କି ହଜାରେ ପନ୍ଦରଶ ନୁହେଁ ପନ୍ଦର ହଜାରରୁ ଉର୍ଦ୍ଧ୍ୱ ଫାଇଲର ସ୍ରଷ୍ଟା ବିନୋଦବାବୁ ପ୍ରତ୍ୟେକଟିରେ ରଖିଯାଇଛନ୍ତି ଅତ୍ୟନ୍ତ ମୂଲ୍ୟବାନ ତଥ୍ୟ ଓ ଉପାଦାନ ଯାହାର କିଛି ଅଂଶ ସେ ସନ୍ନିବେଶିତ କରିଛନ୍ତି ସ୍ଵସମ୍ପାଦିତ ଜ୍ଞାନମଣ୍ଡଳର ୪୦ ଖଣ୍ଡ, ଶିଶୁଜ୍ଞାନମଣ୍ଡଳ ଓ ଅନ୍ୟାନ୍ୟ ଗ୍ରନ୍ଥମାନଙ୍କରେ । ଛାଡ଼ି ଯାଇଛନ୍ତି ବେଶିଭାଗ ଦାୟାଦ ଓ ରାଜ୍ୟବାସୀଙ୍କ ପାଇଁ ସଦୁପଯୋଗ ଆଶାରଖି । ଜ୍ଞାନମଣ୍ଡଳ ଏକାଦଶ ଖଣ୍ଡରେ ସନ୍ନିବେଶିତ ହ୍ୟାଣ୍ଡନୋଟର ଫଟୋଚିତ୍ର ଓ ଦ୍ୱାବିଂଶଖଣ୍ଡରେ ପ୍ରଦତ୍ତ ଥାକ ଥାକ ହୋଇ ସୁସଜ୍ଜିତ ଥିବା ନଥିମାନଙ୍କର ଆଂଶିକ ଫଟୋଚିତ୍ର ପ୍ରତି ଦୃଷ୍ଟିପାତ କଲେ ଏହି ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ସଂଗ୍ରାମୀ ପୁରୁଷଙ୍କ କଠିନ ଅଧ୍ୟବସାୟ, ଅସୀମ ଧୈର୍ଯ୍ୟ, ଲୋକଶିକ୍ଷାର ପ୍ରସାର ଓ ସାମାଜିକ ସଂସ୍କାର ପାଇଁ ପ୍ରତିବଦ୍ଧତା ଓ ଜ୍ଞାନମଣ୍ଡଳ ପ୍ରଣୟନ ପାଇଁ ଏହି ପ୍ରାଜ୍ଞ ପୁରୁଷଙ୍କୁ କେତେ ଯେ ଘାତ ପ୍ରତିଘାତ ଅତିକ୍ରମ କରିବାକୁ ପଡ଼ିଛି ତାହା ସହଜରେ ଅନୁମାନ କରିହେବ । ମୁଁ ଏକାଧିକ ବାର ସେ ସୁଯୋଗ ପାଇ ନିଜକୁ ଧନ୍ୟ ମନେ କରିଛି । କୋରାପୁଟ, ଯାଜପୁର ସବ୍‌ଡିଭିଜନାଲ କାର୍ଯ୍ୟାଳୟ ରେକର୍ଡ଼ ରୁମ୍‌ ଓ ଅବିଭକ୍ତ କଟକ ଜିଲ୍ଲା କାର୍ଯ୍ୟାଳୟ ରେକର୍ଡ଼ ରୁମ୍‌ ପରିଦର୍ଶନ କଲାବେଳେ ପୁରାତନ ରେକର୍ଡ଼ ସଂରକ୍ଷଣର ଅବ୍ୟବସ୍ଥା ଦେଖି ମୁଁ ଯୋଗଜନ୍ମା ବିନୋଦବାବୁଙ୍କୁ ନୀରବରେ ଅନେକବାର ପ୍ରଣାମ କରିଛି । ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ଓ କର୍ମଚାରୀ ମୁତୟନ ସତ୍ତ୍ୱେ ସରକାରୀ ରେକର୍ଡ଼ ସଂରକ୍ଷଣ ଦୂରବସ୍ଥା ପାଇଁ ନିଜକୁ ନିଜେ ଧିକ୍କାର କରିଛି ମଧ୍ୟ ।

 

ବହୁଦେଶ, ବହୁରାଜ୍ୟ ଓ ବିଭିନ୍ନ ଭାଷାର ପ୍ରଣୀତ ବିଶ୍ଵକୋଷ ସଂକ୍ରାନ୍ତରେ ସମ୍ୟକ୍‌ ଜ୍ଞାନ ଆହରଣ କରିଥିବା ଅନନ୍ୟ ଆତ୍ମଶକ୍ତିର ଅଧିକାରୀ ବିନୋଦବାବୁ ସ୍ଥିର ନିଶ୍ଚିତ ଥିଲେ ଯେ ‘‘ଜ୍ଞାନର ଇତିହାସ ହିଁ ବିଶ୍ୱକୋଷ’’ ଏବଂ ଐକାନ୍ତିକ ଉଦ୍ୟମରେ ଏହି ଭଣ୍ଡାର ନିର୍ମାଣ କାର୍ଯ୍ୟ ଦୁର୍ବହ ଓ ଆପାତତଃ ଅସମ୍ଭବ ମନେ ହେଉଥିଲେ ହେଁ ତାହା ସେ ଅବଶ୍ୟ ସମ୍ପାଦନ କରିପାରିବେ ଯେହେତୁ ‘‘Man can do what man has done.’’ । ଜ୍ଞାନମଣ୍ଡଳ ନବମ ଖଣ୍ଡରେ ଲେଖକ ପେନ୍‌‌ଙ୍କ ଉକ୍ତିର ଆକ୍ଷରିକ ଅନୁବାଦ ନିମ୍ନମତେ କରିଛନ୍ତି ।

 

‘‘ସମୟଟିକେ ମିଳନ୍ତା କି ବୋଲି ଆମେ କେତେ ବିକଳ ହେଉ-କିନ୍ତୁ ମିଳିଲେ ତାକୁ ନଷ୍ଟ କରୁ ।’’

 

ସେ ସମୟକୁ ନଷ୍ଟ ହେବାକୁ ଦେଇ ନାହାଁନ୍ତି । ବରଂ ବିକଳ ହୋଇଛନ୍ତି ପ୍ରତ୍ୟେକ ସେକେଣ୍ଡକୁ କୌଣସି ନା କୌଣସି ରଚନାତ୍ମକ କାର୍ଯ୍ୟରେ ଉପଯୋଗ କରିବା ପାଇଁ । ଖାଦ୍ୟ, ପାଣି, ଓଷଧ, ଇଞ୍ଜେକସନ୍‌, ବିଶ୍ରାମ, ନିଦ୍ରା, ଅପେକ୍ଷା କରିଛନ୍ତି ତାଙ୍କୁ । ସେ ପରାଭୂତ କରିଛନ୍ତି ସମସ୍ତଙ୍କୁ ।

 

ଅନିସନ୍ଧିତ୍ସୁଙ୍କ ପାଇଁ ‘ଜ୍ଞାନମଣ୍ଡଳ’ର ପ୍ରତ୍ୟେକ ଖଣ୍ଡ ଗୋଟିଏ ଗୋଟିଏ ଜୀବନ୍ତ ପୁସ୍ତକ, ଶିକ୍ଷା, ବୈଷୟିକ ଶିକ୍ଷା ଓ ସାଧାରଣ ଜ୍ଞାନର ଗନ୍ତାଘର । ସରଳ ସର୍ବଜନ ବୋଧଗମ୍ୟ ଭାଷାରେ ଅନେକ ଉଦାହରଣ, ରେଖାଙ୍କନ, ଫଟୋଚିତ୍ର ଓ ସ୍ଥଳ ବିଶେଷରେ ଇଂରାଜୀ ତଥା ଅନ୍ୟ ଭାଷାର ସମୁଚିତ ପ୍ରତିଶବ୍ଦ ସଂଯୋଗ ପୂର୍ବକ ଦୁଲର୍ଭ ତଥ୍ୟ ଆଧାରିତ ବିଷୟବସ୍ତୁ ପ୍ରଭାବୀ ଉପସ୍ଥାପନା ଏହି ମହାନ ଗ୍ରନ୍ଥର ପ୍ରତି ଖଣ୍ଡ ପ୍ରତିପୃଷ୍ଠା ସାଧାରଣ ଲୋକ, ଛାତ୍ର, ଶିକ୍ଷକ, ଶାସକ ଓ ପ୍ରଶାସକଙ୍କ ପାଇଁ ସର୍ବକାଳ ଉପଯୋଗୀ ଓ ଅସରନ୍ତି ପ୍ରେରଣାର ଉତ୍ସ ।

 

ବିନୋଦବାବୁ ମୁକ୍ତ କଣ୍ଠରେ ସ୍ଵୀକାର କରିଅଛନ୍ତି ଯେ ତାଙ୍କର ଦୁଇ ଗୁରୁ ହେଲେ ‘‘ପୁସ୍ତକ’’ ଓ ‘‘ଫାଇଲ’’ । ଯଥାର୍ଥରେ ସେମାନେ ହିଁ ଥିଲେ ତାଙ୍କର ଜ୍ଞାନଗୁରୁ, ଦୁଃଖକ୍ଷୟକାରୀ ଗୁରୁ ତେଣୁ ସେ ଦୁହେଁ ସଦ୍‌ଗୁରୁ ଯାହାଙ୍କ ଆଶୀର୍ବାଦରୁ ସେ ଅସାଧ୍ୟ ସାଧନ କଲେ । ଜ୍ଞାନକୋଷ ପ୍ରଣୟନ କରି ଜ୍ଞାନ ବିତରଣ କରିଚାଲିଲେ ପ୍ରତି ମୁହୂର୍ତ୍ତରେ । ଏଠାରେ ମୋର ଅନୁଶୋଚନା ଭାରାକ୍ରାନ୍ତ ମନରେ କ୍ଷଣକ ପାଇଁ ଏକ ପାର୍ଶ୍ଵ ପ୍ରତିକ୍ରିୟା ଛାଏଁ ସୃଷ୍ଟି ହେଉଛି । ପୁସ୍ତକ ଓ ଫାଇଲ ସହିତ ସଂଶ୍ଲିଷ୍ଟ ରାଜ୍ୟ ଶାସନର ଶାସକ, ପ୍ରଶାସକ ଓ ଅସଂଖ୍ୟ କର୍ମଚାରୀଙ୍କ ସାମ୍ବିଧାନିକ ଓ ଆଇନଗତ ବାଧ୍ୟବାଧକତା ସତ୍ତ୍ଵେ ଏ ଅବଧ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ ହୋଇପାରିଲା ନାହିଁ । ଏବେ ମଧ୍ୟ ଓଡ଼ିଆରେ ଚିଠି ଲେଖା ଓ ଫାଇଲ ପରିଚାଳନା ପ୍ରଶ୍ନ ଉଠିଲେ କର୍ମଚାରୀ ମହଲରେ ଆତଙ୍କ ସୃଷ୍ଟି ନ ହେଲେ ବି ଅନେକଟା ଅଶ୍ୱସ୍ତି ପରିଲକ୍ଷିତ ହେଉଅଛି । ଏହି ବିଫଳତା ପାଇଁ ଯେଉଁସବୁ କାରଣ ଦର୍ଶାଯାଉଅଛି ତନ୍ମଧ୍ୟରେ ଅଛି ଓଡ଼ିଆ ବ୍ୟାକରଣ, ଅଭିଧାନ, ଶବ୍ଦକୋଷ ଓ ପ୍ରକରଣ ପୁସ୍ତିକାର ଅଭାବ । ଏଗୁଡ଼ିକର ଦୂରୀକରଣ ପାଇଁ ଯତ୍ପରୋନାସ୍ତି ଉଦ୍ୟମ କରାଯାଉ । ତତ୍‌ସହିତ ଜ୍ଞାନମଣ୍ଡଳରେ ଭରପୂର ଥବା ଦୁର୍ଲଭ ତଥ୍ୟ ଓ ଉପାଦାନର ସଦୁପଯୋଗ ପାଇଁ ଫଳପ୍ରଦ ପଦକ୍ଷେପ ନିଆଗଲେ ଆପାତତଃ ଅନତିକ୍ରମ୍ୟ ମନେ ହେଉଥିବା ଦୀର୍ଘଦିନର ସମସ୍ୟା ସମାଧାନ ହେବା ସଙ୍ଗେ ସଙ୍ଗେ ସରକାରୀ କର୍ମଚାରୀମାନଙ୍କ ଭାଷା, ସାହିତ୍ୟ, ସାଧାରଣଜ୍ଞାନ ଓ ଆତ୍ମବିଶ୍ଵାସ ଅଭିବୃଦ୍ଧି ଘଟିବ । ଇଂରାଜୀ ଭାଷାରେ ଉପଲବ୍ଧ ବିଜ୍ଞାନ ବିଷୟ ସମ୍ପର୍କିତ । ଟେକ୍‌ନିକାଲ ଶବ୍ଦଗୁଡ଼ିକର ଉପଯୁକ୍ତ ଓଡ଼ିଆ ପ୍ରତିଶବ୍ଦର ଅଭାବ ମଧ୍ୟ ଓଡ଼ିଶାରେ କାର୍ଯ୍ୟ ସମ୍ପାଦନ ଧାରାକୁ ଶୀଥିଳ କରୁଥିବା ମନ୍ତବ୍ୟ ଶୁଣିବାକୁ ମିଳେ । ବିନୋଦବାବୁ ଏଥିପାଇଁ ଯେଉଁ ସମାଧାନ ସୂତ୍ରର ଅବତାରଣା କରିଛନ୍ତି ତାହା ହେଲା- ଓଡ଼ିଆ ଭାଷାର ବିକାଶ ଓ ବିସ୍ତାର ପାଇଁ ଚାରୋଟି ଅଭିଧାନ ରହିବ । (୧) ଓଡ଼ିଆରୁ ଓଡ଼ିଆ (୨) ଇଂରାଜୀରୁ ଓଡ଼ିଆ (୩) ବିଜ୍ଞାନ ଶବ୍ଦଗୁଡ଼ିକର ଇଂରାଜୀରୁ ଓଡ଼ିଆ (୪) ବିଜ୍ଞାନ ଓଡ଼ିଆ ଶବ୍ଦଗୁଡ଼ିକର ଓଡ଼ିଆରୁ ଓଡ଼ିଆ - ଇଂରାଜୀ ଓ ସେଗୁଡ଼ିକ ଇଂରାଜୀ ଭାଷାକୁ କିମିତି ଆସିଲେ ତାହାର ବର୍ଣ୍ଣନା । ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ ୧୯୮୫ ମସିହା ଏପ୍ରିଲ ପହିଲାରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ସ୍ପଷ୍ଟ ନିର୍ଦ୍ଦେଶନାମା ପ୍ରକାଶ ପାଇଲା । ଏହି କାର୍ଯ୍ୟକୁ ସୁଗମ କରିବା ନିମିନ୍ତେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶ୍ରୀ ମନମୋହନ ଚୌଧୁରୀ ଓ ଶ୍ରୀ ବିନୋଦ କାନୁନ୍‌ଗୋଙ୍କୁ ନେଇ ଏକ ତିନିଜଣିଆ ଲିପି ସଂସ୍କାର କମିଟି ଗଠନ କରାଯାଇଥିଲା । କମିଟି ଅନେକ ପଦକ୍ଷେପ ନେଇ ଓଡ଼ିଆରେ କାର୍ଯ୍ୟ ସମ୍ପାଦନ ପ୍ରକ୍ରିୟାକୁ ଗତିଶୀଳ କରାଇ ପାରିଥିଲେ । କିନ୍ତୁ ଏ କାର୍ଯ୍ୟ ଏବେବି ଅସମ୍ପୂର୍ଣ୍ଣ ଅଛି ।

 

ଭୁବନେଶ୍ଵର ନୟାପଲ୍ଲୀ ୫ ନମ୍ବର ଜାତୀୟ ରାଜପଥ ସନ୍ନିକଟସ୍ଥ ଜ୍ଞାନମଣ୍ଡଳ ଫାଉଣ୍ଡେସନ କାର୍ଯ୍ୟାଳୟ ଯଥାର୍ଥରେ ନବଉତ୍କଳ -ଏକାମ୍ରକ୍ଷେତ୍ରର ଜ୍ଞାନପୀଠ ଓ ବିନୋଦବାବୁଙ୍କ ଲୋକଶିକ୍ଷା ଓ ଅଭିନବ ସମନ୍ୱିତ ଶିକ୍ଷାସୂତ୍ରକୁ ଆଧାର କରି ଏହା ଗଢ଼ି ଉଠିଛି । ବିନୋଦବାବୁ ଯଥାର୍ଥରେ କହିଥିଲେ- ‘‘The liberally educated man has a mind that can operate well in all fields. He may be a specialist in one field but he can understand anything important that is said in any field and can see and use the light that it sheds upon is own.’’ ଏହା ପ୍ରତ୍ୟେକଙ୍କ ପାଇଁ ଅନେକ ଆଶା, ଆକାଂକ୍ଷା ଓ ପ୍ରେରଣାର ବାର୍ତ୍ତା ବହନ କରେ । ଏହି ପ୍ରସିଦ୍ଧ ଶିକ୍ଷାଭୂମି ଏବଂ ପର୍ଯ୍ୟଟନସ୍ଥଳର ଶୁଭାରମ୍ଭ ପାଇଁ ସ୍ଥାନ ନିରୂପଣ କରିଥିଲେ ପ୍ରତିଭାବାନ ପ୍ରଶାସକ ତତ୍‌କାଳୀନ ମୁଖ୍ୟ ଶାସନ ସଚିବ ଲଲାଟେନ୍ଦୁ ପରିଜା । ସେ କେବଳ ଜମି ଆବଣ୍ଟନ ପ୍ରକ୍ରିୟାକୁ ତ୍ଵରାନ୍ଦିତ କରିନଥିଲେ, ସରକାରୀ ଚାକିରୀକାଳର ଅବ୍ୟବହିତ ପୂର୍ବରୁ ଆବଣ୍ଟନ ଓ ଅନୁଦାନ ଆଦେଶକୁ ନିଜେ ନେଇ ବିନୋଦବାବୁଙ୍କ ହସ୍ତରେ ଅର୍ପଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତାହା ହିଁ ହେଲା । ଜମିଆବଣ୍ଟନ ଆଦେଶ ମୁଁ ଯେତେବେଳେ ପରିଜା ସାହେବଙ୍କ ହାତରେ ଦେଇଥିଲି, ସେତେବେଳ ମୁଁ ତାଙ୍କ ମୁଖମଣ୍ଡଳରେ ଲକ୍ଷ୍ୟ କରିଥିଲି ଗଭୀର ଆତ୍ମପ୍ରସାଦ ଓ ପ୍ରସନ୍ନତାର ଛାପ ଯାହାକି ଏବେବି ମୋ ସ୍ମୃତି ପଟରେ ସେମିତି ସତେଜ ଅଛି । ହୁଏତ ସେ ମୁହୂର୍ତ୍ତରେ ସ୍ମରଣ କରୁଥିଲେ ପୂଜ୍ୟପିତା ଓଡ଼ିଶାର ବିଶିଷ୍ଟ ଉଦ୍ଭିଦବିତ୍‌ କୁଳପତି ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କୁ, ଯାହାଙ୍କ ସଦ୍ଦିଚ୍ଛା ଓ ସହଯୋଗର ଦ୍ଵାର ସର୍ବଦା ବିନୋଦବାବୁଙ୍କ ପାଇଁ ଖୋଲାଥିଲା । ସଂଯୋଗକ୍ରମେ, ଇଷ୍ଟେଟ ନିର୍ଦ୍ଦେଶକ ରୂପେ ଏହି ଆବଣ୍ଟନ ପକ୍ରିୟାରେ କିଛିଟା ସଂଶ୍ଳିଷ୍ଟ ହେବା ସୁଯୋଗ ଲାଭ କରି ମୁଁ ନିଜକୁ ଅତ୍ୟନ୍ତ ଧନ୍ୟ ମନେ କରିଥିଲି ସେଦିନ ।

 

ତା ୫-୧-୧୯୯୦ରେ ମୁଁ ଅବିଭକ୍ତ କଟକ ଜିଲ୍ଲାର ଜିଲ୍ଲାପାଳ ରୂପେ ଅବସ୍ଥାପିତ ହୋଇଥିଲି । ସବୁଠାରୁ ବଡ଼ ଜିଲ୍ଲା ବିଷୟରେ ସଠିକ୍‌ ସୂଚନା ପାଇଁ ମୁଁ ପ୍ରଥମେ ଜ୍ଞାନମଣ୍ଡଳ ଦ୍ଵାବିଂଶଖଣ୍ଡରେ ସନ୍ନିବେଶିତ ‘କଟକ ଜିଲ୍ଲା’ ଉପରେ ଲେଖା ଓ ପରେ, ରେଭେନ୍ସା କଲେଜର ଇତିହାସ ବିଭାଗର ମୋର ପୂଜ୍ୟ ପ୍ରଫେସର ଦ୍ଧ ଘନଶ୍ୟାମ ଦାଶଙ୍କ ‘‘History of cuttack’’କୁ ଦୁଇ ଦୁଇ ଥର ପଢ଼ିନେଲି । ଉଲ୍ଲେଖ କରିବା ଅନାବଶ୍ୟକ ଯେ ଏହାପରେ କଟକର ଭୌଗୋଳିକ ବିବରଣୀ, ବିଭିନ୍ନ ଅଞ୍ଚଳର ଅବସ୍ଥିତି, ନଦୀପଥ, ପ୍ରାକୃତିକ ବିପର୍ଯ୍ୟୟ, ଗମନାଗମନ ସମସ୍ୟା, ଜମି, ଜଳ, ଜଙ୍ଗଲ, ଐତିହ୍ୟ, ସଂସ୍କୃତି, ଶିକ୍ଷାନୁଷ୍ଠାନ ଉପକୂଳବର୍ତ୍ତୀ ସମସ୍ୟା, ଧର୍ମପୀଠ, ପର୍ବପର୍ବାଣୀ ସଂକ୍ରାନ୍ତରେ ସୂଚନା ସଂଗ୍ରହ ପାଇଁ ମତେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ବା ବ୍ୟସ୍ତ ବିବ୍ରତ ହେବାକୁ ପଡ଼ି ନାହିଁ ।

 

ସାରସ୍ଵତ ସାଧକ ବିନୋଦ କାନୁନ୍‍ଗୋଙ୍କ ଜ୍ଞାନମଣ୍ଡଳ, ଆତ୍ମଜୀବନୀ ସମେତ ଅନ୍ୟାନ୍ୟ ଅନେକ ପୁସ୍ତକ, ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଜ୍ଞାନଭିତ୍ତିକ ଉନ୍ନତମାନର ପୁସ୍ତକ ନବସାକ୍ଷର ଓ ସାଧାରଣ । ଲୋକଙ୍କ ବୋଧଗମ୍ୟ ଭାଷାରେ କୃଷି, ମତ୍ସ୍ୟଚାଷ, ମହୁଚାଷ, କମ୍ପୋଷ୍ଟ ସାର ପ୍ରସ୍ତୁତ ପ୍ରଣାଳୀ ପ୍ରଭୃତି ଅସଂଖ୍ୟଲେଖା ସମାଜର କେଉଁ ଶ୍ରେଣୀର ଲୋକଙ୍କୁ କିଭଳି ଏବଂ କେତେମାତ୍ରାରେ ସହାୟକ ହୋଇଛି ତାହାର ଆକଳନ ଓ ସଠିକ୍‌ ମୂଲ୍ୟାୟନ ହୋଇ ନାହିଁ । ଜୀବନୀ ସାହିତ୍ୟକୃତି ପାଇଁ ୧୯୮୪ରେ ଓ ଶିଶୁପୁସ୍ତକ ପାଇଁ ୧୯୮୭ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୮୬ରେ ଭାରତ ସରକାରଙ୍କ ଦ୍ଵାରା ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିଲେ ହେଁ, ଏ ସମ୍ମାନ ଯେ ଗାଁ ମାଟି, ପାଣି ପବନକୁ ଜୀବନ ଦେଇ ଭଲ ପାଉଥିବା, ଅଧାରେ ପାଠ ଛାଡ଼ି ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିବା, ଗାନ୍ଧିବାଦୀ ନିରବ ସାଧକ, ଜ୍ଞାନୀ, ଗବେଷକ, ସାମ୍ବାଦିକ ସଂସ୍କାରକ, ଆତ୍ମଶକ୍ତିର ସର୍ବଶ୍ରେଷ୍ଠ ଉପାସକ, ଚଳନ୍ତି ଜ୍ଞାନକୋଷ ଓ ହଜାର ହଜାର ପୃଷ୍ଠା ଲେଖି ସାରିବା ପରେ ଅନ୍ତିମ ମୁହୂର୍ତ୍ତଯାଏ କଲମକୁ ଚଳଚଞ୍ଚଳ ରଖିଥିବା ଅନନ୍ୟ ପ୍ରତିଭା ସମ୍ପନ୍ନ ମଣିଷଟି ପାଇଁ ତୁଚ୍ଛ ନ ହେଲେ ବି, ଆଦୌ ଯଥେଷ୍ଟ ନୁହେଁ, ଏ କଥା ଯେ କେହି ସ୍ୱୀକାର କରିବ । ଏଥିପାଇଁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଓ ପ୍ରତିକ୍ରିୟା ଯେ ପ୍ରକାଶ ନ ପାଇଛି, ତାହା ନୁହେଁ । କିନ୍ତୁ ତାହା ଆଲୋଚନା ଓ ସମ୍ବର୍ଦ୍ଧନା ସଭା ଭାଷଣରେ ହଁ ସୀମିତ ରହିଯାଇଛି । ଭାରତ ରତ୍ନ, ପଦ୍ମ ବିଭୂଷଣ ଉପାଧି ସବୁ ସେହିପରି ସଂରକ୍ଷିତ ରହିଯାଇଛି, ଭାଗ୍ୟବାନ ପ୍ରତିଭାଧରମାନଙ୍କ ପାଇଁ ।

 

ବିନୋଦବାବୁ ସମ୍ମାନ ଚାହିଁ ନାହାଁନ୍ତି । ଯାହା ପାଇବା କଥା ପାଇ ନାହାଁନ୍ତି । ଗାନ୍ଧୀବାଣୀ-‘‘ସବଳର ଅହିଂସା’’- ‘‘ଦାରିଦ୍ର୍ୟରେ ସୌନ୍ଦର୍ଯ୍ୟ’’ରେ ଅଟଳ ବିଶ୍ୱାସୀ, ସ୍ୱାଚ୍ଛ, ସରଳ, ସାଦାସିଧା,ସଦାସର୍ବଦା ଅନ୍ୟକୁ ସାହାଯ୍ୟ କରିବା ପାଇଁ ବ୍ୟଗ୍ରହୋଇ ପଡ଼ୁଥିବା ଏବଂ ସମାଜର ଶେଷ ଧାଡ଼ିର ଶେଷ ଲୋକଟି ଯାଏଁ ପହଞ୍ଚି ପାରିବା ସାମର୍ଥ୍ୟ ରଖିଥିବା ପରିପୂର୍ଣ୍ଣ ବ୍ୟକ୍ତିତ୍ୱର ଅଧିକାରୀ ନିଜକୁ ଜଣେ ବଡ଼ ଲେଖକ ବୋଲି କେବେ ବି ମନେ କରି ନାହାଁନ୍ତି । ବରଂ ଯଥାର୍ଥରେ ଗର୍ବ ଅନୁଭବ କରିଛନ୍ତି ନିଜକୁ ଜଣେ ସ୍କୁଲଡ୍ରପ୍‌ ଆଉଟ୍‌, ଅପାଠୁଆ, ଶିକ୍ଷକ ବି ନୁହେଁ, ମାଟିବଂଶ ଅବଧାନ ରୂପେ ଚିତ୍ରଣ କରି । ଏହି ସଚେତନତା ହଁ ତାଙ୍କୁ ଦେଇଛି ପ୍ରୋତ୍ସାହନ, ଅଧିକରୁ ଅଧିକ ପଢ଼ିବା, ତଥ୍ୟ ସଂଗ୍ରହ ଓ ଜ୍ଞାନ ଆହରଣ କରି ସଫଳତାର ଶୀର୍ଷରେ ଉପନୀତ ହେବା ପାଇଁ । ଅର୍ଥାଭାବ ଓ ଦାରିଦ୍ର୍ୟର କଷାଘାତ ତାଙ୍କୁ ଅନେକବାର ଠେଲି ନେଇଛି ସଙ୍କଟର ମୁହଁକୁ, କିନ୍ତୁ ତାଙ୍କୁ ସଙ୍କଳ୍ପଚ୍ୟୁତ କରି ପାରି ନାହଁ ।

 

ବିନୋଦ କାନୁନ୍‌ଗୋଙ୍କ ବ୍ୟକ୍ତିତ୍ୱ ଓ ସାଧନାର ମୂଲ୍ୟାୟନ ପାଇଁ ନିମ୍ନ ପ୍ରଦତ୍ତ ପାଞ୍ଚଟି ବାକ୍ୟରେ ତାଙ୍କ ନିଜ ସ୍ଵୀକାରୋକ୍ତି ହଁ ଅନେକ ସନ୍ଦେଶ ବହନ କରେ:

 

‘‘ଗୋଟିଏ ମାତ୍ର ଟଙ୍କା ପାଖରେ ରଖି ଯେତେବେଳେ ଗୋଟାଏ ଏନ୍‌ସାଇକ୍ଲୋପେଡ଼ିଆର କଳ୍ପନା କଲି ସେତେବେଳେ ଜାଣିଶୁଣି ଯାହାକୁ କହନ୍ତି ସ୍ଥିର ବୁଦ୍ଧି ଚିତ୍ତରେ ତ ଦାରିଦ୍ର୍ୟ ଭିତରକୁ ନିଜକୁ ଠେଲି ନେଇଗଲି । କିଛିଦିନ ଆଗେଇ ଗଲାପରେ ମୋ ପାଖରେ ପଇସା ନ ଥଲା ଦି’ଓଳି ଦି’ ବଖତ ଖାଇବା ପାଇଁ । ଗୋଟିଏ ବଖତ ହୋଟେଲରେ ଖାଏ ଆଜିର ମୂଲ୍ୟରେ ୬୨ ପଇସା ଦେଇ-ରାତିରେ ବାର ପଇସାରେ ଯେତିକି ମୁଢ଼ି ଉଖିଡ଼ା ହେଲା ସେତିକି ଖାଇ ଚଳିଯାଏ । ଏଭଳି ଯେ କେତେଦିନ, କେତେମାସ କରିଛି ନୁହେଁ-ଦୀର୍ଘ ଚାରିବର୍ଷ ସେମିତି କଟାଇଛି । ଅବଶ୍ୟ ମୁଁ ଏମିତି ଚଳୁଛି ବୋଲି ଆମ ଘରେ ବା ବନ୍ଧୁବାନ୍ଧବମାନଙ୍କ ମଧ୍ୟରୁ କେହି ଜାଣି ପାରୁ ନ ଥାନ୍ତି..... ।’’

 

ଆମ ଦେଶରେ ଏଭଳି ଦୃଷ୍ଟାନ୍ତ ଅନ୍ୟତ୍ର ଅଛି କି ନାହଁ ତାହା ମୋର ସୀମିତ ଜ୍ଞାନ ପରିସର ବାହାରେ । ସର୍ବୋଚ୍ଚ ପଦ୍ମଉପାଧି ପାଇଁ ତାଙ୍କର ଅର୍ହତା ଥିଲା କି ନା ପ୍ରଶ୍ନ ପ୍ରାସଙ୍ଗିକତା ହରାଇ ବସିଛି । କିନ୍ତୁ, କୋଟି ଜନମାନସରେ ଏହି ଯୋଗଜନ୍ନା, ବାଗ୍ମୀ, ବିଦ୍ୱାନ୍‌, ଅନନ୍ୟ ସାଧକ ପ୍ରତି ମୁହୂର୍ତ୍ତରେ ଜ୍ଞାନର ଆଲୋକବର୍ତ୍ତିକା ରୂପେ ଉଦ୍‌ଭାସିତ ହେଉଛନ୍ତି, ହେଉଥିବେ ଚିରକାଳ ।

 

ଅବସରପ୍ରାପ୍ତ ଆଇ.ଏ.ଏସ୍‌., ଭୁବନେଶ୍ୱର

***

 

ବିନୋଦ କାନୁନ୍‌ଗୋଙ୍କ ଭାଷାଚିନ୍ତା

ପାବକ କାନୁନ୍‌ଗୋ

 

ଜଣେ ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଜ୍ଞାନମଣ୍ଡଳର ଏକକ ସ୍ରଷ୍ଟା, ଶିଶୁ ସାହିତ୍ୟର ଅନନ୍ୟ ସ୍ତଷ୍ଟା ଓ ସଂସ୍କାରକ ଭାବରେ ବିନୋଦ କାନୁନ୍‌ଗୋଙ୍କର ଅବଦାନ ସଂପର୍କରେ ଯେତିକି ଆଲୋଚନା ହୋଇଛି, ଓଡ଼ିଆ ଭାଷାକୁ ଭାବପ୍ରକାଶର ଶକ୍ତିଶାଳୀ ମାଧ୍ୟମ ଭାବରେ ଗଢ଼ି ତୋଳିବାକୁ ତାଙ୍କର ଜୀବନବ୍ୟାପୀ ସାଧନା ସଂପର୍କରେ ସେତିକି ଆଲୋଚନା ହେଇନାହିଁ । ପ୍ରଗାଣ ଅଧ୍ୟବ୍ୟସାୟ, ନିଷ୍ଠା ଓ ପ୍ରତିବଦ୍ଧତାକୁ ପୁଞ୍ଜି କରି ନିଜ ମାତୃଭାଷା ଭିତରେ ସେ ଯେଭଳି ଶକ୍ତି ଭରିଦେଇଥିଲେ ସେ କଥା ଜାଣିଲେ ଜଣେ ଓଡ଼ିଆ ଆନନ୍ଦଭରା ବିସ୍ମୟରେ ବୁଡ଼ିଯିବ । ଏ ଦିଗରେ ଅଧିକ ଗବେଷଣା ଓ ଅନୁଶୀଳନୀର ଆବଶ୍ୟକତା ରହିଛି ।

 

ଯେମିତି ମନୁଷ୍ୟ ସମାଜରେ ‘ଉକୃଷ୍ଟ’ ବା ‘ନିକୃଷ୍ଟ’ ଜାତି ବୋଲି କିଛି ନାହିଁ, ସେମିତି ଭାଷା ଭିତରେ ମଧ୍ୟ ଉକୃଷ୍ଟ ବା ନିକୃଷ୍ଟ ବୋଲି କିଛି ନାହିଁ । ପ୍ରତ୍ୟେକ ଜୀବନ୍ତ ଭାଷା ଭିତରେ ସମୃଦ୍ଧିର ସମ୍ଭାବନା ରହିଛି । ଓଡ଼ିଆ ସେହିପରି ଗୋଟିଏ ଭାଷା ବୋଲି ବିନୋଦବାବୁଙ୍କର ବିଶ୍ୱାସ ଥିଲା । ‘‘ଶରୀରରେ ଆବଶ୍ୟକୀୟ ସାମର୍ଥ୍ୟ ନଥିଲେ ଜଣେ ଓଜନିଆ ବୋଝଟିଏ ଉଠାଇପାରିବ ନାହିଁ, ସେହିପରି ଭାଷା ଭିତରେ ସାମର୍ଥ୍ୟ ନଥିଲେ ତାହା ଜ୍ଞାନର ବୋଝକୁ ସମ୍ଭାଳିପାରିବ ନାହିଁ । ତେଣୁ ମୋତେ ଶିକ୍ଷକ ବୋଲି ନକହି ମାଟିବଂଶ ଅବଧାନ ବୋଲି କୁହାଯାଉ । ଅବଧାନର କାମ ହେଲା, ପିଲାଙ୍କୁ ଅକ୍ଷର ଚିହ୍ନାଇ ଦେବେ, ଲେଖାଇଦେବେ, ମାତ୍ରାସବୁ ଶିଖାଇବେ, ମୁଖସ୍ଥ କରାଇବେ ଓ ‘କଳାକଳେବର କହ୍ନେଇ’ ଭଳି କେତୋଟି ଗୀତ ବୋଲାଇବେ । ମୁଁ ସେହିଭଳି କାମଟିଏ କରିବାକୁ ଯାଉଛି ବୋଲି’’ ନମ୍ରତାର ସହିତ ସେ କହୁଥିଲେ ।

 

ଓଡ଼ିଆ ଭାଷା କାହିଁକି କ୍ରମେ କ୍ରମେ ନିଜର ଆକର୍ଷଣ ହରାଇଛି ତାହାର ଗଭୀର ଅନୁଶୀଳନ ପରେ ବିନୋଦବାବୁ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ସମ୍ବଳ ବା ସତତ ଉଦ୍ୟମର ଅଭାବରୁ ସଫଳତା ଅର୍ଜନ କରିବାକୁ ବହୁ ଲୋକ ସକ୍ଷମ ନ ହେବା କଥା ଠିକ୍‌ ନୁହେଁ । ସେମାନଙ୍କର ବିଫଳତାର ଅସଲ କାରଣ ହେଉଛି, କଅଣ କରିବାକୁ ଯାଉଛନ୍ତି ସେ ବିଷୟରେ ସେମାନଙ୍କର ସ୍ପଷ୍ଟ ଧାରଣା ନଥାଏ ବା ଗୋଳମାଳିଆ ଧାରଣା ହିଁ ରହିଥାଏ । ଓଡ଼ିଆ ଭାଷା କ୍ଷେତ୍ରରେ ତାହାହିଁ ହୋଇଥିବାରୁ ଗୋଟିଏ ଉନ୍ନତ ବିକଶିତ ଭାଷାର ଆସନରେ ବସିବାକୁ ଏହା ସମର୍ଥ ହୋଇ ନାହିଁ ।

 

ଏହି ଚିନ୍ତା, ଭାବନା ଓ ଭଦ୍‌ବେଗରୁ ଓଡ଼ିଆ ଭାଷାରେ ଗୋଟିଏ ବିଶ୍ଵକୋଷ ବା ଏନ୍‌ସାଇକ୍ଲୋପିଡ଼ିଆ ରଚନା କରିବାକୁ ତାଙ୍କ ଭିତରେ ଗୋଟିଏ ପ୍ରକାର ପ୍ରେରଣା ସୃଷ୍ଟିହେଲା । ଭାରତଛାଡ଼ ଆନ୍ଦୋଳନରେ ବ୍ରହ୍ମପୁର ଜେଲରେ ବନ୍ଦୀ ଜୀବନ କଟାଉଥିଲା ବେଳେ ସେ ସ୍ଥିର କରିଦେଲେ ଯେ ଓଡ଼ିଆ ଭାଷାରେ ଗୋଟିଏ ସୁଖପାଠ୍ୟ ବିଶ୍ୱକୋଷ ରଚନା କରି ଆମ ଭାଷାକୁ ବିକାଶର ପଥରେ ଚଲାଇ ନେବେ । ‘ଜ୍ଞାନମଣ୍ଡଳ’ର ପରିକଳ୍ପନା ଜନ୍ମ ନେଲାବେଳେ ତାଙ୍କ ଆଖିଆଗରେ ଥିଲା ଦୁଇଟି ଚିତ୍ର ବା ଉଦ୍ଦେଶ୍ୟ । ଗୋଟିଏ ହେଲା, ମାନବ ଜ୍ଞାନର ସବୁ ବିରାଗ ବିଷୟରେ ଓଡ଼ିଆ ଭାଷାଭାଷୀ ଲୋକଙ୍କୁ ଗୋଟାଏ ମୋଟାମୋଟି ଧାରଣା ଦେବା । ଅନ୍ୟ ଭାବରେ କହିବାକୁ ଗଲେ, ଜଣେ ଯଦି କେବଳ ଓଡ଼ିଆ ପଢିଛି, ତାହାର ମଧ୍ୟ ଅଧିକାର ଅଛି ସବୁ ବିଷୟରେ ଜାଣିବା ପାଇଁ । ଦ୍ୱିତୀୟଟି ହେଲା, ଓଡ଼ିଆ ଭାଷା ମାଧ୍ୟମରେ ସବୁ କିଛି ପ୍ରକାଶ କରିହେବ, ସବୁ ବିଷୟରେ ଲେଖିହେବ । ବିଜ୍ଞାନର ଜଟିଳ ବିଷୟ ବା ତତ୍ତ୍ୱଗୁଡ଼ିକୁ ଓଡ଼ିଆରେ ବୁଝାଇ ହେବ ନାହିଁ- ତେଣୁ ଇଂରାଜୀ ଭାଷା ସମସ୍ତକୁ ଶିଖିବାକୁ ପଡ଼ିବ- ଏହା ଠିକ୍‌ ନୁହେଁ ବୋଲି ବିନୋଦ କାନୁନ୍‌ଗୋ ଜୋର ଦେଇ କହିବାକୁ ଲାଗିଲେ।

 

ନିଜ ଭାଷାକୁ ବଡ଼ କରି କହିବାର ମାନସିକତା ଓଡ଼ିଆମାନଙ୍କ ଭିତରେ ନାହଁ ବୋଲି ଅନୁଭବ କରି ବିନୋଦବାବୁ ଲେଖିଥିଲେ- ବ୍ୟକ୍ତି ହେଉ ବା ଜାତି ହେଉ, ଯଦି ଅଳ୍ପକେ ସନ୍ତୁଷ୍ଟ ହୋଇ ରହିଗଲା ତେବେ ତାହାର ବିକାଶ ବା ପ୍ରଗତିର ପଥ ରୁଦ୍ଧ ହୋଇଗଲା । ସେ ଗୋଟାଏ କ୍ଷୁଦ୍ର ଗଣ୍ଡ ଭିତରେ ନିଜକୁ ସୀମିତକରି ରଖିଦେଇ ମନକୁ ବୁଝାଇ ଦେଲା ଯେ ମୋତେ ଯେତିକି ସ୍ଥାନ ମିଳିଛି ତାହା ମୋ ପାଇଁ ଯଥେଷ୍ଟ । ଯେତିକି ସୁଯୋଗ ବା ସମ୍ବଳର ମୁଁ ଅଧିକାରୀ ହେଲିଣି ତାହାଠାରୁ ଅଧିକ ମୋର ଲୋଡ଼ା ନାହଁ । ଏହି ଅବସ୍ଥାକୁ କୁହାଯାଏ ‘‘କ୍ଷୁଦ୍ରତାର ଅଭିଶାପ’’ । ସେହି ଅଭିଶାପରୁ ମୁକ୍ତି ପାଇଁ ଯେଉଁ ଉଦ୍ୟମ ହେବ ସେଥିରେ ସାମିଲ ପାଇଁ ମୁଁ ପ୍ରସ୍ତୁତ ।

 

ଓଡ଼ିଆ ଭାଷାରେ ଜ୍ଞାନବିଜ୍ଞାନର ସବୁ କଥା ଲେଖିବା ପାଇଁ ଯେଉଁ ସର୍ବନିମ୍ନ ସାମର୍ଥ୍ୟ ଲୋଡ଼ା ତାହା ଆମ ଭାଷାରେ ନାହିଁ- ଯେଉଁମାନେ ଏଭଳି କହୁଛନ୍ତି ସେମାନଙ୍କୁ କାର୍ଯ୍ୟରେ- କଥାରେ ନୁହେଁ ଉତ୍ତର ଦେବାକୁ ହେବ ଯେ ଓଡ଼ିଆ ଗୋଟିଏ ସମର୍ଥ ଭାଷା ଓ ସେଥିରେ ସବୁ ଭାବ ପ୍ରକାଶ କରି ହେବ । ସେଭଳି କରାଯାଇପାରିବ, ଯଦି ଗୋଟିଏ ସେଟ୍‌ ଏନ୍‌ସାଇକ୍ଲୋପିଡ଼ିଆ ଓଡ଼ିଆ ଭାଷାରେ ଲେଖିଦିଆଯାଇପାରେ, କାରଣ ଏଭଳି ଗୋଟିଏ ବହି ସେଟ୍‌ରେ ବିଜ୍ଞାନର ସବୁ ବିଷୟ ନିଶ୍ଚୟ ରହିବ । ଏହି ଭାବନାକୁ ଆଉ ଟିକିଏ ସ୍ପଷ୍ଟ କରି ବିନୋଦ କହୁଥିଲେ- ଯେଉଁ ମୁହୂର୍ତ୍ତରେ ଆମେ ସ୍ଵୀକାର କରିଯିବା ଯେ ପଦାର୍ଥବିଦ୍ୟା, ରସାୟନବିଦ୍ୟା ଚିକିତ୍ସାବିଦ୍ୟାର ପରିଚୟ ଦେବା ପାଇଁ ଓଡ଼ିଆ ଭାଷା ସମର୍ଥ ନୁହେଁ-ସେହି ମୁହୂର୍ତ୍ତରେ ଆମେ ସ୍ଵୀକାର କରିଗଲୁ ଯେ ଓଡ଼ିଆ ଗୋଟିଏ ଭାଷା ନୁହେଁ । ଅଥଚ ଆମେ ସମସ୍ତେ ଜାଣୁ, ଓଡ଼ିଆ ଗୋଟିଏ ଉନ୍ନତ ଭାଷା ଓ ସବୁ ଜ୍ଞାନର ପରିଚୟ ଦେବା ପାଇଁ ତାହା ସଂପୂର୍ଣ୍ଣ ଭାବରେ ସମର୍ଥ ।

 

ସାଧାରଣ ପାଠକ ବୁଝି ପାରିଲା ଭଳି ଓଡ଼ିଆ ଭାଷାରେ ଗୋଟିଏ ସେଟ୍‌ ଜ୍ଞାନକୋଷ ପ୍ରସ୍ତୁତ ହୋଇପାରିଲେ ମାନବ ଜ୍ଞାନର ସବୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହିତ ଆମକୁ ପରିଚିତ ହେବାର ସୁଯୋଗ ମିଳିବ ବୋଲି ଚିନ୍ତା କରି ବିନୋଦବାବୁ ଜ୍ଞାନମଣ୍ଡଳ ଭଳି ଏକ ବିରାଟ ପରିକଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ ଲାଗିପଡ଼ିଲେ । ତାଙ୍କରି ଭାଷାରେ କହିବାକୁ ଗଲେ- ଆମେ ଓଡ଼ିଆ, ଆମର ଗୋଟିଏ ଉନ୍ନତ ଭାଷା ଅଛି । ଦୁନିଆର ଚାରିଆଡ଼େ ଏଭଳି ପୁସ୍ତକ (ଏନ୍‌ସାଇକ୍ଲୋପିଡିଆ) ପ୍ରକାଶ ପାଉଥିବାବେଳେ ଆମେ କ’ଣ ସେଭଳି କରିପାରିବା ନାହିଁ ? ଆମ ଭାଷା କ’ଣ ପଛରେ ପଡ଼ିରହିବ ? ଏହି ପ୍ରଶ୍ନ ଯେତେବେଳେ ମୋ ମନ ଭିତରେ ଉଠିଛି, ମୁଁ ବ୍ୟଥିତ ହୋଇ ପଡ଼ିଛି । ବିଜ୍ଞାନର ଏ ଯୁଗରେ ଅସମ୍ଭବ କ’ଣ ? ମନୁଷ୍ୟ ଯେତେବେଳେ ଯାଇ ଚନ୍ଦ୍ରରେ ପହଞ୍ଚିଯାଉଛି, ଆମ ଓଡ଼ିଶାର ସେହି ମନୁଷ୍ୟ କ’ଣ । ଏହି ‘‘ସାମାନ୍ୟ’’ କାର୍ଯ୍ୟଟି କରି ପାରିବ ନାହିଁ ।

 

ଓଡ଼ିଆ ଭାଷାର ବିକାଶ କିପରି ପନ୍ଥାରେ ହେବା ଉଚିତ ସେ ସଂପର୍କରେ ବିନୋଦବାବୁଙ୍କ ଚିନ୍ତାଥିଲା ମୌଳିକ । ସବୁ ଉଦ୍ଭାବନ, ସବୁ କୃତୀ ଗୋଟାଏ ପଟେ ଓ ଭାଷା ଗୋଟିଏ ପଟେ ବୋଲି ଯାହା କୁହାଯାଉଛି ତାହାର ଅର୍ଥ ହେଲା- ଭାଷା ଯେ ନିଜର ମନର କଥାକୁ ଅନ୍ୟକୁ କହିବା ପାଇଁ ମନୁଷ୍ୟକୁ ସାମର୍ଥ୍ୟ ଦେଲା ତାହା ନୁହେଁ, ତାହାରି ଜରିଆରେ ସଂସ୍କୃତିର ବିକାଶ ଘଟିଲା । ଅମା ଭାଷାକୁ ଯଦି ଉନ୍ନତ ବା ସମୃଦ୍ଧ ନକରାଯାଏ, ଅର୍ଥାତ୍‌ ଆଧୁନିକ ଜଗତର ସମସ୍ତ ଚିନ୍ତା, ଭାବନା, ଜ୍ଞାନକୁ ନିଜ ଗର୍ଭରେ ସ୍ଥାନ ଦେବାପାଇଁ ସମର୍ଥ ନ କରାଯାଏ, ତେବେ ଆମେ ପଛରେ ପଡ଼ିଯିବା । ଏ ଯୁଗରେ ଆମେ କ’ଣ ଭାବୁଛୁ, ଭବିଷ୍ୟତରେ କି ସ୍ଵପ୍ନ ଦେଖିବୁ, ତାହା ଭବିଷ୍ୟତ ବଂଶଧାରମାନଙ୍କ ପାଇଁ ସାଇତି ଦିଆଯାଇପାରିବ ନାହଁ ।

 

ଭାଷାକୁ ଭାବପ୍ରକାଶର ଶକ୍ତିଶାଳୀ ମାଧ୍ୟମ ଭାବରେ ଗଢ଼ିତୋଳିବାର ପ୍ରକ୍ରିୟାକୁ ଆଗେଇନେବା ଅବସରରେ ବିନୋଦ କାନୁନ୍‌ଗୋ କେତେଗୁଡ଼ିଏ ମହତ୍ୱପୂର୍ଣ୍ଣ ପ୍ରଶ୍ନ ନିଜେ ନିଜକୁ ପଚାରିଥିଲେ ଓ ନିଜେ ମଧ୍ୟ ତାହାର ଉତ୍ତର ଦେବା ପାଇଁ ଉଦ୍ୟମ କରିଥିଲେ । ସେଥିଭିତରୁ କେତୋଟି ହେଲା - (୧) ଆମେ ଯେଉଁ ଭାଷାରେ କଥା କହୁଛୁ, ଭାବକୁ ପ୍ରକାଶ କରିବାକୁ ଉଦ୍ୟମ କରୁଛୁ ତାହା ଯଦି ଦରିଦ୍ର, ଦୁର୍ବଳ ହୋଇଯାଏ ତେବେ ଆମେ ଆମର ଚିନ୍ତା, ଭାବନାକୁ ଠିକ୍‌ ଭାବରେ ପ୍ରକାଶ କରି ପାରିବୁତ ? (୨) ସୁଯୋଗ ଅଭାବରୁ, ଯତ୍ନର ଅଭାବରୁ ଅବହେଳାରୁ ଓଡ଼ିଆ ଭାଷା ସେ ସବୁ ଜ୍ଞାନକୁ ନିଜର ଗର୍ଭରେ ସାଇତି ରଖିବା ସୁଯୋଗରୁ ବଞ୍ଚିତ ହୋଇଛି । ଅଳ୍ପ ଉଦ୍ୟମ କଲେ, ମାତ୍ର କେତେଟା ବର୍ଷ ପରିଶ୍ରମ କରି ଏହି ପ୍ରକ୍ରିୟାକୁ କଣ ବଦଳାଇ ଦେଇ ପାରିବା ନାହିଁ ? (୩) ମାତ୍ର ଊନବିଂଶ ଶତାବ୍ଦୀରେ ପୂର୍ଣ୍ଣ ରୂପ ପାଇଥିବା ଗୋଟିଏ ଭାଷା ଯଦି ସଭ୍ୟତା ତଥା ସଂସ୍କୃତିର ଅସଲ ତତ୍ତ୍ୱ, ଚିନ୍ତାଭାବନାକୁ ନିଜ କୋଳରେ ଏଭଳି ଭାବରେ ବଢ଼ାଇଲା ଯେ ସେହି ଭାଷାରେ ଲିଖିତ ସାହିତ୍ୟ ପାଇଁ ଜଣେ ନୋବେଲ ପୁରସ୍କାର ପାଇଗଲେ, ଏହାଠାରୁ ଢେର ପୁରୁଣା ଓ ସମୃଦ୍ଧ ଓଡ଼ିଆ ଭାଷା କ୍ଷେତ୍ରରେ ଏହା କାହିଁକି ହେବ ନାହିଁ ? ଯେଉଁମାନଙ୍କର କେବଳ କଲମ ହିଁ ଅଛି ସେମାନଙ୍କର ମଧ୍ୟ ଏ ଦିଗରେ ଗୁରୁଦାୟିତ୍ଵ ରହିବ ଓ ଗୋଟିଏ ବିରାଟ ପରିବର୍ତ୍ତନ ଭିତରେ ରହିବା ପାଇଁ ସ୍ଵତନ୍ତ୍ର ଧରଣର ମାନସିକ ପ୍ରସ୍ତୁତି ଲୋଡ଼ା । ସେହି ପ୍ରସ୍ତୁତି ଆଣିବା ପାଇଁ ‘ଏବେଠାରୁ ଉଦ୍ୟମ ନକଲେ ପରେ ଅନୁତାପ କରିବାକୁ ପଡ଼ିବ, ବୋଲି କହିଥିବା ମହାନ ସାହିତ୍ୟ ସାଧକ ବିନୋଦ କାନୁନ୍‌ଗୋଙ୍କ ଜନ୍ମଶତବାର୍ଷିକୀ ପାଳନ କରିବା ଅବସରରେ ସେ ଉଠାଇଥିବା ପ୍ରଶ୍ନକୁ ପ୍ରତ୍ୟେକ ଭାଷାପ୍ରେମୀ ଓଡ଼ିଆ ନିଜକୁ ନିଜେ ପଚାରିବା ଉଚିତ’ ।

 

ଓଡ଼ିଆ ଭାଷାକୁ ଭାବପ୍ରକାଶର ଶକ୍ତିଶାଳୀ ମାଧ୍ୟମ ରୂପେ ଗଢ଼ିତୋଳିବାକୁ ବିନୋଦ କାନୁନ୍‌ଗୋଙ୍କର ଜୀବନବ୍ୟାପୀ ସାଧନାର ସ୍ଵୀକୃତି ତାଙ୍କ ଜୀବଦ୍ଦଶାରେ ତ ମିଳିଥିଲା, ତାଙ୍କ ଅବର୍ତ୍ତମାନରେ ମଧ୍ୟ ସ୍ଵୀକୃତିର ସ୍ରୋତ ନିରନ୍ତର ଭାବରେ ଆଗେଇ ଚାଲିଲା । ଓଡ଼ିଶାର ପ୍ରମୁଖ ଦୈନିକ ‘ସମାଜ’ ତାହାର ସଂପାଦକୀୟରେ ଲେଖିଥିଲା- ‘‘ବିଶ୍ଵକୋଷ ସଂକଳନ କ୍ଷେତ୍ରରେ ତଥା ଆପଣା ଭାଷା ଓ ସଂସ୍କୃତିର ବଡ଼ପଣକୁ ଦେଖାଇଦେବା କ୍ଷେତ୍ରରେ ସମସାମୟିକ ଭାରତୀୟ ସାହିତ୍ୟର ଅନ୍ୟତମ ମହାରଥୀ ଭାରତୀୟ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ କନ୍ନଡ଼ ଲେଖକ ମନସ୍ୱୀ ଶିବରାମ କରନ୍ଥଙ୍କ ସହିତ ବିନୋଦ କାନୁନ୍‌ଗୋଙ୍କୁ ତୁଳନା କରାଯାଇପାରେ । ପ୍ରଚଳିତ ଶିକ୍ଷାରେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇ ମଧ୍ୟ ଉଭୟେ ଏକକ ପ୍ରୟାସ ଜରିଆରେ ଅସମ୍ଭବକୁ ସମ୍ଭବ କରିଛନ୍ତି । ଓଡ଼ିଶା ଯୁଗେ ଯୁଗେ ସାରସ୍ଵତ ସାଧନା କ୍ଷେତ୍ରରେ ନିଜସ୍ଵ ପ୍ରତିଭାର ପରିଚୟ ଦେଇଛି । ଭାରତୀୟ ବାଙ୍ମୟର ଅପ୍ରତିଦ୍ୱନ୍ଦୀ ସମ୍ରାଟ ବିଶ୍ୱନାଥ କବିରାଜ, ଓଡ଼ିଶାର ବରପୁତ୍ର ‘ଗୀତଗୋବିନ୍ଦ’ର ଲଳିତ ପଦାବଳୀର ରଚୟିତା କବି ଜୟଦେବକୁ କିଏ ନ ଜାଣେ ? ଚିରସ୍ମରଣୀୟ ସନ୍ଥ ଆଚାର୍ଯ୍ୟ ସ୍ଵାମୀତ ଏଇ ଓଡ଼ିଶାର ଏକ ପୁଣ୍ୟ ପୀଠରେ ବସି ବ୍ୟାସକୃତ ଶ୍ରୀମ୍‌ଭାଗବତର ବିଶ୍ଵବିଶ୍ରୁତ ଭାଷ୍ୟ ପ୍ରଣୟନ କରିଥିଲେ । ନୃତତ୍ତ୍ୱବିଶାରଦ ଜେ.ଭି.ଏର୍‌ ଏଲିୱନ୍‌, ବିଜ୍ଞାନୀ ଜେ.ବି.ଏସ୍‌ ହାଲ୍‌ଡ଼େନ୍‌ଙ୍କ ଭଳି ବିଂଶଶତାବ୍ଦୀର ଯଶସ୍ଵୀ ଚିନ୍ତାନାୟକମାନଙ୍କର କର୍ମଭୂମି ତ ଥିଲା ଓଡ଼ିଶା । ତା’ ଛଡ଼ା ଓଡ଼ିଶାରେ ନଥିଲା କଣ ? ଶିଳ୍ପ ଭାସ୍କର୍ଯ୍ୟର ଚରମ ନିଦର୍ଶନ କୋଣାର୍କ ତ ପୁଣି ଏଇ ମାଟିରେ ଏବେ ଠିଆ ହୋଇଛି । କିନ୍ତୁ ଅତୀତର ସେହି ଉଦଗ୍ର ଜ୍ଞାନ ପିପାସା ସମ୍ଭବତଃ ଆମ୍ଭମାନଙ୍କ ମଧ୍ୟରୁ ଉଭେଇ ଆସୁଥିଲା । ମିଞ୍ଜି ମିଞ୍ଜି ଜଳୁଥିବା ଜ୍ଞାନର ସେହି ଡିବିରିଟିକୁ ବିଜ୍ଞାନ ବିନୋଦୀ ବିନୋଦ କାନୁନ୍‌ଗୋ ପୁଣିଥରେ ଚେତେଇ ଦେଇଛନ୍ତି । ଆଶା କରୁଛୁ, ଏ ଦୀପ ଆଉ ଲିଭିଯବ ନାହୁଁ । କୋଟି କୋଟି ଅଜ୍ଞାନ ନେତ୍ରରେ ସେ ଦେବେ ଜ୍ଞାନର ଅଞ୍ଜନ ।

 

ଭାଷା ଗୋଟାଏ ଜାତିକୁ ନିଗୁଢ଼ ବନ୍ଧନରେ ବାନ୍ଧିଦିଏ । ତା’ର ଐକ୍ୟର ଭିତ୍ତି ରଚନା କରେ । ବିଜ୍ଞାନ ସେହିପରି ବାନ୍ଧିଦିଏ ସାରା ବିଶ୍ଵକୁ । ଗଢ଼ିଚାଲେ ବିଶ୍ଵମାନବର ଐକ୍ୟର ଅତୁଟ ଭିତ୍ତି । ତାହାହିଁ ଆଜି ମାନବଜାତିକୁ ପ୍ରତିଦିନ ପରସ୍ପର ନିକଟବର୍ତ୍ତୀ କରିବାରେ ଲାଗିଛି । ପ୍ରସିଦ୍ଧ ଲେଖକ ଓ ସାମ୍ୟବାଦୀ ଚିନ୍ତକ ଗୁରୁଚରଣ ପଟ୍ଟନାୟକଙ୍କ ଭାଷାରେ- ‘‘ସାରଳା ଦାସଙ୍କ ଭଳି ବିନୋଦବାବୁଙ୍କ ସୃଷ୍ଟି କଳେବର କେବଳ ବିରାଟ ନୁହେଁ, ସେହିପରି ତାତ୍ପର୍ଯ୍ୟପୂର୍ଣ୍ଣ । ସାରଳା ଦାସ ଓଡ଼ିଆ ଜାତିର ପ୍ରାଣକୁ ଉଦ୍‌ବୁଦ୍ଧ, ଐକ୍ୟବଦ୍ଧ କଲାଭଳି ବିନୋଦବାବୁ ଓଡ଼ିଆ ଜାତିର ଜୀବନକୁ ବିଶ୍ୱମାନବର ଜୀବନ ସହିତ ଐକ୍ୟବଦ୍ଧ କରିବାରେ ଅଗ୍ରସର ହେବାରେ ତାର ଉତ୍‌କର୍ଷତାର ପଥ ଦେଖିଛନ୍ତି । ଅତୁଟ ତାର ଶକ୍ତି ଓ ଅପରିହାର୍ଯ୍ୟ ତାର ଗତି । ଯେ ନିଜର ଜୀବନ ଦ୍ଵାରା ଆମର ଜାତୀୟ ଜୀବନ ଭିତରେ ଭବିଷ୍ୟତର ବୀଜ ରୋପି ଦେଇପାରେ, ଓଡ଼ିଆ ଜାତି ଜିଇଁଥିବାଯାଏ ତା’ର ମୃତ୍ୟୁ ନାହିଁ-ଯେହେତୁ ତା’ର ବିକାଶ ବିନା ନିଜର ଅଗ୍ରଗତି ନାହିଁ ।’’

 

ବିଜ୍ଞାନକୁ ସାଧାରଣ ମଣିଷଙ୍କ ଭିତରେ ସାବଲୀଳ ଢଙ୍ଗରେ ବାଣ୍ଟିବାର ଯେଉଁ ଅପୂର୍ବ ଦକ୍ଷତା ବିନୋଦ କାନୁନ୍‌ଗୋ ହାସଲ କରିଗଲେ ତାହାର ମଧ୍ୟ ବିଭିନ୍ନ ଦିଗରୁ ଆଲୋଚନା ହୋଇଛି-। ପ୍ରସିଦ୍ଧ ଉଦ୍‌ଭିଦ ବିଜ୍ଞାନୀ ଓ ଲେଖକ ଡକ୍ଟର ବିଦ୍ୟାଧର ପାଢ଼ୀଙ୍କ ଭାଷାରେ- ବିଜ୍ଞାନର ଆଚାର, ବିଚାର, ଶୃଙ୍ଖଳା ଓ ଭାଷା ସବୁ ସ୍ୱତନ୍ତ୍ର । ତେଣୁ ସହଜରେ ସମସ୍ତେ ସେହି ବିଜ୍ଞାନ ସଂସାର ସୀମା ଭିତରେ ପ୍ରବେଶ କରିପାରନ୍ତି ନାହିଁ । ମାତ୍ର ଅପର ପକ୍ଷରେ, ବିଜ୍ଞାନର ଅନେକ ପାଦ ଓ ସେହି ପାଦକୁ ବଢ଼େଇ ବଢ଼େଇ ଅନେକ ପାଦ କ୍ଷେପି ହୁଏ । ତେଣୁ ବିଜ୍ଞାନ ଜଗତ ଭିତରେ ପଶି ତାର ଅଗ୍ରଗତି ସହିତ ମେଳ ରଖିପାରିବା ଅତ୍ୟନ୍ତ ଅସମ୍ଭବ କଥା । ସେହି ଅସମ୍ଭବକୁ ସମ୍ଭବ କରିଥିଲେ ବଡ଼ଭାଇ (ବିନୋଦ) ଜ୍ଞାନମଣ୍ଡଳ ପରିସର ଭିତରେ । ଜ୍ଞାନମଣ୍ଡଳରେ ‘ଅଙ୍କ’, ‘ଅଣୁ’, ‘ଅଣ୍ଡା’, ‘ଅଗ୍ନିମାନ୍ଦ୍ୟ’, ‘ଅଟୋମେଶନ’ ଆଦି ଶହ ଶହ ବିଷୟ ଉପରେ ବିନୋଦ ଆଲୋଚନା କରିଯାଇଛନ୍ତି-। ଗୋଟିଏ ଭିତରେ ଅନେକ ଭାବ ଜଡ଼ିତ ହୋଇଯାଇଛି । ହେଲେ ସୁନ୍ଦର, ମଞ୍ଜୁଳ ଭାବେ ଖଞ୍ଜାଯାଇଛି । ସହଜ ଭାବରେ ମନଟଣା ଭାଷାରେ ସବୁ ବୁଝେଇ ଦିଆଯାଇଛି । ଏକବାର ଚମତ୍କାର ହୋଇଛି ।

 

ଓଡ଼ିଆ ବିଜ୍ଞାନ ସାହିତ୍ୟକୁ ବିନୋଦ କାନୁନ୍‌ଗୋଙ୍କର ଅବଦାନକୁ ସ୍ମରଣ କରି ବିଶିଷ୍ଟ ବିଜ୍ଞାନ ଲେଖକ ଓ ପଦାର୍ଥବିଦ୍ୟାବିଦ୍‌ ପ୍ରଫେସର କୁଳମଣି ସାମଲ ଲେଖିଛନ୍ତି- ‘‘ବିନୋଦ କାନୁନ୍‌ଗୋଙ୍କ ୩୬୫ ଦିନ ସିରିଜର ପ୍ରଥମ କେତେ ଖଣ୍ଡ ପୁସ୍ତକ ‘‘ତିନି ଖଣ୍ଡ କାଉଁରି ହାଡ଼’’, ‘‘ଚଳନ୍ତା ରାଇଜର ଅମୁହାଁ ନଈ’’, ‘‘ଜୀବନ ତିଆରି କାରଖାନା’’, ‘‘ମିଠାଇ ଦେହରେ ଲାଗିଲା ଡେଣା’’, ‘‘ଏଣିକିତୁ ଦୁନିଆ ଜିତିବୁ’’, ‘‘ଡାକିଲେ ଜବାବ ଦିଅନ୍ତାକି !’’, ‘‘ଅଳ୍ପକେ କଳି ତୁଟିଗଲା’’, ଆଦି କେବଳ ବିଜ୍ଞାନ ବିଷୟକ ଲେଖା । ରାଜରାଣୀଙ୍କ କାହାଣୀଠାରୁ ଏ ପାଠ ଅଧିକ ସରସ ଓ ଜୀବନ୍ତ । ବିଜ୍ଞାନକୁ ଆପଣାର କରି ସେ ସାହିତ୍ୟର ସୀମା ଲମ୍ବାଇଦେଲେ । ଲୋକଙ୍କ ପାଇଁ ବିଜ୍ଞାନ କିପରି ଲେଖିବାକୁ ହେବ ସେ ବିଜ୍ଞାନ ଲେଖକଙ୍କୁ ବାଟ ବତାଇଲେ । କି ସରଳ କଥାକୁହା ଭାଷା, ସହଜ ଢଙ୍ଗ ! ମନରେ ଭାବନାର ଢେଉ ଖେଳିଲେ କଲମରୁ ଲେଖା ଝରୁଥିଲା । ତାଙ୍କ ବହିଗୁଡ଼ିକର ସରଳ ଭାଷା, ସହଜ ଶୈଳୀ ଓ ମନା ଭୁଲାଣିଆ ନାଁ ପୂରାପୂରି ତାଙ୍କ କଲମର କାରିଗରୀ । ସେ ସାହିତ୍ୟର ସଜ୍ଞା ବଦଳାଇ ଯାବତୀୟ ଜ୍ଞାନ ବିଜ୍ଞାନକୁ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ ଆହ୍ୱାବାନ କରିଗଲେ । ଭାଷାକୁ ଜୀବନ୍ତ ଓ ଯୁଗୋପଯୋଗୀ କରିବାକୁ ହେଲେ ଏ ଆହ୍ୱାନକୁ ଆମେ ଉପେକ୍ଷା କରିପାରିବା ନାହିଁ । ଶ୍ରୀ ବିଜୁ ପଟ୍ଟନାୟକ ତାଙ୍କ ସ୍ମୃତିଚାରଣ କରି ଯଥାର୍ଥରେ କାମନା କରିଛନ୍ତି, ‘‘ବିନୋଦର ଜ୍ଞାନମଣ୍ଡଳ ଜ୍ଞାନମନ୍ଦିର ହେଉ’’ । ଏ ଜ୍ଞାନ ମନ୍ଦିରରେ ଦେବତା ସଂରକ୍ଷିତ ହୋଇ କେବଳ ସହରରେ ପୂଜା ନ ପାଉ । ଓଡ଼ିଆ ଭାଗବତ ପରି ଜ୍ଞାନମଣ୍ଡଳ ପ୍ରତି ଗାଁରେ ପଢ଼ାହେଉ ।

 

ବିନୋଦ କାନୁନ୍‌ଗୋଙ୍କ ଲେଖାର ଶୈଳୀକୁ ଅନନ୍ୟ ସାଧାରଣ ବୋଲି ବର୍ଣ୍ଣନା କରି ପ୍ରସିଦ୍ଧ ଲେଖକ ଓ ବିଜ୍ଞାନକୁ ଲୋକପ୍ରିୟ କରିବା ଦିଗରେ ଆଗୁଆ ହୋଇ ବାହାରିଥିବା ଡକ୍ଟର ଗୋକୁଳାନନ୍ଦ ମହାପାତ୍ର କହିଛନ୍ତି- ଭାରତର ରାମାନୁଜନ୍‌, ଜର୍ମାନୀର ଆଇନ୍‌ଷ୍ଟାଇନ୍‌ କିରାଣୀ ଭାବରେ ଜୀବନ ଆରମ୍ଭ କରି ସ୍ଵ କ୍ଷେତ୍ରରେ ପୃଥିବୀର ବଡ଼ ବଡ଼ ବୈଜ୍ଞାନିକ ଭାବରେ ଜଣେ ଜଣେ ହୋଇପାରିଥିଲେ । ସେମାନେ ନିଜେ ଯଥୋଚିତ ବିଜ୍ଞାନ ଶିକ୍ଷା ନ ପାଇ ସାରା ବିଶ୍ୱପାଇଁ ବିଜ୍ଞାନର ଆଲୋକବର୍ତ୍ତିକା ଜାଳିଦେଇଗଲେ ଯାହା ଯୁଗ ଯୁଗ ଧରି ସାରା ମାନବ ଜାତିକୁ ଆଲୋକ ଦେଖାଉଥିବ । ସେହି ଭଳି ଏକ ଯୋଗଜନ୍ମା ହେଲେ ବିନୋଦ କାନୁନ୍‌ଗୋ । ସେ ବୈଜ୍ଞାନିକ ନଥିଲେ ବା ବିଜ୍ଞାନରେ ଉଚ୍ଚଶିକ୍ଷା ପାଇ ନଥିଲେ । ହେଲେ ସେ ଲୋକପ୍ରିୟ ବିଜ୍ଞାନ ସାହିତ୍ୟ ସୃଷ୍ଟିରେ ଯେଉଁ ଅପୂର୍ବ ପରାକାଷ୍ଠା ଦେଖାଇଯାଇଛନ୍ତି, ତାହା ଖାଲି ଓଡ଼ିଶାରେ ନୁହେଁ, ସାରା ପୃଥିବୀରେ ବିରଳ । ସେ ବିଜ୍ଞାନର ଜଟିଳ ତଥ୍ୟକୁ ପିଲାମାନେ ବୁଝିପାରିବା ଭଳି ଭାଷା ଓ ଢଙ୍ଗରେ ଯେପରି ପରିବେଷଣ କରିପାରନ୍ତି, ତାହା ଅନ୍ୟ କାହାରି ପକ୍ଷରେ ସମ୍ଭବପର ନୁହେଁ । ତାଙ୍କ ଲେଖାର ଶୈଳୀ ଅନନ୍ୟସାଧାରଣ । ଆମ ଓଡ଼ିଆ ଭାଷାରେ ଭାବପ୍ରକାଶରେ ସେ ବହୁ । ବୈଜ୍ଞାନିକଙ୍କ ଠାରୁ ଢେର ଆଗରେ ।

 

ମାତୃଭାଷାର ଗୁରୁତ୍ଵ

ଗୋଟିଏ ଜାତିର ଶିକ୍ଷା ସଂସ୍କୃତି ତଥା ଚିନ୍ତାଧାରାକୁ ମାତୃଭାଷା କିପରି ବଦଳାଇଦେଇପାରେ ସେ ସଂପର୍କରେ ବିନୋଦ କାନୁନ୍‌ଗୋ ବେଶ୍‌ ସଚେତନ ଥିଲେ । ତେଣୁ ସେ କହିଲେ, ଭାଷା ସଂକ୍ରାନ୍ତୀୟ ଆଲୋଚନାରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଦିଗ ବା ପ୍ରଶ୍ନ ହେଉଛି ମାତୃଭାଷା । ଶିଶୁଟିର ପାଟି ଫିଟେ ମାତୃଭାଷା ମାଧ୍ୟମରେ । ମା’, ବାପା, ଭାଇ, ଭଉଣୀ କେମିତି କ’ଣ କଥାବାର୍ତ୍ତା କରୁଛନ୍ତି ତାକୁ ଲକ୍ଷ୍ୟ କରି ଶିଶୁଟି ଗୋଟିଏ ଗୋଟିଏ ଶବ୍ଦ ଉଚ୍ଚାରଣ କରେ । ସେହି ଶବ୍ଦଟି ସମୟେ ସମୟେ ଅପୂର୍ଣ୍ଣ ବୋଲି ଜଣା ପଡ଼ୁଥିଲେ ମଧ୍ୟ ସମସ୍ତଙ୍କୁ ଭଲ ଶୁଣାଯାଏ । ପିଲାଟିର ବୁଦ୍ଧିର ବିକାଶରେ ସହାୟତା କରେ ମାତୃଭାଷା । ସେହି ଭାଷା ବ୍ୟତୀତ ଅନ୍ୟ ଯେ କୌଣସି ଭାଷାରେ ଯେତେ ସୁନ୍ଦର ଭାବରେ କହିଲେ ମଧ୍ୟ ତା’ ଉପରେ ସେ ପ୍ରଭାବ ପଡ଼େ ନାହିଁ-। ଭାବ ପ୍ରକାଶର, କଥା କହିବାର ସ୍ଵଚ୍ଛନ୍ଦତା ମାତୃଭାଷା ଭିତରେ ଯେମିତି ରହିଛି ଅନ୍ୟ ଭାଷା ଭିତରେ ସେପରି ନାହିଁ । ସେଇଥିପାଇଁ ଏହାର ସଜ୍ଞା ନିରୂପଣ ବେଳେ ପଣ୍ଡିତମାନେ କହନ୍ତି- ‘‘ଯେଉଁ ଭାଷାରେ କହିଲା ବେଳେ, ଲେଖିଲା ବେଳେ ଜଣେ ଅନୁଭବ କରେ ନାହିଁ ଯେ ସିଏ ଚେଷ୍ଟା କରି, ଉଦ୍ୟମକରି ଏଭଳି କରୁଛି ତାକୁହିଁ କୁହାଯିବ ମାତୃଭାଷା ।

 

ବିନୋଦ ଲେଖିଛନ୍ତି - ଭାରତରେ ଯେଉଁମାନେ ନିଜର ମାତୃଭାଷା ଛାଡ଼ି ଇଂରାଜୀରେ ଲେଖନ୍ତି ସେମାନେ ମଧ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସ୍ଵୀକାର କରିଛନ୍ତି ଯେ ଇଂରାଜୀ ପରିବେଶ, ଐତିହ୍ୟ, ତଥା ମାନସିକ ପ୍ରସ୍ତୁତି ସହିତ ଜଣେ ଯଦି ଅତି ଓତଃପ୍ରୋତଭାବରେ ସଂପୃକ୍ତ ନ ହୋଇ ଯାଇଛି, ସେ କେବେ ହେଲେ ସୃଜନାତ୍ମକ ଇଂରାଜୀ ଲେଖିପାରିବ ନାହିଁ । ଭାରତରେ ଯେଉଁମାନେ ଖୁବ୍‌ ଭଲ ଇଂରାଜୀ ଜାଣନ୍ତି ବୋଲି ପରିଚିତ ହୋଇଛନ୍ତି । ସେମାନଙ୍କ ଭିତରୁ ରାଜଗୋପାଳାଚାରୀ ଓ ମହାତ୍ମା ଗାନ୍ଧୀ ଅନ୍ୟତମ । କିନ୍ତୁ ରାଜଗୋପାଳାଚାରୀ ତାମିଲରେ ଲେଖିଲା ବେଳେ ବା ଗାନ୍ଧୀ ଗୁଜୁରାତୀରେ ଲେଖିଲା ବେଳେ ନିଜକୁ ଅର୍ଥାତ୍‌ ନିଜର ଭିତରଟାକୁ ଯେଭଳି ଭାବରେ ଢାଳି ଦେଇ ପାରିଛନ୍ତି ଇଂରାଜୀରେ ଲେଖିଲା ବେଳେ ସେପରି କରିପାରିନାହାଁନ୍ତି । ରାଜାଜୀ ତାମିଲ ଭାଷାରେ ରାମାୟଣକୁ ଗଦ୍ୟରେ ଲେଖିଦେଲେ । ସେ ତାହାର ଇଂରାଜୀ ଅନୁବାଦ ନିଜେ କଲେ । କିନ୍ତୁ ମୁଖବନ୍ଧରେ ଲେଖିଦେଲେ ଯେ ଇଂରାଜୀ ଗଦ୍ୟ ଲେଖିବାରେ ତାଙ୍କର ଦକ୍ଷତା ଥିଲେ ମଧ୍ୟ ତାମିଲ ରାମାୟଣରେ ଯାହା ଲେଖିଛନ୍ତି ତାକୁ ଇଂରାଜୀରେ ଫୁଟାଇ ପାରିଲେ ନାହିଁ । ରବୀନ୍ଦ୍ରନାଥ ଯଦି ବଙ୍ଗଳାରେ ନ ଲେଖି‌ଥାନ୍ତେ ତାଙ୍କ ‘ଅନ୍ତରର ଧ୍ୟାନ’କୁ ସେ ‘ସଂପୂର୍ଣ୍ଣ ବାଣୀ’ ରୂପ ଦେଇ ପାରି ନଥାନ୍ତେ । ହୁଏତ କେଉଁଠି କେମିତି ବ୍ୟତିକ୍ରମ ଥାଇପାରେ । କିନ୍ତୁ ଏକଥା ଅବଶ୍ୟ ସ୍ୱୀକାର କରିବାକୁ ହେବ ଯେ ପୃଥିବୀର କୌଣସି ଦେଶରେ ବିଶ୍ୱବିଖ୍ୟାତ କବି, ଲେଖକ ଓ ସାହିତ୍ୟକମାନେ ନିଜ ମାତୃଭାଷାରେ ନ ଲେଖି ଅନ୍ୟ ଗୋଟିଏ ଉନ୍ନତ ଭାଷାରେ ଲେଖିବାକୁ ଉଦ୍ୟମ କରିଛନ୍ତି ଓ ସଫଳ ହୋଇଛନ୍ତି - ଏଭଳି କେବେ ହୋଇ ନାହିଁ । ସମସ୍ତଙ୍କର ଅନୁଧ୍ୟାନର କଥା- ମାତୃଭାଷା ମାଧ୍ୟମରେ ଗୋଟାଏ କଥା ଶୁଣିଲେ ତାହାର ପ୍ରଭାବ ଆମ ଉପରେ ଯେମିତି ପଡ଼େ ଇଂରାଜୀ ମାଧ୍ୟମରେ ଶୁଣିଲେ ସେଭଳି ପଡ଼ିବ ନାହିଁ । ‘ମୁଁ ଏତେ କରି କହି ଆସିଥିଲି ମଉସା ଆସି ପହଞ୍ଚିଲେଣି, କିନ୍ତୁ ପିଉସାଙ୍କର ଦେଖାନାହିଁ, ମାମୁଁ ତ କହିଥିଲେ ଟିକିଏ ଡେରିରେ ଆସିବାକୁ । ବଡ଼ବାପା ତାଙ୍କୁ ଡାକି ଆଣିବେ । ସାନଦାଦାକୁ କହିଥିଲି କିଏ ଆସିଲେ କିଏ ନ ଆସିଲେ ଦେଖିବାକୁ । - ଏହି କଥାଟିକୁ ଇଂରାଜୀ ଭାଷାରେ ଆଦୌ କହିହେବ ନାହିଁ, କାରଣ ପିଉସା, ମଉସା, ମାମୁଁ, ଜେଠା, କକେଇ ସବୁ ପାଇଁତ ଗୋଟିଏ ଶବ୍ଦ ‘ଅଙ୍କଲ’ । ସେମାନଙ୍କ ସମାଜରେ ଆଉ ପରିବାରର ବନ୍ଧନ ସେଭଳି ଭାବରେ ନ ଥିବାରୁ, ବଡ଼ ବଡ଼ ଏକାନ୍ନବର୍ତ୍ତି ପରିବାର କଳ୍ପନା ମଧ୍ୟ ନଥିବାରୁ ଏତେ ଶବ୍ଦର ଆବଶ୍ୟକତା ଦେଖାଦିଏ ନାହିଁ । ‘ଭୀମବଳ କୋଇନ୍ତାଙ୍କୁ ଜଣା’, ‘ତାହା କଣ୍ଠରେ ସରସ୍ଵତୀ ବିଜେ ହୋଇଛନ୍ତି,’ ‘ତାକୁତ କୁମ୍ଭକର୍ଣ୍ଣ ନିଦ୍ରା ଗ୍ରାସିଛି’ କଥାକୁ ଇଂରାଜୀରେ ଅନୁବାଦ କରିବାକୁ କୁହ । ଖୁବ୍‌ କସ୍‌ରତ କରି କରିଦିଆଗଲା । କାନରେ ଶୁଣ, ଲକ୍ଷ୍ୟ କର ମନ ଭିତରେ କଥାଟା ଲାଖି ଯାଇଛି ନା ନାହିଁ ।

 

‘ଜ୍ଞାନମଣ୍ଡଳ’ର ପ୍ରକାଶିତ ସ୍ଵତନ୍ତ୍ର ପ୍ରବନ୍ଧ ‘ଭାଷା’କୁ ପଢ଼ିଦେଲେ ଜାଣିହୋଇଯିବ, ଭାଷାର ଉତ୍ପତ୍ତି, ବିକାଶ ତଥା ଭୂମିକା ସଂପର୍କରେ ବିନୋଦ କାନୁନ୍‌ଗୋ କେତେ ଗଭୀର ଭାବରେ ଅନୁଧ୍ୟାନ କରିଥିଲେ । ତାଙ୍କ ମତରେ ଭାଷାର ସମସ୍ତେ ସ୍ଵୀକାର କରି ଯାଇଥି‌ବା ସଜ୍ଞା ହେଲା- ମନୁଷ୍ୟ ଯାହା କିଛି ଚିନ୍ତା କରୁଛି, ଯାହା ସବୁ କରୁଛି, ଯାହା ସବୁ ଦେଖିଛି, ସେସବୁକୁ ସ୍ୱଚ୍ଛନ୍ଦ ଭାବରେ, ସହଜ ଭାବରେ ପ୍ରକାଶ କରିଦେବାର ମାଧ୍ୟମ । ସେହି ସାମର୍ଥ୍ୟ ଯଦି ନାହିଁ ତାହା ଭାଷା ପଦବାଚ୍ୟ ହୋଇପାରିବ ନାହଁ, ଅଳ୍ପ ସାମର୍ଥ୍ୟ ଥିବା କଥିତ ମାଧ୍ୟମକୁ ଅର୍ଦ୍ଧ ଭାଷା, ଅସମର୍ଥ ଭାଷା ବା ଉପଭାଷା ବୋଲି କୁହାଯାଇପାରେ । ସେଇଥିପାଇଁ ସମଗ୍ର ପୃଥିବୀରେ ପ୍ରଚଳିତ ଚାରିପାଞ୍ଚ ହଜାର ‘‘କଥିତ ମାଧ୍ୟମ’’ ଭିତରୁ ମାତ୍ର ପ୍ରାୟ ଦୁଇଶହ ଗୋଟିକୁ ଭାଷା ବୋଲି କୁହାଯାଉଛି । ଭାଷା ନାମ ପାଇବାକୁ ହେଲେ ପ୍ରମାଣ କରିବାକୁ ହେବ ଯେ ଭାବ ପ୍ରକାଶ କରିବା ପାଇଁ, ମନର କଥା କହିବା ପାଇଁ ତାହାର ନିଶ୍ଚୟ ସାମର୍ଥ୍ୟ ରହଛି । ଭାଷା ବିଜ୍ଞାନୀମାନେ, ବିଶେଷତଃ ପାଶ୍ଚାତ୍ୟ ପଣ୍ଡିତମାନେ ଏକ ସ୍ଵରରେ ସ୍ଵୀକାର କରିଛନ୍ତି ଯେ ପ୍ରତ୍ୟେକ । ଭାଷାର ସାମର୍ଥ୍ୟ ଅଛି ଭାଷା ପ୍ରକାଶ କରିବା ପାଇଁ । ଏଇଟି ଉନ୍ନତ, ସେଇଟି ଅନୁନ୍ନତ- ଏଭଳି କହିବାର କୌଣସି କାରଣ ନାହିଁ-। ଏ କଥା ଅବଶ୍ୟ ସ୍ଵୀକାର କରାଯିବ ଯେ ସୁଯୋଗ ଅଭାବରୁ, ଯତ୍ନର ଅଭାବରୁ, ଅବହେଳାରୁ ଗୋଟିଏ ଭାଷା ସବୁ ଜ୍ଞାନକୁ ନିଜର ଗର୍ଭରେ ସାଇତି ରଖିବା ସୁଯୋଗରୁ ବଞ୍ଚିତ ହୋଇଛି । ଅଳ୍ପ ଉଦ୍ୟମ କଲେ, ମାତ୍ର କେତେଟା ବର୍ଷ ପରିଶ୍ରମ କଲେ ଯେ କୌଣସି ଭାଷା ପ୍ରକୃତ ଅର୍ଥରେ ଭାଷା ପଦବାଚ୍ୟ ହୋଇଯିବ ।

 

ଓଡ଼ିଆ ଭାଷାଭାଷୀଙ୍କୁ ପରୋକ୍ଷରେ ଚେତାଇ ଦେଇ ବିନୋଦ ଲେଖିଥିଲେ- ଇଂରାଜୀ ଭାଷାକୁ ୫୦୦ ବର୍ଷ ଲାଗିଲା ଗୋଟାଏ ସ୍ତରରେ ଆସି ପହଞ୍ଚିବା ପାଇଁ । ବିଜ୍ଞାନ ଯେତେବେଳେ ଦୂରତା ଓ ସମୟକୁ ଅସମ୍ଭବ ପ୍ରକାରରେ ଜୟ କରିଗଲାଣି, ସେତେବେଳେ ୫୦୦ ବର୍ଷ ଭିତରେ ଯାହା ହୋଇପାରିଛି ଅନ୍ୟ ଭାଷା କ୍ଷେତ୍ରରେ ୫୦ ବର୍ଷ ଭିତରେ ହୋଇଯାଇପାରିବ । ଗୋଟିଏ ଭାଷାର ଲୋକେ ଯଦି ସ୍ପଷ୍ଟ ଭାବରେ ଚିନ୍ତା ନ କରନ୍ତି, ଭାଷାକୁ ସମୃଦ୍ଧି କରିବା ପାଇଁ ଯେଉଁ ଉପାୟ ଅବଲମ୍ବନ କରିବା ଅତ୍ୟନ୍ତ ଆବଶ୍ୟକ ସେ ଉପାୟ ଅବଲମ୍ବନରେ ହେଳା କରନ୍ତି, ତାହାହେଲେ ଭାଷାର ବିକାଶ ହୋଇପାରିବ ନାହଁ । ସେଠାରେ ଭାଷାର ଦୋଷ ନୁହେଁ, ଦୋଷ ରହିଛି ସେ ଭାଷାକୁ କହୁଥିବା ଲୋକଙ୍କର । ଜଣେ ଯଥାର୍ଥରେ କହିଛନ୍ତି - ଭାଷାର ଅପୂର୍ଣ୍ଣତାକୁ ଶରୀରର ଦୁର୍ବଳତା ସହିତ ତୁଳନା କରାଯାଇପାରେ । ମନୁଷ୍ୟ ପୁଣିତ ସବୁ ପ୍ରକାର ଉଦ୍ୟମ କରି, ଶରୀରର ଦୁର୍ବଳତାକୁ ହଟାଇ ଦେଇ ଶରୀରଟିକୁ ସବଳ ଏବଂ କାର୍ଯ୍ୟକ୍ଷମ କରିଦେଉଛି । ନୂତନ ନୂତନ ଶବ୍ଦ ସୃଷ୍ଟି କରି ଅନ୍ୟ ଭାଷାରୁ ଶବ୍ଦ ଆହରଣ କରି, ଲେଖିବାର ଶୈଳୀରେ ପରିବର୍ତ୍ତନ କରି ଯେ କୌଣସି ଭାଷାକୁ ଭାବ ପ୍ରକାଶର ଚମତ୍କାର ମାଧ୍ୟମ କରି ଦିଆଯାଇପାରେ । ଉପଯୁକ୍ତ ଶବ୍ଦର ଅଭାବ କୌଣସି ଭାଷା ପାଇଁ ଯେ ଗୋଟାଏ ଅଲଂଘ୍ୟ ପ୍ରତିବନ୍ଧକ ହୋଇ ନ ପାରେ । ଏକଥା ପ୍ରମାଣ କରିଦେଇଛନ୍ତି ପାଶ୍ଚାତ୍ୟ ଭାଷା ଗୋଷ୍ଠୀ । ଯେଉଁଠି ଦେଖିଲେ ଅନ୍ୟ ଶବ୍ଦର ଅଭାବ ପଡ଼ୁଛି, ସେଥିପାଇଁ ନୂତନ ଶବ୍ଦଟିଏ ସୃଷ୍ଟି କରିବାର ସୁଯୋଗ ମିଳୁନାହଁ କି ସମୟ ନାହିଁ, ସେତେବେଳେ ସେମାନେ ଗୋଟିଏ ନିଦ୍ଦିଷ୍ଟ ଅର୍ଥ ବୁଝାଉଥିବା ଶବ୍ଦକୁ ଭିନ୍ନ ଅର୍ଥ ବୁଝାଇବା ପାଇଁ ପ୍ରୟୋଗ କରିଦେଇଛନ୍ତି । ଅବଲୀଳାକ୍ରମେ ସେମାନେ ଏଭଳି କରିଦେଇଛନ୍ତି ଯେ ଅନ୍ୟ ଭାଷାଭାଷୀ ଲୋକେ ଦେଖି ବିସ୍ମିତ ହୋଇଯାଉଛନ୍ତି । ଗୋଟିଏ ଉଦାହରଣ ଦିଆଯାଇପାରେ । ଶୀଘ୍ର ଶୀଘ୍ର ଚାଲିବାଟାକୁ ଦଉଡ଼ ବୋଲି କୁହାଯାଏ । ଏହି ଦଉଡ଼ ବା ଦଉଡ଼ିବା ପାଇଁ ‘ରନ୍‌’ (Run) ବୋଲି ଯେଉଁ ଶବ୍ଦଟି ଇଂରାଜୀ ଅଭିଧାନରେ ସ୍ଥାନ ପାଇଛି ତାହା କ୍ରମେ କିଭଳି ଶହେଟି ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହୃତ ହେଉଛି ତାହା ଦେଖିଲେ ଯେତିକି କୌତୁହଳ ହୁଏ ସେହି ପରିମାଣର ଶିକ୍ଷା ମିଳେ । ସେଭଳି ଉଦ୍ୟମ କରିବା ପାଇଁ କୌଣସି ଭାଷାଭାଷୀ ଲୋକଙ୍କୁତ କେହି ବାଧା ଦେଇ ନାହିଁ ।

 

ଅଳ୍ପକେ ସନ୍ତୁଷ୍ଟ ରହିବାରେ ବିପଦ

ଓଡ଼ିଆ ଭାଷାକୁ ବିକଶିତ ବା ସମୃଦ୍ଧ କରିବା ଦିଗରେ ଆମର ପ୍ରଯତ୍ନର ଅଭାବ ବିନୋଦ କାନୁନ୍‌ଗୋଙ୍କୁ ବାଧିଥିଲା । ଏହି କଥାକୁ ଲକ୍ଷ କରି ସେ ଲେଖିଛନ୍ତି- ସମସ୍ତ ସୁଯୋଗ ସୁବିଧା ଥିଲେ ମଧ୍ୟ ଗୋଟିଏ ଗୋଟିଏ ଭାଷାର ଯେ ଉଲ୍ଲେଖଯୋଗ୍ୟ ଉନ୍ନତି ହେଉନାହିଁ ତାହାର କାରଣ ସେହି ଭାଷାର ଲୋକେ ଅଳ୍ପରେ ସନ୍ତୁଷ୍ଟ ହୋଇ ରହିଯିବାରେ ବିଶ୍ଵାସ ରଖିଛନ୍ତି । ଗୋଟିଏ ଜାତି ଯଦି ସ୍ଥିର କରି ଦେଲା ଯେ ତା ଚାରିପଟେ ଥିବା ଦିଗ୍‌ବଳୟର ସୀମାକୁ ସଂକୁଚିତ କରି ଆଣିବୁ ଓ ଗୋଟିଏ ସଙ୍କୀର୍ଣ୍ଣ ଗଣ୍ଡି ଭିତରେ ରହି ସନ୍ତୋଷଲାଭ କରିବ, ସେ ଜାତିର ଭାଷାର ଉନ୍ନତିର ପଥ ରୁଦ୍ଧ ହୋଇଯିବ । ଆମେ କେବେ ହେଲେ ମହାକାଶ ଭ୍ରମଣରେ ବାହାରିବୁ ନାହିଁ, ତେଣୁ ସେ ସଂକ୍ରାନ୍ତରେ ଯେଉଁ ସବୁ ଗବେଷଣା ଚାଲିଛି ସେଥିସହିତ, ଆମର କୌଣସି ସଂପର୍କ ରହିବ ନାହିଁ ବୋଲି ଧରିନେବା ପରେ ମହାକାଶ ଯୁଗରେ ଯେଉଁ ସବୁ ନୂତନ ଶବ୍ଦର ପ୍ରୟୋଗ କରାଯାଉଛି ସେଗୁଡ଼ିକୁ ଜାଣିବାର ଆବଶ୍ୟକତା ରହିବ ନାହଁ । ଆମର ‘ଜଗତ’ ଯଦି ସୀମିତ, ଅଳ୍ପ ଶବ୍ଦରେ ହୁଏତ କାମ ଚଳିଯିବ । ଯଦି ତାହା ବ୍ୟାପକ ହେବ, ଏକ ବିଶ୍ଵର ନାଗରିକ ବୋଲି ଆମେ ବିଚାରିବା, ଆମର ଶବ୍ଦ ପାଥେୟ ଲୋଡ଼ା ନିଶ୍ଚୟ ପଡ଼ିବ । ସେତେବେଳେ ନିଜର ମାତୃଭାଷା ସାଙ୍ଗକୁ ସର୍ବଭାରତୀୟ ଓ ଆନ୍ତର୍ଜାତୀୟ ଭାଷା ସହିତ ପରିଚିତ ହେବାକୁ ପଡ଼ିବ । ମୂଳରୁ ପରାଜୟ ସ୍ଵୀକାର କରିଗଲେ ଆମେ ସମସ୍ତଙ୍କ ପଛରେ ପଡ଼ିଯିବା ।

 

ଭାଷାର ବିକାଶ ପାଇଁ ନୂତନ ଶବ୍ଦ ଆହରଣର ଯେ ବିଶେଷ ଆବଶ୍ୟକତା ରହିଛି ତାହା ବିନୋଦ ଗଭୀର ଭାବରେ ଉପଲବ୍ଧି କରିଥିଲେ । ତାଙ୍କରି ଭାଷାରେ କହିବାକୁ ଗଲେ- ଭାବ ପ୍ରକାଶ ପାଇଁ ଶବ୍ଦର ଆବଶ୍ୟକତା ରହିଛି । ସେହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଇଂରେଜମାନେ ସମଗ୍ର ପୃଥିବୀରୁ ଶବ୍ଦ ସଂଗ୍ରହ କରି ନିଜ ଅଭିଧାନରେ ରଖିଦେଇଛନ୍ତି । ଭାରତରେ ଆମକୁ ଏତିକି କରିବାକୁ ହେବ ଯେ ସେହି ସବୁ ଶବ୍ଦ ଭିତରୁ ଯେଉଁଗୁଡ଼ିକର ପ୍ରତିଶବ୍ଦ ଆମ ଭାଷାରେ ନାହଁ ବା ଆମେ ସୃଷ୍ଟି କରିପାରୁନାହୁଁ ତାହା ବାଛି ନେବାକୁ ହେବ । ଯଦି ଅନୁଭବ କଲୁ ଯେ ଏହି ଏହି ଶବ୍ଦର ପ୍ରତିଶବ୍ଦ ଆମ ଭାଷାରେ ନାହିଁ ବା ସଂସ୍କୃତ ଭାଷାକୁ ମୂଳକରି ନୂତନ ଶବ୍ଦ ସୃଷ୍ଟି କରିପାରୁନାହୁଁ ତେବେ ଇଂରାଜୀ ଭାଷାର ସେହି ସେହି ଶବ୍ଦକୁ ଆମ ଭାଷାକୁ ନେଇ ଆସିବାକୁ ହେବ । ସେଭଳି ଆଣିଲାବେଳେ ଆମ ପରିସ୍ଥିତିକୁ ଖାପ ଖୁଆଇବା ପାଇଁ ବା ଉଚ୍ଚାରଣର ସୁବିଧା କରିବା ପାଇଁ ସେଥିରେ ଟିକିଏ ଟିକିଏ ପରିବର୍ତ୍ତନ କରିଦେବାକୁ ହେବ । ଅତୀତରେ ଆରବୀ, ପାରସୀ ଶବ୍ଦଗୁଡ଼ିକ ଭାରତୀୟ ଭାଷା ଭିତରକୁ ଆଣିଲାବେଳେ ଏହି ପନ୍ଥାହିଁ ଅବଲମ୍ବନ କରାଯାଇଛି ।

 

ନୂଆ ନୂଆ ଶବ୍ଦ ଓଡ଼ିଆ ଭାଷା ଭିତରକୁ ଆଣିବା ପ୍ରକ୍ରିୟାକୁ କାହିଁକି ତ୍ୱରାନ୍ନିତ କରାଯିବା ଉଚିତ ତାହାକୁ ବୁଝାଇବାକୁ ଯାଇ ବିନୋଦ କାନୁନ୍‌ଗୋ ଲେଖିଛନ୍ତି- ଲୋକେ ଯେତେବେଳେ ଧୀରେ ସୁସ୍ଥେ ଭାବପ୍ରକାଶ କରୁଥିଲେ, ଗୋଟିଏ କଥା କହିଲାପରେ ବହୁ ସମୟ ବିତିଯାଉଥିଲା ଆଉ ଗୋଟିଏ ନୂଆ କଥା କହିବା ପାଇଁ, ବିଜ୍ଞାନ ଜଗତରେ ଗୋଟିଏ ନୂଆ କଥା ଆତ୍ମ ପ୍ରକାଶ କଲାପରେ ବହୁ କାଳ ପରେ । ସେହି ପରି ଆଉ ଗୋଟିଏ କଥା ବାହାରୁଥିଲା । ସେତେବେଳେ ପଣ୍ଡିତମାନେ ବସି ଧୀର ସ୍ଥିର ହୋଇ ନୂତନ ନୂତନ ଶବ୍ଦ ସୃଷ୍ଟି କରିବା ବା ଆହରଣ କରିବା ଦିଗରେ ମନ ଦେଉଥିଲେ । କିନ୍ତୁ କାଳ ବଦଳିଗଲା । ଆଉ ଧୀର ସ୍ଥିର ଭାବରେ ଚିନ୍ତା କରିବାର ଅବକାଶ ରହିଲା ନାହିଁ । ଦର୍ଶନ, ବିଜ୍ଞାନ, ଅର୍ଥନୀତି, ସମାଜଶାସ୍ତ୍ର ସବୁ କ୍ଷେତ୍ରରେ ଦେଖାଦେଲା ନୂତନତ୍ୱ । ସବୁ କଥାକୁ କହିବାକୁ ହେବ । ଭାଷା ଯଦି ସମର୍ଥ ନ ହେଉଛି ତା ଦେହରେ ନୂତନ ଅର୍ଥ ଯୋଡ଼ିବାକୁ ହେବ । ଶୀଘ୍ର ଶୀଘ୍ର ନିଷ୍ପତ୍ତି ନେବାକୁ ହେବ । କେହି ବିଚାରିବା ଉଚିତ ନୁହେଁ ଯେ ଏକାବେଳକେ ଲକ୍ଷ ଲକ୍ଷ ଶବ୍ଦର ଅଧିକାରୀ ନ ହେଲେ ଗୋଟିଏ ଭାଷା ଭାବ ପ୍ରକାଶ ପାଇଁ ସମର୍ଥ ହେବ ନାହିଁ । ଧରି ନିଆଯାଉ ଯେ ଜଣେ ଖୁବ୍‌ ଉଚ୍ଚଶିକ୍ଷିତ ଇଂରାଜୀ ଜାଣିଥିବା ଲୋକ ୨୫ ହଜାର ଶବ୍ଦ ଜାଣନ୍ତି । ତେଣୁ ଓଡ଼ିଆରେ ବା ବଙ୍ଗଳାରେ ୪ ଲକ୍ଷ ୫୦ ହଜାର ଶବ୍ଦ ନାହିଁ ବୋଲି ଭାବ ପ୍ରକାଶ କରି ହେବ ନାହିଁ - ଏଭଳି ବିଚାରିବାର କାରଣ ନାହିଁ । ଆବଶ୍ୟକତା ବଢ଼ୁଥିବ- ଶବ୍ଦ ସଂଖ୍ୟା ବଢ଼ୁଥିବ । ସମୟ ଥିଲା ଯେତେବେଳେ ଜ୍ଞାନ ଥିଲା ବିଳାସ । କ୍ରମେ ତାହା ହୋଇଗଲାଣି ଆବଶ୍ୟକତା । କୃଷି, ଶିଳ୍ପ, ବାଣିଜ୍ୟ, ସବୁ କ୍ଷେତ୍ରରେ ଅଧିକରୁ ଅଧିକ ଜ୍ଞାନର ଉପଯୋଗର ଆବଶ୍ୟକତା ଦେଖାଦେଲାଣି । ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସେହି ଜ୍ଞାନ କେବଳ ମାତୃଭାଷା ମାଧ୍ୟମରେ ହଁ ପହୁଞ୍ଚାଇ ଦେଇ ହେବ । ପାଶ୍ଚାତ୍ୟ ଚିନ୍ତାଧାରା, ବିଶେଷ କରି ବୈଜ୍ଞାନିକ ଜ୍ଞାନକୁ ଭାରତୀୟ ଭାଷା ମାଧ୍ୟମରେ ପ୍ରକାଶ କରି ହେବ ନାହିଁ ବୋଲି ଯେତେବେଳେ ଯୁକ୍ତି କରାଗଲା ରବୀନ୍ଦ୍ରନାଥ ତୁରନ୍ତ ଉତ୍ତର ଦେଲେ ଯେ ଏଇଟା ହେଉଛି ଆମ ଦେଶର ଲୋକଙ୍କର ବୌଦ୍ଧିକ ଭୀରୁତାର ପ୍ରମାଣ । ଆତ୍ମପ୍ରତ୍ୟୟ ଅଭାବରୁ ହିଁ ଏଭଳି କଥା ସେମାନେ କହୁଛନ୍ତି । ସେମାନଙ୍କୁ ସେ ଜାପାନର ଉଦାହରଣ ଦେଲେ । ପାଶ୍ଚାତ୍ୟ ଜଗତରେ ଯାହା କିଛି ଜାଣିବାର କଥା ଅଛି ସବୁତକ ଜାପାନୀମାନେ ଶିଖିଗଲେ ଓ ସେହି ଜ୍ଞାନକୁ ଜାପାନୀ ଭାଷା ମାଧ୍ୟମରେ ସମାଜରେ ସବୁ ସ୍ତରରେ ଦେଶର ସବୁ ଅଂଶରେ ନେଇ ପହଞ୍ଚାଇ ଦେଲେ । ନୂତନ ନୂତନ ଶବ୍ଦ ସୃଷ୍ଟି କରିବା ଓ ଗୋଟିଏ କଥାକୁ ବୁଝି ହଜମ କରିବାର ଯେଉଁ ଦକ୍ଷତା ଭାରତୀୟମାନଙ୍କର ଅଛି ଜାପାନୀମାନଙ୍କର ତାହା ତୁଳନାତ୍ମକ ଦୃଷ୍ଟିରୁ ନଥିଲେ ମଧ୍ୟ ସାହସର ସହିତ ସେମାନେ ଜାପାନୀ ଭାଷା ସାହାଯ୍ୟରେ ଲୋକଙ୍କୁ ଶିକ୍ଷିତ କରି ଦେଲେ, ଅର୍ଥାତ୍‌ସବୁ ଜ୍ଞାନର ସାର ସାରକଥା କୋଟି କୋଟି ଜନତା ପାଖରେ ପହୁଞ୍ଚାଇ ଦେଲେ ।

 

ଅପେକ୍ଷା କରିବାକୁ ବେଳ ନାହିଁ

ନିଜ ଭାଷାକୁ ପ୍ରଗତି ପଥରେ ଚଳାଇବା ଦିଗରେ ଓଡ଼ିଆମାନଙ୍କର କର୍ତ୍ତବ୍ୟ ସଂପର୍କରେ ସେମାନଙ୍କୁ ସଚେତନ କରାଇଦେଇ ବିନୋଦ କାନୁନ୍‌ଗୋ ଲେଖିଥିଲେ- ଏକବିଂଶ ଶତାବ୍ଦୀ ଆରମ୍ଭ ହେବା ପୂର୍ବରୁ ସମଗ୍ର ଜଗତରେ ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଗୋଟାଏ ନୂତନ ଧରଣର ପରିବର୍ତ୍ତନ ହୋଇସାରିଥିବ । ପରିବର୍ତ୍ତନର ଗୋଟାଏ ଗୁରୁତ୍ଵପୂର୍ଣ୍ଣ ଦିଗ ହେଲା ଜନସାଧାରଣଙ୍କୁ ପ୍ରକୃତ ଅର୍ଥରେ ଶିକ୍ଷିତ କରାଇବା । ଜ୍ଞାନର ଗୋଟିଏ ଗୋଟିଏ ବିଭାଗ ବିଷୟରେ ଉଚ୍ଚଶିକ୍ଷା ଲାଭ କରିଦେଲେ ଜଣେ ଉପଯୁକ୍ତ ବା ପର୍ଯ୍ୟାପ୍ତ ଶିକ୍ଷା ଲାଭକଲା ବୋଲି କୁହାଯାଉନାହିଁ ।

 

ଇଂରେଜ ଜାତି ଶହ ଶହ ବର୍ଷ ଧରି ବିଜ୍ଞାନସମ୍ମତ ପନ୍ଥାରେ ଉଦ୍ୟମ କରି ଇଂରାଜୀ ଭାଷାକୁ କିପରି ଉତ୍କର୍ଷତାର ପଥରେ ଆଗେଇ ନେଇଛନ୍ତି ତାହାର ଚମତ୍କାର ବିଶ୍ଳେଷଣ ରହିଛି ବିନୋଦ କାନୁନ୍‌ଗୋଙ୍କ ଲିଖିତ ‘‘ଇଂରାଜୀ ଭାଷା’’ ପ୍ରବନ୍ଧରେ । ସେ ଲେଖିଛନ୍ତି- ‘‘ଯେ କୌଣସି ଭାଷାର ଇତିହାସ ଆମକୁ ଗୋଟିଏ କଥା ଅତି ସ୍ପଷ୍ଟ ଭାବରେ କହି ଦେଇପାରିବ । ଭାଷାଟି ଯେତେ ଉନ୍ନତ ଓ ସମୃଦ୍ଧ ହୋଇଥାଉନା କାହିଁକି, ତାହାର ପ୍ରସାର ପାଇଁ, ଅନ୍ୟମାନଙ୍କୁ ଆକୃଷ୍ଟ କରିବା ପାଇଁ ଯଦି ଅନବରତ ଉଦ୍ୟମ ଚାଲୁ ନ ରହିଥିବ, ଅନ୍ୟ ଭାଷାଭାଷୀମାନେ ତାହା ପ୍ରତି ଆଗ୍ରହ ପ୍ରକାଶ କରିବେ ନାହିଁ । ଭାଷାର ଉପଯୋଗିତା, ସମୃଦ୍ଧି ଓ ମହତ୍ୱର ପ୍ରମାଣ ମିଳେ ଅନ୍ୟ ଭାଷାଭାଷୀମାନେ ଯଦି ଆଗ୍ରହରେ ତାକୁ ଶିଖନ୍ତି । ଇଂରେଜମାନଙ୍କ ପକ୍ଷରୁ ନିଜ ଭାଷାର ପ୍ରସାର ପାଇଁ ପ୍ରବଳ ଉଦ୍ୟମ ଅବ୍ୟାହତ ରହିଛି । ‘‘ମନର ସାମ୍ରାଜ୍ୟ’’ ବିସ୍ତାର କରିବାକୁହିଁ ହେବ ବୋଲି ଯେତେବେଳେ କେତେକ ଲୋକ ଦୃଢ଼ ପ୍ରତିଜ୍ଞ ହୋଇଗଲେ, ସେମାନେ ଇଂରାଜୀ ଭାଷାକୁ ନେଇ ପୃଥିବୀର କୋଣେ କୋଣେ ପହଞ୍ଚାଇବା ପାଇଁ ଯେତେ ଦିଗରୁ ଯାହା କିଛି କରିବାର କଥା ତାହା କରାଇବାକୁ ପଛାଇଲେ ନାହିଁ ।

 

ଗୋଟିଏ ଭଲ, ଉନ୍ନତ ଭାଷାର ମାନଦଣ୍ଡ କ’ଣ ହେବା ଉଚିତ ସେ ସଂପର୍କରେ କାନୁନ୍‌ଗୋ ଲେଖିଥିଲେ- ଯେଉଁମାନେ ଭାଷା ଓ ତାହାର ବିଜ୍ଞାନ ବିଷୟରେ ଆଲୋଚନା କରନ୍ତି ସେମାନେ ଗୋଟିଏ ବିଷୟରେ ସତର୍କବାଣୀ ଶୁଣାନ୍ତି । ଗୋଟିଏ ନିର୍ଦ୍ଦିଷ୍ଟ ଭାଷାକୁ କେତେ ସଂଖ୍ୟକ ଲୋକ କହୁଛନ୍ତି- କେତେ ବଡ଼ ଅଞ୍ଚଳରେ ତାହାର ପ୍ରଚଳନ ଅଛି ଇତ୍ୟାଦି କଥାକୁ ବିଚାରକୁ ନେଇ ଭାଷାର ଗୁରୁତ୍ଵ ବା ପ୍ରଭାବ ପ୍ରଶ୍ନର ବିଚାର କରାଯାଏ ନାହିଁ । ଯେଉଁମାନେ ସେହିଟିକୁ କହୁଛନ୍ତି ସେମାନଙ୍କ ସଂସ୍କୃତି ବା ସମ୍ମାନ ପ୍ରଶ୍ନ ଉଠିଥାଏ ଭାଷାର ଗୁରୁତ୍ଵ ବିଷୟରେ ଆଲୋଚନା କଲାବେଳେ ।

 

ବିଜ୍ଞାନକୁ ମାତୃଭାଷା ମାଧ୍ୟମରେ ପ୍ରସାର ଓ ପ୍ରଚାର କରାଯାଇପାରିବ ନାହିଁ ବୋଲି ହେଉଥିବା ଯୁକ୍ତିକୁ ଖଣ୍ଡନ କରି ବିନୋଦ କାନୁନ୍‌ଗୋ ଲେଖିଛନ୍ତି (‘ଇଂରାଜୀଭାଷା’, ପୃ ୧୭୩ )- ‘ବିଜ୍ଞାନ, ସମାଜ, ଭାଷା,’ ବିଷୟରେ ଲେଖିବାକୁ ଯାଇ ଜଣେ ଅତି ସରଳ ଭାବରେ ଗୋଟିଏ ପ୍ରଶ୍ନ ପଚାରିଛନ୍ତି ଓ ତାହାର ଉତ୍ତର ସେ ନିଜେ ଦେଇଛନ୍ତି । ପ୍ରଶ୍ନଟି ହେଉଛି ‘‘ବିଜ୍ଞାନୀମାନେ କ’ଣ ଏଭଳି ଗୋଟିଏ ଗୋଟିଏ ରହସ୍ୟାବୃତ ଜୀବ ଯେ ସେମାନେ ଯାହା ଜାଣୁଛନ୍ତି, ଯାହା ଅନୁଭବ କରୁଛନ୍ତି ତାକୁ ପ୍ରକାଶ କରିବା ପାଇଁ ଗୋଟିଏ ସ୍ୱତନ୍ତ୍ର ଧରଣର ଭାଷାର ଆବଶ୍ୟକତା ପଡ଼ିବ ? ଆମେ ସମସ୍ତେ ଯେଉଁ ଭାଷା କହୁଛେ ସେହି ଭାଷା କ’ଣ ବିଜ୍ଞାନୀମାନଙ୍କ ପାଇଁ ଉପଯୁକ୍ତ ନୁହେଁ ? ସାଧାରଣ ଲୋକର ଭାଷାରେ ଗୋଟାଏ ପ୍ରକାର ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ନ ଘଟାଇଲେ ବିଜ୍ଞାନୀମାନଙ୍କ କାମରେ ତାହା ଲାଗିବ ନାହିଁ ? ତାଙ୍କର ଉତ୍ତର ହେଲା-ବିଜ୍ଞାନୀମାନେ ତୁମରି ଆମରି ଭଳି ସାଧାରଣ ଲୋକ । ଆମେତ ପୁଣି ନାନା ପ୍ରକାର ଭାବ ପ୍ରକାଶ ପାଇଁ, ଗୋଟିଏ ସ୍ୱତନ୍ତ୍ର ପରିସ୍ଥିତିକୁ ବୁଝାଇବା ପାଇଁ ଭାଷାଟିର ସାହାଯ୍ୟ ନେଉ । ସେମାନେ ଗୋଟାଏ ନିଦ୍ଧିଷ୍ଟ ପରିସ୍ଥିତିର ସ୍ଵତନ୍ତ୍ର ଅବସ୍ଥା ବୁଝାଇବା ପାଇଁ ଟିକିଏ ଭିନ୍ନ ଭାବରେ କଥା କୁହନ୍ତି । ତଥାକଥିତ ‘‘ବିଜ୍ଞାନ ଭାଷା’’ ହେଉଛି ଗୋଟାଏ ନିର୍ଦ୍ଦିଷ୍ଟ ଦଦ୍ଦେଶ୍ୟରେ ଭାଷାକୁ ବ୍ୟବହାର କରିବା ।’’ ଶବ୍ଦଗୁଡ଼ିକ ଆକାଶରୁ ଗଳିପଡ଼ନ୍ତି ନାହିଁ କି ପ୍ରକୃତି ସେଗୁଡ଼ିକୁ ତିଆରି କରି ଫଳମୂଳ ଭଳି ହାତରେ ଧରାଇ ଦେଇନାହିଁ । କେତେ ଘଟଣା, କେତେ ପରିସ୍ଥିତି, କେତେ ଅନୁଭବରୁ ଗୋଟିଏ ଗୋଟିଏ ଶବ୍ଦ ସୃଷ୍ଟି କରାଯାଇଛି । ଗୋଟିଏ ଗୋଟିଏ ଶବ୍ଦର ଜୀବନକାହାଣୀର ପୃଷ୍ଠା ଓଲଟାଇଗଲେ ଆମକୁ ଉପନ୍ୟାସ ପଢ଼ିଲାଭଳି ଲାଗିବ । କେଉଁ ଅବସ୍ଥାରେ ସେହି ଶବ୍ଦଟି ଜନ୍ମଲାଭ କରିଥିଲ, ବୟସ ବଢ଼ିବା ସଙ୍ଗେ ସଙ୍ଗେ ତା ଦେହରେ କିଭଳି ନୂଆ ନୂଆ ଅର୍ଥ ଯୋଡ଼ି ହୋଇଗଲା- ଦିନେ ଯେଉଁ ଅର୍ଥ ତା ଦେହରୁ ବାହାରିବ ବୋଲି କେବେ କଳ୍ପନା କରିନଥିଲେ । ସେହି ଅର୍ଥ କିଭଳି ତା’ ଭିତରୁ ବାହାରିଲା ଓ ଅନ୍ୟମାନେ ତାକୁ ଗ୍ରହଣ କରିଗଲେ ଇତ୍ୟାଦିର କାହାଣୀ ଆମକୁ ଚମକୃତ କରି ରଖିଦେବ ।

 

ବିନୋଦ କାନୁନ୍‌ଗୋଙ୍କର ଭାଷା-ଚିନ୍ତା ସଂପର୍କରେ ଅଧିକ ଗବେଷଣା ହେଲେ ଆମ ଭାଷାକୁ ବିକାଶ ପଥରେ ଚଲାଇ ନେବା ଦିଗରେ ସେ ଯେଉଁ ସାଧନା କରିଥିଲେ ତାହାର ଆଜିବି ଯେ ପ୍ରାସଙ୍ଗିକତା ଅଛି- ଏହା ସ୍ପଷ୍ଟ ହୋଇଯିବ ।

 

ସଂପାଦକ, ଜ୍ଞାନମଣ୍ଡଳ ଫାଉଣ୍ଡେସନ

ଭୁବନେଶ୍ୱର- ୧୪

***

 

ସେ ସିନା ଋଣ ପରିଶୋଧ କରିଦେଲେ,

ଆମକୁ କିନ୍ତୁ ଋଣୀ କରି ଦେଇଗଲେ

ନଟବର ଖୁଣ୍ଟିଆ

 

ଜ୍ଞାନତପସ୍ଵୀ, ଓଡ଼ିଆ ଜ୍ଞାନକୋଷ, ଜ୍ଞାନମଣ୍ଡଳର ରଚୟିତା, ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋଙ୍କ ଆତ୍ମ ଜୀବନୀ ‘ଋଣ ପରିଶୋଧ’ କୁ ଅଧ୍ୟୟନ କଲେ ଯେକୌଣସି ପାଠକ ଅନୁଭବ କରିବ ଯେ, ପ୍ରକୃତରେ ଏହା ଗତାନୁଗତିକ ଢାଞ୍ଚାରେ ଲେଖା ହୋଇଥିବା ଏକ ଆତ୍ମଜୀବନୀ ନୁହେଁ- ଏହା ଏକ ସ୍ଵତନ୍ତ୍ର ଢାଞ୍ଚା ଓ ସ୍ଵାଦରେ ଲେଖା ହୋଇଥିବା ଏକ ଅନନ୍ୟ ଆତ୍ମଜୀବନୀ । ଏହି ନିଆରା ଆତ୍ମଜୀବନୀ ‘ଋଣ ପରିଶୋଧ’ ଆମ ଓଡ଼ିଆମାନଙ୍କୁ ମଣିଷ ପରି ମଣିଷଟିଏ ହେବା ପାଇଁ ବହୁ ଭାବରେ ପ୍ରଭାବିତ କରିବା ସହିତ ମନରେ ବହୁ ଆଶା, ସାହସ ଜାଗ୍ରତ କରାଏ । ତାଙ୍କର ଏହି ଆତ୍ମଜୀବନୀ ପାଠକଲେ ଜଣେ ପଙ୍ଗୁ ଗିରି ଆରୋହଣ କରିବାର ଆତ୍ମବିଶ୍ଵାସ ପାଏ । ଶ୍ରୀ କାନୁନ୍‌ଗୋ ‘ଋଣ ପରିଶୋଧ’ର ମୁଖବନ୍ଧ ‘ଶେଷରେ ମୁଁ କାହିଁକି ଲେଖିଲି’ରେ ଲେଖିଛନ୍ତି- ‘‘ମୁଁ ତ ବରାବର କହି ଆସୁଛି ଯେ ଶହେବର୍ଷ ପରେ ଯେତେବେଳେ ଜଣେ କେହି ଶହେ ପୃଷ୍ଠାର ବହି ଖଣ୍ଡିଏ ଲେଖିବେ ଓ ତାହାର ନାମ ରଖିବେ- ‘‘ଗଲା ଦୁଇ ଶତାବ୍ଦୀର ବିଖ୍ୟାତ ଓଡ଼ିଆ’’ ସେତେବେଳେ ଉତ୍କଳ ଗୌରବ ମଧୁସୂଦନ ବା ଉତ୍କଳମଣି ଗୋପବନ୍ଧୁଙ୍କ ପାଇଁ ପୂରା ପୃଷ୍ଠାଟିଏ ରହିବ କି ନାହିଁ ସନ୍ଦେହ । ଅନ୍ୟମାନଙ୍କ କଥା କିଏ ପଚାରେ-? ଆଜିର ପରିସ୍ଥିତିରେ ଏହି ଧରଣର ଗୋଟିଏ ବହିରେ ଏବର କେତେ ଲୋକଙ୍କ ବିଷୟରେ ହୁଏତ ଦୁଇ ତିନି ଧାଡ଼ି ରହିପାରେ- ଯଦି ସେ ଲେଖକ ଅନୁଗ୍ରହ କରନ୍ତି । ଶହେବର୍ଷ ପରେ କାଳର ଚାଲୁଣୀ ଏମିତି ଭାବରେ ଚଲାଇ ଦେଇଥିବ ଯେ, ମୋ ଭଳି ଲୋକଙ୍କ ନାମ ସୁଦ୍ଧା ସ୍ଥାନ ପାଇବ ନାହିଁ ।’’

 

ଅବଶ୍ୟ ଶ୍ରୀ କାନୁନ୍‌ଗୋ ନିଜ ସମ୍ବନ୍ଧରେ ଯାହା କହିଛନ୍ତି ତାହା ତାଙ୍କର ବିନୟୀ ସ୍ଵଭାବ ଓ ମହାନତା । ସେ କିନ୍ତୁ ଖାଣ୍ଡି ସତ କଥାଟି ଉଲ୍ଲେଖ କରିଛନ୍ତି । ସେ ଆମ୍ଭ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି ଯେ, ଆତ୍ମବଡ଼ିମା, ଆତ୍ମ ପ୍ରଚାର, ଅହଙ୍କାର ଇତିହାସ ପୃଷ୍ଟାରେ କେବେ ସ୍ଥାନ ପାଇବ ନାହିଁ । ଏହାକୁ ତ୍ୟାଗ କରି ପ୍ରତ୍ୟେକ ମଣିଷ ଦେଶ, ଜାତି, ଭାଷା, ସାହିତ୍ୟ, ଶିକ୍ଷା, ସଂସ୍କୃତି, କଳା, ଭାସ୍କର୍ଯ୍ୟ, ଅର୍ଥନୀତି ଆଦିର ବିକାଶ ପାଇଁ ଯେତେ ଯାହା ସମ୍ଭବ ତାହା ଆନ୍ତରିକତାର ସହ କରି ଚାଲିବା ଉଚିତ । ମଣିଷର କୃତି ବା ଅବଦାନକୁ କାଳ ତାର କଷଟି ପଥରରେ କଷି ପ୍ରକୃତ ସ୍ଥିତିକୁ ଲୋକଲୋଚନକୁ ଆଣିବ । ନିଜେ ତୁମେ ଯାହା ନୁହଁ ତାକୁ ଯଦି ବଡ଼େଇ କରି ପ୍ରଚାର କରିବ ତେବେ କାଳ ତାକୁ କେବେ ସ୍ଵୀକାର କରିବ ନାହିଁ । ଏହା ଜୀବନର ନିରାଟ ସତ୍ୟ । ଏହି ନିରାଟ ସତ୍ୟଟି ଜାଣି ମଧ୍ୟ ଆଜି ଅନେକ ଲେଖକ, କବି, ଗାଳ୍ପିକ, ଔପନ୍ୟାସିକ, ସମାଜସେବୀ, ରାଜନୀତିଜ୍ଞ ଆଦି ନିଜ ନିଜର ପ୍ରଶାସନିକ କ୍ଷମତା, ରାଜନୈତିକ ପ୍ରତିପତ୍ତି, ସମ୍ବାଦପତ୍ର ଓ ପତ୍ରିପତ୍ରିକା ପରି ଗଣମାଧ୍ୟମର କ୍ଷମତାର ଅପବ୍ୟବହାର କରି ନିଜେ ଯେତିକି ନୁହଁନ୍ତି ତା’ଠାରୁ ବହୁଗୁଣରେ ବଡ଼ କରି ପରୋକ୍ଷରେ ନିଜେ ଅର୍ଥଦେଇ ଅବା ଅର୍ଥଯୋଗାଡ଼ କରାଇ ଦେଇ ପୁରସ୍କାର ପାଇଛନ୍ତି, ସମ୍ମାନରେ ସମ୍ମାନିତ ହେଇଛନ୍ତି । ଅନେକ ନିଜର ଷାଠିଏ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଭିନନ୍ଦନ ଗ୍ରନ୍ଥ ପ୍ରକାଶ କରାଉଛନ୍ତି । ଷାଠିଏ ବର୍ଷରୁ ଏବେ ହ୍ରାସ ପାଇ ପଚାଶବର୍ଷକୁ ଖସି ଆସିଲାଣି । ସେମାନେ ସବୁ ଭୁଲି ଯାଉଛନ୍ତି ବିନୋଦ କାନୁନ୍‌ଗୋଙ୍କ ଉପଦେଶ । ନିଜ ଜୀବଦ୍ଦଶାରେ ଯେଉଁମାନେ ନିଜ ପାଇଁ ବଡ଼ ବଡ଼ ଅଭିନନ୍ଦନ ଗ୍ରନ୍ଥ ପ୍ରକାଶ କରାଇଛନ୍ତି ହୁଏତ ଭବିଷ୍ୟତରେ ଯେତେବେଳେ ବିଶିଷ୍ଟ ଓଡ଼ିଆଙ୍କର କୃତି ସମ୍ବନ୍ଧରେ ପୁସ୍ତକଟିଏ ପ୍ରକାଶ ପାଇବ ସେତେବେଳେ ସେଥିରେ ସେମାନଙ୍କ ମଧ୍ୟରୁ କାହାର କାହାର ନାମ ନ ରହିବା ବିଚିତ୍ର ହେବ ନାହିଁ ।

 

ବିନୋଦ କାନୁନ୍‌ଗୋ ଯେଉଁ ନିରାଟ ସତକଥାଟି ‘ଋଣ ପରିଶୋଧ’ର ମୁଖବନ୍ଧରେ କହିଛନ୍ତି ତାକୁ ଯଦି ଆମ୍ଭେ ସମସ୍ତେ ମାନି ଆମର ନିଜ ନିଜର ଜାତୀୟ କର୍ତ୍ତବ୍ୟ କରି ଚାଲିବା ତେବେ ଆମ ଜାତି ବିଭିନ୍ନ ଭାବରେ ପୁଷ୍ଟ ହୋଇ ଆମର ସାମଗ୍ରିକ ବିକାଶର ଗତିକୁ ତ୍ୱାରାନ୍ୱିତ କରିବ-ଜାତି ନନ୍ଦିଘୋଷ ଘର୍‌ ଘର୍‌ ନାଦରେ ଆଗକୁ ବଢ଼ି ଚାଲିବ ।

 

‘ରଣ ପରିଶୋଧ’ ପାଠ କଲାରେ ପୁସ୍ତକରେ ଥିବା ବିଷୟବସ୍ତୁର ନିର୍ଯ୍ୟାସକୁ ନିମ୍ନୋକ୍ତ ଭାବରେ ପ୍ରକାଶ କରାଯାଇପାରେ ।

 

ଏହା ବିନୋଦ କାନୁନ୍‌ଗୋଙ୍କର କେବଳ ଏକ ଆତ୍ମଜୀବନୀ ନୁହେଁ-ସମସାମୟିକମାନେ, ଯେଉଁମାନେ ଓଡ଼ିଶାରୁ ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ ଏବଂ ଓଡ଼ିଶାର ପ୍ରଗତି ପାଇଁ କାର୍ଯ୍ୟ କରିଥିଲେ, ସେହିପରି ଅନେକ ଜ୍ଞାନ, ସ୍ଵଳ୍ପ ଜ୍ଞାତ ଓ ଅଜ୍ଞାତ ଦେଶସେବକଙ୍କର ସଂକ୍ଷିପ୍ତ ଜୀବନୀର ସମାହାର ।

 

(କ)

ଏହା ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନର ଏକ ଅନୁଭୂତିସଂପନ୍ନ ଦସ୍ତାବିଜ ।

(ଖ)

ସ୍ଵାଧୀନତାର ପୂର୍ବବର୍ତ୍ତୀ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ସ୍ଥିତିର ଏକ ପ୍ରାମାଣିକ ଆଲେଖ୍ୟ ।

(ଗ)

ଓଡ଼ିଆ ଭାଷା ସାହିତ୍ୟର କୋଣାର୍କ- ’ଜ୍ଞାନମଣ୍ଡଳ’ ରଚନାର ଇତିବୃତ୍ତ ।

 

ବିନୋଦ କାନୁନ୍‌ଗୋ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ି ସ୍ଵାଧୀନତା ଆନ୍ଦୋଳନରେ ଝାସ ଦେଇ ପରବର୍ତ୍ତୀ ଜୀବନରେ ଜ୍ଞାନମଣ୍ଡଳ ପ୍ରଣୟନ କରିବାରେ ନିଜର ଅଧ୍ୟବସାୟ, ନିଷ୍ଠା, ଜାତିପ୍ରୀତି, ପ୍ରତିବଦ୍ଧତା, ଇଶ୍ୱରଦତ୍ତ ପ୍ରତିଭାକୁ ଯେତିକି ଶ୍ରେୟ ଦେଇ ନାହାଁନ୍ତି ତା’ଠାରୁ ଅଧିକ ଶ୍ରେୟ ଦେଇଛନ୍ତି ଯେଉଁମାନଙ୍କ ପ୍ରେରଣା ଯୋଗୁଁ ସେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଲେ ଆଉ ଜ୍ଞାନମଣ୍ଡଳ ରଚନା କରିବା ପାଇଁ ସାହସ ଓ ସାମର୍ଥ୍ୟ ପାଇଲେ । ସେହିମାନଙ୍କ ପାଖରେ ସେ ରଣୀ ବୋଲି ମତବ୍ୟକ୍ତ କରିଛନ୍ତି । ସେହିମାନେ ହେଲେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ନବ ଓଡ଼ିଶା ଗଠନରେ ବିଭିନ୍ନ ଭୂମିକା ନେଇଥିବା ସାହିତ୍ୟିକ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି, ବୈଜ୍ଞାନିକ ଓ ଶିକ୍ଷାବିତ୍‌ ଡକ୍ଟର ପ୍ରାଣକୃଷ୍ଣ ପରିଜା, ସାମ୍ବାଦିକ ଡକ୍ଟର ରାଧାନାଥ ରଥ, ସ୍ଵାଧୀନତା ସଂଗ୍ରାମୀ ଓ ସମାଜସେବୀ ଗୋପବନ୍ଧୁ ଚୌଧୁରୀ ଓ ଶ୍ରୀମତୀ ରମାଦେବୀ, ରାଜନୀତିଜ୍ଞ ଡକ୍ଟର ହରେକୃଷ୍ଣ ମହତାବ ଆଉ ନିପଟ ମଫସଲ ଗାଁର ନିରକ୍ଷରା ଦଳିତ ମହିଳା ଶୋବି ବାଉରାଣୀ, ପାଲୁଣିମା, କ୍ଷେତ୍ରମା ଇତ୍ୟାଦି ଅନେକ ଲୋକ।

 

ଶ୍ରୀ କାନୁନ୍‌ଗୋ ଜଣେ ମେଧାବୀ ଛାତ୍ର ଥାଇ ଛାତ୍ରବୃତ୍ତି ପାଉଥିଲେ । ସେ ଯଦି ପାଠ ଛାଡ଼ି ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ନ ଥାନ୍ତେ ତାଙ୍କର ଅନ୍ୟ ସହପାଠୀମାନଙ୍କ ପରି ପଢ଼ିଥାନ୍ତେ ହୁଏତ ସେ ହୋଇ ପାରିଥାନ୍ତେ ହାଇକୋର୍ଟର ବିଚାରପତି, ନାମକରା ଓକିଲ, ଚିଫ୍‌ କଞ୍ଜରଭେଟର ଅଫ୍‌ ଫରେଷ୍ଟ, ପ୍ରଫେସର, ଚିଫ୍‌ ଇଞ୍ଜିନିୟର ଇତ୍ୟାଦି ଇତ୍ୟାଦି । ସେହି ସବୁ ପଦ ପଦବୀ ତୁଳନାରେ ପାଠ ଛାଡ଼ି ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ, ସ୍ଵାଧୀନତା ପରବର୍ତ୍ତୀ ସମୟରେ ଘୋର ଆର୍ଥିକ ଅନାଟନରେ ବୁଡ଼ି ରହି ମଧ୍ୟ ଯେଉଁ ‘ଜ୍ଞାନମଣ୍ଡଳ’ ରଚନା କାର୍ଯ୍ୟରେ ନିଜକୁ ନିୟୋଜିତ କରିବାରେ ଆତ୍ମସନ୍ତୋଷ ଲାଭ କରିଛନ୍ତି ସେଥିପାଇଁ ସେ ନିଜକୁ ଅତି ଭାଗ୍ୟବାନ୍‌ ମନେ କରିଛନ୍ତି । ତାହାର ଶ୍ରେୟ ଦେଇଛନ୍ତି ମହାତ୍ମା ଗାନ୍ଧୀଙ୍କୁ । ଗାନ୍ଧିଜୀଙ୍କ ଆହ୍ୱାନରେ ସେ ୧୯୩୦ ମସିହାରେ ନବମ ଶ୍ରେଣୀ ପରେ ପାଠ ଛାଡ଼ି ଯେଉଁ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଲେ ସେହି ସ୍ଵାଧୀନତା ଆନ୍ଦୋଳନ ହିଁ ତାଙ୍କର ଜୀବନର ମୋଡ଼କୁ ବଦଳାଇ ଦେଲା । ସେ ଆଜି ଯାହା ତାହା ହୋଇଛନ୍ତି ତାହା ମହାତ୍ମା ଗାନ୍ଧୀଙ୍କ ଯୋଗୁ ବୋଲି ସେ ମୁକ୍ତ କଣ୍ଠରେ ସ୍ଵୀକାର କରିଛନ୍ତି । ସେ ସରକାରୀ ଚାକିରିରେ ଉଚ୍ଚ ପଦପଦବୀରେ ନ ରହି ଯେଉଁ ଜ୍ଞାନମଣ୍ଡଳ ସଂକଳନର କାର୍ଯ୍ୟ ପରିଣତ ବୟସରେ ଅଭାବ ଅନାଟନ ମଧ୍ୟରେ ଦିବାରାତ୍ର କରି ଚାଲିଥିଲେ ସେଥିରୁ ସେ ପାଇଥିଲେ ଅଫୁରନ୍ତ ଆନନ୍ଦ । ସେଥିପାଇଁ ସେ ମହାତ୍ମାଗାନ୍ଧୀଙ୍କ ନିକଟରେ ଶହେରୁ ପଚସ୍ତରୀ ଭାଗ ରଣୀ- ଅନ୍ୟମାନଙ୍କ ପାଖରେ ଅବଶିଷ୍ଟ ପଚିଶ ଭାଗ ରଣୀ ବୋଲି ଲେଖିଛନ୍ତି । ସେହି ରଣକୁ ସେ ‘ରଣ ପରିଶୋଧ) ମାଧ୍ୟମରେ ପରିଶୋଧ କରିବାକୁ ଉଦ୍ୟମ କରିଛନ୍ତି । ସେମାନଙ୍କ ନିକଟରେ ଅନ୍ତରର କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

୧୯୩୪ ମସିହାରେ ମହାତ୍ମା ଗାନ୍ଧୀ ଅସ୍ପୃଶ୍ୟତା ନିବାରଣ ଆରମ୍ଭ କରି ସମଗ୍ର ଭାରତବର୍ଷରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ଯେଉଁ ଦୀର୍ଘଯାତ୍ରା ଆରମ୍ଭ କଲେ, ସେହି କାର୍ଯ୍ୟକ୍ରମ ଅନୁସାରେ ଓଡ଼ିଶାର ସମ୍ବଲପୁରରେ ପହଞ୍ଚି, ସମ୍ବଲପୁରରୁ ଅନୁଗୁଳ ଆସି ସେଠୁ ପୁରୀ ଆସିବାର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ‘ସମାଜ’ ତରଫରୁ ବିନୋଦ କାନୁନ୍‌ଗୋଙ୍କୁ ସାମ୍ବାଦିକ ଭାବରେ ନିଯୁକ୍ତି ଦିଆଯାଇଥାଏ ଯେ, ସେ ଗାନ୍ଧିଜୀଙ୍କ ସହିତ ରହି ତାଙ୍କ କାର୍ଯ୍ୟକ୍ରମର ଆଖିଦେଖା ବିବରଣୀ ‘ସମାଜ’କୁ ପଠାଇବେ । ଶ୍ରୀ କାନୁନ୍‌ଗୋ ଗାନ୍ଧିଜୀଙ୍କ ପାଖେ ପାଖେ ରହି ଅନୁଗୁଳରୁ ପୁରୀ ପର୍ଯ୍ୟନ୍ତ ଗସ୍ତ କଲେ । ତାଙ୍କ ଗସ୍ତର ସମସ୍ତ ସଭା ସମିତିର ବାର୍ତ୍ତା ସମାଜକୁ ପଠାଇବେ । ଶ୍ରୀ କାନୁନ୍‌ଗୋ ଗାନ୍ଧିଜୀଙ୍କ ପାଖେ ପାଖେ ରହି ଅନୁଗୁଳରୁ ପୁରୀ ପର୍ଯ୍ୟନ୍ତ ଗସ୍ତ କଲେ । ତାଙ୍କ ଗସ୍ତର ସମସ୍ତ ସଭା ସମିତିର ବାର୍ତ୍ତା ‘ସମାଜ’କୁ ପଠାଇଲେ । ମହାତ୍ମା ଗାନ୍ଧୀ ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ପଦଯାତ୍ରା କଲେ ଯାହାର ନାମ ଦିଆଗଲା ‘ପ୍ରଚଣ୍ଡ ପଦଯାତ୍ରା’ ଏହି ପଦଯାତ୍ରାରେ ବି ବିନୋଦବାବୁ ସାମ୍ବାଦିକ ଭାବରେ ସମସ୍ତ ବିବରଣୀ ଅତି ନିଖୁଣ ଭାବରେ ‘ସମାଜ’କୁ ପଠାଇଲେ- ତାହା ‘ସମାଜକ’ରେ ପ୍ରକାଶ ପାଇଲା- ସାରା ଓଡ଼ିଶାର ଲୋକେ ଗାନ୍ଧିଜୀଙ୍କ ବାର୍ତ୍ତା ପାଇଲେ । ଏହି ଯାତ୍ରା ବିଷୟରେ ସେ ଖଣ୍ଡିଏ ବହି ଲେଖିଥିଲେ ଯାହା ସମାଜ ତରଫରୁ ୧୯୪୯ ମସିହାରେ ପ୍ରକାଶ ପାଇଥିଲା । ଏହାର ନାମ ‘ବାପୁଜୀଙ୍କ ଉତ୍କଳର ପଦଯାତ୍ରା’-

 

ବାପୁଜୀଙ୍କ ଏହି ପଦଯାତ୍ରା ସମୟରେ ବିନୋଦବାବୁଙ୍କର ଗାନ୍ଧୀଙ୍କ ସହ ପରିଚୟ ହୋଇଗଲା । ଗାନ୍ଧିଜୀ ଉପଦେଶ ଦେଲେ ଯେ, ଜଣେ ଜଣେ ସ୍ଵାଧୀନତା ସଂଗ୍ରାମୀ ଯାଇ ଗୋଟିଏ ଗୋଟିଏ ଗ୍ରାମରେ ବସିପଡ଼ି ଭବିଷ୍ୟତର ସଂଗ୍ରାମ ପାଇଁ ଲୋକମାନଙ୍କୁ ଶିକ୍ଷା ଓ ପ୍ରେରଣା ଦିଅନ୍ତୁ । ଏହା ଶୁଣି ଗୋପବନ୍ଧୁ ଚୌଧୁରୀ ପ୍ରସ୍ତାବ ଦେଲେ ଯେ, ବରୀ ଅଞ୍ଚଳରେ (ବର୍ତ୍ତମାନ ଯାଜପୁର ଜିଲ୍ଲା) ସେ ରହି ଏହି କାର୍ଯ୍ୟଟି ନିର୍ବାହ କରିବେ । ତାଙ୍କ ସହିତ ତାଙ୍କ ପତ୍ନୀ ରମାଦେବୀ ଯିବେ । ଅନ୍ୟ ଝିଅ ବୋହୂମାନେ ଯେଉଁମାନେ ରମାଦେବୀଙ୍କ ସହ ସହଯୋଗ କରୁଥିଲେ ସେମାନେ ମଧ୍ୟ ଯିବାକୁ ଇଚ୍ଛା ପ୍ରକାଶ କଲେ । କିନ୍ତୁ ଗାନ୍ଧିଜୀ ନିଜ ଅଭିଜ୍ଞତାରୁ କହିଲେ ଯେ, ଝିଅମାନେ ଯାଆନ୍ତୁ, କିନ୍ତୁ କେଇଜଣ ପୁଅକର୍ମୀ ରହିଲେ କାର୍ଯ୍ୟକ୍ରମ ଚଳାଇବାକୁ ସୁଗମ ହେବ । ଗାନ୍ଧିଜୀ ବିନୋଦବାବୁଙ୍କୁ କହିବା ମାତ୍ରେ ସେ ରାଜି ହୋଇଗଲେ । ବରୀ ଆଶ୍ରମରେ ପାଞ୍ଚବର୍ଷ ରହି ସେ ରଚନାତ୍ମକ କାର୍ଯ୍ୟକଲେ । ଗାନ୍ଧିଜୀଙ୍କ ଆଦେଶରେ ତାଙ୍କର ବରୀ ଆଶ୍ରମରେ ରହଣୀ ତାଙ୍କ ଜୀବନକୁ ଏକ ଭିନ୍ନ ମୋଡ଼ ଦେଲା । ସେଠି ସେ ରହି ବଗିଚା କାମ କରିବା, ମହୁଚାଷ କରିବା, ତାଳଗୁଡ଼ ତିଆରି କରିବା, ଗୋପାଳନ କରିବା, ସୂତା କାଟିବା, ଖଦଡ଼ ଲୁଗା ବୁଣିବା, ରୋଗୀ ସେବା କରିବା ଆଦି ଶିକ୍ଷା ଲାଭ କରିବା ସହିତ ସାଧାରଣ ଲୋକଙ୍କ ସହ ମିଶି ସେମାନଙ୍କର ସମସ୍ୟା ବୁଝି ତାହାର ସମାଧାନ କରିବାର ବାଟ ପାଇବାର କଳା ଆୟତ କଲେ । ତାଙ୍କର ସେହି ଅଭିଜ୍ଞତା ତାଙ୍କ ଜୀବନର ଶେଷଦିନ ପର୍ଯ୍ୟନ୍ତ ସଠିକ୍‌ଭାବରେ ଚାଲିବାକୁ ପଥ ଦେଖାଇଲା । ବିନୋଦ କାନୁନ୍‌ଗୋ କୁହନ୍ତି ବରୀକୁ ସେ ଯାଇ ନ ଥିଲେ ସ୍ୱାଧୀନତା ପରବର୍ତ୍ତୀ ଜୀବନରେ ସେ ଚେଷ୍ଟା କରି ଥାନ୍ତେ ଜିଲା ବୋର୍ଡ଼ ସଦସ୍ୟ ହେବା ପାଇଁ ଅବା ବିଧାନସଭା ବା ପାର୍ଲାମେଣ୍ଟର ସଦସ୍ୟ ହେବା ପାଇଁ- ସେ ଦେଶ ପାଇଁ ଯେଉଁ ଜ୍ଞାନର ସେବା କରିଗଲେ ତାହା ସେ କରି ପାରି ନ ଥାନ୍ତେ । ଏଥିପାଇଁ ସେ ଗାନ୍ଧିଜୀଙ୍କୁ ବି ଶ୍ରେୟ ଦେଇଛନ୍ତି- ତାଙ୍କରି ପ୍ରେରଣା ତାଙ୍କୁ ‘ଜ୍ଞାନମଣ୍ଡଳ’ ରଚନା କରିବାରେ ଶକ୍ତି, ସାହସ ଓ ସାମର୍ଥ୍ୟ ଦେଇଛି । ସ୍ଵାଧୀନତା ପରେ ଅଧିକାଂଶ ସ୍ୱାଧୀନତା ସଂଗ୍ରାମୀ ଯେତେବେଳେ ପ୍ରାଣପାତ ଉଦ୍ୟମ କଲେ ବିଧାୟକ ବା ସାଂସଦ, ମନ୍ତ୍ରୀ ହେବା ପାଇଁ ଅବା ରାଜ୍ୟପାଳ ହେବା ପାଇଁ ସେତେବେଳେ ରଚନାତ୍ମକ କାମ ପାଇଁ ଗାନ୍ଧିଜୀଙ୍କ ଦ୍ଵାରା ପ୍ରଭାବିତ ହୋଇ ଜୀବନଟା ବିତାଇ ଦେଇଥିବାରୁ ଗାନ୍ଧିଜୀଙ୍କୁ ଅକୁଣ୍ଠ ଚିତ୍ତରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ବିନୋଦ କାନୁନ୍‌ଗୋଙ୍କର ଏହି କୃତଜ୍ଞତା ହେଉଛି ଗାନ୍ଧିଜୀଙ୍କ ରଣ ପରିଶୋଧ କରିବାର ପ୍ରତୀକ ।

 

୧୯୪୨ ଭାରତ ଛାଡ଼ ଆନ୍ଦୋଳନ ବେଳେ ଗାନ୍ଧିଜୀଙ୍କ ସମେତ ଦେଶର ବହୁ ନେତା ଜେଲ ଯାଇଥାନ୍ତି । ୧୯୪୪ରେ ବ୍ରିଟିଶ ସରକାର ଅଟକବନ୍ଦୀମାନଙ୍କୁ ଜେଲରୁ ମୁକ୍ତି କଲେ । ଗାନ୍ଧିଜୀ ମଧ୍ୟ ମୁକ୍ତ ହେଲେ । ସେ ସେବାଗ୍ରାମକୁ ପ୍ରାୟ ଶହେଜଣ ବ୍ୟକ୍ତିଙ୍କୁ ଡକାଇଲେ । ସେହି ଶହେ ଜଣଙ୍କ ମଧ୍ୟରେ ଥିଲେ ବିନୋଦ କାନୁନ୍‌ଗୋ ଅନ୍ୟତମ । ତାଙ୍କ ସହିତ ଥାନ୍ତି ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ । ଗାନ୍ଧିଜୀ ସେହି ସଭାରେ କହିଲେ, ‘‘ଜଣେ ଜଣେ କର୍ମୀ ଗୋଟିଏ ଗୋଟିଏ ସ୍ଥାନରେ ରହିବେ । ସେମାନେ ସେହି ଅଞ୍ଚଳର ହେବେ ପଥ ପ୍ରଦର୍ଶକ । ସେ ଅଞ୍ଚଳବାସୀଙ୍କୁ ରଚନାତ୍ମକ କାମ ଶିଖାଇବେ । ଲୋକଙ୍କ ଭଲ ମନ୍ଦ କାମରେ ସାମିଲ ହେବେ । ଜମିଦାର ଓ ପୋଲିସର ଅତ୍ୟାଚାରର ପ୍ରତିରୋଧ କରିବାର ଆତ୍ମବିଶ୍ଵାସ ଓ ସାହସ ଲୋକମାନଙ୍କୁ ଦେବେ । ସେହିମାନଙ୍କର ଚଳିବା ପାଇଁ ମାସକୁ ଏକଶହ ଟଙ୍କା କରି ନିଜେ ଦେବେ ବୋଲି ଗାନ୍ଧିଜୀ କହିଲେ । ପ୍ରତିବର୍ଷ ଏହି ସାହାଯ୍ୟ ୨୦ ପ୍ରତିଶତ ହ୍ରାସ ପାଇ ପାଞ୍ଚବର୍ଷ ପରେ ବନ୍ଦ କରାଯିବ । ଏହା ମଧ୍ୟରେ ସ୍ଵାବଲମ୍ବୀ ହେବା ପାଇଁ ସେମାନେ ବିକଳ୍ପ ବ୍ୟବସ୍ଥା କରିପାରିଥିବେ ନିଶ୍ଚୟ । ପୁନଶ୍ଚ ଗାନ୍ଧିଜୀ ଦୃଢ଼ତାର ସହ କହିଥିଲେ, ‘‘ଭାରତ ନିଶ୍ଚୟ ସ୍ୱାଧୀନ ହେବ । ମୁଁ ଇଂରେଜ ଜାତିକୁ ଜାଣେ । ସେମାନେ ଆଉ ଭାରତରେ ରହିବା ପାଇଁ ଇଚ୍ଛା କରିବେ ନାହିଁ । ଭାରତର ଲୋକଙ୍କ ସଦିଚ୍ଛା ସେମାନେ ଲୋଡ଼ୁଛନ୍ତି । ନ ହେଲେ ପୃଥିବୀର ଏତେବଡ଼ ବଜାରଟାଏ ସେମାନେ ଯେ ହରାଇ ବସିବେ ।’’

 

ଗାନ୍ଧିଜୀ ଏହି କାର୍ଯ୍ୟ ପାଇଁ ଓଡ଼ିଶାରୁ ତିନିଜଣଙ୍କୁ ବାଛିଥିଲେ- ସେହିମାନଙ୍କ ମଧ୍ୟରୁ ବିନୋଦ କାନୁନ୍‌ଗୋ ଥିଲେ ଜଣେ । ଗାନ୍ଧିଜୀଙ୍କ ପ୍ରେରଣାରେ ଉତ୍ସାହିତ ହୋଇ ସେ ନିଜ ଗାଁ ମଲ୍ଲୀପୁରରେ ରହି ରଚନାତ୍ମକ କାମ କରିବାକୁ ମନସ୍ଥ କଲେ । ସେ ନିଜ ପତ୍ନୀ ଶଶୀବାଳାଙ୍କ ସହ ଗାଁରେ ରହି ସମାଜ ସେବା କାମ ଆରମ୍ଭ କଲେ । ଜମିଦାର, ଗାଁ ମାମଲତକାର, ପୋଲିସ ଆଦି ତାଙ୍କୁ ଶତ୍ରୁ ବୋଲି ଭାବିଲେ ବି ବିନୋଦ ତାଙ୍କ କାମ ଜାରି ରଖିଲେ । ବିଶେଷକରି ଅସ୍ପୃଶ୍ୟତା ନିବାରଣ କାର୍ଯ୍ୟ ଯୋଗୁଁ ଅନେକ ଲୋକ ତାଙ୍କୁ ବିରୋଧ କଲେ । ୧୯୪୭ ମସିହାରେ ଦେଶ ସ୍ଵାଧୀନ ହେଲା । ଗାନ୍ଧୀ ସେବାଗ୍ରାମକୁ କର୍ମୀମାନଙ୍କୁ ଡାକିଲେ । ସ୍ଵାଧୀନତାର ପରବର୍ତ୍ତୀ କାଳରେ ସେମାନଙ୍କର କାମ କ’ଣ ହେବ ତାହା ବୁଝାଇଲେ । ୧୯୪୮ ଫେବୃୟାରୀ ପ୍ରଥମ ସପ୍ତାହରେ ପରବର୍ତ୍ତୀ ସଭା ହେଲେ ନୂତନ ବିସ୍ତୃତ କାର୍ଯ୍ୟକ୍ରମ ସମସ୍ତଙ୍କୁ ଅବଗତ କରାଯିବାର ଠିକ୍‌ ହେଲା । କିନ୍ତୁ ଭାଗ୍ୟର ବିଡ଼ମ୍ବନା ୧୯୪୮ ଜାନୁୟାରୀ ୩୦ ତାରିଖରେ ଗାନ୍ଧିଜୀଙ୍କୁ ହତ୍ୟା କରାଗଲା । ସବୁ ସ୍ଵପ୍ନ ଚୁରମାର ହୋଇଗଲା । ବିନୋଦବାବୁ ଗାନ୍ଧିଜୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଗାଁରେ ଦଶବର୍ଷ କଟାଇବା ପାଇଁ ତାହା ୧୯୫୪ରେ ପୂରଣ ହେବାରୁ ସେ ଗାଁ ଛାଡ଼ି କଟକ ସହରକୁ ଆସି ନିଜର ଅବଶିଷ୍ଟ ଜୀବନକୁ ସାହିତ୍ୟ ସେବାରେ ଉତ୍ସର୍ଗ କଲେ ।

 

ସେ ପ୍ରାୟ ଦଶବର୍ଷ କାଳ ଗାଁରେ ରହିଲେ- ସେତେବେଳେ ସେ ପ୍ରକୃତ ପକ୍ଷେ ଜଣେ ମୂଲିଆର ଜୀବନ ଯାପନ କରିଥିଲେ ବୋଲି ଲେଖିଛନ୍ତି । ସେ କହନ୍ତି, ‘‘ହଳ କରିବା, ମହୀରେ ଚଢ଼ିବା, ବେଉଷଣକରିବା, ତଳି ଉପାଡ଼ି ରୋଇବା, ଭଲ ବଗିଚା କରି ଆଖି ଲୋଭାଇଲା ଯିବା ଭଳି ଟମାଟୋ, କୋବିଅମଳ କରିବା, ଗୋରୁ ଜଗିବା ପାଇଁ ଗାଈଆଳମାନଙ୍କୁ ତାଲିମ ଦେବା ଓ ନିଜେ ପ୍ରତିଦିନ ଅନ୍ତତଃ ତିନିଚାରିଜଣଙ୍କ ଗୋରୁ ଚରାଇବା ଇତ୍ୟାଦି ଯେ କୌଣସି କାମକୁ ନିଖୁଣ ଭାବରେ କରିବାର ଯୋଗ୍ୟତା ହାସଲ କଲି, ସେହି ଯୋଗ୍ୟତା ଓ ସେହି ସାମର୍ଥ୍ୟ ମୋତେ ସାହାଯ୍ୟ କଲା ପରବର୍ତ୍ତୀ ଜୀବନକାଳର ତିରିଶ ବର୍ଷର ସାହିତ୍ୟିକ ଜୀବନରେ ।’’

 

ଯେଉଁସବୁ କାମ ସେ ଗାଁରେ ଥିବାବେଳେ କରିଥିଲେ ତାହା ସାଧାରଣ ଲୋକଙ୍କ ଦୃଷ୍ଟିରେ ତୁଚ୍ଛ କାମ ବୋଲି ଧରାଯାଏ । କିନ୍ତୁ ଶ୍ରୀ କାନୁନ୍‌ଗୋ କୌଣସି କାମକୁ ତୁଚ୍ଛ ବୋଲି ଭାବୁ ନ ଥିଲେ-ଜଣେ ଯେଉଁ ସବୁ କାମ କରୁ ଯଦି ସେ ତାକୁ ଆନ୍ତରିକତାର ସହ ଓ ନିଷ୍ଠାର ସହ ସମ୍ପାଦନ କରେ ଭବିଷ୍ୟତରେ ତାକୁ ଯେକୌଣସି କାମ ଦିଆଯିବ ସେ ସଠିକ୍‌ ଭାବରେ କରିପାରିବ । ସେ ଗାଁରେ ରହି ଜଣେ ସାଧାରଣ ମୂଲିଆ ପରି ଜୀବନଯାପନ କରି ଯେଉଁ ଆତ୍ମବିଶ୍ଵାସ ପାଇଲେ ଯାହାକି ତାଙ୍କୁ ପରବର୍ତ୍ତୀ କାଳରେ ଜ୍ଞାନମଣ୍ଡଳ ରଚନା ପାଇଁ ଅଭୂତପୂର୍ବ ପ୍ରେରଣା ଯୋଗାଇଲା । ତାହାର ଶ୍ରେୟ ସେ ଦେଇଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ । ସେଥିପାଇଁ ସେ ଋଣୀ ହୋଇଛନ୍ତି ଗାନ୍ଧିଜୀଙ୍କ ନିକଟରେ ।

 

ପୁନଶ୍ଚ ସେ ଉଲ୍ଲେଖ କରିଛନ୍ତି ଜ୍ଞାନମଣ୍ଡଳର ଭାଷା ଓ ଉପସ୍ଥାପନର ଯେଉଁ ଶୈଳୀ ସେ ଆପଣେଇଛନ୍ତି ତାହା ମଧ୍ୟ ଗାନ୍ଧିଜୀଙ୍କ ଅବଦାନ । ଗୋଟିଏ ଅବଦାନ ହେଲା ‘ହରିଜନ’ ଓ ‘ୟଙ୍ଗଇଣ୍ଡିଆ’ ପତ୍ରିକାରେ ଗାନ୍ଧୀ ଅତି ସରଳ ବୋଧଗମ୍ୟ ଭାଷାରେ ସାଧାରଣ ଲୋକ ବୁଝିପାରିବା ଭଳି ଶୈଳୀରେ ଲେଖାମାନ ଲେଖିଥିଲେ । ସେହିପରି ସରଳ ଭାଷାରେ ଓ ସାଧାରଣ ପାଠକଟିଏ ବୁଝିବା ଭଳି ଶୈଳୀରେ ସେ ଜ୍ଞାନମଣ୍ଡଳ ରଚନା କଲେ । ଦ୍ୱିତୀୟ ଅବଦାନ ହେଲା ମଣିଷ ଯେତେବେଳେ ଯେଉଁ କାମଟି କରୁଛି ସେ ଚିନ୍ତା କରିବା ଉଚିତ ସେହି କାମ ଦ୍ଵାରା ସାଧାରଣ ଲୋକଟିର କିଛି ଉପକାର ହେବ କି- ଏକଥା ଗାନ୍ଧିଜୀ ସର୍ବଦା କହୁଥିଲେ । ବିନୋଦବାବୁ ଏହାକୁ ଆଦର୍ଶ ମଣି ୧୯୫୪ ମସିହାରେ ଜାନୁୟାରୀ ପହିଲାରେ ଗାଁ ଛାଡ଼ି କଟକ ଆସି ‘ଜ୍ଞାନମଣ୍ଡଳ’, ରଚନା କରିବାରେ ଲାଗିପଡ଼ିଲେ । ‘ଜ୍ଞାନମଣ୍ଡଳ’ ରଚନା ପରି ଏକ ଜାତୀୟ କାର୍ଯ୍ୟ କରି ସେ ଆଜି ଓଡ଼ିଆ ଭାଷା ଓ ଜାତିକୁ ଯେଉଁ ଅନବଦ୍ୟ ଅବଦାନ ଦେଇ ଯାଇଛନ୍ତି, ତାହା ଗାନ୍ଧିଜୀଙ୍କ ଯୋଗୁଁ ସମ୍ଭବ ହୋଇଛି ବୋଲି ମୁକ୍ତ କଣ୍ଠରେ ସ୍ଵୀକାର କରି ସେ ତାଙ୍କ ଆତ୍ମଜୀବନୀରେ ଲେଖି ସାଧାରଣ ଲୋକଙ୍କୁ ଜଣାଇ ନିଜର ଋଣ ଭାର ପରିଶୋଧ କରିବାକୁ ଆନ୍ତରିକ ଉଦ୍ୟମ କରିଛନ୍ତି ।

 

ପ୍ରଫେସର ପଣ୍ଡିତ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ଯେ କି ସାରଳା ମହାଭାରତ ସମ୍ପାଦନା କରି ଓଡ଼ିଶାର ଘରେ ଘରେ ପରିଚିତ ଓ ପ୍ରାଚୀ ସମିତିର ପ୍ରତିଷ୍ଠାତା, ସେ ହେଉଛନ୍ତି ବିନୋଦ କାନୁନ୍‌ଗୋଙ୍କ ମାମୁଁ । ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସାହାଯ୍ୟ, ସହଯୋଗ, ସ୍ନେହ, ଶ୍ରଦ୍ଧା ନ ପାଇଥିଲେ ହୁଏତ ବିନୋଦ କାନୁନ୍‌ଗୋ ଆଜିର ବିନୋଦ କାନୁନ୍‌ଗୋ ହୋଇ ପାରି ନ ଥାନ୍ତେ- ବିନୁ ନାମରେ ଗାଁ ଗହଳରେ ରହି ସାଧାରଣ ମଣିଷଟିଏ ପରି ବଣମଲ୍ଲୀ ପରି ମଉଳି ଯାଇଥାନ୍ତେ । ସ୍ଵାଧୀନତାର ପୂର୍ବବର୍ତ୍ତୀ ସମୟରେ ବହୁ ସମ୍ଭ୍ରାନ୍ତଘରର ଲୋକେ ନିଜର ବଡ଼ପଣିଆ ଦେଖାଇ ଅତି ଅୟସରେ ରହି ଅଫିମ ନିଶା କରି ସର୍ବସ୍ୱାନ୍ତ ହୋଇଥିବା ଅନେକ ଉଦାହରଣ ଅଛି । ସେହିପରି ବିନୋଦବାବୁ ଯଦିଓ ଏକ ସମ୍ଭ୍ରାନ୍ତ ବଂଶରେ ଜନ୍ମ ହୋଇଥିଲେ- କିନ୍ତୁ ତାଙ୍କର ପିତା କେଶବ ଚରଣ କାନୁନ୍‌ଗୋ ଜେଜେବାପା ଜଗଦୀଶ କାନୁନ୍‌ଗୋଙ୍କ ମୃତ୍ୟୁ ପରେ ଅଫିମ ନିଶାରେ ମଜି ଯାଇ ସାଙ୍ଗସାଥୀ ମେଳରେ ଲୁଚାଇ ଚୋରାଇ ଅଫିମ ଖାଇ ଶେଷରେ ସର୍ବସ୍ୱାନ୍ତ ହୋଇଗଲେ । ପିଲାମାନଙ୍କୁ ପାଠ ପଢ଼ାଇବାରେ ଏବଂ ଦୁଇବେଳା ପେଟ ପୂରାଇ ଖାଇବାକୁ ଦେବା ମଧ୍ୟ ସମସ୍ତ ଶକ୍ତି ହରାଇଲେ । ଏହି ସ୍ଥିତିରେ ନିଜର ମାତାଙ୍କ ଦୂରଦୃଷ୍ଟି ଯୋଗୁ ମାମୁଁଙ୍କର ଗାଁ ନାଗଣପୁରକୁ ଛ’ବର୍ଷ ବୟସରେ ଚାଲି ଆସିଲେ ସେଠି ରହି ଭଲରେ ପାଠ ପଢ଼ିବା ପାଇଁ । ତାଙ୍କ ପିତା କିନ୍ତୁ ମାମୁଁ ଘରକୁ ପଠାଇବାକୁ ବିରୋଧ କରୁଥାନ୍ତି । କିନ୍ତୁ ମାତା ତାଙ୍କର ସବୁ ବିରୋଧ ସତ୍ତ୍ୱେ କାଇଦା କଟକଣା କରି ବିନୋଦକୁ ପଠାଇ ଦେଇଥିଲେ । ମାମୁଁ ଘରେ ରହି ୧୯୧୭ରୁ ୧୯୨୨ ମସିହା ମଧ୍ୟରେ ପ୍ରାଥମିକ ଶିକ୍ଷା ଶେଷ କଲେ । ନାଗଣପୁର ପାଖରେ ମାଇନର ସ୍କୁଲ ନ ଥିଲା । ଠିକ୍‌ ହେଲା ବିନୋଦ କଟକ ଯାଇ ମାମୁଁଙ୍କ ପାଖରେ ରହି ପାଠପଢ଼ିବ । ତାଙ୍କ ମାଇଁ ବି ସେତେବେଳେ ମାମୁଁଙ୍କ ପାଖରେ ନ ରହି ଗାଁରେ ରହୁଥିଲେ । ତାଙ୍କ ପୁଅକୁ ମଧ୍ୟ ଚାରିବର୍ଷ ପୂରି ଗଲାଣି । ଶେଷରେ ନିଷ୍ପତ୍ତି ହେଲା ମାଇଁ ବି କଟକ ଯାଇ ମାମୁଁଙ୍କ ପାଖରେ ରହିବେ । ବିନୋଦ କଟକ ଆସି ରେଭେନ୍‌ସା କଲେଜ ହତାର ମାମୁଁ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ କ୍ଵାଟରରେ ରହିଲେ । ସେ ସେତେବେଳେ ଥାନ୍ତି ରେଭେନ୍‌ସା କଲେଜର ସଂସ୍କୃତ ବିଭାଗର ମୁଖ୍ୟ । ମାମୁଁ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଯୋଗୁଁ ତାଙ୍କ ପାଠ ପଢ଼ା କେବଳ ସମ୍ଭବ ହେଲା ନାହିଁ- ରେଭେନ୍‌ସା କଲେଜର ହତା ମଧ୍ୟରେ ମାମୁଁ ଘରେ ରହି ପାଠ ପଢ଼ିବା ଯୋଗୁଁ ସେ ସେ ସମୟର ବିଜ୍ଞ ଅଧ୍ୟାପକମାନଙ୍କ ସହ ଓ ରେଭେନ୍‌ସା କଲେଜର ବହୁ ମେଧାବୀ ଛାତ୍ରମାନଙ୍କ ସହ ପରିଚିତ ହୋଇଗଲେ । ସେ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଭଣଜା ହୋଇଥିବାରୁ ତତ୍‌କାଳୀନ ଆଉସବୁ ପ୍ରସିଦ୍ଧ ଅଧ୍ୟାପକଙ୍କର ଭଣଜା ଲେଖା ହୋଇଗଲେ । ସେମାନଙ୍କ ଘରକୁ ଯାଆସ କଲେ- ସେମାନଙ୍କର ସ୍ନେହ ଭାଜନ ହେଲେ- ସେମାନଙ୍କର ଆଦର୍ଶଦ୍ୱାରା ଅନୁପ୍ରାଣିତ ହେଲେ । ଭାରତର ଖ୍ୟାତନାମା ଉଭିଦ ବିଜ୍ଞାନୀ ଓ ଶିକ୍ଷାବିତ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କର ସେ ହୋଇଗଲେ ଆଦରର ଭଣଜା । ତାଙ୍କର ଆଦର୍ଶ ଓ ନିଷ୍ଠା ଏବଂ ଭାରତୀୟ ପରମ୍ଫରା ପ୍ରତି ଥିବା ପ୍ରଗାଢ଼ ବିଶ୍ୱାସ ବିନୋଦ୍‌ଙ୍କ ଉପରେ ଗଭୀର ପ୍ରଭାବ ପକାଇଲା । ଯଦିଓ ବିନୋଦ କାନୁନ୍‌ଗୋ ନବମ ଶ୍ରେଣୀ ପରେ ପାଠ ଛାଡ଼ିଦେଇ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ, କିନ୍ତୁ ସେ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଭଣଜା ହୋଇଥିବାରୁ ଆଉ ସ୍କୁଲରେ ପାଠ ପଢ଼ିବାବେଳେ ରେଭେନ୍‌ସା କଲେଜ ହତାରେ ମାମୁଁଙ୍କ କ୍ଵାଟରରେ ରହୁଥିବାରୁ ସେତେବେଳେ କଲେଜରେ ପାଠ ପଢୁଥିବା ବହୁ ମେଧାବୀ ଛାତ୍ରଙ୍କ ସହ ପରିଚିତ ହୋଇ ପାରିଥିଲେ । ପରବର୍ତ୍ତୀ ଜୀବନରେ ସେମାନେ ହେଲେ ଖ୍ୟାତନାମା ପ୍ରଫେସର, ପ୍ରଶାସକ, ବୈଜ୍ଞାନିକ, ବିଚାରପତି, ଡାକ୍ତର, ଓକିଲ, ରାଜନୀତିଜ୍ଞ ଇତ୍ୟାଦି । ସେମାନଙ୍କ ମଧ୍ୟରୁ କେତେଜଣ ହେଲେ ଡକ୍ଟର ସଦାଶିବ ମିଶ୍ର, ଜଷ୍ଟିସ ହରିହର ମହାପାତ୍ର ଶ୍ୟାମସୁନ୍ଦର ମିଶ୍ର, ଦୀନବନ୍ଧୁ ସାହୁ, ଭଗବତୀ ପାଣିଗ୍ରାହୀ ଓ ରତ୍ନାକର ଷଡ଼ଙ୍ଗୀ । ସେମାନଙ୍କ ସହ ରେଭେନ୍‌ସା କଲେଜ ହତାରେ ଥିବାବେଳେ ପରିଚିତ ହୋଇ ଥିବାରୁ ପରବର୍ତ୍ତୀ ଜୀବନରେ ସେମାନଙ୍କ ଦ୍ଵାରା ଉପକୃତ ହୋଇଥିବା ସେ ରଣ ପରିଶୋଧରେ ସ୍ଵୀକାର କରିଛନ୍ତି । ଏହା ସମ୍ଭବ ହୋଇଛି ମାମୁଁ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଯୋଗୁଁ । ତାଙ୍କର ଋଣ ଏତେ ଅସୀମ ଯେ ସେ ତାହା ପରିଶୋଧ କରିପାରିବେ ନାହିଁ ବୋଲି ଅତି ନମ୍ରତାର ସହ ସ୍ଵୀକାର କରିଛନ୍ତି ‘ରଣ ପରିଶୋଧ’ରେ । କିନ୍ତୁ ସେହି ଆତ୍ମଜୀବନୀ - ‘ଋଣ ପରିଶୋଧ’ରେ ସେ ମାମୁଁଙ୍କ ସାହାଯ୍ୟ, ସହଯୋଗ ସ୍ନେହ, ଆଶୀର୍ବାଦ କଥା ଯେପରି ଭାବରେ ନିଜର ହୃଦୟର ଗଭୀରତମ ପ୍ରଦେଶରୁ ଉପସ୍ଥାପନ କରିଛନ୍ତି ଆଜି ମାମୁଁ ସ୍ଵର୍ଗରେ ଥାଇ ବି ତାହା ପଢ଼ି ଆନନ୍ଦାଶ୍ରୁ ଢାଳୁଥିବେ । ତାଙ୍କ ସ୍ନେହ, ଶ୍ରଦ୍ଧା, ସାହାଯ୍ୟର ଅମର୍ଯ୍ୟାଦା ଭଣଳା କରି ନାହାଁନ୍ତି ବୋଲି ଆତ୍ମସନ୍ତୋଷ ଲାଭ କରୁଥିବେ । ପ୍ରାଠପଢ଼ା ଛାଡ଼ି ସ୍ଵାଧୀନତା ଆନ୍ଦୋଳନରେ ଝାସ ଦେଲେ ବୋଲି ଆର୍ତ୍ତବାବୁ ଅସନ୍ତୁଷ୍ଟ ହୋଇଥିଲେ’ କିନ୍ତୁ ‘ଜ୍ଞାନମଣ୍ଡଳ’ର ପ୍ରଥମ ଖଣ୍ଡର ଉଦ୍‌ଘାଟନ ଉତ୍ସବରେ ଭଣଜାର କୃତି ଦେଖି ଆତ୍ମବିଭୋର ହୋଇ କାନ୍ଦି ପକାଇବା ପ୍ରମାଣ କରିଦିଏ ଯେ, ଭଣଜା ତାଙ୍କର ସମସ୍ତ ଋଣ କଡ଼ା ଗଣ୍ଡା କରି ପରିଶୋଧ କରି ଦେଇଛି ।

 

ଡକ୍ଟର ପ୍ରାଣକୃଷ୍ଣ ପରିଜା ଓଡ଼ିଆ ଜାତିର ଗର୍ବ ଓ ଗୌରବ । ସେ କେବଳ ଜଣେ ଉଚ୍ଚଶିକ୍ଷିତ, ବୈଜ୍ଞାନିକ ଓ ଶିକ୍ଷାବିତ ନ ଥିଲେ, ଜଣେ ଅତି ଉଚ୍ଚକୋଟୀର ସଚ୍ଚୋଟ ସ୍ନେହୀ, ନ୍ୟାୟପରାୟଣ, ଭାରତୀୟ ସଂସ୍କୃତିପ୍ରେମୀ ମଣିଷ ଥିଲେ । ସେ ବିପଦବେଳେ ଧୈର୍ଯ୍ୟ ହରାଉ ନ ଥିଲେ ନା ସଂପଦବେଳେ ଆତ୍ମହରା ହେଉ ନ ଥିଲେ । ସେ ଥିଲେ ସ୍ଥିତପ୍ରଜ୍ଞ ମଣିଷ । ଏକଥା ତାଙ୍କ ଚରିତ୍ରର ଅନୁଧ୍ୟାନ କରିଛନ୍ତି ବିନୋଦ କାନୁନ୍‌ଗୋ । ଆର୍ତ୍ତବାବୁଙ୍କ ଭଣଜା ହୋଇଥିବା ଯୋଗୁଁ ଆଉ ଇଷ୍ଟହଷ୍ଟେଲରେ ରହି ସ୍କୁଲରେ ପାଠ ପଢ଼ିବାବେଳେ ସେ ସୁଯୋଗ ପାଇଛନ୍ତି ଆର୍ତ୍ତବାବୁଙ୍କ ସହକର୍ମୀ ଅଧ୍ୟାପକ ପ୍ରାଣକୃଷ୍ଣ ପରିଜାଙ୍କ ପରିବାର ସହ ମିଶିବା ପାଇଁ । ସେ ମଧ୍ୟ ପରିଜା ସାହେବଙ୍କର ଅତି ପ୍ରିୟ ଭଣଜା ହୋଇ ଯାଇଛନ୍ତି । ପରିଜା ସାହେବଙ୍କର ପତ୍ନୀ ସୁନ୍ଦରମଣି ଦେବୀଙ୍କର ସେ ମଧ୍ୟ ହୋଇ ଯାଇଛନ୍ତି ଅତି ଆଦରର ଭଣଜା ବିନୋଦ । ଏହି ସୁଯୋଗରେ ସେ ତାଙ୍କ ପରିବାର ସହ ମିଶି ପରିଜା ସାହେବଙ୍କ ପତ୍ନୀଙ୍କ ଚାଲିଚଳଣକୁ ଅତି ନିକଟରୁ ଅନୁଧ୍ୟାନ କରି ଋଣ ପରିଶୋଧରେ ସେମାନଙ୍କର ମହାନୁଭବତା, ମଣିଷପଣିଆ, ସ୍ନେହ, ଶ୍ରଦ୍ଧା ଆଦି ଲୋକ ଲୋଚନକୁ ଆଣିଛନ୍ତି । ଯେଉଁ ମହାନୁଭବତା ହୁଏତ ଲୋକ ଲୋଚନକୁ ଆସି ପାରି ନ ଥାନ୍ତା । ପରିଜା ସାହେବ ଜ୍ଞାନମଣ୍ଡଳ ରଚନା କଥା ଜାଣି ସାରିବା ପରେ ସେ ଅକୁଣ୍ଠିତ ଚିତ୍ତରେ ସେହି କାର୍ଯ୍ୟରେ ସାହାଯ୍ୟର ହାତ-ଆର୍ଥିକ କ୍ଷେତ୍ରରେ ଓ ଜ୍ଞାନ ବିତରଣ କ୍ଷେତ୍ରରେ ବଢ଼ାଇବା ପାଇଁ ଆଗଭର ହୋଇଛନ୍ତି । ଯଦିଓ ବିନୋଦବାବୁ ଆର୍ଥିକ ସାହାଯ୍ୟକୁ ଏଡ଼ାଇ ଯାଇଛନ୍ତି, କିନ୍ତୁ ତାଙ୍କର ଜ୍ଞାନର ସାହାଯ୍ୟକୁ ଅକୁଣ୍ଠିତ ଚିତ୍ତରେ ଗ୍ରହଣ କରିଛନ୍ତି । ପରିଜା ସାହେବଙ୍କ ନିକଟରେ ବିଜ୍ଞାନ ସମ୍ବନ୍ଧୀୟ ଥିବା ବହୁ ଆନ୍ତର୍ଜାତୀୟ ପତ୍ରିକା ଜ୍ଞାନମଣ୍ଡଳକୁ ଦେଇଛନ୍ତି । ସେହି ପତ୍ରିକାମାନଙ୍କ ମଧ୍ୟରୁ ‘ସାଇଣ୍ଟିଫିକ୍‌ ଆମେରିକାନ’ ଓ ‘ସାଇନ୍‌ସ’ର ନାମ ଉଲ୍ଲେଖଯୋଗ୍ୟ । ବିନୋଦବାବୁ ସେହି ମାଗାଜିନଗୁଡ଼ିକରୁ ବହୁ ବୈଜ୍ଞାନିକ ତଥ୍ୟ ଆହରଣ କରି ଜ୍ଞାନମଣ୍ଡଳକୁ ସମୃଦ୍ଧ କରିବା ସ୍ଵୀକାର କରିଛନ୍ତି । ୧୯୫୨ ମସିହା ପ୍ରଥମ ସାଧାରଣ ନିର୍ବାଚନରେ ବାଲିକୁଦା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି କିପରି ଡକ୍ଟର ପରିଜା ଅପୂର୍ବ ସଫଳତା ପାଇଥିଲେ ତାହା ‘ଋଣ ପରିଶୋଧ’ରେ ପ୍ରାଞ୍ଜଳ ଭାବରେ ଉଲ୍ଲେଖ କରିଛନ୍ତି ବିନୋଦ । ନିର୍ବାଚନ କମିଶନଙ୍କ ନିର୍ଦ୍ଧାରିତ ନୀତି ଅନୁଯାୟୀ ଜଣେ ପ୍ରାର୍ଥୀ ସେତେବେଳେ ଅତି ବେଶୀରେ ମାତ୍ର ସାତ ହଜାର ଟଙ୍କା ଖର୍ଚ୍ଚ କରି ନିର୍ବାଚନ ପ୍ରଚାର କରିବ ବୋଲି ନିୟମ ଥିଲା । ପରିଜା ସାହେବଙ୍କୁ ଯେତେବେଳେ ନିର୍ବାଚନ ଲଢ଼ିବା ପାଇଁ କୁହାଗଲା ସେ ପ୍ରଥମେ ପାଞ୍ଚହଜାର ଟଙ୍କା ସମର୍ଥକମାନଙ୍କୁ ଦେଇ ଆଉ ଦୁଇ ହଜାର ଟଙ୍କାରୁ ଗୋଟିଏ ପଇସା ଅଧିକ ଯେପରି ଖର୍ଚ୍ଚ ନ ହେବ ତାଗିଦ କଲେ-। ନିୟମ ବାହାରେ ଖର୍ଚ୍ଚ କରି ସେ ମିଥ୍ୟା ସତ୍ୟପାଠ କରିବେ ନାହିଁ ବୋଲି ରୋକଠୋକ କହିଲେ । ଆଉ ସେତିକି ଅର୍ଥ ଖର୍ଚ୍ଚ ହେଲା- ସେ ନିର୍ବାଚନରେ ଜିତିଲେ । କିନ୍ତୁ ବିଧାନସଭାରେ ଜଣେ କଂଗ୍ରେସ ବିଧାୟକ ଅତି କଟୁ ଭାଷାରେ ପରିଜା ସାହେବଙ୍କୁ ସମାଲୋଚନା କରି ଭାଷଣ ଦେବାରୁ ସେ ପଙ୍କିଳ ରାଜନୀତିରୁ ବିଦାୟ ନେଇ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ପୁନଶ୍ଚ ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ଫେରି ଆସିଲେ । ପରିଜା ସାହେବଙ୍କ ମାନବୀୟ ଗୁଣ ସାଧୁତାକୁ ସେ ‘ଋଣ ପରିଶୋଧ’ ମାଧ୍ୟମରେ ଲୋକ ଲୋଚନକୁ ଆଣି ତାଙ୍କ ଋଣ ପରିଶୋଧ କରିବାକୁ ଉଦ୍ୟମ କରିଛନ୍ତି । ପରିଜା ସାହେବଙ୍କର ମୃତ୍ୟୁ ଖବର ପାଇ ଯେତେବେଳେ ଆକାଶବାଣୀ, କଟକ ତାଙ୍କୁ ଅନୁରୋଧ କଲା ପରିଜା ସାହେବଙ୍କ ସମ୍ବନ୍ଧରେ ଏକ ଦଶମିନିଟିଆ ଶୋକ ଭାଷଣ ବା ଶ୍ରଦ୍ଧାଞ୍ଜଳି ଦେବାକୁ, ସେ କହିଲେ ନା ସେ ପ୍ରଥମେ ଯାଇ ପରିଜା ସାହେବଙ୍କ ମରଶରୀରକୁ ସମ୍ମାନ ଜଣାଇ ଶବ ଶୋଭାଯାତ୍ରାରେ ଯିବେ, ତା ପୂର୍ବରୁ କେବେ ରେଡ଼ିଓ ଷ୍ଟେସନକୁ ଶ୍ରଦ୍ଧାଞ୍ଜଳି ଭାଷଣ ଦେବାକୁ ଯାଇ ପାରିବେ ନାହିଁ । କିନ୍ତୁ ତାଙ୍କର ଅତି ପରିଚିତ ଅଲ୍‌ଇଣ୍ଡିଆ ରେଡ଼ିଓର ମାଧବଚନ୍ଦ୍ର ମହାନ୍ତି ଯେତେବେଳେ ଅତି ମିନତି କରି କହିଲେ ସମସ୍ତଙ୍କର ଇଚ୍ଛା ସେ ସେହି ଶ୍ରଦ୍ଧାଞ୍ଜଳିଟି ବିନୋଦବାବୁ ଦିଅନ୍ତୁ ଏବଂ ସେ ପ୍ରତିଶୃତି ଦେଲେ ତାଙ୍କ ଭାଷଣ ରେକର୍ଡ଼ିଂ ହେବା ସାଙ୍ଗେ ସାଙ୍ଗେ ଗାଡ଼ିରେ ନେଇ ଶବ ଶୋଭାଯାତ୍ରାରେ ତାଙ୍କୁ ପହଞ୍ଚାଇ ଦିଆଯିବ- ସେ ରାଜି ହୋଇ ବିନା ଲେଖାରେ ସିଧାସଳଖ ଦଶମିନିଟର ଶ୍ରଦ୍ଧାଞ୍ଜଳି ଜଣାଇଲେ । ସେହି ଶ୍ରଦ୍ଧାଞ୍ଜଳି ହେଉଛି ଆବେଗପୂର୍ଣ୍ଣ ତଥ୍ୟ ସମ୍ବଳିତ ଏକ ସଂକ୍ଷିପ୍ତ କ୍ଳାସିକାଲ ଜୀବନୀ ପରିଜା ସାହେବଙ୍କର । ସେହି ଶ୍ରଦ୍ଧାଞ୍ଜଳି ଭାଷଣର ଏକ ପଂକ୍ତି ହେଲା :-

 

‘‘ପ୍ରାଣକୃଷ୍ଣ ପରିଜା ଥିଲେ ଜଣେ ବୈଜ୍ଞାନିକ । ତାଙ୍କର ସମଗ୍ର ଜୀବନ, ସମଗ୍ର ଚିନ୍ତାଧାରା ସତ୍ୟକୁ ହଁ ଆଶ୍ରୟ କରି ଗଢ଼ି ଉଠିଥିଲା । ଯେଉଁଟାକୁ ସେ ଠିକ୍‌ ବୋଲି ଭାବୁଥିଲେ ତାହା ପ୍ରକାଶ କରିବା ବେଳେ ଟିକିଏ ସୁଦ୍ଧା ଇତସ୍ତତଃ ହେଉ ନଥିଲେ । ସମସ୍ତଙ୍କର ମତ ପ୍ରତି ତାଙ୍କର ସମ୍ମାନ ଥିଲା । ସମସ୍ତଙ୍କୁ ସେ ଶ୍ରଦ୍ଧା କରୁଥିଲେ । ତେଣୁ କାହାରି ନିକଟରେ ସତ୍ୟ କହିବା ପାଇଁ ତିଳେହେଲେ କୁଣ୍ଠା ବୋଧ କରୁ ନଥିଲେ । ମତ ପ୍ରକାଶର ଗୋଟିଏ ଚମତ୍କାର ଶୈଳୀ ସେ ଆୟତ୍ତ କରି ସାରିଥିଲେ । ତେଣୁ ଯାହା ସହିତ ସେ ଏକମତ ହେଉ ନଥିଲେ ସେ ମଧ୍ୟ ତାଙ୍କ ପ୍ରତି ପରୋକ୍ଷରେ ବିରକ୍ତି ପ୍ରକାଶ କରୁ ନଥିଲେ ।’’

 

ଏହାଠାରୁ ଆଉ କି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହୋଇପାରେ ! ଶ୍ରୀ କାନୁନ୍‌ଗୋ କ’ଣ ପରିଜା ସାହେବଙ୍କର ୠଣ ପରିଶୋଧ କରିବାକୁ ଆନ୍ତରିକ ଉଦ୍ୟମ କରି ନାହାଁନ୍ତି ?

 

ବିନୋଦ କାନୁନ୍‌ଗୋଙ୍କ ପରି ସକରାତ୍ମକ ମଣିଷ ଖୁବ୍‌ କ୍ୱଚିତ ଦେଖାଯାଆନ୍ତି । ତାଙ୍କ ଆତ୍ମଜୀବନୀ ୠଣ ପରିଶୋଧରେ ଏପରି ସବୁ ଉଦାହରଣ ଅଛି ଯାହାକୁ ସାଧାରଣତଃ ଅନେକ ନକାରାତ୍ମକ ଭାବିବେ ସେ କିନ୍ତୁ ସେସବୁକୁ ସକରାତ୍ମକ ରୂପେ ଗ୍ରହଣ କରି ସେଥିରୁ ଶିକ୍ଷା ଲାଭ କରି ଜୀବନରେ ଉନ୍ନତି କରିଛନ୍ତି ବୋଲି କହିଛନ୍ତି । ସକରାତ୍ମକ ମନୋଭାବ ଯୋଗୁ ସେ ହାତରେ ମାତ୍ର ଟଙ୍କାଟିଏ ଧରି ଆସି ଓଡ଼ିଆ ଭାଷାରେ ଜ୍ଞାନକୋଷ ପରି ଏକ କଠିନ କାର୍ଯ୍ୟ କରିପାରିଲେ- ଲକ୍ଷ ଲକ୍ଷ ଟଙ୍କା ଥିଲେ ବି ଯାହା ଜଣେ କରିବାକୁ ସାହସ କରି ନ ଥାନ୍ତା । ଶ୍ରୀ କାନୁନ୍‌ଗୋ ୧୯୩୦ ମସିହାରେ ପାଠଛାଡ଼ି ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେବା ପରେ ଆଉ ମାମୁଁ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ କ୍ସାର୍ଟସରେ ରହିଲେ ନାହଁ । ସେ ଅନ୍ୟ ସ୍ଵାଧୀନତା ସଂଗ୍ରାମୀଙ୍କ ପରି ଆଶ୍ରମରେ ରହିଲେ । ଦୀର୍ଘଦିନ ମାମୁଁ ଘରେ ରହି ଯେଭଳି ଖିଆପିଆ କରୁଥିଲେ ଆଶ୍ରମରେ ସେପରି ଖିଆପିଆ ମିଳୁ ନଥିବାରୁ ହଠାତ୍‌ ସେଭଳି ଖିଆପିଆରେ ଅଭ୍ୟସ୍ତ ହୋଇ ନ ପାରନ୍ତି ଭାବି ରମାଦେବୀ ତାଙ୍କୁ ‘ସମାଜ’ର ରାଧାନାଥ ରଥଙ୍କ ପାଖକୁ ଆଣି କିଛିଦିନ ତାଙ୍କ ଘରେ ବିନୋଦର ଖାଇବାର ବ୍ୟବସ୍ଥା କରିବାକୁ କହିଲେ । ରାମାଦେବୀ ମଧ୍ୟ ରାଧାନାଥବାବୁଙ୍କୁ କହିଲେ କି ତାକୁ କିଛି ଶିକ୍ଷା ଦେବ ଯାହାଫଳରେ ସେ ସମୟକ୍ରମେ ତାଙ୍କୁ କାର୍ଯ୍ୟରେ କିଛି ସାହାଯ୍ୟ କରିପାରିବ । ରାଧାନାଥବାବୁଙ୍କ ଘରେ ଖାଇବାର ବ୍ୟବସ୍ଥା ହେବାପରେ ସେ ତାଙ୍କ ସହ ଅତି ପରିଚିତ ଓ ଘନିଷ୍ଠ ହୋଇଗଲେ । ସ୍ୱାଧୀନତା ଆନ୍ଦୋଳନ ଯୋରଦାର ଚାଲିବାରୁ ସରକାର ସମ୍ବାଦପତ୍ରଗୁଡ଼ିକ ଉପରେ ଅନେକ କଟକଣା ଜାରିକଲେ । ଖବରକାଗଜଗୁଡ଼ିକୁ ଅମାନତ ଜମା କରିବାକୁ କହିଲେ । କୌଣସି ଖବର ଯଦି ସରକାରଙ୍କ ମନକୁ ନ ପାଇବ ତେବେ ଅମାନତ ବାଜ୍ୟାପ୍ତ ହେବ ବୋଲି ନିର୍ଦ୍ଦେଶ ଦିଆଗଲା । ଏହି ସ୍ଥିତିରେ ଅନେକ କାଗଜ ପ୍ରକାଶନ ବନ୍ଦ କରିବାକୁ ବାଧ୍ୟ ହେଲେ । ‘ସମାଜ’ ମଧ୍ୟ ବନ୍ଦ ହୋଇଗଲା । କିନ୍ତୁ ସାଧାରଣ ଲୋକଙ୍କ ପାଖରେ ସ୍ଵାଧୀନତା ଆନ୍ଦୋଳନର ଖବର ପହଞ୍ଚିବ କିପରି ? ଶେଷରେ ସିଦ୍ଧାନ୍ତ ନିଆଗଲା କଟକର କାଠଯୋଡ଼ୀ ବାଲିରେ ସପ୍ତାହରେ ତିନି ଚାରି ଥର ସଭା ହୋଇ ଭାଷଣ ମାଧ୍ୟମରେ ଲୋକଙ୍କୁ ଉଦ୍‌ବୁଦ୍ଧ କରାଯିବ । କିନ୍ତୁ ଏତେ ଦିନ ଭାଷଣ ଦେବ କିଏ ? ଆଗଧାଡ଼ିର ନେତାମାନେ ସବୁ ଜେଲ ଚାଲିଗଲେଣି । ଯେଉଁ କେତେଜଣ ଅଛନ୍ତି ସେମାନଙ୍କୁ ମଧ୍ୟ ଜେଲ ପଠାଇ ଦିଆଯିବ । ଶେଷରେ ଠିକ୍‌ ହେଲା ରାଧାନାଥବାବୁ ଭାଷଣ ଲେଖିଦେବେ ଆଉ ତାକୁ ଯୁବକମାନେ ପଢ଼ିବେ ସଭାରେ- ଏହାଦ୍ୱାରା ଲୋକେ ସ୍ଵାଧୀନତା ଆନ୍ଦୋଳନର ଖବର ପାଇବେ ଓ ଆନ୍ଦୋଳନ ଜାରି ରଖିବାକୁ ସାହସ ପାଇବେ । ସେହି ଭାଷଣ ଅନ୍ତତଃ ଦେଢ଼ଘଣ୍ଟା ହେବା ଉଚିତ । ଏଥିପାଇଁ ଅନ୍ୟୁନ ଫୁଲସ୍କେପ କାଗଜରେ ଚାଳିଶ ପୃଷ୍ଠା ହାତଲେଖା ଦରକାର । ରାଧାନାଥବାବୁ ଏହି ଭାଷଣ ଡାକିବେ, ଜଣେ କେହି ସେହି ଭାଷଣକୁ ଭଲ ହସ୍ତାକ୍ଷରରେ ଶୀଘ୍ର ଶୀଘ୍ର ଟିପି ଦେବ । ଏହି ଦାୟିତ୍ଵ ପଡ଼ିଲା ବିନୋଦଙ୍କ କାନ୍ଧରେ । ରାଧାନାଥବାବୁ ଖୁବ୍‌ ଶୀଘ୍ର ଶୀଘ୍ର ଡାକନ୍ତି ଏକ ଲୟରେ । ପାଖରେ ଅନେକ ବହି ମେଲାଇ ରଖିଥାନ୍ତି- ସେଥିରୁ ବହୁ ଉଦାହରଣ ଉଦ୍ଧାର କରନ୍ତି । ପ୍ରଥମେ ପ୍ରଥମେ କଷ୍ଟ ହେଲା ବିନୋଦଙ୍କୁ-ପ୍ରଥମତଃ ଏକାଥରକେ ଶୀଘ୍ର ଶୀଘ୍ର ଏତେ ପୃଷ୍ଠା ଲେଖିବା ଏବଂ ରାଧାନାଥବାବୁଙ୍କୁ ସେ ଭାଷଣ ଡାକୁଥିଲାବେଳେ ନବୁଝି ଓ ନ ଶୁଣି ପାରିଲେ ବି ପ୍ରଶ୍ନ କରି ତାଙ୍କର ଚିନ୍ତାରେ ବ୍ୟାଘାତ ନ ଆଣିବା । ବେଳେବେଳେ ପ୍ରଥମେ ପ୍ରଥମେ ଗାଳି ବି ଖାଇଲେ । କିନ୍ତୁ ଅଭ୍ୟାସ ହୋଇଗଲା ପରେ କାମଟିକୁ ଅତି ଦକ୍ଷତାର ସହ ସଂପନ୍ନ କଲେ । ସେହି ଭାଷଣକୁ ସଭାରେ ପାଠ କରିବା ମଧ୍ୟ ତାଙ୍କର କାମ ହୋଇଗଲା-ଯଦିଓ ବେଳେବେଳେ ଅନ୍ୟମାନେ ପଢ଼ୁଥିଲେ, କିନ୍ତୁ ମୁଖ୍ୟ ଦାୟିତ୍ୱ ତାଙ୍କର ଥିଲା ଆଉ କିଏ ହୋଇଥିଲେ ନିଶ୍ଚିତ ଭାବେ ଏପରି କାମ କରିବାକୁ ବିରକ୍ତ ପ୍ରକାଶ କରି ହତୋତ୍ସାହ ହୋଇଥାନ୍ତା । କିନ୍ତୁ ବିନୋଦ ସେ କାମକୁ ଆଗ୍ରହ ସହକାରରେ କଲେ । ସେ କହନ୍ତି, ଏହାଦ୍ୱାରା ତାଙ୍କର ଲାଭ ହେଲା- ପ୍ରଥମ ଲାଭ ଶୀଘ୍ର ଶୀଘ୍ର ଲେଖିବା ଅଭ୍ୟାସ । ଦ୍ୱିତୀୟ ଲାଭ ହେଲା ରାଧାନାଥବାବୁ ଅନେକ ପୁସ୍ତକରୁ କିପରି ସାର ସଂଗ୍ରହ କରି ତାକୁ ଚମତ୍କାର ଭାବରେ ସଜାଡ଼ି ଏକ ସୁଖପାଠ୍ୟ ପ୍ରସ୍ତୁତ କରି ପାରିଛନ୍ତି ଏବଂ ତୃତୀୟ ହେଲା, ରାଧାନାଥବାବୁ ଯେଉଁ ଶୈଳୀରେ ଡାକୁଥିଲେ ସଭାରେ ସେହି ଶୈଳୀରେ ସେହି ଭାଷଣକୁ ପଢ଼ିବା ପାଇଁ ଅଭ୍ୟାସ କରିବା । ଏହା ଫଳରେ ସେ ଯେତେବେଳେ ‘ଜ୍ଞାନମଣ୍ଡଳ’ ଲେଖିବା ଆରମ୍ଭ କଲେ ରାଧାନାଥବାବୁଙ୍କର ସେହି ତାଲିମ ତାଙ୍କ ଭିତରେ ଅଫୁରନ୍ତ ସାମର୍ଥ୍ୟ ଭରି ଦେଇଥିଲା ବୋଲି ସେ ରାଧାନାଥବାବୁଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଧାନାଥବାବୁଙ୍କ ତାଲିମ ଯୋଗୁ ଏକସ୍ତରୀ ବର୍ଷ ବୟସରେ ବି ସେ ଗୋଟିଏ ଦିନରେ ପଚାଶ ପୃଷ୍ଠା ଲେଖି ପାରୁଥିଲେ । ‘ଜ୍ଞାନମଣ୍ଡଳ’ ରଚନା କରିବା ଭଳି ଏକ ତପସ୍ୟା ସଦୃଶ କାର୍ଯ୍ୟ ପାଇଁ ସେ ନିଜର ଅଧ୍ୟବସାୟ ଏକାଗ୍ରତା, ପ୍ରତିବଦ୍ଧତାକୁ ଶ୍ରେୟ ନ ଦେଇ ତାଙ୍କ ଜୀବନରେ ଯେତେବେଳେ ଯିଏ ପ୍ରେରଣା ଦେଇଛନ୍ତି, ତାକୁ ଶ୍ରେୟ ଦେଇ ମହାନୁଭବତାର ପରିଚୟ ଦେଇଛନ୍ତି-। ରାଧାନାଥବାବୁଙ୍କର ୠଣ କ’ଣ ସେ ତାଙ୍କ ରଣ ପରିଶୋଧ । ଆତ୍ମଜୀବନୀରେ ପରିଶୋଧ କରି ନାହାନ୍ତି ? ଏହିପରି ସେ ଜୀବନକାଳ ମଧ୍ୟରେ ଯେତେବେଳେ ଯାହାଠାରୁ କିଛି ସାହାଯ୍ୟ, ସହଯୋଗ ସହାନୁଭୂତି ଆଦି ପାଇଛନ୍ତି ସେମାନଙ୍କୁ ସ୍ମରଣ କରି ତାଙ୍କ ଗୁଣ କୀର୍ତ୍ତନ କରିଛନ୍ତି ୠଣ ପରିଶୋଧ ମାଧ୍ୟମରେ ।

 

ସ୍ଵାଧୀନତାର ପଞ୍ଚଷଠି ବର୍ଷ ପରେ ବି ଆଜି ଆମ ସମାଜରୁ ଅସ୍ପୃଶ୍ୟତା ଲୋପ ପାଇନାହିଁ-ଏବେ ମଧ୍ୟ ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ଭେଦଭାବ ଓ ବିଦ୍ୱେଷ ଲାଗିରହିଛି । ଏବେ ମଧ୍ୟ କେତେକ ମନ୍ଦିରରେ ଦଳିତମାନଙ୍କୁ ପ୍ରବେଶ କରାଇ ଦିଆଯାଉ ନାହିଁ । ମହାତ୍ମା ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନର ଅନ୍ୟ ଏକ କାର୍ଯ୍ୟକ୍ରମ ଥିଲା ଅସ୍ପୃଶ୍ୟତା ଲୋପ । ବିନୋଦବାବୁ ଏହି ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ । ସେ ସେ ସମୟରେ ଶୋବି ବାଉରାଣୀ ଓ ପାଲୁଣିମାଙ୍କ ପରି ଦଳିତ ମହିଳାମାନଙ୍କଠାରୁ ଯେଉଁ ସ୍ନେହ ଶ୍ରଦ୍ଧା ପାଇଥିଲେ ଆଉ ସେମାନଙ୍କଠାରେ ୠଣୀ ହୋଇଥିଲେ ସେମାନଙ୍କ ଗୁଣକୀର୍ତ୍ତନ କରି ୠଣ ପରିଶୋଧ କରିବାର ଉଦ୍ୟମ ମଧ୍ୟ କରିଛନ୍ତି । ତାଙ୍କ ଗାଁ ମଲ୍ଲୀପୁରର ଦଳିତ ମହିଳା ଶୋବି ବାଉରାଣୀ ଥିଲେ ତାଙ୍କ ଧାଈ । ପୂର୍ବେ ତ ଡାକ୍ତରଖାନା ଏତେ ସଂଖ୍ୟାରେ ନ ଥିଲା ଯେ ଗର୍ଭବତୀ ମହିଳାମାନେ ଡାକ୍ତରଖାନାର ଡାକ୍ତର ନର୍ସଙ୍କ ତତ୍ତ୍ଵାବଧାନରେ ପିଲାଜନ୍ମ କରିବେ । ଗାଁରେ ସାଧାରଣତଃ ଦଳିତ ମହିଳାମାନେ ଧାଈ କାମ କରିଥାନ୍ତି, ଗୋଟିଏ ପକ୍ଷରେ ତାଙ୍କୁ ଅଛୁଆଁ କହି ଦୂର ଦୂର ମାର ମାର କରୁଥିବା ବେଳେ ଅନ୍ୟ ପକ୍ଷରେ ତାଙ୍କର ସାହାଯ୍ୟ ଓ ତତ୍ତ୍ଵାବଧାନରେ ଛୁଆମାନେ ଜନ୍ମ ହେଉଥିଲେ । ବିନୋଦଙ୍କ ଜନ୍ମ ସେହି ଶୋବି ବାଉରାଣୀ ଧାଈ ଭାବରେ କରାଇଥିଲେ ଏବଂ ଦୀର୍ଘ ଦୁଇବର୍ଷ କାଳ ତାଙ୍କର ଯତ୍ନ ନେଇଥିଲେ । ସେ ଥିଲେ ଶୋବି ବାଉରାଣୀର ପୁତ୍ର ସଦୃଶ । ଶୋବି ମଧ୍ୟ ବିନୋଦଙ୍କୁ ପୁଅ ବୋଲି ଭାବି ଗାଁ ଗହଳର ସମସ୍ତ ଉଚ୍ଚନୀଚ୍ଚ ଭେଦ ଭାବ ଭୁଲି ବିନୋଦଙ୍କୁ ପିଲାଦିନରୁ ସେ ବଡ଼ ହେବା ପର୍ଯ୍ୟନ୍ତ ଏବଂ ଶୋବି ଶେଷ ନିଶ୍ଵାସ ମାରିବା ପର୍ଯ୍ୟନ୍ତ ‘ବିନୁ’ ବୋଲି ଶ୍ରଦ୍ଧାରେ ସମ୍ବୋଧନ କରୁଥିଲା ଏବଂ ପୁତ୍ରପରି ଦେଖୁଥିଲା । ବିନୋଦ ମଧ୍ୟ ସ୍ଵାଧୀନତା ଆନ୍ଦୋଳନରୁ ଫେରି ଗାରେ କାମକଲାବେଳେ ଶୋବି ସହିତ ବିଲରେ ଧାନ ତଳି ଉପାଡ଼ିଛନ୍ତି, ଧାନ ରୋଇଛନ୍ତି, ଘାସ ବାଛିଛନ୍ତି । ସେ ଶୋବିକୁ ନିଜର ମା’ ରୂପେ ଦେଖିଛନ୍ତି । ୧୯୫୪ ମସିହାରେ ଗାଁ ଛାଡ଼ି କଟକରେ ଆସି ରହି ଜ୍ଞାନମଣ୍ଡଳ ରଚନା କଲାବେଳେ ମଝିରେ ମଝିରେ ଗାଁକୁ ଗଲେ ସେ ଦଉଡ଼ି ଯାଆନ୍ତି ଶୋବି ପାଖକୁ । ସେ ବାଧିକି ଥିବା ବେଳେ ତା ଗୋଡ଼ ପାଖରେ ବସି ଆଉଁସି ଦେଇଛନ୍ତି- ଭଲ ମନ୍ଦ ପଚାରି ବୁଝିଛନ୍ତି । ବୃଦ୍ଧା ଶୋବିର ଶେଷ ଅବସ୍ଥା ଉପୁଜିଲେ ତାଙ୍କୁ ଖବର ଦେବାକୁ ତାର ଜ୍ଞାତିଜନକୁ କହିଛନ୍ତି । ସେ ତାଙ୍କୁ କାନ୍ଧରେ ନେବେ ନିଶ୍ଚୟ । କିନ୍ତୁ ଭାଗ୍ୟର ବିଡ଼ମ୍ବନା ଶୋବି ଶେଷ ନିଶ୍ଵାସ ତ୍ୟାଗ କଲା ପରେ କଟକକୁ ଲୋକ ଆସିଥିଲେ ତାଙ୍କୁ ନେବା ପାଇଁ, କିନ୍ତୁ ସେ ସେତେବେଳେ କଟକରେ ନ ଥିଲେ । ପରେ ଗଲେ- ଶୋବିକୁ କାନ୍ଧରେ ନେବା ସମ୍ଭବ ହେଲା ନାହୁଁ । ଆଖିରୁ ଲୁହ ଗଡ଼ାଇ କାନ୍ଦିଲେ ମା ଶୋବିକୁ କାନ୍ଧରେ ନେଇ ପାରିଲେ ନାହଁ ବୋଲି । ତାଙ୍କର କ୍ଷୋଭ ପ୍ରକାଶ କରି ସେ ଲେଖିଛନ୍ତି, ଯେଉଁ ଶୋବି ଗାଁର ଶହ ଶହ ପିଲାଙ୍କର ନାହି କାଟି ସେବା କରି ଦୁନିଆଁ ଦେଖାଇଛି- ଅନ୍ତୁଡ଼ିଶାଳର ଗଦା ଗଦା ଲୁଗା ନେଇ ନଈରେ ସଫା କରିଛି, କିନ୍ତୁ ସେ ମଲା ପର୍ଯ୍ୟନ୍ତ ଅଛୁଆଁ ହୋଇ ରହିଲେ । ‘ଶୋବି ବାଉରୀଣୀ’ ଶୋବି ହୋଇ ପାରିଲା ନାହିଁ । ଗାନ୍ଧିଜୀଙ୍କ ସବୁ ତପସ୍ୟା, ସାଧନା ଶୋବି ବଞ୍ଚିଥିବା ପର୍ଯ୍ୟନ୍ତ ସଫଳ ହୋଇ ପାରିଲା ନାହିଁ । ସେ ସାମାନ୍ୟ ଆତ୍ମସନ୍ତୋଷ ଲାଭ କରିଛନ୍ତି ତାଙ୍କ ଶେଷ ଜୀବନରେ ଯେ, ଶୋବିର ଅଣନାତି ଆଜି ଏହି ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାର ଦୃଢ଼କଣ୍ଠରେ ପ୍ରତିବାଦ କରୁଛି । ଶେଷରେ ସେ କହିଛନ୍ତିକ -‘ଶୋବି ବାଉରାଣୀ’ ମରିନାହିଁ, ତଥାକଥିତ ଉଚ୍ଚଜାତିର ଲୋକେ ମରିଛନ୍ତି- ଗାନ୍ଧିଜୀଙ୍କ ଭାଷାରେ ଅସ୍ପୃଶ୍ୟତା ରୂପକ ରାକ୍ଷସୀକୁ ମାରି ପାରି ନାହାଁନ୍ତି ଏମାନେ । ଏହିଥିରେ ଦଳିତ ମହିଳା ଶୋବି ପ୍ରତି ସ୍ଵାଧୀନତା ସଂଗ୍ରାମୀ ବିନୋଦ କାନୁନ୍‌ଗୋଙ୍କର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଓ ତାର ୠଣ ପରିଶୋଧ ।

 

ସେହିପରି ଆଉ ଜଣେ ଦଳିତ ମହିଳା ପାଲୁଣିମା’ର ଗୁଣକୀର୍ତ୍ତନ କରିଛନ୍ତି ବିନୋଦ କାନୁନ୍‌ଗୋ । ତାଙ୍କ ମାମୁଁ ଘର ନାଗଣପୁରରେ ଥିଲାବେଳେ ଦଳିତ କଣ୍ଡରା ସାହି ଆଗରେ ଗୋଟିଏ ବରକୋଳି ଗଛ ଥାଏ । ବଡ଼ ବଡ଼ ବରକୋଳି ଆଉ ସୁଆଦିଆ । କିନ୍ତୁ ସବର୍ଣ୍ଣଙ୍କର ପିଲାମାନେ ବରକୋଳି ତଳେ ପଡ଼ିଲେ ଖାଉ ନ ଥିଲେ, କାରଣ ହେଲା ସେହି ଦଳିତମାନଙ୍କ ପିଲାମାନେ ଓ ଦଳିତମାନେ ସେହି କୋଳି ଗଛ ଥିବା ବାଟରେ ଚାଲୁଥିବେ, ତାଙ୍କ ପାଦ ଧୂଳି ପଡ଼ିଥିବ- ସେ କୋଳି ଖାଇଲେ ସବର୍ଣ୍ଣ ପିଲାମାନେ ଅପବିତ୍ର ହୋଇଯିବେ । ତେଣୁ ଯେଉଁ ସବର୍ଣ୍ଣ ପିଲାମାନେ ଗଛ ଚଢ଼ନ୍ତି କୋଳି ପାଇଁ ତଳେ ଅନ୍ୟପିଲାମାନେ ଲୁଗା ହେଉ ଅବା ଗାମୁଛା ହେଉ ଦେଖାନ୍ତି- ତାରି ଉପରେ କୋଳିପଡ଼େ ସେମାନେ ତାକୁ ଖାଆନ୍ତି । ଏକଥା ଲକ୍ଷ୍ୟ କଲା ସେହି ଦଳିତ ସାହିର ମହିଳା ପାଲୁଣୀମା । ସେ ପିଲାଙ୍କ ବିକଳ ସହି ପାରିଲା ନାହିଁ । ସକାଳ ଦଶଟା ଏଗାରଟା ବେଳକୁ କୋଳିଗଛ ମୂଳରେ ଗୋବରରେ ଲିପି ପରିଷ୍କାର ପରିଚ୍ଛନ୍ନ କରି ପବିତ୍ର କରିଦେବ । ତା ଉପରେ ନିଜ ଦଳିତ ସାହିର ପିଲାମାନଙ୍କୁ ଚାଲିବାକୁ ଦେବ ନାହିଁ । ସବର୍ଣ୍ଣ ସାହିର ପିଲାମାନଙ୍କୁ ଡାକିବ କୋଳି ପାରିଦେବାକୁ । ସବର୍ଣ୍ଣ ସାହିର ପିଲାମାନେ ଆନନ୍ଦରେ ଗଛରେ ଚଢ଼ି ଗଛ ହଲାଇ ପାଚିଆ ପାଚିଆ କୋଳି ନେଇ ଆସନ୍ତି ଆନନ୍ଦରେ, ପାଲୁଣି ମା ଆପତ୍ତି କରିବ କ’ଣ ଆହୁରି ନେବାକୁ କହେ । ବିନୋଦବାବୁ ଏହାକୁ ଲକ୍ଷ୍ୟ କରି ଦୁନିଆର ବିଚିତ୍ରତା ଓ ମଣିଷର ବିଚିତ୍ର ପ୍ରକୃତି ଅନୁଭବ କରିଛନ୍ତି । ଗୋଟାଏ ପକ୍ଷରେ ଯେଉଁମାନେ ପାଲୁଣି ମା ଓ ତାର ଜାତିକୁ ସାମାଜିକ ଅପମାନ, ଲାଞ୍ଛନା, ଘୃଣା ଦୃଷ୍ଟିରେ ଦେଖୁଛନ୍ତି ସେହିମାନଙ୍କ ପିଲାଙ୍କୁ ପାଲୁଣି ମା ଅଯାଚିତ ସ୍ନେହ ଶ୍ରଦ୍ଧା ଅଜାଡ଼ି ଦେଉଛି । କିନ୍ତୁ ବିନୋଦ ପାଲୁଣି ମା ଘରକୁ ଏକ ତୀର୍ଥସ୍ଥଳ ରୂପେ ଭାବନ୍ତି । ସେ ନାଗଣପୁର ଛାଡ଼ିଲା ପରେ ଯେତେବେଳେ ଥରେ ଅଧେ ନାଗରଣପୁର ଆସନ୍ତି ପାଲୁଣି ମା ଘର ଆଡ଼େ ବୁଲି ଆସନ୍ତି ଆଉ ସେ ଭାବନ୍ତି ସେ ତୀର୍ଥସ୍ଥାନ ଦର୍ଶନ କରି ନିଜକୁ ପବିତ୍ର କରିଛନ୍ତି । ପାଲୁଣି ମା ସ୍ନେହ ଶ୍ରଦ୍ଧା, ଆଦର ଦେଇ ପିଲାମାନଙ୍କୁ ଯେଉଁ ବରକୋଳି ଖୁଆଉଥିଲା ଆଉ ତାର ଭାଗୀଦାର ଥିଲେ ବିନୋଦ ତାର ୠଣ କ’ଣ ସେ ରଣ ପରିଶୋଧର ‘ପାଲୁଣିମା’ ପରିଚ୍ଛେଦରେ ସୁଝି ନାହାଁନ୍ତି ।

 

ନିଜର ଜୀବଦ୍ଦଶା ମଧ୍ୟରେ ସେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କଠାରୁ କିଛି ନା କିଛି ଶିକ୍ଷା ଲାଭ କରି ପରବର୍ତ୍ତୀ ଜୀବନରେ ଉପକୃତ ହୋଇଛନ୍ତି । ‘ୠଣ ପରିଶୋଧ’ରେ ସେ ସେମାନଙ୍କୁ ସ୍ମରଣ କରି ନିଜର ରଣ ଶୁଝିବାକୁ ପ୍ରୟାସ କରି ସଫଳ ହୋଇଛନ୍ତି । ସେମାନେ ହୁଅନ୍ତୁ ଗାଁ ଚାଟଶାଳୀର ଗିରିଧାରୀ ଅବଧାନ, ସ୍କୁଲ ଶିକ୍ଷକ ଗୋପୀନାଥ ସାମଲ, ଅଲେଖ ପ୍ରସାଦ ଦାସ, ଶ୍ୟାମାଚରଣ ତ୍ରିପାଠୀ ବୈକୁଣ୍ଠନାଥ ପଟ୍ଟନାୟକ ବା ପଦ୍ମଚରଣ ପଟ୍ଟନାୟକ । ସେ ମନେପକାଇଛନ୍ତି ଜଷ୍ଟିସ ହରିହର ମହାପାତ୍ର ଓ ଅଧ୍ୟାପକ ଗୁରୁଚରଣ ମହାନ୍ତିଙ୍କୁ । ସେ ମନେପକାଇଛନ୍ତି ସ୍ଵାଧୀନତା ସଂଗ୍ରାମୀ ସୁରେନ୍ଦ୍ରନାଥ ଦ୍ୱିବେଦୀ ଯଦୁମଣି ମଙ୍ଗରାଜ, ରମାଦେବୀ, ଗୋପବନ୍ଧୁ ଚୌଧୁରୀ, ସରଳାଦେବୀ, ନବକୁଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନିରଞ୍ଜନ ଘୋଷ, ନିରଞ୍ଜନ ପଟ୍ଟନାୟକ, ବୀର କିଶୋର ଦାସ, ଗୌରାଙ୍ଗ ଚରଣ ଦାସ, ନିତ୍ୟାନନ୍ଦ କାନୁନ୍‌ଗୋ ଆଦିଙ୍କୁ । ସେମାନଙ୍କର ପ୍ରଭାବରେ ସେ ପ୍ରଭାବିତ-। ତାଙ୍କ ଜୀବନର ସଫଳତା ପାଇଁ ଏହିମାନଙ୍କ ପ୍ରେରଣା ଓ ଆଦର୍ଶ ବହୁଭାବରେ ଦାୟୀ ବୋଲି ସ୍ଵୀକାର କରି ସେମାନଙ୍କର ୠଣ ପରିଶୋଧ ପାଇଁ ନିଜ ଲେଖନୀକୁ ଚଳଚଞ୍ଚଳ କରିଛନ୍ତି । ସେ ସ୍ଵତନ୍ତ୍ର ଭାବରେ ଏକ ପରିଚ୍ଛେଦ ଲେଖି-ଆଚାର୍ଯ୍ୟ ହରିହରଙ୍କ ୠଣ ପରିଶୋଧ ପାଇଁ ନିଜର ହୃଦୟ ଖୋଲି ଦେଇଛନ୍ତି । ସମାଜର ନୀରବ କର୍ମୀ ପରିଚାଳକ ଫକୀରଚରଣ ଦାସଙ୍କ ପ୍ରତି ସ୍ଵତନ୍ତ୍ର ସମ୍ମାନ ପ୍ରଦର୍ଶନ କରିଛନ୍ତି । ଲିଥୋ ମେସିନ ଯୋଗାଇଥିବା ହେଡମାଷ୍ଟର ପୂର୍ଣ୍ଣାନନ୍ଦ ମିଶ୍ରଙ୍କୁ ଅନ୍ତରର କୃତଜ୍ଞତା ଜଣାଇଛନ୍ତି । ସେ ସ୍ମରଣ କରିଛନ୍ତି ଆହୁରି ଅନେକ ସତ୍ୟାଗ୍ରହୀ ଓ ସ୍ଵେଚ୍ଛାସେବୀଙ୍କୁ । ସେମାନଙ୍କ ମଧ୍ୟରୁ ଅନ୍ୟ କେତେଜଣ ହେଲେ ଗୋବର୍ଦ୍ଧନ ପୁହାଣ, ଡକ୍ଟର ବିଶ୍ଵନାଥ ସାହୁ, ଅକ୍ରୁର ଜେନା ।

 

ଭାରତର ସ୍ୱାଧୀନତା ଆନ୍ଦୋଳନକୁ ଓଡ଼ିଶାର ଅବଦାନ କୌଣସି ଗୁଣରେ ନ୍ୟୁନ ହୋଇ ନ ଥିବାବେଳେ ଭାରତର ସ୍ୱାଧୀନତା ଆନ୍ଦୋଳନ ଇତିହାସରେ ଓଡ଼ିଶାର ଆନ୍ଦୋଳନ ସମ୍ବନ୍ଧରେ ଯେପରି ଭାବରେ ଉଲ୍ଲେଖ ହେବା କଥା ସେପରି ହୋଇନାହିଁ ବୋଲି ଅନେକ ଅଭିଯୋଗ କରନ୍ତି-। ଭାରତର ସ୍ୱାଧୀନତା ଆନ୍ଦୋଳନର ଅୟମାରମ୍ଭ ହୋଇଥିଲା ୧୮୫୭ରେ । ସିପାହୀ ବିଦ୍ରୋହଠାରୁ କୁହାଯାଇଥିଲାବେଳେ ପ୍ରକୃତରେ ୧୮୧୭ରେ ଓଡ଼ିଶାରେ ଯେଉଁ ପାଇଁକ ବିଦ୍ରୋହ ଖୋର୍ଦ୍ଧା ରାଜା ବକ୍‌ସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ୱରେ ସଂଗଠିତ ହୋଇଥଲା ତାହା ହିଁ ଥିଲା ଭାରତର ସ୍ଵାଧୀନତା ଆନ୍ଦୋଳନର ପ୍ରଥମ ବିଦ୍ରୋହ । ଇଂରେଜମାନେ ଓଡ଼ିଶା ୧୮୦୩ ମସିହାରେ ଦଖଲ କଲାପରେ ଲୁଣ କର ଆଦାୟ କରି ବଙ୍ଗାଳୀ କର୍ମଚାରୀମାନଙ୍କୁ ଓଡ଼ିଶାରେ ଜାଗିରି ପ୍ରଭୃତି ସୁବିଧା ଦେଇ ଯଥେଚ୍ଛାଚାର ଶାସନ ଚଳାବାରୁ ପାଇକ ବିଦ୍ରୋହ ଆରମ୍ଭ ହେଲା । ଏଥିରେ ପ୍ରଥମେ ଘୁମୁସରର ୪୦୦ କନ୍ଧ ଏବଂ ପରେ କୁଜଙ୍ଗ ଓ କନିକାର ପାଇକମାନେ ଯୋଗ ଦେଇ ବାଣପୁର ଖୋର୍ଦ୍ଧା ଓ ପୁରୀରେ ଥିବା ସରକାରୀ ଘର ଓ କଚେରିମାନ ଆକ୍ରମଣ କରିଥିଲେ-। ଛ’ମାସ ମଧ୍ୟରେ ଇଂରେଜ ଶାସନ ବିଦ୍ରୋହ ଦମନ କରି ନେତାମାନଙ୍କୁ କଠୋର ଦଣ୍ଡ ଦେଇ ଖୋର୍ଦ୍ଧାକୁ ଖାସମାହାଲ ରୂପେ ଦଖଲ କଲେ । ଏକଥା କିନ୍ତୁ ଭାରତୀୟ ସ୍ଵାଧୀନତା ଆନ୍ଦୋଳନରେ ଉଲ୍ଲେଖ ନାହିଁ । ସ୍ଵାଧୀନତା ଆନ୍ଦୋଳନ ନିଶ୍ଚିତ ଭାବରେ ଜାତୀୟ ଓ ରାଜ୍ୟସ୍ତରୀୟ ବଡ଼ ବଡ଼ ନେତାମାନଙ୍କର ଦିଗ୍‌ଦର୍ଶନ ଓ ପ୍ରେରଣା ଚାଲୁଥିଲା । କିନ୍ତୁ ଏହି ଆନ୍ଦୋଳନରେ ସାଧାରଣ କର୍ମୀ ଓ ସତ୍ୟାଗ୍ରହୀମାନଙ୍କର ଭୂମିକା କୌଣସି ଗୁଣରେ ନ୍ୟୂନ ନ ଥିଲା । ଆନ୍ଦୋଳନ ଆରମ୍ଭ ହୋଇଗଲେ ବ୍ରିଟିଶ ସରକାର ବଡ଼ ବଡ଼ ନେତାମାନଙ୍କୁ ବନ୍ଦୀ କରି ନେଇ କାରାଗରରେ ରଖି ଦିଅନ୍ତି । ସେମାନେ ବନ୍ଦୀ ହୋଇ ରହିଲେ ବି ତୃଣମୂଳ ସ୍ତରରେ ଆନ୍ଦୋଳନ ଜାରି ରହେ । ଏହାକୁ ଜାରି ରଖନ୍ତି ସାଧାରଣ ସ୍ଵାଧୀନତା ଆନ୍ଦୋଳନର କର୍ମୀମାନେ । ସେମାନେ ପାଆନ୍ତି ଅସହ୍ୟ ଶାରୀରିକ ଯନ୍ତ୍ରଣା, ମାନସିକ ତାଡ଼ନା ଓ ଆର୍ଥିକ ଦୁର୍ଗତି । ସେସବୁ ସହ୍ୟକରି ସେମାନେ ସ୍ଵାଧୀନତା ଆନ୍ଦୋଳନକୁ ବଞ୍ଚାଇ ରଖନ୍ତି । କିନ୍ତୁ ଏହି ସାଧାରଣ ଆନ୍ଦୋଳନକାରୀଙ୍କ କଥା ଓଡ଼ିଶାର ସ୍ଵାଧୀନତା ଆନ୍ଦୋଳନ ଇତିହାସରେ ଯେପରି ସ୍ଥାନ ପାଇବା କଥା ତାହା ସ୍ଥାନ ପାଇ ନାହିଁ ବୋଲି ବିନୋଦ କାନୁନଗୋ ତାଙ୍କ ଆତ୍ମଜୀବନୀ “ୠଣ ପରିଶୋଧ’’ରେ ଉଲ୍ଲେଖ କରିବା ସହିତ ତାଙ୍କର ପାରୁପର୍ଯ୍ୟନ୍ତ ନିଜ ସ୍ମୃତିପଟ୍ଟରୁ ସଂଗ୍ରହ କରି ତୃଣମୂଳ ସ୍ତରରେ ସ୍ଵାଧୀନତା ସଂଗ୍ରାମକୁ ଜାରି ରଖିଥିବା ସାଧାରଣ କର୍ମୀମାନେ କିପରି ଅପୂର୍ବ ଦେଶାତ୍ମବୋଧର ପରିଚୟ ଦେଇ ସର୍ବସ୍ୱ ତ୍ୟାଗ କରି ସ୍ଵାଧୀନତା ପାଇଁ ଲଢ଼େଇ କରିଥିଲେ ତାହା ଉଲ୍ଲେଖ କରି ଏକ ଆହ୍ୱାନ ଦେଇଛନ୍ତି, ସେହି ସାଧାରଣ କର୍ମୀଙ୍କ ବିଷୟରେ ଗବେଷଣା ହୋଇ ପ୍ରକୃତ କଥା ଲୋକଲୋଚନକୁ ଆସୁ । ସେ କହିବା କଥା, କେବଳ ବଡ଼ ବଡ଼ ନେତା ବା କର୍ମୀ ସ୍ଵାଧୀନତା ସଂଗ୍ରାମକୁ ଜାରି ରଖି ସ୍ଵାଧୀନତା ସଂଗ୍ରାମୀ ବୋଲାଇଲେ ହେବ ନାହିଁ, ଯେଉଁମାନେ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଆଶ୍ରୟ ଦେଇଥିଲେ, ଯେଉଁ ମା’ମାନେ ନିଜର ପୁତ୍ରକନ୍ୟାଙ୍କୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବା ପାଇ ଅନୁମତି ଦେଇଥିଲେ ଓ ପ୍ରେରଣା ଦେଇଥିଲେ, ସେମାନେ ମଧ୍ୟ ସ୍ଵାଧୀନତା ସଂଗ୍ରାମୀଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି । ସେମାନେ ମଧ୍ୟ ଜାତିର ନମସ୍ୟ ଓ ଦେଶକୁ ସ୍ଵାଧୀନ କରିବାରେ ଭାଗିଦାରୀ । କିନ୍ତୁ ସେମାନଙ୍କୁ ଭୁଲି ଯାଇଛନ୍ତି ଅବା ସଠିକ୍‌ ସ୍ଥାନ ଦେଇ ନାହାଁନ୍ତି ଗବେଷକ ଓ ଐତିହାସିକମାନେ । ଅନେକ ଉଦାହରଣ ଦେଇ ସେ ଲୋକଲୋଚନକୁ ଆଣିଛନ୍ତି ଏହିପରି ବହୁ ସ୍ଵାଧୀନତା ସଂଗ୍ରାମୀଙ୍କୁ । ସେଥିମଧ୍ୟରୁ ଗୋଟିଏ ଉଦାହରଣ ହେଲେ ହେମାଙ୍ଗିନୀ ବୋଷ । ସେ ହେଉଛନ୍ତି ଓଡ଼ିଶାର ସ୍ଵାଧୀନତା ଆନ୍ଦୋଳନର ପ୍ରଥମ ସହୀଦ ନିରଞ୍ଜନ ଘୋଷଙ୍କ ମାତା । ନିଜର ସ୍ଵାମୀ କୃଷ୍ଣବଲ୍ଲଭ ଓ ଦୁଇପୁତ୍ର ନିରଞ୍ଜନ ଓ ଅନୀଲଙ୍କୁ ଜେଲ ପଠାଇବାର ସାହସ ମହିୟସୀ ମହିଳାଙ୍କର ଥିଲା । ସେ ବିପ୍ଳବୀ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କୁ ୧୯୪୨ ଆନ୍ଦୋଳନ ବେଳେ ଆଶ୍ରୟ ଦେଇ ସ୍ୱାଧୀନତା ସଂଗ୍ରାମର ଧାରା ଜାରି ରଖିବାକୁ ସାହସ ପ୍ରଦର୍ଶନ କରିଥିଲେ । ସେହି ପ୍ରାତଃସ୍ମରଣୀୟ ସ୍ଵାଧୀନତା ସଂଗ୍ରାମୀ ମହିଳାଙ୍କର ନାମ ବିକ୍ଷିପ୍ତ ଭାବରେ ଲେଖା ହୋଇଥିବା ଓଡ଼ିଶାର ସ୍ଵାଧୀନତା ଆନ୍ଦୋଳନ ଇତିହାସରେ କେଉଁଠି ଉଲ୍ଲେଖ ନାହଁ ବୋଲି ଶ୍ରୀକାନୁନ୍‌ଗୋ କ୍ଷୋଭ ପ୍ରକାଶ କରିଛନ୍ତି ‘ୠଣ ପରିଶୋଧ’ରେ ।

 

ସ୍ଵାଧୀନତା ଆନ୍ଦୋଳନ ସମୟରେ କିପରି ନିଜର ଉଜ୍ଜ୍ୱଳ ଭବିଷ୍ୟତ କଥା ଚିନ୍ତା ନ କରି ନବଯୁବକମାନେ ଦେଶକୁ ସ୍ଵାଧୀନ କରିବା ପାଇଁ ସ୍କୁଲ ପାଠଛାଡ଼ି ସ୍ଵାଧୀନତା ସଂଗ୍ରାମକୁ ଡେଇଁ ପଡ଼ିଛନ୍ତି ତାହା ଆଜିର ଯୁବକମାନେ ହୁଏତ ବିଶ୍ୱାସ କରିପାରିବେ ନାହିଁ । ୧୯୩୦ ମସିହା ଅପ୍ରେଲ ମାସ ୧୦ ତାରିଖ ଦିନ ଓଡ଼ିଶାର ସର୍ବଶ୍ରେଷ୍ଠ ସ୍କୁଲ କଟକରେ ଥିବା ରେଭେନ୍‍ସା କଲିଜିଏଟ ସ୍କୁଲରୁ ୧୮ ଜଣ ଛାତ୍ର ପାଠ ଛାଡ଼ି ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେବା ନିଶ୍ଚିତ ଭାବରେ ଏକ ଐତିହାସିକ ଘଟଣା । ସେମାନେ ଥିଲେ ଭାଗବତ ସାହୁ, ପିଆରୀ ଶଙ୍କର ରାୟ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ଆକୁଳାନନ୍ଦ ବେହେରା, ବିପିନ ବିହାରୀ ମହାନ୍ତି, କୃପାସିନ୍ଧୁ ଖୁଣ୍ଟିଆ/ବଳରାମ ପତି, ଗଜେନ୍ଦ୍ରନାଥ ଦାସ, ଶତ୍ରୁଘ୍ନ ସାହୁ, ବେଣୁଧର କାନୁନ୍‌ଗୋ, ଅଶୋକ ଦାସ, ବୈଦ୍ୟନାଥ ରଥ ଅଦ୍ୱୈତ ବଲ୍ଲଭ ରାୟ, ଦେବେନ୍ଦ୍ରନାଥ ବାନାର୍ଜୀ, ସୁଧାଂଶୁ ମୈତ୍ର, ନରସିଂହ ସାହୁ ଓ ବିନୋଦ କାନୁନ୍‌ଗୋ । ଏମାନେ ପରବର୍ତ୍ତୀ ସମୟରେ ସ୍ଵାଧୀନତା ଆନ୍ଦୋଳନକୁ ତେଜେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

 

ସ୍ଵାଧୀନତା ଆନ୍ଦୋଳନ ସମୟରେ ସତ୍ୟାଗ୍ରହୀମାନଙ୍କୁ କିପରି ନୃଶଂସ ଭାବରେ ମାଡ଼ ମାରୁଥିଲେ ବ୍ରିଟିଶ ରାଜତ୍ଵର ପୋଲିସ ତାହାର ଭୁକ୍ତଭୋଗୀ ଥଲେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ । ବିନୋଦବାବୁ ସେହି ମହାନ୍‌ ସ୍ଵାଧୀନତା ସଂଗ୍ରାମୀଙ୍କ ବିଷୟରେ ଲେଖିବାକୁ ଯାଇ କହିଛନ୍ତି ଯେଉଁମାନେ କଷ୍ଟ କରିଛନ୍ତି, ସର୍ବସ୍ୱାନ୍ତ ହୋଇଛନ୍ତି ବା ସଂଗ୍ରାମରେ ଯୋଗଦେବା ଫଳରେ ଘୋର ଦାରିଦ୍ର୍ୟ ଭିତରକୁ ଠେଲି ହୋଇ ଯାଇଛନ୍ତି ସେମାନଙ୍କ ଜୀବନୀ ବା ସଂଗ୍ରାମର ଇତିହାସ ଲେଖା ଯାଇ ନ ଥିବାରୁ ସେମାନଙ୍କ କଥା କେହି ଜାଣନ୍ତି ନାହିଁ । ସେହିମାନଙ୍କ ମଧ୍ୟରୁ ଜଣେ ଥିଲେ ଗୌରାଙ୍ଗ ଚରଣ ଦାସ । ବିହାରର ଫୁଲଓ୍ୱାରୀ ସେରିଫ୍ର କ୍ୟାମ୍ପ୍‌ ଜେଲକୁ ଯାଉଥିବାବେଳେ ଗୋରା ସର୍ଜେଣ୍ଟ ବାଟନରେ ପିଟି ପିଟି ତାଙ୍କ କାନମୁଣ୍ଡ ଫଟାଇ ଦେଇଥିଲା, ଯାହା ଫଳରେ ଜୀବନ ଯାକ ତାଙ୍କ କାନ ଦୋଷ ରହି ଯାଇଥିଲା । ପୁନଶ୍ଚ ଢେଙ୍କାନାଳ ରାଜା ବ୍ରିଟିଶ ସରକାରଙ୍କ ସହାୟତାରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କଲାବେଳେ ଯେଉଁ ଆନ୍ଦୋଳନ ହୋଇଥିଲା, ସେଥିରେ ଗୌରାଙ୍ଗ ଚରଣ ଦାସ ଭାଗ ନେଇ ଯେଉଁ ଅକଥନୀୟ ଯନ୍ତ୍ରଣା ସହିଥିଲେ ତାହା ବିନୋଦବାବୁ ଅତି ମର୍ମସ୍ପର୍ଶୀ ଭାଷାରେ ବର୍ଣ୍ଣନା କରିଛନ୍ତି । ପୋଲିସମାନେ ତାଙ୍କୁ ଅତି ନିର୍ଦ୍ଦୟ ଓ ନୃଶଂସ ଭାବରେ ପିଟି ପିଟି ଚେତା ବୁଡ଼ାଇ ଦେଇଥିଲେ । ସେ ମୃତବତ୍‌ ହୋଇ ପଡ଼ିଥିଲେ, କିନ୍ତୁ ସତ୍ୟକୁ ତ୍ୟାଗ କରି ନ ଥିଲେ ବା ହାରମାନି ନ ଥିଲେ ।

 

୧୯୩୨ ମସିହାରେ କଂଗ୍ରେସକୁ ବେଆଇନ ଘୋଷଣା କରାଗଲା ପରେ ସତ୍ୟାଗ୍ରହୀମାନଙ୍କର ସମସ୍ୟା କହିଲେ ନ ସରେ । ସେମାନଙ୍କୁ କେହି ଘରେ ଆଶ୍ରୟ ଦେବା ପାଇଁ ମନା ହେଲା- ସେମାନଙ୍କୁ ଚାନ୍ଦା ମଧ୍ୟ ଦେବା ବେଆଇନ ଓ ରାଷ୍ଟ୍ର ବିରୋଧୀ ବୋଲି କୁହାଗଲା । ସତ୍ୟାଗ୍ରହୀମାନେ ବଡ଼ ସମସ୍ୟାର ସମ୍ମୁଖୀନ ହେଲେ । କଟକର ସ୍ଵରାଜ ଆଶ୍ରମକୁ ମଧ୍ୟ ସରକାର ଅଧିକାର କରି ନେଇ ତା ଭିତରକୁ କାହାକୁ ଛାଡ଼ିଲେ ନାହିଁ । ସତ୍ୟାଗ୍ରହୀମାନେ କିନ୍ତୁ ସମସ୍ତ ପ୍ରକାର ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ । ଗାନ୍ଧିଜୀଙ୍କ ଆହ୍ୱାନ ସେମାନଙ୍କ ପାଇଁ ଥିଲା ମହାମନ୍ତ୍ର । ବହୁଦିନ ଧରି ସେମାନେ ଗଛମୂଳେ, ନଦୀକୂଳେ, କାଠଯୋଡ଼ି, ବୁରୁଜପାଖ, ଟାଉନହଲ ପିଣ୍ଡା ଥିଲା ସେମାନଙ୍କ ଘର । ଦିନଯାକ କାମ କରି ଆସି କ୍ଲାନ୍ତ ହୋଇ କାନି ପାରି ଉପରୋକ୍ତ ସ୍ଥାନର ବାରଣ୍ଡାରେ ଶୋଇ ଯାଆନ୍ତି । କାହା ଘରକୁ ଯାଇ ରହି ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରନ୍ତି ନାହିଁ । ସକାଳୁ ସକାଳୁ ଉଠି କାଠଯୋଡ଼ି ପାଣିରେ ଗାଧୋଇ ପୁଣି ନିଜ କର୍ମକ୍ଷେତ୍ରକୁ ବାହାରି ପଡ଼ନ୍ତି । ଡକ୍ଟର ହରେକୃଷ୍ଣ ମହତାବ ସେତେବେଳେ ବାଲେଶ୍ଵର ଛାଡ଼ି କଟକ ଆସିଲେ । ସେ ମଧ୍ୟ ସେହି ସମସ୍ୟାର ସମ୍ମୁଖୀନ ହେଲେ । ତାଙ୍କୁ ଆଶ୍ରୟ କେହି ଦେଲେ ନାହିଁ । ସେ ସ୍ଵରାଜ ମେଡ଼ିକାଲ ହଲ ଔଷଧ ଦୋକାନ ବାରଣ୍ଡାରେ ରାତ୍ରିଯାପନ କଲେ । ଦେଶକୁ ସ୍ଵାଧୀନ କରିବା ପାଇଁ ଯୁବ ସତ୍ୟାଗ୍ରହୀମାନେ ସମସ୍ତ ସୁଖ, ସ୍ଵାଚ୍ଛନ୍ଦ୍ୟ ତ୍ୟାଗ କରି ବାରବୁଲା ଫକୀର ପରି ଜୀବନ ଯାପନ କରିବାକୁ କୁଣ୍ଠା ପ୍ରକାଶ କଲେ ନାହିଁ ।

 

ସହୀଦ ଲକ୍ଷ୍ମଣ ନାୟକ, ଯାହାଙ୍କର ତଥାକଥିତ ଶିକ୍ଷା ଦୀକ୍ଷା ନ ଥିଲା, ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ବ୍ରିଟିଶ ସରକାରଙ୍କ ଅନ୍ୟାୟ ଅତ୍ୟାଚାରର ପ୍ରତିରୋଧ କରିବାରୁ ତାଙ୍କୁ ମିଥ୍ୟା ନରହତ୍ୟା ମାମଲାରେ ପକାଇ ମିଥ୍ୟା ସାକ୍ଷୀ ଯୋଗାଡ଼ କରି ଅନ୍ୟାୟ ଭାବରେ ବିଚାର କରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲା । ସେ ଥିଲେ ବ୍ରହ୍ମପୁର ଜେଲରେ । ସେହି ସମୟରେ ବିନୋଦ କାନୁନ୍‍ଗୋ ବି ଅଟକବନ୍ଦୀ ହିସାବରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ବ୍ରହ୍ମପୁର ଜେଲରେ ଥା’ନ୍ତି । ଯେଉଁଦିନ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଗଲା ସେଦିନ ସେ ଉପସ୍ଥିତ ଥା’ନ୍ତି ଜେଲରେ । ଲକ୍ଷ୍ମଣ ନାୟକ କିପରି ଦେଶ ପ୍ରେମର ଅଭୂତପୂର୍ବ ନିଦର୍ଶନ ପ୍ରଦର୍ଶନ କରି ସାମାନ୍ୟତମ ବିଚଳିତ ନ ହୋଇ ରଘୁପତି ରାଘବ ରାଜାରାମ ଗାନ କରି କରି ‘ଭାରତ ମାତା କି ଜୟ’, ‘ମହାତ୍ମାଗାନ୍ଧୀ କି ଜୟ’ ଧ୍ଵନିରେ ହସି ହସି ଫାଶୀ ଖୁଣ୍ଟରେ ଚଢ଼ିଲେ ତାହାକୁ ଅତି ମର୍ମସ୍ପର୍ଶୀ ଭାବରେ ଶ୍ରୀ କାନୁନ୍‌ଗୋ ତାଙ୍କ ଆତ୍ମଜୀବନୀରେ ବର୍ଣ୍ଣନା କରିଛନ୍ତି । ଜେଲର ଓ୍ୟାର୍ଡ଼ ମଧ୍ୟରେ ଥବା ଅନ୍ୟାନ୍ୟ ବନ୍ଦୀମାନଙ୍କୁ ଚାବି ପକାଇ ରଖାଯାଇଥାଏ, ଯାହାକି ପୂର୍ବରୁ ହେଉ ନ ଥିଲା । ବନ୍ଦଥିବା ଓ୍ୟାର୍ଡ଼ ମଧ୍ୟରୁ ବନ୍ଦୀଥିବା ନବକୃଷ୍ଣ ଚୌଧୁରୀ ପ୍ରଥମେ ଯେତେବେଳେ ଚିତ୍କାର କରି ଉଠିଲେ- ‘ଲକ୍ଷ୍ମଣ ନାୟକ ଜିନ୍ଦାବାଦ’ - ସମସ୍ତ କଏଦୀ ଏକ ସ୍ଵରରେ ଗଗନ ପବନ ମୁଖରିତ କରି ସେହି ଧ୍ୱନି ଦେଲେ । ବୀର ଲକ୍ଷ୍ମଣ ନାୟକଙ୍କ ସ୍ଵର ସବୁଦିନ ପାଇଁ ବନ୍ଦ ହୋଇଗଲା ବ୍ରହ୍ମପୁର ଜେଲର ଫାଶୀ ଖୁଣ୍ଟରେ । କିନ୍ତୁ ଯେଉଁ ବିଚାରପତି ରାମନାଥନ୍‌ ନିର୍ଦ୍ଦୋଷ ଲକ୍ଷ୍ମଣ ନାୟକଙ୍କୁ ଫାଶୀଦଣ୍ଡ ଦେଇଥିଲେ ଓ ଯେଉଁ ଓକିଲ ଜଗନ୍ନାଥ ରାଓ ତାଙ୍କ ବିରୁଦ୍ଧରେ ଲଢ଼ିଥିଲେ ସେମାନେ ଦେଶ ସ୍ଵାଧୀନ ହେବାପରେ ଯଥାକ୍ରମେ ଓଡ଼ିଶା ସରକାରଙ୍କ ସଚିବ ହୋଇଥିଲେ ଓ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ଏହିକଥା ପ୍ରକାଶ କର ଶ୍ରୀ କାନୁନ୍‌ଗୋ କ୍ଷୋଭ ପ୍ରକାଶ କରିଛନ୍ତି ତାଙ୍କ ‘ୠଣ ପରିଶୋଧ’ ପୁସ୍ତକରେ । ଯେଉଁମାନଙ୍କର ତ୍ୟାଗ ଫଳରେ ଦେଶ ସ୍ୱାଧୀନ ହେଲା- ଯେଉଁ ହଜାର ହଜାର କର୍ମୀ ନିଜ ସୁଖ ସ୍ଵାଚ୍ଛନ୍ଦ୍ୟ ପ୍ରତି ଭ୍ରୂକ୍ଷେପ ନ କରି ସ୍ଵାଧୀନତା ଲଢ଼ାଇ ଲଢ଼ିଲେ ସ୍ଵାଧୀନତାପରେ ସେହିକର୍ମୀମାନେ ଅଲୋଡ଼ା ହୋଇ ପଡ଼ିଲେ । ସ୍ଵପ୍ନର ଭାରତ ଗଠନ କରିବା ପାଇଁ ସେମାନଙ୍କର ପରାମର୍ଶ ଅବା ସାହାଯ୍ୟ ନିଆ ନ ଯାଇ ଯେଉଁ ଅମଲାତନ୍ତ୍ର ବ୍ରିଟିଶ ସରକାରଙ୍କୁ ସାହାଯ୍ୟ କରୁଥିଲେ-ସେହିମାନଙ୍କ ପରାମର୍ଶରେ ସ୍ଵାଧୀନ ଭାରତରେ ଶାସନ ଚାଲିଲା ଏକଥା ଉଲ୍ଲେଖ କରି କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀ କାନୁନ୍‌ଗୋ ।

 

ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଦେଶର ଯେଉଁ ସ୍ଵାଧୀନତା ଆନ୍ଦୋଳନ ଚାଲିଥିଲା ତାହା କେବଳ ଏକ ରାଜନୈତିକ ସ୍ୱାଧୀନତା ଆନ୍ଦୋଳନ ନ ଥିଲା - ଏହା ଥିଲା ଦେଶର ସର୍ବାଙ୍ଗୀନ ବିକାଶ ଓ ଏକ ସୁସ୍ଥ କ୍ଷୁଧାମୁକ୍ତି ସମାଜ ଗଠନ ପାଇଁ ଏକ ଅନନ୍ୟ ଆନ୍ଦୋଳନ । ଗାନ୍ଧିଜୀ ତାଙ୍କ ଆନ୍ଦୋଳନ ସମୟରେ କେବଳ ବ୍ରିଟିଶମାନେ ଏ ଦେଶରୁ ହଟି ଯାଆନ୍ତୁ ବୋଲି ଏକକ ଲକ୍ଷ୍ୟ ହାସଲ କରିବା ଉପରେ ଗୁରୁତ୍ୱ ଦେଉ ନଥିଲେ-ସେ ସମାଜରୁ ଭେଦଭାବ, ଅସୃଶ୍ୟତା ପରି ସାମାଜିକ ବ୍ୟାଧି, କ୍ଷୁଧା, ଭୟ, ଶ୍ରମ କାତରତା ପରି ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ବ୍ୟାଧି ଦୂର କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ । ଭାରତୀୟ ସମାଜର ଅସ୍ପୃଶ୍ୟତା ଏକ ଅତି ପୁରାତନ ବ୍ୟାଧି ଯାହାକି ସମାଜକୁ ଭାଗ ଭାଗ କରି ଏକ ବିକାରଗ୍ରସ୍ତ ସମାଜ କରି ରଖିଥଲେ । ଏହି ଅସ୍ପୃଶ୍ୟତା ବିରୁଦ୍ଧରେ ଗାନ୍ଧିଜୀ ସ୍ଵାଧୀନତା ଆନ୍ଦୋଳନ ସମୟରେ ଲଢ଼ିଲେ । ବହୁକର୍ମୀ ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେଇ ଏହି ବ୍ୟାଧିରୁ ନିଜକୁ ଦୂରରେ ରଖିବା ସହିତ ଜନସାଧାରଣଙ୍କ ମନରେ ଅସ୍ପୃଶ୍ୟତା ନିବାରଣ ପାଇଁ କାର୍ଯ୍ୟ କଲେ । ବିନୋଦ ନିଜେ କିପରି ହରିଜନ ବା ଦଳିତମାନଙ୍କ ସହ ମିଶି କାର୍ଯ୍ୟ କରିଛନ୍ତି ସେମାନଙ୍କ ଘରେ ଖାଇଛନ୍ତି- ସେମାନଙ୍କ ସହ ଏକ ବିଛଣାରେ ବସିଛନ୍ତି ତାହା ରଣ ପରିଶୋଧର ବିଭିନ୍ନ ଅଧ୍ୟାୟରେ ଉଲ୍ଲେଖ କରିଛନ୍ତି । ବିଶେଷ କରି ବରୀ ଆଶ୍ରମରେ ଅବସ୍ଥାନ କରି ବିଭିନ୍ନ ରଚନାତ୍ମକ କାର୍ଯ୍ୟରେ ବ୍ୟସ୍ତଥିବାବେଳେ ବାପୁଜୀଙ୍କ ନିର୍ଦ୍ଦେଶରେ ଠିକ୍‌ ହେଲା ସୁରେନ୍ଦ୍ର ଓ ବିନୋଦ ଆଶ୍ରମରେ ନ ରହି ହରିଜନ ବସ୍ତିରେ ରହି ବିଭିନ୍ନ ସେବା କାର୍ଯ୍ୟ କରିବେ । ବିନୋଦ ଯାଇ ରହିଲେ ଅରଙ୍ଗାବାଦର ପାଣସାହିର କ୍ଷେତ୍ରମା ଘର ପାଖରେ । ସେମାନେ ତାଙ୍କ ପାଇଁ ଚାଳଘର ତିଆରି କରିଦେଲେ । ବିନୋଦ ସେଠି ସେମାନଙ୍କ ସହ ମିଶି ବିଭିନ୍ନ ରଚନାତ୍ମକ କାମ କଲେ । ନିଜେ ବାରଣ୍ଡାରେ ରୋଷେଇ କରି ଖାଇଲେ । ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ସନ୍ଧ୍ୟାରେ ଫେରିବା ବେଳକୁ ଅବଶ ହୋଇ ପଡ଼ନ୍ତି । ଦିନେ ଏପରି ଅବଶ ହୋଇପଡ଼ିଥିଲେ ଯେ, ଆଉ ନିଜେ ରୋଷେଇ କରି ନ ଖାଇ ସେମାନଙ୍କ ରୋଷେଇରେ ଖାଇବା ପାଇଁ । କହିଲାରୁ, ସେମାନେ କେବଳ ଆଶ୍ଚର୍ଯ୍ୟ ହେଲେ ନାହିଁ ଏହା କଲେ ସେମାନେ ପାପ କରିବେ ବୋଲି କହିଲେ । ଅସ୍ପୃଶ୍ୟତା ରୋଗ ଏପରି ପୁରୁଷ ପୁରୁଷ ଧରି ରହି ଆସିଛି ଯେ ଦଳିତମାନେ ଭାବି ନେଇଛନ୍ତି । ଏହା ଭଗବାନଙ୍କର ଅଭିଶାପ । ବିନୋଦ ସେମାନଙ୍କୁ ସବୁ ବୁଝାଇଲେ- ଗାନ୍ଧିଜୀଙ୍କ ମତ ହେଲା ମଣିଷ ମଣିଷ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ, ସମସ୍ତେ ସମାନ । ବହୁ ବୁଝାଇଲା ପରେ ସେମାନେ ତାଙ୍କୁ ଖାଇବାକୁ ଦେଲେ । ଏହିଦିନଠାରୁ ସେ ଆଉ ନିଜେ ରୋଷେଇ କଲେ ନାହିଁ- ମାସକୁ ଦୁଇଟଙ୍କା ଦେଇ । ତାଙ୍କରି ରୋଷେଇରେ ଖାଇଲେ । ସ୍ୱାଧୀନତା ପାଇବାର ପ୍ରାୟ ଚଉଦ ପନ୍ଦର ବର୍ଷ ପୂର୍ବର ଏହି ଘଟଣା । ସେତେବେଳେ ବିନୋଦ କାନୁନ୍‌ଗୋ ଦଳିତ ପାଣ ଘରେ ଖାଇବା କଥା କହିଲେ ଆଜି । ସ୍ୱାଧୀନତା ମିଳିବାର ୬୪ ବର୍ଷ ପରେ ବି ଲୋକେ ବିଶ୍ଵାସ କରିବେ ନାହିଁ । ଅସ୍ତୃଶ୍ୟତା କ’ଣ ଆମ ସମାଜରୁ ଆଜି ଲୋପ ପାଇଛି-? ଏବେବି ଆମରି ରାଜ୍ୟ ଓଡ଼ିଶାରେ ବହୁ ସ୍ଥାନରେ ଦଳିତମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଉନାହିଁ । କିନ୍ତୁ ସେତେବେଳେ ଗାନ୍ଧିଜୀଙ୍କ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିବା ସଚ୍ଚା ଦେଶସେବକମାନେ କିପରି ଆଦର୍ଶ ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନ କରିବାକୁ ଜୀବନୋତ୍ସର୍ଗ କରିଥିଲେ ବିନୋଦବାବୁଙ୍କର ପାଣ ଘରେ ଖାଇବା ତାହା ପ୍ରମାଣ ଦିଏ ।

 

ମହାତ୍ମା ଗାନ୍ଧୀ ଶାରୀରିକ ଶ୍ରମ କରିବା ପାଇଁ ପ୍ରୋତ୍ସାହନ ଦେବା ସହିତ ବିଭିନ୍ନ ଆତ୍ମନିଯୁକ୍ତି ଧନ୍ଦା କରି ସ୍ଵାବଲମ୍ବୀ ହେବା ପାଇଁ ନାନା କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଯେଉଁମାନେ ସ୍ଵାଧୀନତା ଆନ୍ଦୋଳନରେ । ଯୋଗ ଦେଉଥିଲେ ସେମାନେ ଯେତେ ସମ୍ଭ୍ରାନ୍ତ ବଂଶର ଲୋକ ହୁଅନ୍ତୁ ଅବା ଉଚ୍ଚ ପାଠୁଆ ହୁଅନ୍ତୁ-ସମସ୍ତଙ୍କୁ ଶାରୀରିକ ଶ୍ରମ କରିବାକୁ ହେଉଥିଲା । ପାଇଖାନା ସଫାଇଠାରୁ ଆରମ୍ଭ କରି ଘର ଝାଡ଼ୁ କରିବା, ବିଲ ବାଡ଼ିରେ କାମ କରିବା, ମାଟି ହାଣିବା, ମାଟି ବୋହିବା କାମ ସେମାନେ କରୁଥିଲେ । ସ୍ଵାଧୀନତାର ମୂଳମନ୍ତ୍ର ଥିଲା ସୂତାକାଟି ଲୁଗାବୁଣି ଖଦୀ ପିନ୍ଧିବା । ଏହି କାର୍ଯ୍ୟଟିକୁ ସମସ୍ତେ କରୁଥିଲେ । ଗୋପବନ୍ଧୁ ଚୌଧୁରୀ ହେଉଛନ୍ତି ଓଡ଼ିଶାର ପ୍ରଥମ ସତ୍ୟାଗ୍ରହୀ । ସେ ଗୋଟିଏ ସମ୍ଭ୍ରାନ୍ତ ପରିବାରରେ କେବଳ ଜନ୍ମ ହୋଇ ନଥିଲେ, ଉଚ୍ଚ ଡିଗ୍ରୀ ଧାରୀ ହୋଇ ପ୍ରଥମେ ବ୍ରିଟିଶ ସରକାରଙ୍କ ଅଧିନରେ ଡେପୁଟୀ କଳେକ୍ଟର ଥିଲେ । ତାଙ୍କର ସୁପାରିଶକୁ ଗ୍ରହଣ ନ କରି ବ୍ରିଟିଶ ସରକାର ଚାଷୀ ମୂଲିଆଙ୍କୁ ସାହାଯ୍ୟ ନ କରିବାରୁ ସେ ଚାକିରୀରୁ ଇସ୍ତଫା ଦେଇ ଆସି ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଲେ । ବରୀରେ ଆଶ୍ରମ କରି ବିଭିନ୍ନ ରଚନାତ୍ମକ କାମରେ ଲାଗି ପଡ଼ିଥିବା ବେଳେ ସେ ସାଧାରଣ ମୂଲିଆ ପରି କାମ କରୁଥିଲେ ବୋଲି ଶ୍ରୀ କାନୁନ୍‌ଗୋ ତାଙ୍କ ସ୍ମୃତି-ଚାରଣ କରି ଲେଖିଛନ୍ତି । ଗୋପବନ୍ଧୁ ଚୌଧୁରୀଙ୍କ ପତ୍ନୀ ରମାଦେବୀ ମଧ୍ୟ ଜଣେ ସମ୍ଭ୍ରାନ୍ତ ଘରର ଝିଅ । ସେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । ଗୋପବନ୍ଧୁଙ୍କ ସହିତ ସେ ମଧ୍ୟ ମୂଲିଆଣୀ ପରି କାମ କରୁଥିଲେ । ଶ୍ରୀ କାନୁନ୍‌ଗୋ ଲେଖିଛନ୍ତି ବରୀ ଅଞ୍ଚଳରେ ବନ୍ୟା ପରେ ରାସ୍ତାଘାଟ ଭାଙ୍ଗିଯାଏ । ବନ୍ୟା ଛାଡ଼ିଲା ପରେ ଗ୍ରାମବାସୀଙ୍କୁ ମେଳକରି ବରୀ ଆଶ୍ରମର ସ୍ଵାଧୀନତା ସଂଗ୍ରାମୀମାନେ ମୁଣ୍ଡରେ ମାଟି ବୋହି ରାସ୍ତା ମରାମତି କରାନ୍ତି । ସାଧାରଣ ଲୋକଙ୍କ ସହିତ ଗୋପବାବୁ ଓ ରମାଦେବୀ ମଧ୍ୟ ମୁଣ୍ଡରେ ମାଟି ବୋହି ଅନ୍ତତଃ ପାଞ୍ଚଘଣ୍ଟା ପର୍ଯ୍ୟନ୍ତ ରାସ୍ତା କାମରେ ନିଜକୁ ନିୟୋଜିତ କରୁଥିଲେ । ଏକଥା ଆଜି ହୁଏତ ଅନ୍ୟମାନେ ବିଶ୍ଵାସ କରିବେ ନାହିଁ । ବିନୋଦବାବୁ ନିଜେ ମଧ୍ୟ ମାଟି ବୋହିଛନ୍ତି, ଗାଈ ଚରାଇଛନ୍ତି, ଧାନ ରୋଇଛନ୍ତି, ଧାନ ବାଛିଛନ୍ତି । ଏହିଥିରୁ ଶ୍ରମର ମର୍ଯ୍ୟାଦା ସ୍ଵାଧୀନତା ଆନ୍ଦୋଳନର କିପରି ଅଂଶବିଶେଷ ହୋଇଥିଲା ତାହା ସୂଚିତ ହୁଏ । ସ୍ଵାବଲମ୍ବୀ ହେବା ପାଇଁ ସୂତାକାଟି ଲୁଗା ବୁଣି ପିନ୍ଧିବା ସାଙ୍ଗକୁ ମହୁମାଛି ପାଳନ, ଖଜୁରୀ ଓ ତାଳଗୁଡ଼ ତିଆରି ଆଦି ଅନେକ କାର୍ଯ୍ୟ ସ୍ଵାଧୀନତା ସଂଗ୍ରାମୀମାନେ କରୁଥିଲେ ଓ ସାଧାରଣ ଲୋକଙ୍କୁ ଏହି ସବୁ କାର୍ଯ୍ୟକ୍ରମରେ ସାମିଲ କରି ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ବାଟ ଦେଖାଉଥିଲେ । ସ୍ଵାଧୀନତା ଆନ୍ଦୋଳନର ବିଭିନ୍ନ ଦିଗକୁ ଯାହାସବୁ ସେ ଅଙ୍ଗେ ନିଭାଇ ଥିଲେ ସେ ‘ରଣ ପରିଶୋଧ’ ମାଧ୍ୟମରେ ପ୍ରକାଶ କରି ଭବିଷ୍ୟତ ପିଢ଼ିଙ୍କ ପାଇଁ ସାଇତି ରଖିଦେଇ ଗଲେ । ତାଙ୍କର ଆତ୍ମଜୀବନୀ ଓଡ଼ିଶାରେ ସ୍ଵାଧୀନତା ଆନ୍ଦୋଳନର ଏକ ଆଖିଦେଖା ଆଲେଖ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଶ୍ରୀ କାନୁନ୍‌ଗୋ ‘ରଣ ପରିଶୋଧ’ ପୁସ୍ତକରେ ବିଭିନ୍ନ ବିଷୟର ଅବତାରଣା କଲାବେଳେ ତତ୍‌କାଳୀନ ଓଡ଼ିଶାର ଅର୍ଥନୈତିକ ଓ ସାମାଜିକ ଚିତ୍ର ମଧ୍ୟ ପ୍ରଦାନ କରିଛନ୍ତି । ବିଂଶ ଶତାବ୍ଦୀର ତୃତୀୟ ଦଶକରେ ଗାଁ ଗହଳ କଥା ଛାଡ଼ନ୍ତୁ ଏପରିକି ହଜାର ବର୍ଷର ପୁରୁଣା କଟକ ସହରରେ ମଧ୍ୟ ପିଲାମାନେ ମାଇନର ପଢ଼ିବା ପାଇଁ ଯଥେଷ୍ଟ ସଂଖ୍ୟାରେ ସ୍କୁଲ ନ ଥିଲା । ଓଡ଼ିଶାର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ରେଭେନ୍‌ସା କଲେଜ ଓ ବଡ଼ ଡାକ୍ତରଖାନା ନିକଟରେ ସ୍କୁଲଟିଏ ବି ନ ଥିଲା । କଲେଜର ଅଧ୍ୟାପକ ଓ ଡାକ୍ତରଖାନାର ଡାକ୍ତରମାନେ ନିଜ ନିଜର ପିଲାଙ୍କୁ ପଢ଼ାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଆଦି କହିଲେ ହୁଏତ ଆଜି ଏକଥା ସତ ବୋଲି କେତେକ ବିଶ୍ଵାସ କରିବେ ନାହଁ । ଶ୍ରୀ କାନୁନ୍‌ଗୋ ଲେଖିଛନ୍ତି ସେ ରେଭେନ୍‌ସା କଲେଜ ହତାରେ ଥିବା ନିଜ ମାମୁଁଙ୍କ ବସାରେ ରହିଲା ପରେ ତିନିବର୍ଷ ବସି ରହିଲେ- ଘରେ ପାଖରେ ସ୍କୁଲଟିଏ ନ ଥିଲା ପାଠ ପଢ଼ିବା ପାଇଁ । ସେ ଲେଖିଛନ୍ତି, ‘‘କଟକ ସହରର ନୂଆବଜାରଠାରୁ ମଙ୍ଗଳାବାଗ, ତେଣେ ଦୋଳମୁଣ୍ଡାଇ, ଏଣେ ଯୋବରା ଭିତରେ ଗୋଟିଏ ସୁଦ୍ଧା ମାଇନର ସ୍କୁଲ ନ ଥିଲା । ମେଡ଼ିକାଲର ଡାକ୍ତର, ଇଞ୍ଜନିୟରିଂ ସ୍କୁଲର ଶିକ୍ଷକମାନଙ୍କ ପିଲାମାନେ ମଧ୍ୟ ପଢ଼ିବାର ସୁଯୋଗରୁ ବଞ୍ଚିତ । କଟକ ସହର ଭିତରେ ଯେ ଏଭଳି ଗୋଟିଏ ପରିସ୍ଥିତି ଥିଲା ତାହା ବିଶ୍ୱାସ କରିବାକୁ ଆଜି ମଧ୍ୟ ଅନେକଙ୍କର ସାହସ ହେବ ନାହିଁ ।

 

୧୯୨୫ ମସିହାରେ ରାଣୀହାଟରେ ମାଇନର ସ୍କୁଲଟିଏ ଖୋଲାଇବା ପାଇଁ ତାଙ୍କ ମାମୁଁ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ଉଦ୍ୟମରେ ପ୍ରସ୍ତୁତି ଆରମ୍ଭ ହେଲା, ଯାହା ଫଳରେ ରେଭେନ୍‌ସା କଲେଜ ଡାକ୍ତରଖାନା ଓ ଇଞ୍ଜନିୟରିଂ ସ୍କୁଲର କର୍ମଚାରୀମାନଙ୍କର ପିଲାମାନେ ପାଠ ପଢ଼ି ପାରିଲେ ।

 

ବିଂଶ ଶତାବ୍ଦୀର ତୃତୀୟ ଦଶକ ପର୍ଯ୍ୟନ୍ତ କୃଷିରେ ଆଗୁଆ ଥିବା ଅବିଭକ୍ତ କଟକ ଜିଲ୍ଲାର ଆଉ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ନାଗଣପୁର ଅଞ୍ଚଳରେ ଲୋକେ କୋବି, ଆଳୁ ଚାଷ ଦେଖି ନଥିବା କହିଲେ ଆଜି ହସ ଲାଗିବ । ବିନୋଦବାବୁ ତାଙ୍କ ମାମୁଁ ଘର ନାଗଣପୁରରେ ରହିବାବେଳେ ତାଙ୍କର ଜେଜେ ହିସାବ ହେବା ସୀତାନାଥ ମହାନ୍ତି ପାଟଣାରୁ କୃଷି ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ କରି ଚାକିରି ନ କରି ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବାକୁ ଠିକ କରି ଗାଁରେ ବିଭିନ୍ନ ପ୍ରକାର ଚାଷ କଲେ । ସେହି ଫସଲ ମଧ୍ୟରୁ ବନ୍ଧାକୋବି, ଫୁଲକୋବି, ଆଳୁ, ବିଲାତି ବାଇଗଣ ମଧ୍ୟ ଥିଲା । ଏସବୁ ଚାଷ ଦେଖିବାକୁ ଆଖ ପାଖ ଅଞ୍ଚଳରେ ଲୋକେ ଆସୁଥିଲେ । ସେହି ଚାଷଜମି ଖଣ୍ଡକ ଏକ ଦର୍ଶନୀୟ ସ୍ଥାନ ହୋଇଗଲା ବୋଲି ଶ୍ରୀ କାନୁନ୍‌ଗୋ ନିଜ ଅନୁଭୂତିରୁ ଉଲ୍ଲେଖ କରିଛନ୍ତି । ଆଉ ଏକ ମଜ୍ଜା କଥା ଏଠି ଉଲ୍ଲେଖ ନ କରି ରହି ହେଉ ନାହିଁ । ଆଳୁ ଅର୍ଥାତ ଗୋଲ ଆଳୁ ବା ବିଲାତି ଆଳୁ ମଧ୍ୟ ସେ ସମୟରେ ସ୍ୱପ୍ନ ଥିଲା । ବିହାରିଲାଲ ପଣ୍ଡିତ ଟୀକା ସହିତ ଗୀତାର ଅନୁବାଦ କରିବା ପାଇଁ ସ୍ଥିର କରି କଟକ ସହର ଆଉ । କେତେଜଣ ପଣ୍ଡିତଙ୍କୁ ଡାକି ସେ ବିଷୟରେ ମଝିରେ ମଝିରେ ବିଚାର ଆଲୋଚନା କରନ୍ତି । ଯେଉଁ ପଣ୍ଡିତମାନେ ଆଲୋଚନା କରିବାକୁ ଆସନ୍ତି ସେମାନଙ୍କୁ ଗୋଟିଏ ଗୋଟିଏ ‘ସିଧା’ ଦିଆଯାଏ ପ୍ରତିଦିନ । ସେହି ପଣ୍ଡିତମାନଙ୍କ ମଧ୍ୟରୁ ପଣ୍ଡିତ ଶତପଥୀ ଥିଲେ ଅନ୍ୟତମ । ଦିନେ ବିହାରୀଲାଲ ପଣ୍ଡିତ ସିଧାରେ କେତୋଟି ଆଳୁ ଦେଇଥିଲେ । ସେହି ଗୋଲ ଗୋଲ ଆଳୁ ସିଧାରେ ଦେଇଥିବା ଲକ୍ଷ୍ୟ କରିଥିଲେ ପଣ୍ଡିତ ମହାଶୟ । ସେଠି କିଛି ନ କହି ଘରେ ପହଞ୍ଚି ନିଜ ପତ୍ନୀଙ୍କୁ କିଛି ନ କହି ଆଳୁକୁ ଅଣ୍ଡା ଭାବି ବାରିଆଡ଼େ ଫୋପାଡ଼ି ଦେଲେ, ଗାଧୋଇଲେ ଓ ପଇତା ବଦଳାଇଲେ ଅଣ୍ଡା ଆଣିଥିବା ଯୋଗୁ କାୟା ଓ ପଇତା ମାରା ହେଲା ଭାବି ପରଦିନ ବିହାରୀଲାଲ ପଣ୍ଡିତ ଶତପଥୀଙ୍କୁ ଯେତେବେଳେ ପ୍ରଶ୍ନ କଲେ ସେ ପୂର୍ବଦିନ ଦେଇଥିବା ଆଳୁ କେମିତି ଲାଗିଲା ପଣ୍ଡିତ ଶତପଥୀ ଯେତେବେଳେ ତାଙ୍କ କଥା କହିଲେ ହାସ୍ୟରୋଳ ସୃଷ୍ଟି ହୋଇଥିଲା । ଏହି କଥା ଅନ୍ୟ ସମୟରେ ଯେତେବେଳେ ଅନ୍ୟମାନଙ୍କୁ କୁହାଯାଇଛି ସମସ୍ତେ ଏକଥାକୁ ଅବିଶ୍ୱାସ କରିଛନ୍ତି ଓ ହାସ୍ୟରୋଳ ସୃଷ୍ଟି ହୋଇଛି । ଏହିପରି ଥି‌ଲା ସେତେବେଳକାର ସ୍ଥିତି ।

 

ସେତେବେଳେ ରାସ୍ତାଘାଟର କି ଦୂରାବସ୍ଥା ଥିଲା, ଲୋକେ କିପରି ଧୂଳି ଧୂସରିତ ରାସ୍ତାରେ ଓଡ଼ିଶାର ରାଜଧାନୀ କଟକ ସହରକୁ ଚାଲି ଚାଲି ଆସୁଥିଲେ ଅବା ଶଗଡ଼ ଗାଡ଼ିରେ ଆସୁଥିଲେ କିମ୍ବା ଜଳପଥରେ ଡଙ୍ଗାରେ ଆସୁଥିଲେ ଶ୍ରୀକାନୁନ୍‍ଗୋ ତାଙ୍କ ଗାଁ ମଲୀପୁରରୁ କଟକ ଆସିବାର କଷ୍ଟ କଥା ଉଲ୍ଲେଖ କରି ସେ ସମୟର ଗମନାଗମନ କଥା ସୂଚାଇ ଦେଇଛନ୍ତି । ଜାତିଭେଦ, ଛୁଆ ଅଛୁଆଁ ଭେଦଭାବ କିପରି ଘୃଣ୍ୟ ଥିଲା, ଦଳିତମାନେ କିପରି ନିଷ୍ପେସିତ ଅବସ୍ଥାରେ ଥିଲେ ସେ ତାଙ୍କ ଆତ୍ମଜୀବନୀର ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କଲାବେଳେ ତାହାକୁ ଚମତ୍କାର ଢଙ୍ଗରେ ଲୋକଲୋଚନକୁ ଆଣିଛନ୍ତି ।

 

ଆନୁଷ୍ଠାନିକ ଶିକ୍ଷା ସେ କେବଳ ନବମଶ୍ରେଣୀ ପର୍ଯ୍ୟନ୍ତ ପଢ଼ି କିପରି ନିଜର ଇଚ୍ଛାଶକ୍ତି ବଳରେ ବିଭିନ୍ନ ଜ୍ଞାନୀପଣ୍ଡିତଙ୍କ ସହଯୋଗରେ, ବିଭିନ୍ନ ଅନୁଷ୍ଠାନରେ ଥିବା ସୁବିଧା ସୁଯୋଗର ଉପଯୋଗ କରି ଓଡ଼ିଆ ଭାଷାରେ ଜ୍ଞାନକୋଷ ‘ଜ୍ଞାନମଣ୍ଡଳ’ ରଚନା କରି ଓଡ଼ିଆ ଭାଷା, ସାହିତ୍ୟ, ଜ୍ଞାନଭଣ୍ଡାରକୁ ଅନବଦ୍ୟ ଅବଦାନ ଦେଇ ଯାଇଛନ୍ତି ତାହା ସେ ଅତି ବିନମ୍ରତାର ସହିତ ନିଜର ଅଙ୍ଗେ ନିଭାଇବା ଅନୁଭୂତିକୁ ଉପସ୍ଥାପନ କରିଛନ୍ତି ‘ରଣ ପରିଶୋଧ’ ମାଧ୍ୟମରେ । ନବମଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ି ପରବର୍ତ୍ତୀ ସମୟରେ ଯେଉଁ ଅଣଆନୁଷ୍ଠାନିକ ପାଠ ପଢ଼ି ବିଭିନ୍ନ ଜ୍ଞାନ, ବିଜ୍ଞାନ କ୍ଷେତ୍ରରେ ଯୋଗ୍ୟତା ଅର୍ଜନ କଲେ ତାହା ସମ୍ଭବ ହେଲା ତାଙ୍କ ଜେଲ ଜୀବନରୁ । ସେ କହନ୍ତି, ତାଙ୍କର ତିନିଗୋଟି ଜେଲ ଜୀବନରୁ ପାଟଣା କ୍ୟାମ୍ପ ଜେଲ ଓ ବ୍ରହ୍ମପୁର ଜେଲରେ ଶିକ୍ଷା ଲାଭ କରିବା ପାଇଁ ଅପୂର୍ବ ସୁଯୋଗ ମିଳିଥିଲା । ଉଭୟ ଜେଲରେ କିପରି ସେ ପଢ଼ାରେ ମନ ଦେଲେ ଏବଂ ସେହିସବୁ ଜେଲରେ ବନ୍ଦୀଥିବା ବିଭିନ୍ନ ବିଷୟର ବିଶେଷଜ୍ଞଙ୍କ ସାହାଯ୍ୟରେ ଜ୍ଞାନ ଅର୍ଜନ କଲେ ସେ କୃତଜ୍ଞତାର ସହ ସ୍ମରଣ କରିଛନ୍ତି । ସେ କିପରି ନିଜର ଇଂରାଜୀ ଭାଷା ଜ୍ଞାନ ବୃଦ୍ଧି କରି ବିଭିନ୍ନ ବିଜ୍ଞାନ ବିଭାଗରୁ ମୂଳତତ୍ତ୍ଵ ବିଭିନ୍ନ ପୁସ୍ତକ ଅଧ୍ୟୟନ କରି ଆୟତ କଲେ ତାହା ବିଶଦ୍‌ ଭାବରେ ୠଣ ପରିଶୋଧରେ ଅବତାରଣା କରିଛନ୍ତି । ସେ କହନ୍ତି, ‘‘ମୋ ସାହିତ୍ୟିକ ଜୀବନର ମୂଳଦୁଆ ଫୁଲଓ୍ୟାରୀ ସେରିଫ୍‌ର (ବିହାର) ସେହି କଣ୍ଟାବାଡ଼ ଘେରା ଜେଲ ଭିତରେ ଶୋଧା ହୋଇଥିଲା ।’’ ପାଟଣାର୍‌ ଫୁଲଓ୍ୟାରୀ ସେରିଫ୍‌ ଜେଲରେ ସେ ବିହାରର ବିନୋଦାନନ୍ଦ ଝା, ଯେ କରି ପରବର୍ତ୍ତୀ ସମୟରେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ, ଗଙ୍ଗାଚରଣ ସିଂହ, ଆଉ ଓଡ଼ିଶାର ଗୋକୁଳାନନ୍ଦ ମହାନ୍ତି ଓ ପ୍ରିୟନାଥ ସରକାରଙ୍କଠାରୁ କିପରି ବିଭିନ୍ନ ବିଷୟରେ ଶିକ୍ଷା କରିଥିଲେ ତାହା ସ୍ମରଣ କରି ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

ଭାରତଛାଡ଼ ଆନ୍ଦୋଳନରେ ସେ ଯେଉଁ ଦୁଇବର୍ଷ ବ୍ରହ୍ମପୁର ଜେଲରେ କଟାଇଲେ ତାହା ତାଙ୍କ ପାଇଁ ଆଶୀର୍ବାଦ ସ୍ଵରୂପ ଥିଲା ବୋଲି ସେ କହନ୍ତି । ବ୍ରହ୍ମପୁର ଜେଲ ହେଉଛି ତାଙ୍କ ପାଇଁ ଗୋଟାଏ ବିଶ୍ଵବିଦ୍ୟାଳୟ । ତାଙ୍କ ମତରେ ବ୍ରହ୍ମପୁର ଜେଲରେ ଦୁଇବର୍ଷ ରହିବା ଭିତରେ ସେ ଯେତେପାଠ ପଢ଼ିଲେ ତାଙ୍କୁ ତାଙ୍କ ପରବର୍ତ୍ତୀ ଜୀବନରେ ଅତି ମାତ୍ରାରେ ସାହାଯ୍ୟ କଲା ତାହା ନିଜେ ନିଜେ ଜ୍ଞାନ ଅର୍ଜନ କରିବା ପାଇଁ । ବ୍ରହ୍ମପୁର ଜେଲରେ ତାଙ୍କର ଗୁରୁ ହୋଇଗଲେ ଡାକ୍ତର ଘନଶ୍ୟାମ ମହାନ୍ତି, ଡାକ୍ତର ବ୍ରଜନାଥ ମିଶ୍ର, ରବିଘୋଷ, ମୋତିଲାଲ ତ୍ରିପାଠୀ ଆଦି । ବ୍ରହ୍ମପୁର ଜେଲରେ ଥିବାବେଳେ ବିଶ୍ୱଯୁଦ୍ଧ ଲାଗିଯିବାରୁ କାଗଜର ଅଭାବ ପଡ଼ିଲା । ସେ କିପରି ଖବରକାଗଜରେ ଥିବା ଖାଲି ସ୍ଥାନରେ ଲେଖି ରଖୁଥିଲେ ତାହା ବର୍ଣ୍ଣନା କରିଛନ୍ତି । ସେ ଟିପାଖାତାରେ ଅଧିକ ତଥ୍ୟ ଲେଖି ରଖିଲେ । ପଇସାର ଅଭାବ ହେବାରୁ ଦାଢ଼ି କାଟିଲେ ନାହିଁ । ଏଇଥିପାଇଁ ଯେଉଁ ବ୍ଲେଡ଼ ଜେଲ ପକ୍ଷରୁ ମିଳୁଥିଲା ତାକୁ ବିକ୍ରୟ କରି ସେହି ପଇସାରୁ ବହି କିଣି ପଢ଼ିଲେ । ଜେଲରୁ ମୁକ୍ତ ହେବା ବେଳେ ସେ ଯେଉଁ ଟିପା ଖାତାରେ ବିଭିନ୍ନ ତଥ୍ୟ ସବୁ ସଂଗ୍ରହ କରି ଲେଖିଥିଲେ ତାକୁ ସାଙ୍ଗରେ ନେଇ ଆସିଥିଲେ । ପରବର୍ତ୍ତୀ ସମୟରେ ଜ୍ଞାନମଣ୍ଡଳ ରଚନା କରିବାରେ ସେସବୁ ଟିପା ତଥ୍ୟ ବହୁତ ସାହାଯ୍ୟ କରିଥିଲା । ସେ ଜେଲରୁ ଖଲାସ ହେବାର ୩୭ ବର୍ଷ ପରେ ବ୍ରହ୍ମପୁର ମେଡ଼ିକାଲ କଲେଜରେ ଭାଷଣ ଦେବା ପାଇଁ ମୁଖ୍ୟବକ୍ତା ହିସାବରେ ଗଲାବେଳେ କହିଥିଲେ, ‘‘ଏହି ବ୍ରହ୍ମପୁର ଜେଲ ଭିତରେ ଜ୍ଞାନମଣ୍ଡଳର ମୂଳଦୁଆ ପଡ଼ିଥିଲା । ତାହାର ସାକ୍ଷ୍ୟ ପ୍ରମାଣ ଆଣିଛି ଆପଣମାନଙ୍କୁ ଦେଖାଇବା ପାଇଁ । ମୋର ପ୍ରକୃତ ସାହିତ୍ୟିକ ଜୀବନ ଏହି ସହରର ଜେଲ ପ୍ରାଚୀର ଭିତର ପଟେ ହିଁ ଆରମ୍ଭ ହୋଇଥିଲା ।’’

 

ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ନିଜର ଅଧ୍ୟବସାୟ, ପ୍ରତିବଦ୍ଧତା ନିଷ୍ଠା ବଳରେ କିପରି ସେ ନିଜ ମାତୃଭାଷାରେ ବିଶ୍ଵ ଜ୍ଞାନକୋଷ ରଚନା କରି ପାରିଥିଲେ ତାହା ‘ରଣ ପରିଶୋଧ’ ପଢ଼ିଲେ କଳନା କରିହେବ । ବିଶ୍ଵ ଜ୍ଞାନକୋଷ ରଚନା କରିବାରେ ଶହ ଶହ ସଂଖ୍ୟାରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଲାଗି ପଡ଼ିଥିବା ବେଳେ ଆଉ ତାହା ପ୍ରକାଶନ ପାଇଁ କୋଟି କୋଟି ଟଙ୍କାର ଅର୍ଥ ଆବଶ୍ୟକ ବେଳେ ବିନୋଦ କାନୁନଗୋ କିପରି ହାତରେ ଗୋଟିଏ ଟଙ୍କା ଧରି ନବମଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ଆନୁଷ୍ଠାନିକ ପାଠକୁ ପାଥେଇ ନିଜ ଗାଁରେ ନିଜର ପତ୍ନୀଙ୍କ ପାଖରେ ଗୋଟିଏ ଶିଶୁ କନ୍ୟା ସନ୍ତାନ ଓ ଗୋଟିଏ ଶିଶୁ ପୁତ୍ର ସନ୍ତାନକୁ ଅନିଶ୍ଚିତତା ମଧ୍ୟରେ ଛାଡ଼ି ଦେଇ କଟକ ଆସି ବହୁ ଦୁଃଖ କଷ୍ଟ, ଦାରିଦ୍ର୍ୟ, ମଧ୍ୟରେ ଜ୍ଞାନମଣ୍ଡଳ ରଚନା କରି ଓଡ଼ିଆ ଭାଷା ସାହିତ୍ୟ, ଜ୍ଞାନ ଭଣ୍ଡାରକୁ ଅନବଦ୍ୟ ଅବଦାନ ଦେଇ ଗଲେ ତାହା ‘ରଣ ପରିଶୋଧ’ ପାଠକଲେ ଆଶ୍ଚର୍ଯ୍ୟ ଲାଗେ-। ଦେଶ ସ୍ଵାଧୀନ ହେବା ପରେ ୧୯୫୪ରେ କଟକ ଆସି ରହି ଜ୍ଞାନମଣ୍ଡଳ ରଚନା କରି ପ୍ରକାଶ କରିବାରେ ଯେଉଁମାନେ ତାଙ୍କୁ ଅକୁଣ୍ଠିତ ସାହାଯ୍ୟ କରିଛନ୍ତି ସେମାନଙ୍କ ଅମୂଲ୍ୟ ସାହାଯ୍ୟ ସହଯୋଗକୁ ନେଇ ଅତି କୃତଜ୍ଞତା ସହ ସ୍ଵୀକାର କରିଛନ୍ତି । ସେମାନଙ୍କ ମଧ୍ୟରେ ଥିଲେ ରାଜକିଶୋର ମହାନ୍ତି, କୃପାସିନ୍ଧୁ ମହାନ୍ତି, ବୀରନନା, ଭାବଗ୍ରାହୀ ପଟ୍ଟନାୟକ, ବୃନ୍ଦାବନ ବିହାରୀ ପାଲିତ (ବଲେଇଦା), ଶତୃଘ୍ନ ସାହୁ, ନିଶାମଣି ତ୍ରିପାଠୀ । ଶ୍ରୀ କାନୁନ୍‌ଗୋ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି କେବଳ ଔପଚାରିକ ଦୃଷ୍ଟିରୁ ନୁହେଁ, ଅନ୍ତରର ଗଭୀରତମ ପ୍ରଦେଶରୁ ।

 

ଶେଷରେ ୧୯୬୦ ମସିହା ଡିସେମ୍ବର ୨ ତାରିଖ ଦିନ ପ୍ରତୀକ୍ଷିତ ଓଡ଼ିଆ ଭାଷା, ସାହିତ୍ୟ, ଶିକ୍ଷା, ଜ୍ଞାନଜଗତର ଆଲୋକ ବର୍ତ୍ତିକା- ଜ୍ଞାନମଣ୍ଡଳର ଶୁଭ ଉଦ୍‌ଘାଟନ ହେଲା-ତତ୍‌କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ କରକମଳରେ ।

 

ଏଇଠାରେ ଗୋଟିଏ ପ୍ରସଙ୍ଗ ଉତ୍‌ଥାପନ କରିବା ଉଚିତ ହେବ । ଉତ୍କଳ ବିଶ୍ଵବିଦ୍ୟାଳୟ ତରଫରୁ କେନ୍ଦ୍ର ସରକାରଙ୍କ ସଂପୂର୍ଣ୍ଣ ଆର୍ଥିକ ଅନୁଦାନରେ ଏକ ଓଡ଼ିଆ ଜ୍ଞାନକୋଷ ପ୍ରଣୟନ ପାଇଁ ଡକ୍ଟର ମାୟାଧର ମାନସିଂହଙ୍କ ମୁଖ୍ୟ ସମ୍ପାଦକତ୍ୱରେ ଏକ ସମ୍ପାଦନା ମଣ୍ଡଳୀ ଗଠନ ହୋଇଥାଏ । ଏହି ସମ୍ପାଦନା ମଣ୍ଡଳୀରେ ବିଭିନ୍ନ ଜ୍ଞାନର ବିଭାଗୀୟ ବିଶେଷଜ୍ଞମାନେ ନିଯୁକ୍ତି ପାଇଥାନ୍ତି । ବହୁ ଚେଷ୍ଟା ସତ୍ତ୍ୱେ କାମଟି ସଂପୂର୍ଣ୍ଣ ହେଉ ନ ଥାଏ । ପନ୍ଦରଟି ଭଲ୍ୟୁମରେ ପ୍ରକାଶ ପାଇବ ବୋଲି ନିର୍ଦ୍ଧାରିତ ହୋଇଥାଏ । କିନ୍ତୁ କାମ ଶେଷ ହେଉ ନ ଥିବାରୁ କେନ୍ଦ୍ର ସରକାର ତାଗିଦ କରୁଥାନ୍ତି-ଯେକୌଣସି ସମୟରେ ଅନୁଦାନ ବନ୍ଦ କରି ଦେଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଥାଏ । ମୁଖ୍ୟମନ୍ତ୍ରୀ ଡକ୍ଟର ମହତାବ ପ୍ରସ୍ତାବ ଦେଇଥାନ୍ତି ଯେ ଅନ୍ତତଃ ବର୍ତ୍ତମାନ ପାଇଁ ୮୦୦ ପୃଷ୍ଠାର ଗୋଟିଏ ଭାଲ୍ୟୁମ ପ୍ରକାଶ କରି ଦିଆଯାଉ, ପରେ ତାକୁ ବିସ୍ତାରିତ କରି ୧୫ଟି ଭାଲ୍ୟୁମ ହେବ । କିନ୍ତୁ ସେହି ୮୦୦ ପୃଷ୍ଠାର ଭାଲ୍ୟୁମଟି ମଧ୍ୟ ପ୍ରସ୍ତୁତ ହୋଇ ପାରୁ ନ ଥାଏ । ତତ୍‌କାଳୀନ କୁଳପତି ଡକ୍ଟର ପରିଜା ପ୍ରସ୍ତାବ ଦେଲେ ଯେ ଯେହେତୁ ବିନୋଦ କାନୁନ୍‌ଗୋ ଏକ ବ୍ୟକ୍ତିଗତ ଉଦ୍ୟମରେ ଜ୍ଞାନକୋଷ ରଚନା କରୁଛନ୍ତି, ତାଙ୍କୁ ସାମୟିକ ଭାବରେ ସମ୍ପାଦନା ମଣ୍ଡଳୀରେ ନିଯୁକ୍ତି ଦେଲେ ଯେ ସ୍ଵଳ୍ପ ସମୟ ମଧ୍ୟରେ ଗୋଟିକିଆ ଭାଲ୍ୟୁମ୍‌ ପ୍ରସ୍ତୁତ କରିବାରେ ସହାୟକ ହେବେ । ଏହି ପ୍ରସ୍ତାବ ନେଇ ଡକ୍ଟର ମାୟାଧର ମାନସିଂହ ଶ୍ରୀ କାନୁନ୍‌ଗୋଙ୍କ ପାଖକୁ ଆସିଲେ କିନ୍ତୁ ସେ ସେଥିରେ ରାଜିହେଲେ ନାହିଁ । ଏକଥା ଡକ୍ଟର ପରିଜା ଶୁଣିବା ପରେ ତାଙ୍କୁ ଦେଖା କରିବାକୁ କାନୁନ୍‌ଗୋଙ୍କୁ ପ୍ରସ୍ତାବ ପଠାଇଲେ । ଶ୍ରୀକାନୁନ୍‌ଗୋ ତାଙ୍କ ପାଖରେ ପହଞ୍ଚିଲାରୁ ଡକ୍ଟର ପରିଜା ତାଙ୍କୁ ବୁଝାଇ ରାଜି କରାଇଲେ । ୧୬୦୦ ପୃଷ୍ଠାର ପାଣ୍ଡୁଲିପି ତିନିମାସ ମଧ୍ୟରେ ହୋଇଯିବ ବୋଲି ନିଜର ମତ ଦେଲେ । ଡକ୍ଟର ପରିଜା କାନୁନ୍‌ଙ୍କଠାରୁ ଲେଖି ନେଲେ ଯେ, ସେ ପ୍ରସ୍ତାବରେ ରାଜି । କିନ୍ତୁ ସିଣ୍ଡିକେଟ ମିଟିଂରେ ଏ ପ୍ରସ୍ତାବ ଦିଆଯିବାରୁ ଦୁଇଜଣ ସଦସ୍ୟ ବିରୋଧ କରି କହିଲେ ଯେହେତୁ ଶ୍ରୀ କାନୁନ୍‌ ଗୋ ଗ୍ରାଜୁଏଟ ନୁହଁନ୍ତି-ତେଣୁ ତାଙ୍କୁ ଏପରି ସଂପାଦନାମଣ୍ଡଳୀରେ ରଖାଯାଇପାରିବ ନାହିଁ ।

 

ଗ୍ରାଜୁଏଟ୍‌ ହୋଇନଥିବା ବିନୋଦ କାନୁନ୍‍ଗୋ ଜ୍ଞାନମଣ୍ଡଳ ରଚନା କରି ବିଶ୍ୱପ୍ରସିଦ୍ଧ ହୋଇଗଲେ ଓଡ଼ିଆ ଭାଷାର ଟେକ ରଖିଲେ । ଡଜନ ଡଜନ୍‌ ଗ୍ରାଜୁଏଟ୍‌, ପୋଷ୍ଟ ଗ୍ରାଜୁଏଟ୍‌, ଡକ୍ଟରେଟ ଡିଗ୍ରୀଧାରୀ ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ମାତ୍ର ଚାରିଟି ଭଲ୍ୟୁମରେ ପ୍ରକାଶ କଲେ ଓଡ଼ିଆ ଜ୍ଞାନକୋଷ । ପୁନଶ୍ଚ ୧୯୬୩ ମସିହାରେ ପ୍ରଥମ ଖଣ୍ଡ ପ୍ରକାଶ ପାଇବାବେଳେ ଶେଷ ଓ ଚତୁର୍ଥ ଖଣ୍ଡଟି ପ୍ରକାଶ ପାଇଲା ୧୯୬୫ ମସିହାରେ ।

 

ନିଜକୁ ସ୍କୁଲ ଡ୍ରପ ଆଉଟ ଓ ଅପାଠୁଆ କହୁଥିବା ବିନୋଦ କାନୁନ୍‌ଗୋ ଏକକ-ଉଦ୍ୟମରେ ଓଡ଼ିଆ ଭାଷାରେ ଯେଉଁ ଜ୍ଞାନକୋଷ ଜ୍ଞାନମଣ୍ଡଳ ବା ଏନ୍‌ସାଇକ୍ଲୋପିଡ଼ିଆ ରଚନା କଲେ ସେପରି ଏକକ ଉଦ୍ୟମରେ ବିଶ୍ଵର ଅନ୍ୟ କୌଣସି ଭାଷାରେ ଏନ୍‌ସାଇକ୍ଲୋପିଡ଼ିଆ ରଚନା ହୋଇନାହିଁ । ଗୁଣାତ୍ମକ ଦୃଷ୍ଟିରୁ ମଧ୍ୟ ଏହି ଜ୍ଞାନମଣ୍ଡଳ କୌଣସି ଗୁଣରେ କମ୍‌ ନୁହେଁ ।

 

ତାଙ୍କର ଆତ୍ମଜୀବନୀ ବୋଲି କୁହାଯାଉଥିବା ‘ରଣ ପରିଶୋଧ’ ତ ତାଙ୍କର ଜୀବନୀ ନୁହେଁ ତାହା ଅର୍ଦ୍ଧଶତାବ୍ଦୀ (୧୯୩୦-୧୯୮୦) ଓଡ଼ିଶାର ବିଭିନ୍ନ ଘଟଣାବଳୀକୁ ପ୍ରଭାବିତ କରିଥିବା ବ୍ୟକ୍ତିମାନଙ୍କର ସଂକ୍ଷିପ୍ତ ଜୀବନୀ ଓ କାର୍ଯ୍ୟର ଏକ ସଚ୍ଚା ଦସ୍ତାବିଜ, ଓଡ଼ିଶାର ସ୍ଵାଧୀନତା ଆନ୍ଦୋଳନର ଏକ ଆଖି ଦେଖା ଚିତ୍ର, ସେ ସମୟର ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ସ୍ଥିତି ଏବଂ ସର୍ବୋପରି ଜଣେ ସ୍କୁଲ ଡ୍ରପ ଆଉଟ କିପରି ନିଜର ଅଧ୍ୟବସାୟ, ପ୍ରତିବଦ୍ଧତା, ଅଧ୍ୟୟନ ବଳରେ ଏନ୍‌ସାଇକ୍ଲୋପେଡ଼ିଆ ପରି ବିଶ୍ୱର ବିଭିନ୍ନ ଜ୍ଞାନକୁ ସୁଖପାଠ୍ୟ ଭାଷାରେ ସାଧାରଣ ପାଠକପାଠିକା ପାଇଁ ରଚନା କରି ପାରିବ ତାହାର ଏକ ବ୍ଲୁ ପ୍ରିଣ୍ଟ ।

 

ଏହି ‘ଋଣ ପରିଶୋଧ’ ପାଠକଲେ ଶ୍ରୀ କାନୁନ୍‌ଗୋଙ୍କ ଚରିତ୍ରର ଏକ ଅଲୌକିକ ଦିଗ ଉଦ୍‌ଭାସିତ ହୁଏ । ସେ ପ୍ରତ୍ୟେକ ଲୋକ ଓ ପ୍ରତ୍ୟେକ ଘଟଣାରୁ କିଛି ନା କିଛି ଶିକ୍ଷା ଲାଭ କରିଛନ୍ତି - ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ତାଙ୍କ ଆତ୍ମ ଜୀବନୀରେ । ପ୍ରତ୍ୟେକ ଲୋକ ଓ ଘଟଣାର ସକାରାତ୍ମକ ଦିଗକୁ ସେ ଗ୍ରହଣ କରିଛନ୍ତି, ନକାରାତ୍ମକ ଦିଗକୁ ପରିହାର କରିଛନ୍ତି । ଏହି ହେଉଛି ତାଙ୍କର ମହାନୁଭବତା । ଏଇଥିପାଇଁ ସେ ଜୀବନରେ ସଫଳ ହୋଇଛନ୍ତି ।

 

ଏଠାରେ ଗୋଟିଏ କଥା ଉଲ୍ଲେଖ ନ କରି ରହିପାରୁ ନାହିଁ । ତାଙ୍କ ପତ୍ନୀ ଶଶୀବାଳା ଦେବୀଙ୍କ ଦାନ ବିନୋଦ କାନୁନ୍‌ଗୋଙ୍କୁ ଜଣେ ସଚ୍ଚା ସ୍ଵାଧୀନତା ସଂଗ୍ରାମୀ, ସମାଜ ସେବକ ଓ ସାହିତ୍ୟିକ ରୂପେ ଗଢ଼ି ତୋଳିବାରେ ନିଶ୍ଚିତ ଭାବରେ ଅନନ୍ୟ । ସେ ମଧ୍ୟ ସ୍ଵାମୀଙ୍କ ପଦାଙ୍କ ଅନୁସରଣ କରି ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇ ଜେଲ ଯାଇଛନ୍ତି । ୧୯୫୪ ମସିହାରେ ଅତି ଦରିଦ୍ର ଅବସ୍ଥାରେ ଥିବାବେଳେ ଗାଁରେ ପତ୍ନୀ ଶଶୀବାଳାଙ୍କ ନିକଟରେ ଆଠବର୍ଷର କନ୍ୟା ଦିପ୍ତୀ ଛ’ବର୍ଷର ପୁତ୍ର ପାବକକୁ ଛାଡ଼ି ଦେଇ ଜ୍ଞାନମଣ୍ଡଳ ରଚନା କରିବାକୁ କଟକ ଚାଲି ଆସିଲେ । ଅନ୍ୟ କୌଣସି ପତ୍ନୀ ଏପରି ଦରିଦ୍ର ଅବସ୍ଥାରେ ଅସହାୟ ଭାବରେ ଦୁଇ ଦୁଇଟା ପିଲାଙ୍କୁ ଧରି ଏକାକୀ ରହିବାକୁ ସମ୍ମତି ବୋଧ ହୁଏ ଦେଇ ନ ଥାନ୍ତେ । ସେ ସମ୍ମତ ହୋଇ ନ ଥିଲେ ବିନୋଦବାବୁ ହୁଏତ ଏପରି ଏକ କାଳଜୟୀ କାର୍ଯ୍ୟ କରିବାକୁ ସମର୍ଥ ହୋଇପାରି ନ ଥାନ୍ତେ । ଜ୍ଞାନମଣ୍ଡଳ ରଚନା ପାଇଁ ଶଶୀବାଳାଙ୍କ ଦାନ ତ୍ୟାଗର ଏକ ଜୀବନ୍ତ ନମୂନା । ଶ୍ରୀ କାନୁନ୍‌ଗୋ ଅନ୍ୟମାନଙ୍କୁ ଯେପରି ଶ୍ରେୟ ଦେଇ ରଣ ପରିଶୋଧ କରିବାକୁ ତାଙ୍କ ଭାଷାରେ କାର୍ପଣ୍ୟ କରି ନାହାଁନ୍ତି ଶଶୀବାଳାଙ୍କ ପ୍ରତି ସେହି ନ୍ୟାୟ କରି ନଥିବା ଅନୁଭବ କରୁଛି- ଏ ଆଲୋଚକ । ସେ କ’ଣ ଭାବୁଥିଲେ ବିନୋଦ ଓ ଶଶୀବାଳା ଅଭିନ୍ନ-ଏକ ଆତ୍ମା ? ଶଶୀବାଳାଙ୍କୁ ପ୍ରଶଂସା କରିବା ଅର୍ଥ ନିଜର ପ୍ରଶଂସା କରିବା- ଯାହା ତାଙ୍କ ଜାତକରେ ନ ଥିଲା ?

 

ଜ୍ଞାନମଣ୍ଡଳ ରଚନା କରି ଓଡ଼ିଆ ଭାଷା ସାହିତ୍ୟ ପାଇଁ ସେ ଯେଉଁ କୋଣାର୍କ ଗଢ଼ି ତୋଳିଲେ ଆଉ ସେହି କୋଣାର୍କ ଗଢ଼ିବାରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଯେଉଁମାନଙ୍କଠାରୁ ପ୍ରେରଣା, ସାହାଯ୍ୟ, ସହଯୋଗ ସହାନୁଭୂତି ପାଇଛନ୍ତି ସମସ୍ତଙ୍କୁ ଗୋଟି ଗୋଟି କରି ସ୍ମରଣ କରିଛନ୍ତି ‘ରଣ ପରିଶୋଧ’ରେ । ସେ ତାଙ୍କର ୠଣ ପରିଶୋଧ କରି ଦେଇଗଲେ ସିନା ଆମ ସମସ୍ତ ଓଡ଼ିଆଙ୍କୁ ୠଣୀ କରି ଦେଇ ଗଲେ ଯୁଗଯୁଗକୁ । ତାଙ୍କ କର୍ତ୍ତବ୍ୟନିଷ୍ଠା, ଅଧ୍ୟବସାୟ, ପ୍ରତିବଦ୍ଧତା, ସର୍ବାଙ୍ଗୀନ ଉନ୍ନତି ପାଇଁ ଗୁଣ୍ଡୁଚିମୂଷା ପରି ନିଜର ସାଧ୍ୟ ଅନୁସାରେ କିଛି କିଛି ଯୋଗଦାନ କରିବା ତେବେ ତାହା ହେବ ବିନୋଦ କାନୁନ୍‌ଗୋଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ।

 

 

ଏ୫୦୨, ମୋତିବ୍ଲକ, ତୋଷାଳୀ ଆପାର୍ଟମେଣ୍ଟ,

ସତ୍ୟନଗର, ଭୁବନେଶ୍ୱର

 

***

 

Unknown

ବିଜ୍ଞାନଭିତ୍ତିକ ଶିଶୁସାହିତ୍ୟର ସ୍ରଷ୍ଟା

ବିନୋଦ କାନୁନ୍‌ଗୋ

ଜ୍ୟୋତିର୍ମୟୀ ମହାନ୍ତି

 

ଶିଶୁ ହେଉଛି ଦେବଶିଶୁ, ଯାହାର କଅଁଳ ସ୍ପର୍ଶରେ ହୃଦୟରେ ସୃଷ୍ଟିହୁଏ ଅନାବିଳ ମମତାର ଫଲ୍‌ଗୁ । ଅପାପବିଦ୍ଧ ଆତ୍ମାତଳେ ତାର ଖେଳିବୁଲେ ଶାଶ୍ୱତ ସଂଗୀତର ମଧୁର ମୂର୍ଚ୍ଛନା । ଆଜିର ଶିଶୁ ଆସନ୍ତା କାଲିର ନାଗରିକ । ଦେଶ ପ୍ରଗତିର ଅଗ୍ରଗତିରେ ସେ ସାଜେ ଅଗ୍ରଦୂତ । ଶିଶୁର ବ୍ୟକ୍ତିତ୍ୱର ବିକାଶ ପାଇଁ ଲୋଡ଼ା ଉନ୍ନତମାନର ଶିଶୁସାହିତ୍ୟ ।

 

ସମଗ୍ର ବିଶ୍ୱସାହିତ୍ୟର ଜୟଯାତ୍ରା ପଥରେ ଶିଶୁସାହିତ୍ୟର କଳରୋଳ ନିତ୍ୟ ମୂର୍ଚ୍ଛିତ । ସବୁ ଦେଶ ସାହିତ୍ୟର ଏନ୍ତୁଡ଼ିଶାଳ ହେଉଛି ଶିଶୁଙ୍କ ମନଘେନା ସାହିତ୍ୟ ସ୍ଵରର ଆଦ୍ୟ ଓଁକାର । ଏହା ଭିତରେ କେବଳ ମନୋରଂଜନର ଉପାଦାନ ନାହିଁ, ଏଥିରେ ଅଛି ସାମାଜିକ ଜୀବନବୋଧର ଏକ ବଳିଷ୍ଠ ସ୍ଵର ସ୍ୱାକ୍ଷର । ‘କାନ ବାଟେ କଥା ଚାଲେ’ ରୀତିରେ ଏ ସାହିତ୍ୟ ବଂଚୁଥିଲା ଜଣଙ୍କର ମୁଖରୁ ମୁଖକୁ ପରିବ୍ୟାପ୍ତ ହୋଇ । ଏ ସାହିତ୍ୟରେ ଅଛି ଏକ ମାୟାର କୁହୁକ । କେବଳ ଓଡ଼ିଆ ସାହିତ୍ୟର ଦିଗ୍‌ବଳୟକୁ ଶିଶୁସାହିତ୍ୟ ତାର ଝଲକରେ ଯେ ଝଲସାଇ ରଖିଛି, ତା ନୁହେଁ, ବିଶ୍ୱର ପ୍ରତ୍ୟେକ ସାହିତ୍ୟର ଅନ୍ତଃସ୍ଵର ଭିତରେ ଶିଶୁସାହିତ୍ୟର ଅଲିଭା ଅଲେଖ୍ୟ ଅଙ୍କିତ ।

 

ବେଦ, ବେଦାଙ୍ଗ, ରାମାୟଣ, ମହାଭାରତ ପ୍ରଭୃତି ପୁରାଣମାନଙ୍କରେ ସନ୍ନିବେଶିତ ଅସଂଖ୍ୟ କାହାଣୀ ହିଁ ଶିଶୁସାହିତ୍ୟର ମୂଳଦୁଆ ସ୍ଥାପନ କରିଥିଲା । ସର୍ବବୃହତ୍‌ କଥାଗ୍ରନ୍ଥ ରୂପେ ପରିଚିତ ‘କଥା ସରିତ ସାଗର’/ପଞ୍ଚତନ୍ତ୍ର’ କାହାଣୀମାନଙ୍କୁ ବିଶ୍ଲେଷଣ କଲେ ଆମେ ଦେଖୁ ଯେ ଏହା ଭିତରେ ଶିଶୁ ଉପଯୋଗୀ ଆବେଦନ ଆତ୍ମପ୍ରକାଶ କରିଛି । ଅଧୁନା ଶିଶୁ ପତ୍ରିକାମାନଙ୍କରେ ମଧ୍ୟ ଲୋକମାନେ ଏହି କାହାଣୀକୁ ନିଜସ୍ଵ ଶୈଳୀରେ ପରିବେଷଣ କରୁଛନ୍ତି । ବିଭିନ୍ନ ଓଷା, ବ୍ରତ, ବହି ଓ ମାଦଳାପାଞ୍ଜିରେ ମଧ୍ୟ ଶିଶୁ ଉପଯୋଗୀ କାହାଣୀର ଅବତାରଣା କରାଯାଇଛି । ରୀତିଯୁଗର ଛାନ୍ଦ, ଚଉତିଶା (କଳା-କଳେବର) ପ୍ରଭୃତିରୁ ମଧ୍ୟ ଶିଶୁମାନେ ଆବୃତ୍ତି ସୁଖ ଲାଭ କରୁଥିଲେ । ଏହାପରେ ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ପାଠ୍ୟପୁସ୍ତକ ଆନ୍ଦୋଳନରୁ ହିଁ ଜନ୍ମନେଲା ଆଜିର ଶିଶୁ-ସାହିତ୍ୟ ।

 

ଆଧୁନିକ ଶିଶୁ-ସାହିତ୍ୟର ବିକାଶ ଦିଗରେ ଯେଉଁ କେତେଜଣ ପ୍ରଥିତଯଶା ଶିଶୁ ସାହିତ୍ୟିକ ଲେଖନୀ ଚାଳନା କରି ଏହାକୁ ନାନା ମତେ ସମୃଦ୍ଧ କଲେ ସେମାନଙ୍କ ମଧ୍ୟରେ ବିନୋଦ କାନୁନ୍‌ଗୋ ଅନ୍ୟତମ ।

 

ଓଡ଼ିଆ ସାହିତ୍ୟର ଇତିହାସରେ ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋ ଏକ ଶ୍ରଦ୍ଧାସ୍ପଦ ଉଚ୍ଚାରଣ-। ସେ ଗଳ୍ପ, ଉପନ୍ୟାସ କିମ୍ବା କବିତା ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରି ନ ଥିଲେ । ଜ୍ଞାନ-ବିଜ୍ଞାନ ମୂଳକ ରଚନା ଥିଲା ତାଙ୍କ ଲେଖାର ବିଶେଷତ୍ଵ । ବିଶ୍ୱକୋଷ ‘ଜ୍ଞାନମଣ୍ଡଳ’ ସହ ଅନବଦ୍ୟ ଆତ୍ମଜୀବନୀ ‘ରଣ ପରିଶୋଧ’, ‘ପାଠ ପଛେ ପଛେ ଅପାଠୁଆ’, ୩୬୫ ଦିନ ସିରିଜ୍‌ର ଜ୍ଞାନବିଜ୍ଞାନ ସମ୍ବଳିତ ଶିଶୁ-ସାହିତ୍ୟ ତାଙ୍କର ଓଡ଼ିଆ ସାହିତ୍ୟକୁ ଅତୁଳନୀୟ ଦାନ । ଏହି ସାଧକଙ୍କ ଜୀବନୀ ଓ ସାହିତ୍ୟକୃତି ବହୁ ଭାବରେ ଚର୍ଚ୍ଚିତ ଏବଂ ଆଲୋଚିତ ହୋଇଥିଲେ ମଧ୍ୟ ଓଡ଼ିଆ ଶିଶୁ-ସାହିତ୍ୟ ଧାରାରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସଂଚାର କରିବାରେ ତାଙ୍କ କୃତିତ୍ୱର ଦିଗଟି ସ୍ଵଳ୍ପାଲୋଚିତ ଥିଲାପରି ମନେହୁଏ । ମୋର ଏହି କ୍ଷୁଦ୍ର ପ୍ରବନ୍ଧଟିରେ ସେହିଦିଗ ଉପରେ ମୁଁ ଯତ୍‌କିଞ୍ଚିତ୍‌ ଆଲୋକପାତ କରୁଛି ।

 

ମନୋବୈଜ୍ଞାନିକ ୟଙ୍ଗ୍‌, ଶିକ୍ଷା ବିଜ୍ଞାନୀ ୠଷୋ, ଫ୍ରୋବେଲ ଇତ୍ୟାଦିଙ୍କ ମତରେ ଶିଶୁର ବ୍ୟକ୍ତିତ୍ୱର ବିକାଶ ପାଇଁ ଶିଶୁ-ସାହିତ୍ୟକୁ ସମୃଦ୍ଧ କରିବାକୁ ପଡ଼ିବ । ଅଧୁନା ଓଡ଼ିଆ ସାହିତ୍ୟର ପ୍ରଗତି ପଥରେ ବୈଜ୍ଞାନିକ ସାହିତ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତେଣୁ ଶିଶୁ-ସାହିତ୍ୟର ସମୃଦ୍ଧିଲାଗି ଆମକୁ ମଧ୍ୟ ବୈଜ୍ଞାନିକ ଦୃଷ୍ଟିକୋଣ ପ୍ରତି ସଜାଗ ହେବାକୁ ପଡ଼ିବ । ଜ୍ଞାନର ସବୁ ବିଭାଗ ସହ ପିଲାମାନଙ୍କୁ ପରିଚିତ କରାଇବାକୁ ଯାଇ ଓ ବୈଜ୍ଞାନିକ ଦୃଷ୍ଟିକୋଣକୁ ଆଖି ଆଗରେ ରଖି ସେ ୩୬୫ ଦିନ ସିରିଜ୍‌ର ପରିକଳ୍ପନା କରି ରୂପରେଖ ଦେଲେ ।

 

ଏତଦ୍‌ବ୍ୟତୀତ ସେ ଅନୁଭବ କଲେ ଯେ ପିଲାମାନେ ବଡ଼ ହେଲେଣି । ଅର୍ଥାତ୍‌ ସେମାନେ ଅନେକ କିଛି ଜାଣି ସାରିଲେଣି । ଅଧୁନା ଜ୍ଞାନର ଦ୍ରୁତ ବିସ୍ଫୋରଣ ଘଟୁଛି । ସେମାନଙ୍କ ଚିନ୍ତାରାଜ୍ୟରେ ବିଚିତ୍ର କମ୍ପନ ସୃଷ୍ଟି ହେଲାଣି । ସେମାନଙ୍କ ଜ୍ଞାନର ପରିସରକୁ ବୃଦ୍ଧି କରିବାକୁ ହେବ । ଏ ସବୁକୁ ବିଚାରକୁ ନେଇ ଏହି ସାରସ୍ଵତ ସାଧକଙ୍କ ଲେଖନୀମୁନରୁ ନିଃସୃତ ହେଲା ଅନେକ ଜ୍ଞାନବିଜ୍ଞାନମୂଳକ ଶିଶୁ ମନଛୁଆଁ ପୁସ୍ତକ । ପଞ୍ଚତନ୍ତ୍ରର କାହାଣୀ ପରି ନିଜ ମାତୃଭାଷାରେ ବିଜ୍ଞାନର ଜଟିଳ ତଥ୍ୟକୁ ସରଳ ଭଙ୍ଗୀରେ ପ୍ରକାଶ କରି ସେ ପରଷି ଚାଲିଲେ ଶିଶୁମାନଙ୍କୁ । ଏହାର କେତେକ ଉଦାହରଣ ନିମ୍ନରେ ଆଲୋଚନା କରାଗଲା ।

 

ଆମ ଶରୀର ମଧ୍ୟସ୍ଥ ମସ୍ତିଷ୍କ, ଜୀବକୋଷ, ହୃତପିଣ୍ଡ ଆଦିର କାର୍ଯ୍ୟ ଯେତିକି କଠିନ ସେତିକି ଜଟିଳ । ଏଗୁଡ଼ିକର କାର୍ଯ୍ୟକୁ ମନଛୁଆ ନାମକରଣ ଦେଇ ସେ ସମୟରେ ସେ ଯେଉଁ ସହଜ ଭଙ୍ଗୀରେ ପରିପ୍ରକାଶ କଲେ ତା ବାସ୍ତବିକ୍‌ ବିରଳ । ମନୁଷ୍ୟ ଶରୀରର ରକ୍ତ ସଞ୍ଚାଳନ ଉପରେ ଆଧାରିତ ‘ଚଳନ୍ତା ରାଇଜର ଅମୁହାଁ ନଈ’ (୧୯୫୪) ବେଶ୍‌ ଏକ ସୁଖପାଠ୍ୟ ପୁସ୍ତକ । ଗଳ୍ପପ୍ରିୟ ଶିଶୁକୁ ସେ ଏହାକୁ ପରଷି ଦେଇଛନ୍ତି ଗଳ୍ପ ଛଳରେ- ‘‘ଏପରି ଏକ ରାଇଜ ଅଛି, ଯାହା ଗୋଟିଏ ସ୍ଥାନରେ ସ୍ଥିର ନ ରହି ଚାଲେ । ସେହି ରାଇଜରେ ଏପରି ଏକ ନଈ ଅଛି ଯାହା ପର୍ବତରୁ ବାହାରି ସମୁଦ୍ରରେ ନ ପଡ଼ି ପର୍ବତର ଗହ୍ୱରକୁ ଫେରିଯାଏ । ପିଲାମାନେ ବିସ୍ମିତ ହୁଅନ୍ତି । ସତରେ ଏମିତି ଏକ ରାଇଜ ଅଛି ନା ? ତାହା କେଉଁଠି ଥାଏ ? କେମିତିଆ ତାର ନଈ, ପାହାଡ଼.. ? ବିସ୍ମିତ ହୋଇ ପଢ଼ିଚାଲେ ବହିଟି ଆଉ ପଢ଼ି ପଢ଼ି ସେ ଆମ ଶରୀର ମଧ୍ୟସ୍ଥ ଶିରା, ଧମନୀ, ହୁତ୍‌ପିଣ୍ଡ ଓ ରକ୍ତ ସଂଚାଳନ ବିଷୟରେ ବିଶେଷ ଜ୍ଞାନ ଆହରଣ କରେ । ଏହି ପୁସ୍ତକର ଉପାଦେୟତା ଅନୁଭବ କରି ୩୨ ବର୍ଷ ପରେ ଅର୍ଥାତ୍‌ ୧୯୮୬ରେ କଟକ ଦୂରଦର୍ଶନ କେନ୍ଦ୍ର ବହିଟିକୁ ଟେଲିଭାଇଜ୍‌ କରିଥିଲେ । ଓଡ଼ିଆ ପିଲାଙ୍କ ପାଇଁ ଏହା ଥିଲା ଏକ ନୂଆ ଅନୁଭୂତି ।

 

ମାଂସପେଶୀ ଓ ଅସ୍ଥି ବିଭାଗର କାର୍ଯ୍ୟକୁ ଭିତ୍ତି କରି ସେ ଲେଖିଲେ ଦୁଇ ଶହ ଗାଡ଼ିକୁ ଛଅ ଶହ ଇଂଜିନ୍‌ । ମାଂସପେଶୀର କାର୍ଯ୍ୟ ବର୍ଣ୍ଣନା କରିବାକୁ ଯାଇ ସେ ଲେଖିଛନ୍ତି ‘‘ହସ, କାନ୍ଦ, ଆନନ୍ଦ, ଦୁଃଖ, ବିରକ୍ତି, ମୁହଁ ଭୁରୁଙ୍ଗା, ମୁହଁ ଛିଞ୍ଚାଡ଼ିବା ପସନ୍ଦ, ଅପସନ୍ଦ ସବୁକିଛି ଜଣାଇଦେବା ପାଇଁ ମୁହଁରେ ମାଂସପେଶୀଗୁଡ଼ିକ ସମର୍ଥ ହେବା ଦରକାର । ଗଳ୍ପ ଛଳରେ ବ୍ୟାୟାମ, ଶାରୀରିକ ପରିଶ୍ରମ, ଖେଳକୁଦର ଉପଯୋଗିତା ବିଷୟରେ ସେ ଶିଶୁମାନଙ୍କୁ ଏହି ପୁସ୍ତକରେ ସଚେତନ କରିଛନ୍ତି ।

 

ସେହିପରି ଆମ ପରିପାକ କ୍ରିୟା ଓ ସେଥିରେ ସଂଶ୍ଲିଷ୍ଟ ପାକସ୍ଥଳୀ, ଯକୃତ, କ୍ଷୁଦ୍ରାନ୍ତ୍ର ଇତ୍ୟାଦିର କାର୍ଯ୍ୟକାରିତାକୁ ସେ ଗଳ୍ପ ଆକାରରେ ଅତି ସୁନ୍ଦରଭାବେ ଉପସ୍ଥାପିତ କରିଛନ୍ତି ତାଙ୍କ ଲିଖିତ ‘‘ଜୀବନ ତିଆରି କାରଖାନା’’ (୧୯୭୩)ରେ ।

 

ପ୍ରାଣୀ ଶରୀରର ମୌଳିକ ସୂକ୍ଷ୍ମାଂଶ ଜୀବକୋଷ ଉପରେ ଆଧାରିତ ‘ଡାକିଲେ ଜବାବ ଦିଅନ୍ତା କି’ ତାଙ୍କର ଆଉ ଏକ ଉପାଦେୟ ପୁସ୍ତକ । ପିଲାମାନଙ୍କ ମନରେ ଜୀବକୋଷ ସମ୍ପର୍କରେ ଥିବା କୌତୂହଳ ମେଣ୍ଟାଇବାକୁ ସେ କୋଷବିଭାଜନ, କୋଷଝିଲ୍ଲି, ସ୍ନାୟୁକୋଷ ଇତ୍ୟାଦି ଜଟିଳ ବିଷୟକୁ ଯେପରି ଶିଶୁବୋଧଗମ୍ୟ ଭାଷାରେ ପ୍ରକାଶ କରିଛନ୍ତି ତାହା ବାସ୍ତବିକ ଅନବଦ୍ୟ । ଶିଶୁ ମନର ଜିଜ୍ଞାସା ପ୍ରବୃତ୍ତିକୁ ଶିଶୁ ମନୋବିଜ୍ଞାନୀମାନେ ସ୍ୱୀକୃତି ପ୍ରଦାନ କରିଛନ୍ତି । ସବୁକିଛି ଜାଣିବାର ଆକାଂକ୍ଷା ତା ମନରେ ଦୁଇଗୁଣରେ ଉଦ୍ରେକ ହୋଇଥାଏ । ବେଳେବେଳେ କୌତୂହଳବଶତଃ ଶିଶୁପ୍ରଶ୍ନ ପଚାରି ବସେ । ଏହି ପରିପ୍ରେକ୍ଷୀରେ ପ୍ରଶ୍ନୋତ୍ତର ତଥା କଥୋପକଥନ ଛଳରେ କାନୁନ୍‌ଗୋଙ୍କ ବର୍ଣ୍ଣନା ପ୍ରଣିଧାନଯୋଗ୍ୟ ।

 

-‘‘ସେ ଧୀର ସ୍ଵରରେ ପଚାରିଲା ସେହି ଯେଉଁ ଗ୍ଲୁକୋଜ୍‌ ଓ ଫ୍ରକଟ୍ରୋସ ଲେଖାଯାଇଛି, ସେ ଦୁଇଟିର ଭାଗ ମାପ ତ ସମାନ । ପୁଣି ଦୁଇଟା ଚିଜ ହେଲା କିପରି ?’’ ଉତ୍ତର ବି ଦିଆଯାଇଛି ଶିଶୁ ମନଛୁଆଁ ଶୈଳୀରେ । ଅଜା ଟିକିଏ ହସି ଦେଇ କହିଲେ, ‘‘ତାହା ହେଉଛି ପ୍ରକୃତିରେ ଗୋଟିଏ ହାତ ସଫେଇ ।’’

 

ଏତଦ୍‌ବ୍ୟତୀତ କଠିନ ବୈଜ୍ଞାନିକ ଶବ୍ଦକୁ ସେ ଯେପରି ସରଳ, ସୁଖପାଠ୍ୟ ଭାବେ ବର୍ଣ୍ଣନା କରିଛନ୍ତି, ଏହା ତାଙ୍କ ଲେଖାର ଅନ୍ୟ ଏକ ବିଶେଷତ୍ଵ । ଜୀବକୋଷର ଝିଲ୍ଲୀକୁ ‘ଜିଅନ୍ତା ଚାଲୁଣୀ’, ଲୋହିତ ରକ୍ତ କଣିକାକୁ ‘ଅମ୍ଳଜାନ ବୁହା ଜାହାଜ’ ଆଦି ଯେଉଁ ଉପନାମ ପ୍ରଦାନ କରିଛନ୍ତି ତାହା ପିଲାମାନଙ୍କ ପାଇଁ ଉତ୍କଣ୍ଠାପୂର୍ଣ୍ଣ ହେବା ସହ ତାଙ୍କ ଚିତ୍ତକୁ ବିମୋହିତ କରିଥାଏ । ଏହା ତାଙ୍କ ବର୍ଣ୍ଣନା ଚାତୁରୀର ଅନ୍ୟ ଏକ ବିଶେଷତ୍ଵ ।

 

ସେହିପରି ‘ମା ଭଳି ମେସିନଟିଏ’ ତାଙ୍କର ଅନ୍ୟ ଏକ ଅନବଦ୍ୟ ସୃଷ୍ଟି । ଯକୃତକୁ ସେ ଶରୀରର ମା’ ରୂପେ ଚିତ୍ରିତ କରିଛନ୍ତି । ଯକୃତ ଦ୍ଵାରା ମଣିଷ ଶରୀରର ସବୁଅଂଶରୁ ଆସୁଥିବା ଅପରିଷ୍କାର ରକ୍ତ କିପରି ପରିଷ୍କାର ହୋଇ ହୃତ୍‌ପିଣ୍ଡକୁ ଯାଏ ଓ ଏଠାରୁ ଏହି ଶୋଧନରକ୍ତ ଧମନୀ ଓ ଶାଖାପ୍ରଶାଖା ଦେଇ ପୁନଶ୍ଚ ଶରୀର ମଧ୍ୟକୁ ପ୍ରବେଶ କରେ, ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଛନ୍ତି । ମୋଟ ଉପରେ ତାଙ୍କର ଏହି ପୁସ୍ତକଗୁଡ଼ିକରେ ସେ ଶରୀର ଅଭ୍ୟନ୍ତରରେ ଘଟୁଥିବା ନାନା କ୍ରିୟା ପ୍ରକ୍ରିୟା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ଜ୍ଞାନକୁ ପ୍ରସାରିତ କରିଛନ୍ତି ।

 

ଉଦ୍ଭିଦ ବିଜ୍ଞାନ- ମାନବ ଶରୀର ସହ ଉଦ୍ଭିଦ ମଧ୍ୟରେ ଚାଲିଥିବା ନାନା ଜଟିଳ ପ୍ରକ୍ରିୟାକୁ ସେ ମଧ୍ୟ ସରଳ କରି ପରିବେଷଣ କରିଛନ୍ତି କେତେକ ପୁସ୍ତକରେ । ସବୁଜ ଉଦ୍ଭିଦରେ ସଂଘଟିତ ହେଉଥିବା ‘ଆଲୋକ ଶ୍ଲେଷଣ’ ପରି ଏକ ଜଟିଳ ପ୍ରକ୍ରିୟାକୁ ଯଥାସମ୍ଭବ ସରଳ କରି ସେ ପରିବେଷଣ କରିଛନ୍ତି ତାଙ୍କ ପୁସ୍ତକ ‘ଅଳ୍ପକେ କଳି ତୁଟିଲା’ରେ । ଏହି ପୁସ୍ତକ ପଠନରେ ଶିଶୁମନକୁ ବାନ୍ଧି ରଖିବା ପାଇଁ ସେ ପ୍ରଥମେ ଉଦ୍ଭିଦ ଓ ପ୍ରାଣୀମାନଙ୍କ ମଧ୍ୟରେ କଳହର ଏକ ସୂତ୍ରପାତ କରିଛନ୍ତି । ଏହି କଳିରେ ଚାକୁଣ୍ଡା, ଶିମିଳି, ଆମ୍ବ ଗଛ ସହ ବାଘ, ସିଂହ, ଭାଲୁ ସମସ୍ତେ ଭାଗ ନେଇଛନ୍ତି । ପରିଶେଷରେ ଆଲୋକ ସଂଶ୍ଲେଷଣର ତତ୍ତ୍ୱକୁ ଖୁବ୍‌ ସରଳ ଭାଷାରେ ସେ ପ୍ରକାଶ କରିଛନ୍ତି । ‘‘ଧର୍ମଦେବତା ପତ୍ରକୁ ବୁଝାଇଛନ୍ତି- ତୁ କ’ଣ କରିବୁ ନା ମୋରି ଆଲୁଅ ଶକ୍ତି ସାହାଯ୍ୟରେ ଏକ ବିଚିତ୍ର ଢଙ୍ଗରେ ରାନ୍ଧିଦେବୁ । ରାନ୍ଧିଲାବେଳେ ଅଙ୍ଗାରତକ ସାଇତି ଦେବୁ ଗଛ ଦେହରେ ଓ ଅମ୍ଳଜାନ ପବନକୁ ଛାଡ଼ିଦେବୁ । ଯେଉଁ ଅଙ୍ଗାର ସାଇତି ରଖିବୁ ସେତକ ଫଳମୂଳ ଯଥା ଗହମ, ଧାନ, ପନିପରିବା ଇତ୍ୟାଦିର ରୂପ ଧରିବ । ତାଙ୍କ ରଚନାର ଏହି ଚମତ୍କାର ଶୈଳୀ ହିଁ ଶିଶୁଙ୍କୁ ନିମଜ୍ଜିତ କରେ ପୁସ୍ତକ ପଠନରେ ।

 

କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର କୃଷିର କାହାଣୀକୁ ଭିତ୍ତିକରି ସେ ରଚନା କଲେ ‘‘ଗୋଟିକ କେମିତି କୋଟିଏ ହେଲା’’ । ସାଧାରଣତଃ କୃଷି ପରି ଏକ ନୀରସ ଶୁଷ୍କ ବିଷୟ ପିଲାମାନଙ୍କୁ ଆକର୍ଷିତ କରି ନ ଥାଏ । ମାତ୍ର ତାଙ୍କ ଲେଖନୀ ସ୍ପର୍ଶରେ ଏହା ପିଲାଙ୍କ ପାଇଁ ସରସ ସୁନ୍ଦର ହୋଇ ଉଠିଲା । ଉଦାହରଣ ସ୍ୱରୂପ ମଂଜିରୁ ଗଜାବାହାରି ଗଛ ହୋଇ ତା’ ଦେହରେ ଅନେକ ଫଳ ଫଳିଲା । ‘‘ଜଣେ କହି ଉଠିଲା ଗୋଟାକ କେମିତି ଏତେ ହେଲା ଦେଖ । ଏମିତି ତ ଏଇଥିରୁ ଗଛ କରି ଆମେ ବହୁତ ପାଇଯିବା । ବଣରୁ ଏତ କଷ୍ଟ କରି ଗୋଟାଇବା କାହିଁକି ? ତା କଥା ଶୁଣୁ ଶୁଣୁ ସମସ୍ତେ ଆନନ୍ଦରେ ନାଚିଗଲେ ।’’ ଭାଷା ଓ ଭାବ ଶିଶୁ ଉପଯୋଗୀ । କୃଷିର ଇତିହାସ ସହ ଆଦିମ ମାନବର ଜୀବନଧାରଣ ପ୍ରଣାଳୀକୁ ସେ ଏଥିରେ ଉପସ୍ଥାପିତ କରିଛନ୍ତି ସରଳ ଭଙ୍ଗୀରେ, ଶିଶୁ ମନଛୁଆଁ ଢଙ୍ଗରେ ।

 

ମହୁଚାଷ ଉପରେ ଆଧାରିତ ‘‘ମିଠାଇ ଦେହରେ ଲାଗିଲା ଡେଣା’’ ତାଙ୍କର ଆଉ ଏକ କୃଷିଭିତ୍ତିକ ଶିଶୁଉପଯୋଗୀ ପୁସ୍ତକ । ଏଥରେ ସେ ଉଦ୍ଭିଦ ବିଜ୍ଞାନ ସହ ମହୁମାଛି ସମ୍ବନ୍ଧୀୟ ରାସାୟନିକ ବିଜ୍ଞାନକୁ ଅତି ସରଳ ଭାଷାରେ ପରଷି ଦେଇଛନ୍ତି ଶିଶୁକୁ, ତା’ର ପ୍ରିୟ ମିଠାଇ ଉପରେ କରିଛନ୍ତି ନାମକରଣ । ପୁରାତନ ଯୁଗର ଅଦଳ ବଦଳ ଉପରେ ପର୍ଯ୍ୟବେସିତ ‘‘ଟଙ୍କାଟା କେଭେ ଟଙ୍କାଏ ନୁହେଁ’- ଏହିପରି ଆଉ ଏକ ପୁସ୍ତକ । କୃଷିଠାରୁ ଆରମ୍ଭ କରି ଅର୍ଥନୀତି ସବୁକୁ ସେ ବର୍ଣ୍ଣନା କରିଛନ୍ତି ଏକ ଚମତ୍କାର ଢଙ୍ଗରେ । ଗାନ୍ଧିଜୀଙ୍କ ସାହଚର୍ଯ୍ୟ ହିଁ ତାଙ୍କ ଭିତରେ ଏକ ଅଦ୍ଭୁତ ଶକ୍ତି ଭରି ଦେଇଥିଲା ବୋଲି ସେ ସ୍ଵୀକାର କରିଛନ୍ତି ।

 

ପ୍ରାଣୀବିଜ୍ଞାନ - ଶିଶୁମାନେ ସାଧାରଣତଃ ପଶୁପକ୍ଷୀ ପ୍ରିୟ । ସେମାନେ ପଶୁପକ୍ଷୀଠାରେ ମଣିଷର ବ୍ୟବହାର ଆରୋପ କରି ଆମୋଦିତ ହୁଅନ୍ତି । ସାଧାରଣତଃ ସେଥିପାଇଁ ଶିଶୁ-ସାହିତ୍ୟିକମାନେ ଶଙ୍ଖା ବିଲେଇ, ଚତୁର ନିଲୁଆ, କାଳିଆ କୁକୁର, ହରିଣ ପ୍ରଭୃତିଙ୍କୁ ନେଇ ଗଳ୍ପ ରଚନା କରିଥାଆନ୍ତି । ମାତ୍ର ଏ କ୍ଷେତ୍ରରେ ବିନୋଦ ଏକ ସ୍ଵତନ୍ତ୍ରତା ରକ୍ଷା କରିଛନ୍ତି । ସେ ଗରିଲା, ସିମ୍ପାଜୀ, କାଠଫାଳିଆ ଗୋଧି, ତିମି ଇତ୍ୟାଦି ଅପରିଚିତ ପ୍ରାଣୀଙ୍କୁ ନେଇ ଶିଶୁଗଳ୍ପ ପୁସ୍ତକ ରଚନା କରିଛନ୍ତି । ଏ ସଂସାରର ବୃହତ୍ତମ ପ୍ରାଣୀ ତିମି ଉପରେ ରଚିତ ‘‘ମୋ ଭଳି ସିନା ମୁଁ’’ ରେ ସନ୍ନିବେସିତ ଉପରମୁହାଁ ସରୀସୃପ, ବଜ୍ର ସରୀସୃପ, ଘାତକ ତିମି, ଡେଣା ତିମି, ନୀଳତିମି ଇତ୍ୟାଦିର ବର୍ଣ୍ଣନା ପିଲାଙ୍କୁ ବେଶ୍‌ ଆକର୍ଷିତ କରେ ।

 

ବ୍ରିଟିଶ ବୈଜ୍ଞାନିକ ଚାର୍ଲସ ଡାର୍‌ଉଇନଙ୍କ ‘ଜୈବ ବିବର୍ତ୍ତନ ବାଦ (୧୮୫୮) ବିଜ୍ଞାନର ଏକ ଜଟିଳତତ୍ତ୍ୱ । ଏହି ତଥ୍ୟକୁ ଭିତ୍ତିକରି ଜୀବକୋଷରୁ ଆରମ୍ଭ କରି ପ୍ରକୃତି କିପରି ବିଭିନ୍ନ ଜୀବଜନ୍ତୁ ସୃଷ୍ଟିକରି ଶେଷରେ ମଣିଷ ଗଢ଼ି ପାରିଲା, ତାହାକୁ ସରଳ ଭାଷାରେ ସେ ବର୍ଣ୍ଣନା କରିଛନ୍ତି ତାଙ୍କ ରଚିତ ପୁସ୍ତକ ‘ଏଣିକି ମୁଁ ମଣିଷ ଗଢ଼ିବି’ରେ । ସେ ତାଙ୍କ ଚିତ୍ତାକର୍ଷକ ଶୈଳୀରେ ମଣିଷ ସୃଷ୍ଟିର ଇତିହାସ ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି । ‘‘ଏଣିକି ଆଉ ଚିନ୍ତା ନାହିଁ । ସବୁ ସୂତ୍ର ପାଇଗଲିଣି କହିଲେ ଚଳେ । ଟିକିଏ ବୁଦ୍ଧି ଖର୍ଚ୍ଚ କଲେ ମଣିଷ ଗଢ଼ିଦେବି । ଶେଷରେ ଗରିଲା ସୃଷ୍ଟି କରି ଦେଖିଲା ଯେ ଆଉ ପାହାଚେ ଉପରକୁ ଗଲେ ମଣିଷ ସୃଷ୍ଟି ହେବ ।

 

ବିଜ୍ଞାନର ତଥ୍ୟ ସହ ସେ କଥାବସ୍ତୁକୁ ଏପରି ଚମତ୍କାର ଢଙ୍ଗରେ ଗୁନ୍ଥି ଦିଅନ୍ତି ଯେ ତାହା ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍‌ ଆମୋଦକର ପରିବେଶ ସୃଷ୍ଟି କରିଥାଏ ।

 

ସ୍ରଷ୍ଟା ବିନୋଦ ନିଜର କଠିନ ଅଧ୍ୟବସାୟ ବଳରେ ରସାୟନ ବିଜ୍ଞାନ ଉପରେ ଜ୍ଞାନ ଆହରଣ କରି ତାହାକୁ ମଧ୍ୟ ନୂତନ ରୂପରେ ପରଷି ଦେଇଥିଲେ ଶିଶୁମାନଙ୍କୁ । ପରମାଣୁ ମଧ୍ୟରେ ଥିବା ନିୟୁଟ୍ରନ, ପ୍ରୋଟନ, ଇଲେକଟ୍ରୋନ ଯାହାକି ପ୍ରତ୍ୟେକ ମୌଳିକ ପଦାର୍ଥର ମୂଳାଧାର ତାହାର ଗୂଢ଼ତତ୍ତ୍ଵ ଓ ତଥ୍ୟକୁ ହୃଦୟଗ୍ରାହୀ ଭାଷାରେ ପ୍ରକାଶ କଲେ ତାଙ୍କ କୃତ ‘ତିନିଖଣ୍ଡି କାଉଁରୀ ହାଡ଼’ ପୁସ୍ତକ ମାଧ୍ୟମରେ । କେଳାର କୁହୁକ ଓ କାଉଁରୀହାଡ଼ ପିଲାଙ୍କ ମନରେ ସ୍ଵତଃ କୌତୁହଳ ସୃଷ୍ଟିକରେ ପୁସ୍ତକଟି ପଠନରେ ।

 

ଏହି ପୁସ୍ତକର ନାମକରଣ, ବର୍ଣ୍ଣନାଶୈଳୀ ସର୍ବୋପରି ଅତି ସରଳ ମନଛୁଆଁ ଭାଷାର ଏଥିରେ ପରିବେଷଣ କରାଯାଇଥିବା ତଥ୍ୟମାନ ଓଡ଼ିଆ ବିଜ୍ଞାନ-ଭିତ୍ତିକ ଶିଶୁ-ସାହିତ୍ୟ କ୍ଷେତ୍ରରେ ଯଥାର୍ଥରେ ଏକ ବିପ୍ଳବ ସୃଷ୍ଟି କରିଥିଲା । ବିଜ୍ଞାନକୁ ସେ ଏପରି ଛାଞ୍ଚରେ ଢଳାଯାଇ ପରୀ ରାଇଜର କାହାଣୀ ରୂପେ ପରଷି ଦିଆଯାଇପାରେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କଲା । ଏଥିସହ ବହିଗୁଡ଼ିକରୁ ଆକର୍ଷଣୀୟ ନାମକରଣ ହିଁ ପିଲାଙ୍କ ମନ କିଣିନେଲା । ଏହିପରି ଭାବେ ବହୁ ଉପାଦେୟ ପୁସ୍ତକ ସେ ଶିଶୁବୋଧଗମ୍ୟ ଭାଷାରେ ପ୍ରକାଶ କରି ବିଜ୍ଞାନ-ଭିତ୍ତିକ ଶିଶୁ-ସାହିତ୍ୟକୁ ୠଦ୍ଧିମନ୍ତ କରିଛନ୍ତି ।

 

ତାଙ୍କ ସମ୍ପାଦନାରେ ୧୯୫୪ ମସିହାରେ ‘ଶିଶୁ-ସମ୍ପଦ ନାମକ ଏକ ଶିଶୁପତ୍ରିକା ଆତ୍ମପ୍ରକାଶ କରିଥିଲା । ସେ ସମୟରେ ଓଡ଼ିଆ ଭାଷାର ଉପାଦେୟ ବିଜ୍ଞାନ ଲେଖାର ଅଭାବ ଥିଲା । ବିନୋଦ ଅନୁଭବ କଲେ ଯେ ବିଶେଷ ଭାବେ ବିଜ୍ଞାନ, ଡାକ୍ତରୀ ତଥା ବୈଷୟିକ ଜ୍ଞାନ ପାଇଁ ଆମକୁ ଇଂରାଜୀ ଭାଷା ପାଖରେ ନତମସ୍ତକ ହେବାକୁ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟତଃ ଜ୍ଞାନ ବିଜ୍ଞାନର ଅନୁସନ୍ଧାନରେ ବ୍ରତୀ ବିନୋଦ ଶିଶୁ-ସମ୍ପଦରେ ଅଧିକ ପରିମାଣରେ ବିଜ୍ଞାନ ଲେଖା ସ୍ଥାନିତ କଲେ ।

 

ତତ୍‌କାଳୀନ ଓଡ଼ିଶାର ବହୁ ପ୍ରତିଷ୍ଠିତ ସାହିତ୍ୟିକଙ୍କ ଲେଖାମାନ ଏଥିରେ ସ୍ଥାନ ପାଇଥିଲା-। ସେମାନଙ୍କ ଭିତରୁ କେତେଜଣ ହେଲେ ଗୋଲକ ବିହାରୀ ଧଳ, ଜାତୀୟକବି ବୀରକିଶୋର, ଗୋଦାବରୀଶ ମହାପାତ୍ର, ଅନନ୍ତ ପଟ୍ଟନାୟକ, ଦେବୀ ପ୍ରସନ୍ନ ପଟ୍ଟନାୟକ, ଡାକ୍ତର ବିକ୍ରମଦାସ, ମାୟାଧର ମାନସିଂହ, ପ୍ରଫେସର ଶତ୍ରୁଘ୍ନନାଥ, ଡ. ଜଗନ୍ନାଥ ମହାନ୍ତି ପ୍ରଭୃତି । ମାତ୍ର ଏଥରେ ସ୍ଥାନିତ ବହୁ ବିଜ୍ଞାନ-ଭିତ୍ତିକ ଲେଖାକୁ ସେ ନିଜେ ହିଁ ଲେଖିଥିଲେ ।

 

ଉଦାହରଣ ସ୍ଵରୂପ ମଣିଷର ଶରୀର ବିଷୟରେ ସେ ଲେଖିଥିଲେ- ‘‘ମଣିଷ ଦେହକୁ ଚଳାଇବାକୁ ଶହ ଶହ ମାଂସପେଶୀ ଇଂଜିନ୍‌ ଖଞ୍ଜାଯାଇଛି । ମଣିଷ ଦେହରେ ସିନା ୨୦୬ ଖଣ୍ଡି ହାଡ଼, କିନ୍ତୁ ସେହି ୨୦୬ ଖଣ୍ଡି ହାଡ଼କୁ ଚଳାଇବା ପାଇଁ ଛଅଶହରୁ ଅଧିକ ମାଂସପେଶୀ ଇଂଜିନ୍‌ ଖଞ୍ଜାଯାଇଛି ।

 

ଶିଶୁ ସମ୍ପଦର ଆଉ ଏକ ସଂଖ୍ୟାରେ ସେ ଆଲୁମିନିୟମ ବିଷୟରେ ଲେଖିଛନ୍ତି - ‘‘ଆଲୁମିନିୟମ ବାହାରିବାର ଶହେ ବର୍ଷ ହୋଇ ନାହିଁ, ଅଥଚ ହଜାର ହଜାର ବର୍ଷର ମାଟି, ପିତ୍ତଳ, ଲୁହାର କଡ଼ାଇ ପ୍ରଭୃତିକୁ ରୋଷେଇଘରୁ ତଡ଼ିବା ଆରମ୍ଭ କଲାଣି । ମସ୍କୋରେ ଆଲୁମିନିୟମର ଏକ ପାଞ୍ଚମହଲା କୋଠା ତିଆରି ଆରମ୍ଭ ହୋଇଛି । ଗରମ ଦିନେ ଗରମ, ଥଣ୍ଡାଦିନେ ଯେପରି ଥଣ୍ଡା ଅଧିକ ହେବ ନାହିଁ, ସେଥିପାଇଁ କାନ୍ଥର ଭିତରପଟେ ଏକପୁଟ ଦିଆଯାଇଛି । ଆମର ଏ ସୁନ୍ଦର ସବୁଜ ପୃଥିବୀ ବିଷୟରେ ପିଲାଙ୍କ ମନରେ ଉଙ୍କି ମାରୁଥିବା ନାନା ପ୍ରଶ୍ନକୁ ସରଳ ଭାବେ ସମାଧାନ କରିବାକୁ ଯାଇ ସେ ଲେଖିଛନ୍ତି- ‘‘ଆମ ପଣ୍ଡିତମାନେ, ବିଜ୍ଞାନୀମାନେ ଭଲ ଭାବେ ବୁଝିଗଲେଣି ଯେ ପୃଥବୀଟା ପ୍ରକୃତରେ କମଳାଲେମ୍ବୁପରି ଗୋଲ, ସେଇଟି ନେଳିଆ ଆକାଶରେ ଝୁଲୁ ନାହିଁ କି କଇଁଛ ପିଠିରେ ବୁଲୁନାହଁ । ପୃଥିବୀଟା ଗୋଲ ବୋଲି ପ୍ରମାଣ କର ଏଇ ପ୍ରଶ୍ନ ତୁମ ପରୀକ୍ଷାରେ ଆସେ ଓ ତୁମେ ତାର ଉତ୍ତର ଲେଖ ।

 

ଏହିପରି ନାନା ବିଜ୍ଞାନଭିତ୍ତିକ ଲେଖାସହ ବିଜ୍ଞାନ ସମ୍ବନ୍ଧୀୟ ଚିତ୍ରରେ ଏହା ଥିଲା ଭରପୂର । ମସ୍ତିଷ୍କର ବିଭିନ୍ନ ଅଂଗ, ମେରୁଦଣ୍ଡ ହାଡ଼ର ଖଂଜା, ହୁତ୍‌ପିଣ୍ଡ ଭିତରେ ଥିବା ସବୁ କୋଠରୀ, ଆଖିର ବିଭିନ୍ନ ଅଂଶ ଆଦି ନାନା ଚିତ୍ର ଏହାର ପ୍ରତିଟି ସଂଖ୍ୟାରେ ଥିଲା ସନ୍ନିବେଶିତ । ଏସବୁ ସହ ସେ ଏଥିରେ ହୁଏତ ‘ଜାଣି ନଥିବେ’ ବୋଲି ଏକ ବିଭାଗରେ ନାନାପ୍ରକାର ଜୀବଜନ୍ତୁଙ୍କ କଥା, ରସୁଣର ଅଭୁତଶକ୍ତି, ସେକେଣ୍ଡକୁ ୪୦୦୦ ହିସାବ କାମଧେନୁ, ଇଜିପ୍‌‌ଟର ଲୋକେ ୫୪୦୦ ବର୍ଷ ଧରି ରଖିଥିବା ଶବ, ମେଘକୁ ଘଉଡ଼େଇ ଦେବେରେ, ପାଣି ଭିତରେ ଟେଲିଭିଜନ, ମାଟିତଳ ରାସ୍ତା, ଗଭୀର ସମୁଦ୍ର ତଳର କଥା ଇତ୍ୟାଦି ତଥ୍ୟଭିତ୍ତିକ ଲେଖାମାନ ରଖୁଥିଲେ ।

 

ଏହି ପତ୍ରିକାଟି ୧୯୫୪ରୁ ଆରମ୍ଭ ହୋଇ ୧୯୭୦ ପର୍ଯ୍ୟନ୍ତ ଚାଲିଥିଲା । ଜ୍ଞାନମଣ୍ଡଳ ସମ୍ପାଦନାରେ ନିଜକୁ ବୁଡ଼ାଇ ରଖ୍‌ଥିବା ବିନୋଦ ପରେ ଏଥି ପ୍ରତି ଦୃଷ୍ଟିଦେଇ ପାରିଲେ ନାହିଁ । ତଥାପି ଏହାର ସମସ୍ତ ଲେଖାଥିଲା ଯେପରି ଜ୍ଞାନ ବିଜ୍ଞାନ ଭିତ୍ତିକ ସେହିପରି ସୁଖପାଠ୍ୟ, ସରସ ଓ ଶିକ୍ଷଣୀୟ ମଧ୍ୟ । ଜ୍ଞାନର ଔଜଲ୍ୟରେ ଦୀପ୍ତିମାନ ଏହି ପତ୍ରିକାଟି ତତ୍‌କାଳୀନ ଛାତ୍ର ଓ ପାଠକଗୋଷ୍ଠୀ ଦ୍ୱାରା ବେଶ୍‌ ଆଦୃତ ହୋଇଥିଲା ।

 

ଶିଶୁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆ ପିଲାମାନଙ୍କ ପାଇଁ ଏକ ଜ୍ଞାନର ଭଣ୍ଡାର । ଏହାକୁ ଲକ୍ଷ୍ୟ କରି ଶିଶୁପ୍ରେମୀ ବିନୋଦ ପିଲାଙ୍କ ପାଇଁ ବର୍ଣ୍ଣମାଳା ଅନୁସାରେ ଶିଶୁଜ୍ଞାନମଣ୍ଡଳ ରଚନା କରିଥିଲେ । ୩୦୬ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରେ ଜ୍ଞାନବିଜ୍ଞାନର ସମସ୍ତ ଜ୍ଞାତବ୍ୟତଥ୍ୟ ପିଲାଙ୍କ ବୁଝିଲା ଭଳି ସଂକ୍ଷେପରେ ସରଳଭାଷାରେ ଲେଖାଯାଇଛି । ଯଦିଓ ସେ ଏହି ପୁସ୍ତକରେ ଅଅଁଳା, ଅଗର, ଅଗ୍ନି, ଉଡ଼ନ୍ତା ମାଛ, ଗୁଣ୍ଡୁଚିମୂଷା କଦଳୀ.... ଏହିଭଳି ଅନେକ ବିଷୟରେ ସରଳ ଭାଷାରେ ବର୍ଣ୍ଣନା କରିଛନ୍ତି, ତଥାପି ଅନେକ ବିଜ୍ଞାନଭିତ୍ତିକ ବିଷୟ ଏଥିରେ ସ୍ଥାନିତ ହୋଇଛି । ଉଦାହରଣ ସ୍ଵରୂପ- ଦ୍ରୁତଗତିରେ ଉଡ଼ିଯିବା ଭଳି ଉଡ଼ାଜାହାଜ ଯେତେବେଳେ ବାହାରିଲା, ସେତେବେଳେ ସମସ୍ତେ ଭଲ ଭାବରେ ଜାଣିଲେ ଟିଟାନିୟମ ବୋଲି ଯେଉଁ ମୌଳିକ ପଦାର୍ଥଟି ପ୍ରକୃତି ତିଆରି କରିଥିଲା, ତାହାର ଗୁରୁତ୍ଵ କେତେ ?

 

ଶିଶୁ- ସାହିତ୍ୟର ଗବେଷକମାନଙ୍କ ମତିରେ ଚିତ୍ର ମାମଧ୍ୟମରେ ଶିଶୁଟି ବିଷୟକୁ ଶୀଘ୍ର ଓ ସହଜରେ ଗ୍ରହଣ କରିପାରେ । ଏହାକୁ ଆଖିରେ ରଖି ସେ ସମସ୍ତ ପୁସ୍ତକକୁ ମୁଖ୍ୟତଃ ବିଜ୍ଞାନ ଚିତ୍ରରେ ଭରପୂର କରିଛନ୍ତି । ଉଦାହରଣ ସ୍ଵରୂପ ‘ଜୀବନ ତିଆରି କାରଖାନା’ରେ ମୁଖ ଗହ୍ୱରର ଚିତ୍ର (ପୃ-୨୭) ଲାଳ ଗ୍ରନ୍ଥିର ଚିତ୍ର (ପୃ- ୩୪), ପାକସ୍ଥଳୀର ଭିନ୍ନ ରୂପ (ପୃ- ୪୨), 'ମା ଭଳି ମେସିନ୍‌ଟିଏ’ରେ ଅଗ୍ନ୍ୟାଶୟର ଚିତ୍ର (ପୃ- ୩୪), ‘ନାଁ ଦେବାଟା କେତେ କଷ୍ଟରେ ସୂର୍ଯ୍ୟ, ଆକାଶ, ବର୍ଷାର ଚିତ୍ର (ପୃ-୧୭)... ଇତ୍ୟାଦି ଅନେକ ଉପାଦେୟ ଚିତ୍ର ଦେଇଛନ୍ତି । ଶିଶୁ- ସାହିତ୍ୟର ଆଦ୍ୟ ଗବେଷକ ଡ. ମନୀନ୍ଦ୍ର ମହାନ୍ତିଙ୍କ ମତରେ, ‘‘ବୈଜ୍ଞାନିକ ଧାରାରେ ଆମେ ଗତି କରି ସାହିତ୍ୟର ସୁକୁମାର କଳା (Softness)କୁ ହତ୍ୟା କରିବା ଉଚିତ ନୁହେଁ, ତେଣୁ ବିଜ୍ଞାନ ଭିତ୍ତିକ ଶିଶୁ- ସାହିତ୍ୟ ସରସ, ସରଳ ଓ ସୁପାଠ୍ୟ ହେବା ଆବଶ୍ୟକ । .... ତଥ୍ୟଗୁଡ଼ିକ ଗଳ୍ପ ମାଧ୍ୟମରେ ରସାଳ କରି ପରିବେଷଣ କରିବା ଆବଶ୍ୟକ । ଏହାର ଶୈଳୀ କଥୋପକଥନ ଓ ବର୍ଣ୍ଣନାତ୍ମକ ହେବା ବିଧେୟ ।

 

ମହାକାଶ ବିଦ୍ୟା, କ୍ଵାଣ୍ଟମ୍‌ ଥିଓରି, ସେମିକଣ୍ଡକ୍ଟର, ପଲିମର ଇତ୍ୟାଦି ଜ୍ଞାନବିଜ୍ଞାନର ସବୁ ବିଭାଗକୁ ଆମ ପିଲାମାନେ ତାଙ୍କ ମାତୃଭାଷା ମାମଧ୍ୟମରେ ଜାଣନ୍ତୁ ଆଜିକୁ ଷାଠିଏ ବର୍ଷତଳେ ଦିନେ ଥିଲା ବିନୋଦଙ୍କର ଏହା ସ୍ୱପ୍ନ । ତାଙ୍କ ସ୍ଵପ୍ନକୁ ସାକାର କରି ସ୍ଵାଧୀନ ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଉନ୍ନତି ସହ ତାଳ ଦେଇ ବିଜ୍ଞାନର ଅତ୍ୟାଧୁନିକ ତଥ୍ୟକୁ ଜନସାଧାରଣଙ୍କୁ ଅବଗତ କରାଇବାକୁ ଅନେକ ବୈଜ୍ଞାନିକ ସାହିତ୍ୟ ରଚୟିତା ଆଗେଇ ଆସିଲେଣି । ବିଜ୍ଞାନ- ପ୍ରଚାର ସମିତି, ଓଡ଼ିଶା ବିଜ୍ଞାନ ଏକାଡେମୀ, ଭାରତ ଜ୍ଞାନ-ବିଜ୍ଞାନ ସମିତି ଆଦି ଅନେକ ଅନୁଷ୍ଠାନ ମୁଣ୍ଡ ଟେକିଲାଣି ଆମ ରାଜ୍ୟରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ପ୍ରସାର କରି ତାଙ୍କ ପ୍ରଦର୍ଶିତ ପଥରେ ଗତିକରି ‘ବିଜ୍ଞାନ ପ୍ରଭା’, ‘ବିଜ୍ଞାନାଲୋକ’ ‘ବିଜ୍ଞାନ-ତରଙ୍ଗ’, ‘ବିଜ୍ଞାନ- ଦିଗନ୍ତ, 'ଲୁବ୍‌ଧକ', ‘ବିଜ୍ଞାନ-ସୌରଭ’ ଆଦି ଅନେକ ବିଜ୍ଞାନ ପତ୍ରିକା ମାଧ୍ୟମରେ କିଛି ପ୍ରକାଶ କରିବାକୁ ।

 

ଆହୁରି ତାଙ୍କର ସ୍ଵପ୍ନ ଥିଲା ବର୍ଷକ ୩୬୫ ଦିନ ପାଇଁ ପିଲାଙ୍କ ହାତରେ ତୋଳିଦେବେ ୩୬୫ଟି ପୁସ୍ତକ । ମାତ୍ର ଏହି ବୃହତ୍‌ ଯୋଜନାର ପରିପୂରଣ ପାଇଁ ମହାକାଳ ତାଙ୍କୁ ସମୟ ଦେଇ ନ ଥିଲା । ଜୀବନରେ ଦୀର୍ଘଦିନ ଧରି ତ୍ୟାଗ ଓ ସାଧନାର ଦୁର୍ଗମ ପଥରେ ଚାଲି ଚାଲି ଜ୍ଞାନ-ବିଜ୍ଞାନକୁ ଆପଣେଇ ନେଇ ଓଡ଼ିଶାବାସୀଙ୍କ ଜ୍ଞାନନେତ୍ରର ଉନ୍ମୀଳନ କରିଥିବା ଏହି ମହାନ ପ୍ରତିଭାଙ୍କୁ ତାଙ୍କ ସୁଦୂରପ୍ରସାରୀ ବହୁଯୋଜନାର ପରିପୂରଣ ପାଇଁ ମହାକାଳ ସମୟ ଦେଇ ନଥିଲା-। ଦୀର୍ଘଦିନ ଧରି ତ୍ୟାଗ ଓ ସାଧନାର ଦୁର୍ଗମ ପଥରେ ଚାଲିଚାଲି, ଜ୍ଞାନ ବିତରିଥିବା ଏହି ସାଧକ ୧୯୯୦ ମସିହା ମେ ମାସ ୧୫ ତାରିଖରେ ହଠାତ୍‌ ଗାଧୁଆ ଘରେ ପଡ଼ିଗଲେ । ଆଶା, ନିରାଶା ମଧ୍ୟରେ କିଛିଦିନ କଟିବା ପରେ ଜୁନ୍‌ମାସ ୨୨ ତାରିଖ ପବିତ୍ର ନେତ୍ରୋତ୍ସବ ଦିନ ସେ ସବୁଦିନ ପାଇଁ ଆଖି ବୁଜିଦେଲେ ।

 

ତାଙ୍କର ତିରୋଧାନ ଖବର ବ୍ୟାପିଗଲା ପରେ ନିଜର କଳିଙ୍ଗ ରଥ ଚଢ଼ି ଧାଇଁ ଆସିଥିଲେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବରପୁତ୍ର ଶ୍ରୀ ବିଜୁ ପଟ୍ଟନାୟକ । ମନ୍ତବ୍ୟ ଦେଇଥିଲେ- ଏପରି ଏକ ବ୍ୟକ୍ତିତ୍ୱକୁ ଆମ ଭିତରେ ପାଇବାକୁ ହେଲେ ଆମକୁ ଆଉ ଏକ ନୂତନ ସୂର୍ଯ୍ୟୋଦୟକୁ ଅପେକ୍ଷା କରିବାକୁ ପଡ଼ିବ । ‘ସମାଜ’ର ସମ୍ପାଦକ ଡକ୍ଟର ରାଧାନାଥ ରଥଙ୍କ ଭାଷାରେ ଜ୍ଞାନ ସୁବିସ୍ତୃତ ସାଗରରେ ଅବଗାହନ କରୁଥିବା ଏହି ମହାନ ପ୍ରତିଭାର ଅନ୍ତିମ ଶୟନରେ ଉତ୍କଳ ଜନନୀର ଜ୍ଞାନନେତ୍ର ବୁଜି ହୋଇଗଲା । ବହୁ ପ୍ରଜ୍ଞାବାନ୍‌ ବ୍ୟକ୍ତିତ୍ୱ ଏମିତି ତାଙ୍କ ତିରୋଧାନରେ ଦେଲେ ଅନେକ ମନ୍ତବ୍ୟ । ଅତୀତର କୋଳରେ ହଜିଗଲେ ବି ତାଙ୍କ କର୍ମର ମହନୀୟତା ବଳରେ ସେ ଅନେକଙ୍କ ଅନ୍ତରରେ, ସ୍ମୃତିରେ ଫୁଲ ହୋଇ ଫୁଟିଥିବେ । ବିଜ୍ଞାନଭିତ୍ତିକ ଶିଶୁ-ସାହିତ୍ୟର ସ୍ରଷ୍ଟା ଓ ଦିଗ୍‌ଦର୍ଶକ ରୂପେ ସେ ରହିଥିବେ ଚିର ଅମର ।

 

ବର୍ତ୍ତମାନ ଏ କ୍ଷେତ୍ରରେ ବହୁ ନୂତନ ଲେଖକ ଲେଖିକା ପ୍ରବେଶ କରି ଏ ଦିଗରେ ଲେଖନୀ ଚଳାଇଲେଣି । ଏହି ଶୁଷ୍କ ନୀରସ, କଠିନ ବିଜ୍ଞାନକୁ ଚିତ୍ତଗ୍ରାହୀ କରି, ତା'ର ଜଟିଳ ତତ୍ତ୍ୱକୁ ପ୍ରାଣଘେନା ଭାଷାରେ ସହଜ, ସୁନ୍ଦର ଗଳ୍ପ ଆକାରରେ ଉପସ୍ଥାପିତ କରିବାରେ ବିନୋଦ କାନୁନ୍‌ଗୋ ଯେଉଁ ଦିଗ୍‌ଦର୍ଶନ ଦେଇଛନ୍ତି, ଯେଉଁ ଧାରା ସୃଷ୍ଟି କରିଛନ୍ତି, ତାକୁ ପରବର୍ତ୍ତୀ କାଳରେ ଲେଖକ ଲେଖିକାମାନେ ଅନୁସରଣ କରି ଉନ୍ନତମାନର ଶିଶୁ- ସାହିତ୍ୟ ସୃଷ୍ଟିକଲେ ତାହା ହିଁ ହେବ ବିନୋଦଙ୍କ ପ୍ରତି ଏ ଜାତିର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

ବାଗସାହି, ଜଗତ୍‌ସିଂହପୁର - ୭୫୪୧୦୩

 

 

ସହାୟକ ଗ୍ରନ୍ଥସୂଚୀ :

୧)

ବିନୋଦ କାନୁନ୍‌ଗୋ - ଶିଶୁ ସାହିତ୍ୟର ସମସ୍ୟା ଓ ସମାଧାନ-ପୃ- ୧୪ ।

୨)

ବିନୋଦ କାନୁନ୍‌ଗୋ - ଚଳନ୍ତା ରାଇଜର ଅମୁହାଁ ନଈ - ପୃ- ୭ ।

୩)

ବିନୋଦ କାନୁନ୍‌ଗୋ - ଦୁଇଶହ ଗାଡ଼ିକୁ ଛଅ ଶହ ଇଂଜିନ୍‌ - ପୃ - ୧୩ ।

୪)

ବିନୋଦ କାନୁନ୍‌ଗୋ - ଡାକିଲେ ଜବାବ ଦିଅନ୍ତା କି - ପୃ-୧୧ ।

୫)

ବିନୋଦ କାନୁନ୍‌ଗୋ ଅଳ୍ପକେ କଳି ତୁଟିଲା - ପୃ- ୨୧ ।

୬)

ବିନୋଦ କାନୁନ୍‌ଗୋ - ଗୋଟିକ କେମିତି କୋଟିଏ ହେଲା - ପୃ-୧୪ ।

୭)

ବିନୋଦ କାନୁନ୍ଧଗୋ - ଏଣିକି ମଣିଷ ଗଢ଼ିବି - ପୃ-୧୨ ।

୮)

ବିନୋଦ କାନୁନ୍‌ଗୋ - ଶିଶୁ ସମ୍ପଦ - ୧୯୫୫ ମଇ, ପୃ-୨ ।

୯)

ବିନୋଦ କାନୁନ୍‌ଗୋ - ଶିଶୁ ସମ୍ପଦ - ୧୯୫୯ ଫେବୃୟାରୀ, ପୃ-୧୭ ।

୧୦)

ବିନୋଦ କାନୁନ୍‌ଗୋ - ଶିଶୁ ସମ୍ପଦ - ୧୯୬୮ ମାର୍ଚ୍ଚ, ପୃ-୪ ।

୧୧)

ବିନୋଦ କାନୁନ୍‌ଗୋ - ଶିଶୁ ଜ୍ଞାନମଣ୍ଡଳ - ପୃ-୧୫୨ ।

୧୨)

ଡକ୍ଟର ମନୀନ୍ଦ୍ର ମହାନ୍ତି - ଶିଶୁ ସାହିତ୍ୟ ବିଧାନ ପୃ- ୩୬ ।

 

***

 

ବିନୋଦ କାନୁନ୍‌ଗୋଙ୍କ ଦ୍ଵାରା ସଙ୍କଳିତ

ଅମୃତ ବଚନ-ଏକ ଅଧ୍ୟୟନ

ଶରତ ଚନ୍ଦ୍ର ରଥ

 

ମନୁଷ୍ୟର ଜନ୍ମ ନିଜ ଜୀବନକୁ ଜାଣିବା ପାଇଁ । ଜୀବନର ରହସ୍ୟ ଉଦ୍‌ଘାଟନ କରିବାରେ ତା’ର ଜୀବନର ସାର୍ଥକତା ନିହିତ । ବଞ୍ଚିବାର କଳା ମାଧ୍ୟମରେ ଜୀବନକୁ ଜାଣିହୁଏ, ବୁଝିହୁଏ ଓ ଅନୁଭବ କରିହୁଏ । ଅୟସରେ ଆରାମରେ ସମୟ କଟାଇ ଦେବାକୁ ମଣିଷ ଆସି ନାହିଁ । ଏପରି ହେଲେ ଜୀବନ ରହିଯାଏ ଅଧାବିଧା ହୋଇ । ସଚେତନ ଭାବରେ ଜୀବନଯାପନ କଲେ ଜୀବନର ମହତ୍ତ୍ୱ ବଢ଼େ । ଖାଲି ଖାଇପିଇ ବଞ୍ଚି ରହିବାଟା ଯଥାର୍ଥ ଜୀବନ ନୁହେଁ । ବଞ୍ଚିବାର ଧାରା ଜାଣିବା ଏକାନ୍ତ ଜରୁରୀ, ଏ ଯାବତ ମଣିଷ ତାହା ଭଲ ଭାବରେ ଜାଣି ନାହିଁ । ମାକ୍‌ସିମ ଗର୍କିଙ୍କ କଥାରେ- ‘Man can swim like fish in water, can fly in air like birds but how to live on this earth he does not know.’ । ବଞ୍ଚିବାର କଳା ଶିଖାଇବା ଦିଗରେ ମହାପୁରୁଷମାନଙ୍କର ଦିଗ୍‌ଦର୍ଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ସମୟରେ ବିଶ୍ଵର ଭିନ୍ନ ଭିନ୍ନ ଅଞ୍ଚଳରେ ଦିଗ୍‌ଦ୍ରଷ୍ଟାମାନେ ଜନ୍ମଗ୍ରହଣ କରି ଏପରି ମାର୍ଗଦର୍ଶନ ଦେଇଛନ୍ତି । ପ୍ରତିଟି କଥା ଭିତରେ ସେମାନଙ୍କର ରହିଛି ଅସୀମ ଶକ୍ତି ଓ ସାମର୍ଥ୍ୟ । ସେଗୁଡ଼ିକୁ ପାଠ କଲେ ମନରେ ସାହସ ଆସେ, ପ୍ରାଣରେ ଶକ୍ତି ଆସେ । ଚଲାବାଟରେ ଆସୁଥିବା ସମସ୍ୟାର ସମାଧାନ କରିହୁଏ । ସେହି ସୂକ୍ତିଗୁଡ଼ିକ ଦେଶ, ଜାତି, ଭାଷାର ବନ୍ଧନରେ ବନ୍ଧା ପଡ଼େ ନାହିଁ, ବରଂ ହୋଇଥାଏ ସର୍ବକାଳୀନ ଓ ସାର୍ବଜନୀନ । ବିଶ୍ଵର ଯେ କୌଣସି ଭାଷାରେ ଏହା ଅନୂଦିତ ହୋଇଥାଏ, ବିଶ୍ୱକଲ୍ୟାଣ ଏହା ସାଧନ କରିଥାଏ । ସୂକ୍ତିଗୁଡ଼ିକ ଅନ୍ତରରୁ ଆସିଥାଏ, ତହଁରେ ଜୀବନର ଅନୁଭବ ଥାଏ । ସେଗୁଡ଼ିକ ନିରପେକ୍ଷ ଭାବରେ ସମଗ୍ର ମାନବ ଜଗତ ପାଇଁ ଉଦ୍ଦିଷ୍ଟ ଥାଏ । ମଣିଷକୁ ଶ୍ରେୟ ଓ ପ୍ରେୟ ମାର୍ଗ ମଧ୍ୟରୁ ଯଥାଯଥ ମାର୍ଗଦର୍ଶନ କରିଥାଏ ସୂକ୍ତିଗୁଡ଼ିକ । ସେହିପରି ବହୁ ସୂକ୍ତିକୁ ସଂଗ୍ରହ କରି ଜ୍ଞାନତପସ୍ଵୀ ବିନୋଦ କାନୁନ୍‌ଗୋ ଏକ ପୁସ୍ତକରେ ଉପସ୍ଥାପନା କରିଛନ୍ତି । ସୂକ୍ତିମାଳାକୁ ସେ ଅମୃତବଚନର ନାମ ଦେଇଛନ୍ତି । ଅକ୍ଷରକ୍ରମରେ ସୂକ୍ତିଗୁଡ଼ିକ ସେ ସଜାଡ଼ି ରଖିଛନ୍ତି । ସୂକ୍ତିଗୁଡ଼ିକୁ ମୋ ବିଚାରରେ ମଧୁକୋଷ ବୋଲି କୁହାଯାଇପାରେ । ଯେତେ ବ୍ୟବହୃତ ହେଲେ ମଧ୍ୟ ସେଗୁଡ଼ିକର ମୂଲ୍ୟ ହ୍ରାସ ହୁଏ ନାହଁ । ସେଗୁଡ଼ିକ ଚିର ଜାଜ୍ଵଲ୍ୟମାନ ଓ ପାରିଜାତ ଫୁଲ ପରି ଚିରସୁନ୍ଦର । ବିନୋଦ କାନୁନ୍‌ଗୋଙ୍କ ଭାଷାରେ, “ଆଜି ମଧ୍ୟ ଆମେ ଲକ୍ଷ୍ୟ କରିପାରିବା ଯେ ଗୋଟିଏ ଗୋଟିଏ ସୂକ୍ତି ଭିତରେ କେତେ ଗହନ ତତ୍ତ୍ୱ ଲୁଚି ରହିଛି, ତାକୁ ଯେତେଥର ପଢ଼ିଲେ ମଧ୍ୟ ନୂଆ ଲାଗୁଛି । ସେଥି ମଧ୍ୟରୁ ନୂଆ ଅର୍ଥ ବାହାରୁଛି ।’’

 

ଅଜ୍ଞତା ସମ୍ପର୍କରେ ବୁହୁସୂକ୍ତିର ଉପସ୍ଥାପନା କରାଯାଇଛି । ଅଜ୍ଞତା ହିଁ ଅହଂର ଆଉ ଏକ ରୂପ ପୁଣି ଅଜ୍ଞତାରୁ ଅହଂର ଉତ୍ପତ୍ତି ମଧ୍ୟ । ଅଜ୍ଞତାବଳରେ ମଣିଷ ନିଜକୁ ସବ୍‌ଜାନତା ବୋଲି ମନେ କରେ । ଅଜ୍ଞଲୋକ ସହ ବନ୍ଧୁତା କରିବା ଅତି ବିପଜ୍ଜନକ । ଅତୀତ ବିଷୟରେ ମଧ୍ୟ ଏହି ପୁସ୍ତକରେ କେତେ କଥା କୁହାଯାଇଛି । ଅତୀତ ଆମ ପାଇଁ ଶିକ୍ଷକ ଭୂମିକାରେ ଅବତୀର୍ଣ୍ଣ ହେବା ଉଚିତ । ଅତୀତକୁ ଆମେ ଅତିକ୍ରମ କରିବା ଏକାନ୍ତ ଜରୁରୀ । ଅଧ୍ୟୟନ ପ୍ରସଙ୍ଗରେ ବହୁ ମୂଲ୍ୟବାନ୍‌ ଉପଦେଶ ଏଥିରେ ସ୍ଥାନିତ ହୋଇଛି । କୁହାଯାଇଛି ଯେ ମଣିଷ ଜୀବନ ଏପରି ଏକ ବିଶାଳ ଗ୍ରନ୍ଥ ଯାହାକୁ ଯୁଗ ଯୁଗ ଧରି ପଢ଼ିଲେ ମଧ୍ୟ ତାହା ସରିବ ନାହିଁ । ଜୀବନ ତ ଜୀବନ, ମଣିଷର ଶରୀର ଏଭଳି ଏକ ଯନ୍ତ୍ର ଯେ ତାହାକୁ ଯୁଗ ଯୁଗ ଧରି ଅଧ୍ୟୟନ କଲେ ମଧ୍ୟ ସରିବ ନାହଁ । ଅନ୍ଧବିଶ୍ଵାସ, ଅନୁଗ୍ରହ ଅନୁକରଣ, ଅପରାଧ, ଅପମାନ ଓ ଅନୁତାପ ବିଷୟରେ ବହୁକଥା ଏଥିରେ ଲିପିବଦ୍ଧ ହୋଇଅଛି । ପ୍ରତି ଅକ୍ଷର କ୍ରମରେ ବାକ୍ୟଗୁଡ଼ିକ ଏକ ଏକ ସ୍ଥାନରେ ସଜ୍ଜା ହୋଇରହିଥିବାରୁ ପୁସ୍ତକଟି ସୁଖପାଠ୍ୟ ହୋଇଅଛି ।

 

ଧର୍ମଭାବର ସଂଜ୍ଞା ଓ ସ୍ଵରୂପ ଅତିସ୍ପଷ୍ଟ ଭାବରେ ପ୍ରଦତ୍ତ ହୋଇଛି । ଏହାକୁ ପାଠକଲେ ମଣିଷ ଭଲ ମନ୍ଦର ବିଚାର କରିବାକୁ ବହୁ ଶକ୍ତି ଅର୍ଜନ କରିପାରେ । ଲୋକଶିକ୍ଷାର ମହନୀୟ ଉପାଦାନରେ ପୁସ୍ତକଟି ଭରପୂର ହୋଇଛି । ଜୀବନର ପ୍ରାୟ ପ୍ରତ୍ୟେକ ଦିଗ ପାଇଁ ଉଦ୍ଦିଷ୍ଟ ସୂକ୍ତିଗୁଡ଼ିକ ରହିଥିବାରୁ ପୁସ୍ତକଟି ପଠନଧର୍ମୀ ଓ ମନନଧର୍ମୀ ହୋଇଅଛି । ବହୁଧର୍ମ ଓ ସଂପ୍ରଦାୟର ଉପଦେଶ ମଧ୍ୟ ଏଥିରେ ସ୍ଥାନ ପାଇଛି । ଭଗବାନଙ୍କ ସମ୍ବନ୍ଧରେ ଯେଉଁ ସୂକ୍ତିମାନ ସ୍ଥାନିତ ହୋଇଛି ତାହାର ମହନୀୟତା ସ୍ଵତନ୍ତ୍ର । ନିରାଶାରେ ସେ ଦିଅନ୍ତି ଆଶାର ଆଲୋକ । ଆମକୁ ଅନ୍ଧକାର ବୁକୁ ଚିରି ଆମ ହାତ ଧରି ଆଗକୁ ନିଅନ୍ତି ସେ । ଭଗବାନଙ୍କ ଉପରେ ବିଶ୍ଵାସ ଓ ଭରସା ରଖି ପାରିଲେ ମଣିଷର ସାମର୍ଥ୍ୟ ବହୁ ଭାବରେ ବଢ଼ିଯାଏ । ଭଗବାନ ଯାହା କରନ୍ତି ତାହା ଆମର ମଙ୍ଗଳ ପାଇଁ ଅଭିପ୍ରେତ, ଏକଥା ବୁଝିଗଲେ ସବୁ ଦୁଃଖ ଲାଘବ ହୋଇଥାଏ ।

 

ଭାଷା ସମ୍ବନ୍ଧରେ ଅନେକ ଗୁରୁତ୍ଵପୂର୍ଣ୍ଣ କଥା ଏଥିରେ ଉପସ୍ଥାପିତ ହୋଇଛି । ଜଣକର ଅନ୍ତର ଜାଣିବା ପାଇଁ ଭାଷାର ଭୂମିକା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ । ଭାଷା ହେଉଛି ଏକ ଚାବି କାଠି ଯାହା ସାହାଯ୍ୟରେ ଜ୍ଞାନର ଗନ୍ତାଘର ଖୋଲିହୁଏ । ନିଜର ମାତୃଭାଷା ଉପରେ ଯିଏ ଗୁରୁତ୍ଵଆରୋପ କରେ ସେ ଅତ୍ୟନ୍ତ ଭାଗ୍ୟବାନ ବୋଲି କୁହାଯାଇଛି ।

 

ମନ ସମ୍ବନ୍ଧରେ ବହୁକଥା କୁହାଯାଇଛି । ଶରୀରର ସୁସ୍ଥତା ପାଇଁ ଖାଦ୍ୟ ଯେପରି ଆବଶ୍ୟକ, ମନର ସୁସ୍ଥତା ପାଇଁ ଅଧ୍ୟୟନ ସେପରି ଆବଶ୍ୟକ । ମନ ହିଁ ସୁଖ ଦୁଃଖର ନିୟାମକ । ପୁସ୍ତକଟିରେ ଏ ସମ୍ବନ୍ଧରେ କୁହାଯାଇଛି ଯେ ମନ ହିଁ ସ୍ୱର୍ଗକୁ ନର୍କରେ ପରିଣତ କରିଦେଇପାରେ ଏବଂ ନର୍କକୁ ସ୍ଵର୍ଗରେ ପରିଣତ କରିଦେଇପାରେ । ମନର ସୁସ୍ଥତା ଉପରେ ନିର୍ଭର କରେ ମଣିଷର ସ୍ଵାସ୍ଥ୍ୟ । ମନ ଯଦି ବିକାରଗ୍ରସ୍ତ ହୋଇଯାଏ ତେବେ ସେ ବ୍ୟକ୍ତି କୌଣସି ପରିସ୍ଥିତିରୁ ସନ୍ତୋଷ ପାଏ ନାହିଁ ।

 

ମା'ଙ୍କ କଥା କହିବାକୁ ଯାଇ ସୂକ୍ତିରେ କୁହାଯାଇଛି ଯେ ଈଶ୍ଵର ସବୁ ସ୍ଥାନରେ ରହିପାରୁ ନାହାଁନ୍ତି ବୋଲି ସେ ମା’ଙ୍କୁ ସୃଷ୍ଟି କରିଛନ୍ତି । ଏଥିରୁ ଅତି ସ୍ପଷ୍ଟ ଭାବରେ ମାତୃ ମହିମା ପ୍ରକଟିତ ହେଉଛି ।

 

ଜୀବନର ଲକ୍ଷ୍ୟ ସମ୍ବନ୍ଧରେ ଯାହା ଯାହା କୁହାଯାଇଛି ତହିଁରୁ ପ୍ରତ୍ୟେକ କଥା ଗୁରୁତ୍ଵପୂର୍ଣ୍ଣ-। ଯାହାର ଜୀବନରେ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ ସେ ସବୁଠାରୁ ଦରିଦ୍ର ବୋଲି କୁହାଯାଇଛି । ସାହିତ୍ୟର ବିପୁଳ ପ୍ରଶସ୍ତି ଗାନ କରାଯାଇଛି ବହୁ ସୂକ୍ତିରେ । ଗୋଟିଏ ସୂକ୍ତିରେ କୁହାଯାଇଛି ଯେ ସାହିତ୍ୟ ସେବା ହେଉଛି ଏକମାତ୍ର କାର୍ଯ୍ୟ ଯାହା ପାଇଁ ମନୁଷ୍ୟ କେବେହେଲେ ଲଜ୍ଜିତ ହୁଏ ନାହଁ ।

 

ବିଜ୍ଞାନ ବିଷୟରେ କେତେକ ଭଲ ଭଲ କଥା କୁହାଯାଇଛି । କୁହାଯାଇଛି ଯେ ବିଜ୍ଞାନ ଯାହାସବୁ ଆବିଷ୍କାର କରୁଛି, ସେଗୁଡ଼ିକ ସତେ ଯେପରି ମୁନିଋଷିମାନଙ୍କ ବାଣୀକୁ ସତ୍ୟ ବୋଲି ପ୍ରମାଣ କରିବାରେ ଲାଗିଛନ୍ତି । ବିଜ୍ଞାନ କାଳେକାଳେ ଜଗତ ପାଇଁ ମହତ ଅବଦାନ ଦେଇଚାଲିଛି-। ଅନୁଭୂତିରୁ ବିଜ୍ଞାନର ସୃଷ୍ଟି ବୋଲି କୁହାଯାଇଛି । ବିଦ୍ୟା ସମ୍ବନ୍ଧରେ କୁହାଯାଇଛି ଯେ ଯେଉଁ ବିଦ୍ୟା ତୁମକୁ ଦୁଃଖ ଆଡ଼କୁ ବାଟ କଢ଼ାଇନେବ, ତାହାଠାରୁ ଜାଣିଶୁଣି ଦୂରରେ ରହିବା ଉଚିତ, ବିନୟ ଏକ ସଦ୍‌ଗୁଣ । ଏହାର ଭୂରିଭୂରି ପ୍ରଶଂସାମାନ କେତେକ ସୂକ୍ତିରେ ରହିଛି । କୁହାଯାଇଛି ଯେ ବିନୟ ଦ୍ଵାରା ଆମେ ଆମର ଯଥାର୍ଥ ସ୍ଥିତିଟିକୁ ଜାଣିପାରୁ । ନିଜ ଦୋଷ ନିଜେ ଜାଣିପାରିବା ହେଉଛି ବିନୟର ଅନ୍ୟ ନାମ ବୋଲି କୁହାଯାଇଛି । କୁହାଯାଇଛି ଯେ ଏ ସଂସାରରୁ ଯଦି ବିନୟଟିକୁ କାଢ଼ି ନେଇଯିବ, ସମସ୍ତ ସଦ୍‌ଗୁଣର ଅଧା ଅଧି ଚାଲିଗଲା ବୋଲି ଜାଣ । ବିନୟ ଗୁଣଟି ଥିଲେ ସଇତାନ ଜଣେ ବ୍ୟକ୍ତିଠାରୁ ଯୋଜନ ଯୋଜନ ଦୂରରେ ରହିବ । ଏକଥା କୁହାଯାଇଛି ଯେ ଜଣେ ଦକ୍ଷତା ସମ୍ପନ୍ନ ବ୍ୟକ୍ତି ବିନୟର ଅଧିକାରୀ ହୋଇଗଲା ମନୁଷ୍ୟ ସମାଜରେ ସେ ଗୋଟିଏ ମଣି ବା ମାଣିକ୍ୟ ରୂପରେ ଶୋଭା ପାଇଲା ।

 

ବିବେକ ବିଷୟରେ ବହୁ କଥା କୁହାଯାଇଛି, ବିବେକ ଯେ ମନୁଷ୍ୟର ପ୍ରକୃତ ବନ୍ଧୁ ଏକଥା ଅବତାରଣା କରାଯାଇଛି । କୁହାଯାଇଛି ଯେ ଯାହାର ବିବେକ ଅଛି ସେ କେବେହେଲେ ଅନ୍ୟର ଅନିଷ୍ଟ ଚିନ୍ତା କରିବ ନାହିଁ । ପୁନଶ୍ଚ କୁହାଯାଇଛି ଯେ ବିବେକର ନିର୍ଦ୍ଦେଶ ଯିଏ ମାନୁଛି, ସେହି ଲୋକ ହିଁ ପ୍ରକୃତରେ ଶକ୍ତିରେ କାଳ କଟାଉଛି ।

 

କ୍ଷମାର ଐଶ୍ୱର୍ଯ୍ୟ ଓ ସୌନ୍ଦର୍ଯ୍ୟ ପ୍ରସଙ୍ଗ କେତେଗୋଟି ସୂକ୍ତିରେ ରହିଛି । ଅନ୍ୟକୁ କ୍ଷମାଦେବା ଏକ ଭଗବତ୍‌ ସଦ୍‌ଗୁଣ । କୁହାଯାଇଛି ଅନ୍ୟକୁ କ୍ଷମା ଦିଅ ମାତ୍ର ନିଜକୁ ନିଜର ଦୋଷ ପାଇଁ ଥରେ ମାତ୍ର କ୍ଷମା ଦିଅ ନାହିଁ । କ୍ଷମା ଆଶା କରୁଥିବା ଲୋକ ପ୍ରଥମେ ଅନ୍ୟକୁ କ୍ଷମା କରି ଶିଖିବା ଉଚିତ ।

 

ଉପରେ ନମୁନା ଭାବରେ କେତେଗୋଟି ପ୍ରସଙ୍ଗର ଅବତାରଣା କରାଗଲା । ଏତଦ୍‌ବ୍ୟତୀତ ବହୁ ଅଧିକ ପ୍ରସଙ୍ଗ ବିଷୟରେ ବହୁ ଅଧିକ କଥା ଉପସ୍ଥାପିତ ହୋଇଛି । ଉକ୍ତ ପୁସ୍ତକଟି ଓଡ଼ିଆ ଭାଷାରେ ବିରଚିତ ଏକ ଅମୂଲ୍ୟ ଗ୍ରନ୍ଥ, ଏଥିରେ ସନ୍ଦେହର ଅବକାଶ ନାହିଁ ।

 

 

ପ୍ରଫେସର, ଓଡ଼ିଆ ବିଭାଗ

ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର

 

***

 

Unknown

ଜ୍ଞାନତପସ୍ୱୀ ବିନୋଦ କାନୁନ୍‌ଗୋ

ପ୍ରେମାନନ୍ଦ ମହାପାତ୍ର

 

ବିଶ୍ୱକୋଷ ଆନ୍ଦୋଳନର ପଟ୍ଟପରୋଧା, ବିଶିଷ୍ଟ ଗାନ୍ଧୀବାଦୀ ମନୀଷୀ ତଥା ସ୍ଵାଧୀନତା ସଂଗ୍ରାମୀ, ସାରସ୍ଵତ ପୁରୁଷ, ସାମ୍ବାଦିକ, ସଂସ୍କାରକ, ସାଧନାର ସୈନିକ, ଜ୍ଞାନପିପାସୁ, ଜ୍ଞାନମଣ୍ଡଳର ପ୍ରଣେତା ବିନୋଦ କାନୁନ୍‌ଗୋ ଶତାବ୍ଦୀର ଏକ ବିରଳ ବ୍ୟକ୍ତିତ୍ଵ । ନିଜର ଅଫୁରନ୍ତ ସାଧନା, ନିରବଚ୍ଛିନ୍ନ ଗବେଷଣା, କଠୋର ଅଧ୍ୟବସାୟ, ବିଜ୍ଞାନର ବିଭିନ୍ନ ବିଭାଗର ତାତ୍ତ୍ୱିକ ଆଲୋଚନା ଓ ରୂପାୟନକ୍ଷେତ୍ରରେ ଜ୍ଞାନତପସ୍ଵୀ ବିନୋଦ କାନୁନ୍‌ଗୋ ଜଣେ ଯଶସ୍ୱୀ ସିଦ୍ଧିବାନ ପୁରୁଷ । ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତିଭାବରେ ବିନୋଦ କାନୁନ୍‌ଗୋ ବିଦ୍ଵାନ ମଣ୍ଡଳୀର ବିଶେଷ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ସର୍ବୋପରି ଜ୍ଞାନମଣ୍ଡଳର ପ୍ରଣେତା ଭାବରେ ସେ ସର୍ବଭାରତୀୟ ସ୍ତରରେ ଅସାମାନ୍ୟ ଖ୍ୟାତି ଅର୍ଜନ କରିପାରିଛନ୍ତି । ଗଭୀର ନିଷ୍ଠା, ଆନ୍ତରିକତା ଓ ଅଧ୍ୟବସାୟ ବଳରେ ଏକକ ପ୍ରଚେଷ୍ଟାରେ ଜ୍ଞାନମଣ୍ଡଳ ପ୍ରଣୟନ ପରି ମହାନ୍‌ କାର୍ଯ୍ୟ ଯେ ସମ୍ପାଦିତ ହୋଇପାରେ ଏକଥା ବିନୋଦବାବୁ ଜ୍ଞାନଗୁରୁ ପରି ଜଗତକୁ ଜଣାଇଛନ୍ତି । ବିନୋଦବାବୁ ଯଥାର୍ଥରେ ଚଳନ୍ତି ବିଶ୍ଵକୋଷ, ମହାନ୍‌ ଚିନ୍ତାନୟକ । ଶିକ୍ଷା ଓ ଦୀକ୍ଷା ଦୃଷ୍ଟିରୁ ସେ ଥିଲେ ଜଣେ ଦଶମଶ୍ରେଣୀ ସ୍କୁଲ ଡ୍ରପ୍‌ ଆଉଟ୍‌ ଛାତ୍ର । ସେ ଲେଖିଛନ୍ତି- “ମୁଁ ନିଜେ ଜଣେ ସ୍କୁଲ ଡ୍ରପ ଆଉଟ ବା ଦଶମ ଶ୍ରେଣୀ ଆରମ୍ଭରୁ ପାଠ ଛାଡ଼ିବା ଲୋକ । ଯେଉଦିନ ସ୍କୁଲ ଛାଡ଼ି ଗାନ୍ଧୀ ଆନ୍ଦୋଳନରେ ଯୋଗ ଦେଲେ ସେହିଦିନ ଶପଥ ନେଇଥିଲେ ଯେ ସ୍କୁଲ ଛାଡ଼ିବି ସିନା, ପାଠ ଛାଡ଼ିବି ନାହିଁ ।’’

 

ବାସ୍ତବିକ୍‌ ବିନୋଦବାବୁ ଆଉ ତଥାକଥିତ ସ୍କୁଲରେ ପାଠ ପଢ଼ିଲେ ନାହିଁ । ସ୍କୁଲମୁହାଁ ହେଲେ ନାହିଁ ସିନା, କିନ୍ତୁ ପାଠକୁ ଛାଡ଼ିଲେ ନାହିଁ । ସେ ହେଲେ ପାଠ ପଛେ ପଛେ ଅପାଠୁଆ । ଏ ପରିପ୍ରେକ୍ଷୀରେ କବି ରାଧାମୋହନ ଗଡ଼ନାୟକଙ୍କର ‘ଅପଥଗାମୀ’ କବିତାର ପ୍ରସିଦ୍ଧ ପଂକ୍ତିଟି ମନକୁ ଆସେ-

 

“ଅପଥେ ମୁଁ ଯିବି, ଅପଥେ ମୁଁ ଯିବି

କର ପଛେ ମୋତେ ତିରସ୍କାର

ନେପଥ୍ୟେ ଅଛି ଯେତେ ଯାହା ସବୁ

କରିବି ମୁଁ ତାର ଆବିଷ୍କାର ।

ମଥା ପାତି ନେବି ମାନ ଅପମାନ

ବୁକୁ ପାତି ନେବି ଝଞ୍ଜା ତୋଫାନ ।

ସମୟ ଆସିବ ଯେଉଁଦିନ ତୁମେ ଯାଚି ଦେବ ମୋତେ ପୁରସ୍କାର ।’’

 

ଏହି ଉକ୍ତିଟି ସର୍ବୋତ୍କୃଷ୍ଟା ବିଦ୍ଵାନ, ଆଜୀବନ ସାରସ୍ଵତ ସାଧକ, ପାଠ ପଛେ ପଛେ ଅପାଠୁଆ ବିନୋଦ କାନୁନ୍‌ଗୋଙ୍କ ପ୍ରତି ପ୍ରଯୁଜ୍ୟ । ସେ ସିନା ବିଶ୍ଵବିଦ୍ୟାଳୟର ଡିଗ୍ରୀଧାରୀଛାତ୍ର ହୋଇପାରିଲେ ନାହିଁ, କିନ୍ତୁ ପାଠ ପଛେ ପଛେ ଲାଗି ରହି ଶ୍ରମ ସ୍ଵୀକାର କରି ପ୍ରଣୟନ କଲେ ସୁଖପାଠ୍ୟ ଓଡ଼ିଆ ଏନ୍ସକାଇକ୍ଲୋପିଡ଼ିଆ ବା ‘Popular Odia Encyclopaedia’ ଜ୍ଞାନଦୀପ୍ତ ଜ୍ଞାନମଣ୍ଡଳ । ଏହି ବିରାଟ ସାରସ୍ଵତ କର୍ମସାଧନ ପାଇଁ ବିନୋଦବାବୁଙ୍କୁ ଫରାସୀ ବିଶ୍ଵକୋଷର ରଚୟିତା ଦିଦେରୋଙ୍କ ସହିତ ଏବଂ ଇଂରାଜୀ ଅଭିଧାନର ପ୍ରଣେତା ସାମୁଏଲ ଜନ୍‌ସନ୍‌ଙ୍କ ସହିତ ତୁଳନା କରାଯାଇପାରେ । ତାଙ୍କର ଏହି କାଳଜୟୀ କୃତିପାଇଁ ଓଡ଼ିଶାର ଦିବଂଗତ ମୁଖ୍ୟମନ୍ତ୍ରୀ ତଥା ବରପୁତ୍ର ଶ୍ରୀ ବିଜୁପଟ୍ଟନାୟକ ଯେଉଁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି, ତାହା ଏଠାରେ ଉଲ୍ଲେଖଯୋଗ୍ୟ-

 

"Binode Kanungo was one of the most interesting and multi faceted personalities of our times, In his endeavour to free people from the poverty of Knowledge, he undertook the stupendous task of.compiling ‘Jnanamandal’, which is regorded as one of the best edited encyclopaedias in Indian Languages. Undoubtedly, his single minded devotion and insatiable urge for knowledge enabled him to accomplish this monumental work, despite heavy adds. । have no doubt that Binode Kanungo will be remembered for all time to come for his significant contribution to the field of human knowledge’’.

 

‘ଜ୍ଞାନମଣ୍ଡଳ’ ହେଉଛି ବିଶ୍ୱକୋଷ, ଜ୍ଞାନକୋଷ । ବିନୋଦବାବୁ ଏହାର ନାମାନ୍ତର ରଖିଛନ୍ତି ‘ସୁଖପାଠ୍ୟ ଓଡ଼ିଆ ଏନ୍ସାଇକ୍ଳୋପିଡ଼ିଆ’ । ଏହାର ଇଂରାଜୀ ନାମ ହେଉଛି ‘Popular Odia Encyclopaedia’ । ବିନୋଦବାବୁ ଲେଖିଛନ୍ତି- “ଏନ୍ସାକ୍କୋପିଡ଼ିଆର ଅର୍ଥହେଲା ଶିକ୍ଷା ବା ଜ୍ଞାନର ଚକ୍ର ବା ମଣ୍ଡଳଭିତରେ । ଏଭଳି ନାମକରଣର ସାର୍ଥକତା ଏଇଥି ପାଇଁ ଯେ କେବଳ ଗୋଟିଏ ପୁସ୍ତକରୁ ଆପଣ ପାଇଯିବେ ମନୁଷ୍ୟଜ୍ଞାନର କ୍ରମବିକାଶର ପରିଚୟ ।”

 

‘Encyclopaedia Britanica’ ହେଉଛି ବିଶ୍ୱର ସର୍ବବୃହତ୍‌ ଏନ୍ସାଇକ୍ଲୋପିଡ଼ିଆ । ଏହି ଗ୍ରନ୍ଥରେ ‘Encyclopaedia’ ଶବ୍ଦର ଅର୍ଥ ସମ୍ପର୍କରେ ଲେଖାଯାଇଛି- ‘Reference work that contains information on all branches of Knowledge or that treats a particular branch of Knowledge comprehensively. It is self contained and explains subjects in greater detail than a dictionory. It differs from an ALMANAC in that its information is not dated and not from pedagogical texts in its attemt to be easy to consult and to be readily understood by the layperson. Though generally written in the form of many separate articles, encyclopaedias vary greatly in format and content.

 

ବିଶ୍ୱର ଆଧୁନିକ ଏନ୍ସାଇକ୍ଲୋପିଡ଼ିଆର ନମୁନା ଭାବରେ ୧୭୨୮ ଖ୍ରୀଷ୍ଟାବ୍ଦର Ephraim Chambers cyclopaedia’ କୁ ଗ୍ରହଣ କରାଯାଇଛି । କିନ୍ତୁ ପ୍ରଥମ ମଡର୍ଣ୍ଣ ଏନ୍ସାଇକ୍ଲୋପିଡ଼ିଆ ହେଉଛି ‘French Encyclopaedie'(୧୭୫୧-୧୭୬୫) । ଇଂରାଜୀ ଭାଷାର ସାଧାରଣ ଏନ୍ସାଇକ୍ଲୋପିଡ଼ିଆର ପ୍ରଥମ ସଂସ୍କରଣ ତିନିଗୋଟି ଗ୍ରନ୍ଥଖଣ୍ଡରେ ଏଡିନ୍‌ବର୍ଗ ଠାରେ ୧୭୬୮-୧୭୭୧ ମସିହାରେ ପ୍ରକାଶିତ ହୁଏ । ଏହାର ପ୍ରସିଦ୍ଧ ନବମ ସଂସ୍କରଣ (୧୮୭୫- ୮୯) ‘The Scholars Encyclopaedia’ ନାମରେ ପ୍ରକାଶିତ ହୁଏ । ଉକ୍ତ ଏନ୍ସାଇକ୍ଲୋପିଡ଼ିଆର ଏକାଦଶ ସଂସ୍କରଣ (୧୯୧୦-୧୧)କୁ ବିଶ୍ଵର ୧୫୦୦ ବିଦ୍ୱାନମାନଙ୍କର ଅବଦାନ ସମୃଦ୍ଧ କରିଛି ନିଶ୍ଚୟ । ଏହାର ୧୫ଶ ସଂସ୍କରଣ ୧୯୭୪ ସାଲରେ ଏବଂ ବୃହତ୍ତର ସଂସ୍କରଣ ୧୯୮୫ରେ ସମ୍ପାଦିତ ହୋଇଛି । ସେହିପରି Encyclopaedia Americana ପୃଥିବୀର ବିଶ୍ୱକୋଷ ଜଗତରେ ଅନବଦ୍ୟ କୃତି ।

 

ଏକଥା ସତ୍ୟ ଯେ ମହତ୍ତର ଭାବନା ମହାନ କାର୍ଯ୍ୟ ସାଧନ ପାଇଁ ପ୍ରେରିତ କରିଥାଏ । ମନୁଷ୍ୟର ମହତ୍ତର ଓ ଉଚ୍ଚତର ଭାବନାରୁ ଏନ୍ସାଇକ୍ଲୋପିଡ଼ିଆର ପରିକଳ୍ପନା । ବିନୋଦବାବୁ ସ୍ଵୟଂ ‘ନିଜକଥା’ ପ୍ରସଙ୍ଗରେ ଲେଖିଛନ୍ତି- ‘ମୁଁ ମନୁଷ୍ୟ- ଅନ୍ୟପ୍ରାଣୀମାନଙ୍କ ତୁଳନାରେ ମୋର ଗୋଟାଏ ଉନ୍ନତ ମସ୍ତିଷ୍କ ଅଛି । ତେଣୁ ଜଗତର ଯେ କୌଣସି କଥା ଜାଣିବା ପାଇଁ ମୋର ଇଚ୍ଛା ହେବ । ମୁଁ ସହଜରେ ଜାଣିବି ଜାଣିବାର ସୁଯୋଗ ପାଇବି । ମୁଁ ମନୁଷ୍ୟ ହୋଇଥିବାରୁ ଜ୍ଞାନ ହାସଲ କରିବାଟା ମୋର ଜନ୍ମଗତ ଅଧିକାର । ସେ ଅଧିକାରରୁ ମୋତେ କେହି ହେଲେ ବଞ୍ଚିତ କରିପାରିବେ ନାହଁ ।

 

ଦିନେ କେହି ଜଣେ ନିଶ୍ଚୟ ଏହିଭଳି ଚିନ୍ତା କରିଥିଲେ । ସେ ତାଙ୍କ ଭାବନାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିଥିଲେ ଓ ତାଙ୍କ ସହିତ ସେମାନେ ଏକମତ ହୋଇଥିଲେ । ସେହି ଆଲୋଚନା ଓ ସେହି ଭାବନାରୁ ଜନ୍ମଲାଭ କଲା- ‘ଏନ୍‌ସାଇକ଼୍ଲୋପିଡ଼ିଆ, ‘ଜ୍ଞାନମଣ୍ଡଳ’ ବା ‘ଜ୍ଞାନକୋଷ’ ।

 

ପୃଥିବୀର ଚାରିଆଡ଼େ ବହୁ ସମ୍ପଦ ଭରି ରହିଥିବା ଭଳି ପ୍ରତ୍ୟେକ ଦେଶରେ ଜ୍ଞାନ ମଧ୍ୟ ଭରି ରହିଛି । ସେଥିରୁ ସାର ସାର କଥା ଆଣି ଗୋଟିଏ ପୁସ୍ତକର ଗଣ୍ଡି ଭିତରେ ସଜାଇ ଦେବା ହେଲା ଏଭଳି ଏକ ପୁସ୍ତକ ରଚନାର ଉଦ୍ଦେଶ୍ୟ ।’’ ବିନୋଦବାବୁଙ୍କର ଏହି ବିଚାରଧାରଟି ବେଶ୍‌ ଯୁକ୍ତିଯୁକ୍ତ ଅଟେ ।

 

କାରାଗାରରୁ ସାହିତ୍ୟ–ସେବା

ବିନୋଦବାବୁଙ୍କ ସାହିତ୍ୟକ ଜୀବନ ଆରମ୍ଭ ହୁଏ ବନ୍ଦୀ ଜୀବନରୁ । ବ୍ରହ୍ମପୁର ଜେଲରେ ଯେତେବେଳେ ସଂଗ୍ରାମୀ ବିନୋଦ ୧୯୪୨ ରୁ ୧୯୪୪ ମସିହା ମଧ୍ୟରେ ରାଜନୈତିକ ବନ୍ଦୀ ଜୀବନ କଟାଉଥିଲେ, ସେତେବେଳେ ସେ ସାରସ୍ଵତ କର୍ମରେ ଲିପ୍ତ ଥିଲେ । ବିନୋଦବାବୁ ତାଙ୍କ ଆତ୍ମଜୀବନୀ ‘ଋଣ ପରିଶୋଧ’ରେ ଲେଖିଛନ୍ତି, - ‘‘ଏହି ବ୍ରହ୍ମପୁର ଜେଲଭିତରେ ଜ୍ଞାନମଣ୍ଡଳର ମୂଳଦୁଆ ପଡ଼ିଥିଲା । xxx ମୋର ପ୍ରକୃତ ସାହିତ୍ୟକ ଜୀବନ ଏହି ସହରର ଜେଲ ପ୍ରାଚୀରର ଭିତର ପଟେ ହିଁ ଆରମ୍ଭ ହୋଇଥିଲା ।’’ ଏଣେ ତାଙ୍କର ଧର୍ମପତ୍ନୀ ଶଶୀବାଳା ମଧ୍ୟ କଟକ ଜେଲରେ ବନ୍ଦୀ ଭାବରେ ଜୀବନ କଟାଉଥିଲେ । ଏହିପରି ପ୍ରତିକୂଳ ପରିସ୍ଥିତିରେ ସ୍ଥିତପ୍ରଜ୍ଞ ବିନୋଦବାବୁ ଜେଲଭିତରେ ଦୈନିକ ଷୋଳ-ସତର ଘଣ୍ଟା ପଢ଼ାରେ କଟାଉଥିଲେ । ସେତିକିବେଳେ ଜ୍ଞାନମଣ୍ଡଳ ପାଇଁ ଜ୍ଞାନପିପାସୁ ବିନୋଦବାବୁ ଦଶହଜାର ପୃଷ୍ଠାର ବିବରଣୀ ସଂଗ୍ରହ କରିଥିଲେ । କାଗଜ ନ ମିଳିବାରୁ ବଜେଟ୍‌ ବହିରେ ଅତି ଛୋଟ ଛୋଟ ଅକ୍ଷରରେ ଲେଖୁଥିଲେ । ୧୯୪୪ ମସିହା ଅଗଷ୍ଟ ମାସରେ କାରାମୁକ୍ତ ହେବା ପରେ ବିନୋଦବାବୁ ଓ ଶଶୀବାଳା ନିଜଗ୍ରାମକୁ ଫେରିଯାଇ ମହାତ୍ମାଗାନ୍ଧୀଙ୍କ ଗ୍ରାମ୍ୟୋଦୟକୁ ଆଖି ଆଗରେ ରଖି ମଲ୍ଲୀପୁରକୁ କର୍ମକ୍ଷେତ୍ର ରୂପେ ଗ୍ରହଣ କଲେ । ବିଲରେ ଧାନରୁଆ, ଅସ୍ପୃଶ୍ୟତା, ନିବାରଣ, ନିଶାବିରୋଧି ଅଭିଯାନ, ନାରୀଜାଗରଣ, ଖଦୀପ୍ରସାରଣ, କୁକୁଡ଼ାପାଳନ ପ୍ରଭୃତି ରଚନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ ।

 

ମନୁଷ୍ୟ ଜୀବନରେ ଗୋଟିଏ ଗୋଟିଏ ବିଶିଷ୍ଟ ଘଟଣା ମନୁଷ୍ୟ ଜୀବନଧାରାକୁ ବଦଳାଇ ଦିଏ । ୧୯୫୨ ମସିହାରେ ବିନୋଦବାବୁ ପ୍ରଥମ ସାଧାରଣ ନିର୍ବାଚନରେ କିଶନନଗରକୁ ବିଧାନସଭା ପାଇଁ ପ୍ରାର୍ଥୀ ହେଲେ । ମାତ୍ର ନିର୍ବାଚନରେ ପରାଜିତ ହୋଇ ରାଜନୀତିରୁ ସନ୍ନ୍ୟାସ ନେଲେ ଏବଂ ୧୯୫୪ ମସିହା ଜାନୁୟାରୀ ପହିଲାଦିନ ଶପଥ ନେଇଥିଲେ ଯେ ଜୀବନର ଅବଶିଷ୍ଟ ସମୟ କଲମ ମାଧ୍ୟମରେ ଜନସେବାରେ କଟାଇବେ । ୧୯୫୪ ମସିହା ଜାନୁୟାରୀ ପହିଲା ଦିନ ତାଙ୍କର ବିଶାଳ ଓ ପ୍ରକାଣ୍ଡ କର୍ମ ‘ଜ୍ଞାନମଣ୍ଡଳ’ ପାଇଁ ସାଧନାକୁ ଅବ୍ୟାହତ ରଖିଲେ । ରେଭେନ୍ସା କଲେଜର କନିକା ଲାଇବ୍ରେରୀରେ ପ୍ରତିଦିନ ସାତ ଆଠ ଘଣ୍ଟା ଧରି ବହିପଢ଼ା ଓ ଜ୍ଞାନମଣ୍ଡଳ ପାଇଁ ତଥ୍ୟ ସଂଗ୍ରହରେ ଲାଗିପଡ଼ିଲେ ବିନୋଦବାବୁ । ଓଡ଼ିଆ ଭାଷାରେ ବିଜ୍ଞାନର ଯେ କୌଣସି ଜଟିଳ ତତ୍ତ୍ଵକୁ ସରଳ ଓ ସାବଲୀଳ ଧାରାରେ ପ୍ରକାଶ କରିବା ପାଇଁ ସେ ସଫଳତା ହାସଲ କଲେ ।

 

‘ଜ୍ଞାନମଣ୍ଡଳ’ ରଚନାର ମୂଳପ୍ରେରଣା ସମ୍ପର୍କରେ ବିନୋଦବାବୁ ଲେଖିଛନ୍ତି-“ଆମେ ଓଡ଼ିଆ ଆମର ଗୋଟାଏ ଉନ୍ନତ ଭାଷା ଅଛି । ଦୁନିଆର ଚାରିଆଡ଼େ ଏହିଭଳି ପୁସ୍ତକ ପ୍ରକାଶ ପାଉଥିବା ବେଳେ ଆମେ କ’ଣ ସେଭଳି କରିପାରିବା ନାହିଁ ? xxx କିନ୍ତୁ ଆମ ଭାଷା କ’ଣ ପଛରେ ପଡ଼ି ରହିବ ? ଆମ ଭାଷା କ’ଣ ଏଭଳି ପୁସ୍ତକର ଅଧିକାରୀ ହେବ ନାହିଁ ? ଏହି ପ୍ରଶ୍ନ ଯେତେବେଳେ ମୋ ମନଭିତରେ ଉଠିଛି, ମୁଁ ବ୍ୟଥିତହୋଇ ପଡ଼ିଛି । ବିଜ୍ଞାନର ଏ ଯୁଗରେ ଅସମ୍ଭବ କଅଣ ? ମନୁଷ୍ୟ ଯେତେବେଳେ ଯାଇ ଚନ୍ଦ୍ରରେ ପହଞ୍ଚିଯାଉଛି, ଆମ ଓଡ଼ିଶାର, ସେହି ମନୁଷ୍ୟ ଏହି ସାମାନ୍ୟ କାର୍ଯ୍ୟଟି କରିପାରିବ ନାହିଁ ? ଯେତେବେଳେ ଅନ୍ୟଭାଷାରେ ଏଭଳି ଏନ୍ସାଇକ୍ଲୋପିଡ଼ିଆ ବାହାରି ଗଲାଣି ଯେ ସେଥିରେ ଛୋଟବଡ଼ ହୋଇ ଆଠଲକ୍ଷ ପ୍ରବନ୍ଧ ଓ ହଜାରେ ଲୋକଙ୍କ ସଂକ୍ଷିପ୍ତ ପରିଚୟ ଥିବା ଗୋଟିଏ ପୁସ୍ତକ ଆମ ଓଡ଼ିଆ ଭାଷାରେ ପ୍ରକାଶ ପାଇବ ନାହିଁ କାହଁକି ? ନିଶ୍ଚୟ ପ୍ରକାଶ ପାଇବା ଉଚିତ୍‌ ବୋଲି ବିଚାରି ୧୯୫୩ ରେ ଗୋଟିଏ ଯୋଜନା କଲି” । ତେଣୁ ବାସ୍ତବରେ ୧୯୫୪ ମସିହା ହେଉଛି ଜ୍ଞାନମଣ୍ଡଳର ଜନ୍ମ ମସିହା । ବିଦୋନବାବୁଙ୍କର ଏହି ଯୋଜନାଟି ୧୯୬୦ ମସିହାରେ ସାକାର ହେଲା ଏବଂ ତାଙ୍କର ସମସ୍ତ ନିଷ୍ଠା, ସାଧନା ଓ ସାରସ୍ଵତ ପ୍ରୟାସ ମହିମାମଣ୍ଡିତ ହେଲା ।

 

ବିନୋଦବାବୁ ମତପ୍ରଦାନ କରନ୍ତି ଯେ, ଯେ କୌଣସି ଉନ୍ନତ ଭାଷାରେ ତିନି ପ୍ରକାରର ଏନ୍ସାଇକ୍ଲୋପିଡ଼ିଆ ରହିବା ଉଚିତ । ପ୍ରଥମଟି ହେଉଛି, ଯେଉଁମାନେ ଭଲ ପଢ଼ାଶୁଣା କରିଛନ୍ତି, ସେହିମାନଙ୍କୁ ସବୁ ବିଷୟରେ ତଥ୍ୟ ଜଣାଇବା । ତାକୁ ଇଂରାଜୀରେ ‘ରେଫରେନ୍‌ସ୍‌ ଏନ୍ସାଇକ୍ଲୋପିଡ଼ିଆ’ କୁହାଯାଏ । କିଛି ଜାଣିବା ପାଇଁ ହେଲେ ତା’ରି ଆଶ୍ରୟ ନିଆଯାଏ । ବିଶେଷଜ୍ଞମାନେ ହିଁ ତାକୁ ଲେଖନ୍ତି । ଦ୍ୱିତୀୟଟି ହେଉଛି “କିଶୋର ଜ୍ଞାନମଣ୍ଡଳ” ବା ‘Children’s Encyclopaedia’ । ଏଥିରେ ପିଲାମାନେ ବୁଝିବା ଭାଷାରେ କେତେଗୁଡ଼ିଏ କଥା ଉଲ୍ଲେଖ ଥାଏ । ଏଗୁଡ଼ିକ ମୁଖ୍ୟତଃ ଚିତ୍ର ବହୁଳ । ମାନବଜ୍ଞାନର କେତେକ ବିଭାଗକୁ ଏହି ଶ୍ରେଣୀର ଏନ୍ସାଇକ୍ଲୋପିଡ଼ିଆରୁ ବାଦ୍‌ ଦିଆଯାଇଥାଏ । ତୃତୀୟଟି ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ । ସେହିଟିକୁ ଜନପ୍ରିୟ, ସୁଖପାଠ୍ୟ ବା ସହଜବୋଧ୍ୟ ଏନ୍ସାଇକ୍ଲୋପିଡ଼ିଆ କୁହାଯାଏ । ଇଂରାଜୀରେ ଏହାକୁ Popular Encyclopaedia କୁହାଯାଏ । ଏହି ଶ୍ରେଣୀର ଏନ୍ସାଇକ୍ଲୋପିଡ଼ିଆ ପ୍ରତି ଲକ୍ଷ ଲକ୍ଷ ଲୋକ ଆଗ୍ରହ ପ୍ରକାଶ କରିଥାନ୍ତି । ଯେଉଁମାନେ ଅଳ୍ପଶିକ୍ଷିତ, ଅର୍ଦ୍ଧଶିକ୍ଷିତ ସେମାନଙ୍କର ମଧ୍ୟ ଆଧୁନିକ ଜଗତରେ ଜ୍ଞାନର ବିଭିନ୍ନ ବିଭାଗ ବିଷୟରେ ଜାଣିବାର ଅଧିକାର ଅଛି । ସେମାନେ ବିଶେଷଜ୍ଞମାନଙ୍କର ଭାଷା ବୁଝିପାରିବେ ନାହିଁ । ତେଣୁ ସେମାନଙ୍କ ପାଇଁ ସରଳ ଓ ବୋଧଗମ୍ୟ ଭାଷାରେ ରଚିତ ଏନ୍ସାଇକ୍ଲୋପିଡ଼ିଆ ଆବଶ୍ୟକ । ଯଦ୍ଵାରା ଜ୍ଞାନର ଗଣତନ୍ତ୍ରାନୁସାରୀ ବା Democratizing knowledge ହୋଇପାରିବ ।

 

ବିନୋଦବାବୁଙ୍କ ଜ୍ଞାନମଣ୍ଡଳର ଏହି ତୃତୀୟ ଶ୍ରେଣୀର ଏନ୍ସାଇକ୍ଲୋପିଡ଼ିଆର ସମବାଚୀ । ବିନୋଦବାବୁ ତାଙ୍କ ରଚିତ ‘ଜ୍ଞାନମଣ୍ଡଳ’ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯେ ଏହି ଜ୍ଞାନମଣ୍ଡଳ ସେହିଭଳି ଗୋଟିଏ ପୁସ୍ତକ । ଏଥିରେ ରସାୟନବିଦ୍ୟା, ପଦାର୍ଥବିଦ୍ୟା, ଗଣିତ, ଜ୍ୟୋତିର୍ବିଦ୍ୟା, ଭୂତତ୍ତ୍ୱ, ଉଦ୍ଭିଦବିଦ୍ୟା, ପ୍ରାଣୀବିଦ୍ୟା, ଶରୀରବିଦ୍ୟା, କୃଷିବିଦ୍ୟା, ଶିଳ୍ପକୌଶଳବିଦ୍ୟା, ନୃତତ୍ତ୍ୱ ପ୍ରଭୃତି ବିଜ୍ଞାନର ପ୍ରତ୍ୟେକ ବିଭାଗର ସମସ୍ତ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି । ପୃଥିବୀରେ ଯେତେ ଧର୍ମ ଅଛି, ସେସବୁର ସାରକଥା, ଧର୍ମପ୍ରଚାରକ, ଭକ୍ତ, ସାଧକମାନଙ୍କ ଜୀବନୀ ରହିଛି । ଏଥିରେ ପ୍ରତ୍ୟେକ ଦେଶର ଇତିହାସ ଓ ଭୂଗୋଳର ପରିଚୟ ରହିଛି । ଯେଉଁସବୁ ପୁସ୍ତକକୁ ପୃଥିବୀର ଯେ କୌଣସି ଭାଷାରେ ଅନୁବାଦ କରିଦେଲେ ଲୋକଙ୍କ ପ୍ରାଣକୁ ନିଶ୍ଚୟ ସ୍ପର୍ଶ କରିବ, ସେହିସବୁ ପୁସ୍ତକର ପରିଚୟ ଆପଣ ପାଇବେ ଏହି ବହିରୁ । କେବଳ ଆମ ଦେଶ ନୁହେଁ, ପୃଥିବୀର ବହୁ ଅଞ୍ଚଳରେ ଯେତେ ପୌରାଣିକ ଗଳ୍ପ ରହିଛି, ସେଗୁଡ଼ିକୁ ସଂଗ୍ରହ କରାଯାଇ ଏ ବହିରେ ସ୍ଥାନିତ କରାଯାଇଛି । ଗଲା ଚାରିହଜାର ବର୍ଷ ଭିତରେ ପୃଥିବୀର ପ୍ରାୟ ଦୁଇହଜାର ପଣ୍ଡିତ ଯେଉଁସବୁ ଅମୂଲ୍ୟବାଣୀ ଆମ ପାଇଁ ଦେଇଯାଇଛନ୍ତି, ସେଥିରୁ ଗୋଟିଏ ଲେଖାଏଁ ପ୍ରତ୍ୟେକ ପୃଷ୍ଠା ଶେଷରେ ପ୍ରଦାନ କରାଯାଇଛି । ସୁତରାଂ ଜ୍ଞାନମଣ୍ଡଳ ସକଳ ଜ୍ଞାନର ଭଣ୍ଡାର । ସାଧାରଣବର୍ଗର ଲୋକମାନଙ୍କର ଜ୍ଞାନର ଦିଗବଳୟକୁ ସଂପ୍ରସାରିତ କରିବାରେ ଏହା ନିତାନ୍ତ ସହାୟକ ହେବ ।

 

ବିନୋଦ କାନୁନ୍‌ଗୋ ଜଣେ ସମର୍ଥ ସଙ୍ଗଠକ ଓ ସଫଳ ସଂଗ୍ରାହକ । ଜ୍ଞାନମଣ୍ଡଳ ପ୍ରସ୍ତୁତି କ୍ଷେତ୍ରରେ ସେ ଥିଲେ ଏକେଲା ମଣିଷ । ଅସ୍ତିତ୍ୱବାସ୍ତୀ ଲେଖକ ସାର୍ତ୍ତଙ୍କ ଭାଷାରେ ଏକେଲା ମଣିଷ ହିଁ ସମର୍ଥ ମଣିଷ-ସେ ସୃଜନରେ ସ୍ୱପ୍ନ ଦେଖେ । ଏକକଭାବରେ ନୂଆକିଛି ସୃଷ୍ଟି କରେ । ସେହିଭଳି ବିନୋଦ କାନୁନ୍‌ଗୋ ଏକା ଏକା ଏଡ଼େ ବିରାଟ ଜ୍ଞାନକୋଷକୁ ସଙ୍କଳନ କରିପାରିଲେ । ଏହି ବହି ସେଟ୍‌ଟିର ସମ୍ପାଦନାର ଦାୟିତ୍ୱ ହେଉଛି ପ୍ରଧାନ କଥା । ମାନବ ଜ୍ଞାନର ପ୍ରତ୍ୟେକ ବିଭାଗର ପରିଚୟ ଦିଆଯିବ ଏହି ଗୋଟିଏ ବହି ସେଟ୍‌ରେ । ତେଣୁ ବହୁଲୋକ ଏହାର ସମ୍ପାଦନାରେ ସାହାଯ୍ୟ ନ କଲେ ଏହା କେବେହେଲେ ପ୍ରକୃତ ଅର୍ଥରେ ଉପଯୋଗୀ ହୋଇ ପାରିବ ନାହିଁ । ସେଥିପାଇଁ H. G. Wells କହିଛନ୍ତି- ଏନ୍ସାଇକ୍ଲୋପିଡ଼ିଆ ଗୋଟିଏ ଜୀବନ୍ତ ପୁସ୍ତକ । ଏହାର ବୃଦ୍ଧି ଚାଲିଥିବ । ପୃଥିବୀର ଭାବୁକମାନେ ସେମାନଙ୍କର ଜ୍ଞାନ ଜଳ ସିଞ୍ଚି ଏହି ବଦ୍ଧିଷ୍ଣୁ ଜ୍ଞାନବୃକ୍ଷକୁ ବଞ୍ଚାଇ ରଖିବେ ।’ ଇଂରାଜୀ ଭାଷାରେ ପ୍ରସ୍ତୁତ ପ୍ରାମାଣିକ ଏନ୍ସାଇକ୍ଲୋପିଡ଼ିଆ ସେହି ଏନ୍ସାକାଇକ୍ଲୋପିଡ଼ିଆ ବ୍ରିଟାନିକାର ସମ୍ପାଦନାରେ ଭାଗନେଇଥିଲେ ୬୨୦୦ ଜଣ ପୃଥିବୀ ବିଖ୍ୟାତ ଲେଖକ, ବିଜ୍ଞାନୀ ଓ ପଣ୍ଡିତ । ସେହି ପୁସ୍ତକର ୧୯୬୦ ସଂସ୍କରଣରେ ସେହି ସମସ୍ତଙ୍କ ନାମ ଓ ପରିଚୟ ଦିଆଯାଇଛି । ଡକ୍ଟର ରାଧାକୃଷ୍ଣନ୍‌, ଲର୍ଡ ଅଟ୍‌ଲି ବୈଜ୍ଞାନିକ ସି.ଭି. ରମଣଙ୍କ ଭଳି ପ୍ରସିଦ୍ଧ ବ୍ୟକ୍ତି ସେହି ବ୍ରିଟାନିକାର ସମ୍ପାଦନାର ବୋର୍ଡରେ ଅଛନ୍ତି । ଋଷରେ ୧୯୫୯ ରେ ଯେଉଁ ବିରାଟ ବିଶ୍ୱକୋଷ ପ୍ରକାଶ ପାଇଥିଲା, ତାକୁ ପୂର୍ଣ୍ଣ କରିବା ପାଇଁ ପାଞ୍ଚହଜାର ଲେଖକ ଦଶ ବର୍ଷ କାଳ କଠିନ ପରିଶ୍ରମ କରିଥିଲେ । କାରଣ ଏନ୍ସାଇକ୍ଲୋପିଡ଼ିଆ ଉଦ୍ଦେଶ୍ୟ ହେଉଛି ଜ୍ଞାନ ସମୁଦ୍ର ମନ୍ଥନ କରି ସେଥିର ସାରତକ ଗୋଟିଏ ବହି ସେଟ୍‌ ଭିତରେ ରଖିଦେବା । ଏକଥା ସତ୍ୟ ଯେ ବିନୋଦବାବୁଙ୍କ ଏକକ ପ୍ରଚେଷ୍ଟାରେ ୧୯୪୪ ରୁ ଆରମ୍ଭ ହୋଇ ୧୯୬୦ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୬ ବର୍ଷ ଭିତରେ ଜ୍ଞାନମଣ୍ଡଳର ପ୍ରସ୍ତୁତି ପର୍ବ ଥିଲା । ଏହାରି ଭିତରେ ସେ ୩୦,୦୦୦ ଫାଇଲ୍‌ ପ୍ରାୟ ୧୫୦୦୦ ବିଷୟ ଉପରେ ପ୍ରସ୍ତୁତ କରିଥିଲେ । ୧୯୮୭ ମସିହା ଅକ୍ଟୋବର ୬ ତାରିଖ Indian Express ରେ କୁହାଯାଇଛି- ‘‘Mr. Kanungo, Father of the encyclopaedia movement in the country has toiled for more than three decades to publish 40 of the 75 volumes popular encyclopaedia Janamandal in Oriya’’ ସେହିପରି ୧୯୭୧ ମସିହା ଏପ୍ରିଲ ୧୧ ‘The Sunday Standard’ ରେ ପ୍ରକାଶ ପାଇଥିଲା- ‘Oriya Encyclopaedia Gigantic Work by one man’ ସେହିପରି ଅଗଷ୍ଟ ୧୫ India Expressରେ କୁହାଯାଇଥିଲା- Oriya Encyclopaedia - a One man Venture.’ ।

 

ଜ୍ଞାନମଣ୍ଡଳ ପ୍ରକାଶ ପାଇଁ ବିନୋଦବାବୁ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ-। ହାତରେ ଅର୍ଥ ନ ଥିଲା । ପ୍ରଥମ ଖଣ୍ଡଟି ପ୍ରକାଶ ପାଇଥିଲା ୧୯୬୦ ମସିହା ଡିସେମ୍ବର ୧ ତାରିଖରେ । ଏହା ରାଷ୍ଟ୍ରଭାଷା ସମବାୟ ପ୍ରେସ୍‌ଦ୍ଵାରା ଛପାଯାଇଥିଲା । ସେତେବେଳେ କଟକର ବାରବାଟୀ ଷ୍ଟାଡ଼ିଅମ୍‌ରେ ଜ୍ଞାନମଣ୍ଡଳର ଅଫିସ୍‌ କାର୍ଯ୍ୟ କରୁଥାଏ । ପ୍ରଥମ ଛାପାସଂଖ୍ୟା ୧୧୦୦-। ବିନୋଦବାବୁ ଲେଖଛନ୍ତି- “୧୯୬୦ ଡିସେମ୍ବର ୨ ତାରିଖଟି ଜ୍ଞାନମଣ୍ଡଳର ଜୀବନରେ ଗୋଟିଏ ସ୍ମରଣୀୟ ଦିନ । ସେହିଦିନ ଏହି ଅଫିସ୍‌କୁ ଆସିଥିଲେ ଓଡ଼ିଶାର ୧୪୫ ଜଣ ବିଶିଷ୍ଟ ବ୍ୟକ୍ତି । ସେମାନେ ସମସ୍ତେ ସାହିତ୍ୟପ୍ରେମୀ । ଜ୍ଞାନମଣ୍ଡଳର ପ୍ରଥମ ଖଣ୍ଡିକ ତାହାର ଆଠ ଦିନ ଆଗରୁ ଛପା ହୋଇ ସାରିଥାଏ । ଘୋର ଅଭାବ ଅସୁବିଧା ଭିତରେ ସେ ଖଣ୍ଡିକ ଛପାଇଥାଉ । ଏକାବେଳକେ କାଗଜତକ କିଣିବାର ସମ୍ବଳ ନ ଥିବାରୁ ଯେତେବେଳେ ବଜାରରେ ଯେଉଁଭଳି କାଗଜ ମିଳିଲା କିଣି ଆଣୁ ।’’ ପ୍ରଥମ ଖଣ୍ଡର ଦ୍ୱିତୀୟ ମୁଦ୍ରଣ ହେଲା ୧୯୬୨ ମସିହା ଡିସେମ୍ବର ୧ ତାରିଖରେ । ଛପାସଂଖ୍ୟା ଥିଲା ୨୧୦୦ । ପ୍ରଥମ ଖଣ୍ଡର ୩ୟ ସଂସ୍କରଣ ହେଲା ୧୯୬୮ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ । ଛାପା ସଂଖ୍ୟା ଥିଲା ୨୦୦୦ । ଜ୍ଞାନମଣ୍ଡଳ ୨ୟ ଭାଗର ପ୍ରଥମ ମୁଦ୍ରଣ ୧୯୬୨ ମସିହା ମାର୍ଚ୍ଚ ୧ ତାରିଖରେ ସମ୍ପନ୍ନ ହୋଇଥିଲା-। ଛାପାସଂଖ୍ୟା ଥିଲା ୩୧୦୦ । ଦ୍ୱିତୀୟ ଖଣ୍ଡ ପ୍ରକାଶ ପାଇଁ ବିନୋଦବାବୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲେ । ସେ ଲେଖିଛନ୍ତି- “ଦ୍ୱିତୀୟ ଖଣ୍ଡିକ କିଭଳି ଛପା ହେବ, ସେହି ଚିନ୍ତା ମୋ ମୁଣ୍ଡରେ ପଶିଲା । କିନ୍ତୁ ତାହା କ’ଣ ସମ୍ଭବ ହେବ ? ସେଦିନକୁ କରଜ ଥାଏ ଟ ୧୫,୦୦୦ । ସାତ ବର୍ଷ ଭିତରେ ବହି ଖବରକାଗଜ ଓ ପତ୍ରପତ୍ରିକା ମିଶି ପ୍ରାୟ ଟ ୧୦,୦୦୦ର କିଣି ସାରିଥିଲି-। ବହିଟି ଛପାଇବାରେ ଅର୍ଥ ଖର୍ଚ୍ଚ ହୋଇ ସାରିଲାଣି ଟ ୫୦୦୦ । ଏ କାମ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ହଜାରେଟି ଟଙ୍କା ଦେଇଥିଲେ । ଏହା ବ୍ୟତୀତ କାହାରିଠାରୁ ନୂଆ ପଇସାଟିଏ ଆଣିନାହିଁ ସାହାଯ୍ୟ ସୂତ୍ରରେ । ଶହେ ଟଙ୍କାରେ ମାସକୁ ଟ ୧୦ ସୁଧରେ କିଛି ଟଙ୍କା କରଜ କରିଥାଏ ।’’ ଏହା ହିଁ ହେଉଛି ବିନୋଦବାବୁଙ୍କର ଖେଦୋକ୍ତି ।

 

ବିନୋଦବାବୁ ଏନ୍‌ସାଇକ୍ଲୋପିଡ଼ିଆ ପ୍ରସ୍ତୁତି କ୍ଷେତ୍ରରେ ଥିଲେ ଖୁବ୍‌ ସଚେତନ ଓ ଦୂରଦ୍ରଷ୍ଟା । ସେ ଥିଲେ ବହୁପାଠୀ, ବିଦ୍ୱାନ ଓ ଅଧ୍ୟବସାୟୀ । ବିନୋଦବାବୁଙ୍କ ଏନ୍ସାଇକ୍ଲୋପିଡ଼ିଆର ଲେଖାରୁ ତାହା ପ୍ରତିପାଦିତ ହୋଇଛି । ସେ ଲେଖିଛନ୍ତି- ‘‘୧୮ଶ ଶତାବ୍ଦୀର ଆରମ୍ଭରେ ଫରାସୀ ଏନ୍ସାଇକ୍ଲୋପିଡ଼ିଆରେ ଲେଖାଯାଇଥିଲା- ଏ ପୃଥିବୀ ପୃଷ୍ଠରେ ଯେତେଯେତେ ଜ୍ଞାନ ପଡ଼ିରହିଛି ସେଗୁଡ଼ିକୁ ଗୋଟାଇ ଆଣି ଗୋଟିଏ ସ୍ଥାନରେ ରଖିଦେବାଟା ହେଲା ଏନ୍ସାଇକ୍ଲୋପିଡ଼ିଆର ଲକ୍ଷ୍ୟ । ଆମ ବଂଶଧରମାନଙ୍କ ପାଇ ଆମେ ଏଭଳି ଜ୍ଞାନ ସାଇତି ଦେଇଯିବା ଯେ ସେମାନେ ସୁଖୀ ହୋଇ ପାରିବେ ଓ ଆମେ ମଲାବେଳକୁ ମନୁଷ୍ୟ ଭଳି ମରିଛୁ ବୋଲି ଆମ ବଂଶଧରମାନେ କହିବେ । ତାହାର ଦୁଇଶହ ବର୍ଷପରେ ଆଧୁନିକ ଜ୍ଞାନମଣ୍ଡଳ କିଭଳି ହେବା ଉଚିତ୍‌ ସେ ବିଷୟରେ H. G. Wells ଏହି ମର୍ମରେ ଲେଖିଥିଲେ ଯେ ଏନ୍ସାସାଇକ୍ଲୋପିଡ଼ିଆ ବହିଗୁଡ଼ିକ ଧାଡ଼ିହୋଇ ଥୁଆ ହୋଇଥିବ । ପାଠକ ସେଥିଭିତରୁ ଯେତେବେଳେ ଇଚ୍ଛା କରିବ, ସହଜରେ ପାଇଯିବ ଜ୍ଞାନର ସମସ୍ତ ବିଭାଗର ନିର୍ଭୁଲ ତଥ୍ୟ । ମାନବ ସମାଜର ତଥା ପୃଥିବୀର ଇତିହାସ ଓ ବିଶ୍ୱ ବ୍ରହ୍ମାଣ୍ଡ ଜ୍ଞାନ ତାକୁ ମିଳିଯିବ ସେ ବୁଝିଲା ଭଳି ଭାଷାରେ, ସେଥିରେ ଯାହା ଲେଖାଯାଇଥିବ, ତାକୁ ବୁଝିବାପାଇଁ ପାଠକକୁ ଯେପରି ପରିଶ୍ରମ କରିବାକୁ ପଡ଼ିବ ନାହିଁ । ଦୁନିଆର ଚାରିଆଡ଼େ ମନୀଷୀମାନେ କିଭଳି ଚିନ୍ତା କରୁଛନ୍ତି, ତାହା ସେ ଜାଣିପାରିବ, ତାହାର ସେହି ପୁସ୍ତକରୁ । ପୃଥିୀର ପ୍ରତ୍ୟେକ ବୁଦ୍ଧିଜୀବୀଙ୍କର ଏହି ‘ବିଶ୍ୱ ଏନ୍ସାସାଇକ୍ଲୋପିଡ଼ିଆ’କୁ କିଛି ନା କିଛି ଦାନ ଥିବ । ଏଇଟି ହୋଇଥିବ ଗୋଟିଏ ଜୀବନ୍ତ ପୁସ୍ତକ- ଏହାର ବୃଦ୍ଧି ଚାଲିଥିବ । ପୃଥିବୀର ଭାବୁକମାନେ ସେମାନଙ୍କର ଜ୍ଞାନ ଜଳ ସିଞ୍ଚି ଏହି ବିଷ୍ଣୁ ଜ୍ଞାନ ବୃକ୍ଷକୁ ବଞ୍ଚାଇ ରଖିଥିବେ । ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ତଥା ଗବେଷଣାକେନ୍ଦ୍ର ଏଥିପାଇଁ ଖାଦ୍ୟଯୋଗାଇ ଦେଉଥିବେ । ଏଇଟି ପୃଥିବୀର ଓ ମାନବ ସଂସ୍କୃତିର ଶ୍ରେଷ୍ଠ ପୁରାଣ । ଏହି ପୁସ୍ତକ ସମଗ୍ର ପୃଥିବୀକୁ ଗୋଟିଏ ରଜ୍ଜୁରେ ବାଛି ଦେଇଥିବ ।’’ ବିନୋଦବାବୁ ଏହି ଭାବନା ଓ ଚେତନାର ବାର୍ତ୍ତାବହ ।

 

ବିନୋଦବାବୁଙ୍କର ଜ୍ଞାନମଣ୍ଡଳର ତୃତୀୟ ଖଣ୍ଡ ତା ୨।୧୨।୧୯୬୩ରେ ଆମ ପ୍ରକାଶ କରେ । ବିନୋଦବାବୁ ଲେଖିଛନ୍ତି ଏହାର ସମ୍ପାଦନା କାର୍ଯ୍ୟଟି ଯେତେ ଗୁରୁତ୍ଵପୂର୍ଣ୍ଣ ବୋଲି ପ୍ରଥମେ ମନେ କରାଯାଉଥିଲା, ପରେ ଜଣାପଡ଼ିଲା ଯେ ପ୍ରକୃତରେ ତାହା ଥିଲା ସହସ୍ରଗୁଣ ଅଧିକ । ଜ୍ଞାନମଣ୍ଡଳର ତୃତୀୟ ଖଣ୍ଡଟି ବିଶିଷ୍ଟ ବିଦ୍ଵାନ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ବିନୋଦବାବୁ ୬୦ ଖଣ୍ଡ ଜ୍ଞାନମଣ୍ଡଳ ପାଇଁ ସମ୍ପାଦନା କାର୍ଯ୍ୟ କରିଥିଲେ । ମାତ୍ର ତାଙ୍କ ଜୀବଦଶାରେ ସେ ସମୁଦାୟ ୪୦ ଖଣ୍ଡ ଜ୍ଞାନମଣ୍ଡଳ ଓ ଦୁଇଗୋଟି ଶିଶୁ ଜ୍ଞାନମଣ୍ଡଳ ସମ୍ପାଦନା ଓ ପ୍ରକାଶ କରିଥିଲେ । ବିନୋଦବାବୁ ତାଙ୍କ ଜ୍ଞାନମଣ୍ଡଳର ପ୍ରତ୍ୟେକ ଖଣ୍ଡକୁ ବିଶ୍ୱର, ଭାରତର ତଥା ଓଡ଼ିଶାର ମହାମନୀଷୀମାନଙ୍କ ନାମରେ ଉତ୍ସର୍ଗ କରିଛନ୍ତି । ଯଥା : ସପ୍ତମଖଣ୍ଡକୁ ଆଚାର୍ଯ୍ୟ ହରିହରଙ୍କ ନାମରେ, ଅଷ୍ଟମଖଣ୍ଡକୁ ମାଟିନ୍‌ଲୁଥର କିଙ୍ଗ୍‌ଙ୍କ ନାମରେ, ନବମ ଖଣ୍ଡକୁ ଆବ୍ରାହମ୍‌ ଲିଙ୍କନ୍‌ଙ୍କ ନାମରେ ଦଶମ ଖଣ୍ଡକୁ ବରଗ୍ରାଣ୍ଡ ରସେଲ୍‌ଙ୍କ ନାମରେ, ଚତୁର୍ଦ୍ଦଶ ଖଣ୍ଡକୁ ସି.ଭି.ରମଣଙ୍କ ଉଦ୍ଦେଶ୍ୟରେ, ଅଷ୍ଟାଦଶ ଖଣ୍ଡକୁ ପ୍ରାଣକୃଷ୍ଣ ପରିଜାଙ୍କ ଉଦ୍ଦେଶ୍ୟରେ, ଊନବିଂଶକୁ ଗୌରୀଶଙ୍କର ରାୟଙ୍କ ଉଦ୍ଦେଶ୍ୟରେ ବିଂଶ ଖଣ୍ଡକୁ ବାଳ ଗଙ୍ଗାଧର ତିଳକଙ୍କ ନାମରେ, ଏକବିଂଶ ଖଣ୍ଡକୁ ଲିଓ ଟଲଷ୍ଟୟଙ୍କ ନାମରେ ଦ୍ୱାବିଂଶ ଖଣ୍ଡକୁ କନ୍‌ଫୁସିଅସ୍‌ଙ୍କ ନାମରେ, ସଇଁତ୍ରିଂଶ ଖଣ୍ଡକୁ ଗେଟେଙ୍କ ନାମରେ, ଅଠତ୍ରିଂଶ ଖଣ୍ଡକୁ ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ ପ୍ରଭୃତିଙ୍କ ନାମରେ ଉତ୍ସର୍ଗ କରାଯାଇଛି ।

 

ବିନୋଦ କାନୁନ୍‌ଗୋ ଜ୍ଞାନମଣ୍ଡଳର ପ୍ରତ୍ୟେକ ଖଣ୍ଡରେ ବହୁ ମହାମନୀଷୀମାନଙ୍କର ଜୀବନୀ ମୂଳକ ତଥ୍ୟ ପ୍ରଦାନ କରିଛନ୍ତି । ଦୃଷ୍ଟାନ୍ତ ସ୍ଵରୂପ, ପ୍ରଥମଖଣ୍ଡ ପୃଷ୍ଠା ୧୮୩ରୁ ୧୮୪ ମଧ୍ୟରେ ଅଜୟ ଚନ୍ଦ୍ର ଦାସ, ଦ୍ୱିତୀୟ ଖଣ୍ଡରେ ପୃଷ୍ଠା ୨୩୬ରେ ଅଟଳ ବିହାରୀ ଆଚାର୍ଯ୍ୟ ପୃଷ୍ଠା ୩୩୭ରୁ ୩୩୯ ମଧ୍ୟରେ ଅଟ୍‌ଲି, ସଂଖ୍ୟା ୩, ପୃଷ୍ଠା ୪୦-୪୧ରେ ଅଥେଲୋ, ସଂଖ୍ୟା ୩ ପୃ ୯୯ରୁ ୧୦୩ରେ ଅନଙ୍ଗଭୀମ ଦେବ, ସଂଖ୍ୟା ୩ପୃ ୧୦୪ରେ ଅନନ୍ତ ପଟ୍ଟନାୟକ, ସଂଖ୍ୟା ୪ ପୃଷ୍ଠା ୬୨୧-୨୨ରେ ଅନଦାଶଙ୍କର ରାୟ, ସଂଖ୍ୟା୪, ପୃ୭୦୯ରୁ ୭୧୫ଭିତରେ ରବୀନ୍ଦ୍ର ନାଥ ଠାକୁର, ସଂଖ୍ୟା ୫ ପୃଷ୍ଠା ୮୬୦ରୁ ୮୬୨ରେ ଅଲ୍ରବରୁଣୀ ସଂଖ୍ୟା ୫, ପୃଷ୍ଠା ୮୮ ୬ରେ ଅଶୋକ, ସଂଖ୍ୟା ୬, ପୃଷ୍ଠା ୭୬ରୁ ୮୫ରେ ଆକବର, ସଂଖ୍ୟା୯ ପୃଷ୍ଠା ୬୫ରୁ ୭୧ରେ ଆବ୍ରାହମ୍‌ ଲିଙ୍କନ୍‌, ସଂଖ୍ୟା ୧୦ ପୃଷ୍ଠା ୬୦ ୬୪ରେ ଆରିଷ୍ଟଟଲ, ସଂଖ୍ୟା ୧୧ ପୃଷ୍ଠା ୯ ୩ରୁ ୯୭ ମଧ୍ୟରେ ଆଲେକ୍‌ଜାଣ୍ଡାର ଦିଗ୍ରେଟ୍‌, ସଂଖ୍ୟା ୧୫ପୃଷ୍ଠା ୬୫ରୁ ୭୨ରେ ଈଶ୍ଵର ଚନ୍ଦ୍ର ବିଦ୍ୟାସାଗର, ସଂଖ୍ୟା ୧୯ପୃଷ୍ଠା ୭୭ରେ ଉପେନ୍ଦ୍ର କିଶୋର ଦାସ, ସଂଖ୍ୟା ୧୯ ପୃଷ୍ଠା ୭୮ରେ ଉପେନ୍ଦ୍ରଭଞ୍ଜ, ସଂଖ୍ୟା ୧୯ ପୃଷ୍ଠା ୧୩୪ରେ ଏଜରାପାଉଣ୍ଡ, ସଂଖ୍ୟା ୨୦ ପୃଷ୍ଠା ୪୪ରୁ ୪୬ରେ ଟି.ଏସ୍‌.ଏଲିଅଟ୍‌, ସଂଖ୍ୟା ୨୩ ପୃଷ୍ଠା ୧ ୦ ୪ରେ କବିସୂର୍ଯ୍ୟ ବଳଦେବ ରଥ, ସଂଖ୍ୟା ୩୧ ପୃଷ୍ଠା ୧୧୩-୧୧୭ରେ କାଳିଦାସ, ସଂଖ୍ୟା ୩୨ ପୃଷ୍ଠା ୯୮ରେ କୁନ୍ତଳାକୁମାରୀ ସାବତ, ସଂଖ୍ୟା ୩୪ ପୃଷ୍ଠା ୧୫୪-୧୬୦ରେ ହରଗୋବିନ୍ଦ ଖୋରାନା, ସଂଖ୍ୟା ୩୫ ପୃଷ୍ଠା ୨୭ରୁ ୩୧ରେ ଗଙ୍ଗାଧର ମେହେର, ସଂଖ୍ୟା ୩୬ ପୃଷ୍ଠା ୧୧୩ରୁ ୧୧୫ରେ ଗୋପବନ୍ଧୁ ଦାସ, ସଂଖ୍ୟା ୩୮ ପୃଷ୍ଠା ୧୫୨-୧୫୪ରେ ଗୋଦାବରୀଶ ମିଶ୍ର, ସଂଖ୍ୟା ୪୦ପୃଷ୍ଠା ୧୨୪ ୧୩୪ରେ ଜବାହରଲାଲ ନେହେରୁ, ସଂଖ୍ୟା ୪୦ ପୃଷ୍ଠା ୧୩୯ରୁ ୧୫୪ମଧ୍ୟରେ ଜୟପ୍ରକାଶ ନାରାୟଣଙ୍କ ଜୀବନୀ ସ୍ଥାନିତ-

 

ବିନୋଦ କାନୁନ୍‌ଗୋଙ୍କର ‘ଜ୍ଞାନମଣ୍ଡଳ’ କାଳଜୟୀ କୃତି । ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧୀ ଜ୍ଞାନମଣ୍ଡଳର ୪୦ତମ ଖଣ୍ତ ପ୍ରକାଶନ କାଳରେ ଯେଉଁ ମତ ବାଢ଼ିଥିଲେ, ତାହା ପ୍ରଣିଧାନଯୋଗ୍ୟ । ସେ କହିଥିଲେ "In every country, we have remarkable individuals who have done much for the enlightenment of their fellow woman bridge. Sri Binode Kanungo is one such outstanding scholar. The oriya people will ong be betrolden to him for this monumental oriya encyclopaedia.’’

 

ବିନୋଦ କାନୁନ୍‌ଗୋଙ୍କର ‘ଜ୍ଞାନମଣ୍ଡଳ’ ଏକ ଉପାଦେୟ ଓ ଉତ୍କଷ୍ଟ ଗ୍ରନ୍ଥ । ବିନୋଦବାବୁ ପ୍ରତ୍ୟେକ ଭାଗ ଜ୍ଞାନମଣ୍ଡଳରେ ଲେଖିଛନ୍ତି-

 

‘‘ଉପାଦେୟ ପୁସ୍ତକ ଅଭାବରେ...

ଭଗବାନ ନୀରବ

ନ୍ୟାୟ ସୁପ୍ତ

ବିଜ୍ଞାନର ଗତି ଋଦ୍ଧ

ବିଦ୍ୟା ମୂକ

ଅନ୍ୟସବୁ କିଛି

ଅନ୍ଧକାର ଗର୍ଭରେ ସମ୍ପୂର୍ଣ୍ଣ ଅସ୍ପଷ୍ଟ ।’’

 

ଜ୍ଞାନର ଭଣ୍ଡାର ‘ଜ୍ଞାନମଣ୍ଡଳ’ ଏହି ସମସ୍ତ ଅଭାବକୁ ଭାବବୋଧରେ, ଅପୂର୍ଣ୍ଣତାକୁ ପୂର୍ଣ୍ଣତାରେ, ଏବଂ ଅନ୍ଧକାରକୁ ଆଲୋକରେ ରୂପାନ୍ତରିତ କରିଛନ୍ତି । ସେ ଜ୍ଞାନର ଦୀପାଳୀ ଜାଳିଛନ୍ତି । ଓଡ଼ିଆ ଜାତିର ସ୍ଵାଭିମାନ, ସଂସ୍କୃତିର ଋଣକୁ ସେ ପରିଶୋଧ କରିଛନ୍ତି । ସେଦିନର ସେହି ଦଶମଶ୍ରେଣୀ ଡ୍ରପ୍‌ଆଉଟ୍‌ ଛାତ୍ର ବିନୋଦ କାନୁନ୍‌ଗୋ ଜୀବନରେ ଅପାଠୁଆ ହେଲେ ମଧ୍ୟ ପାଠ ପଛେ ପଛେ ଜୀବନବ୍ୟାପୀ ଲାଗିରହି ଜ୍ଞାନତପସ୍ଵୀରେ ରୂପାନ୍ତରିତ ହୋଇଛନ୍ତି । ବିନୋଦ କାନୁନ୍‌ଗୋ ଆଜି କେବଳ ବ୍ୟକ୍ତି ବିଶେଷ ନୁହଁନ୍ତି । ଏ ଜାତିର ସେ ଏକ ବିରାଟ ଅନୁଷ୍ଠାନ । ‘ଜ୍ଞାନମଣ୍ଡଳ’ର କାଳଜୟୀ ପ୍ରଣେତା ଭାବରେ ସେ ଯୁଗଯୁଗ ପାଇଁ ସ୍ମରଣୀୟ ହୋଇ ରହିଥିବେ । ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋ ଓଡ଼ିଶା ତଥା ଭାରତର ଗର୍ବ ଓ ଗୌରବ ।

 

 

ପ୍ରାଧ୍ୟାପକ

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,

ବି.ଜେ.ବି. ସ୍ୱୟଂଶାସିତ ମହାବିଦ୍ୟାଳୟ,

ଭୁବନେଶ୍ୱର - ୧୪

 

***

 

ବିଜ୍ଞାନବିନୋଦୀ ବିନୋଦ କାନୁନ୍‌ଗେ।

କୃତ୍ତିବାସ ନାୟକ

 

ଜଣେ ସାଧାରଣ ମଣିଷ ନିଜକୁ କିଭଳି ଅସାଧାଣରେ ପରିଣତ କରି ପାରନ୍ତି, ତାହା ବିନୋଦ କାନୁନ୍‌ଗୋଙ୍କ ଜୀବନ ସଂଗ୍ରାମରୁ ସହଜରେ ଜଣାପଡ଼େ । ବିଜ୍ଞାନ ବିଷୟରେ ଉଚ୍ଚତର ଶିକ୍ଷା ଗ୍ରହଣ କରିବାର ସୁଯୋଗ ନ ପାଇ ସେ ନିଜକୁ ଜଣେ ବୈଜ୍ଞାନିକ ଭାବରେ ଗଢ଼ି ତୋଳି ପାରିଛନ୍ତି । କୋଟି କୋଟି ଓଡ଼ିଆ ପାଠକଙ୍କୁ ସେ ବିଜ୍ଞାନ ଓ ଜ୍ଞାନ ବିଜ୍ଞାନ ଶିକ୍ଷା ଦେଇ ପାରିଛନ୍ତି । ସେ ଓଡ଼ିଶାର ଶିଶୁ ମାନସରେ ଜଣେ ପ୍ରାଥମିକ ଶିକ୍ଷକ ଭାବରେ ଏବଂ ଜଣେ ମମତାସିକ୍ତ ଅଜା ଭାବରେ ଆସ୍ଥାନ ଜମେଇ ରହି ପାରିଛନ୍ତି । ତାଙ୍କର ଜୀବନ ସଂଗ୍ରାମ ଓ ତ୍ୟାଗର କାହାଣୀ ଯେଭଳି ରସାଳ, ସେହିଭଳି ରକ୍ତିମ ।

 

ଜଣେ ସ୍ଵାଧୀନତା ସଂଗ୍ରାମୀ ଭାବରେ ତାଙ୍କ ତ୍ୟାଗ ଓ ସେବାର ପଟ୍ଟାନ୍ତର ନାହିଁ । ତେଣୁ ତାଙ୍କର ବିସ୍ମୟକର କୃତିତ୍ୱକୁ ସ୍ଵୀକୃତି ଜଣାଇ ଭାରତ ସରକାର ତାଙ୍କୁ ୧୯୮୬ ମସିହା ଜାନୁଆରୀ ମାସ ୨୬ ତାରିଖ ଗଣତନ୍ତ୍ର ଦିବସରେ ମର୍ଯ୍ୟାଦାପୂର୍ଣ୍ଣ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି । ତା ପୂର୍ବରୁ ୧୯୮୦ ମସିହାରେ ତାଙ୍କର ଶିଶୁସାହିତ୍ୟ ପୁସ୍ତକ ଛାତିକୁ ପଥର କରି ଶ୍ରେଷ୍ଠ ଶିଶୁ ସାହିତ୍ୟ ପୁସ୍ତକ ଭାବରେ ଜାତୀୟ ପୁରସ୍କାର ଲାଭ କରିଥିଲା । ଦୀର୍ଘ ୩୦ବର୍ଷ କାଳ ସେ ଓଡ଼ିଆ ସାହିତ୍ୟରେ ସାଧନା କରି ୯୭ଖଣ୍ଡ ପୁସ୍ତକ ରଚନା କରିଥିଲେ । ତାଙ୍କର ଶ୍ରେଷ୍ଠ କୃତି ଜ୍ଞାନ ମଣ୍ଡଳ ହେଉଛି, ଓଡ଼ିଆ ଜାତି ପାଇଁ ସର୍ବୋତ୍ତମ ଉପହାର । ତାଙ୍କର ଏହି ଅମର କୃତି ତଥା ଅସାଧାରଣ କୃତିତ୍ୱକୁ ସମ୍ଭଳ କରି ଭାରତ ସରକାର ଏକ ତଥ୍ୟ ମୂଳକ ଚଳଚିତ୍ର ପ୍ରସ୍ତୁତ କରିଛନ୍ତି । ଏହା ଇଂରାଜୀ ସମେତ ଅନ୍ୟ ୧୪ଟି ଭାଷାରେ ପ୍ରସାରିତ ହୋଇ ଦେଶର କୋଣ ଅନୁକୋଣର ଅସଂଖ୍ୟ ଦର୍ଶକଙ୍କୁ ପ୍ରେରଣା ଯୋଗାଇ ଦେଇ ପାରିଛି ।

 

କଟକଠାରୁ ୨୫ କି ମି ଦୂର ମହାନଦୀ କୂଳରେ ଥବା ମଲ୍ଲୀପୁର ଗାଆରେ ଯୋଗଜନ୍ମା ବିନୋଦ କାନୁନ୍‌ଗୋ ଜନ୍ମ ଗ୍ରହଣ କରିଥିଲେ । ସେଦିନ ଥିଲା- ୧୯୧୨ ମସିହାର ଜୁନ୍‌ ମାସ ୬ ତାରିଖ । ତାଙ୍କର ପିତା କେଶବ ଚନ୍ଦ୍ର କାନୁନ୍‌ଗୋ ଥିଲେ ଜମିଦାର ବଂଶର ଦାୟାଦ । କିନ୍ତୁ ପରବର୍ତ୍ତୀ କାଳରେ ସେ ଆର୍ଥିକ ସଂକଟ ମଧ୍ୟଦେଇ ଗତି କରୁଥିଲେ । ତେଣୁ ସେ ତାଙ୍କର ମାମୁଁ ବିଖ୍ୟାତ ସାହିତ୍ୟିକ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଘରେ ରହି ତାଙ୍କ ତତ୍ତ୍ଵାବଧାନରେ ଶିଶୁ ବିନୋଦ ଶିକ୍ଷା ଗ୍ରହଣ କରୁଥିଲେ । ଫଳରେ ଶିଶୁ ବିନୋଦଙ୍କ ଉପରେ ମାମୁଁଙ୍କର ପ୍ରଭାବ ଭଲ ଭାବରେ ପଡ଼ିଥିଲା । ତାଙ୍କ ମାମୁଁଘରକୁ କେତେଜଣ ବିଶିଷ୍ଟ ଲୋକ ଯିବା ଆସିବା କରୁଥିବାରୁ ଶିଶୁ ବିନୋଦ ସେମାନଙ୍କ ସହିତ ମିଶିବାର ସୁଯୋଗ ମଧ୍ୟ ପାଇ ପାରିଥିଲେ । ରେଭେନ୍ସା କଲେଜର ବିଖ୍ୟାତ କନିକା ପାଠାଗାରରେ ଥିବା ଅମୂଲ୍ୟ ଗ୍ରନ୍ଥ ଦେଖି ତାଙ୍କର ଜ୍ଞାନତୃଷ୍ଣା ବୃଦ୍ଧି ପାଇଥିଲା । ସେଇଠୁ ସେ ଜ୍ଞାନରସ ପାନକରି ଏକ ପ୍ରକାର ପାଗଳ ଯାଇଥିଲେ । ଫଳରେ ପରବର୍ତ୍ତୀ କାଳରେ ତାଙ୍କ ହୃଦୟରେ ସୃଷ୍ଟି ହୋଇଥିଲା-ଜ୍ଞାନ ମଣ୍ଡଳର ଭିତ୍ତିଭୂମି ।

 

କିଶୋର ଅବସ୍ଥାରେ ସେ ଦେଶକଥା ଓ ଗାନ୍ଧୀକଥା ଶୁଣି ପୁଲକିତ ହେଉଥିଲେ । କିଛିଦିନ ପରେ ସାଲେପୁରର ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ମିଶ୍ରଙ୍କ ମାଧ୍ୟମରେ ସେ ଗାନ୍ଧୀ ମନ୍ତ୍ରରେ ମନ୍ତ୍ରିତ ହେଲେ । ୧୯୩୦ ମସିହା ଜାନୁଆରୀ ମାସ ବେଳକୁ ସେ ରେଭେନ୍ସା କଲିଜିଏଟ୍‌ ସ୍କୁଲର ଥିଲେ-ଦଶମ ଶ୍ରେଣୀର ଛାତ୍ର । ସ୍ଵାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିଥିବାରୁ ତାଙ୍କୁ ସବୁଦିନ ପାଇଁ ସ୍କୁଲରୁ ବହିଷ୍କାର କରି ଦିଆଗଲା । ସେହି ବର୍ଷ ନଭେମ୍ବର ମାସରେ ତାଙ୍କୁ ଗିରଫ କରିନେଇ ସରକାର କାରଦଣ୍ଡରେ ଦଣ୍ଡିତ କଲେ ।

 

ଜେଲ ଭିତରେ ଥାଇ କିଶୋର ବିନୋଦ ବହୁ ବିଶିଷ୍ଟ ନେତାମାନଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କ ପାଇଁ ସେହି ଜେଲ ହେଇଗଲା, ଏକ ମହାବିଦ୍ୟାଳୟ । ପ୍ରଥମେ ସେ ହିନ୍ଦୀ ଲେଖା ପଢ଼ା ଶିକ୍ଷାକରି ବିଶିଷ୍ଟ ବ୍ୟକ୍ତିମାନଙ୍କ ଜୀବନୀ ଅଧ୍ୟୟନ କଲେ । ପରବର୍ତ୍ତୀ କାଳରେ ସେ ଯେତେ ସମୟ ଜେଲ ଜୀବନ ବିତାଇଛନ୍ତି, ଉପଯୁକ୍ତ ଭାବେ ସେହି ସମୟକୁ ବିନିଯୋଗ କରି ଜ୍ଞାନ ଆହରଣରେ ଲାଗି ରହିଥିଲେ । କିନ୍ତୁ ଜ୍ଞାନ ପିପାଷୁ ବିନୋଦବାବୁଙ୍କ ତୃଷା ସେଥିରେ ମେଣ୍ଟି ପାରି ନଥିଲା । ଗାନ୍ଧିଜୀଙ୍କ ଭାରତ ଛାଡ଼ ଡାକରାବେଳେ ସେ ଦୁଇବର୍ଷ କାଳ ଅଟକବନ୍ଦୀ ଥିବାବେଳେ ସର୍ବାଧିକ ଜ୍ଞାନ-ବିଜ୍ଞାନମୂଳକ ପୁସ୍ତକ ଅଧ୍ୟୟନର ସୁଯୋଗ ପାଇଥିଲେ । ଏ ସମ୍ପର୍କରେ ସେ “୩୬୫ ଦିନ କାହିଁକି”' ନାମକ ପୁସ୍ତକର ପ୍ରଥମ ଖଣ୍ଡରେ ଲେଖିଛନ୍ତି- ଜେଲ ଭିତରେ ଦିନକୁ ପନ୍ଦର ଷୋହଳ ଘଣ୍ଟା ପାଠ ପଢ଼ିବାର ସୁଯୋଗ ପାଉଥିଲି । ତା ପୂର୍ବରୁ ୧୯୩୦ ମସିହାରୁ ୧୯୪୫ ମସିହା ମଧ୍ୟରେ ଯେତେଥର ଜେଲ ଯାଇଛି, ସେହି ସମୟ ମଧ୍ୟରେ ସେଭଳି ସୁଯୋଗ ମୋତେ ମିଳି ନଥିଲା । ସେହି ସମୟରେ ଠିକ୍‌ କରିଥିଲି ଯେ, ଜେଲ ବାହାରକୁ ଗଲେ, ପିଲାମାନଙ୍କ ପାଇଁ ଶହେ କି ଦୁଇଶହ ଖଣ୍ଡ ବହି ଲେଖିବି । କିନ୍ତୁ ଖଲାସ ହୋଇ ଆସିଲା ପରେ ନାନା ରକମ କାମରେ ଲାଗିଗଲି । ୧୯୫୪ ମସିହାରେ ନିଷ୍ପିତ୍ତି ନେଲି ଯେ, ଓଡ଼ିଆ ଭାଷାରେ ଗୋଟିଏ ଖୁବ୍‌ ବଡ଼ ବହି ଲେଖାଯିବ । ଜ୍ଞାନପିପାଷୁ ବିନୋଦ କାନୁନ୍‌ଗୋ ସ୍ଵାଧୀନତା ସଂଗ୍ରାମରେ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିବାରୁ ବହୁଘାତ ପ୍ରତିଘାତ ମଧ୍ୟରେ ଜୀବନ ଯାପନ କରିଛନ୍ତି । ଅସଂଖ୍ୟ ଅନୁଭୂତି ଓ ଅଭିଜ୍ଞତା ତାଙ୍କର କଙ୍କରିତ ଚଲାପଥକୁ ସୁଗମ ଓ ମସୃଣ କରିଦେଇ ପାରିଛି । ସ୍ଵାଧୀନତା ପ୍ରାପ୍ତି ପରେ ପରେ ସେ ତାଙ୍କର ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ଜ୍ଞାନ ବିତରଣକୁ ଜୀବନର ବ୍ରତ ବୋଲି ଧରି ନେଇଥିଲେ । ସେ ଅନୁଭବ କରିଥିଲେ, ପ୍ରତ୍ୟେକ ମଣିଷ ଭିତରେ ଶିଶୁଟିଏ ଲୁଚି ରହିଛି । ସେହି ଶିଶୁଟି ପାଇଁ ବାହ୍ୟ ପୁଷ୍ଟିକର ଖାଦ୍ୟ ଅପେକ୍ଷା ଜ୍ଞାନରୂପକ ମାନସିକ ଖାଦ୍ୟର ଆବଶ୍ୟକତା ଅଧିକ । କାରଣ ଆମ ରାଜ୍ୟବାସୀ କେବଳ ବୟସରେ ବଢ଼ି ଯାଇଛନ୍ତି ସତ, କିନ୍ତୁ ମାନସିକ ସ୍ତରରେ ଏମାନେ ପ୍ରାୟତଃ ଶିଶୁ । ଅସଂଖ୍ୟ ଅନ୍ଧବିଶ୍ଵାସ ଓ କୁସଂସ୍କାର ଘେର ଭିତରେ ଥାଇ ଓଡ଼ିଆମାନେ ଦୁଃଖରେ କାଳାତିପାତ କରୁଛନ୍ତି । ସେମାନଙ୍କୁ ଜ୍ଞାନରୂପକ ଆଲୋକ ମାଧ୍ୟମରେ ହିଁ ଅନ୍ଧକାର ଭିତରୁ କାଢ଼ି ଆଣି ବିଶ୍ଵ ଦର୍ଶନ କରାଇ ଦିଆଯାଇ ପାରିବ ।

 

ବିନୋଦ କାନୁନ୍‌ଗୋ ଗାନ୍ଧିବାଦର ଏକ ନିଷ୍ଠାପର ପ୍ରବର୍ତ୍ତକ ଥିଲେ । ସ୍ଵାଧୀନତା ସଂଗ୍ରାମରେ ଝାସଦେବା ସଙ୍ଗେ ସଙ୍ଗେ ଦେଶସେବାକୁ ଶ୍ରେଷ୍ଠ ସ୍ଥାନ ଦେଇଥିଲେ । ତେଣୁ ତାଙ୍କର ସାହିତ୍ୟ ମୋଟାମୋଟି ଦୁଇ ଭାଗରେ ବିଭକ୍ତ ଯଥା : ପ୍ରଥମରେ ଗାନ୍ଧିଜୀଙ୍କ ଜୀବନ ଦର୍ଶନ, ଦ୍ୱିତୀୟରେ ଜ୍ଞାନ ବିଜ୍ଞାନ ମାଧ୍ୟମରେ ବିଶ୍ୱ ଦର୍ଶନ । ଶବ୍ଦର ବିନ୍ଧାଣୀ ବିନୋଦ କାନୁନ୍‌ଗୋଙ୍କର ସମଗ୍ର ସାହିତ୍ୟ କୃତିକୁ ଅନୁଧ୍ୟାନ କଲେ ଜଣାଯାଏ, ସେ ଗାନ୍ଧୀ ଦର୍ଶନ ଲେଖି ଲେଖି ଜ୍ଞାନ- ବିଜ୍ଞାନକୁ ଅତି ଚତୁରତାର ସହିତ ସେଥିରେ ସ୍ଥାନୀତ କରି ଦେଇଛନ୍ତି । ୩୬୫ ଦିନ ପୁସ୍ତକମାଳା, ସୂତା ଖିଅକରେ ସ୍ୱରାଜ୍ୟ ଝୁଲୁଛି, ଦରିଆ ଦଖଲ ଓ ବାନ୍ଧ ତୁମ ପୁଡ଼ା ପୁଟୁଳା ଗାନ୍ଧୀ ମହାତ୍ମା ଭଳି ପୁସ୍ତିକାଗୁଡ଼ିକରେ ସେ ସ୍ଵାଧୀନତା ସଂଗ୍ରାମର ଅଭୁଲା କାହାଣୀ ବର୍ଣ୍ଣନା କରିବା ଛଳରେ ବାପୁଜୀଙ୍କର ଜୀବନ ଦର୍ଶନ, ନୀତିରୀତି, ସୁଖଦୁଃଖ ଏବଂ ତାଙ୍କର ଅବଦାନକୁ ସ୍ମରଣ କରାଇ ଦେଇଛନ୍ତି ।

 

ଜ୍ଞାନପିପାଷୁ ବିନୋଦବାବୁ ବାପୁଜୀଙ୍କ ପରିଚୟ ପ୍ରଦାନ କରୁକରୁ ପାଠକ ପାଠିକାମାନଙ୍କୁ ଜ୍ଞାନର ଭଣ୍ଡାରଆଡ଼କୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସଭ୍ୟତାର ସଂଜ୍ଞା ଓ ଇତିହାସରେ ସଭ୍ୟତାର ସ୍ୱରୂପ ଯଦିଓ ବାପୁଜୀଙ୍କ ପରିଚୟର ବିଶେଷ ଅଙ୍ଗ ନୁହେଁ, ତଥାପି ଲେଖକ ଆଲୋଚନା ଛଳରେ ତାକୁ ପ୍ରାସଙ୍ଗିକ କରି ସାହିତ୍ୟକୁ ରସାଳ ଓ ରୁଚିପୂର୍ଣ୍ଣ କରି ଦେଇଛନ୍ତି । ଲୋକେ ଯେତେବେଳେ ଖାଇ ପିଇ ସୁଖ ଶାନ୍ତିରେ ରୁହନ୍ତି, ସେମାନଙ୍କର ମୁଣ୍ଡ ଖେଳେ ଭଲ କାମ କରିବାପାଇଁ । ହାତ ମାନିଯାଏ ହୁକୁମ । ଆମେ ପାଇଯାଉ କେତେ ସୁନ୍ଦର ସୁନ୍ଦର ଚିତ୍ର, ମୂର୍ତ୍ତି । ଚଳିବାର ଢଙ୍ଗ ବଦଳିଯାଏ । ମଣିଷଟା ପ୍ରକୃତ ଅର୍ଥରେ ମଣିଷ ହୋଇଯାଏ । ସେହି ଅବସ୍ଥାକୁ ହିଁ କୁହନ୍ତି ସଭ୍ୟତା । ହଜାର ହଜାର ବର୍ଷତଳେ ଆମଲୋକେ କେଡ଼େ ସଭ୍ୟଥିଲେ, ତାହାର ପ୍ରମାଣ ମିଳୁଛି ମାଟିତଳୁ । ହରପ୍ପା, ମହେଞ୍ଜଦାରାରେ ଯେଉଁଠି ଥିଲା, ସେହିଠାରୁ ସେହି ପଞ୍ଚନଦୀ କୂଳରୁ ଅଜନ୍ତା, ଏଲୋରା ଗୁମ୍ଫା ଦେହରେ ଯେଉଁ ସବୁ ଚିତ୍ର ଅଙ୍କା ଯାଇଛି, ତାକୁ ଦେଖିଲେ ଆଜି ମଧ୍ୟ ଆଖି ଖୋସି ହେଇ ଯାଉଛି ।
 

ସେହିପରି ଇଂରେଜମାନଙ୍କର ଭାରତ ଆଗମନ ସଂପର୍କରେ ଆଲୋଚନା କଲାବେଳେ ସେ ଭାରତୀୟ ଗଣିତଜ୍ଞ ଏବଂ ବୈଜ୍ଞାନିକମାନଙ୍କର ବିଶ୍ଵ ସମୁଦାୟ ପ୍ରତି ଥିବା ଅବଦାନକୁ ସ୍ମରଣ କରାଇ ଦେଇଛନ୍ତି । ଯଥା- ଆମ ଦେଶର ପଣ୍ଡିତମାନେ ଶୂନ୍ୟର ଅସଲ ମୂଲ୍ୟ ଜାଣିଗଲେ । ପଶ୍ଚିମ ଦେଶର ପଣ୍ଡିତମାନଙ୍କୁ ମଧ୍ୟ ଜଣାଇଦେଲେ । ତାପରେ ଅଙ୍କ ବିଦ୍ୟା ବା ଗଣିତ ଶାସ୍ତ୍ରର ଉନ୍ନତି ହେବାକୁ ଲାଗିଲା । ସେ ବିଦ୍ୟାର ରୂପ ବଦଳିଗଲା କହିଲେ ଚଳେ । ମଣିଷ ଦେହ ବିଗିଡ଼ିଗଲେ, ରୋଗ ହୋଇଗଲେ କେମିତି ଭଲ କରିଦେଇ ହେବ, ସେ ବିଷୟରେ ନୂଆ ଜ୍ଞାନ ବାହାରିଲା ଏଇ ଦେଶରେ । ତାକୁ ହିଁ କହନ୍ତି ଆୟୁର୍ବେଦ । ଅତି ସୂକ୍ଷ୍ମ ଛୋଟଅଣୁ ପରମାଣୁରେ ଯେ ଏ ସଂସାରର ସବୁ କିଛି ଗଢ଼ା ହୋଇଛି, ତାର ଧାରଣା ଦେଇଥିଲେ ଜଣେ ଋଷି ।

 

ସ୍ଵାଧୀନତା ସଂଗ୍ରାମ କାଳରେ ଆମ ଦେଶର ଅର୍ଥନୈତିକ ଅବସ୍ଥା ଏବଂ ଇଂରେଜମାନଙ୍କର ମାସିକ ଦରମା ସଂପର୍କରେ ଆଲୋଚନା କରି ସେ ପାଠକମାନଙ୍କୁ ସଚେତନ କରି ଦେଇଛନ୍ତି । କେବଳ ଇତିହାସରେ ବର୍ଷ, ମାସ, ଦିନ, ଦଣ୍ଡ ଏବଂ ଘଟଣାକ୍ରମ ପ୍ରକାଶ ପାଇବା ଉଚିତ ନୁହେଁ । ଯେ କୌଣସି ବିଭାଗର ସାହିତ୍ୟ ହେଉ ନା କାହିଁକି, ସେଥିରେ ସେ ସମୟର ସମାଜର ପ୍ରକୃତ ଚିତ୍ର ରହିବା ଉଚିତ । ତେଣୁ ସେ ଦରିଆ ଦଖଲ ପୁସ୍ତକରେ ବିଦେଶୀ ସରକାରଙ୍କ ଦୋଷ ଦୁର୍ବଳତା ଦର୍ଶାଇବା ବେଳେ ବାପୁଜୀଙ୍କ ଭାଷଣ ମାଧ୍ୟମରେ କହିଛନ୍ତି ଦେଖ ଆମ ଦେଶର ଜଣେ ମୂଲିଆର ଦିନକର ମଜୁରୀ ହେଉଛି- ମାତ୍ର ସାତ ପଇସା । ସେହିମାନଙ୍କଠାରୁ ନାନା ଭାବରେ କର, ଟିକସ ଆଦାୟ କରି ସରକାର ତାଙ୍କର ରାଜକୋଷ ଭର୍ତ୍ତି କରୁଛନ୍ତି । ସେଇଥିରୁ ଭାଇସ୍‌ରୟଙ୍କୁ ମାସକୁ ଦରମା ଦିଆଯାଉଛି- ଏକୋଇଶ ହଜାର ଟଙ୍କା ।

 

ଠିକ୍‌ ସେହିପରି ଏମିତିକା ଗୋଟାଏ ଭୁଲ ହୋଇଗଲା ଶୀର୍ଷକ ଆଲୋଚନାରେ ସେ ସ୍ଵାଧୀନତା ସଂଗ୍ରାମର ଆଦିପର୍ବ ସଂପର୍କରେ ସୂଚନା ଦେବାକୁ ଯାଇ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ସମାଜର ଉଚ୍ଚସ୍ତରରେ ଥିବା ଅନାଦରକୁ ସେ ମଧ୍ୟ ଯୋଗ କରିଛନ୍ତି । ପାଠକମାନଙ୍କ ଦୃଷ୍ଟିକୁ ଆଣି ଦେଇଛନ୍ତି, ଆଚ୍ଛା, ବିଜ୍ଞାନ ସିନା ଓଡ଼ିଆରେ ପଢାଇ ହେବନାହିଁ, ଇତିହାସ, ଭୂଗୋଳ ଓ ଶାସ୍ତ୍ର ପୁରାଣ କଥା କାହିଁକି ଇଂରାଜୀରେ ପଢ଼ାଉଛ ?

 

ଇଂରେଜମାନେ ଅସଲ ପ୍ରଶ୍ନର ଉତ୍ତର ନ ଦେଇ କହୁଥିଲେ, ତୁମେଗୁଡ଼ା ନିର୍ବୁଦ୍ଧିଆ ମୂର୍ଖ । ଶେଷକୁ ଏମିତି ହେଲା ଯେ, ଇଂରାଜୀ ପାଠୁଆ ଓଡ଼ିଆମାନେ ନିଜ ନିଜ ଭିତରେ ନିଜ ଭାଷାରେ କଥାବାର୍ତ୍ତା ନ କରି ଇଂରାଜୀରେ କଥା କହିବାଟାକୁ ବାହାଦୂରୀ ବୋଲି ବିଚାରିଲେ । ପୁଅ ବାପାଙ୍କ ପାଖକୁ ଓ ବାପା ପୁଅଙ୍କ ପାଖକୁ ଇଂରାଜୀରେ ଚିଠି ଲେଖିଲେ । ପୁଅ କେମିତି ସାହେବଙ୍କ ଭାଷାରେ ଚିଠି ଲେଖିଛି ବୋଲି ବାପା ବହୁଲୋକଙ୍କୁ ନେଇ ଦେଖାଉଥିଲେ । ଶେଷରେ ଆମେ ବିଶ୍ୱାସ କଲୁ, ଇଂରେଜ ଜାତିର ସବୁକିଛି ଭଲ । ଆମେ ଅସଭ୍ୟ ହୋଇ ରହିଥିଲୁ । ସେମାନେ ଆସି ଆମକୁ ସଭ୍ୟ କରୁଛନ୍ତି । ଶ୍ରୀକୃଷ୍ଣ, ରାମ, ବୁଦ୍ଧ, ଚୈତନ୍ୟ, ବାଲ୍ମୀକି, କାଳିଦାସ ଓ ଶାରଳା ଦାସଙ୍କ ଲୋକେ ତାହେଲେ ହଜାର ହଜାର ବର୍ଷ ହେଲା ଅନ୍ଧାରରେ ଥିଲେ ।

 

ସ୍ଵାଧୀନତା ପ୍ରାପ୍ତିପରେ ବିନୋଦବାବୁ ମାତ୍ର ଗୋଟିଏ ଟଙ୍କା, କେତେଖଣ୍ଡ ଲୁଗା, ଚଦର ଖଣ୍ଡିଏ, ସତରଞ୍ଜଟିଏ, ମଶାରୀ ଓ କିଛି ଖାତ ଧରି କଟକ ବାହାରି ଆସିଲେ, ଓଡ଼ିଆ ଜ୍ଞାନମଣ୍ଡଳ ରଚନା କରିବା ପାଇଁ । ତାଙ୍କର ଯୋଜନା ଥିଲା, ଗୋଟାଏ ପୂର୍ଣ୍ଣାଙ୍ଗ ଜ୍ଞାନମଣ୍ଡଳ ୭୫ ଖଣ୍ଡରେ ପ୍ରକାଶ କରିବ । କେବଳ ଶିଶୁମାନଙ୍କ ଉଦ୍ଦେଶ୍ୟରେ ତିନି ଶହ ପଚିଶି ଖଣ୍ଡ ଜ୍ଞାନକୋଷ ପ୍ରକାଶ କରିବେ । ସେହି ତିନିଶହ ପଚିଶ ଖଣ୍ଡ ମଧ୍ୟରୁ ଦୁଇଶହ ଖଣ୍ଡ କେବଳ ବିଜ୍ଞାନ ବିଷୟବସ୍ତୁ, ଉପରେ ଆଧାର କରି ଲେଖାଯିବ । ଏହା ସହିତ ପୃଥିବୀର ବହୁ ଖ୍ୟାତି ସମ୍ପନ୍ନ ବ୍ୟକ୍ତିଙ୍କ ଜୀବନୀ ମଧ୍ୟ ସଂକଳନ କରିବାର ଯୋଜନା ପ୍ରସ୍ତୁତ କରିଥିଲେ । ଏଭଳି ଚେଷ୍ଟା ପ୍ରକୃତରେ ଥିଲା ଅନନ୍ୟ । ଏଥିପାଇଁ ପ୍ରତ୍ୟହ ତିରିଶ ଖଣ୍ଡ ସମ୍ବାଦପତ୍ର ଓ ମାସିକ ଦୁଇଶହ ଖଣ୍ଡ ପତ୍ର ପତ୍ରିକା ସହ ସେ ଧାରାବାହିକ ସଂପର୍କ ରକ୍ଷା କରୁଥିଲେ । ପୂର୍ବରୁ ପତ୍ରିକା ସମ୍ପାଦନା ଅଭିଜ୍ଞତା ତ ଥିଲା । କେତେଖଣ୍ଡ ପ୍ରୌଢ଼ଶିକ୍ଷା ପୁସ୍ତକ ରଚନା କରି ଅନେକ ପଦସ୍ଥ ଅଫିସରଙ୍କ ସହିତ ତାଙ୍କର ସୁସମ୍ପର୍କ ମଧ୍ୟ ଥିଲା ।

 

ଜାପାନରେ କୃଷି ଓ କୁଟୀର ଶିଳ୍ପ ଏବଂ ଗଣତନ୍ତ୍ରର ଆଦର୍ଶ-ସୁଇଜରଲ୍ୟାଣ୍ଡ ନାମକ ଦୁଇଖଣ୍ଡ ପୁସ୍ତକ ରଚନା କରି ସାରିଥିଲେ । ଏହା ବ୍ୟତୀତ ଗାନ୍ଧିକଥା (୧୯୫୦) ମାଛଚାଷ ଓ ସ୍ଵାସ୍ଥ୍ୟ ଦୁର୍ଗର ବତିଶ ପ୍ରହରୀ ଶୀର୍ଷକ ପୁସ୍ତକଗୁଡ଼ିକ ତାଙ୍କୁ ପାଠକ ମହଲରେ ସୁପରିଚିତ କରାଇ ସାରିଥିଲା । କେବଳ ସେତିକି ନୁହେଁ, ମହାତ୍ମାଗାନ୍ଧିଙ୍କ ପଦଯାତ୍ରା ଶୀର୍ଷକ ଭ୍ରମଣ କାହାଣୀଟିଏ ପିଲାଙ୍କ ପାଇଁ ରଚନା କରି ଓଡ଼ିଶାର ପ୍ରଥମ ଶିଶୁ ଭ୍ରମଣ କାହାଣୀ ପୁସ୍ତକ ରଚୟିତ ହିସାବରେ ସେ ପରିଚିତ ହୋଇ ସାରିଥିଲେ । ସେହି ଅଭିଜ୍ଞତାରୁ ପୁଞ୍ଜିକରି ପୂର୍ବ ଶପଥକୁ ସ୍ମରଣ କରି ସେ ବହୁତ କିଛି ସାହିତ୍ୟ ମାଧ୍ୟମରେ ସେବା କରିବାକୁ ଅଣ୍ଟା ଭିଡ଼ିଲେ ।

 

ଜ୍ଞାନ ବିଜ୍ଞାନକୁ ସାଧାରଣ ପାଠକ ଗ୍ରହଣ କରିପାରିବେ ନାହଁ, ଏକଥାକୁ ଅଭିଜ୍ଞ ଲେଖକ ବିନୋଦବାବୁ ଜାଣି ପାରିଥିଲେ । ତତ୍କାଳୀନ ଶିକ୍ଷିତ ସମାଜରେ ଓଡ଼ିଆ ଭାଷା ଓ ସାହିତ୍ୟପ୍ରତି ଅନାଗ୍ରହ ସମ୍ପର୍କରେ ମଧ୍ୟ ତାଙ୍କର ଯଥେଷ୍ଟ ଧାରଣା ଥିଲା । ତେଣୁ ସେ ଚିନ୍ତା କଲେ, ତୃଣମୂଳ ସ୍ତରରେ ଯଦି ଜ୍ଞାନ ବିତରଣ କରାଯାଏ, ତେବେ ମୂଳଲକ୍ଷ୍ୟ ପୂରଣ ହୋଇ ପାରିବ । ତେଣୁ ସେ ଜ୍ଞାନମଣ୍ଡଳ ରଚନା କରିବା ପୂର୍ବରୁ ୧୯୫୪ ମସିହାରେ ପିଲାଙ୍କ ଉଦ୍ଦେଶ୍ୟରେ ଶିଶୁସମ୍ପଦ ନାମକ ଶିଶୁପତ୍ରିକାଟିଏ ପ୍ରକାଶ କରିଥିଲେ । ତା ମାଧ୍ୟମରେ ସରଳ ଭାଷାରେ ତରଳ ଜ୍ଞାନକୁ ଢାଳି ମନୋଜ୍ଞ ସାହିତ୍ୟ ପରିବେଷଣ କରିଚାଲିଲେ । ତାହା ସମଗ୍ର ଓଡ଼ିଆ ପାଠକ ମନରେ ଜ୍ଞାନର ପ୍ରଭାବ ସୃଷ୍ଟି କରିଚାଲିଲା । ସେଥିରେ ସ୍ଥାନୀତ ଗଳ୍ପଗୁଡ଼ିକ ମୁଖ୍ୟତଃ ପ୍ରକୃତିମୂଳକ ତଥା ଜ୍ଞାନବିଜ୍ଞାନ ବିଷୟ ଉପରେ ଆଧାରିତ ଥିଲା । ବୈଚିତ୍ର୍ୟମୟ ବିଶ୍ଵ ବ୍ରହ୍ମାଣ୍ଡ ସହିତ କୋମଳମତି ପିଲାଙ୍କୁ ପରିଚିତ କରାଇବା ଥିଲା– ସମ୍ପାଦକଙ୍କର ମୂଳଲକ୍ଷ୍ୟ ।

 

ବିଜ୍ଞାନ ବିନୋଦୀ ବିନୋଦବାବୁ ପତ୍ରିକା ଓ ପୁସ୍ତକ ମାଧ୍ୟମରେ ବିଜ୍ଞାନକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ସର୍ବଦାସର୍ବଦା ପ୍ରୟାସୀ ଥିଲେ । ତେଣୁ ତାଙ୍କ କଲମରୁ ଛାତିକୁ ପଥର କରି, ସେ ଚୁଲି କେବେ ଲିଭିବ ନାହିଁ, ମିଠେଇ ଦେହରେ ଲାଗିଲା ଡେଣା, ଅଳ୍ପକେ କଳି ତୁଟିଗଲା, ଚଳନ୍ତା ରାଇଜର ଅମୁହାଁ ନଇ ଓ ସବୁତକ ଚାବି ଧରାଇ ଦେଲି ଭଳି ଅସଂଖ୍ୟ ପିଲାଙ୍କ ବିଜ୍ଞାନ ଭିତ୍ତିକ ସାହିତ୍ୟ ବାହାରି ପଡ଼ିଲା । ସେଗୁଡ଼ିକ ଥିଲା, ବିନୋଦ କାନୁନ୍‌ଗୋଙ୍କର ସ୍ଵଭାବସୁଲଭ ଶୈଳୀରେ ଲିଖିତ ଶିଶୁସାହିତ୍ୟ ।

 

ତିନିଖଣ୍ଡ କାଉଁରୀ ହାଡ଼ ପୁସ୍ତକ ହେଉଛି, ତାଙ୍କର ୩୬୫ଦିନ ସିରିଜର ଗୋଟିଏ ପ୍ରମୁଖ ପୁସ୍ତକ । ଛପନ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକଟି ୧୯୭୨ ମସିହା ଜାନୁୟାରୀ ମାସରେ ପ୍ରକାଶ ପାଇଥିଲା । ପୁସ୍ତକ ଓ ବିଷୟବସ୍ତୁର ନାମକରଣ କରିବାରେ ବିନୋଦବାବୁ ଏକ ଭିନ୍ନପନ୍ଥା ଅବଲମ୍ବନ କରିଥାଆନ୍ତି । ମଣିଷର ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ପିଲାମାନଙ୍କୁ ବୁଝାଇବାକୁ ଯାଇ ସେ ପୁସ୍ତକର ନାମ ରଖିଛନ୍ତି, ଚଳନ୍ତା ରାଇଜର ଅମୁହା ନଈ । ମଣିଷର ଶରୀରକୁ ସେ ଏକ ବୃହତ ରାଜ୍ୟ ତଥା ରକ୍ତର ଶିରା ପ୍ରଶିରାକୁ ସେ ଏକ ନଦୀ ସହିତ ତୁଳନା କରି ଲେଖିଛନ୍ତି, ଆମ ଦେହ ଭିତରେ ଗୁଡ଼ାଏ ନଈ ହୃତପିଣ୍ଡ ପର୍ବତରୁ ବାହାରି ପୁଣି ସେଇଠି ଯାଇ ପଡ଼ିଛନ୍ତି ।

 

ପୃଥିବୀର ସୃଷ୍ଟି ରହସ୍ୟକୁ ବୁଝାଇବା ଉଦ୍ଦେଶ୍ୟରେ ସେ ଯେଉଁ ଜ୍ଞାନବିଜ୍ଞାନ ବିଷୟଟି ରଚନା କରିଛନ୍ତି, ତାର ନାମକରଣ କରିଛନ୍ତି, ତିନି ଖଣ୍ଡି କାଉଁରୀ ହାଡ଼ । ଏହି ବିଶ୍ଵର ସମସ୍ତ ପଦାର୍ଥରେ ଇଲେକ୍ଟ୍ରନ, ପ୍ରୋଟନ ଏବଂ ନ୍ୟୁଟ୍ରୋନ ସର୍ବଦା ଗତିଶୀଳ ଅବସ୍ଥାରେ ହିଁ ରହିଛି । ବିଶ୍ଵସୃଷ୍ଟି ପାଇଁ ଏହି ତିନୋଟି ଉପାଦାନ ହିଁ ପ୍ରକୃତରେ ଦାୟୀ । ତେଣୁ ବିନୋଦବାବୁଙ୍କ ପୁସ୍ତକର ନାମକରଣ ଯଥାର୍ଥ ହୋଇ ପାରିଛି । ବାପୁଜୀଙ୍କ ଜୀବନ ଚରିତ ତଥା ସ୍ଵାଧୀନତା ସଂଗ୍ରାମ କାହାଣୀ ସମ୍ବଳିତ ପୁସ୍ତକଗୁଡ଼ିକର ସେ ଏଭଳି ନାମକରଣ କରିଛନ୍ତି, ତାହା ପଠକ ମନରେ ହଠାତ ଏକ କୌତୁହଳ ସୃଷ୍ଟିକରେ । .ଯାହାକି ପୁସ୍ତକଟିକୁ ନ ଛୁଇଁ ପାଠକ ନିରବରେ ରହିପାରିବ ନାହିଁ । ଯଥା-ସୂତା ଖିଅରେ ସ୍ଵରାଜ୍ୟ ଝୁଲୁଛି, ଦରିଆ ଦଖଲ ଓ ବାନ୍ଧ ତୁମ ପୁଡ଼ା ପୁଟୁଳା ।

 

ଭାଷା ଦୃଷ୍ଟିରୁ ବିଚାର କଲେ, ବିନୋଦ କାନୁନ୍‌ଗୋ ବିଜ୍ଞାନର ଜଟିଳ ପ୍ରସଙ୍ଗକୁ ଅତ୍ୟନ୍ତ ସରଳ ଓ ରସସିକ୍ତ ଭାଷାରେ ପ୍ରକାଶ କରିବାରେ ତାଙ୍କ କୃତିତ୍ଵ ଅବିସମ୍ବାଦିତ । ତାଙ୍କର ମୌଳିକ କୃତିର ସ୍ମାରକୀ ହେଉଛି, ଜ୍ଞାନମଣ୍ଡଳ । ଏଥିରେ ସେ ରସାୟନ ବିଦ୍ୟା, ପଦାର୍ଥ ବିଦ୍ୟା, ଗଣିତ, ଜ୍ୟୋତିର୍ବିଦ୍ୟା, ଭୂତତ୍ତ୍ୱ‌, ଉଦ୍ଭିଦ ବିଦ୍ୟା, ପ୍ରାଣୀ ବିଦ୍ୟା, ଜୀବାଣୁ ବିଦ୍ୟା, ଶରୀର ବିଦ୍ୟା, କୃଷି ବିଦ୍ୟା, ଶିଳ୍ପ କୌଶଳ ବିଦ୍ୟା, ନୃତତ୍ତ୍ଵ ପ୍ରଭୃତି ବିଜ୍ଞାନର ପ୍ରତ୍ୟେକ ବିଭାଗର ସମସ୍ତ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଅତ୍ୟନ୍ତ ସରଳ ଭାଷାରେ ପ୍ରଦାନ କରିଛନ୍ତି ।

 

ପୃଥିବୀରେ ଯେତେ ଧର୍ମ ଅଛି, ସେ ସବୁର ସାରକଥା, ଧର୍ମ ପ୍ରଚାରକ, ଭକ୍ତ, ସାଧକମାନଙ୍କ ଜୀବନୀ ମଧ୍ୟ ଏଥିରେ ସ୍ଥାନ ପାଇଛି । ପ୍ରତ୍ୟେକ ଦେଶର ଇତିହାସ ଓ ଭୂଗୋଳର ପରିଚୟ, ବିଭିନ୍ନ ପୌରାଣିକ ଗଳ୍ପ ଏବଂ ମହାପୁରୁଷଙ୍କ ମହତବାଣୀ ପ୍ରତ୍ୟେକ ପୃଷ୍ଠାରେ ସ୍ଥାନୀତ ହୋଇଛି । ଓଡ଼ିଆ ସାହିତ୍ୟ ଭଣ୍ଡାର ପାଇଁ ଜ୍ଞାନମଣ୍ଡଳ ପୁସ୍ତକଟି ଏବେ ମଧ୍ୟ ଏକ ଅମୂଲ୍ୟ ରତ୍ନ ହୋଇ ରହି ଆସିଛି । ଏଥିରେ ଲେଖକ ନିଜସ୍ଵ ମୌଳିକ ଚିନ୍ତାଧାରା ଅନୁସାରେ ଜ୍ଞାନ ବିତରଣ କରିବାକୁ ପ୍ରୟାସ କରିଛନ୍ତି । ବିନୋଦବାବୁ ଜଣେ ଶିଶୁ ମନସ୍ତତ୍ତ୍ୱବିତ୍‌ ଭାବରେ ଯେମିତି ଶିଶୁସାହିତ୍ୟ ରଚନା କରିଛନ୍ତି, ଠିକ୍‌ ସେହିଭଳି ଜଣେ ବିଜ୍ଞାନ ମନସ୍କ ବୈଜ୍ଞାନିକ ଭଳି ସର୍ବ ସାଧାରଣଙ୍କ ପାଇଁ ସରସ ସୁନ୍ଦର କାଳଜୟୀ ବିଜ୍ଞାନ ପୁସ୍ତକ ରଚନା କରି ଅମର ହୋଇ ଯାଇଛନ୍ତି-

ସହକାରୀ ନିର୍ଦ୍ଦେଶକ, ଆକାଶବାଣୀ, କଟକ

 

***

 

ଜ୍ଞାନଦାତା ବିନୋଦ କାନୁନ୍‌ଗୋ

ରବିରଞ୍ଜନ ସାହୁ

 

ବେଳେ ବେଳେ ସମୟର ଗର୍ଭରୁ ସେଭଳି ଜଣେ ଲେଖାଁଏ ଦେଶ-ସମାଜ-ସାହିତ୍ୟ ସଂସ୍କୃତି-ସେବୀ ଯୁଗପୁରୁଷ ଜନ୍ମ ନେଇଥାନ୍ତି, ଯେଉଁମାନଙ୍କର ସମର୍ପିତ ଜୀବନ ଆୟୁଷର ସୀମା ଡେଇଁ ଗୋଟିକ ପରେ ଗୋଟିଏ ଭବିଷ୍ୟତ ପୀଢ଼ିକୁ ଅନୁପ୍ରାଣିତ କରିଥାଏ ଏବଂ ସେମାନେ ନିଜର ସାଧନା, ତ୍ୟାଗ, ନିଷ୍ଠା ଓ ଅଧ୍ୟବସାୟ ଦ୍ୱାରା ଅନ୍ୟତମରୁ ଅନନ୍ୟ ହୋଇଥାନ୍ତି । ଚିର ନମସ୍ୟ ବିନୋଦ କାନୁନ୍‌ଗୋ ସେଇଭଳି ଜଣେ ଯୁଗପୁରୁଷ, ଯାହାଙ୍କର ସମଗ୍ର ଜୀବନ ଦେଶର ମୁକ୍ତି ସଂଗ୍ରାମ, ସମାଜବାଦୀ ଆନ୍ଦୋଳନ, ରାଜ୍ୟର ବୌଦ୍ଧିକ ବିକାଶ, ବିଶେଷ କରି ସାରସ୍ଵତ ସାଗରତୀରରେ 'ଜ୍ଞନମଣ୍ଡଳ’ ଭଳି ଅନିର୍ବାଣ ଅଶୋକସ୍ତମ୍ଭ ପ୍ରତିଷ୍ଠା ଲାଗି ଉତ୍ସର୍ଗୀକୃତ ଥିଲା । ସେ ଦିନ ଭଳି ଆଜିବି ବିନୋଦବାବୁଙ୍କ ଜ୍ୟେଷ୍ଠ ପୁତ୍ର ପାବକବାବୁଙ୍କ ପ୍ରୟାସରେ ଜ୍ଞାନମଣ୍ଡଳ ଜ୍ଞାନର ଆଲୋକ ବିକୀରଣ କରୁଛି ।

 

ଆଜି ବିନୋଦବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କର ପବିତ୍ର ସ୍ମୃତିଚାରଣ କଲାବେଳେ ସ୍ଵତଃ ସର୍ବ ପ୍ରଥମେ ମନକୁ ଆସିଥାଏ ତାଙ୍କର ଏହି ବୌଦ୍ଧିକ କୋଣାର୍କ ଜ୍ଞାନମଣ୍ଡଳ ଏବଂ ତା ସଂଗେ ସଂଗେ ଦୃଷ୍ଟି ଫେରିଯାଇଥାଏ ନିମଚୌଡ଼ି ଛକରୁ କାଠଯୋଡ଼ି ଆଡ଼କୁ ଯାଇଥିବା ଗଳିରାସ୍ତାର ଏକ ଖପର୍ଲି ଘରକୁ, ଯେଉଁଠି ୧୯୬୦ ରେ ଆରମ୍ଭ ହୋଇଥିଲା ସେ କୋଣାର୍କ ଗଢ଼ିବା ଲାଗି ଅକ୍ଳାନ୍ତ ତ୍ୟାଗପୂତ ଉଦ୍ୟମ । ବିନୋଦବାବୁଙ୍କର ସେ ଉଦ୍ୟମ ଥିଲା ଏକକ, ଐକାନ୍ତିକ ଓ ଏକନିଷ୍ଠ । ସେତେବେଳେ ସାମନାରେ ଥିଲା ସମ୍ବଳଠାରୁ ଆରମ୍ଭ କରି ତାଙ୍କ ଉଦ୍ୟମର ମହତ୍ୱ ବୁଝିବାର ସଚେତନତାର ଅଭାବ ଭଳି ବହୁ ପ୍ରତିବନ୍ଧକ । ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷାର ଜ୍ଞାନକୋଷ ପ୍ରକାଶ ବ୍ୟବସ୍ଥା ଓ ପରବର୍ତ୍ତୀ କାଳରେ ଉତ୍କଳ ବିଶ୍ୱବିଦ୍ୟାଳୟର ତଦନୁରୂପ ଉଦ୍ୟମ ଫଳରେ ତାଙ୍କୁ ବି ପ୍ରତିଦ୍ଵନ୍ଦିତାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ମାତ୍ର ବିନୋଦବାବୁ ତାଙ୍କର ସଂକଳ୍ପ ଓ ନିଷ୍ଠା ବଳରେ ସେ ସବୁକୁ ପ୍ରତିହତ କରି ଜ୍ଞାନମଣ୍ଡଳର ସ୍ଵପ୍ନକୁ ସାକାର କରିଥିଲେ । ତାଙ୍କ ଜୀବିତାବସ୍ଥାରେ ଜ୍ଞାନମଣ୍ଡଳର ନିମଚୌଡ଼ିରୁ ବାରବାଟୀ ଷ୍ଟାଡ଼ିୟମକୁ ସ୍ଥାନାନ୍ତର ହେବା ପରେ ବର୍ତ୍ତମାନ ଭୁବନେଶ୍ୱରରେ ନିଜସ୍ଵ ଭବନରେ ପାବକବାବୁଙ୍କ ଦ୍ଵାରା ପରିଚାଳିତ ହେଉଛି ଏବଂ ବିନୋଦବାବୁଙ୍କ ଜ୍ଞାନଦାତା ଭୂମିକା ଉଦ୍‌ଘୋଷିତ କରୁଛି । ଜ୍ଞାନମଣ୍ଡଳ ଭଳି ସାହିତ୍ୟ ସୃଷ୍ଟି ଓ ବିଶେଷ କରି ଶିଶୁ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ବିନୋଦବାବୁଙ୍କ ସାଧନା ଓ ପ୍ରତିଭା ଥିଲା ଅନନ୍ୟ । ସ୍ପଷ୍ଟ ଚିନ୍ତନ, ସମସ୍ତେ ବୁଝିପାରିବାଭଳି ସରଳ ଭାଷା ଓ ସାବଲୀଳ ଶୈଳୀର ବିଭୂତିମଣ୍ଡିତ ତାଙ୍କର ସାରସ୍ଵତ ସୃଷ୍ଟିଗୁଡ଼ିକ ଓଡ଼ିଆ ଭାଷା ଓ ସାହିତ୍ୟକୁ ବହୁ ଭାବରେ ଆଗେଇ ନେଇପାରିଛି ଏବଂ ତାଙ୍କର ସେ ସାଧନା ଥିଲା ଅତ୍ୟନ୍ତ ଅନବଦ୍ୟ । ଏଇ ବିଭୂତି ଦ୍ଵାରା ସମାଜବାଦୀ ଦଳର ମୁଖପତ୍ର ସାପ୍ତାହିକୀ “କୃଷକ’’ର ସଂପାଦକ ଓ ‘ସମାଜ’ର ସାଂବାଦିକ ଭାବରେ ବିନୋଦବାବୁ ତାଙ୍କ ସଂବାଦ ଓ ସଂପାଦକୀୟ ଦ୍ଵାରା ପାଠକଙ୍କୁ ଗଭୀର ଭାବେ ପ୍ରଭାବିତ କରିପାରୁଥିଲେ ।

 

ଦେଶପ୍ରେମ, ସମାଜବାଦୀ ଆନ୍ଦୋଳନ ଦ୍ଵାରା ସାମାଜିକ ନ୍ୟାୟ ପ୍ରତିଷ୍ଠାର ଲକ୍ଷ୍ୟ ଏବଂ ସମାଜର ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ ଥିଲା ତାଙ୍କ ଯାତ୍ରାପଥର ପ୍ରଧାନ ପାଥେୟ । ଦେଶର ସ୍ଵାଧୀନତା ଆନ୍ଦୋଳନ ଓ ସମାଜବାଦୀ ବିପ୍ଳବରେ ସେ ନିଜକୁ ସଂପୂର୍ଣ୍ଣଭାବେ ସମର୍ପିତ କରିଥିଲେ । ସ୍ଵାଧୀନତା ଆନ୍ଦୋଳନ ସହିତ ସଂଶ୍ଳିଷ୍ଟ ହେବା ପରେ ରେଭେନ୍ସା କଲିଜିଏଟ୍‌ରୁ ତାକୁ ରଷ୍ଟିକେଟ୍‌ କରାଯାଇଥିଲା । ନିଜକୁ ମୁକ୍ତି ସଂଗ୍ରାମରେ ଉତ୍ସର୍ଗ କରି କଂଗ୍ରେସରେ ଯୋଗ ଦେଇଥଲେ । ଜଗତ୍‌ସିଂହପୁରର ଅଳକା ଆଶ୍ରମରେ ରହି ସେ କଂଗ୍ରେସର ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟରେ ଭାଗ ନେଉଥିଲେ । ସେତେବେଳେ ସେ ସ୍ୱର୍ଗତଃ ଭାଗିରଥୀ ମହାପାତ୍ର, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସରଳା ଦେବୀ, ରମାଦେବୀ, ଗୌରାଙ୍ଗ ଦାସ ପ୍ରମୁଖ ନେତାମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ । ୧୯୪୨ ଅଗଷ୍ଟର ଭାରତଛାଡ଼ ଆନ୍ଦୋଳନରେ ସେ ଅଣ୍ଡରଗ୍ରାଉଣ୍ଡ ସଂଗ୍ରାମୀ ଭାବରେ ଯୋଗ ଦେଇ କାରାବରଣ କରିଥିଲେ । କଂଗ୍ରେସରେ ଥିବା ବେଳେ ସେ ଜୟପ୍ରକାଶ ନାରାୟଣ ଓ ଡକ୍ଟର ରାମ ମନୋହର ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲେ ଏବଂ ସ୍ୱାଧି‌ନତା ପ୍ରାପ୍ତିପରେ କଂଗ୍ରେସରେ ବିଭାଜନ ହୋଇ ସୋସଲିଷ୍ଟ ଦଳ ଗଠିତ ହେବାବେଳେ ସେ ଦଳର ସଭ୍ୟ ଭାବରେ ବିନୋଦବାବୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସୋସଲିଷ୍ଟ ଦଳର ପ୍ରାର୍ଥୀ ଭାବରେ ଥରେ ନିର୍ବାଚନରେ ଅଂଶଗ୍ରହଣ କରି ପରାଜିତ ହୋଇଥିଲେ, ଆଜୀବନ ଜଣେ ରାଜନୈତିକ ତତ୍ତ୍ୱଦର୍ଶୀ ଭାବରେ ମାର୍ଗଦର୍ଶକ ଭୂମିକା ଗ୍ରହଣ କରିଥିଲେ ।

 

ବିନୋଦବାବୁ କେବଳ ଜଣେ ନୈଷ୍ଟିକ ଗାନ୍ଧିବାଦୀ ଥିଲେ ତା ନୁହେଁ, ବେଶ ପୋଷାକଠାରୁ ଆରମ୍ଭ କରି କଥା, ଆଚରଣ, ନୀତି, କର୍ତ୍ତବ୍ୟ ଓ ଜୀବନଚର୍ଯ୍ୟା ଯାଏ ସବୁ କ୍ଷେତ୍ରରେ ଗାନ୍ଧିଜୀଙ୍କ ଆଦର୍ଶକୁ ସେ ସଂଜୀବିତ କରିଥିଲେ । ବ୍ୟକ୍ତିଗତ ଜୀବନ ତାଙ୍କର ଯେଭଳି ସତ୍ୟନିଷ୍ଠ, ସରଳ, ନିର୍ଭୀକ ଥିଲା, ଆଚରଣରେ ସେ ସେଭଳି ସ୍ପଷ୍ଟବାଦୀ ଓ ନ୍ୟାୟର ସମର୍ଥକ ଥିଲେ । ସେ ସବୁ ଯୋଗୁଁ ତାଙ୍କର ଭାବମୁର୍ତ୍ତି ହୋଇ ଉଠିଥିଲା ସର୍ବାଦରଣୀୟ । ଅନ୍ୟର ଦୁଃଖକୁ ନିଜର ଦୁଃଖ ବୋଲି ମନେ କରିବା ଥିଲା ବିନୋଦବାବୁଙ୍କ ଚରିତ୍ରର ବୈଶିଷ୍ଟ୍ୟ । ଏ ପ୍ରସଙ୍ଗରେ ଏକ ଦୃଷ୍ଟାନ୍ତ ଉଲ୍ଲେଖଯୋଗ୍ୟ । ସେ ଥିଲେ ଡାଇବେଟିସ୍‌ ରୋଗୀ ଏବଂ ପ୍ରତ୍ୟେକ ମାସରେ ରୋଗର ପରୀକ୍ଷା ଲାଗି ଏଭଳି ରୋଗୀ କିଭଳି ଅର୍ଥ ସଂକଟର ସମ୍ମୁଖୀନ ହୁଅନ୍ତି ତା ସେ ବେଶ୍‌ ଅନୁଭବ କରିଥିଲେ-। ତେଣୁ ସେ ତାଙ୍କର କନିଷ୍ଠ ପୁତ୍ର ବିଶିଷ୍ଟ ଡାଇବେଟିସ୍‌ ଡାକ୍ତର ଆଲୋକ କାନୁନ୍‌ଗୋଙ୍କୁ ଡାଇବେଟିସ୍‌ ପରୀକ୍ଷା ଲାଗି ପ୍ରାପ୍ୟ କମ୍‌ ନେବାକୁ ପରାମର୍ଶ ଦେଇଥିଲେ । ସେ ପରାମର୍ଶ ଏଯାଏ ଆଲୋକବାବୁଙ୍କର ଶିରୋଧାର୍ଯ୍ୟ ରହିଛି ।

 

ଆଜି ଅବଶ୍ୟ ଚିରନମସ୍ୟ ଯୁଗପୁରୁଷ ବିନୋଦବାବୁଙ୍କ ଜନ୍ମର ଶହେ ବର୍ଷ ପୁର୍ତ୍ତି ଉତ୍ସବରେ ଜାତି ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଥିବା ବେଳେ ସେ ଆମ ମଧ୍ୟରେ ଅବର୍ତ୍ତମାନ । ମାତ୍ର ତାଙ୍କର ଦେଶପ୍ରେମ, ନିଷ୍ଠା ଅଧ୍ୟବସାୟ ଓ ସମାଜବାଦର ଆଦର୍ଶ ଏବେ ବି ଆମପାଇଁ ପ୍ରେରଣାର ଉତ୍ସ ହୋଇରହିଛି । ଏ ଅବସରରେ ତାଙ୍କୁ ଶତ ସହସ୍ର ପ୍ରଣାମ ଜଣାଇ ଆମେ ଆଶା କରୁଛୁ ଯେ ପୀଢ଼ି ପରେ ପୀଢ଼ିକୁ ସେଭଳି ପ୍ରେରଣା ମିଳୁଥାଉ ଏବଂ ଜ୍ଞାନମଣ୍ଡଳ ମାଧ୍ୟମରେ ତାଙ୍କର ଜ୍ଞାନ ରଶ୍ମୀ ବିକୀରିତ ହେଉଥାଉ ।

 

ସଂପାଦକ, ଗାନ୍ଧି- ଲୋହିଆ ଜୟପ୍ରକାଶ ମଞ୍ଚ, ଚାନ୍ଦିନୀଚୌକ, କଟକ-୨

 

***

 

ପ୍ରଜ୍ଞାପୁରୁଷ ବିନୋଦ କାନୁନ୍‌ଗୋ

କାଞ୍ଚି ନାରାୟଣ ମହାନ୍ତି

 

ପ୍ରଥମେ ସମାଜସେବା, ସେବା ସହାୟତାରୁ ଗାନ୍ଧୀଙ୍କ ଆହ୍ୱାନରେ ଆମ ଦେଶର ଯୁଗାନ୍ତକାରୀ ମୁକ୍ତି ସଂଗ୍ରାମରେ କିଶୋର ବୟସରୁ ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇଥିବା ଆଗଧାଡ଼ିର ମୁକ୍ତିଯୋଦ୍ଧା, ସ୍ଵାଧୀନତା ପରେ ଆମ ଓଡ଼ିଶାର ଭାଷା ସାହିତ୍ୟର ସର୍ବାଙ୍ଗୀନ ଉନ୍‌ତି ପାଇଁ ଆତ୍ମତ୍ୟାଗରେ ଦିକ୍ଷୀତ ଯେଉଁ ଶ୍ରେଷ୍ଠ ସମର୍ଥ ବ୍ୟକ୍ତିଙ୍କୁ ଆମେ ବାରବାର ସ୍ମରଣ, ମନନ ପୂଜନ କରିବା ସେ ହେଲେ ଚଳନ୍ତି ବିଶ୍ୱକୋଷ ଭାବେ ପରିଚିତ ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋ ।

 

ବିଜ୍ଞାନକୁ ଲୋକାଭିମୁଖୀ, ସରଳ ସୁଗମ କରିବାର ସାମଗ୍ରିକ ଉଦ୍ୟମର ସେ ହେଲେ ଏକକ ଲେଖକ । ପରବର୍ତ୍ତୀ କାଳରେ ଅନ୍ୟମାନେ ବିଜ୍ଞାନ ଲେଖକ ହେବାରେ ପ୍ରୟାସୀ ହେଲେ । ସେ ଥିଲେ ଜ୍ଞାନପାଗଳ । ଜ୍ଞାନସାଗରରୁ ମୁକ୍ତା ସଂଗ୍ରହ କରିବାରେ ତାଙ୍କର ଆନନ୍ଦ ଥିଲା । ‘ଜ୍ଞାନମଣ୍ଡଳ’ କହିଲେ ବିନୋଦ କାନୁନ୍‌ଗୋଙ୍କୁ ବୁଝାଏ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ପାରାଦ୍ଵୀପ ଲାଇନର ରଘୁନାଥପୁରଠାରୁ ପାଞ୍ଚକିଲୋମିଟର ଦୂରରେ ଥିବା ମହାନଦୀକୂଳର ଗାଁ ମଲ୍ଲିପୁରର ମଧ୍ୟବିତ୍ତ କରଣ ପରିବାରରେ ଜନ୍ମିତ କାନୁନ୍‌ଗୋ ମହାଶୟ ସାଇକେଲ ଖଣ୍ତେ ଧରି କଟକ ଆସିଥିଲେ । ସେତିକି ହିଁ ସମ୍ବଳ । ନିଜ ଉପରେ ଥିଲା ପୂର୍ଣ୍ଣ ଭରସା । ସେ ଆତ୍ମବଳରେ ବିଶ୍ଵାସ କରୁଥିଲେ ।

 

ଭାରତବର୍ଷର ଶ୍ରେଷ୍ଠ ରାମାନୁଜନ୍‌ ଓ ଜର୍ମାନ୍‌ର ଆଇନ୍‌ଷ୍ଟାଇନ୍‌ଙ୍କ ଭଳି ବିଶ୍ଵ ପ୍ରସିଦ୍ଧ ବୈଜ୍ଞାନିକମାନେ ଅଳ୍ପ ବେତନଭୋଗୀ ହୋଇ ମଧ୍ୟ ସାରା ପୃଥିବୀର ଆଲୋକବର୍ତ୍ତିକା ହୋଇ ରହିଛନ୍ତି । ଠିକ୍‌ ତଦୁପରି ବିନୋଦ କାନୁନ୍‌ଗୋ ମହୋଦୟ କୌଣସି ସ୍କୁଲ ଅବା କଲେଜରୁ ଉଚ୍ଚଶିକ୍ଷା ଡିଗ୍ରୀ ପାଇନ ଥଲେ, କିନ୍ତୁ ଆତ୍ମଜ୍ଞାନର ବିକାଶ ପାଇଁ ତାଙ୍କର ଉତ୍ସର୍ଗୀକୃତ ଉଦ୍ୟମ ତାଙ୍କୁ ଆଜି ପ୍ରଜ୍ଞାପୁରୁଷର ସ୍ଥାନ ଦେଇପାରିଛି । ବିଜ୍ଞାନଶିକ୍ଷା ଓ ଭାଷାତତ୍ତ୍ୱର ବିଶାରଦ ସେ ନ ଥଲେ କିନ୍ତୁ ଓଡ଼ିଶାର ଭାଷା ସାହିତ୍ୟର ସମୃଦ୍ଧିକଳ୍ପେ ସେ ଯେଉଁ ବ୍ରତ ରଖିଥିଲେ ତାହା ତାଙ୍କର ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପାଖରେ ତପସ୍ୟାର ସିଦ୍ଧି ବ୍ୟତୀତ ଅନ୍ୟ କିଛି କୁହାଯାଇ ନ ପାରେ ।

 

ଓଡ଼ିଆ ଭାଷାରେ ‘ଜ୍ଞାନମଣ୍ଡଳ’ ବିରଳ ଜ୍ଞାନକୋଷ ବୋଲି ବିଶ୍ଵ ଇତିହାସରେ ଏଇଥିପାଇଁ ସ୍ଥାନ ପାଇବ ଯେ ପୃଥିବୀରେ ହୁଏତ ଅନ୍ୟ କୌଣସି ଭାଷାରେ ଜ୍ଞାନକୋଷ ଜଣେ ଲୋକଦ୍ଵାରା ପ୍ରଣୀତ ହୋଇନାହିଁ । ଅନ୍ୟଭାଷାର ବୃହତ ଜ୍ଞାନକୋଷ କିଛି ନିର୍ବାଚିତ ଲେଖକମଣ୍ଡଳୀ ଦ୍ଵାରା ସଂପାଦିତ ହୋଇଥିଲାବେଳେ ବିନୋଦ କାନୁନ୍‌ଗୋଙ୍କର ଜୀବନବ୍ୟାପି ସମର୍ପିତ ସାଧନାର ଫଳଶ୍ରୁତି ହେଲା ୪୦ ଖଣ୍ଡ ଜ୍ଞାନମଣ୍ଡଳ ଓ ତିନିଖଣ୍ଡ ଶିଶୁଜ୍ଞାନମଣ୍ଡଳ । ଏତଦ୍‌ବ୍ୟତୀତ ସେ ବିଜ୍ଞାନକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଅନେକ ଉପାଦେୟ ଶିକ୍ଷଣୀୟ ପୁସ୍ତକ ରଚନା କରିଛନ୍ତି । ତାଙ୍କର ସମଗ୍ର ପୁସ୍ତକ ସଂଖ୍ୟା ପ୍ରାୟ ଏକଶହ । ସେ ଆହୁରି ମଧ୍ୟ ଅନେକ ଅଧ୍ୟାୟ ଜ୍ଞାନମଣ୍ଡଳ ପାଇଁ ପ୍ରସ୍ତୁତ କରି ରଖିଥିଲେ । ଯେହେତୁ ଜ୍ଞାନର କୌଣସି ସୀମା ନାହିଁ ଏବଂ ମଣିଷର ଜୀବନ ସୀମିତ ତେଣୁ ଜ୍ଞାନମଣ୍ଡଳ ୪୦ ଖଣ୍ଡରେ ସୀମିତ ହୋଇଗଲା-

 

ତେବେ ବିନୋଦ କାନୁନ୍‌ଗୋଙ୍କର ଜୀବଦ୍ଦଶାରେ ସେ ଯେତିକି ସଂଖ୍ୟକ ପୁସ୍ତକ ରଚନା କରିଛନ୍ତି ତାହା ଯେ କେତେ କଠୋର ସାଧନାର ଫଳ ଯାହା ଭାବି ହୁଏ ନାହିଁ ।

 

ଦ୍ୱିତୀୟ ବ୍ୟତିକ୍ରମ ଥିଲେ କାନୁନ୍‌ଗୋ ମହୋଦୟ । ସେ କୌଣସି ପ୍ରକାଶକ ବା ବ୍ୟକ୍ତିବିଶେଷଙ୍କର ଦ୍ୱାରସ୍ଥ ହୋଇ ନ ଥିଲେ ଏହି ଜ୍ଞାନକୋଷର ପ୍ରକାଶନ ବା ବିକ୍ରୟ ପାଇଁ ।

 

ବିରାଟ ବିରାଟ ଗ୍ରନ୍ଥ ପ୍ରକାଶନ ପାଇଁ ବିପୁଳ ଅର୍ଥ, ଦିନରାତି ଅକ୍ଳାନ୍ତ ପରିଶ୍ରମ ନିର୍ଭୁଲ ଶବ୍‌ଦ ସହ ଆବଶ୍ୟକସ୍ଥଳେ ଚିତ୍ର, ସୂଚନା ଏବଂ ସହଯୋଗୀ ପୁସ୍ତକ, ପୋଥି ସଂଗ୍ରହ ପାଇଁ ଲୋକବଳ ଆବଶ୍ୟକ ପଡ଼ୁଥିବାବେଳେ ସମସ୍ତ ଦାୟିତ୍ୱ ସେ ଯେ ଏକାକୀ ନେଇ ଗୋଟିଏ ପରେ ଗୋଟିଏ ଅନବଦ୍ୟ ଜ୍ଞାନକୋଷ ଓଡ଼ିଆ ଜାତି ଉଦ୍ଦେଶ୍ୟରେ ସମର୍ପି ଦେଇଗଲେ । ଏହାକୁ ଅସାଧ୍ୟ ସାଧନ କୁହାଯାଇପାରେ ।

 

ବିନୋଦ କାନୁନ୍‌ଗୋଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀଭୁ ଦୁଇ ଦୁଇ ଥର ପୁରସ୍କାର ମିଳିଛି-। ତାଙ୍କ ରଚିତ ଦୁଇଟି ପୁରସ୍କୃତ ପୁସ୍ତକ ହେଲା ‘ଛାତିକୁ ପଥର କରି’ ଏବଂ ‘ଋଣ ପରିଶୋଧ’ ।

 

ସେ ବହୁ ବରେଣ୍ୟ ବ୍ୟକ୍ତିମାନଙ୍କର ସଂକ୍ଷିପ୍ତ ଜୀବନୀ ପୁସ୍ତକର ସ୍ରଷ୍ଟା । ଓଡ଼ିଶାର ଶିଶୁ କିଶୋରମାନଙ୍କ ପାଇଁ ସେହି ସ୍ମରଣୀୟ ପୁରୁଷମାନଙ୍କର କୃତି ଓ ବୀରତ୍ୱ ପ୍ରେରଣାଦାୟୀ ହୋଇ ରହିବ ।

 

ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଉଦ୍‍ବୁଦ୍ଧ ହୋଇଥିବା ଏମିତି ଜଣେ ଗାନ୍ଧିବାଦୀ ଓଡ଼ିଆ ପୁଅ ଯିଏ କେବଳ ଖଦୀ ପରିଧାନ କରି ନ ଥିଲେ, ସତ୍ୟ, ଅହିଂସା, ଉଦାରତା ମନ୍ତ୍ରରେ ପ୍ରତିଷ୍ଠିତ ସ୍ଵାଧୀନତାର ମୁକ୍ତିସେନା ଥିଲେ । ଜୀବନାନୁଭୂତି ସହ ସେ ସ୍ଵାଧୀନତା ପାଇଁ ଆତ୍ମବଳି ଦେଇଥିବା ଦେଶପ୍ରେମୀମାନଙ୍କର ଜୀବନୀଲେଖି ଯାଇଛନ୍ତି । ସେଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ଗାନ୍ଧିକଥା, ବାପୁଜୀଙ୍କର ଉତ୍କଳରେ ପଦଯାତ୍ରା, ସର୍ଦାର ପଟେଲ, ଶହୀଦ ନିରଞ୍ଜନ, ଆଚାର୍ଯ୍ୟ ହରିହର, ଜୟପ୍ରକାଶ, ଜାତୀୟ କବି ବୀରକିଶୋର, ଉତ୍କଳମଣି ଗୋପବନ୍ଧୁ, ରମାଦେବୀ, କସ୍ତୁରବା । ତାଙ୍କ ଚମତ୍କାର ରଚନାଶୈଳୀର ପ୍ରମାଣ ଦିଏ ।

 

ଆଦର୍ଶ ଓ ମୂଲ୍ୟବୋଧକୁ ବିଶ୍ଵାସ କରୁଥିବା କିଛି ଗାନ୍ଧୀମଣିଷ ମଧ୍ୟରୁ ବିନୋଦ କାନୁନ୍‌ଗୋ ଅନ୍ୟତମ । ଦୀର୍ଘ ତିରିଶବର୍ଷକାଳ ଅବିଶ୍ରାନ୍ତ ତପସ୍ୟାରୁ ଜ୍ଞାନତପସ୍ଵୀ ଭାବେ ଜ୍ଞାନକୋଷର ପରିକଳ୍ପନା ଓ ପରିପୂର୍ଣ୍ଣତା ଆଣିବାରେ ସେ ଅବିସ୍ମରଣୀୟ । ନିଜର ସବୁ ସୁଖ ସ୍ଵାଚ୍ଛନ୍ଦ୍ୟ ଘର ପରିବାର ଭୁଲ ସେ ଯେଉଁ ମହତ୍‌ କାର୍ଯ୍ୟ କରିଗଲେ ଓଡ଼ିଆ ଜାତି ତାଙ୍କୁ କଣ ଦେଇ ସେହି ମନୀଷୀଙ୍କର ତ୍ୟାଗଦୀପ୍ତ ଜୀବନର ସୁକୃତିର ଭରଣା କରିପାରିବ ।

 

ସେ ଥିଲେ ଅନେକ ପ୍ରତିଭାର ଅଧିକାରୀ । ଭାରତରେ ବିଶ୍ୱକୋଷ ଆନ୍ଦୋଳନର ଅଗ୍ରଦୂତ ସଂସ୍କାରକ, ଗବେଷକ, ଶିଶୁ ସାହିତ୍ୟିକ, ବିପ୍ଳବୀ, ଗାନ୍ଧିଜୀଙ୍କର ପଟ୍ଟଶିଷ୍ୟ, ଭାରତରେ ଶିକ୍ଷାବିକାଶର ଅପ୍ରତିଦ୍ୱନ୍ଦ୍ୱୀ ପୁରୋଧା । ତେଣୁ ୧୯୮୬ରେ ଭାରତ ସରକାରଙ୍କ ତରଫରୁ ତାଙ୍କୁ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯାଇଥିଲା । ୧୯୮୪ ମସିହାରେ ଭାରତ ସରକାରଙ୍କ ଫିଲମ୍‌ ଡିଭିଜନ ଦ୍ୱାରା ‘ବିନୋଦ କାନୁନ୍‌ଗୋ’ଙ୍କ ଉପରେ ନିର୍ମିତ ବୃତ୍ତଚିତ୍ର ଇଂରାଜୀ ସହ ଅନ୍ୟ ଚଉଦଟି ଭାଷାରେ ନିର୍ମିତ ହୋଇଛି ।

 

୧୯୧୨ ମସିହା ଜୁନ୍‌ ୬ ତାରିଖରେ କିଶନନଗରର ମଲ୍ଲିପୁର ଗାଁରେ ବିନୋଦଙ୍କ ଜନ୍ମ-। ବିନୋଦ କାନୁନ୍‌ଗୋ ଚାରି ଭଉଣୀରେ ଗୋଟିଏ ଭାଇ ହୋଇଥିବାରୁ ସମସ୍ତଙ୍କର ଗେହ୍ଲା ଥିଲେ । ମଲ୍ଲିପୁରରୁ ନାଗଣପୁର ମାମୁଁଘର ଗାଁକୁ ଆସି ପାଠପଢ଼ିଲେ । ଦଶବର୍ଷ ବେଳେ ବାପା କେଶବ ଚରଣ କାନୁନ୍‌ଗୋଙ୍କର ଦେହାନ୍ତ । ମାମୁଁ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି ରେଭେନ୍‌ସାରେ ପ୍ରଫେସର ଥିଲେ । ତାଙ୍କ ପାଖରେ ପୂର୍ବ ଛାତ୍ରାବାସରେ ରହି ରାଣୀହାଟ ମାଇନର ସ୍କୁଲରେ ପଢ଼ିଲେ । ୧୯୨୭ରେ ସେ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ ପ୍ରଭୃତି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଦେଖି ଅନୁପ୍ରାଣିତ ହେଲେ ।

 

୧୯୩୦ ଏପ୍ରିଲ ୧୦ ତାରିଖରେ ସନ୍ଧ୍ୟାରେ କାଠଯୋଡ଼ି ବାଲିରେ ବୀରକିଶୋରଙ୍କର ଜାତୀୟବାଦୀ କବିତା ‘‘ଋଣ ସମୟରେ ବହି ଘୋଷିବାକୁ’’ ଶୁଣି ଦେଶ ପାଇଁ କିଛି କର୍ତ୍ତବ୍ୟ କରିବାକୁ ହେବ ଚିନ୍ତା କରି କଲିଜିଏଟ୍‌ ସ୍କୁଲ ଛାଡ଼ିଲେ । ସେତେବେଳେ ସେ ଦଶମଶ୍ରେଣୀର ବୃତ୍ତି ପାଉଥିବା ଛାତ୍ର ।

 

ନଭେମ୍ବର ୧୬ ତାରିଖରେ ଗିରଫ ହୋଇ ପ୍ରଥମେ କଟକ ଓ ପରେ ପାଟନା ଜେଲରେ ରହିଲେ । ସେଠାରେ ପାଞ୍ଚହଜାର ବନ୍ଦୀ ଭିତରୁ କିଛି ବିଦ୍ୱାନ୍‌ଙ୍କ ସହ ମିଶି ଦିନକୁ ସତରଘଣ୍ଟା କେବଳ ବହି ପଢ଼ାରେ ସମୟ ନେଲେ । ୧୯୩୧ରେ ଖଲାସ ହୋଇ ୧୯୩୨ରେ ଜେଲ ଗଲେ-। ୧୯୩୪ରେ ଖଲାସ ପୁଣି ଜେଲ । ଚମ୍ପାପୁର ଗାନ୍ଧୀ ଆଶ୍ରମରେ ଖଦୀ, କାମ, ହରିଜନ ସେବା, ଗ୍ରାମ ସଫେଇ ମହୁମାଛି ଚାଷ, ନିରକ୍ଷରତା ଦୂରୀକରଣ ନିଶା ନିବାରଣ, ଜମିଦାରଙ୍କ ଅତ୍ୟାଚାରର ପ୍ରତିବାଦ ପାଇଁ ଜନ ସଂଗଠନ । ବହୁ ବଡ଼ ବଡ଼ ନେତା, କୁପାଳିନୀ, ଆଜାଦ, ରାଜେନ୍ଦ୍ର ପ୍ରସାଦ ପଟେଲ, ବି.ଜି. ଖେର, ଯମୁନାଲାଲ ବାଜାଜ ପ୍ରଭୃତିଙ୍କ ସହ ସାକ୍ଷାତ ଓ ପରିଚୟ-। ନିଜ ଗ୍ରାମରେ ଖଦୀଘର ସ୍ଥାପନ ଇତ୍ୟାଦି ସହ ଦଳେଇଘାଇ ବନ୍ୟାବିପନ୍ନଙ୍କୁ ସାହାଯ୍ୟ ତାଙ୍କ ଜୀବନର ଗୋଟିଏ ଉଲ୍ଲେଖନୀୟ ଘଟଣା । ଦୀର୍ଘ ଚାରିଦଶନ୍ଧିର ଅଧ୍ୟୟନ ଓ ଅଭିଜ୍ଞତାର ପୁଞ୍ଜିକୁ ନେଇ ୧୯୫୪ ଜାନୁୟାରୀ ପହିଲାରେ ବିଶ୍ୱକୋଷ ଅଭିଯାନ ଆରମ୍ଭ ହେଲା । ଶେଷକୁ ସେ ପାଲଟି ଗଲେ ଓଡ଼ିଶା ତଥା ଭାରତବର୍ଷ ପାଇଁ ଜଣେ ପ୍ରଜ୍ଞାପୁରୁଷ । ସେ ଆଜି ନାହାଁନ୍ତି କିନ୍ତୁ ତାଙ୍କ ଜ୍ଞାନମଣ୍ଡଳ ତାଙ୍କୁ ଚିର ଅମର କରି ରଖିବ ।

 

ଶ୍ରୀବିହାର କଲୋନୀ,

ତୁଳସୀପୁର, କଟକ-୮

 

***

 

ବିନୋଦ କାନୁନ୍‌ଗୋ : ଏକ ବହୁମୁଖୀ ପ୍ରତିଭା

ଦୀପକ କୁମାର ଦାଶ

 

ଓଡ଼ିଶା ତଥା ଭାରତର ସାର୍ବଜନୀନ ପରିଧି ତଥା କର୍ମକ୍ଷେତ୍ରରୂପକ ଆକାଶରେ ଯେଉଁ କେତେକ ନକ୍ଷତ୍ର ଏବେ ମଧ୍ୟ ଜାଜ୍ଵଲ୍ୟମାନ ସେଥିମଧ୍ୟରୁ ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋ ଅନ୍ୟତମ । ଏକାଧାରରେ ସେ ଥିଲେ ସ୍ଵାଧୀନତା ସଂଗ୍ରାମର ଅମ୍ମାନ ଯୋଦ୍ଧା, ଗାନ୍ଧୀଙ୍କ ପଟ୍ଟଶିଷ୍ୟ, ଜ୍ଞାନତପସ୍ଵୀ, ଓଡ଼ିଆ ବିଶ୍ଵକୋଷ ଜ୍ଞାନମଣ୍ଡଳର ଏକକ ରଚୟିତା, ଅନନ୍ୟ ବିଜ୍ଞାନୀ, ଶିଶୁ ସାହିତ୍ୟର ଅଗ୍ରଜ ବିନ୍ଧାଣୀ ଏବଂ ଶିକ୍ଷା ନବଜାଗରଣର ଅପ୍ରତଦିଦ୍ୱନ୍ଦ୍ରୀ ଯୋଦ୍ଧା । ‘ଚଳନ୍ତି ବିଶ୍ୱକୋଷ’ ଭାବରେ ଏସବୁକୁ ସେ ଅତ୍ୟନ୍ତ ସାବଲୀଳ ଓ ସରଳ ଭାଷାରେ ଉପସ୍ଥାପନ କରିପାରିଥିଲେ । ବିନୋଦ କାନୁନ୍‌ଗୋଙ୍କର ଥିଲା ଏକ ସୁସଙ୍ଗତ, ସମର୍ପିତ ଓ ସାର୍ଥକ ଜୀବନ ଏବଂ ଓଡ଼ିଆ ଜାତୀୟ ଜୀବନକୁ ବିଶ୍ଵଭ୍ରାତୃତ୍ଵ ସହିତ ସହଯୋଗ କରି ଆଗକୁ ବଢ଼ିବା ନିମନ୍ତେ ଏକ ଅଦମ୍ୟ ପ୍ରୟାସ । ସେ ଏକାଧାରାରେ ଥିଲେ ଜଣେ ସଂପାଦକ, ସାମ୍ବାଦିକ, ଲୋକସେବକ, ବିଶ୍ଵକୋଷର ପ୍ରଣେତା, ସାହିତ୍ୟିକ, ବୈଜ୍ଞାନିକ, ଭାଷାବିତ୍‌, ସମାଜବାଦୀ ଏବଂ ଶିଶୁ ସାହିତ୍ୟିକ । ଜୀବନର ପ୍ରତ୍ୟେକ ପରିଧିରେ ତାଙ୍କର ଚମତ୍କାର ଦଖଲ ଥିଲା । ବାସ୍ତବରେ ସେ ଥିଲେ ଭଗବାନଙ୍କ ପ୍ରଦତ୍ତ ଏକ ଅନନ୍ୟ ପ୍ରତିଭା ।

 

ବିନୋଦ କାନୁନ୍‌ଗୋ ଓ ସମାଜବାଦ :

ବିନୋଦ କାନୁନ୍‌ଗୋଙ୍କ ସମାଜବାଦୀ ଚିନ୍ତାଧାରାରେ ମହାତ୍ମା ଗାନ୍ଧୀଙ୍କ ସମାଜବାଦ ତଥା ସର୍ବୋଦୟ ଚିନ୍ତାଧାରା ପ୍ରତିଫଳିତ । ଯେତେବେଳେ ସେ ୧୯୩୦ ନଭେମ୍ବର ୧୬ ତାରିଖରେ ଗିରଫ ହୋଇ ପାଟନାଠାରେ କ୍ୟାମ୍ପ ଜେଲରେ ରହିଥିଲେ ସେତେବେଳେ ମାକ୍‌ସିମ୍‌ ଗର୍କିଙ୍କର ‘ମଦର’ ପୁସ୍ତକ ଅଧ୍ୟୟନ କରି ଦଳିତ ଶୋଷିତ ଶ୍ରମିକର ଜୀବନ ଉପରେ ଏକ ନିଚ୍ଛକ ଛବି ମନ ଭିତରେ ଆଙ୍କି ଦେଇଥିଲେ । ସେହିପରି ଓଡ଼ିଶାରେ କଂଗ୍ରେସ ଅଧିବେଶନ ବସିବା ନେଇ ଯେତେବେଳେ ଟ୍ରେନିଙ୍ଗ କ୍ୟାମ୍ପ୍‌ ଆରମ୍ଭ କରିବାର ବ୍ୟବସ୍ଥା ରଖାଗଲା ।

 

ମହାତ୍ମା ଗାନ୍ଧୀଙ୍କ ନିର୍ଦ୍ଦେଶରେ ଦଶପଲ୍ଲାର ବିପ୍ଳବୀ ଗୋବିନ୍ଦଚନ୍ଦ୍ର ମିଶ୍ର କଟକ ଜିଲ୍ଲାର ଚମ୍ପାପୁରଠାରେ ଏକ ଆଶ୍ରମ ସ୍ଥାପନ କରିଥିଲେ । ବିନୋଦବାବୁ ସେହି ଆଶ୍ରମର ଏକ ଅଂଶ ବିଶେଷ ହୋଇ ଖଦୀର ଏ ପ୍ରସାର କରିଥିଲେ । କାମ ନିଜ ପାଇଁ ବାଛି ନେଇଥିଲେ । ତୁଳାଭିଣା ସୂତା କଟା ଶିଖାଇବା ଥିଲା ପ୍ରଥମ କାମ । ସେ ଯୁଗରେ କାଠ ଅରଟ, ବାକ୍‌ସ ଅରଟ, କିସାନ ଚରଖା, ଅମର ଚରଖା ପ୍ରଭୃତି ନଥିଲା । ବାଉଁଶ ଚରଖା ଶହ ଶହ ସଂଖାରେ ତିଆରି କରି ଲୋକଙ୍କୁ ସୂତା କଟା ଶିଖାଇଲେ । ସେ ହାତକୁ ନେଇଥିବା ଅନ୍ୟ କେତୋଟି ଯୋଜନା ଥିଲା ପ୍ରୌଢ଼ଶିକ୍ଷା, କମ୍ପୋଷ୍ଟ ତିଆରି, ମହୁଚାଷ ଇତ୍ୟାଦି । ଗାଁରୁ ଗାଁକୁ ଯାଇ ସେ ‘ଅଳିଆରୁ ସୁନା’ ଓ ‘ଅଳିଆରୁ ସଂପଦ’ ଭଳି ସ୍ଳୋଗାନର ପ୍ରକୃତ ଅର୍ଥ ବୁଝାଇବାକୁ ଲାଗିଲେ ।

 

ଅସ୍ପୃଶ୍ୟତା ଦୂର କରିବା ନିମନ୍ତେ ବିନୋଦବାବୁ ବଳିଷ୍ଠ ପଦକ୍ଷେପସ୍ଵରୂପ ସ୍ଵର ଉତ୍ତୋଳନ କରିଥିଲେ । ୧୯୩୪ ମସିହା ବେଳକୁ ହରିଜନଙ୍କ ଘରୁ କେହି କ୍ଷୀର ନେଉ ନ ଥିଲେ । ସେମାନେ ଛୁଇଁଥିବା କ୍ଷୀର ମଧ୍ୟ ସ୍ପର୍ଶଯୋଗ୍ୟ ନଥିଲା । ନିଜେ ଦୁହଁ ନିଅ ବୋଲି କହିଲେ ମଧ୍ୟ ଉଚ୍ଚଜାତିର ଲୋକେ ରାଜି ହୁଅନ୍ତୁ ନାହିଁ । ଏ ଦିଗରେ ପ୍ରଥମେ ବିନୋଦବାବୁ କ୍ଷୀର କିଣିଲେ ଏବଂ ବର୍ତ୍ତମାନର ହିସାବରେ ଟଙ୍କାକୁ ଷୋହଳ ଲିଟର ମିଳିଲା । ଏହା ଦେଖି ଅନ୍ୟମାନେ ମଧ୍ୟ କ୍ଷୀର କିଣିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଯାଇ ବରୀ ଅଞ୍ଚଳରେ ହରିଜନ ବସ୍ତିରେ ମଧ୍ୟ ରହିଥିଲେ-। ନିଶାନିବାରଣ କ୍ଷେତ୍ରରେ ମଧ୍ୟ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ଥିଲା ।

 

ସ୍ଵାଧୀନତା ପରେ ଏହି ମହାନ୍‌ ବ୍ୟକ୍ତି ନିଜ ଗ୍ରାମ ମଲ୍ଲୀପୁରକୁ ଫେରିଯାଇ ସମାଜବାଦୀ ଚିନ୍ତାଧାରାର ପ୍ରତୀକ ସ୍ୱରୂପ ନିଜର ଘରେ ଗାଇ, ବାଛୁରୀ, ବଳଦ ରଖି ନିଜର ଗୁଜୁରାଣ ମେଣ୍ଟାଇବାକୁ ଚେଷ୍ଟା କରିଥିଲେ । ନିଜକୁ ମଧ୍ୟ ସେ ଗୋରୁ ଚରାଇବା କାର୍ଯ୍ୟରେ ନିୟୋଜିତ କରିଥିଲେ । ଜଣେ ସଫଳ ଗାଇଆଳ ଏବଂ ବଗିଚାବାଲାଭାବେ ନିଜକୁ ପରିଚିତ କରିବାରେ ସେ ସଙ୍କୋଚ କରି ନ ଥିଲେ ଯାହା ପ୍ରତିପାଦିତ କରେ ସେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ପ୍ରକୃତ ସମାଜବାଦୀ ।

 

ବିନୋଦ କାନୁନ୍‌ଗୋ ଓ ବିଜ୍ଞାନ :

୧୯୪୨ ମସିହାର ଭାରତଛାଡ଼ ଆନ୍ଦୋଳନ ସମୟରେ ବିନୋଦବାବୁ ବ୍ରହ୍ମପୁର ଜେଲରେ ଥିବା ସମୟରେ ଥରେ ତାଙ୍କର ଦେହ ଖରାପ ହୋଇଥିଲା । ସୁପରିଟେଣ୍ଡେଣ୍ଟ ସିଭିଲ ସର୍ଜନ କ୍ୟାପଟେନ୍‌ ଅନ୍ନଦା ପ୍ରସାଦ ସିହ୍ନା ପରିଦର୍ଶନରେ ଥିବା ସମୟରେ ତାଙ୍କୁ କହିଥିଲେ, ‘‘ନିଜ ଦେହର ଟିକିଏ ଯତ୍ନ ନିଅ । ଆମେ ଯେତେ ଯାହା କଲେ ମଧ୍ୟ ତୁମେ ଯଦି ନିଜ ଦେହର ଯତ୍ନ ନ ନେବ ମଝିରେ ମଝିରେ ଏମିତି ବେମାର ପଡ଼ିବ ।’’ ତାଙ୍କ ପାଟିରୁ ବାହାରି ପଡ଼ିଲା ‘‘ଦେହ ବିଷୟରେ ମୁଁ କଅଣ ଜାଣେ ଯେ ଯତ୍ନ ନେବି ।’’ ଏହା ପରେ ଜେଲର ସାହେବ ତାଙ୍କୁ ଦୁଇଟି ବିଜ୍ଞାନ ସମ୍ବଳିତ ପୁସ୍ତକ ପ୍ରଦାନ କରିଥିଲେ । ହାଲିବଟନଙ୍କ ଫିଜିଓଲୋଜୀ ଏବଂ ଗ୍ରେଙ୍କ ଆନାଟମୀ । ଶରୀରର ଗଠନ ଓ କାର୍ଯ୍ୟ ବିଷୟରେ ସେହି ଦୁଇଟି ଯାକ ବହି ବେଶ ଉପାଦେୟ ଥିଲା । ଏହି ଦୁଇଟି ପୁସ୍ତକ ତାଙ୍କୁ ବିଜ୍ଞାନ ସହିତ ପରିଚିତ ହେବା ପାଇଁ ସୁଯୋଗ ଦେଇଥିଲା ।

 

ବିଜ୍ଞାନର ପ୍ରସାର ପାଇଁ ତାଙ୍କର ବ୍ୟାକୁଳତାକୁ ଆଖି ଆଗରେ ରଖି ବୟୋଜ୍ୟେଷ୍ଠ ସାମ୍ବାଦିକ ଶ୍ରୀ ରାଧାନାଥ ରଥ ତାଙ୍କୁ ‘ବିଜ୍ଞାନ ବିନୋଦୀ ବିନୋଦ’ କହୁଥିଲେ । ପଞ୍ଚତନ୍ତ୍ର ଗପ ପରି ସେ ବିଜ୍ଞାନ କଥା ଲେଖିଯାଇଥିଲେ । ତାଙ୍କ ୩୬୫ ଦିନ ସିରିଜର ପ୍ରଥମ କେତେ ଖଣ୍ଡ ପୁସ୍ତକ ‘ତିନିଖଣ୍ଡ କାଉଁରୀ ହାଡ଼’, ‘ଚଳନ୍ତା ରାଇଜର ଅମୁହାଁ ନଈ’, ‘ଜୀବନ ତିଆରି କାରଖାନା’, ‘ମିଠାଇ ଦେହରେ ଲାଗିଲା ଡେଣା’, ‘ଏଣିକି ତୁ ଦୁନିଆ ଜିତିବୁ’, ‘ଡାକିଲେ ଜବାବ ଦିଅନା କି’, ‘ଅଳ୍ପକେ କଳି ତୁଟିଗଲା’ ଇତ୍ୟାଦି ତାଙ୍କର ବିଜ୍ଞାନଗତ ଚିନ୍ତାଧାରାର ପରିପ୍ରକାଶ । ବିଜ୍ଞାନକୁ ଆପଣାର କରି ସେ ସାହିତ୍ୟର ସୀମା ଲମ୍ବାଇ ଦେଇଥିଲେ । ଲୋକଙ୍କ ପାଇଁ ବିଜ୍ଞାନ କିପରି ଲେଖିବାକୁ ହେବ ସେ ବିଜ୍ଞାନ ଲେଖକଙ୍କୁ ବାଟ ବତାଇଲେ । ଜ୍ଞାନମଣ୍ଡଳରେ ଥିବା ୪୦ ହଜାର ଫାଇଲରୁ ୫ ହଜାର ଫାଇଲ କେବଳ ପ୍ରାଣୀ ଓ ଜୀବଜନ୍ତୁଙ୍କ ବିଷୟରେ । ତାଙ୍କର ବିଜ୍ଞାନଭିତ୍ତିକ ଲେଖା କେତେ ସହଜ ଓ ବୋଧଗମ୍ୟ ଥିଲା ତାହାର ଅନେକ ଉଦାହରଣ ପ୍ରଦାନ କରାଯାଇପାରେ । ତାଙ୍କ ମତରେ ବସ୍ତୁର ‘ପରମାଣୁ ଅଣୁ ହେଉଛନ୍ତି ମୂଳଜ୍ଞାନ । ତାକୁ ବୁଝାଇବାକୁ ଗଲେ ଇଲେକଟ୍ରନ, ପ୍ରୋଟନ, ନିଉଟ୍ରନ କଥା ଭଲ ଭାବରେ କହିବାକୁ ପଡ଼ିବ । କେଜାଣି କେମିତି ଭଲ ନାଁଟିଏ ଜୁଟିଗଲା-‘‘ତିନିଖଣ୍ଡି କାଉଁରୀ ହାଡ଼’’ । ଗୁଡ଼ିଏ ଚିତ୍ର ଥାଇ ଯେତେବେଳେ ବହିଟି ବାହାରି ଗଲା ସମସ୍ତେ ପ୍ରଶଂସା କଲେ, ପିଲାମାନେ ଆଗ୍ରହରେ ପଢ଼ିଲେ ।

 

ବିନୋଦ କାନୁନଗୋ ଓ ସାମ୍ବାଦିକତା :

ବିନୋଦବାବୁଙ୍କ ବ୍ୟକ୍ତିତ୍ୱର ସାମ୍ବାଦିକତା ଦିଗଟି ରାଧାନାଥ ରଥଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ମହାତ୍ମାଙ୍କ ଦାଣ୍ଡିଯାତ୍ରା ଦ୍ଵାରା ପ୍ରଭାବିତ ହୋଇ ଯେତେବେଳେ ଓଡ଼ିଶାର ଇଞ୍ଚୁଡ଼ିଠାରେ ଲବଣ ଆଇନ ଅମାନ୍ୟ କରାଗଲା ସେତେବେଳେ ଓଡ଼ିଶାର ନେତାମାନଙ୍କ ଗିରଫ ପ୍ରତିବାଦରେ ସଭାସମିତିରେ ଲିଖିତ ଭାଷଣ ପଢ଼ିବା ପାଇଁ ଯେଉଁମାନଙ୍କ କାନ୍ଧରେ ଦାୟିତ୍ୱ ନ୍ୟସ୍ତ କରାଗଲା ସେଥିମଧ୍ୟରୁ ବିନୋଦବାବୁ ଅନ୍ୟତମ । ରାଧାନାଥ ରଥ ଭାଷଣ ଡାକିଦିଅନ୍ତି ଏବଂ ସେ ତାକୁ ଲେଖି ନିଅନ୍ତି । ଖବରକାଗଜଗୁଡ଼ିକ ଉପରେ କଟକଣା ଲଗାଯିବା ଦ୍ଵାରା ଗୁପ୍ତରେ ‘ସମ୍ବାଦ’ ନାମକ ଏକ ଖବରକାଗଜ ଛପାଗଲା ଯେଉଁଥିରେ ସେ ନିୟମିତ ଲେଖୁଥିଲେ ।

 

୧୯୩୪ ମସିହାରେ ମେ ମାସରେ ଗାନ୍ଧିଜୀ ଓଡ଼ିଶା ଆସିବା ଠିକ୍‌ ହେଲା । ସେତେବେଳେ ଓଡ଼ିଶାର ଏକମାତ୍ର ଦୈନିକ ସମ୍ବାଦପତ୍ର ହେଉଛି ‘ସମାଜ’ । ପଣ୍ଡିତ ଲିଙ୍ଗରାଜ ମିଶ୍ର ଥାଆନ୍ତି ଏହାର ସମ୍ପାଦକ । ରାଧାନାଥ ରଥ ତାଙ୍କର ସହକର୍ମୀ । ଏହି ଦୁଇଜଣ ସ୍ଥିର କଲେ ଜଣେ କେହି ଗାନ୍ଧୀଙ୍କ ସଙ୍ଗେ ସଙ୍ଗେ ଯିବେ । ଯୁଆଡ଼େ ସେ ଯିବେ ତାଙ୍କ ଭାଷଣ ଏବଂ ଗସ୍ତ ବିବରଣୀ ‘ସମାଜ’ରେ ବିସ୍ତୃତ ଭାବରେ ଛପାଯିବ । ଏଥି ନିମନ୍ତେ ବିନୋଦ କାନୁନ୍‌ଗୋଙ୍କୁ ଏହି ଦାୟିତ୍ୱ ଦିଆଗଲା ଯାହା ତାଙ୍କର ସାମ୍ବାଦିକ ଜୀବନର ଭିତ୍ତିଭୂମିକୁ ସୁଦୃଢ଼ କଲା ।

 

ଜ୍ଞାନମଣ୍ଡଳର ପ୍ରତିଷ୍ଠାତା :

ସ୍ଵାଧୀନତା ପରେ ପଙ୍କିଳ ରାଜନୀତି ବିନୋଦବାବୁଙ୍କ ପାଇଁ ଠିକ୍‌ ନୁହେଁ ଏହା ଯେତେବେଳେ ସେ ଅନୁଭବ କଲେ ଏବଂ ଗାନ୍ଧିଜୀଙ୍କ ଚିନ୍ତାଧାରାରୁ ନେତାମାନେ ଦୂରେଇ ଯାଉଛନ୍ତି ଏହି ଭାବନା ଯେତେବେଳେ ତାଙ୍କ ମନକୁ ଆସିଲା, ସେ ଭିନ୍ନ କିଛି କରିବାର ନିଷ୍ପତି ନେଲେ ଯାହାର ଫଳ ହେଉଛି ଜ୍ଞାନମଣ୍ଡଳର ସୃଷ୍ଟି । ରବିନ୍ଦ୍ରନାଥ ଠାକୁରଙ୍କ ଉକ୍ତି ‘‘ଯଦି ତୋର ଡାକ ଶୁଣି କେହି ନ ଆସେ ତେବେ ଏକଲା ଚଲୋରେ’’ ଏବଂ ସାବରମତୀର ସନ୍ଥ ଏକୁଟିଆ ହାତରେ ବାଡ଼ି ଖଣ୍ଡିକ ଧରି ନିଜ ବାଟରେ, ଚାଲିଲେ ଆଉ ସେଥିପାଇଁ ଜୀବନ ଦେଇ ଦେଲେ- ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ହାତରେ ମାତ୍ର ଗୋଟିଏ ଟଙ୍କା ଧରି ଜ୍ଞାନମଣ୍ଡଳର ପରିକଳ୍ପନାର ଅସୁମାରୀ ସ୍ଵପ୍ନ ଆଖିରେ ଭରି ଚାଲିଆସିଥିଲେ ଐତିହାସିକ କଟକ ସହରକୁ । ଯେତେବେଳେ ପତ୍ନୀ ଶଶୀବାଳା ମାତ୍ର ଗୋଟିଏ ଟଙ୍କା ନେଇ ଯିବା କଥା ଶୁଣି ବିସ୍ମୟ ପ୍ରକାଶ କରିଥିଲେ ସେତେବେଳେ ବିନୋଦବାବୁ କହିଥିଲେ ‘‘ଠିକ୍‌ କି ନୁହେଁ ମୁଁ କହିପାରିବି ନାହିଁ, କିନ୍ତୁ ଶୁଣିଛି ରାମାନନ୍ଦ ଚାଟାର୍ଜୀ ମାତ୍ର ଗୋଟିଏ ଟଙ୍କା ଟେବୁଲ ଉପରେ ରଖି କହିଲେ ମୁଁ ‘ମଡର୍ଣ୍ଣ ରିଭିଉ’ ଓ ‘ପ୍ରବାସୀ’ ପତ୍ରିକା ବାହାର କରିବି । ୧୯୫୪ ଜାନୁୟାରୀ ପହିଲାଦିନ ତାଙ୍କର ସାହତ୍ୟିକ ଜୀବନ ପ୍ରକୃତ ଅର୍ଥରେ ଆରମ୍ଭ ହୋଇଥିଲା । ତେଣୁ ଜ୍ଞାନମଣ୍ଡଳର ପ୍ରତ୍ୟେକ ର‍୍ୟାକ୍‌ରେ ‘୧୯୫୪’ ବୋଲି ଲେଖାଅଛି । ଜ୍ଞାନମଣ୍ଡଳର ସିମ୍ବଲ ବା ପ୍ରତୀକ ହେଉଛି ଗୋଟିଏ ଚକ୍ର । ତା ତଳେ ୧୯୫୪ ଦେଖିବେ- ଏହାର ଅର୍ଥ ହେଲା ଜ୍ଞାନମଣ୍ଡଳ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା ।

 

ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇ (ଏପରିକି କାବୁଲିବାଲାଠାରୁ ପଇସା ସୁଧରେ ଆଣି) ୧୯୬୦ ଡିସେମ୍ବର ୨ ତାରିଖଦିନ ‘ଜ୍ଞାନମଣ୍ଡଳ’ର ପ୍ରଥମ ଖଣ୍ଡଟି ଜାତି ଉଦ୍ଦେଶ୍ୟରେ ଅର୍ପଣ କଲେ । ୧୦୬୦ରୁ ୧୯୮୮ଭିତରେ ଜ୍ଞାନମଣ୍ଡଳର ୪୦ଟି ଖଣ୍ଡ ପ୍ରକାଶ ପାଇଥିଲା । ଜ୍ଞାନମଣ୍ଡଳରେ ରସାୟନବିଦ୍ୟା (କେମିଷ୍ଟ୍ରି), ପଦାର୍ଥବିଦ୍ୟା (ଫିଜିକ୍‌ସ), ଗଣିତ, ଜ୍ୟୋତିର୍ବିଦ୍ୟା, ଭୂତତ୍ତ୍ୱ, ଭଦ୍ଭିଦବିଦ୍ୟା, ପ୍ରାଣୀବିଦ୍ୟା, ଶରୀର ବିଦ୍ୟା, କୃଷି ବିଦ୍ୟା, ଶିଳ୍ପ- କୌଶଳ ବିଦ୍ୟା, ନୁତତ୍ତ୍ୱ ପ୍ରଭୃତି ବିଜ୍ଞାନର ପ୍ରତ୍ୟେକ ବିଭାଗର ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦିଆଯାଇଛି । ପୃଥିବୀର ଯେତିକି ଧର୍ମ ଅଛି ସେସବୁର ସାରକଥା, ଧର୍ମ ପ୍ରଚାରକ, ଭକ୍ତ, ସାଧକମାନଙ୍କ ଜୀବନୀ ମଧ୍ୟ ଏଥିରେ ରହିଛି । ଏଥିରୁ ପ୍ରତ୍ୟେକ ଦେଶର ଇତିହାସ ଓ ଭୂଗୋଳର ପରିଚୟ ପାଇବେ । ପ୍ରତ୍ୟେକ ପୃଷ୍ଠାରେ ଶେଷରେ ବିଗତ ଚାରିହଜାର ବର୍ଷ ଭିତରେ ପୃଥିବୀର ପ୍ରାୟ ଦୁଇ ହଜାର ପଣ୍ଡିତ ଯେଉଁସବୁ ଅମୂଲ୍ୟବାଣୀ ପ୍ରଦାନ କରିଛନ୍ତି ତାହା ଉଲ୍ଲେଖ ରହିଛି ।

 

ଜ୍ଞାନମଣ୍ଡଳକୁ ଆଗେଇ ନେବା ପାଇଁ ଯେତେବେଳେ ଉଦ୍ୟମରତ ଥିଲେ ଏବଂ ଅର୍ଥାଭାବ ତଥା ପାରିପାର୍ଶ୍ୱିକ ଅସୁବିଧା ତାଙ୍କୁ ବିଚଳିତ କରି ପକାଇଥିଲା ସେତେବେଳେ ସେ ରସ୍‌କିନଙ୍କ ଲେଖାଦ୍ୱାରା ପ୍ରଭାବିତ ହୋଇଥିଲା । ରସ୍‌କିନଙ୍କ ସେହି ଲେଖାଟି ଥିଲା - ‘ସମ୍ବଳ ବା ସତତ ଉଦ୍ୟମର ଅଭାବରୁ ଯେ ବହୁଲୋକ ସଫଳତା ଅର୍ଜନ କରିପାରି ନାହାଁନ୍ତି, ତାହା ନୁହେଁ । ସେମାନଙ୍କର ବିଫଳତାର ଅସଲ କାରଣ ହେଉଛି- କଅଣ କରିବାକୁ ଯାଉଛନ୍ତି, ସେ ବିଷୟରେ ସେମାନଙ୍କର ସ୍ପଷ୍ଟ ଧାରଣା ନ ଥାଏ । ଗୋଳମାଳିଆ ଧାରଣା ହିଁ ଥାଏ । ଏହି ଚିନ୍ତାଧାରା ଦ୍ଵାରା ପ୍ରଭାବିତ ହୋଇ ସେ ନିଜକୁ ବିନା, ବିନ, ବିନୋଦ ଓ ବିନୋଦ କାନୁନ୍‌ଗୋ ଭାବରେ ବାଣ୍ଟି ଦେଇ ଜ୍ଞାନମଣ୍ଡଳ ପ୍ରସ୍ତୁତି ନିମନ୍ତେ ନିଜକୁ ସମର୍ପିତ କରିଦେଇଥିଲେ ।

 

ବିନୋଦବାବୁ ଥିଲେ ଅସରନ୍ତି ଜ୍ଞାନ ଭଣ୍ଡାର । ବେଶ ପୋଷାକ, ଚାଲିଚଳଣ, କଥାବାର୍ତ୍ତା, ଆଳାପ ଆଲୋଚନା ସବୁଥିରେ ସେ ଥିଲେ ସରଳ ଅଥଚ ସରସ । ଆକର୍ଷଣୀୟ ପୋଷାକ ଯେପରି ଶୁଭ୍ର ଖଦଡ଼ର, ଚାଲିଚଳଣ, କଥାବାର୍ତ୍ତା ତଦନୁରୂପ । ଜ୍ଞାନ ଧନରେ ଧନୀ ବିନୋଦବାବୁ ତାଙ୍କ ଲବ୍‌ଧ ଜ୍ଞାନ ସର୍ବସାଧାରଣଙ୍କୁ ବିତରଣ କରି ଦେଉଥିଲେ ମାତୃଭାଷାର ସମୃଦ୍ଧି ପାଇଁ, ଜାତିର ମଙ୍ଗଳ ଓ ଦେଶର ହିତ ସାଧନ ପାଇଁ । ଅନ୍ୟ ଭାଷାର ଏନ୍‌ସାଇକ୍ସୋଜୋପେଡ଼ିଆ ସୃଷ୍ଟି ହୋଇଛି ବହୁଜ୍ଞାନୀ, ମନୀଷୀ, ପଣ୍ଡିତମାନଙ୍କ ସମବେତ ଉଦ୍ୟମରେ, ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କ ସାହାଯ୍ୟ ସହଯୋଗରେ ଏବଂ ସେଥିରେ ବ୍ୟୟ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ମାତ୍ର ପ୍ରତିଭାବାନ ମନୀଷୀ, ସବୁ ବିଷୟରେ ବିଶେଷଜ୍ଞ, ନିର୍ଦ୍ଧନ ବିନୋଦବାବୁ ଏକାକୀ ଓଡ଼ିଆ ଭାଷାରେ ଯେଉଁ ଦ୍ୱିତୀୟ କୋଣାର୍କ ସ୍ଥାପନ କରିଗଲେ, ତାହା ଜଗତରେ ଅତୁଳନୀୟ ମନେହୁଏ । ରବୀନ୍ଦ୍ରନାଥଙ୍କର ଏକଲା ‘ଚଲୋରେ’ର ଆଦର୍ଶ, ଗାନ୍ଧିଜୀଙ୍କର ‘ଜନତା ଜନାର୍ଦ୍ଦନର ସେବା’ର ଆହ୍ଲାନ ଏବଂ ଉତ୍କଳମଣି ଗୋପବନ୍ଧୁଙ୍କର ‘‘ସାହିତ୍ୟକୁ ଗଣାଭିମୁଖୀ’ କରିବାର ଅଭୀପ୍‌ସା ବିନୋଦବାବୁଙ୍କୁ ଏହି ଜ୍ଞାନଯଜ୍ଞରେ ସାହାଯ୍ୟ କଲା ।

 

ବିନୋଦବାବୁ ଥିଲେ ଗଣଶିକ୍ଷାର ସ୍ତମ୍ଭ । ଆମ ‘ଅପାଠୁଆମାନଙ୍କର ଗୁରୁ ଓ ଜ୍ଞାନଦାତା । ଗାନ୍ଧୀଙ୍କର ପ୍ରକୃତ ଦାୟାଦ । ଆମ ଉତ୍ତର ପୁରୁଷ ତାଙ୍କୁ ଭୁଲିବେ ନାହିଁ କି ଭୁଲି ପାରିବେ ନାହିଁ । ଅନେକ ଜଟିଳ ବୈଜ୍ଞାନିକ ତଥ୍ୟର ସରଳ ରୈଖିକ ଗତି ତାଙ୍କ ବଳିଷ୍ଠ ଲେଖନୀ ମୂନରେ ସେ କରିପାରିଛନ୍ତି ।

 

ବିନୋଦବାବୁ ସର୍ବଦା କହୁଥିଲେ ‘ମୁଁ ଜଣେ ଅପାଠୁଆ’ । ସେ ଯଦି ଅପାଠୁଆ, ତେବେ ‘ପାଠୁଆ’ କିଏ ? ସାଧାରଣ ଭାବରେ କହିଲେ ବିନୋଦବାବୁ ଅପାଠୁଆ ନୁହଁନ୍ତି । ଅଧାପାଠୁଆ । ଇଂରାଜୀରେ କହନ୍ତି ‘drop out’ କିନ୍ତୁ ବିଶ୍ୱିଦ୍ୟାଳୟ ପ୍ରଫେସର ବା ଯେ କେହି ଓଡ଼ିଆ ଭାଷାର ପାଠୁଆ ଲୋକ ତାଙ୍କ ଲେଖାକୁ ଯଦି ପଢ଼ିବେ, ସେଥିରୁ ନିଶ୍ଚିତ ଭାବେ ଜ୍ଞାନ ଲାଭ କରିବେ, ଏଥିରେ ସନ୍ଦେହ ନାହିଁ । ତେଣୁ ସେ ଜଣେ ଓସ୍ତାଦ୍‌ ଶିକ୍ଷକ ଥିଲେ । ଏ ଦିଗରେ ସେ ନିଜ ଜୀବନୀ ’ପାଠ ପଛେ ପଛେ ଅପାଠୁଆ’ରେ ଲେଖି ଯାଇଛନ୍ତି । ତେଣୁ ଯେଉଁମାନେ କହୁଛନ୍ତି ଯେ ମୋର କୌଣସି ଖାସ୍‌ ସଫଳତା ନ ଥିବାରୁ ମୋ ମୃତ୍ୟୁପରେ ମୋତେ ଆଉ ମନେ ରଖିବେ ନାହିଁ । ତେଣୁ ମୁଁ ଦୟାର ପାତ୍ର- ସେମାନଙ୍କୁ ମୁଁ ଦୋଷ ନ ଦେଇ କହିପାରେ ଯେ ‘‘ମୋ ମୃତ୍ୟୁପରେ ପ୍ରଥମ ଶୋକସଭାରେ ଯଦି କୁହାଯିବ ‘ଜଣେ ସଫଳ ଶିକ୍ଷକ ଚାଲିଗଲେ’ ମୋ ପ୍ରତି ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରାଯିବ ।’’ ପୁନର୍ବାର ସେ କହିଛନ୍ତି, ‘‘ମୋତେ ଶିକ୍ଷକ ବୋଲି ନ କହି ‘ମାଟିବଂଶ ଅବଧାନ’ ବୋଲି କୁହାଯାଉ । ସେ ଅବଧାନଙ୍କର କାମ ହେଲା ପିଲାଙ୍କୁ ଅକ୍ଷର ଚିହ୍ନାଇ ଦେବେ, ଅକ୍ଷର ଲେଖାଇ ଦେବେ । ମାତ୍ରା ସବୁ ଲେଖାଇବେ, ବହି ପଢ଼ା ଶିଖାଇବେ, ମିଶାଣ ଫେଡ଼ାଣ ଗୁଣନ ହରଣ ଶିଖାଇବେ, ପଣକିଆ ମୁଖସ୍ତ କରାଇ ଦେବେ । କଳା କଳେବର କହ୍ନାଇ ଭଳି କେତୋଟି ଗୀତ ବୋଲାଇ ଦେବେ ।’’

 

ବିନୋଦ କାନୁନ୍‌ଗୋଙ୍କ ପ୍ରଣୀତ ଜ୍ଞାନମଣ୍ଡଳ ଓଡ଼ିଆ ସାହିତ୍ୟର ଆଜି ପରମ ସମ୍ପଦ । ସାହିତ୍ୟ କେବଳ କାବ୍ୟ, କବିତା, ନାଟକ, ଉପନ୍ୟାସ ଓ ଗଳ୍ପ ରଚନା ଭିତରେ ସୀମାବଦ୍ଧ ନୁହେଁ । ଆଧୁନିକ ସାହିତ୍ୟ ବିଶ୍ଵର ଜ୍ଞାନବିଜ୍ଞାନର ସମସ୍ତ ବିଭାଗକୁ ଘେନି ସମୃଦ୍ଧ । ବିନୋଦବାବୁ ବିଶ୍ୱ ଜ୍ଞାନ ବିଜ୍ଞାନର ସର୍ବଶ୍ରେଷ୍ଠ ବିକାଶଧାରା ତାଙ୍କ ପ୍ରଣୀତ ଜ୍ଞାନମଣ୍ଡଳ କ୍ଷୁଦ୍ରକ୍ଷୁଦ୍ର ଶତାଧିକ ପୁସ୍ତକ ଓ ବହୁ ସଂଖ୍ୟକ ଫାଇଲରେ ଓଡ଼ିଆ ସାହିତ୍ୟ ପାଇଁ ଅମୂଲ୍ୟ ସମ୍ପଦ ରୂପେ ରଖି ଦେଇ ଯାଇଛନ୍ତି । ଓଡ଼ିଶାର ଜଣେ ଲେଖକ ଯେ କୌଣସି ବିଷୟରେ ଲେଖିବାକୁ ଚାହିଁଲେ ‘ଜ୍ଞାନମଣ୍ଡଳ’ରୁ ସେ ଅନେକ କିଛି ଜାଣିପାରିବେ । ବହୁ ଜଟିଳ ବୈଜ୍ଞାନିକ ବିକାଶ ବିଷୟରେ ସାଧାରଣ ଜ୍ଞାନ ହାସଲ କିରବାକୁ ଚାହିଁଲେ ‘ଜ୍ଞାନମଣ୍ଡଳ’ ମନ୍ଦିରରୁ ଜଣେ ଛାତ୍ର, ଶିକ୍ଷକ ତଥା ସାଧାରଣ ପାଠକ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିପାରିବେ ।

 

ଏହି ଜ୍ଞାନତପସ୍ଵୀ ଯୁଗେଯୁଗେ ଯେ ମନେ ରହିଥିବେ- ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

 

 

ଅଧ୍ୟାପକ, ରାଜନୀତି ବିଜ୍ଞାନ

ଖ୍ରୀଷ୍ଟ ଜଲେଜ, କଟକ

 

***

 

ସଂଗ୍ରାମୀ ସାରସ୍ଵତ ସାଧକ ବିନୋଦ କାନୁନ୍‌ଗୋ

ବିଜୟ କୁମାର ରାଉତ

 

ଜୀବନ ଚରିତ :

ଏ ଧରା ପୃଷ୍ଠରେ କୋଟି କୋଟି ମନୁଷ୍ୟ ଜନ୍ମଗ୍ରହଣ କରିଥିଲେ ମଧ୍ୟ ସମସ୍ତଙ୍କର ଜୀବନ କାହାଣୀ ଇତିହାସ ପୃଷ୍ଠା ଧରି ରଖିପାରେ ନାହିଁ । ମାତ୍ର ଅନେକଙ୍କ ମଧ୍ୟରେ ଜଣେ ଜଣେ ବ୍ୟକ୍ତି ଅଛନ୍ତି, ସେମାନେ କେବଳ ବର୍ତ୍ତମାନ କାହିଁକି, ଭବିଷ୍ୟତ ବଂଶଧରମାନଙ୍କର ଆଦର୍ଶ ହୋଇ ରହିଯାଆନ୍ତି । ନିରନ୍ତର ସଂଘର୍ଷ ଓ କଠୋର ସାଧନାକୁ ଆଧାର କରି ସେମାନଙ୍କର ଜୀବନ ଗଠିତ ହୁଏ । ସେମାନେ ବ୍ୟକ୍ତିଗତ ଜୀବନ ଓ ଆନୁଷ୍ଠାନିକ ଜୀବନ ମଧ୍ୟରେ କିଛି ପାର୍ଥକ୍ୟ ରଖନ୍ତି ନାହିଁ । ସେମାନଙ୍କର ଜୀବନୀ ଗୋଟିଏ ଜାତିର ଅମୂଲ୍ୟ ସଂପଦ ହୋଇ ଯୁଗଯୁଗକୁ ରହିଯାଏ । ସେମାନଙ୍କ ଚିନ୍ତାଧାରାରେ ସମାଜ ହୁଏ ବିକଶିତ, ଚଳଚଞ୍ଚଳ । ଏହିପରି ଏକ ବିରାଟ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ ଶ୍ରୀ ବିନୋଦ କାନୁନ୍‌ଗୋ । ଶ୍ରୀ କାନୁନ୍‌ଗୋ ଏକାଧାରାରେ ଥିଲେ ଜାତୀୟ ଜୀବନର ଦିଗ୍‍ଦ୍ରଷ୍ଟା, ସୁସାହିତ୍ୟିକ, ଆଦର୍ଶ ସାମ୍ବାଦିକ, ଜ୍ଞାନମଣ୍ଡଳ ପ୍ରଣେତା ଓ ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ । ଏହି ପ୍ରତିଭାବାନ ସ୍ରଷ୍ଟାଙ୍କର ଜନ୍ମହୁଏ କଟକ ଜିଲ୍ଲାର କିଶୋରନଗର ଥାନା ଅନ୍ତର୍ଗତ ମଲିପୁର ଗ୍ରାମରେ ୧୯୧୨ ମସିହା ଜୁନ ୬ ତାରିଖରେ । ତାଙ୍କ ପିତାଙ୍କ ନାମ କେଶବଚରଣ କାନୁନଗୋ ଓ ମାତାଙ୍କ ନାମ ପୀରଦେବୀ ।

 

ମଲିପୁର ଗ୍ରାମର ଏକ ପ୍ରତିଷ୍ଠିତ ବଂଶ ବିନୋଦ କାନୁନ୍‌ଗୋଙ୍କ ପରିବାର । ସେହି ବଂଶର ଆଭିଜାତ୍ୟ ଓ ପରମ୍ପରା ଅତ୍ୟନ୍ତ ଉଚ୍ଚକୋଟୀର । ତାଙ୍କ ବଂଶର ନିୟମାନୁସାରେ ଜ୍ୟେଷ୍ଠପୁତ୍ର କାନୁନ୍‌ଗୋ ନାମରେ ପରିଚିତ ହେଲାବେଳେ ତା’ ତଳଭାଇମାନେ ମହାନ୍ତି ସାଙ୍ଗିଆ ବ୍ୟବହାର କରୁଥିଲେ । ଅନୁରୂପେ ବିନୋଦ କାନୁନ୍‌ଗୋଙ୍କ ପିତା ଜ୍ୟେଷ୍ଠପୁତ୍ର ହୋଇଥବାରୁ ତାଙ୍କ ନାମ ଥିଲା କେଶବଚରଣ କାନୁନ୍‌ଗୋ ଏବଂ ତାଙ୍କର ଦୁଇ ଦାଦାଙ୍କ ନାମ ଥିଲା ବୈଷ୍ଣବଚରଣ ମହାନ୍ତି ଓ କାଳନ୍ଦୀ ଚରଣ ମହାନ୍ତି ।

 

ଶିକ୍ଷା

ବହୁ ପୂର୍ବରୁ ଓଡ଼ିଶାରୁ ପାରମ୍ପରିକ ଜୀବନଯାତ୍ରାରେ ମାଟିବଂଶ ଅବଧାନଙ୍କ ଚାଟଶାଳୀ ହିଁ ଥିଲା ଏକମାତ୍ର ଶିକ୍ଷାନୁଷ୍ଠାନ । ପ୍ରଥମ ବିଶ୍ଵଯୁଦ୍ଧ ପୂର୍ବବର୍ତ୍ତୀ କାଳରେ ଉତ୍କଳରେ ବିଭିନ୍ନ ସ୍ଥାନରେ ଇଂରେଜ ସ୍କୁଲ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଅବଧାନଙ୍କ ଚାଟଶାଳୀ ବିଲୁପ୍ତ ହୋଇ ନ ଥିଲା ।

 

ବିନୋଦ କାନୁନ୍‌ଗୋଙ୍କୁ ସେତେବେଳେ ମାତ୍ର ଚାରିବର୍ଷ ବୟସ ହୋଇଥାଏ । ତାଙ୍କ ମାମୁଁ ଥିଲେ ଓଡ଼ିଶାର ଲ୍‌ବଧପ୍ରତିଷ୍ଠିତ ସୁସାହିତ୍ୟିକ, ପ୍ରାଚୀସମିତି ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି । ସେ ବିନୋଦ କାନୁନ୍‌ଗୋଙ୍କର ପରିବାରର ଭଲମନ୍ଦ ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ରଖିଥିଲେ । ଏହି ବିଶିଷ୍ଟ ସାହିତ୍ୟିକଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିନୋଦ କାନୁନ୍‌ଗୋଙ୍କର ଭବିଷ୍ୟତ କୋଣାର୍କର ଭିତ୍ତି ସ୍ଥାପନ ହେଲା । ସେ ଖବର ଦେଲେ ଯେ, ଚାରିମାସ, ଚାରିଦିନ ଯେଉଁଦିନ ପୂରିଯିବ ସେହିଦିନ ବିଦ୍ୟାରମ୍ଭ ଓ କାନଫୋଡ଼ା ହେବ । ତତ୍‌କାଳୀନ ଶିକ୍ଷାବ୍ୟବସ୍ଥା ଅନୁସାରେ ବିନୋଦ କାନୁନ୍‌ଗୋ ଅବଧାନଙ୍କ ପାଖରେ ବସି ପାଠପଢ଼ା ଆରମ୍ଭ କରିଥିଲେ । ପାଠ୍ୟ ଆରମ୍ଭ ସମୟରେ ତାଙ୍କର ବାଲ୍ୟ ଅନୁଭୂତି ମଧ୍ୟ ବେଶ ଚମକପ୍ରଦ । ସେ ଶୈଶବର ସ୍ମୃତିଚାରଣ କରି ଲେଖିଛନ୍ତି- ‘‘ନୂଆ ଲୁଗା ପିନ୍ଧାଇ ମୋତେ ନିଆଗଲା ଗିରିଧାରୀ ଅବଧାନଙ୍କ ପାଖକୁ । ପାଠ ବୋଲି ମୁଁ କଅଣ ସେତେବେଳକୁ ଜାଣି ନ ଥାଏ । ତା’ସଙ୍ଗେ ସଙ୍ଗେ ଏତିକି ଜାଣିଥାଏ ଯେ, ପାଠ ନ’ ଆସିଲେ ପିଲା ମାଡ଼ ଖାଆନ୍ତି । ଯେଉଁମାନେ ମାଡ଼ ଖାଆନ୍ତି, ସେମାନଙ୍କ କାନ୍ଦ ତ ଦେଖିଥାଏ । ତେଣୁ ସେକଥା ଉଠିଲାବେଳକୁ କାନ୍ଦି ଗଡ଼ିଲି । ମୋତେ ବୁଝାଇ ଦିଆଗଲା ମୁଁ ପାଠ ପଢ଼ିବି ନାହଁ । କେବଳ ତିନୋଟି ମୁଣ୍ଡଳା ବ୍ରହ୍ମା- ବିଷ୍ଣୁ- ମହେଶ୍ୱର ମଡ଼ାଇ ଚାଲି ଆସିବି । ଅବଧାନେ ମୋତେ ମୁଣ୍ଡଳା ବୁଲାଇ ଦେଲେ ମାଟି ଖଡ଼ିରେ । ହାତ ମୁଠା କରି ସେହି ମୁଣ୍ଡଳାକୁ ଲିଭାଇଦେଇ କପାଳରେ ନେଇ ଲଗାଇବାକୁ କହିଲେ । ମୁଣ୍ଡରେ ବେତଟି ଛୁଆଁଇ ଦେଲେ । ପୁଣି କାଖହୋଇ ଘରକୁ ଫେରିଲି ।’’ (ଋଣ ପରିଶୋଧ- ବିନୋଦ କାନୁନ୍‌ଗୋ, ପୃ ୫୪-୫୬)

 

କେଶବ କାନୁନ୍‌ଗୋ ପୁତ୍ର ବିନୋଦର ଭବିଷ୍ୟତ ପାଇଁ ଚିନ୍ତା କରି ନ ଥିଲେ । ମାତ୍ର ପୀରଦେବୀ ସବୁବେଳେ ପୁତ୍ର ପାଇଁ ଚିନ୍ତିତ ଥିଲେ । ଯୋଗକୁ ଆର୍ତ୍ତବଲ୍ଲବ ମହାନ୍ତିଙ୍କ ବଡ଼ ପୁଅ ମରିଯିବାରୁ ବିନୋଦଙ୍କ ମାଇଁ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ସେ ଚାହୁଁଥିଲେ ତାଙ୍କ ପାଖରେ ଗୋଟିଏ ପିଲା ରହୁ ବୋଲି । ତେଣୁ ଆର୍ତ୍ତବଲ୍ଲଭଙ୍କ ପ୍ରସ୍ତାବରେ ମାତା ପୀରଦେବୀ ବିନୋଦଙ୍କୁ ମାମୁଁଘରକୁ ପଠାଇବା ଲାଗି ରାଜି ହୋଇଗଲେ । ୬’ ବର୍ଷର ବାଳକ ବିନୋଦ ମାମୁଁଘର ନାଗଣପୁରରେ (କେନ୍ଦ୍ରାପଡ଼ା ଜିଲାର ପାଟକୁରା ଥାନା ) ଯାଇ ରହିଲେ ଓ ନାଗଣପୁର ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇ ପାଠ ପଢ଼ିଲେ ।

 

ବାଳକ ବିନୋଦ ନାଗଣପୁରଠାରେ ମାମୁଁ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଘରେ ୧୯୧୭ ମସିହାଠାରୁ ୧୯୨୨ ମସିହା ପର୍ଯ୍ୟନ୍ତ ପାଞ୍ଚବର୍ଷ ରହି ପାଠ ପଢ଼ିଥିଲେ । ସେଠାରେ ରହିବା ସମୟ ଭିତରେ ତାଙ୍କର ପରିଚୟର ଦିଗ୍‌ବଳୟ ବିସ୍ତାରିତ ହୋଇଥିଲା ।

 

ତୁଳସୀ ଦୁଇପତ୍ରରୁ ବାସିଲା ପରି ବିନୋଦଙ୍କର ଶୈଶବରୁ ତାଙ୍କ ପ୍ରତିଭାର ପରିଚୟ ମିଳିଥିଲା । ଛାତ୍ର ଅବସ୍ଥାରୁ ନିଜର ଅଧ୍ୟବସାୟ ବଳରେ ସେ ଅନେକଥର ଛାତ୍ରବୃତ୍ତି ଲାଭ କରିଥିଲେ । ନାଗଣପୁର ଅପରପ୍ରାଇମେରୀ ଶିକ୍ଷା ଶେଷ କରି ମାଇନର ପଢ଼ିବା ପାଇଁ କଟକ ଆସି ମାମୁଁ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ପାଖରେ ସେ ରହିଲେ । ସେତେବେଳକୁ ଆର୍ତ୍ତବଲ୍ଲଭ ମହାନ୍ତି ରେଭେନ୍‌ସା ମହାବିଦ୍ୟାଳୟର ଅଧ୍ୟାପକ ଏବଂ ଇଷ୍ଟହଷ୍ଟେଲର ସୁପରିଟେଣ୍ଡେଣ୍ଟ । ମାମୁଁଙ୍କ ବସାରେ ବିନୋଦ ରହିଲେ ସତ, ହେଲେ ସେ କେଉଁଠାରେ ନାମ ଲେଖାଇ ପାଠ ପଢ଼ି ପାରିଲେ ନାହିଁ । ୧୯୨୬ ମସିହାରେ କେତେକ ଅଧ୍ୟାପକଙ୍କ ଉଦ୍ୟମରେ ରାଣୀହାଟ ମାଇନର ସ୍କୁଲର ଶୁଭାରମ୍ଭ ହେଲା । ବିନୋଦଙ୍କୁ ସେତେବେଳେ ଚଉଦ ବର୍ଷ । ତାଙ୍କ ପାଠ ପଢ଼ିବା ପାଇଁ ରାଣୀହାଟ ମାଇନର ସ୍କୁଲ୍‌ରୁ ସହାୟକ ହେଲା । ବିନୋଦ ସେଠି ଷଷ୍ଠଶ୍ରେଣୀରେ ନାମ ଲେଖାଇଲେ । ସେ କଟକ ରାଣୀହାଟ ମାଇନର ସ୍କୁଲରୁ ପ୍ରଥମ ବୃତ୍ତି ପାଇଲେ ଓ ୧୯୨୮ ମସିହା ଜାନୁୟାରୀ ଦୁଇ ତାରିଖ ଦିନ ସେ ରେଭେନ୍‍ସା କଲିଜିଏଟ୍‌ ସ୍କୁଲରେ ନାମ ଲେଖାଇଲେ ।

 

ଜୀବନର ପ୍ରସ୍ତୁତିକ୍ଷେତ୍ର- ରେଭେନ୍‍ସା କଲିଜିଏଟ୍‌ :

ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାରମ୍ଭ କରିବା ସମୟରୁ ହିଁ ବିନୋଦ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିଲେ । ସେତେବେଳେ କଲିଜିଏଟ୍‌ ସ୍କୁଲକୁ ଓଡ଼ିଶାର ସବୁ ଅଞ୍ଚଳର ମେଧାବୀଛାତ୍ର ତଥା ଧନୀ ଓ ଜମିଦାରଙ୍କ ପିଲାମାନେ ପଢ଼ିବାକୁ ଆସୁଥିଲେ । ନେତାଜୀ ସୁଭାଷଚନ୍ଦ୍ର ବୋଷ ଏହି ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ କଲେଜରେ ପଢ଼ିବା ପାଇଁ କଲିକତା ଯାଇଥିଲେ । ଉତ୍କଳ ଗୌରବ ମଧୁସୂଦନ ଏହି ସ୍କୁଲର ଅନ୍ୟତମ କୃତୀ ଛାତ୍ର ଥିଲେ ।

 

ସେତେବେଳେ ଭାରତର ସ୍ୱାଧୀନତା ସଂଗ୍ରାମର ଆଉ ଏକ ଅଧ୍ୟାୟ ଆରମ୍ଭ ହୋଇଥାଏ-। ଏପରିକି ଇଂରେଜମାନଙ୍କର କୁଶାସନ ତଥା ରାଜାରାଜୁଡ଼ାଙ୍କ ଶୋଷଣସର୍ବସ୍ଵ କାର୍ଯ୍ୟ ଓ ଅତ୍ୟାଚାର ବିରୋଧରେ ବହୁ ଆନ୍ଦୋଳନ ଓ ବିଦ୍ରୋହ ସଂଘଠିତ ହୋଇଥିଲା । ଭାରତବର୍ଷରେ ଇଂରେଜ ଶକ୍ତିକୁ ହଟାଇବା ପାଇଁ ଏକ ଗଣଆନ୍ଦୋଳନ ଗଢ଼ି ଉଠିଥିଲା । ସେତେବେଳେ ବିଶେଷ କରି ତରୁଣ ଛାତ୍ରମାନେ ମାତୃଭୂମିକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ଆଗୁସାର ହୋଇଥିଲେ । ବିନୋଦଙ୍କ ଉପରେ ଏହାର ପ୍ରଭାବ ପଡ଼ିଥିଲା । ବିନୋଦବାବୁ ଯେଉଁ କଲିଜିଏଟ୍‌ ସ୍କୁଲ୍‌ରେ ଅଧ୍ୟୟନ କରୁଥିଲେ, ସେ ସ୍କୁଲ ଥିଲା ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ବାସଭବନ ନିକଟରେ । ତାଙ୍କ ପାଚେରୀକୁ ଲାଗି ସନସାଇନ ଖେଳ ପଡ଼ିଆ ଯେଉଁଠିକି ଛାତ୍ର ବିନୋଦ ପ୍ରତିଦିନ ଖେଳିବାକୁ ଆସନ୍ତି । ଚୌଧୁରୀଙ୍କ ବାସଭବନ ହତାରେ ପ୍ରତିଦିନ ସକାଳେ ଜାତୀୟ ପତାକା ଉତ୍ତୋଳନ କରାଯାଏ । ଏହି କାର୍ଯ୍ୟକ୍ରମରେ ବହୁ କିଶୋର ସ୍ଵାଧୀନତା ସଂଗ୍ରାମୀ ଯୋଗଦେଇ ପତାକା ଉତ୍ତୋଳନ କରନ୍ତି । ବିନୋଦବାବୁ ପଢ଼ିବାକୁ ଯାଇଥିଲେ ସତ, ହେଲେ ତାଙ୍କର ପଢ଼ାରେ ଆଉ ମନ ଲାଗିଲା ନାହଁ । ଜାତୀୟ ପତାକା ଉତ୍ତୋଳନ ଓ ସନ୍ଧ୍ୟାବେଳେ କାଠଯୋଡ଼ି ନଦୀବାଲିରେ ସଭାଦେଖି ସେଥିରେ ଯୋଗଦେବା ପାଇଁ ମନ ତାଙ୍କର ଅସ୍ଥିର ହୋଇଉଠିଲା । ସେଦିନର ଐତିହାସିକ ସ୍ମୃତିକୁ ରୋମନ୍ଥନ କରି ବିନୋଦବାବୁ ଲେଖିଛନ୍ତି- ‘‘ଦିନେ ସଭାକୁ ଯାଇଥିଲି, ଖଣ୍ଡେ ଧୋତି, ଖଣ୍ଡେ କୁର୍ତ୍ତା ଓ ଗେଞ୍ଜିଟି ପିନ୍ଧି । ଲୁଗାପୋଡ଼ା ଆରମ୍ଭ ହୋଇଗଲା- ଚାଲିଲାଗୀତ । କୁର୍ତ୍ତାଖଣ୍ଡିକ କାଢ଼ି ନିଆଁକୁ ଫୋପାଡ଼ି ଦେଲି । କିଛି ସମୟ ପରେ ଗେଞ୍ଜିଟି ଗଲା । ଲୁଗାଖଣ୍ଡିକ ପକାଇ ଦେଲି । କିଏ ଖଣ୍ଡେ ଖଦଡ଼ଚଦର ମୋ କାନ୍ଧରେ ପକାଇଦେଲେ । ସେ ଖଣ୍ଡିକ ଲୁଙ୍ଗି ଭଳି ପିନ୍ଧିଦେଇ ଘରକୁ ଫେରିଲି । (ଋଣ ପରିଶୋଧ - ପୃ. ୧୯୮)

 

ତା’ପରେ ଲବଣ ସତ୍ୟାଗ୍ରହରେ ଯୋଗ ଦେବା ପାଇଁ ତାଙ୍କର ମନ ଉଚ୍ଛନ୍ନ ହେଲା । ୧୯୩୦ ମସିହା ଏପ୍ରିଲ ୧୦ ତାରିଖ ଦିନ କଟକ ସହରରେ ଛାତ୍ରମାନଙ୍କର ଏକ ଶୋଭାଯାତ୍ରା ବାହାରି କଲିଜିଏଟ୍‌ ସ୍କୁଲ ସମେତ କଟକର ଅନ୍ୟ ସ୍କୁଲ ଆଗରେ ପିକେଟିଂ କରାଗଲା । ଛାତ୍ରମାନଙ୍କୁ ସ୍କୁଲ ଭିତରକୁ ଛାଡ଼ିଦିଆଗଲା ନାହିଁ । କଲିଜିଏଟ୍‌ ସ୍କୁଲର ପ୍ରଧାନ ଫାଟକ ନିକଟରେ ରହି ଯେଉଁ ଦଶଜଣ ଛାତ୍ର ପିକେଟିଂ କରି ଛାତ୍ରମାନଙ୍କୁ ଭିତରକୁ ଛାଡ଼ୁ ନଥିଲେ, ତାଙ୍କ ଭିତରେ ଥିଲେ ଦଶମ ଶ୍ରେଣୀର ଛାତ୍ର ବିନୋଦ କାନୁନଗୋ । ୧୯୩୦ ମସିହା ଏପ୍ରିଲ ୧୦ ତାରିଖ ଥିଲା ତାଙ୍କ ପାଇଁ ସ୍କୁଲ ଶେଷଦିନ । ସେହିଦିନ ବିଦ୍ୟାଳୟରୁ ବହିଷ୍କୃତ ହୋଇଥିଲେ ।

 

ଲବଣ ସତ୍ୟାଗ୍ରହ ସମୟରେ ବିନୋଦବାବୁ ସ୍କୁଲ ଛାଡ଼ିଥିଲେ । ଗାନ୍ଧୀଙ୍କ ଆହ୍ୱାନ ତାଙ୍କ ମନକୁ ଉଦ୍‌ବେଳିତ କଲା । ସମସ୍ତ ସୁଖ, ସମ୍ପଦ, ସ୍ନେହ, ମମତା ତଥା ଉଜ୍ଜ୍ୱଳ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ବାଛିନେଲେ ଏକ ନୂତନ ପଥ । ଜୀବନ ପ୍ରତି ଭୟ ନ କରି ଜେଲଜୋରିମାନା ଓ ଉତ୍ପୀଡ଼ନକୁ ଭ୍ରୁକ୍ଷେପ ନ କରି ଆଗେଇ ଆସିଲେ ଦେଶମାତୃକାର ମୁକ୍ତି ପାଇଁ । ଦେଶ ପାଇଁ ସେ କରିଗଲେ କୁଚ୍ଛ ସାଧନା । ଦୀର୍ଘ ସାତବର୍ଷର ବନ୍ଧନ ତୁଟାଇ ଆରାମକୁ ହାରାମ ମନେକରି, ମାମୁଁ ଆର୍ତ୍ତବଲ୍ଲଭ ମହାନ୍ତିଙ୍କୁ ଭ୍ରୁକ୍ଷେପ ନ କରି ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଲେ । ପଛକୁ ଆଉ ଫେରିଲେ ନାହିଁ । ତାଙ୍କ ଜୀବନର ଆଉ ଗୋଟିଏ ନୂଆ ଅଧ୍ୟାୟ ସୃଷ୍ଟି ହେଲା ।

 

ବିବାହ :

ବିନୋଦ କାନୁନ୍‌ଗୋ ବରୀରୁ ଫେରିଲା ପରେ ୧୯୩୯ ମସିହାରେ ଶଶୀବାଳା ଦେବୀଙ୍କ ସହ ବିବାହ ହୋଇଥିଲା । ଶଶୀବାଳା ଦେବୀ ୧୯୧୬ ମସିହାରେ ଜଗତସିଂହପୁର ଜିଲ୍ଲା ସାତପୁରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

 

ଶଶୀବାଳା ଦେବୀ ସ୍ୱାମୀଙ୍କ ସଙ୍ଗେ ପାଦ ମିଳେଇ ଚାଲିବାକୁ ପଣ କରି ଛାଇତଳିଆ ଜୀବନକୁ ଭୁଲିଯାଇ ଖଦଡ଼ଲୁଗା ପିନ୍ଧିଲେ, ସୂତା କାଟିଲେ, ଛୁଆଁ ଅଛୁଆଁ ଭେଦକୁ ଜଳାଞ୍ଜଳି ଦେଲେ । ସ୍ଵାମୀଙ୍କ ସହ ମିଶି ସ୍ଵାଧୀନତା ସଂଗ୍ରାମରେ ଅଗଷ୍ଟ ଆନ୍ଦୋଳନରେ ଝାସଦେଇ କାରାବରଣ କଲେ । ସେ ମହାତ୍ମାଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକୁ ଗାଁରେ ପ୍ରସାର ପାଇଁ ସ୍ୱାମୀଙ୍କୁ ସର୍ବଦା ସାହାଯ୍ୟ କରୁଥିଲେ ।

 

କର୍ମମୟ ଜୀବନ :

ପାଠପଢ଼ା ଛାଡ଼ିବା ପରେ ବିନୋଦ କାନୁନ୍‌ଗୋ ସ୍ଵାଧୀନତା ସଂଗ୍ରାମର ମହାରଥୀ ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ନାରୀନେତ୍ରୀ ରମାଦେବୀଙ୍କ ନିକଟକୁ ଯିବା ଆସିବା କଲେ । ସେ କେଉଁ କାମ କରିବେ ଓ କିପରି କରିବେ, ସେ ସଂପର୍କରେ ମଧ୍ୟ ସେମାନଙ୍କଠାରୁ ତାଲିମ ନେଲେ । ଏହି ସମୟରେ ଶ୍ରୀମତୀ ରମାଦେବୀ ବିନୋଦଙ୍କୁ ନେଇ ‘ସମାଜ’ର ଡଃ ରାଧାନାଥଙ୍କ ସହିତ ପରିଚିତ କରାଇ ଦେଲେ । ରମାଦେବୀଙ୍କ କଥାରେ ରାଧାନାଥବାବୁ ଏକମତ ହୋଇଗଲେ-। ରାଧାନାଥବାବୁ ବକ୍ତୃତା ଡାକିଲାବେଳେ ବିନୋଦବାବୁ ଲେଖନ୍ତି । ଏହି ଲେଖାରୁ ସେ ତାଲିମ ପାଇଁ ତାଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା ବୋଲି ନିଜେ ବିନୋଦବାବୁ ତାଙ୍କ ଆତ୍ମଜୀବନୀ ପୁସ୍ତକ ‘‘ଋଣ ପରିଶୋଧରେ ସ୍ଵୀକାର କରିଛନ୍ତି- ‘‘ସେଭଳି ଲେଖିବାଦ୍ୱାରା ଆମ କେତେଜଣଙ୍କର, ବିଶେଷତଃ ମୋର ସାମ୍ବାଦିକ ଜୀବନ ଆରମ୍ଭ ହୋଇଗଲା ବୋଲି କହିଲେ ଚଳେ ।’’

 

ବରୀ ଅଞ୍ଚଳରେ କର୍ମମୟ ଜୀବନ :

୧୯୩୪ ମସିହାରେ ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରା ପରେ ବିନୋଦ କାନୁନ୍‌ଗୋ ସ୍ୱାଧୀନତା ଆନ୍ଦୋଳନର ପ୍ରମୁଖ ନେତା ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ପୂଜ୍ୟା ରମାଦେବୀଙ୍କ ସହତ ସହରଛାଡ଼ି ଗାଁକୁ ଆସିଲେ । ଗୋପବନ୍ଧୁ ଚୌଧୁରୀ ଓ ପୂଜ୍ୟା ରମାଦେବୀଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିବା ପାଇଁ ବିଧିବଦ୍ଧ ସଂକଳ୍ପ କଲେ ଏବଂ ବରୀକୁ ନିଜର କର୍ମସ୍ଥଳୀ ରୂପେ ବାଛିନେଲେ ।

 

ବିନୋଦବାବୁ ଗ୍ରାମବାସୀଙ୍କ ଗହଣରେ ରହିବା ଫଳରେ ଗ୍ରାମବାସୀମାନେ ତାଙ୍କଦ୍ଵାରା ପ୍ରଭାବିତ ହେବାକୁ ଲାଗିଲେ । ଏହିପରି ରଚନାତ୍ମକ କର୍ମୀଭାବେ କାର୍ଯ୍ୟକଲାବେଳେ ଅସ୍ପୃଶ୍ୟତା ନିବାରଣ ଥିଲା ତାଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ । ଏହା ଫଳରେ ସେ ଅଞ୍ଚଳରେ ସାଧାରଣ ଲୋକଙ୍କ ଭିତରେ ଏକ ସାମାଜିକ ଓ ରାଜନୈତିକ ଜାଗରଣ ଦେଖା ଦେଇଥିଲା । ଏତଦ୍‌ବ୍ୟତୀତ ସେ ବରୀ ଅଞ୍ଚଳରେ ପାଞ୍ଚବର୍ଷ ରହି ତୁଳାଭିଣାଠାରୁ ଆରମ୍ଭ କରି ମହୁଚାଷ ଓ ଗୋପାଳନ ପ୍ରଭୃତି ବିଭିନ୍ନ ପ୍ରକାର ରଚନାତ୍ମକ କାର୍ଯ୍ୟରେ ନିଜେ ତାଲିମ ପାଇ ଅନ୍ୟମାନଙ୍କୁ ତାଲିମ ଦେଇଥିଲେ । ଏଇ ଦୀର୍ଘ ପାଞ୍ଚବର୍ଷ ଯଥାର୍ଥ ଶିକ୍ଷା, ସାଧନା ଓ ତପସ୍ୟାର ସମୟ ଏବଂ ଜୀବନ ବିଦ୍ୟାଳୟର ଜଣେ ଯୋଗ୍ୟ ଛାତ୍ର ଭାବରେ ଭବିଷ୍ୟତର ସିଦ୍ଧି ପାଇଁ ଏହା ଥିଲା ତାଙ୍କର ଉଦ୍ୟୋଗ ପର୍ବ ।

 

ସାଧନାର ଅନ୍ୟତମ ପୀଠ-ବ୍ରହ୍ମପୁର ଜେଲ :

୧୯୩୦ରୁ ୧୯୪୬ ମସିହା ପର୍ଯ୍ୟନ୍ତ ଦୀର୍ଘ ସତରବର୍ଷ କାଳ ବିନୋଦବାବୁ ଭାରତର ସ୍ୱାଧୀନତା ସଂଗ୍ରାମ ସହିତ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ । ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ ଅଭିଯୋଗରେ ବିନୋଦବାବୁଙ୍କୁ ଗିରଫ କରାଯାଇ ବ୍ରହ୍ମପୁର ଜେଲରେ ଅଟକବନ୍ଦୀ କରି ରଖାଯାଇଥିଲା । ସେହିଠାରେ ପ୍ରାୟ ତିନିବର୍ଷର ଜେଲଦଣ୍ଡ ସମୟରେ ଦାରିଦ୍ର୍ୟ ଏବଂ ଅଜ୍ଞତାର ଦୂରୀକରଣ ସମ୍ପର୍କରେ ଚିନ୍ତା କରିବା ସଙ୍ଗେ ସଙ୍ଗେ ଜନଶିକ୍ଷାର ଆବଶ୍ୟକତାକୁ ଉପଲବ୍‌ଧି କରିଥିଲେ । ଶହ ଶହ ବହିପଢ଼ି ସେଗୁଡ଼ିକର ସାରାଂଶକୁ ନୋଟ୍‌ କରି ରଖିଥିଲେ । ବିବର୍ତ୍ତନବାଦଠାରୁ ଆରମ୍ଭ କରି ଇଲୋକ୍‌ଟ୍ରୋନିକସ୍‌ ପର୍ଯ୍ୟନ୍ତ ଅନେକ ବିଷୟରେ ପ୍ରାୟ ୧୦ ହଜାରରୁ ଅଧିକ ପୃଷ୍ଠାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହୋଇପାରିଥିଲେ-। ମୁଖ୍ୟତଃ ଦୁଇଟି ବିଷୟକୁ ଆଖି ଆଗରେ ରଖି ସେ ଏପରି କରୁଥିଲେଏ- ପ୍ରଥମଟି ହେଉଛି ଅଧାରୁ ପାଠଛାଡ଼ି ସେ ଯେଉଁ କ୍ଷତି କରିଥିଲେ ତା’ର ପୂରଣ ଏବଂ ଦ୍ୱିତୀୟଟି ହେଉଛି ସାହିତ୍ୟ ମାଧ୍ୟମରେ ସମାଜର କଲ୍ୟାଣ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତି । ଲୋକପ୍ରିୟ ଓଡ଼ିଆ ବିଶ୍ୱକୋଷ ‘ଜ୍ଞାନମଣ୍ଡଳ’ର ଧାରଣା ସେହିଠାରେ ହିଁ ତାଙ୍କ ମନରେ ବସା ବାନ୍ଧିଥିଲା ।

 

ଗ୍ରାମ୍ୟପରିବେଶ ଜୀବନଯାତ୍ରାର ଆଉ ଏକ ଅଧାୟ :

ବ୍ରିଟିଶ ସରକାର ତୃତୀୟ ବିଶ୍ଵଯୁଦ୍ଧରେ ବିଜୟୀ ହୋଇଥିବାରୁ ସାରା ଭାରତରେ ଅରାଜକତା ବ୍ୟାପିଗଲା । ଭାରତ କିପରି ସ୍ଵାଧୀନତା ଲାଭ କରିବ ଗାନ୍ଧିଜୀଙ୍କର ଚିନ୍ତା ଥିଲା । ତେଣୁ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ଏକ ଗ୍ରାମ ସେବକ ସଂଗଠନ କାର୍ଯ୍ୟକ୍ରମ ଶୁଭାରମ୍ଭ ହେଲା । ଭାରତର ଯେଉଁ ୧୦୦ ଜଣ ଗ୍ରାମସେବକଙ୍କୁ ମହାତ୍ମାଗାନ୍ଧୀ ନିଜେ ବାଛିଲେ, ସେମାନଙ୍କ ଭିତରୁ ଓଡ଼ିଶାରୁ ତିନିଜଣରୁ ଜଣେ ଥିଲେ ବିନୋଦ କାନୁନ୍‌ଗୋ । ସେ ତାଙ୍କ ନିଜ ଗାଁ ମଲ୍ଲିପୁରକୁ କେନ୍ଦ୍ରକରି ସେହି ଅଞ୍ଚଳରେ ସମଗ୍ର ଗ୍ରାମସେବକ ଭାବରେ କାର୍ଯ୍ୟକଲେ ।

 

ମହାତ୍ମାଙ୍କ ସାମ୍ନାରେ ନେଇଥିବା ଶପଥ ମୁତାବକ ବିନୋଦଙ୍କ ୧୯୪୫- ୧୯୫୩-ଦୀର୍ଘ ୯ ବର୍ଷ କାଳ ତାଙ୍କର କଟିଥିଲା ନିଜ ଜନ୍ମମାଟି ମଲିପୁରର କୋଳରେ । ଏହି ନଅବର୍ଷକାଳ ତାଙ୍କ ଜୀବନରେ ଥିଲା ଯଥାର୍ଥ ଶିକ୍ଷା, ସାଧନା ଓ ତପସ୍ୟାର ସମୟ । ଗ୍ରାମ୍ୟ ଜୀବନ, ଗ୍ରାମର ପ୍ରତ୍ୟକ୍ଷ ଅନୁଭୂତି ହିଁ ତାଙ୍କୁ ପରବର୍ତ୍ତୀ କାଳର ତିରିଶବର୍ଷର ସାହିତ୍ୟିକ ଜୀବନରେ ବହୁଭାବରେ ସାହାଯ୍ୟ କରିଥିଲା ବୋଲି ସ୍ଵୟଂ ବିନୋଦବାବୁ ସ୍ଵୀକାର କରନ୍ତି ।

 

ପରିବର୍ତ୍ତିତ ଗତିପଥ :

୧୯୫୧-୫୨ ମସିହାରେ ସେ କଟକ ଜିଲ୍ଲାର କିଶୋରନଗର ନିର୍ବାଚନ ମଣ୍ଡଳୀରୁ ସୋସଲିଷ୍ଟ ଦଳର ପ୍ରାର୍ଥୀ ହୋଇଥିଲେ । ତାଙ୍କ ବିରୋଧରେ କଂଗ୍ରେସଦଳର ପ୍ରାର୍ଥୀ ଥିଲେ ବିଶିଷ୍ଟ କଂଗ୍ରେସନେତା ରାଜକୃଷ୍ଣ ବୋଷ । ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀରାଜକୃଷ୍ଣ ବୋଷ ବିଜୟୀ ହେଲେ । କିନ୍ତୁ ବିନୋଦ କାନୁନ୍‌ଗୋଙ୍କ ପରାଜୟ ଥିଲା ଓଡ଼ିଶା ସାହିତ୍ୟ ପାଇଁ ଏକ ଆଶୀର୍ବାଦ । ତେଣୁ ସେ କ୍ଷମତା ରାଜନୀତିର ମୋହ ଭୁଲି ଦୃଢ଼ ମନୋବଳ ନେଇ ୧୯୫୪ ମସିହା ଜାନୁୟାରୀ ପହିଲା ଦିନ ହାତରେ ଗୋଟିଏ ଟଙ୍କା ଧରି ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ନିମିତ୍ତ କଟକକୁ ଆସିଲେ-। ଏହାପରଠାରୁ ଶ୍ରୀକାନୁନ୍‌ଗୋ ଛୋଟ ଛୋଟ ପୁସ୍ତକ ସବୁ ପ୍ରକାଶ କରିବାକୁ ଲାଗିଲେ । ତା’ ପରେ ସେ କେବେ କ୍ଷମତା ରାଜନୀତି ଆଡ଼କୁ ମୁହାଁଇ ନ ଥିଲେ ।

 

ବିନୋଦ କାନୁନ୍‌ଗୋ ଓଡ଼ିଆ ଭାଷା ଓ ସାହିତ୍ୟର ଏକ ଉଜ୍ଜ୍ୱଳ ପ୍ରତିଭା । ଗଭୀର ଅଧ୍ୟବସାୟ ଓ ସାଧନା ବଳରେ ଶତାଧିକ ଛୋଟ ଛୋଟ ପୁସ୍ତକ ତଥା ଜ୍ଞାନମଣ୍ଡଳ ରଚନା କରି ଓଡ଼ିଆ ସାହିତ୍ୟର ଏକ ଚିର ପ୍ରତୀକ୍ଷିତ ଅଭାବକୁ କେବଳ ପରିପୂରଣ କରିଯାଇ ନାହାଁନ୍ତି ବରଂ ବିଶ୍ୱସାହିତ୍ୟ ଦରବାରରେ ଓଡ଼ିଆ ଭାଷା ସାହିତ୍ୟରେ ସୁମହତ ପରମ୍ପରାକୁ ବଜାୟ ରଖିଛନ୍ତି ।

 

ଓଡ଼ିଆ ସାହିତ୍ୟର ବିକାଶ ଥିଲା ତାଙ୍କ ଜୀବନର ଅନ୍ୟତମ ଅଭିଳାଷ । ଦେଶ ପାଇଁ ଲୁହଲହୁ ଦେଇଥିବା ବିନୋଦବାବୁ ଓଡ଼ିଶା ଓ ଓଡ଼ିଆ ଭାଷାର ସୁଦୂର ଭବିଷ୍ୟତକୁ ନେଇ ତିଆରି କଲେ ସୁନ୍ଦର ନକ୍‌ସା ।

 

ସାଧନାର ନବଦିଗନ୍ତ ‘ଜ୍ଞାନମଣ୍ଡଳ’ :

ବିନୋଦ କାନୁନଗୋ ପ୍ରଥମ କରି ଓଡ଼ିଆ ଭାଷାରେ ‘‘ଜ୍ଞାନମଣ୍ଡଳ’’ ରଚନା କରିବା ପାଇଁ ଏକ ପରିକଳ୍ପନା କରିଥିଲେ । ତେଣୁ ସେ ୧୯୫୦ ଦଶକର ପ୍ରାକ୍‌କାଳରେ ଅର୍ଥାତ୍‌ ୧୯୫୩-୫୪ ମସିହାରେ କାବୁଲିବାଲାଠାରୁ ଶହେକେ ୧୮ ଟଙ୍କା ସୁଧଦେଇ ଆରମ୍ଭ କଲେ ତାଙ୍କର ଚିନ୍ତାପ୍ରସୂତ ଜ୍ଞାନମଣ୍ଡଳ କାର୍ଯ୍ୟକ୍ରମ । ଆର୍ଥିକ ଦୂରାବସ୍ଥା ଯୋଗୁ ବିନୋଦବାବୁ ନିଜେ ଜ୍ଞାନମଣ୍ଡଳ ପାଇଁ ଲେଖିବା, ଛାପିବା ଓ ବିକ୍ରି କରିବା କାର୍ଯ୍ୟ ପରିଚାଳନା କରିଥିଲେ ।

 

ପ୍ରାଣର ଆବେଗିକ ଆତ୍ମପ୍ରକାଶ - ଶିଶୁ ସାହିତ୍ୟ :

ଶିଶୁସାହିତ୍ୟ କ୍ଷେତ୍ରରେ ବିନୋଦ କାନୁନ୍‌ଗୋଙ୍କର ଅବଦାନ ଅତୁଳନୀୟ । ଶିଶୁମାନଙ୍କର ନୈତିକତାର ଅଭିବୃଦ୍ଧି ନିମନ୍ତେ ଏବଂ ଜୀବନରେ ବଡ଼ମଣିଷ ହେବାଲାଗି ମହାପୁରୁଷଙ୍କ ଜୀବନୀରୁ ପ୍ରେରଣା ପାଇବା ଉଦ୍ଦେଶ୍ୟରେ ବିନୋଦ କାନୁନଗୋ ପିଲାଙ୍କ ଗୋପବନ୍ଧୁ, ପିଲାଙ୍କ ଜୟପ୍ରକାଶ, ପିଲାଙ୍କ ପଟେଲ, ଗାନ୍ଧୀକଥା, ପିଲାଙ୍କ ଜବାହରଲାଲ, ଆଚାର୍ଯ୍ୟ ହରିହର, ଗାନ୍ଧୀମହାତ୍ମା ଆଦ ପୁସ୍ତକ ରଚନା କରିଥିଲେ ।

 

ବିନୋଦ କାନୁନଗୋ ବୈଜ୍ଞାନିକ ନ ଥିଲେ ବା ବିଜ୍ଞାନ କ୍ଷେତ୍ରରେ କୌଣସି ଉଚ୍ଚଶିକ୍ଷା ପାଇ ନ ଥିଲେ ମଧ୍ୟ ଲୋକପ୍ରିୟ ବିଜ୍ଞାନ ସାହିତ୍ୟ ସୃଷ୍ଟିରେ ଯେଉଁ ଅପୂର୍ବ ପରାକାଷ୍ଠା ଦେଖାଇ ଯାଇଛନ୍ତି, ତାହା ଓଡ଼ିଶାରେ କାହିଁକି ସମଗ୍ର ଦେଶରେ ବିରଳ । ‘‘ତିନିଖଣ୍ଡି କାଉଁରୀହାଡ଼’’, ‘‘ଚଳନ୍ତା ରାଇଜର ଅମୁହାଁ ନଈ’’, ‘‘ଡାକିଲେ ଜବାବ ଦିଅନ୍ତା କି’’, ‘‘ମା’ ଭଳି ମେସିନ୍‌ଟିଏ'', ‘‘ଜୀବନ ତିଆରି କାରଖାନା’’, ‘‘ଦୁଇଶଗାଡ଼ିକୁ ଛ’ଶହ ଇଞ୍ଜିନ’’, ‘‘ମା’ ବୋଲି ସିଏ ମାନିଲା ନାହିଁ’’, ‘‘ସବୁତକ ଚାବି ଧରାଇ ଦେଲି’’ ଆଦି ପୁସ୍ତକରେ ବିଜ୍ଞାନ ବିଷୟରେ ଲେଖାଯାଇଛି । ତାଙ୍କର ସମସ୍ତ କୃତି ମଧ୍ୟରେ ‘ଶିଶୁ ଜ୍ଞାନମଣ୍ଡଳ’ ଏକ ଉଲ୍ଲେଖଯୋଗ୍ୟ କୀର୍ତ୍ତୀ । ପ୍ରାଥମିକ ଶ୍ରେଣୀ ସ୍ତରର ପିଲା ବୁଝିପାରିଲା ଭଳି ତଥା ସେମାନଙ୍କର ସାଧାରଣଜ୍ଞାନର ପରିସରକୁ ବିକାଶ କରିବା ପାଇଁ ସେ ବିଚକ୍ଷଣ ସରଳ ଭାଷା ଓ ବୋଧଗମ୍ୟ ଭାବରେ ବର୍ଣ୍ଣମାଳା ଅନୁସାରେ ‘ଶିଶୁ ଜ୍ଞାନମଣ୍ଡଳ’ ପୁସ୍ତକଟିକୁ ଦୁଇଭାଗରେ ବିଭକ୍ତ କରିଛନ୍ତି । ଏହି ପୁସ୍ତକରେ ସମସ୍ତ ଜ୍ଞାତବ୍ୟ ବିଷୟ ସଂକ୍ଷେପରେ ରହିଛି । ପିଲାମାନଙ୍କ ପାଇଁ ଏହି ବିଷୟଗୁଡ଼ିକ ସରସ ଓ ଚିତ୍ତାକର୍ଷକ କରିବା ପାଇଁ ଏଥରେ ବହୁ ସଂଖ୍ୟକ ଚିତ୍ର ଦିଆଯାଇଛି ।

 

‘‘ଛାତିକୁ ପଥର କରି’’ (ପ୍ରସ୍ତର ଯୁଗ ଓ ଅଗ୍ନିଯୁଗର କାହାଣୀ) ପୁସ୍ତକ ପାଇଁ ୧୯୮୫ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କାର ଲାଭ କରିଥିଲେ । (ଶିଶୁ ସାହିତ୍ୟ ପାଇଁ)

 

ପ୍ରତିଭାର ଆଉ ଏକ ଦିଗନ୍ତ - ସଫଳ ଆତ୍ମଜୀବନୀ :

ବିନୋଦ କାନୁନ୍‌ଗୋ ତାଙ୍କର ସାହିତ୍ୟ ସାଧନା କାଳ ଭିତରେ ଦୁଇଖଣ୍ଡି ଆତ୍ମଜୀବନୀମୂଳକ ଉପାଦେୟ ପୁସ୍ତକ ପ୍ରଣୟନ କରିଛନ୍ତି । ତାହା ହେଉଛି ତାଙ୍କର ଜୀବନ ଦର୍ପଣ-। ସେଥିରେ ତାଙ୍କର ଜୀବନର ଦୃଷ୍ଟି ସହିତ ସୃଷ୍ଟିର ତାତ୍ପର୍ଯ୍ୟ ଓ ମାନବିକ ମହତ୍ତ୍ୱ ପ୍ରକାଶିତ । ଅନ୍ୟାନ୍ୟ ଆତ୍ମଜୀବନୀ ଗ୍ରନ୍ଥ ପରି ଏହା ତାଙ୍କ ଆତ୍ମଜୀବନୀ ନୁହେଁ, ଏହା ସ୍ୱତନ୍ତ୍ର ଏବଂ ନୂତନ ମୌଳିକ ଭିତ୍ତିରେ ଆଲୋଚିତ । ଆତ୍ମଜୀବନୀରେ ବିନୋଦବାବୁ କେବଳ ଆତ୍ମକଥା ନ ଲେଖି, ଯେଉଁମାନେ ତାଙ୍କୁ ଗଢ଼ିବାରେ ସହାୟକ ହୋଇଛନ୍ତି, ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେମାନଙ୍କ କଥା ପ୍ରକାଶ କରି ଋଣ ପରିଶୋଧ କରିଛନ୍ତି । ସେଥିପାଇଁ ତାଙ୍କ ଆତ୍ମଜୀବନୀର ନାମକରଣ କରିଛନ୍ତି ‘‘ଋଣ ପରିଶୋଧ ।’’

 

ତାଙ୍କ ଆତ୍ମଜୀବନୀ ଗ୍ରନ୍ଥର ଦ୍ୱିତୀୟ ଭାଗ ହେଉଛି ‘‘ପାଠ ପଛେ ପଛେ ଅପାଠୁଆ’’ । ଏହି ପୁସ୍ତକରେ ବିନୋଦବାବୁ ଜୀବନବ୍ୟାପୀ ସାଧନାର ସୁନ୍ଦର ଚିତ୍ର ପ୍ରକାଶିତ ହୋଇଛି । ଜ୍ଞାନମଣ୍ଡଳ ପ୍ରସ୍ତୁତିର ବିଭିନ୍ନ ପର୍ଯ୍ୟାୟ ଏଥିରେ ଚମତ୍କାର ଢଙ୍ଗରେ ବର୍ଣ୍ଣନା କରାଯାଇଛି ।

 

ପତ୍ରିକା ସମ୍ପାଦକ ବିନୋଦ କାନୁନ୍‌ଗୋ :

ବିନୋଦ କାନୁନଗୋ ରାଜନୀତିରୁ ଜୀବନ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ଜଣେ ସୃଜନଶୀଳ ସ୍ରଷ୍ଟା ତଥା ବିଭିନ୍ନ ପତ୍ରପତ୍ରିକାର ସମ୍ପାଦକ ଭାବରେ ତାଙ୍କର ପ୍ରତିଭା ସମୁଚିତ ଆଲୋଚନାର ପର୍ଯ୍ୟାୟଭୁକ୍ତ ହୋଇପାରେ ।

 

‘କୁଷକ’ :୧୯୫୧-୧୯୫୨ ମସିହା ସାଧାରଣ ନିର୍ବାଚନ ପରେ ତାଙ୍କ ସମାଜବାଦୀ ବନ୍ଧୁମାନଙ୍କ ଅନୁରୋଧକ୍ରମେ ବିନୋଦବାବୁ ସମାଜବାଦୀ ଦଳର ମୁଖପତ୍ର ସାପ୍ତାହିକ ‘କୃଷକ’ର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ପତ୍ରିକାଟି ୧୯୩୪ ମସିହାରେ ଶ୍ରୀ ନବକୃଷ୍ଣ ଚୌଧୁରୀ ଓ ଶ୍ରୀମତୀ ମାଳତୀ ଚୌଧୁରୀଙ୍କ ନେତୃତ୍ଵରେ ଗଠିତ କୃଷକ ଆନ୍ଦୋଳନ ପକ୍ଷରୁ ପ୍ରଥମେ ପ୍ରକାଶ ପାଇଥିଲା । ବିନୋଦବାବୁ ଦୁଇବର୍ଷ ପର୍ଯ୍ୟନ୍ତ ଏହି ପତ୍ରିକାଟି ଦକ୍ଷତାର ସହିତ ସମ୍ପାଦନା ଓ ପରିଚାଳନା କରିଥିଲେ । ସାପ୍ତାହିକ ‘କୃଷକ’ରେ ସମାଜବାଦୀ ଦଳର କାର୍ଯ୍ୟକଳାପ ସାଙ୍ଗକୁ ଶାସନର ଦୁର୍ନୀତି ଓ ଭ୍ରଷ୍ଟାଚାର ବିଷୟରେ ତୀବ୍ର ସମାଲୋଚନା କରାଯାଉଥିଲା । ସେଥିପାଇଁ ‘କୃଷକ’ର ବିକ୍ରି ବୃଦ୍ଧି ପାଇଥିଲା ।

 

‘ଶିଶୁସମ୍ପଦ’ : ‘ଶିଶୁସମ୍ପଦ’ ଏକ ଶିଶୁ ପତ୍ରିକା । ସେ ଏହାର ସମ୍ପାଦନା କରି ନିଜ ବଳିଷ୍ଠ ପ୍ରତିଭାର ପରିଚୟ ଦେଇଛନ୍ତି । ଏହା ଓଡ଼ିଶାର ଅଗଣିତ ଶିଶୁମାନଙ୍କର ମନୋରଞ୍ଜନ ଓ ଜ୍ଞାନର ବିକାଶରେ ସହାୟକ ହୋଇଥିଲା । ଏହା କଟକରୁ ୧୯୫୪ ମସିହାରେ ପ୍ରକାଶ ପାଇଥିଲା । ଏହି ଶିଶୁ ପତ୍ରିକାର ପୃଷ୍ଠା ସଂଖ୍ୟା ଥିଲା ୪୮ । ପତ୍ରିକାଟି କ୍ରମଶଃ ଲୋକପ୍ରିୟ ହୋଇଥଲା ଓ ବିକ୍ରି ସଂଖ୍ୟା ତିନିହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ସରଳ ଭାଷାରେ ବିଜ୍ଞାନ- କଥାକୁ କିଭଳି ଲେଖାଯାଇପାରେ ତାହା ‘ଶିଶୁସମ୍ପଦ’ରେ ପ୍ରକାଶିତ ତାଙ୍କର ଶହଶହ ଲେଖାରୁ ପ୍ରମାଣ ମିଳିଲା ।

 

ସମାଜ ଓ ଶାସନର ବିଭିନ୍ନ ସମସ୍ୟା ସଂପର୍କରେ ଲୋକଶାସନରେ ବିନୋଦବାବୁଙ୍କ ଲେଖା ଦ୍ୱାରା ଅନେକ ପାଠକ ଉପକୃତ ହୋଇଥିଲେ ।

 

ସମ୍ମାନ ଓ ଅଭିନନ୍ଦନ:

ବିନୋଦ କାନୁନ୍‌ଗୋଙ୍କ କୃତି ଆମ ଜାତି ଇତିହାସରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ତାଙ୍କର ନିରବଚ୍ଛିନ୍ନ ସାଧନା ଆଜି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଛି । ସେଥିପାଇଁ ସେ ପାଇଛନ୍ତି ଆନୁଷ୍ଠାନିକ ସ୍ୱୀକୃତି । ତାଙ୍କର ଅପୂର୍ବ କୃତିତ୍ଵ ପାଇଁ ତାଙ୍କର ରଚିତ ଆତ୍ମଜୀବନୀ ‘‘ଋଣ ପରିଶୋଧ’’ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ୧୯୮୪ରେ ପୁରସ୍କୃତ ହୋଇଥିଲା । ପୁଣି ୧୯୮୭ ମସିହାରେ ତାଙ୍କ ରଚିତ ଶିଶୁ ସାହିତ୍ୟ ପୁସ୍ତକ ‘‘ଛାତିକି ପଥର କରି’’ ପୁନର୍ବାର ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ ହୋଇଥିଲା ।

 

ତାଙ୍କ ଜୀବନୀ ସମ୍ବନ୍ଧରେ ପ୍ରାମାଣିକ ଚଳଚ୍ଚିତ୍ର :

ତାଙ୍କ ସାଧନାର ସ୍ୱୀକୃତି ସ୍ୱରୂପ ୧୯୮୬ ମସିହା ଜାନୁୟାରୀ ୨୬ ତାରିଖ ଦିନ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କଲେ । ସହଜ, ସରଳ, ସୁଖପାଠ୍ୟ ଓ ଜ୍ଞାନବିଜ୍ଞାନ ତଥ୍ୟ ସମ୍ବଳିତ ଜ୍ଞାନମଣ୍ଡଳ ପ୍ରଣୟନକାରୀ ଏହି ଜ୍ଞାନ ତପସ୍ଵୀକୁ ନେଇ ଭାରତ ସରକାରଙ୍କ ଫିଲ୍‌ମ୍‌ ଡିଭିଜନ ତାଙ୍କ ଉପରେ ଏକ ଡକୁମେଣ୍ଟାରୀ (ପ୍ରାମାଣିକ ଚିତ୍ର) ତିଆରି କଲେ ଓ ତାହାର ନାମ ରଖିଲେ ବିନୋଦ କାନୁନଗୋ । ଇଂରାଜୀ ଓ ୧୪ଟି ଭାରତୀୟ ଭାଷାରେ ଏହା ପ୍ରସ୍ତୁତ ହୋଇଥିଲା ।

 

ତାଙ୍କର ଶେଷ ପରିକଳ୍ପନା - ଜାତୀୟ ଜ୍ଞାନମଣ୍ଡଳ ସଂସ୍ଥା :

ବିନୋଦ କାନୁନଗୋଙ୍କ ପ୍ରଚେଷ୍ଟାରେ ଭୁବନେଶ୍ୱରଠାରେ ପ୍ରତିଷ୍ଠିତ ହେଲା ‘‘ଜାତୀୟ ବିଶ୍ଵକୋଷ କେନ୍ଦ୍ର’’- ସାରା ଭାରତରେ ଏହା ପ୍ରଥମ । ୧୯୮୭ ମସିହା ଜୁଲାଇ ଆଠ ତାରିଖ ଦିନ ତାଙ୍କ ମାନସ ସନ୍ତାନ ‘‘ଜାତୀୟ ବିଶ୍ଵକୋଷର କେନ୍ଦ୍ର’’ (National Encyclopedia Centre) ର ଜନ୍ମ ଉତ୍ସବ ପାଳନ କରାଯାଇଥିଲା । ଏହାର ଉଦ୍‌ଘାଟକ ଥିଲେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ, ସୁସାହିତ୍ୟିକ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ । ସେ ଉଦ୍‌ଘାଟନୀ ଉତ୍ସବରେ ଭାବବିହ୍ୱୋଳ ହୋଇ ମତବ୍ୟକ୍ତ କରିଥିଲେ- ‘‘ବିନୋଦବାବୁ ହେଉଛନ୍ତି ଚଳନ୍ତି ବିଶ୍ୱକୋଷ । ତାଙ୍କର ମାନସ ସନ୍ତାନ ଭାବେ ଏହି କେନ୍ଦ୍ର ସାରା ଦେଶରେ ଆଦର ଲାଭ କରିବ ।’’ ରାଜ୍ୟ ସରକାର ଏଥିପାଇଁ ଭୁବନେଶ୍ୱରଠାରେ ଆବଶ୍ୟକୀୟ ଜମି ଓ ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିଲେ ।

 

ଜୀବନର ଶେଷ ଅଧ୍ୟାୟ :

ଉଦୟ ଏବଂ ଅସ୍ତ ପ୍ରକୃତିର ଚିରନ୍ତନ ସତ୍ୟ । ଏହି ଦୃଶ୍ୟମାନ ଘଟଣା ଦୁଇଟିର ମଧ୍ୟବର୍ତ୍ତୀ କାଳରେ ସୃଷ୍ଟିର ଶ୍ରେଷ୍ଠଜୀବ ମନୁଷ୍ୟ ଯେଉଁ କର୍ତ୍ତବ୍ୟ ସମ୍ପାଦନ କରେ, ତାହା ଆସନ୍ତାକାଲିର ବଂଶଧରଙ୍କ ନିମନ୍ତେ ଆଦର୍ଶ ହୋଇ ରହିଯାଏ । ଦେଶ ଓ ଜାତି ସେହି ମହାପୁରୁଷଙ୍କ ଜୀବନୀରେ ଉଦ୍‌ବୁଦ୍ଧ ହୋଇ ସମାଜ ଜୀବନକୁ ଋଦ୍ଧିବନ୍ତ ତଥା ସମୃଦ୍ଧ କରି ଲଢ଼ିବାକୁ ସମର୍ଥ ହୋଇଥାନ୍ତି । ଜ୍ଞାନମଣ୍ଡଳର ସ୍ରଷ୍ଟା, ନୀତିବାନ ସଂଗ୍ରାମୀ, ଦେଶପ୍ରେମୀ, ସରସ୍ୱତୀଙ୍କ ବରପୁତ୍ର, ଜ୍ଞାନଦୀପ ଉଜ୍ଜ୍ୱଳ ଜ୍ୟୋତିଷ୍ଠ ବିନୋଦ କାନୁନ୍‌ଗୋ କେବଳ ଜଣେ ମାନବ ନ ଥିଲେ, ସେ ଥିଲେ ପ୍ରକୃତରେ ଏକ ଅନୁଷ୍ଠାନ । ଶେଷ ଜୀବନ ପର୍ଯ୍ୟନ୍ତ ସେ ସାହିତ୍ୟ ସାଧନାରୁ ବିଚ୍ୟୁତ ହୋଇ ନ ଥିଲେ । ତାଙ୍କର ମାନସିକ ଶକ୍ତି ପୂର୍ବପରି ଅତୁଟ ରହିଥି‌ଲା ଓ ସେ ପରିଣତ ବୟସରେ ମଧ୍ୟ ୧୦ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରିପାରୁଥିଲେ । ସେ ଯେପରି ମୃତ୍ୟୁର ତିନିବର୍ଷ ଆଗରୁ ନିମନ୍ତ୍ରଣ ପାଇଥିଲେ, ତାହା ସେ ତାଙ୍କର ଆତ୍ମଜୀବନୀମୂଳକ ପୁସ୍ତକ ‘‘ପାଠ ପଛେ ପଛେ ଅପାଠୁଆ’’ର ଶେଷ ପୃଷ୍ଠାରେ ଲିପିବଦ୍ଧ କରି ଯାଇଛନ୍ତି-‘‘ଏଇତକ ଲେଖିଲାବେଳକୁ ଜୀବନର ୭୫ ବର୍ଷ ପାର ହୋଇଗଲାଣି ଯେ, ଆଉ ପାଞ୍ଚବର୍ଷ ଦଶବର୍ଷ ପାଇଁ ଯୋଜନା କରିବା ଆଦୌ ଠିକ୍‌ ହେବ ନାହିଁ । ତେଣୁ ତିନିବର୍ଷିଆ ଯୋଜନା କରୁଛି ।’’ ଏହା ଲେଖିବାର ଠିକ୍‌ ତିନିବର୍ଷ ପରେ ୧୯୯୦ ମସିହା ଜୁନ୍‌ ୨୨ ତାରିଖରେ ତାଙ୍କର ତିରୋଧାନ ଘଟିଲା ।

 

 

ପରିଚାଳନା ସମ୍ପାଦକ ‘‘ବିଜୟବାର୍ତ୍ତା’’

ନୂଆସାହି, ବିଡ଼ାନାସୀ,

କଟକ -୧୪

 

***

 

ଓଡ଼ିଆ ଭାଷା ଯଦି ସ୍ଥିର ରହିଯିବ

ବିନୋଦ କାନୁନ୍‌ଗୋ

 

ଯେଉଁ ଭାଷା ଗୋଟିଏ ଭୌଗୋଳିକ ସୀମା ଭିତରେ ସୀମାବଦ୍ଧ ହୋଇ ରହିଯିବ ଓ ଖୁବ୍‌ ହେଲେ ସେହି ଭାଷାଭାଷୀ ଲୋକେ ଯେଉଁ ‘ଘରେ’ ଅନ୍ୟ ଅଞ୍ଚଳରେ ଥିବେ ସେହି ଘର ପର୍ଯ୍ୟନ୍ତ ଯାଉଥିବ ସେ ଭାଷା କ୍ରମେ କ୍ରମେ ଗୋଟିଏ ‘ସଂପୂର୍ଣ୍ଣ, ସଂକୀର୍ଣ୍ଣ ଆଞ୍ଚଳିକ’ ଭାଷାରେ ପରିଣତ ହୋଇଯିବ । ତେଣିକି ସେ ଭାଷାର ତେଜ, ଜ୍ୟୋତି କମି କମି ଆସିବ । ସେ ଭାଷାର ଲେଖକମାନେ ସେହି ଭାଷାଭାଷୀ ଲୋକଙ୍କ ନିକଟରେ ପରିଚିତ ହେବେ । ସେହିମାନଙ୍କଠାରୁ ଟିକିଏ ବାହା ବାହା ପାଇ ସନ୍ତୁଷ୍ଟ ହୋଇଯିବେ । ଆତ୍ମସନ୍ତୋଷ ତାର ମାୟାଜାଲ ସେମାନଙ୍କ ଚାରିପଟେ ବିଛାଇଦେବ । କ୍ରମେ ସେମାନଙ୍କ ସୃଜନୀଶକ୍ତିର ବିକାଶ ହେବ ନାହିଁ ।

 

କିନ୍ତୁ ଯଦି ସେହି ଭାଷାରେ ଏଭଳି ସବୁ ପୁସ୍ତକ ଲେଖାଯିବ ଯେଉଁଗୁଡ଼ିକୁ ପଢ଼ିବା ପାଇଁ ଅନ୍ୟ ଭାଷାଭାଷୀ ଲୋକେ ମଧ୍ୟ ଆଗ୍ରହ ପ୍ରକାଶ କରିବେ ତେବେ ଯାଇ ସେ ଭାଷା ନିଜର ‘ଗଣ୍ଠି’ ଭିତରୁ ବାହାରି ପାରିବ । ଉଦାହରଣ ସ୍ଵରୂପ କେବଳ ଇଂରେଜ ଭାଷାଭାଷୀ ଲୋକେ ତ ଇଂରାଜୀ ପଢ଼ୁନାହାଁନ୍ତି । ଅନ୍ୟମାନେ ମଧ୍ୟ ପଢ଼ୁଛନ୍ତି । ସେ ଭାଷାରେ ଏଭଳି ଅନେକ ବହିଲେଖା ଯାଇଛି ଯାହାକୁ କି ପଢ଼ିବା ଆମ ନିଜ ସ୍ଵାର୍ଥ ଦୃଷ୍ଟିରୁ ଆବଶ୍ୟକ । ତେଣୁ ଆମେ ଚେଷ୍ଟା କରି, ପରିଶ୍ରମ କରି ସେ ଭାଷା ଶିଖୁଛୁ ।

 

ବଙ୍ଗଳା ଭାଷା କଥା ଧରାଯାଉ । ସେମାନେ ପୃଥିବୀର ଚାରିଆଡ଼ର ବହିଗୁଡ଼ିକୁ ବଙ୍ଗଳାରେ ଅନୁବାଦ କରି ପକାଇଲେଣି । ବହୁ ଓଡ଼ିଆ, ବହୁ ଅସମୀୟଭାଷୀ, ବହୁ ହିନ୍ଦୀ ଭାଷୀ ବଙ୍ଗଳା ଶିଖୁଛନ୍ତି ସେହି ବହିଗୁଡ଼ିକୁ ପଢ଼ିବା ପାଇଁ । ବଙ୍ଗଳାରେ ମଧ୍ୟ ଏଭଳି କବି ଲେଖକ ପ୍ରାବନ୍ଧିକ ବାହାରିଲେ-ଯେଉଁମାନଙ୍କ ଲେଖା ପଢ଼ିବା ପାଇଁ ଆମେ ସମସ୍ତେ ବ୍ୟାକୁଳ ହେଲୁ । ତେଣୁ ସେ ଭାଷା ଜଳସ୍ରୋତ ହୋଇ ବହିବାକୁ ଲାଗିଲା- ସ୍ଥିର ବା ଆବଦ୍ଧ ହୋଇ ରହିଗଲା ନାହିଁ ।

 

ଏହି ସତ୍ୟଟି ସବୁ ଭାଷାଭାଷୀ ଲୋକେ ବୁଝିଲେଣି । ଫରାସୀ ଲୋକେ ବ୍ୟାକୁଳ ସେମାନଙ୍କ ଭାଷା ପୃଥିବୀର ବହୁ ଲୋକେ କେମିତି ପଢ଼ିବେ । ସେଭଳି ନ ପଢ଼ିଲେ ସେ ଭାଷାର ସୀମା କ୍ରମେ ସଂକୁଚିତ ହୋଇଯିବ । କେବଳ ଫରାସୀ ଭାଷାଭାଷୀ ଲୋକ ପଢ଼ିଲେ ଚଳିବ ନାହିଁ-

 

ଆମ ଓଡ଼ିଆ ଭାଷା ବିଷୟରେ ଏହିଭଳି ଚିନ୍ତା ନ କଲେ ଚଳିବ ନାହିଁ । ଆମ ବହିସବୁ ଭିନ୍ନ ଭିନ୍ନ ଭାଷାରେ ଅନୁବାଦିତ ହେଉ । ତାହାହେଲେ ଯାଇ ସର୍ବଭାରତୀୟ ବା ଆନ୍ତର୍ଜାତୀୟ ପରୀକ୍ଷା ହଲ୍‌ରେ ବସି ଆମେ ପରୀକ୍ଷା ଦେଇପାରିବା । ସେହି ପରୀକ୍ଷାରେ ପାଶ୍‌ କଲେ ଯାଇ ଆମେ ସମ୍ମାନ ପାଇବା ।

 

ଏବେ ଭାରତର ସବୁ ଭାଷାରେ ଏନ୍‌ସାଇକ୍ଳୋପିଡ଼ିଆ ହେଉଛି । ଆମର ଜ୍ଞାନମଣ୍ଡଳ ମଧ୍ୟ ଆଗେଇ ଚାଲିଛି । ଜ୍ଞାନମଣ୍ଡଳର ହିନ୍ଦୀ ଅନୁବାଦ ହେଲେ ଯାଇ ଭାରତର ଅନ୍ୟମାନେ ଜାଣିପାରିବେ ଆମ ବହିର କିଛି ବିଶେଷତ୍ୱ ଅଛି କି ନାହିଁ । ଯଦି ନ ଥିବ ତେବେ ଆମ ବହି ରହିଯିବ ଓଡ଼ିଆଙ୍କ ଭିତରେ ସୀମାବଦ୍ଧ ହୋଇ । ଯଦି ଥିବ ଓଡ଼ିଆ ଭାଷାର ଗୁରୁତ୍ୱ ବଢ଼ିବ ଓ ଏହି ଭାଷା ଶିଖିବା ପାଇଁ କେତେକଙ୍କର ଆଗ୍ରହ ହେବ । ସେମିତି ଆମ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣଙ୍କ ବହି ଅନ୍ୟ ଭାଷାରେ ଅନୁବାଦ ହୋଇସାରିବ- ଅନ୍ୟମାନେ ତୁଳନା କରି ଦେଖିବେ ସେଥିରେ ବିଶେଷତ୍ୱ କଅଣ ଅଛି । ତେବେ ଯାଇ ଆମେ କହିବା ‘‘ଆମ ବହିଭଳି ବହି ଅନ୍ୟ କୌଣସି ଭାଷାରେ ଲେଖା ହୋଇ ନାହିଁ ।’’ ଆଉ ଗୋଟିଏ ଉପାୟରେ ମଧ୍ୟ କରାଯାଇପାରେ । ପ୍ରେମ, ଭକ୍ତି, ବୀରତ୍ୱ ବିଷୟରେ ଅନ୍ୟ ଭାଷାରେ କଅଣ ସବୁ ଅଛି ଆମେ ପଢ଼ିବା । ତୁଳନା କରି ଦେଖାଇଦେବା ଯେ ଆମର ଏଇ ଏଇ ବିଶେଷତ୍ଵ ଅଛି । ତା’ ହେଲେ ଯାଇ ଆମ ଭାଷାର ମହତ୍ୱ ବଢ଼ିବ । ଜୟଦେବ ଓଡ଼ିଆ ଥିଲେ କି ବଙ୍ଗାଳୀ ଥିଲେ ପ୍ରମାଣ କରିବା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ-ବଙ୍ଗଳା ଭାଷାରେ ଏଇ ଏଇ ବିଷୟରେ ଏଇ ଏଇ କଥା ନାହିଁ- ଆମ ଭାଷାରେ ଅଛି- ଏଇଟା ହିଁ ପ୍ରମାଣ କଲେ ଚଳିବ ।

 

ଆମ ବିଶ୍ୱିଦ୍ୟାଳୟ ‘ଜ୍ଞାନକୋଷ’ ତିଆରି କଲେ । ବଙ୍ଗଳା, ହିନ୍ଦୀରେ ମଧ୍ୟ ଏନ୍‌ସାଇକ୍ଳୋପେଡ଼ିଆ ହେଲାଣି । ସ୍ୱର ବର୍ଣ୍ଣର ପ୍ରବନ୍ଧ ବା ରେଫରେନ୍‌ସଗୁଡ଼ିକୁ ତୁଳନା କରି ଦେଖୁଥିଲି । କୌଣସି ଗୋଟିଏ ହେଲେ ତ ବଙ୍ଗଳା ବା ହିନ୍ଦୀ ତୁଳନାରେ ଭଲ ହୋଇ ନାହିଁ । ତା’ ହେଲେ ଆମ ଏନ୍‌ସାଇକ୍ଲୋପେଡ଼ିଆ ପଢ଼ିବା ପାଇଁ ସେମାନେ ବ୍ୟଗ୍ର ହେବେ କାହଁକି ? ଆମ ‘ଜ୍ଞାନକୋଷ’ ଯଦି ହିନ୍ଦୀରେ ଅନୁବାଦ ହୋଇଯିବ ସେମାନେ ତୁଳନା କରିଦେଇ କହିଦେବେ ଓଡ଼ିଆ ଲେଖକର ଜ୍ଞାନର ସୀମା କେଉଁଠି । ଜ୍ଞାନମଣ୍ଡଳ ବିଷୟରେ ମଧ୍ୟ ସେହି କଥା କୁହାଯାଇପାରେ । ସେହି ଦୁଇ ଭାଷାର ପ୍ରବନ୍ଧଗୁଡ଼ିକ ସହିତ ଆମ ପ୍ରବନ୍ଧଗୁଡ଼ିକର ତୁଳନା କରି କିଏ ଗୋଟିଏ ନୋଟ୍‌ ପ୍ରସ୍ତୁତ କରିବା ଉଚିତ । ଦରକାର ପଡ଼ିଲେ ଏଥରୁ କେତୋଟି ପ୍ରବନ୍ଧର ହିନ୍ଦୀ ଅନୁବାଦ ପ୍ରକାଶିତ ହୋଇଯାଉ । ତା’ ହେଲେ ଯାଇ ସେମାନେ ଜାଣିପାରିବେ ବିଶେଷତ୍ୱ ଅଛି କି ନାହିଁ ।

 

ଏହି ସଂକ୍ରାନ୍ତରେ ‘ଶବ୍ଦ ସମ୍ପଦ’ କଥା ଆସିଯାଉଛି । ଆମେ ଯଦି ଓଡ଼ିଆରେ ଏଭଳି ଗୋଟିଏ ବହି ପ୍ରକାଶ କରିଦେବା ଯାହାର ଆବଶ୍ୟକତା ସମସ୍ତେ ତୀବ୍ର ଭାବରେ ଅନୁଭବ କରିବେ ଓ ସେମାନଙ୍କ ଭାଷାରେ ସେଭଳି ବହି ହେବାର ତୁରନ୍ତ ସମ୍ଭାବନା ନ ଥିବ ତେବେ ଆଉ କିଛି ହେଉବା ନ ହେଉ ଆମ ଭାଷାପ୍ରତି ସମସ୍ତଙ୍କ ଦୃଷ୍ଟି ଆକୃଷ୍ଟ ହୋଇଯିବ । ପୃଥିବୀର ପଚିଶ (୨୫)ଟି ଭାଷାର ପରିଚୟ ଦେବା ଭଳି ବହି ଭାରତ ବର୍ଷରେ ଆଉ କେହି ଲେଖୁ ନାହାଁନ୍ତି । ଆମେ ଲେଖିଲେ ଚଳିବ । ଆମ ଭାଷାରେ ପ୍ରାୟ ୧୫୦,୦୦ ଶବ୍ଦ ଅଛି । ଆଉ ପଚାଶ ହଜାରରୁ ଏକଲକ୍ଷ ପର୍ଯ୍ୟନ୍ତ ଯୋଗ କଲେ ଓ ଦୁଇରୁ ଅଢ଼େଇଲକ୍ଷ ଶବ୍ଦର ‘ଇତିହାସ’ ବା ‘ଜୀବନୀ’ ଲେଖିଦେଲେ ତାହାରି ଭିତରେ ବହୁକଥା ରହିଯିବ । ସେଇ ଧରଣର ବହି କରିଦେଲେ ସମଗ୍ର ପୃଥିବୀର ଦୃଷ୍ଟି ଆମ ଉପରେ ଆସି ପଡ଼ିଯାଇପାରିବ ।

 

ଆମ ଭିତରୁ ଜଣେ ଯଦି କେହି ଖୁବ୍‌ ପରିଶ୍ରମ କରି ‘ଭାରତର ସ୍ଵାଧୀନତାର ଇତିହାସ’ ଲେଖନ୍ତା ଓ ସେ ଲେଖାରେ କିଛି ନା କିଛି ବିଶେଷତ୍ୱ ରହନ୍ତା ସେହି ବହିଟି ହୁଏତ ଅନ୍ୟ ଭାଷାରେ ଅନୁବାଦିତ ହୋଇ ଯାଆନ୍ତ । କିନ୍ତୁ ସେଭଳି ବା କରିବ କିଏ ! !

 

ଏହିଭଳି କିଛି ଉଦ୍ୟମ ନ ହେଲେ ତ ଆମେ ଏକାବେଳକେ ପଛରେ ପଡ଼ିଯିବା ।

 

***

 

ସାର୍ଥକ ସାଧକ

ମନମୋହନ ମିଶ୍ର

 

ଆତତାୟୀ ଶତାବ୍ଦି ତ

ମରିନାହିଁ, ସରିନାହିଁ

ଅଜ୍ଞାନର ସାଂଧ୍ର ଅନ୍ଧକାର

ହେ ବିନୋଦ, ଦୁଃସାହସୀ ଭାଇ !

 

ଅଳ୍ପ ଦୂରେ ଡାକ ଦିଏ

ଆଗନ୍ତୁକ ନୂଆ ମନ୍ଵନ୍ତର

ମହାଯାତ୍ରା ପଥେ ଛୁଟିବାକୁ

ହେଲ କିମ୍ପା ଏତେ ତରତର ?

ଭାଷାର ଚଉତିଶାରେ

ବାନ୍ଧି ଦେଲ ସେତୁବନ୍ଧ ଏକ,

ଛାର ମାତ୍ର ଲବଣ ମୁଠାକ

ତୁଟାଇଲା ସାହୁକାରୀ ଗୋଲାମି

ଯନ୍ତ୍ରଣା

ତୁମେ ନୁହଁ କବି

ନୁହଁ ବାଲମିକ, ବେଦବ୍ୟାସ

ନିର୍ଜୀବ ଅକ୍ଷର ଯୋଡ଼ି ଦେଲ

ଜୀବନ୍ୟାସ

ତୁମରି ଲେଖନୀ ମୂନ କଲା ସରଜନା

ବୁଦ୍ଧିର ହୀରକ-ଚିତା

ଜ୍ଞାନର ସଂହିତା

ରଟିଲା ସଂସାର ।

 

ଶବଦର ମେଘନାଦେ ମୁଦା ହେଲା

ବିଦ୍ୟା ପାରାବାର

ଶୁଣିଜନ ସଭାଘରେ ଲହରିଲା

ଐକ୍ୟତାନ ସ୍ଵର

‘‘ତାଙ୍କରି ଜୀବନ ପାତ୍ର ପୂର୍ଣ୍ଣ ହେଲା,

ସିଏ ଏକା ସାର୍ଥକ ସାଧକ,

ଆମେ ଯେତେ ଅବଶିଷ୍ଟ

କାଳର ଉଚ୍ଛିଷ୍ଟ

ଶୂନ୍ୟମନେ ଭରିନେଲୁ ନୟନେ

ଲୋତକ ।’’

 

କିନ୍ତୁ ତୁମେ ଜାଣିଥିଲ,

ଜ୍ଞାନ ନୁହେଁ ଆକାଶର ଫୁଲ,

ଜ୍ଞାନ ଏହି ମାଟିର ଫସଲ

ପ୍ରଥମ ତ ଚାଷୀର ନଙ୍ଗଳ

ସାତ ପଛ କୃଷି ବିଦ୍ୟା !

ଜ୍ଞାନ ପାଇଁ ରାଜାର ଦୁଲାଳ

ସିଦ୍ଧାର୍ଥ ଗୌତମ ହେଲେ ପଦାତିକ ଭିକ୍ଷୁ

ମହା ଯାଯାବର ।

 

ମାନବର ଶ୍ରମଝାଳ

ସର୍ଜିଥିଲା କୋଣାର୍କ ବିଶାଳ

ମିସରର ପିରାମିଡ଼

ଅଜନ୍ତାର ସୃଷ୍ଟି - ନୀଡ଼

ଚାରୁ ଚମତ୍କାର

କିନ୍ତୁ ସବୁଠାରୁ ଆଚମ୍ୱିତ ସିନା

କର୍ମକାର ସ୍ଵେଦର ସ୍ୱାକ୍ଷର ।

ନତଶୀର ଯାହା ପଦେ

ଆଜିର ପ୍ରଯୁକ୍ତି ଯନ୍ତ୍ରୀ

ଜ୍ଞାନ-ଧନୁର୍ଦ୍ଧର,

କମ୍ପ୍ୟୁଟର ।

 

ଅଜାଣତେ

ବହୁବର୍ଷ ତଳେ

ନିରୀହ କୈଶୋରେ

ମହାତ୍ମାର ପଶ୍ଚାତରେ

ଚଳମାନ ଅଭିଯାତ୍ରୀ ଦଳେ

ତୁମେ ହେଲ ତରୁଣ ସୈନିକ

ଭୋଗିଥିଲ ଗୋଡ଼ିମିଶା ଶାକ

ଆଉ ସନ୍ତ୍ରିର ଚାବୁକ

ଅବରୁଦ୍ଧ ବଦ୍ଧ ବନ୍ଦୀଶାଳେ ।

ଦିନେ ନିଶିଥିର ଶେଷେ

ଯୌବନର ବ୍ୟର୍ଥ ଅବଶୋଷେ

ଶୁଣିଥିଲ ସହବନ୍ଦୀ ଫାସିମଞ୍ଚ ଡାକ

ସହିଦ ସେ ଲକ୍ଷ୍ମଣ ନାୟକ

ସେ ଦିନର ଅଜାଣତ ପିଲା;

ଜନଗଣ ଜୀବନର ଲୁହ ଲହୁ ଝାଳେ

ସଢ଼ ହୋଇ ବଡ଼ ହୋଇଥିଲା

ସେହି ଭିକ୍ଷା,

ଅନୁଭୂତି ଶିକ୍ଷା

ଆଲୋକର ଶିଖା

ଭରିଦେଲା ଦୁଃସହ ପ୍ରେରଣା

ସେହି ଶିକ୍ଷା,

ପ୍ରାଣେ ଦେଲା ତଡ଼ିତ ଚେତନା

ଗଙ୍ଗା ଜଳେ ଜାହ୍ନବୀରେ କରି ଅଭିଷେକ

ଜନହିତେ ରଖିଗଲ ଏ ଜାତିର ଟେକ ।

 

ଜ୍ଞାନ ନୁହେଁ, ନିସ୍ତରଙ୍ଗ,

ମେରୁର ତୁଷାର

ଜ୍ଞାନ ନବ ନବ

ଉନ୍ମେଷିତ ତଡ଼ିତ ଚଞ୍ଚଳ

ଭଙ୍ଗାଗଢ଼ା, ସତ୍ୟ- ଭ୍ରାନ୍ତ

ଯୁକ୍ତିର କନ୍ଦଳ ।

 

ଜ୍ଞାନର ଜାହାଜ ଭେଳା,

ଯୁଗ ପରେ ଯୁଗ, ଯୁଗାନ୍ତର

ଅବିରାମ ଯାତ୍ରା ପଥେ ଯାଏ ବହି

ଦୁର୍ଗମ ଅଗଣିତ ଆଶ୍ଚର୍ଯ୍ୟ ବନ୍ଦର ।

ତୁମେ ତାର ନୁହଁ ବା ନ ଥିଲ

ଏକାକୀ ବାହକ

(ଆଜି ଯାହା ଜ୍ଞାନ- ପୋଥି

କାଲି ତାହା ତମାଦି, ସମାଧି,

ଐତିହ୍ୟର ନୀରବ ସ୍ମାରକ)

ତଥାପି ତ

ପୁନରପି କହି ରଖେଁ

ମାନବର ଇତିହାସେ

ତୁମେ ଏକ ବିରଳ ଏକକ

ଜନ ଜଣ ଭିକ୍ଷା- ଶିକ୍ଷାଜଳେ

ଯିଏ କଲା ତାରେ ଅଭିଷେକ ।

 

***